ମଣିଷ-ପରିଚାଳିତ ବିଶ୍ବର ଜ୍ଞାନକ୍ଷେତ୍ର ପ୍ରତି ମୁହୂର୍ତ୍ତରେ ପ୍ରଶସ୍ତରୁ ପ୍ରଶସ୍ତତର ହୋଇ ଚାଲିବାର ଦୃଶ୍ୟ ଆମେ ଦୈନନ୍ଦିନ ଜୀବନର ଲୋକକ୍ଷେତ୍ରରେ ଥାଇ ଦୂରରୁ ଦେଖୁ ଓ ବିହ୍ବଳ ହୋଇଉଠୁଁ। କିନ୍ତୁ ଜ୍ଞାନର ଏ ବିସ୍ତାର ଲୋକକ୍ଷେତ୍ରକୁ ପ୍ରାୟ ସ୍ପର୍ଶ କରେ ନାହିଁ। ବୁଦ୍ଧିମାନ, ବହୁପାଠୀ ପ୍ରବୀଣ ତାର୍କିକମାନେ ବିଭିନ୍ନ ଉଦ୍ଧୃତି ମାଧ୍ୟମରେ ତା’ର ଅନୁମାନ ମାତ୍ର ଆମକୁ ଦେଖାନ୍ତି, କିନ୍ତୁ ଜ୍ଞାନର ନବୋନ୍ମେଷ, ତର୍କ ବା ଉଦ୍ଧୃତିରେ ରହିଯାଏ। ଜ୍ଞାନ ବିସ୍ତାର ଦ୍ବାରା ଅପ୍ରଭାବିତ ଆମର ଲୋକକ୍ଷେତ୍ରର ବାସ୍ତବତା ସେତିକି ହିଁ ଦେଖାଏ ଯେତିକିରେ ଆମର ପ୍ରବେଶ ସମ୍ଭବ। ଗଣିତ, ଦର୍ଶନ, ଇତିହାସ ଓ ବିଜ୍ଞାନର ବହୁମୁଖୀ ଜ୍ଞାନ ଚର୍ଚ୍ଚାରେ ଆମର ଆଗ୍ରହ ନଥାଏ। ୟାର ଗୋଟିଏ ବିଡ଼ମ୍ବିତ ପରିଣତି ଏଇଆ ହୁଏ ଯେ ଜ୍ଞାନର କ୍ଷେତ୍ର, ଅଲଗା ଗତିପଥରେ ବଢ଼ିଚାଲେ ଓ ‘ଲୋକ’ ଅଲଗା ହୋଇଯାନ୍ତି।
ଲୋକକ୍ଷେତ୍ରର ସ୍ଥିତି ମୁଖ୍ୟତଃ କର୍ମ ନିର୍ଭର ହୋଇ ରହେ। କର୍ମ ଓ ଜ୍ଞାନ ଭିତରକୁ ପାର୍ଥକ୍ୟ ବା ଅପରିଚୟ ଲୋକକ୍ଷେତ୍ରକୁ ସ୍ଥୂଳ କରିଦିଏ। ପ୍ରୟୋଗ ଦ୍ବାରା ବାସ୍ତବ ଜୀବନର ଅ˚ଶ ନ ହେଲା ଯାଏଁ ଜ୍ଞାନ କେବଳ ବୁଦ୍ଧିର ଉତ୍ପାଦ ହୋଇ ରହେ। ରାଜନୀତି ଓ ଅର୍ଥନୀତି ସାଧାରଣ ବାସ୍ତବତାର ପ୍ରାୟୋଗିକ ସ୍ତରରେ ରହି ଲୋକକ୍ଷେତ୍ରକୁ ଚଳନଶୀଳ କରି ରଖନ୍ତି। ଗଣତନ୍ତ୍ର ଓ ବଜାରତନ୍ତ୍ର ଲୋକକ୍ଷେତ୍ରର ସର୍ବାଧିକ ପରିଚିତ କ୍ଷେତ୍ର ହୋଇଯାନ୍ତି। ଏତିକିରେ ଲୋକକ୍ଷେତ୍ର ପୂର୍ଣ୍ଣ ହୋଇଗଲା ଭଳି ଲାଗେ। କିନ୍ତୁ ଏ ଭିତରେ ‘ବିଶ୍ବ’ର ରାଜନୈତିକ ଓ ଅର୍ଥନୈତିକ ସ˚ରଚନା ବାହାରେ ଆଉ ଯୋଡ଼ିଏ ସ˚ରଚନାର ଆବିଷ୍କାର ଜ୍ଞାନ କ୍ଷେତ୍ରରେ ହୋଇ ସାରିଥାଏ। ଆସି ଯାଇଥାଏ ‘ପୃଥିବୀ’ ନାମକ ସୌରମଣ୍ତଳର ଏକ ଗ୍ରହର ବ୍ୟାଧିଗ୍ରସ୍ତ ହେବାର ଅସ୍ବସ୍ତିକର ସନ୍ଦେଶ; ଆସି ଯାଇଥାଏ ଭୂମଣ୍ତଳର ଅରାଜକ ବିନାଶଶୀଳତାର ସ˚କେତ। କେବଳ ମଣିଷ ସୃଷ୍ଟ ବିଶ୍ବ ନୁହେଁ, ପ୍ରକୃତି-ସୃଷ୍ଟ ପୃଥିବୀ ଓ ମଣିଷର ମହତ୍ତ୍ବାକା˚କ୍ଷା ଦ୍ବାରା କଳୁଷିତ ଭୂମଣ୍ତଳ ମଧ୍ୟ ଲୋକକ୍ଷେତ୍ରରେ ଚିନ୍ତାର ବିଷୟ, ଏ କଥାର ସତ୍ୟତା ଲୋକକ୍ଷେତ୍ରରେ ପ୍ରବେଶ କରିବ କେମିତି?
