ଏନ୍ଡିଏ ସରକାର ୨୦୧୪ରେ କ୍ଷମତାସୀନ ହେବା ପର ଠାରୁ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ସରକାରଙ୍କ ତରଫରୁ ବିଭିନ୍ନ ସମୟରେ ଅନେକ ପ୍ରତିଶ୍ରୁତି ପ୍ରଦାନ କରା ହୋଇଆସିଛି। ତନ୍ମଧ୍ୟରୁ ଅଧିକାଂଶ ୨୦୨୨ ସୁଦ୍ଧା ପୂରଣ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏଡା ପଛରେ ଥିବା ମୁଖ୍ୟ କାରଣ ହେଉଛି ଏହି ବର୍ଷ ସ୍ୱାଧୀନତା ପ୍ରାପ୍ତିର ୭୫ତମ ବର୍ଷ। କେବଳ ସେତିକି ନୁହେଁ, ଅଗଷ୍ଟ ୧୫, ୨୦୨୨ ସୁଦ୍ଧା ଯେଉଁ ସବୁ ଲକ୍ଷ୍ୟ ହାସଲ କରାଯିବା ପାଇଁ ସ୍ଥିର ହୋଇଥିଲା, ସେଗୁଡ଼ିକୁ ‘ନିତି (NITI) ଆୟୋଗ’ ଦ୍ୱାରା ‘ଷ୍ଟ୍ରାଟେଜି ଫର୍ ନିଉ ଇଣ୍ଡିଆ@୭୫’ ନାମକ ଏକ ପୁସ୍ତକରେ ସନ୍ନିବେଶିତ କରାଯାଇଥିଲା। ତେବେ ୨୦୨୨ର ପରିସମାପ୍ତି ପରେ ବି ଅନେକ ପ୍ରତିଶ୍ରୁତି ପୂରଣ ହୋଇ ନାହିଁ। ତହିଁରୁ କିଛି ପ୍ରମୁଖ ପ୍ରତିଶ୍ରୁତିର ବାସ୍ତବ ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଉ।
୨୦୨୨ ସୁଦ୍ଧା ଦେଶରେ ଚାଷୀଙ୍କ ଆୟ ଦୁଇ ଗୁଣ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ୨୦୧୬ ମସିହାରେ କରିଥିବା ଘୋଷଣା କୃଷକଙ୍କ ମଧ୍ୟରେ ସବୁଠାରୁ ଅଧିକ ଆଶା ଉଦ୍ରେକ କରିଥିଲା। ୨୦୧୫-୧୬କୁ ଆଧାର ବର୍ଷ ଭାବେ ଗ୍ରହଣ କରି ଚାଷୀ ପରିବାରଙ୍କ ଆୟ ୨୦୨୨ ସୁଦ୍ଧା ବାର୍ଷିକ ୨,୧୯,୭୨୪ ଟଙ୍କା (ମାସିକ ପ୍ରାୟ ୧୮,୩୦୦ ଟଙ୍କା)ରେ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଥିଲା। ବର୍ଷ ଶେଷରେ ଚାଷୀଙ୍କ ଆୟ ପ୍ରକୃତରେ କେତେ ଟଙ୍କାରେ ପହଞ୍ଚିଲା, ତାହା ତ ସର୍ଭେ ହେଲା ପରେ ଜଣାପଡ଼ିବ, ତେବେ ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥା (ଏନ୍ଏସ୍ଏସ୍ଓ) ଦ୍ୱାରା ସେପ୍ଟେମ୍ୱର ୨୦୨୧ରେ ପ୍ରକାଶିତ ‘ସିଚୁଏସନ୍ ଆସେସ୍ମେଣ୍ଟ ଅଫ୍ ଆଗ୍ରିକଲ୍ଚରାଲ ହାଉସ୍ହୋଲ୍ଡ’ (ସାସ) ରିପୋର୍ଟ ଅନୁଯାୟୀ ଦେଶରେ ୨୦୧୮-୧୯ ସୁଦ୍ଧା କୃଷକ ପରିବାରଗୁଡ଼ିକର ହାରାହାରି ମାସିକ ଆୟ ମାତ୍ର ୧୦,୨୧୮ ଟଙ୍କା ହୋଇଥିଲା। ସୁତରାଂ, ୨୦୨୨ ମସିହା କଥା ଦୂରେ ଥାଉ, ନିକଟ ଭବିଷ୍ୟତରେ ମଧ୍ୟ ଚାଷୀଙ୍କ ଆୟ ଦୁଇ ଗୁଣ ହେବାର ସମ୍ଭାବନା କ୍ଷୀଣ। ଫସଲ କଟା ହେବା ପରେ ଜମିରେ ରହି ଯାଉଥିବା ଫସଲର ଅବଶିଷ୍ଟାଂଶ ବା ରୁଢ଼କୁ ଆଉ ଜଳାଇବାକୁ ଦିଆଯିବ ନାହିଁ ବୋଲି କୁହାଯାଇଥିଲା। ହେଲେ ପଞ୍ଜାବ, ହରିଆଣା ଓ ଅନ୍ୟାନ୍ୟ ରାଜ୍ୟରେ ଫସଲର ଅବଶିଷ୍ଟାଂଶକୁ ଜମିରେ ଜାଳିବାର ପ୍ରଥା ଏବେ ବି ଚାଲୁ ରହିଛି, ଯାହା ଦିଲ୍ଲୀର ବାୟୁର ମାନକୁ ବିପଜ୍ଜନକ ସ୍ତରକୁ ଖସାଇ ଆଣୁଛି। ଉଲ୍ଲେଖଯୋଗ୍ୟ ଯେ ଦେଶରେ ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ)କୁ ୫୦ ମଧ୍ୟରେ ସୀମିତ ରଖା ଯିବାର ଲକ୍ଷ୍ୟ ଥିଲା ବେଳେ ତାହା ଏବେ ୧୨୬ ରହିଛି।
୨୦୨୨ ସୁଦ୍ଧା ପ୍ରତି ଭାରତୀୟଙ୍କୁ ଶୌଚାଳୟ ସୁବିଧା ଥିବା ଘର ଯୋଗାଇ ଦିଆଯିବ ବୋଲି ଲକ୍ଷ୍ୟ ରଖାଯାଇଥିଲା। ଏଥିପାଇଁ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ସହରାଞ୍ଚଳ’ ଓ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଗ୍ରାମାଞ୍ଚଳ’ ନାମକ ଦୁଇଟି ଯୋଜନା କାର୍ଯ୍ୟ କରୁଛି। କିନ୍ତୁ ସହରାଞ୍ଚଳ ଯୋଜନାରେ ୧.୧୨ କୋଟି ଘରର ଚାହିଦା ଥିବା ଦର୍ଶାଇ ୧.୨୩ କୋଟି ଘରର ନିର୍ମାଣ ପାଇଁ ମଞ୍ଜୁରି ପ୍ରଦାନ କରା ଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ମାତ୍ର ୬୫.୫୦ ଲକ୍ଷ ଘରର ନିର୍ମାଣ ଶେଷ ହୋଇ ପାରିଛି। ସେହିପରି ଗ୍ରାମାଞ୍ଚଳ ଯୋଜନାରେ ଦେଶରେ ୨.୯୫ କୋଟି ପକ୍କା ଘର ନିର୍ମାଣର ଲକ୍ଷ୍ୟ ଆଧାରରେ ୨.