ସିଦ୍ଧାର୍ଥର ଶେଷକୁ ଗୋଟାଏ ଅବସୋସ ରହିଗଲା ଯେ ତା’ ବାପାମା’ଙ୍କ ପାଖରେ ସେ ନିଜକୁ ଉତ୍ତମ ସନ୍ତାନ ଭାବେ ପ୍ରମାଣିତ କରିପାରିଲା ନାହିଁ। ସେ ତ ଦୁଷ୍ଟ ସ୍ବଭାବର ବା ମଦ୍ୟପ କି ଲମ୍ପଟ ଅଥବା ପାଠଶାଠ ନ ପଢ଼ି ବୁଲୁଥିବା ପଥଭ୍ରଷ୍ଟ କି ଉଦ୍ଭ୍ରାନ୍ତ ନ ଥିଲା! ସେ ତ ଭାଇ-ଭାଇ ଝଗଡ଼ାରେ ନ ଥିଲା କି ପୈତୃକ ସମ୍ପତ୍ତିରୁ ଭାଗ ମାଗୁ ନ ଥିଲା। ତଥାପି କାହିଁକି କେଜାଣି ସେ ତା’ ବାପାମା’ଙ୍କ ନିକଟରେ ସେମାନଙ୍କର ଶେଷ ଦିନ ଯାଏ ଅବୋଧ୍ୟ ହୋଇ ରହିଗଲା? ସେହି ଭାବନାକୁ ସେ କାହାକୁ କହି ପାରି ନ ଥିଲା। ଶେଷରେ ସେ ତା’ର ପ୍ରଥମ ଗଳ୍ପ ସଂକଳନକୁ ତା’ ବାପାମା’ଙ୍କୁ ଉତ୍ସର୍ଗ କରିବା ସହିତ ଏହି ଭାବନାର ଆଭାସ ଦେଇ ଲେଖିଥିଲା - ‘ବାପାମା’ଙ୍କ ଉଦ୍ଦେଶ୍ୟରେ- ଯାହାଙ୍କ ପାଇଁ ମୁଁ ଆଜି ବି ଅବାଧ୍ୟ, ଅବୋଧ୍ୟ ଓ ଦୁର୍ବୋଧ୍ୟ।’ କିନ୍ତୁ ସେହି ଭାବନାକୁ ସତରେ ସେ ଠିକଣା ଜାଗାରେ ପହଞ୍ଚାଇ ପାରିଥିଲା କି? ନା ସେ ଅଧିକ ଭୁଲ୍ ବୁଝାମଣାର ଶିକାର ହୋଇଥିଲା?
ସିଦ୍ଧାର୍ଥ ତ ପ୍ରଥମରୁ ଏମିତି ହିଁ ଥିଲା। ସେ କାହା ମନଲାଖି କଥା କହି ପାରିଲା ନାହିଁ କି କାମ କରି ପାରିଲା ନାହିଁ। ସେ ସବୁବେଳେ ସତ କହିବାକୁ ଭଲ ପାଇଲା- ବେଳେ ବେଳେ ଅପ୍ରିୟ ସତ୍ୟ ମଧ୍ୟ! କିନ୍ତୁ ତାହା ଶୁଣିବାକୁ କିଏ ବା ଚାହେଁ? କିନ୍ତୁ ସେ ନିଜର ଚିନ୍ତାଧାରାକୁ ବଦଳାଇ ପାରିଲା ନାହିଁ। ଛଳନା କିମ୍ବା ଅଭିନୟ କରି ପାରିଲା ନାହିଁ। ସେ ଅନେକ ସମୟରେ ଭାବେ- ଚେଷ୍ଟା କରି କ’ଣ ନିଜକୁ ବଦଳାଇ ପାରିବି? ମୁଁ ତ ସେଇମିତି ଗଢ଼ା! ସେହି ଦୃଷ୍ଟିରୁ ସେ ଥିଲା ପରିବାରର ଅନ୍ୟମାନଙ୍କ ଠାରୁ ଭିନ୍ନ। ଜଣେ ଅବାଧ୍ୟ ଓ ଅନେକ ସମୟରେ ଅବୋଧ୍ୟ ମଣିଷ ମଧ୍ୟ!