ଏଇ ଅଳ୍ପ ଦିନ ତଳେ କେରଳର କାଜିକୋଡ଼ ‘ଇଣ୍ତିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମାନେଜ୍ମେଣ୍ଟ୍’ରେ ବାତାବରଣ ସ˚ଚାଳନ ଉପରେ ଗୋଟିଏ ବିଶେଷ ତର୍କସଭା ଅନୁଷ୍ଠିତ ହୋଇଗଲା। ସୌଭାଗ୍ୟକୁ ସେ ସଭାରେ ପଠିତ ଶୋଧପତ୍ରଗୁଡ଼ିକ ଦେଖିବାର ସୁଯୋଗ ମିଳିଲା। ପ୍ରାୟ ସବୁଗୁଡ଼ିକ ପ୍ରୟୋଗଶାଳାର ବୈଜ୍ଞାନିକ ଅନୁସନ୍ଧାନ ଉପରେ ଆଧାରିତ ନିଷ୍କର୍ଷକୁ ନେଇ ଉପସ୍ଥାପିତ ହୋଇଥିଲା। କିନ୍ତୁ ପୁଲକିତ ହେଲି ଯେତେବେଳେ ଗୋଟିଏ ଶୋଧପତ୍ର ଉପରେ ଦୃଷ୍ଟି ପଡ଼ିଲା। ଏ ପତ୍ର ଥିଲା ପାର୍ଥିବତାର ଦର୍ଶନ ଉପରେ ଆଧାରିତ। ଅର୍ଥାତ୍ ପୃଥିବୀର ବାତାବରଣ-ତତ୍ତ୍ବ ଉପରେ ମଣିଷର ନିୟନ୍ତ୍ରଣକୁ ନେଇ ବିକଶିତ ଦୃଷ୍ଟିକୋଣ। ୨୦୧୮ରେ ପ୍ରକାଶିତ ଜନ୍ ଗ୍ରିନ୍ଙ୍କର ‘ଦ ଆନ୍ଥ୍ରୋପୋସିନ୍ ରିଭିଉଡ୍: ଏସେଜ୍ ଅନ୍ ଏ ହ୍ୟୁମାନ୍ ସେଣ୍ଟର୍ଡ୍ ପ୍ଲାନେଟ୍’ ପଢ଼ିଲା ବେଳେ ମୁଁ ପ୍ରକୃତରେ ତା’ର ତାତ୍ପର୍ଯ୍ୟ ବୁଝି ପାରି ନଥିଲି। ଏ ଶୋଧପତ୍ରରେ ଗ୍ରିନ୍ଙ୍କ ବ୍ୟାଖ୍ୟାନ ସହିତ ତା’ର ଆହୁରି ପଛକୁ ଯାଇ ଦୁଇ ଜଣ ଭାରତୀୟ ଚିନ୍ତକଙ୍କର ଚିନ୍ତନ ସହିତ ପରିଚିତ ହେବାର ସୁଯୋଗ ମିଳିଲା। ଗାୟତ୍ରୀ ଚକ୍ରବର୍ତ୍ତୀ ସ୍ପାଇଭାକ୍ଙ୍କର ‘ପ୍ଲାନେଟାରିଟି’ ଓ ଦୀପେଶ ଚକ୍ରବର୍ତ୍ତୀଙ୍କର ‘ଦ ପ୍ଲାନେଟ୍: ଆନ୍ ଇମର୍ଜେଣ୍ଟ୍ ହ୍ୟୁମାନିଷ୍ଟ୍ କ୍ୟାଟେଗୋରି’ ପଢ଼ିବା ପୂର୍ବରୁ ବହୁ ବ୍ୟକ୍ତିଗତ ଆଶଙ୍କାର ଆଲୋକରେ ମୁଁ ପୃଥିବୀରେ ମଣିଷ-କୈନ୍ଦ୍ରିକ ଜୀବନ ବିଷୟରେ ଭାବିଚି। ଦୀପେଶ ଓ ଗାୟତ୍ରୀ ମୋତେ ଆଉ ଟିକିଏ ଆଗେଇ ନେଇଚନ୍ତି।