୪୯ କୋଟି ଘର ନିର୍ମାଣ ପାଇଁ ମଞ୍ଜୁରି ପ୍ରଦାନ କରାଯାଇ ୨.୧୦ କୋଟି ଘରର ନିର୍ମାଣ ଶେଷ ହୋଇଥିବାରୁ ଯୋଜନାର ଅବଧିକୁ ମାର୍ଚ୍ଚ ୨୦୨୪ ଯାଏଁ ଘୁଞ୍ଚାଇ ଦିଆଯାଇଛି। ସେମିତି ସମସ୍ତଙ୍କ ଲାଗି ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଣର ଲକ୍ଷ୍ୟ ଥିଲା। ଦେଶର ଶତ ପ୍ରତିଶତ ଗାଁକୁ ବିଦ୍ୟୁତ୍ ସଂଯୋଗ ଯୋଗାଇ ଦିଆଯାଇଛି ବୋଲି ୨୦୧୮ରେ ଘୋଷଣା ମଧ୍ୟ କରାଯାଇଥିଲା। ତେବେ ନିକଟରେ ଖୋଦ୍ ରାଷ୍ଟ୍ରପତି ମାନ୍ୟବର ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଜିଲ୍ଲାସ୍ଥିତ ଉପରବେଡ଼ା ଗାଁର ଡୁଙ୍ଗୁରି ସାହିରେ କୌଣସି ବିଦ୍ୟୁତ୍ ସଂଯୋଗ ନ ଥିବା ଖବର ଜଣା ପଡ଼ିବା ପରେ ଗ୍ରାମାଞ୍ଚଳରେ ବିଦ୍ୟୁତ୍କରଣର ବାସ୍ତବ ସ୍ଥିତି ସନ୍ଦେହାସ୍ପଦ ହୋଇଛି। ଏ ଯାଏଁ ସବୁ ରାଜସ୍ୱ ଗାଁର ସବୁ ପଡ଼ାକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇ ନ ଥିବାରୁ ସମସ୍ତଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଣ ଲକ୍ଷ୍ୟ ହାସଲର ପ୍ରଶ୍ନ ଉଠୁଛି ବା କେଉଁଠି? ସେହିପରି ପ୍ରତି ଘରକୁ ପାଇପ ଜଳ ଯୋଗାଇ ଦେବାର ଲକ୍ଷ୍ୟ ନେଇ ‘ଜଳ ଜୀବନ ମିସନ’ କାର୍ଯ୍ୟ କରୁଥିଲେ ମଧ୍ୟ ଏ ଯାଏଁ ମାତ୍ର ୫୬ ପ୍ରତିଶତ ଘରକୁ ପାଇପ ଜଳ ଯୋଗାଇ ଦିଆଯାଇ ପାରିଥିବାରୁ ଲକ୍ଷ୍ୟ ହାସଲ ପାଇଁ ଧାର୍ଯ୍ୟ ସମୟ ସୀମାକୁ ୨୦୨୪ ଯାଏଁ ଘୁଞ୍ଚାଇ ଦିଆଯାଇଛି।
ଦେଶର ପ୍ରଥମ ବୁଲେଟ୍ ଟ୍ରେନ ୨୦୨୨ରେ ମୁମ୍ୱାଇ-ଅହମଦାବାଦ ମଧ୍ୟରେ ଚଳାଚଳ କରିବ ବୋଲି ଘୋଷଣା କରାଯାଇଥିଲା। ବୁଲେଟ୍ ଟ୍ରେନ ଚାଲିବା ତ ଦୂରର କଥା ପ୍ରକଳ୍ପ ପାଇଁ ମହାରାଷ୍ଟ୍ରରେ ଏ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ କାର୍ଯ୍ୟ ମଧ୍ୟ ଶେଷ ହୋଇ ନାହିଁ। ତେଣୁ ପ୍ରସ୍ତାବିତ ପ୍ରକଳ୍ପଟି କାର୍ଯ୍ୟକାରୀ ହେବାକୁ ଆହୁରି ୪ ବର୍ଷ ଲାଗି ଯାଇପାରେ ବୋଲି ଖୋଦ ରେଳମନ୍ତ୍ରୀ କହି ସାରିଲେଣି। ୨୦୨୨ ସୁଦ୍ଧା ଭାରତୀୟ ରେଳବାଇ ନିରାପତ୍ତାର ସ୍ତରକୁ ଉନ୍ନତ କରି ରେଳ ଦୁର୍ଘଟଣା ଜନିତ ମୃତ୍ୟୁକୁ ଶୂନ୍ୟ ସ୍ତରକୁ ଅଣାଯିବ ବୋଲି କୁହାଯାଇଥିଲା। ‘ଏନ୍ସିଆରବି’ର ତଥ୍ୟ ଅନୁଯାୟୀ ୨୦୨୦ରେ ଦେଶରେ ୧୩,୦୦୦ଟି ରେଳ ଦୁର୍ଘଟଣା ଘଟି ପ୍ରାୟ ୧୨,୦୦୦ ଲୋକ ପ୍ରାଣ ହରାଇଥିବା ବେଳେ ୨୦୨୧ରେ ୧୭,୯୯୩ଟି ରେଳ ଦୁର୍ଘଟଣା ଘଟି ୧୬,୪୩୧ ଲୋକ ପ୍ରାଣ ହରାଇଛନ୍ତି। ଏଥିରୁ ରେଳବାଇ ନିରାପତ୍ତା ସ୍ତରରେ ଯେ ଅବନତି ଘଟିଛି, ତାହା ସ୍ପଷ୍ଟ।
୨୦୨୨ ସୁଦ୍ଧା ଦେଶର ଜିଡିପି ବିକାଶ ହାର ୯-୧୦ ପ୍ରତିଶତରେ ପହଞ୍ଚିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ତାହା ୭ ପ୍ରତିଶତ ମଧ୍ୟରେ ସୀମିତ ରହିବାର ପୂର୍ବାନୁମାନ କରାଯାଉଛି। ସେହିପରି ବିନିବେଶ ହାର ୩୬ ପ୍ରତିଶତ ହେବାର ଲକ୍ଷ୍ୟ ରଖା ଯାଇଥିବା ବେଳେ ତାହା ୩୨ ପ୍ରତିଶତ ହୋଇଛି। ଏହି ସମୟ ସୁଦ୍ଧା ଭାରତୀୟ ଅର୍ଥନୀତିର ଆକାର ୪ ଲକ୍ଷ କୋଟି (ଟ୍ରିଲିଅନ) ଡଲାର ଛୁଇଁବ ବୋଲି କୁହାଯାଉଥିବା ବେଳେ ତାହା ୩.୧୨ ଲକ୍ଷ କୋଟି ଡଲାର ହୋଇପାରିଛି। ୨୦୨୨ ମସିହା ସୁଦ୍ଧା ପ୍ରତି ଭାରତୀୟଙ୍କର ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ସହ ସେମାନଙ୍କୁ ଜୀବନ ବୀମା, ଦୁର୍ଘଟଣା ବୀମା, ପେନ୍ସନ୍ ଆଦିରେ ଅନ୍ତର୍ଭୁକ୍ତ କରିବାର ଲକ୍ଷ୍ୟ ରଖାଯାଇଥିଲା। ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ଏବେ ମଧ୍ୟ ବିଶ୍ୱର ଯେଉଁ ୧୪୦ କୋଟି ଲୋକଙ୍କର କୌଣସି ବ୍ୟାଙ୍କ ଆକାଉଣ୍ଟ ନାହିଁ ସେମାନଙ୍କ ମଧ୍ୟରୁ ୧୩ କୋଟି ବା ପ୍ରାୟ ୯ ପ୍ରତିଶତ ଭାରତୀୟ। ସେହିପରି ପ୍ରତି ଶହେ ଜଣ ଭାରତୀୟଙ୍କ ମଧ୍ୟରୁ ମାତ୍ର ୩ ଜଣ ଜୀବନବୀମା ଅନ୍ତର୍ଭୁକ୍ତ ହୋଇ ଥିବା ବେଳେ ପ୍ରାୟ ୧୦୦ କୋଟି ଲୋକଙ୍କୁ ଦୁର୍ଘଟଣା ବୀମା ଅନ୍ତର୍ଭୁକ୍ତ କରାଯାଇଛି। ତେବେ ଅବସରଯୋଗ୍ୟ ବୟସର ମାତ୍ର ୨୪ ପ୍ରତିଶତ ଲୋକ କୌଣସି ପେନ୍ସନ୍ ଯୋଜନାର ଅନ୍ତର୍ଭୁକ୍ତ ହୋଇପାରିଛନ୍ତି।
