କଲେଜ ୟୁନିୟନ୍ରେ ଗଣତାନ୍ତ୍ରିକ ଅଧିକାର ନିମନ୍ତେ ୧୯୩୮ ମସିହାରେ ରେଭେନ୍ସା କଲେଜରେ ଧର୍ମଘଟ ହୁଏ। ଅଧ୍ୟକ୍ଷ ଡକ୍ଟର ପ୍ରାଣକୃଷ୍ଣ ପରିଜା ୟୁନିୟନ୍ର ସଭାପତି ସେ ନିଜେ ରହିବା ନିମନ୍ତେ ଚାହୁଁଥାନ୍ତି। ସ୍ଥିର ହେଲା ଯେ ନିର୍ବାଚନ ହୋଇ ଛାତ୍ରମାନଙ୍କର ମତ ନିଆଯିବ। ପ୍ରିନ୍ସିପାଲ୍ ୟୁନିୟନ ସଭାପତି ରହିବେ ନା ଜଣେ ନିର୍ବାଚିତ ଛାତ୍ର ସଭାପତି ହେବେ! ଡକ୍ଟର ପରିଜାଙ୍କୁ ସମର୍ଥନ କରୁଥାନ୍ତି ବୀରେନ ମିତ୍ର (ପରବର୍ତ୍ତୀ କାଳେ ମୁଖ୍ୟମନ୍ତ୍ରୀ) ଓ ବିରୋଧ କରୁଥାନ୍ତି ନୀଳମଣି ରାଉତରାୟ (ପରବର୍ତ୍ତୀ କାଳେ ମୁଖ୍ୟମନ୍ତ୍ରୀ)। ନୀଳମଣିଙ୍କ ଦଳ ବିଜୟୀ ହେଲେ ଓ ପ୍ରଥମ କରି ଜଣେ ଛାତ୍ର କଲେଜ ୟୁନିୟନ୍ ସଭାପତି ହେବା ଅଧିକାର ଲାଭ କଲେ। ରେଭେନ୍ସା କଲେଜର ପ୍ରଥମ ନିର୍ବାଚିତ ସଭାପତି ହେଉଛନ୍ତି କମ୍ୟୁନିଷ୍ଟ ନେତା ଓ କବି ମନମୋହନ ମିଶ୍ର ଓ ତା’ ପରେ କବି ବନମାଳୀ ପଟ୍ଟନାୟକ (ପରବର୍ତ୍ତୀ କାଳେ ଶିକ୍ଷାମନ୍ତ୍ରୀ)। କଲେଜ ଓ ବିଶ୍ବବିଦ୍ୟାଳୟ ୟୁନିୟନ୍ଗୁଡ଼ିକ ବହୁ ନେତା, ଅମଲା, ଆଇନଜୀବୀ ଓ ସାହିତ୍ୟିକ ସୃଷ୍ଟି କରିଛନ୍ତି। କଲେଜ ୟୁନିୟନ୍ର ଜଣେ କର୍ମକର୍ତ୍ତା ନିର୍ବାଚିତ ହୋଇପାରିବା ଏକ ସମ୍ମାନର ପ୍ରଶ୍ନ ଥିଲା। ରାଜନୈତିକ ନେତା ସୃଷ୍ଟି କରିବାରେ ଏହା ଥିଲା ଅନ୍ତୁଡ଼ିଶାଳ।
ସର୍ବଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ନନ୍ଦିନୀ ଶତପଥୀ, ରବି ରାୟ, ସମରେନ୍ଦ୍ର କୁଣ୍ତୁ, ବୀରେନ୍ ମିତ୍ର, ନୀଳମଣି ରାଉତରାୟ, ହରିଶ୍ଚନ୍ଦ୍ର ବକ୍ସିପାତ୍ର ଆଦି ବହୁ ନେତା ଛାତ୍ର ରାଜନୀତି ମାଧ୍ୟମରେ ରାଜ୍ୟ ଓ ଦେଶ ରାଜନୀତି ପ୍ରାଙ୍ଗଣରେ ପ୍ରବେଶ କରିଥିଲେ। ୟୁନିୟନ୍ ନିର୍ବାଚନରେ ରାଜନୈତିକ ପ୍ରଭାବ ସବୁ ସମୟରେ ଥିଲା। କାଳକ୍ରମେ ଏ ନିର୍ବାଚନ ସବୁ ବ୍ୟୟବହୁଳ ଓ ହି˚ସାକାଣ୍ତର ପୀଠରେ ପରିଣତ ହେଲା। ପାଠପଢ଼ାରେ ବାଧକ ହେଲା। ଗତ କେତେ ବର୍ଷ ହେଲା ଏ ନିର୍ବାଚନ ସବୁ ବାତିଲ କରାହୋଇଅଛି ଓ ଆଶ୍ଚର୍ଯ୍ୟର କଥା ଛାତ୍ର