ମଣିଷର ପାର୍ଥିବତା କ’ଣ? ପୃଥିବୀରେ ମଣିଷ ଯେବଠୁ ରହିଲା, ସେହି ଠାରୁ ପାର୍ଥିବତାର ଆରମ୍ଭ। ଅର୍ଥାତ୍ ତିନି ଲକ୍ଷ ବର୍ଷରୁ। କିନ୍ତୁ ପୃଥିବୀ ଗ୍ରହର ଉତ୍ପତ୍ତି ପାଞ୍ଚଶହ କୋଟି (୫ ବିଲିଅନ୍) ବର୍ଷର। ଅର୍ଥାତ୍ ମଣିଷ ପୃଥିବୀ ଗ୍ରହରେ ତିନି ଲକ୍ଷ ବର୍ଷ ଭିତରେ ପୃଥିବୀକୁ ନିଜ ଅନୁଭୂତିର ଆଧାରରେ ପାର୍ଥିବତାର ନିର୍ମାଣ କରିଚି ଓ ତାହାରି ଆଧାରରେ ପୃଥିବୀକୁ ନିୟନ୍ତ୍ରିତ କରୁଚି। ସେହି ମଣିଷ ପୃଥିବୀକୁ ମଣିଷର ବିଶ୍ବ ଭାବରେ ଚିହ୍ନେଇଚି ଓ ପୃଥିବୀର ଜୈବ ତତ୍ତ୍ବକୁ ଖୋଜି ସାରିଲା ପରେ ତାକୁ ଭୂମଣ୍ତଳରେ ପରିଣତ କରିଚି। ଗ୍ରହ, ବିଶ୍ବ ଓ ଭୂମଣ୍ତଳ ଏଭଳି ତିନିଟି ପରିଚିତିର ଭାର ଏବେ ମଣିଷ ଉପରେ।
ବ୍ରହ୍ମାଣ୍ତ-ସୃଷ୍ଟ ଗ୍ରହ, ମଣିଷ-ସୃଷ୍ଟ ବିଶ୍ବ ଓ ପ୍ରକୃତି-ସୃଷ୍ଟ ଏବଂ ପ୍ରକୃତି ଲାଳିତ ଭୂମଣ୍ତଳ; ଏ ତିନିଟି ଯାକର ସମୀକରଣ ଖୋଜିବାକୁ ଯାଇ ପାଶ୍ଚାତ୍ୟ ଚିନ୍ତକମାନେ କାହିଁକି କେଜାଣି ଚଳନ୍ତି ରାଜନୈତିକ ବିଚାଧାରାରୁ ହିଁ ଉତ୍ତର ଖୋଜି ଲାଗିଚନ୍ତି। ଗାୟତ୍ରୀ ଚକ୍ରବର୍ତ୍ତୀ ସ୍ପାଇଭାକ୍ ନିଜେ ସ୍ବୀକାର କରୁଚନ୍ତି ଯେ ମଣିଷ ନିଜକୁ ଜଣେ ଗ୍ରହବାସୀ ମନେ କରି ପୃଥିବୀ ଗ୍ରହର ସୁରକ୍ଷା କଥା ଭାବିବା ଭୁଲ୍ ନୁହେଁ, କିନ୍ତୁ ଏ କଥା ମାନିବାକୁ ହେବ ଯେ ଜଣେ ବିଶ୍ବବାସୀ ବା ଜଣେ ଭୂମଣ୍ତଳ-ନିବାସୀ ଗ୍ରହ ବ୍ୟବସ୍ଥାର ଅ˚ଶ ନୁହେଁ। ଅର୍ଥାତ୍ ବ୍ରହ୍ମାଣ୍ତ ଏକ ଭିନ୍ନ ପରିକଳ୍ପନା, ଏଥିରେ ‘ଜୀବ’ର କୌଣସି ମହତ୍ତ୍ବ ନାହିଁ, ଯେତେବେଳେ କି ମଣିଷର ଧରାନିବାସ ଉଭୟ ବିଭେଦମୟ ଓ ସ˚ଘର୍ଷମୟ ଏକ ବିଶ୍ବର ନିର୍ମାଣ ସହିତ ନିଜ ଜାନ୍ତବ କ୍ଷୁଧାର ଖେଳଘର ଏକ ଭୂମଣ୍ତଳକୁ ମଧ୍ୟ ନିଜ ଭୟଙ୍କରତାରେ କଳୁଷିତ କରିଚି। କଥାକୁ ଆହୁରି ସହଜରେ ବୋଧହୁଏ ଏହିଭଳି କହିହେବ ଯେ ପୃଥିବୀର ଗ୍ରହ ସ୍ଥିତି ଅନ୍ତରୀକ୍ଷର ନିୟମରେ ବା କହିପାରନ୍ତି ଅସ˚ଖ୍ୟ ଜ୍ୟୋତିଷ୍କଙ୍କ ଗହଣରେ ନିର୍ଦ୍ଧାରିତ ହେଉ, ତାକୁ ନେଇ ମଣିଷର ଚିନ୍ତା ବେଶୀ ଦୂର ଯାଇପାରିବ ନାହିଁ। କିନ୍ତୁ ବିଶ୍ବ ମାନବ ସମାଜର ବିଶାଳତା ଓ ମାନବୀୟ ସମ୍ବେଦନାକୁ ନଷ୍ଟ କରି ଯେଉଁମାନେ ତାଙ୍କର ନିବାସ ସ୍ଥଳକୁ ରାଜନୈତିକ ବିଶ୍ବରେ ପରିଣତ କରିଚନ୍ତି, ସେମାନେ ଚେତିବା ଦରକାର।
ସେହିପରି ଯେଉଁମାନେ ଶିଳ୍ପ ସଭ୍ୟତାର ସ୍ଥାପନା ଓ ବିକାଶ ପାଇଁ ଭୂମଣ୍ତଳର ପ୍ରକୃତି ଓ ପରିବେଶକୁ କଳୁଷିତ କରି କରି ଏବେ ସମ୍ପୂର୍ଣ୍ଣ ଅସାର ଓ ନିର୍ବେଦ କରିବା ମାର୍ଗରେ ଅଛନ୍ତି, ସେମାନେ ମଧ୍ୟ ଚେତି ଯାଆନ୍ତୁ। କିନ୍ତୁ ମଣିଷକୁ ଚେତେଇବ କିଏ? ପୁଞ୍ଜିବାଦ ଓ ସମାଜବାଦ ଶ୍ରମ ଓ ସ˚ପଦର ବିଜ୍ଞାନ, କେବଳ ଗୋଟିଏ ଲେଖାଁ ପ୍ରାୟୋଗିକ ବିଚାରଧାରା। ସେ ବାଦ ଦୁଇଟି ନ ଥିଲା ବେଳେ ମଧ୍ୟ ସେ ଚିନ୍ତାଧାରା ମଣିଷର ବ୍ୟବହାରରେ ଥିଲା। ତାକୁ ତତ୍ତ୍ବାୟିତ କରି ବ୍ୟାଧିରେ ପରିଣତ କଲା ଶିଳ୍ପ ବିପ୍ଳବ ତା’ ସହିତ ପ୍ରକୃତି ଉଲ୍ଲଙ୍ଘନର ବିବିଧ କ୍ରୂର ଅଭିଯାନ। ଯଦି ପୃଥିବୀର ସବୁ ମଣିଷ ଭାବନ୍ତେ ଯେ ଆମେ ସମସ୍ତେ ଗୋଟିଏ ଗ୍ରହର ନିବାସୀ ଓ ଆମେ ଆମ ଗ୍ରହକୁ ରକ୍ଷା କରିବା ଓ ସେ ଗ୍ରହର ପ୍ରକୃତି ଉପୁଜାଇଥିବା ସ˚ପଦ ମିଳିମିଶି ଭାଗବାଣ୍ଟି ଭୋଗ କରିବା, ତେବେ ଓ ତା’ ଠାରୁ ବଡ଼ ସମାଜବାଦ ନାହିଁ। କିନ୍ତୁ ନା, ତାହା ସମ୍ଭବ ନୁହେଁ, ଯେ ପର୍ଯ୍ୟନ୍ତ ଗ୍ରହ, ବିଶ୍ବ ଓ ଭୂମଣ୍ତଳ ମଣିଷ ସହିତ ସିଧାସଳଖ ସ˚ପୃକ୍ତ ହୋଇନାହାନ୍ତି।
ମୋର ହଠାତ୍ ମନେ ହେଉଛି ଯେମିତି ମୁଁ ଗୋଟିଏ ନୂଆ ସ˚ଜ୍ଞା ପାଇଯାଇଚି। ସେ ସ˚ଜ୍ଞାଟି ହେଲା ଏଇ ଯେ ‘ଯେଉଁ ସା˚ସ୍କୃତିକ ସମୀକରଣ ଦ୍ବାରା ଗ୍ରହ, ବିଶ୍ବ ଓ ଭୂମଣ୍ତଳ ଏକତ୍ର ମଣିଷର ପୃଥିବୀ ନିର୍ମାଣ କରନ୍ତି ତାହାର ନାମ ସଭ୍ୟତା’। ଏଇ ସଭ୍ୟତା