ତେଲ ଓ ଗ୍ୟାସର ଆମଦାନିକୁ ୧୦ ପ୍ରତିଶତ ହ୍ରାସ କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ୨୦୧୬-୧୭ ମସିହାରେ ବିଦେଶରୁ ୨୧.୩୯ କୋଟି ଟନ ପରିମାଣର ଅଶୋଧିତ ତେଲ ଆମଦାନି ହୋଇଥିଲା, ଯାହାର ମୂଲ୍ୟ ୭୦୧୯ କୋଟି ଡଲାର ଥିଲା ବେଳେ ୨୦୨୧-୨୨ରେ ୨୧.୨୨ କୋଟି ଟନ୍ ପରିମାଣର ଅଶୋଧିତ ତେଲ ଆମଦାନି ହୋଇଥିଲା, ଯାହାର ମୂଲ୍ୟ ୧୨୨୪୫ କୋଟି ଡଲାର ଥିଲା। ଅର୍ଥାତ୍ ଏହି ସମୟ ମଧ୍ୟରେ ପରିମାଣ ଦୃଷ୍ଟିରୁ ତେଲ ଆମଦାନି ସ୍ଥିର ରହିଥିବା ବେଳେ ମୂଲ୍ୟ ଦୃଷ୍ଟିରୁ ଏଥିରେ ପ୍ରାୟ ୭୪ ପ୍ରତିଶତ ବୃଦ୍ଧି ଘଟିଛି। ଅବଶ୍ୟ କୋଭିଡ୍ ଯୋଗୁଁ ଅର୍ଥନୈତିକ ଗତିବିଧି ବାଧାପ୍ରାପ୍ତ ହୋଇ ତେଲ ଚାହିଦା କମ୍ ହୋଇ ନ ଥିଲେ ଉଭୟ ପରିମାଣ ଓ ମୂଲ୍ୟ ଦୃଷ୍ଟିରୁ ଆମଦାନି ଯଥେଷ୍ଟ ଅଧିକ ବଢ଼ି ଥାଆନ୍ତା।
ଦଶମ ଶ୍ରେଣୀ ପର୍ଯ୍ୟନ୍ତ କୌଣସି ପିଲାକୁ ସ୍କୁଲ ଛାଡ଼ିବାକୁ ଦିଆଯିବ ନାହିଁ ବୋଲି ଲକ୍ଷ୍ୟ ଥିଲା। ବାସ୍ତବତା ହେଉଛି ୨୦୨୧-୨୨ରେ ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ସ୍କୁଲ ଛାଡ଼ିଥିବା ଛାତ୍ରଙ୍କ ହାର ପୂର୍ବ ବର୍ଷ ତୁଳନାରେ ଅଧିକ ଥିଲା। ୨୦୨୦-୨୧ ଓ ୨୦୨୧-୨୨ ଏଇ ଦୁଇ ବର୍ଷ ମଧ୍ୟରେ କେବଳ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ପ୍ରାୟ ୩୮ ଲକ୍ଷ ପିଲା ସ୍କୁଲ ଛାଡ଼ିଥିବା ଜଣାପଡ଼ିଛି। ମାଧ୍ୟମିକ ସ୍ତରରେ ସ୍କୁଲ ଛାଡ଼ିଥିବା ପିଲାଙ୍କ ପ୍ରତିଶତ ୧୨.