ସମାଜ ଏହାକୁ ନିରବରେ ଗ୍ରହଣ କରିନେଇଛନ୍ତି। ଏଇ ୟୁନିୟନ୍ ନିର୍ବାଚନ ଛାତ୍ରମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ସୃଷ୍ଟି ସହିତ, ନିହିତ ନେତୃତ୍ବ ପ୍ରତିଭା ବିକାଶରେ ସାହାଯ୍ୟ କରୁଥିଲା। ଉତ୍ତମ ବକ୍ତା ଓ ତାର୍କିକ ସୃଷ୍ଟି କରୁଥିଲା। ଛାତ୍ରମାନେ ପରିଚାଳନାରେ ଭାଗ ନେବାରେ ସୁଯୋଗ ପାଉଥିେଲ ଓ ତାହା ସେମାନଙ୍କର ଶିକ୍ଷାର ଅ˚ଶବିଶେଷ େହଉଥିଲା। ଏହାର ଉଚ୍ଛେଦ ନ କରି, ନକାରାତ୍ମକ ଦିଗଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିବା ଉଚିତ ହୋଇଥାନ୍ତା। ୟୁନିୟନ୍ ନିର୍ବାଚନଗୁଡ଼ିକ ଅନିର୍ଦ୍ଦିଷ୍ଟ କାଳ ନିମନ୍ତେ ବନ୍ଦ ରହିଲେ ଭବିଷ୍ୟତରେ ନେତୃତ୍ବର ମରୁଡ଼ି ଘଟିବାର ଆଶଙ୍କା ରହିଛି। ଏ ସମସ୍ୟାର ତୁରନ୍ତ ସମାଧାନ ଆବଶ୍ୟକ।
ପ୍ରତ୍ୟେକ ବିଶ୍ବବିଦ୍ୟାଳୟରେ ଗୋଟିଏ ସିନେଟ୍ ଥିଲା। ସିଣ୍ତିକେଟ୍ଟି ବିଶ୍ବବିଦ୍ୟାଳୟର ମନ୍ତ୍ରିମଣ୍ତଳ ହେଲେ, ସିନେଟ୍ ଥିଲା ବିଧାନସଭା ପରି। ସିନେଟ୍ରେ ପଞ୍ଜିକୃତ ଗ୍ରାଜୁଏଟ୍ଙ୍କ ପ୍ରତିନିଧି, କେତେକ କ୍ଷେତ୍ରରେ ଛାତ୍ର ପ୍ରତିନିଧି ଓ ଅନୁବନ୍ଧିତ କଲେଜରୁ ଅଧ୍ୟାପକ ପ୍ରତିନିଧି ସଭାକୁ ନିର୍ବାଚିତ ହେଉଥିଲେ। ବିଶ୍ବବିଦ୍ୟାଳୟର ପ୍ରୋ-ଚାନ୍ସେଲର ସିନେଟ୍ ସଭାର ସଭାପତିତ୍ବ କରୁଥିଲେ। ପଞ୍ଚମ ଦଶକରେ ପଣ୍ତିତ ନୀଳକଣ୍ଠ ଦାସ, ପ୍ରାଣକୃଷ୍ଣ ପରିଜା ପ୍ରୋ-ଚାନ୍ସେଲର ଥିଲେ। ବିଶ୍ବବିଦ୍ୟାଳୟ ଓ ବୁଦ୍ଧିଜୀବୀ ଓ ଅଭିଭାବକଙ୍କ ମଧ୍ୟରେ ଯୋଗସୂତ୍ର ଥିଲା ସିନେଟ୍। ମୁଁ ଛାତ୍ର ଥିବା ସମୟରେ, ଅଶୋକ ଦାସ, ବିଭୁଧେନ୍ଦ୍ର ମିଶ୍ର, ହରିହର ମହାପାତ୍ର ଓ ସୁରଜମଲ ସାହାଙ୍କ ପରି ଆଡ୍ଭୋକେଟ୍ମାନେ ସିନେଟ୍ ମାଧ୍ୟମରେ ସିଣ୍ତିକେଟ୍ ସଦସ୍ୟ ହୋଇ ବିଶ୍ବବିଦ୍ୟାଳୟ ପରିଚାଳନାରେ ମୂଲ୍ୟବାନ ଯୋଗଦାନ କରୁଥିଲେ। ନୂତନ ବିଶ୍ବବିଦ୍ୟାଳୟ ଆଇନ ଅନୁସାରେ ସିନେଟ୍ର ଉଚ୍ଛେଦ କରାଯାଇଛି, ଫଳତଃ ବୁଦ୍ଧିଜୀବୀ ଓ ଶିକ୍ଷିତ ଅଭିଭାବକମାନେ ବିଶ୍ବବିଦ୍ୟାଳୟ ପରିଚାଳନାରେ ଆଉ ଭାଗୀଦାର ନୁହନ୍ତି। ବିଶ୍ବବିଦ୍ୟାଳୟ ବି କେବଳ ଶିକ୍ଷକମାନଙ୍କର ନୁହେଁ। ଏହା ସମସ୍ତ ସମାଜର।
ଉତ୍କଳ ବିଶ୍ବବିଦ୍ୟାଳୟରେ ଏକଦା ଆଡ୍ଭୋକେଟ୍ ଚିନ୍ତାମଣି ଆଚାର୍ଯ୍ୟ କୁଳପତି ହୋଇଥିଲେ। କଲିକତା ବିଶ୍ବବିଦ୍ୟାଳୟରେ ସାର୍ ଆଶୁତୋଷ ମୁଖାର୍ଜୀ ଅନେକ ବର୍ଷ ଧରି କୁଳପତି ପଦ ମଣ୍ତନ କରିଥିଲେ। ଏମାନେ ସିନେଟ୍ ମାଧ୍ୟମରେ ବିଶ୍ବବିଦ୍ୟାଳୟର ଅ˚ଶୀଦାର ହୋଇଥିଲେ। ଦ୍ବିତୀୟ ମହାଯୁଦ୍ଧର ବିଜୟୀ ଆମେରିକାନ୍ ସେନାପତି ଜେନେରାଲ୍ ଆଇଜେନହାଵାର୍, ମହାଯୁଦ୍ଧ ପରେ କଲମ୍ବିଆ ବିଶ୍ବବିଦ୍ୟାଳୟର ପ୍ରେସିଡେଣ୍ଟ୍ ପଦରେ ଅଧିଷ୍ଠିତ ହୋଇଥିଲେ, ଯଦିଓ ସେ ବିଶ୍ବବିଦ୍ୟାଳୟ ସ୍ନାତକ ନୁହନ୍ତି। ସିନେଟ୍ର ଉଚ୍ଛେଦ, ରାଜ୍ୟରେ ବୌଦ୍ଧିକ ବାତାବରଣ ସୃଷ୍ଟିରେ ବାଧା କରିବ। ବୁଦ୍ଧିଜୀବୀମାନଙ୍କର ବିଶ୍ବବିଦ୍ୟାଳୟମାନଙ୍କ ସହିତ ସମ୍ପର୍କ ରହିବ ନାହିଁ ଓ ବୁଦ୍ଧିଜୀବୀ ଓ ଅଭିଭାବକମାନେ କ’ଣ ଚାହାନ୍ତି ଓ ବିଶ୍ବବିଦ୍ୟାଳୟ ସମ୍ବନ୍ଧରେ ସେମାନଙ୍କ ମତାମତ କ’ଣ ତାହା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଜାଣିବାର ଅବକାଶ ରହିବ ନାହିଁ।
ଏବେ ରାଜ୍ୟର ବିଧାନସଭା କଥା କହିବା। ଏହା ଏକ ସାମ୍ବିଧାନିକ ଅନୁଷ୍ଠାନ। ଆଇନ ପ୍ରଣୟନ ଦାୟିତ୍ବରେ ଅଙ୍ଗୀକାରବଦ୍ଧ ଓ ଏଠାରୁ ମନ୍ତ୍ରୀମାନେ ନିଯୁକ୍ତ ହେଉଥିବାରୁ, ଏହାକୁ ରାଜ୍ୟର ସର୍ବୋଚ୍ଚ ଅନୁଷ୍ଠାନ ଭାବରେ ଗ୍ରହଣ କରାଯିବା ଆବଶ୍ୟକ। ଗତ କେତେ ବର୍ଷ ଧରି, ଏ ମହାନ ଅନୁଷ୍ଠାନର ଅବକ୍ଷୟ ପରିଲକ୍ଷିତ ହେଉଅଛି। ବିଧାନସଭା ଅଧିବେଶନ ବର୍ଷରେ ଅତି ଅଳ୍ପ ଦିନ ପାଇଁ ବସୁଛି ଓ ଘୋଷିତ ଦିନର ଅନେକ ଆଗରୁ ବନ୍ଦ ହୋଇଯାଉଛି। ବଜେଟ୍ ଓ ଆଗତ ବିଲ୍ଗୁଡ଼ିକର ତାତ୍ତ୍ବିକ ଆଲୋଚନା ହେଇନାହିଁ। ବିଧାନସଭା ଆରମ୍ଭ ହେବା ମାତ୍ରେ, କିଛି ଅସନ୍ତୁଷ୍ଟ ଗୋଷ୍ଠୀ ଆସି ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଓ ବିଧାନସଭାର ମାନ୍ୟବର ସଦସ୍ୟମାନେ ତା’ ଉପରେ ଆଲୋଚନା ଦାବି କରି, ଗୃହର ମଧ୍ୟ ଭାଗକୁ ପ୍ରବେଶ କରି, ଗୃହର ନିର୍ଦ୍ଧାରିତ କାର୍ଯ୍ୟକ୍ରମ କରାଇ ଦେଉନାହାନ୍ତି। ଏ ଅବସ୍ଥା ସରକାରୀ ଦଳକୁ ବେଶ୍ ସୁହାଉଚି। ବଜେଟ୍ ବା କୌଣସି ବିଲ୍ ଆଲୋଚନା ନ ହୋଇ ହଟ୍ଟଗୋଳ ମଧ୍ୟରେ ବାଚନିକ ଭୋଟର ପାରିତ ହୋଇଗଲାରୁ, ବିଲ୍ର ଦୋଷତ୍ରୁଟି ଆଲୋଚିତ ହେଉନାହିଁ। ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଅନେକ ସରକାରୀ କର୍ମଚାରୀ ଶିଳ୍ପ ଶ୍ରମିକ ଭଳି ବ୍ୟବହାର କରୁଛନ୍ତି ଯଦିଓ ସେମାନେ ଶିଳ୍ପ ବିବାଦ ଆଇନ ପରିସରଭୁକ୍ତ ନୁହନ୍ତି। ସରକାର ମଧ୍ୟ ଚାପମୁକ୍ତ ନ େହଲେ ଅନେକ ସମସ୍ୟାର ସମାଧାନ ନିମନ୍ତେ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ବିଧାନସଭାକୁ ଚଳାଇ ନ ଦେବାଟାକୁ ବିରୋଧୀ ଦଳମାନେ ନିଜର ସଫଳତା ବୋଲି ମନେ କରୁଥିଲେ ମଧ୍ୟ, ଏହା ଦ୍ବାରା ତାଙ୍କର ନିଜର ଅଧିକାର ଉପଯୋଗ ହୋଇ ପାରୁନାହିଁ।
ଏ ପ୍ରତିବେଦକ ଛାତ୍ରାବସ୍ଥାରେ (୧୯୫୧-୫୮) ବହୁବାର ବିଧାନସଭାର ଦର୍ଶକ ଭାବରେ ପଣ୍ତିତ ନୀଳକଣ୍ଠ ଓ ମୁଖ୍ୟମନ୍ତ୍ରୀ ନବ ବାବୁଙ୍କ ବୌଦ୍ଧିକ ବିେଶ୍ଳଷଣ, ପଣ୍ଡିତ ଗୋଦାବରୀଶ, ଖଲ୍ଲିକୋଟ ରାଜା ରାମଚନ୍ଦ୍ର ଦେବ ଓ ବିଜୁ ବାବୁଙ୍କ ଇଂରେଜୀ ଭାଷଣ ଓ କନିକା ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜ ଦେଓ ଓ ଶ୍ରାଦ୍ଧାକର ସୂପକାରଙ୍କ ଜଳସେଚନ, ବନ୍ୟା ଓ ହୀରାକୁଦ ସମ୍ବନ୍ଧୀୟ ଶିକ୍ଷଣୀୟ ଭାଷଣ ଶୁଣିବାର ସୁଯୋଗ ପ୍ରାପ୍ତ ହୋଇଛି। ନିଜ ଜ୍ଞାନ ଗରିମା ବଳରେ ଜଣେ ଜଣେ ବିଧାୟକ, ସାରା ସରକାରୀ ଦଳକୁ ସତର୍କ ଅବସ୍ଥାରେ ରଖି ପାରୁଥିଲେ ଓ କେହି କେେବ ଗୃହର ମଧ୍ୟ ସ୍ଥଳକୁ ପ୍ରବେଶ କରୁ ନ ଥିଲେ। ଏବେ ଅଧିକା˚ଶ ବିଧାୟକ ରାଜରାସ୍ତାର ରାଜନୀତି ମାଧ୍ୟମରେ ଗୃହର ସଦସ୍ୟ ହେଉଛନ୍ତି ଓ ସେଇ ମାଧ୍ୟମକୁ ଗୃହ ମଧ୍ୟରେ ପ୍ରୟୋଗ କରୁଛନ୍ତି। ବିଧାନସଭା ପୂର୍ବ ଗୌରବ ଫେରି ପାଇବା ରାଜ୍ୟ ପକ୍ଷରେ ଶୁଭଙ୍କର ହେବ। ଏଥିନିମନ୍ତେ ଉଭୟ ସରକାରୀ ଓ ବିରୋଧୀ ଦଳ ଉଦ୍ଯୋଗୀ ହେବା ଆବଶ୍ୟକ।
ମୋ: ୯୯୩୭୪୨୨୫୭୧