କଥାଟାକୁ ପାଶ୍ଚାତ୍ୟ ଚିନ୍ତକମାନେ ଧରିବାକୁ ପ୍ରସ୍ତୁତ ନୁହନ୍ତି। ଏମିତି କି ଗାୟତ୍ରୀ ଓ ଦୀପେଶଙ୍କ ଭଳି ବିଚକ୍ଷଣ ବିଦ୍ବାନମାନେ ତାଙ୍କର ‘ପ୍ଲାନେଟାରିଟି’ ଓ ‘ଆନ୍ଥ୍ରୋପୋସିନ୍’ ଚିନ୍ତନରେ ତତ୍ତ୍ବକୁ ରଖିବା ପାଇଁ ଠାବ ଖୋଜି ଚାଲିଚନ୍ତି। ତେଣୁ ଦୁଇଟି ଯାକ ଥିଓରି ଏବେ ସ˚କେତ ଅଭାବରୁ ଧରାତଳରେ ଅବତରଣ କରିପାରୁନାହାନ୍ତି।
ଏବେ ଦେଖନ୍ତୁ ଭାରତୀୟଙ୍କ ସଭ୍ୟତାକୁ। ଏ ସଭ୍ୟତାରେ ବ୍ରହ୍ମାଣ୍ତର ବା ସୌରମଣ୍ତଳର ଗ୍ରହ ଗଣ ମଣିଷର ଭାଗ୍ୟ ନିର୍ଦ୍ଧାରଣ କରନ୍ତି। ସତରେ ମଣିଷର ଭାଗ୍ୟ, ଜ୍ୟୋତିଷ୍କଙ୍କ ଦ୍ବାରା କିଭଳି ଓ କେତେ ପରିମାଣରେ ନିର୍ଦ୍ଧାରିତ ହୁଏ, ମୁଁ କହିପାରିବି ନାହିଁ, କାହାରି ପାଖରେ ତା’ର ଅଭ୍ରାନ୍ତ ସିଦ୍ଧାନ୍ତ ମଧ୍ୟ ନ ଥାଇପାରେ। କିନ୍ତୁ ଏ କଥା ଅସ୍ବୀକାର କରିହେବ ନାହିଁ ଯେ କେବଳ ଭାରତୀୟ ସଭ୍ୟତାରେ ମଣିଷର ଜୀବନ ଏକ ରହସ୍ୟମୟ ସୂତ୍ରରେ ବ୍ରହ୍ମାଣ୍ତ ସହିତ ସ˚ପୃକ୍ତ ହୋଇ ଯାଇଚି। ଏ ଧାରଣାକୁ ଆହୁରି ଅଧିକ ଲୋକମୁଖୀ, ମନୋଜ୍ଞ ଓ କଳ୍ପନାପ୍ରବଣ କରିଚି ପୌରାଣିକ ସୃଷ୍ଟି ତତ୍ତ୍ବ ଓ ଜ୍ୟୋତିଷ୍କମାନଙ୍କର ଦେବତ୍ବ। ମୋଟ ଉପରେ ମଣିଷ ଯେ ଏକାଧାରରେ ଗୋଟିଏ ଗ୍ରହର ଅଧିବାସୀ, ଏ ସା˚ସ୍କୃତିକ ବିଶ୍ବର ଅଧିବାସୀ ଓ ଏକ ଭୂମଣ୍ତଳର ହିତାଧିକାରୀ; ଏ ତତ୍ତ୍ବ କେବଳ ଭାରତୀୟ ସଭ୍ୟଠାରେ ହିଁ ପରିକଳ୍ପିତ ଓ ଶାସ୍ତ୍ରାୟିତ। ଏ ଶାସ୍ତ୍ରମାନଙ୍କୁ ଧିକ୍କାର କରି କରି, ଉପହାସ କରି କରି ଆମେ ଯେଉଁ ଯାନ୍ତ୍ରିକ କାର୍ଯ୍ୟ-କାରଣର ବସ୍ତୁ ତତ୍ତ୍ବ ଆଡ଼କୁ ଆକର୍ଷିତ ହୋଇ ଚାଲିଚେ ଓ ଆତ୍ମାକୁ ନ ବଦଳାଇ ଆଙ୍ଗିକ ବଦଳାଇ ଆଧୁନିକ ହେବାର ଆସ୍ପର୍ଦ୍ଧା କରୁେଚ, ତା’ର ଦୁର୍ବଳତା ଓ ତୁଳନାତ୍ମକ ତୁଚ୍ଛତା ଧୀରେ ଧୀରେ ଦିଶିବା ଆରମ୍ଭ ହେଲାଣି।
