ଆଉ ଏକ ଘଟଣାବହୁଳ ବର୍ଷ ଶେଷ ହେବାକୁ ଯାଉଥିବା ବେଳେ ଦାରିଦ୍ର୍ୟ, ଲିଙ୍ଗ ପାର୍ଥକ୍ୟ, କ୍ଷୁଧା ଆଦି କେତେକ ଗୁରୁତ୍ବପୂର୍ଣ୍ଣ ମାନକ ସନ୍ଦର୍ଭରେ ଭାରତର ସ୍ଥିତି ଉପରେ ଦୃଷ୍ଟି ନିକ୍ଷେପ କରିବା। ‘ଵାର୍ଲଡ୍ ଇକୋନୋମିକ ଫୋରମ୍’ ଦ୍ବାରା ପ୍ରକାଶିତ ବିଶ୍ବ ଲିଙ୍ଗ ପାର୍ଥକ୍ୟ ସୂଚକାଙ୍କରେ ୧୪୬ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ଥିଲା ୧୩୫ତମ, ଯାହା ପୂର୍ବ ବର୍ଷ ତୁଳନାରେ ପାଞ୍ଚିଟି ପାହାଚର ଉନ୍ନତି ଦେଖିଛି। ସେହିପରି ବିଶ୍ବ କ୍ଷୁଧା ସୂଚକାଙ୍କରେ ୧୨୧ ଦେଶର ମଧ୍ୟରୁ ଭାରତ ୧୦୭ତମ ସ୍ଥାନକୁ ଖସିଆସିଥିଲା। ପୂର୍ବ ବର୍ଷ ଉକ୍ତ ସୂଚକାଙ୍କରେ ଭାରତର ସ୍ଥାନ ଥିଲା ୧୦୧ତମ। ୨୦୦୫-୦୬ ଓ ୨୦୧୯-୨୧ ମଧ୍ୟରେ ଭାରତରେ ୪୧.୫ କୋଟି ଲୋକ ଦାରିଦ୍ର୍ୟ ରେଖାରୁ ଊର୍ଦ୍ଧ୍ବକୁ ଉଠିଛନ୍ତି ବୋଲି ବିଶ୍ବ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କରୁ ସ୍ପଷ୍ଟ ହୋଇଛି।
ଏହି ସମୟଖଣ୍ଡ ମଧ୍ୟରେ ଦେଶରେ ଦାରିଦ୍ର୍ୟ ହାର ୫୫%ରୁ ୧୬%କୁ ଖସିଆସିଛି। ଏହା ସତ୍ତ୍ବେ ୨୦୨୦ ମସିହାରେ ପୃଥିବୀର ସର୍ବାଧିକ ସଂଖ୍ୟକ (୨୨.୯ କୋଟି) ଦରିଦ୍ର ଲୋକ ଭାରତରେ ରହୁଥିବା ବିଷୟ ଏହି ରିପୋର୍ଟରୁ ଜଣାପଡ଼ିଥିଲା। ‘ରିପୋର୍ଟର୍ସ ଉଇଦ୍ଆଉଟ୍ ବୋର୍ଡର୍ସ’ ସଂସ୍ଥା ଦ୍ବାରା ପ୍ରକାଶିତ ବିଶ୍ବ ପ୍ରେସ୍ ସ୍ବାଧୀନତା ସୂଚକାଙ୍କରେ ଭାରତ ୧୮୦ ଦେଶ ମଧ୍ୟରୁ ୧୫୦ତମ ସ୍ଥାନରେ ରହିଥିଲା। ଏହି ବିବାଦୀୟ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ ଗଣମାଧ୍ୟମ ଲାଗି ଭାରତ ହେଉଛି ପୃଥିବୀର ଅନ୍ୟତମ ବିପଜ୍ଜନକ ଦେଶ। ନାଗରିକଙ୍କ ଖୁସି ଦୃଷ୍ଟିରୁ ଭାରତର ସ୍ଥିତି ପୂର୍ବ ବର୍ଷ ତୁଳନାରେ ସାମାନ୍ୟ ଉନ୍ନତ ହୋଇଛି। ତଥାପି ବିଶ୍ବ ସୁଖୀ ସୂଚକାଙ୍କରେ ଭାରତ ୧୩୬ତମ ସ୍ଥାନ ଅଧିକାର କରିଛି। କେବଳ ତାଲିବାନ ଶାସିତ ଆଫଗାନିସ୍ତାନକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଦକ୍ଷିଣ-ଏସୀୟ ଦେଶ ଏହି ସୂଚକାଙ୍କରେ ଭାରତ ଠାରୁ ଆଗରେ ଅଛନ୍ତି।
ତେବେ ସୂଚକାଙ୍କ ତାଲିକାଗୁଡ଼ିକରେ ଭାରତର ସ୍ଥାନକୁ ନେଇ ବିବାଦ ମଧ୍ୟ ଉଠିଛି। ଅନେକଙ୍କ ଦ୍ବାରା ଏହା ଗ୍ରହଣୀୟ ହୋଇ ପାରିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/darpan.jpg)