ସିଦ୍ଧାର୍ଥ ଭଲ ପଢୁଥିଲା। ବିଶ୍ୱବିଦ୍ୟାଳୟରୁ ପଢ଼ା ଶେଷ କରିବା ପରେ ସରକାରୀ ଚାକିରି ବି ପାଇଲା। କିନ୍ତୁ ସେ ତା’ ନିଜ ଢ଼ୋଲ ନିଜେ ବଜେଇ ଜାଣି ନ ଥିଲା। ଅନ୍ୟମାନଙ୍କ ଭଳି ସେ ଚାକିରିଟିଏ କରୁକରୁ ଭୁବନେଶ୍ୱରରେ ଜାଗା କିମ୍ବା ଫ୍ଲାଟ୍ଟେ କିଣି ନ ଥିଲା। ପ୍ରତି ତିନି-ଚାରି ବର୍ଷରେ ଥରେ ମଟର ଗାଡ଼ି ବଦଳେଇବାକୁ ଆଭିଜାତ୍ୟର ଲକ୍ଷଣ ବୋଲି ଭାବୁ ନ ଥିଲା। ଗୋଟାଏ ସ୍କୁଟରରେ ଅର୍ଦ୍ଧାଧିକ ଜୀବନ କାଟି ଦେବାକୁ ବସିଥିଲା। ବାହାଘରରେ ରୋଷଣିର ଫୁଲ ଝରି କି ବ୍ୟାଣ୍ଡ ବାଜାର କୋଳାହଳ ନ ଥିଲା। କୌଣସି ଯୌତୁକ ନ ଆଣି ଓ ବିନା ଉପହାରରେ ସେ ବିବାହ କରିବ ବୋଲି କହୁଥିଲା ଏବଂ ସେଭଳି କରିଥିଲା ମଧ୍ୟ। ଦପ୍ତରରେ ସେ ଜଣେ ସଚ୍ଚୋଟ କର୍ମଚାରୀ ଭାବେ ଚିହ୍ନା, ତେଣୁ ସମସ୍ତଙ୍କ ଚକ୍ଷୁଶୂଳ! କିନ୍ତୁ ଏହି ସବୁ ଗୁଣ ଲାଗି ସିଦ୍ଧାର୍ଥକୁ କମ୍ ଶୁଣିବାକୁ ପଡ଼ିନାହିଁ।
ବନ୍ଧୁମାନଙ୍କ ଠାରୁ ଆରମ୍ଭ କରି ପରିବାରର ସଦସ୍ୟମାନଙ୍କ ପର୍ଯ୍ୟନ୍ତ ସମସ୍ତେ ତା’ର ଚିନ୍ତାଧାରାକୁ ବଦଳାଇବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ଫଳ ମିଳିନାହିଁ। ବରଂ ଏହାର ପରିଣାମ ସ୍ବରୂପ ତା’ ଲାଗି ଏଭଳି ଅପ୍ରୀତିକର ବିଶେଷଣମାନ ତିଆରି ହୋଇଯାଇଛନ୍ତି; ଯେମିତି କି ଜିଦିଆ, ଯୁକ୍ତିଖୋର, ଅସନ୍ତୁଷ୍ଟ, ଟିଙ୍ଗା, ଗଣ୍ଡଗୋଳିଆ ଏପରିକି ଅପଦାର୍ଥ। ତେଣୁ, ବାପାମା’ଙ୍କ ଦୁଃଖ ରହିଗଲା ସେମାନେ ତା’ ଠାରୁ ଯାହା ଆଶା କରିଥିଲେ, ସିଦ୍ଧାର୍ଥ ତାହା ପୂରଣ କଲା ନାହିଁ!
ସିଦ୍ଧାର୍ଥ ବେଳେ ବେଳେ ଭାବେ ସେ ତ ସବୁ ଭଲ କାମ ବା କଥାଗୁଡ଼ିକୁ ହିଁ ନିଜ ଜୀବନରେ କରିବା ଲାଗି ବା ଅନୁସରଣ କରିବା ପାଇଁ ଚେଷ୍ଟା କରିଛି! ଏ ସବୁ ତ ଶାସ୍ତ୍ର ଏବଂ ବିବେକ ଅନୁମୋଦିତ ସତ୍ କର୍ମ ଏବଂ ସତ୍ ଚିନ୍ତାରେ ଗଣା! ତଥାପି ସେ କାହିଁକି କାହା ଦ୍ବାରା ଗ୍ରହଣୀୟ ହୋଇପାରିଲା ନାହିଁ? କେବଳ ବାପାମା’ ନୁହନ୍ତି, ତା’ ପତ୍ନୀ ବା ପିଲାମାନେ ଅଥବା ବନ୍ଧୁପରିଜନ କେହି ତାକୁ ବୁଝି ପାରିଲେ ନାହିଁ କେମିତି? ସେ କାହିଁକି ଜଣେ ଅଯୋଗ୍ୟ ପୁରୁଷ ହୋଇ ରହିଗଲା? ଆଜି ତା’ ବାପାମା’ଙ୍କ ଅବର୍ତ୍ତମାନରେ ସିଦ୍ଧାର୍ଥ କେବେ କେମିତି ଏକୁଟିଆ ଥିବା ବେଳେ ଭାବେ- ତା’ର ଜୀବନ ଦର୍ଶନ ବା ଆଦର୍ଶ କ’ଣ ଭୁଲ୍? ହେଲେ ଉତ୍ତର ପାଏ ନାହିଁ!
ମୋ: ୯୪୩୮୧ ୪୯୭୬୧