ଏବେ ଏହି ‘ଆନ୍ଥ୍ରୋପୋସିନ୍’ ଅର୍ଥାତ୍ ମାନବ ଅଧ୍ୟୁଷିତ ଓ ମାନବ ଦ୍ବାରା ଆକ୍ରାନ୍ତ ପୃଥିବୀ କଥାଟାକୁ ଧରନ୍ତୁ। ଏ ଗୋଟେ ନୂଆ କଥା। ଆମେ କେବେ ନିଜକୁ ବ୍ରହ୍ମାଣ୍ତ ବା ସୌରମଣ୍ତଳରୁ ଅଲଗା କରି ପୃଥିବୀରେ ରହିବା କଥା ଭାବିନେ। ଆମେ ସୂର୍ଯ୍ୟକୁ ପ୍ରଣାମ କରୁ, ଜଳ ଦାନ କରୁ, ତର୍ପଣ କରୁଁ। ଆମର ବୈଦିକ ଉଦ୍ଗାତାଗଣ ପଞ୍ଚଭୂତଙ୍କ ସହିତ ପ୍ରାକୃତିକ କ୍ରିୟାମାନଙ୍କର ବି ବନ୍ଦନା କରନ୍ତି। କହି ପାରନ୍ତି ଆମର ସ୍ବର୍ଗ, ମର୍ତ୍ତ୍ୟ ଓ ପାତାଳର ପରିକଳ୍ପନା କ୍ଷୁଦ୍ର ମଣିଷକୁ ବିଶାଳ କାଳ ଓ ଅନ୍ତରୀକ୍ଷରେ ଅତି ସୁନ୍ଦର ଭାବେ ସ୍ଥାପିତ କରି ରହସ୍ୟକୁ ହିଁ ଜୀବନର ମନ୍ତ୍ର ଭାବରେ ହସ୍ତାନ୍ତରିତ କରିଚି। ‘ଆନ୍ଥ୍ରୋପୋସିନ୍’ ବା ମଣିଷର ପୃଥିବୀ ଆଗରୁ ଯେଉଁ ଗ୍ରହର ଶୀତଳୀକରଣ ପ୍ରକ୍ରିୟା ଚାଲିଥିବା କଥା ପାଶ୍ଚାତ୍ୟ ବୈଜ୍ଞାନିକମାନେ କହୁଚନ୍ତି, ତାକୁ ଆମ ଶାସ୍ତ୍ରରେ ପୌନଃପୁନିକ ପ୍ରଳୟ ଓ ନୂଆ ସ˚ସାରର ଉଦ୍ଗମ ଭାବରେ ବିକାଶ କରାଯାଇଚି। କ୍ଷତି କ’ଣ? ପୃଥିବୀ ‘ବିଗ୍-ବ୍ୟାଙ୍ଗ୍’ରୁ ସୃଷ୍ଟି ହେଲା ଓ ଅସ˚ଖ୍ୟ ଗ୍ରହ ଏକ କୃଷ୍ଣଗର୍ତ୍ତ ଆଡ଼କୁ ଧାବମାନ ବୋଲି ଜାଣିବା ଯାହା ଏ ମଣିଷ ଜୀବନ ଈଶ୍ବରସୃଷ୍ଟ ଓ କାଳଗର୍ଭରେ ଲୀନ ହେବ ଭାବିବା ମଧ୍ୟ ତାହା। ଯାହା ଅାମ ବଞ୍ଚିବାକୁ ଏକ ନିରନ୍ତର ଅର୍ଥବତ୍ତା ପ୍ରଦାନ କରେ ଓ ଆମକୁ ଆଶ୍ବସ୍ତ କରେ ଓ ବିପୁଳ ମଧ୍ୟରେ ଆମର କ୍ଷୁଦ୍ରତାକୁ ସମାହିତ କରେ ତାହା ବର୍ଜ୍ୟ କାହିଁକି? କଳ୍ପନା ଏକ ବିଜ୍ଞାନ ନୁହେଁ କି? ପ୍ରମାଣସିଦ୍ଧକୁ ଯଦି ବିଜ୍ଞାନ କୁହାଯାଏ, ତା’ହେଲେ ଏ ସ˚ସାରର କେତେ ଭାଗ ପ୍ରମାଣିତ? ବ୍ରହ୍ମାଣ୍ତ ଓ ପୃଥିବୀର ଓ ଜୀବନର କେତେ ରହସ୍ୟ ପରୀକ୍ଷାଗାରରେ ପ୍ରମାଣିତ?