୬। ୨୦୨୨ ମସିହା ସୁଦ୍ଧା ଦେଶକୁ ଅପପୁଷ୍ଟିମୁକ୍ତ କରିବାର ଏକ ବିଶାଳ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା; ମାତ୍ର ବିଡ଼ମ୍ବନାର ବିଷୟ ଯେ ଏହି ଲକ୍ଷ୍ୟ ହାସଲ ହେବା ପରିବର୍ତ୍ତେ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ଅପପୁଷ୍ଟିର ସ୍ତର ଅଧିକ ରହିଛି, ଯେଉଁ କାରଣରୁ ଏହା ୨୦୨୨ ମସିହାର ବିଶ୍ୱ କ୍ଷୁଧା ସୂଚକାଙ୍କରେ ୬ଟି ସ୍ଥାନ ତଳକୁ ଖସି ୧୦୭ତମ ସ୍ଥାନରେ ପହଞ୍ଚିଛି।
୨୦୧୬ରେ ଦେଶରେ ଜାତୀୟ ରାଜପଥର ଦୈର୍ଘ୍ୟ ୯୬,୦୦୦ କିଲୋମିଟର ଥିଲା ବେଳେ ୨୦୨୨ ସୁଦ୍ଧା ଏହାକୁ ୨ ଗୁଣ କରି ୨ ଲକ୍ଷ କିଲୋମିଟରରେ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ଏ ଯାଏଁ ନିର୍ମିତ ରାଜପଥର ଦୈର୍ଘ୍ୟ ୧.୫୧ ଲକ୍ଷ କିଲୋମିଟରରୁ ସାମାନ୍ୟ ଅଧିକ ହୋଇଛି। ୨୦୧୭ରେ ଥିବା ବିଳମ୍ୱିତ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ୨୦୨୨ ସୁଦ୍ଧା ସମାପ୍ତ କରିବାର ଲକ୍ଷ୍ୟ ରଖାଯାଇଥିଲା। ତେବେ କେନ୍ଦ୍ର ସରକାରଙ୍କ ୧୫୬୮ଟି ପ୍ରକଳ୍ପ ମଧ୍ୟରୁ ଜୁନ ୨୦୨୨ ସୁଦ୍ଧା ୭୨୧ଟି ବା ୪୬ ପ୍ରତିଶତ ଲକ୍ଷ୍ୟ ହାସଲ କରାଯାଇଛି ବୋଲି ସରକାର ସଂସଦକୁ ଜଣାଇଥିଲେ। ସେମିତି ୫.୩୫ ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇ ୨୦୨୨ ମସିହାରେ ସରିବାକୁ ଥିବା ଭାରତମାଳା ପରିଯୋଜନାର ରୂପାୟନ ବାଧାପ୍ରାପ୍ତ ହୋଇ ତାହା ୬ ବର୍ଷ ବିଳମ୍ୱରେ ସମାପ୍ତ ହେବାକୁ ଥିବାରୁ ବ୍ୟୟ ଅଟକଳ ପ୍ରାୟ ଦୁଇ ଗୁଣ ହୋଇ ୧୦.୬୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ଜଣାପଡ଼ୁଛି।
ଏହି ସମୟ ମଧ୍ୟରେ ନବୀକରଣକ୍ଷମ ଶକ୍ତି ଉତ୍ପାଦନ କ୍ଷମତାକୁ ୧୭୫ ଗିଗାୱାଟ ଯାଏଁ ବଢ଼ାଇବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ବେଳେ ଏ ଯାଏଁ ତାହା ୧୬୦ ଗିଗାୱାଟରେ ପହଞ୍ଚିପାରିଛି। ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ହୋଇ ନ ପାରିଥିଲେ ବି ସେ ଦିଗରେ ହୋଇଥିବା ପ୍ରୟାସ ଉତ୍ସାହପ୍ରଦ। ଦେଶରେ ବନ ଆବରଣକୁ ୨୧ ପ୍ରତିଶତରୁ ବଢ଼ାଇ ୩୩ ପ୍ରତିଶତ କରାଯିବାର ଲକ୍ଷ୍ୟ ଥିଲା। ଏବେ ଦେଶରେ ବନ ଆବରଣ ହେଉଛି ୭.୧୪ ଲକ୍ଷ ବର୍ଗ କିଲୋମିଟର, ଯାହା ସମୁଦାୟ ଭୌଗୋଳିକ ଅଞ୍ଚଳର ମାତ୍ର ୨୧.୭୧ ପ୍ରତିଶତ ଅଟେ। ସେହିଭଳି ମଇଳା ଟାଙ୍କି, ନାଳ ନର୍ଦ୍ଦମା ଆଦି ହାତରେ ସଫା କରିବାର ପ୍ରଥା ସମ୍ପୂର୍ଣ୍ଣ ଉଚ୍ଛେଦ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଏ ସଂକ୍ରାନ୍ତରେ ୧୯୯୩ ଓ ୨୦୧୩ ମସିହାରେ ଆଇନ ପ୍ରଣୟନ ହୋଇଥିଲେ ବି ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ଆନ୍ତରିକ ଉଦ୍ୟମର ଅଭାବରେ ଗତ ୫ ବର୍ଷ ମଧ୍ୟରେ ୪୦୦ରୁ ଅଧିକ ସଫେଇ କର୍ମଚାରୀଙ୍କ ପ୍ରାଣ ହାନି ଘଟିଛି। ତଥାପି ଦେଶର ବିଭିନ୍ନ ଅଞ୍ଚଳରେ ସେହି ପ୍ରଥା ଏବେ ବି ବଳବତ୍ତର ରହିଛି।
ଘୋଷିତ ଅନେକ ଲକ୍ଷ୍ୟ ଓ ପ୍ରତିଶ୍ରୁତି ମଧ୍ୟରୁ ଏଠାରେ ମାତ୍ର କେତେଗୋଟିର ଉଲ୍ଲେଖ କରାଯାଇଛି। ଉପରୋକ୍ତ ଲକ୍ଷ୍ୟଗୁଡ଼ିକ ଦୀର୍ଘ ମିଆଦୀ ହୋଇଥିବା ସତ୍ତ୍ବେ ସେଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ହାସଲ ହୋଇ ନ ପାରିବା ଚିନ୍ତାଜନକ। ଏହା ଦ୍ବାରା ବ୍ୟୟ ଅଟକଳ ଅଯଥାରେ ବୃଦ୍ଧି ପାଇ ରାଜକୋଷ ଉପରେ ଚାପ ପକାଉଛି। ତେଣୁ ତ୍ରୁଟିପୂର୍ଣ୍ଣ ନୀତି ନା କ୍ରିୟାନ୍ୱୟନର ମନ୍ଥରତା, ଏହାର କାରଣ ତା’ର ପୁଙ୍ଖାନୁପୁଙ୍ଖ ତର୍ଜମା ହେବା ଜରୁରୀ। ମନେ ରଖିବାକୁ ହେବ ଯେ ପ୍ରତିଶ୍ରୁତି ପ୍ରଦାନ କରିବା ସହଜ କିନ୍ତୁ ତା’ର ପାଳନ କଷ୍ଟକର େହାଇଥାଏ। କିନ୍ତୁ ଦେଶର ଉନ୍ନତି ସକାଶେ ପ୍ରତିଶ୍ରୁତିର ପାଳନ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ।
ମୋ: ୯୪୩୭୦୩୮୦୧୫