ଭୁବନେଶ୍ୱର ମହାନଗର ନିଗମ (ବି.ଏମ.ସି.) ରାଜଧାନୀର କୁକୁରଙ୍କ ସଂଖ୍ୟା ଗଣନା କରିବା କଥା ଘୋଷଣା କରିଛି। ଆଗରୁ ଆକଳନ ପଦ୍ଧତିରେ ଏହି ସଂଖ୍ୟା ନିରୂପଣ କରାଯାଉଥିଲା, କିନ୍ତୁ ଏଥର ହେବ ପକ୍କା ମୁଣ୍ଡ ଗଣତି। ଅଳ୍ପ ଦିନ ଭିତରେ କୁକୁର ମୁଣ୍ଡ ଗଣିବାରେ ବିଶାରଦ ସଂସ୍ଥାମାନଙ୍କର ଟେଣ୍ଡର ଡକା ହେବା ଓ ଚୟନ ପ୍ରକ୍ରିୟା ଆରମ୍ଭ ହେବ। ଖୁସିର କଥା ଯେ ଆଜିର ବିଶେଷଜ୍ଞ କବଳିତ ଯୁଗରେ ବୁଲା କୁକୁର ଗଣିବା ବିଶେଷଜ୍ଞମାନେ ମଧ୍ୟ ଉପଲବ୍ଧ ହୋଇ ଯାଉଛନ୍ତି।
ଆମ ଦେଶରେ ପୌରପାଳିକାମାନଙ୍କର କୁକୁର ଜାତି ସହ ସବୁ ଦିନ ପାଇଁ ନିବିଡ଼ ସମ୍ପର୍କ ରହି ଆସିଛି। ସତେ ଯେମିତି ଶ୍ବାନ ଶାସନ ବିନା ସ୍ୱାୟତ୍ତ ଶାସନ ଅସମ୍ପୂର୍ଣ୍ଣ। ବେଳେବେଳେ ଲାଗେ ପୌର ସଂସ୍ଥାଗୁଡ଼ିକ ରାସ୍ତା ଘାଟର ଉନ୍ନତି, ବିଜୁଳି ବତିର ସୁବ୍ୟବସ୍ଥା, ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ସୁଧାର ଇତ୍ୟାଦିକୁ ଅଣଦେଖା କରି ବୁଲା କୁକୁର ନିୟନ୍ତ୍ରଣରେ ଅଧିକ ଧ୍ୟାନ ଦିଅନ୍ତି। କୁକୁର ଧରା ଗାଡ଼ିରେ ବୁଲା କୁକୁରଙ୍କୁ ଉଠାଇ ସେମାନଙ୍କ ବନ୍ଧ୍ୟାକରଣ କରିବା ବା ନିପାତ କରିବା ଆମର ମ୍ୟୁନିସିପାଲିଟିଗୁଡ଼ିକର ଅତି ପୁରୁଣା କାର୍ଯ୍ୟକ୍ରମ ହୋଇ ରହି ଆସିଛି। ତଥାପି ଆମ ରାସ୍ତା ଓ ଗଳିଗୁଡ଼ିକରୁ କୁକୁରଙ୍କ ସଂଖ୍ୟା କେବେ ବି ଆଖି ଦୃଶିଆ ଭାବରେ କମ୍ ହେବାର ଜଣା ନାହିଁ। ମନେ ହୁଏ, ରାସ୍ତାରେ ବୁଲୁଥିବା କୁକୁର, ଗାଈ ଓ ଷଣ୍ଢମାନେ ଆମର ସହରୀ ଦୃଶ୍ୟପଟର ଏକ ଅବିଚ୍ଛେଦ୍ୟ ଅଙ୍ଗ।