ବିଜ୍ଞାନ ସହିତ ମାନବଶାସ୍ତ୍ର ମିଶି ଏବେ ପୃଥିବୀ ଅଧ୍ୟୟନକୁ ‘ଆର୍ଥ ସାଇନ୍ସ ସିଷ୍ଟମ୍’ ବୋଲି ଗୋଟେ ନୂଆ ନାଁ ମିଳିଚି। ଆମ ସଭ୍ୟତା ତ ମୂଳରୁ ସେଇଆ କହୁଚି ଯେ ସମଗ୍ର ବ୍ରହ୍ମାଣ୍ତ ସହିତ ମଣିଷ, ପୃଥିବୀ ଓ ଭୂମଣ୍ତଳୀୟ ପ୍ରକୃତି ଏକତ୍ର ବିଦ୍ୟମାନ। ୟାକୁ ଅଲଗା କଲା କିଏ? ଅଲଗା କଲେ ସେଇମାନେ ଯେଉଁମାନେ ବିଦ୍ୟାର ବିଭେଦ ନିର୍ମାଣ କଲେ, ଅର୍ଥାତ୍ ଭୂବିଜ୍ଞାନ ଭୂ ବିଷୟରେ, ଗଛ ପତ୍ର ଗୁଳ୍ମ ସବୁ ଉଦ୍ଭିଦ ବିଦ୍ୟାରେ ଜୀବଜନ୍ତୁ ପ୍ରାଣୀ ତତ୍ତ୍ବରେ, ମଣିଷ କଥା ନୃତତ୍ତ୍ବରେ! ସବୁ ଫିଙ୍ଗି ଫୋପାଡ଼ି, ମଣିଷ ଜୀବନକୁ ନାରଖାର କଲା ପରେ ଏବେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଧ୍ବସ୍ତ ଅବଶେଷମାନଙ୍କୁ ଯୋଡ଼ିବାର ପ୍ରୟାସ। ବିପର୍ଯ୍ୟସ୍ତକୁ ପୁଣିଥରେ ‘ସିଷ୍ଟମ୍’ ବା ପ୍ରଣାଳୀକୁ ଆଣିବାର ପ୍ରୟାସ!
ପୃଥିବୀ ବିଜ୍ଞାନ ପ୍ରଣାଳୀ (ଅର୍ଥସାଇନ୍ସ ସିଷ୍ଟମ୍) ବିଶ୍ବରେ ପରିବେଶ ଅସନ୍ତୁଳନ ଓ ବିଷାୟନକୁ ନେଇ ଚିନ୍ତିନ ରାଷ୍ଟ୍ରମାନଙ୍କର ଓ ବୈଜ୍ଞାନିକମାନଙ୍କର ଚିନ୍ତନର ଉପଜ। କିନ୍ତୁ ୟାର ପ୍ରଭାବ ବହୁ ଦୂର ଯିବ ନାହିଁ, ଯଦି ଏଥିରେ ଭାରତୀୟ ସଭ୍ୟତାର ପାଠ ସମ୍ମିଳିତ ନ ହୁଏ। ମଣିଷକୁ ଗ୍ରହ, ବିଶ୍ବ ଓ ଭୂମଣ୍ତଳ ସହିତ ଯୋଡୁଥିବା ପୃଥିବୀ କେବଳ ଭାରତୀୟଙ୍କର କଳ୍ପନାରେ ଥିଲା, ତା’ର ପୁନଃ ସ୍ଥାପନା ଆବଶ୍ୟକ। କିନ୍ତୁ ଏହା କିଭଳି ସମ୍ଭବ ହେବ? ଭାରତ କେମିତି ବିଶ୍ବକୁ ବୁଝେଇବ ଯେ ଦେବତା, ଅସୁର, ଯକ୍ଷ, କିନ୍ନରଙ୍କ ସହିତ ଦିବାରାତ୍ରି ଓ ଗ୍ରହଗ୍ରହାନ୍ତରର ଭାଷ୍ୟ ଓ ମନ୍ତ୍ରରେ ଗୋଟିଏ ସଭ୍ୟତା ଅତିକଳ୍ପନାର ସ˚କେତମାନ ଛାଡ଼ିଯାଇଚି। ହେଇପାରେ ସେଗୁଡ଼ିକ ବୈଜ୍ଞାନିକ ଅବଧାରଣାରେ ଅସିଦ୍ଧ, କିନ୍ତୁ ଭାବି ଦେଖନ୍ତୁ ଆଧୁନିକ ବିଜ୍ଞାନୀ ଜଣେ ପ୍ରାଚୀନ ଏକ ସଭ୍ୟତାର ରହସ୍ୟଲୋକକୁ ପଢ଼ିବାରେ ଓ ବୁଝିବାରେ ଅବୈଜ୍ଞାନିକତା କାହିଁ? ସ୍ବୟ˚ ବୈଜ୍ଞାନିକ ମହାଶୟଙ୍କ ଜୀବନର ବହୁ ରହସ୍ୟର ଠିକଣା ତାଙ୍କ ପାଖରେ ନାହିଁ। ସେ ଜାଣନ୍ତି ଅନ୍ତର୍ମନରେ ତାଙ୍କର ଆସ୍ଥା ଓ କର୍ମ ଭିତରେ ପାର୍ଥକ୍ୟ କେତେ?
