ଜୀବନର ବିକାଶକୁ ଶୈଶବ, ବାଲ୍ୟ, କୈଶୋର, ଯୌବନ ଏବଂ ବାର୍ଦ୍ଧକ୍ୟ ପରି ସୋପାନରେ ବିଭକ୍ତ କରାଯାଇଥାଏ। ଏହି ସୋପାନଗୁଡ଼ିକର ସୀମାରେଖା ବାବଦରେ ଊଣାଅଧିକେ ଏକ ସ୍ଥୂଳ ମତୈକ୍ୟ ରହିଛି। କେଉଁ ବୟସରେ ଜଣେ କିଶୋରରୁ ଯୁବକାବସ୍ଥାରେ ପ୍ରବେଶ କ‌ରେ ବା କେଉଁ ବୟସରେ ଜଣେ ପ୍ରୌଢ଼ତ୍ବ ଅତିକ୍ରମ କରି ବାର୍ଦ୍ଧକ୍ୟରେ ଉପନୀତ ହୁଏ, ସେ ନେଇ ଏକ ଧାରଣା ବିଦ୍ୟମାନ। କିନ୍ତୁ କଥା ହେଲା ପୂର୍ବରୁ ଏ ନେଇ ଯେଉଁ ସୀମାରେଖାମାନ ଟଣାଯାଇଥିଲା, ଏବେ ସେଥିରେ ପରିବର୍ତ୍ତନ ଘଟିଛି ଏବଂ ମ‌େନ ହେଉଛି ଯେମିତି ଜୀବନ ଭିତରକୁ ବିଭିନ୍ନ ଅବସ୍ଥାମାନ ପ୍ରବେଶ କରିବାରେ ବିଳମ୍ବ ଘଟାଇବାରେ ଲାଗିଛନ୍ତି। ଆଜି ସେହି କ୍ରମରେ କୈ‌େଶାର ଓ ଯୌବନର ସନ୍ଧି କାଳ ବିଷୟରେ ଆଲୋଚନା କରିବା।

Advertisment

ପୂର୍ବରୁ କିଶୋର-କିଶୋରୀମାନେ ପ୍ରାୟ ୧୮ ବର୍ଷ ବୟସ ବେଳକୁ ସାଧାରଣ ଶିକ୍ଷା ସମାପନ କରି କୌଳିକ ବୃତ୍ତିରେ ପ୍ରବେଶ କରୁଥିଲେ; ଉଚ୍ଚ ଶିକ୍ଷା କରିବାକୁ ସ୍ବଳ୍ପ କିଛି ଆଗ୍ରହୀକୁ ବାଦ୍‌ ଦେଲେ ଅନ୍ୟମାନେ କିଛି ପେସା ଗ୍ରହଣ କରିବାକୁ ବାହାରି ପଡୁଥିଲେ ଏବଂ ଝିଅମାନଙ୍କୁ ପ୍ରାୟତଃ ବିବାହ ବନ୍ଧନରେ ଆବଦ୍ଧ କରି ଦିଆଯାଉଥିଲା। ସୁତରାଂ, ଏହିଠାରେ କୈଶୋର ସରି ଯୌବନ ଆରମ୍ଭ ହୋଇଯାଉଥିଲା ବୋଲି ଧରି ନିଆଯାଉଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତି ଭିନ୍ନ। ଏବେ ଏହି ବୟସରେ ଅଧିକାଂଶ ଉଚ୍ଚ ଶିକ୍ଷା ଲାଭ କରିବାର ଉଦ୍ୟମ କରୁଛନ୍ତି; କୌଣସି ନା କୌଣସି ତାଲିମ ନେଉଛନ୍ତି ଏବଂ ଭଲ ବେତନରେ ଚାକିରି କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏପରି ଉଦ୍ୟମ ପ୍ରାୟତଃ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ଅବ୍ୟାହତ ରହୁଛି। କେତେକ ମନୋବିଜ୍ଞାନୀ ତେଣୁ ଏହାକୁ ‘ବିଳମ୍ବିତ କୈଶୋର’ ବୋଲି ଚିହ୍ନିତ କରୁଛନ୍ତି।

କୈଶୋରରେ ଯେଉଁ ସଂକଟଟି ସର୍ବାଧିକ ପ୍ରାଞ୍ଜଳ ହୋଇଥାଏ, ତାହା ହେଲା ଆତ୍ମ-ପରିଚିତିର ସଙ୍କଟ। ପ୍ରକୃତରେ ବାଲ୍ୟାବସ୍ଥା ସମାପ୍ତି ସହିତ ପିଲାମାନେ ଆତ୍ମ-ପରିଚିତିର ଅନ୍ୱେଷଣରେ ଊଣାଅଧିକେ ଲାଗନ୍ତି। ନିଜର ଆତ୍ମ-ପରିଚିତିକୁ ସାବ୍ୟସ୍ତ କରିବା ଲାଗି ଏହି ପିଲାମାନେ ରୋଲ ମଡେଲ ଖୋଜନ୍ତି; ଗୁରୁଜନମାନଙ୍କ ଦ୍ବାରା ପରିଚାଳିତ ହେବାକୁ ଚାହାନ୍ତି ନାହିଁ, ନିଜର ମତକୁ ଦୃଢ଼ ଭାବେ ଉପସ୍ଥାପନ କରିବାକୁ ଗୁରୁତ୍ବ ଦିଅନ୍ତି ଇତ୍ୟାଦି। ପାରଂପରିକ ବିଶ୍ବାସକୁ ଏମାନେ ସହଜରେ ଗ୍ରହଣ କରି ନପାରି ଅନେକ ପ୍ରଶ୍ନ ଛିଡ଼ା କରାନ୍ତି। ଏମାନେ ଗୋଟିଏ ଦୃଷ୍ଟିରୁ ‘ଦ୍ରୋହୀ’ ଭାବମୂର୍ତ୍ତି ପରିଗ୍ରହଣ କରନ୍ତି। କିନ୍ତୁ କ୍ରମେ ଚାକିରିବାକିରି, ବିବାହ, ପିତୃତ୍ବ ବା ମାତୃତ୍ବ ଲାଭ, ପରିବାର ପ୍ରତି ଦାୟବୋଧ ସେମାନଙ୍କ ଠାରେ ଏହି ଦ୍ରୋହୀ ସ୍ବଭାବକୁ ନିଷ୍ପ୍ରଭ କରାଏ। ସେମାନେ କ୍ରମେ ପରଂପରାବାଦୀ ହୁଅନ୍ତି, କ୍ରମେ ପରିବାରରେ ଗୁରୁଜନରେ ପରିଣତ ହେଉଥିବା ବେଳେ କୈଶୋରରେ ଯେଉଁ ଗୁରୁଜନମାନଙ୍କ ବିରୋଧରେ ସ୍ବର ଉତ୍ତୋଳନ କରୁଥିଲେ, ପୁନର୍ବାର ସେହି ଗୁରୁଜନମାନଙ୍କୁ ଦୋହରାନ୍ତି। ଏମିତି ଏକ ଚକ୍ର ଚାଲିଥାଏ। ପୂର୍ବେ ଅଠର ବର୍ଷ ବୟସ ପରେ କୈ‌େଶାରର ଭାବନା ନିଷ୍ପ୍ରଭ ହେବାକୁ ଲାଗୁଥିଲା, କିନ୍ତୁ ଏବେ ତାହା ପଚିଶ ବର୍ଷ ବୟସ ପରେ ହେଉଥିବା ଦେଖାଯାଉଛି। ଏ ପର୍ଯ୍ୟାୟରେ ଥିବା ତରୁଣତରୁଣୀମାନଙ୍କୁ ନେଇ କରାଯାଇଥିବା ସର୍ବେକ୍ଷଣଗୁଡ଼ିକରୁ ଦେଖାଯାଏ ଯେ ସେମାନଙ୍କ ମଧ୍ୟରୁ ‌େକତେକ ନିଜକୁ କୈଶୋର ଅବସ୍ଥାଭୁକ୍ତ ବୋଲି ମଧ୍ୟ ବିଚାର କରନ୍ତି। ଶିକ୍ଷା ସମାପ୍ତି, ବିବାହ, ବୃତ୍ତିଗତ ସ୍ଥିରତା ଆଦି ଆସି ନ ଥିବା କାରଣରୁ ଅନେକ ନିଜକୁ କୈଶୋରୋତ୍ତୀର୍ଣ୍ଣ ବୋଲି ଭାବି ପାରନ୍ତିି ନାହିଁ।

ସୁତରାଂ, ଏବର ସ୍ଥିତିଟି ହେଲା ପୂର୍ବରୁ ଯାହା ୧୮ ବର୍ଷ ବୟସରେ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଘଟାଉଥିଲା, ଏବେ ତାହା ପଚିଶ ବର୍ଷ ପରେ ପ୍ରାୟତଃ ହେଉଛି ଏବଂ କୈଶୋର ଓ ଯୌବନର ସନ୍ଧି କାଳଟି କାଳ ସ୍ରୋତରେ ଘୁଞ୍ଚି ଯାଇଛି।

ମୋ: ୯୪୩୭୧୨୧୨୭୯