ଏ କଥାରେ ଆମେ ସହମତ ଯେ ରାଜନୈତିକ ବିଶ୍ବକୁ ପୃଥିବୀ ଭାବି ଦେଇ ଆମେ ଭୁଲ୍ କରିଚୁ। କିନ୍ତୁ ସେ ଭୁଲ୍ ସୁଧାରିବା କେମିତି? ସବୁ ପାଠରେ ପୃଥିବୀ ଓ ବିଶ୍ବ ପରସ୍ପରର ଏକାତ୍ମବୋଧୀ ଶବ୍ଦ ଭାବରେ ବ୍ୟବହୃତ। କେବଳ ଭାରତୀୟମାନେ ଧରା, ବସୁନ୍ଧରା, ଧରଣୀ, ମେଦିନୀ ଆଦି ପୃଥିବୀର ବିଭିନ୍ନ ସମାର୍ଥବୋଧକ ଶବ୍ଦ ମାଧ୍ୟମରେ ପୃଥିବୀର ବହୁମୁଖୀ ଉପସ୍ଥିତିକୁ ଅର୍ଥ ଦେଇଚନ୍ତି। ଏ କଥା ମାନିବ କିଏ?
ଭାରତ ଏବେ ବିଶ୍ବର ଏକ ନେତୃସ୍ଥାନୀୟ ରାଷ୍ଟ୍ର। ସାମ୍ରାଜ୍ୟବାଦୀ ଓ ପୁଞ୍ଜିବାଦୀଙ୍କ ଦ୍ବାରା ନିର୍ମିତ ରାଜନୈତିକ ବିଶ୍ବର ଧ୍ବ˚ସ ଏତେ ସହଜ ନୁହେଁ। ବର୍ତ୍ତିବାର ବିଭିନ୍ନ ବୌଦ୍ଧିକ ବାଟ ଖୋଲିବା ଭିତରେ ସେମାନେ ପାର୍ଥିବତାର ଏ ମହାପାଠ ଉପସ୍ଥାପିତ କରିସାରିଚନ୍ତି ଯେ ଗ୍ରହ, ବିଶ୍ବ ଓ ଭୂମଣ୍ତଳ ଏଭଳି ତିନିଟି ପୃଥିବୀ ଭିତରୁ ମଣିଷ କେବଳ ବିଶ୍ବ ଓ ଭୂମଣ୍ତଳରେ ନିବାସ କରୁଥିବା ସମୟକୁ ନଷ୍ଟ କରିଚି, କିନ୍ତୁ ଏବେ ଗ୍ରହ ଭାବରେ ତା’ର ସୁରକ୍ଷା ମଣିଷର ଦାୟିତ୍ବ। କିନ୍ତୁ କେମିତି? ପାର୍ଥିବତାର ଏ ମହାପାଠରେ ସଭ୍ୟତାର ପ୍ରତ୍ୟାବର୍ତ୍ତନ ପାଇଁ ବା ପୁନରୁତ୍ଥାନ ପାଇଁ ବୌଦ୍ଧିକ ଆହ୍ବାନ କାହିଁ? କାହିଁ ସେ ଗ୍ୟାରେଣ୍ଟି ଯେ ଅବଦାନ ଓ ପୁଞ୍ଜିର ରାଜନୀତି କେବେ ଦିନେ ଶେଷ ହେବ?
ମୋ: ୯୪୩୭୦୩୯୮୫୮