ଅବଶ୍ୟ କାଁ ଭାଁ କିଛି ଅଘଟଣକୁ ବାଦ ଦେଲେ ସହରବାସୀ ମଧ୍ୟ କୁକୁରପଲଙ୍କ ସହ ଶାନ୍ତିପୂର୍ଣ୍ଣ ସହାବସ୍ଥାନ କରିବାରେ ଅଭ୍ୟସ୍ତ। ଏମିତି କି ଭୋକିଲା କୁକୁର ପଲଙ୍କୁ କିଛି ବଦାନ୍ୟ ବ୍ୟକ୍ତି ରାସ୍ତା କଡ଼ରେ ଖାଦ୍ୟ ଖୁଆଉ ଥିବାର ମଧ୍ୟ ପରିଲକ୍ଷିତ ହୁଏ। କୁକୁରଙ୍କୁ ସର୍ବସାଧାରଣ ସ୍ଥାନରେ ଖାଇବାକୁ ଦେବା ବେଆଇନ ନୁହେଁ ବୋଲି ନିକଟରେ ସୁପ୍ରିମ୍ କୋର୍ଟ ରାୟ ଦେଇଛନ୍ତି। କିନ୍ତୁ ସ୍ୱାୟତ୍ତ ଶାସନ ଅଛି ମାନେ ଶ୍ବାନ ଆୟତ୍ତ ତ କରିବାକୁ ପଡ଼ିବ। ତେଣୁ ରାଜଧାନୀରେ ଏହି କୁକୁର ମୁଣ୍ଡ ଗଣତିର ମହାଡ଼ମ୍ବର। ଦେଖାଯାଉ ଏଥରର ବୈଜ୍ଞାନିକ ପଦ୍ଧତିରେ କୁକୁର ସଂଖ୍ୟା ନିରୂପଣର କି ସୁଫଳ ସବୁ ମିଳୁଛି।
ଗଣତି କରିବା କେବଳ ପୌର ସଂସ୍ଥାର କାହିଁକି ଏହା ପୂରା ମଣିଷ ଜାତିର ଏକ ପ୍ରିୟ ସଉକ। ନିକଟରେ ଦିଲ୍ଲୀ ଷ୍ଟେସନରେ ଯା’ ଆସ କରୁଥିବା ଟ୍ରେନଗୁଡ଼ିକ ଗଣିବା କାମରେ ମିଥ୍ୟା ନିଯୁକ୍ତି ଦେଇ ଏକ ଜାଲିଆତି ସଂସ୍ଥା ୨୫ ଜଣ ଯୁବକଙ୍କ ଠାରୁ ଅଢ଼େଇ କୋଟି ଟଙ୍କା ହଡ଼ପ କରି ନେବାର ଖବର ବାହାରିଛି। ତା’ ଛଡ଼ା ସହର ବୁଲିବାକୁ ଆସିଥିବା ଗାଉଁଲି ପିଲାଟିଏ ଏମିତି ଗଣତି ବ୍ୟାପାରକୁ ନେଇ କେମିତି ହଟହଟା ହୋଇଥିଲା ତାହା ଆପଣ ପ୍ରାୟ ଶୁଣିଥିବେ। ପିଲାଟି ଏକ ସୁଉଚ୍ଚ କୋଠା ସାମନାରେ ଛିଡ଼ା ହୋଇ ବିହ୍ବଳ ହୋଇ ଦେଖୁଥିବା ବେଳେ ସହରୀ ଠକ ପଚାରିଲା, ‘କେତେ ମହଲା ଯାଏଁ ଗଣିଲୁଣି?’ ପିଲାଟି ଆଠ ମହଲା ବୋଲି ଉତ୍ତର ଦେବାରୁ ଠକଟି ମହଲା ପ୍ରତି ଦଶ ଟଙ୍କା ହିସାବରେ ପିଲାଟି ପାଖରୁ ଅଶୀ ଟଙ୍କା ଝଡ଼େଇ ନେଲା। ଠକ ଗଲା ପରେ ପିଲାଟି ଉଲ୍ଲସିତ ହୋଇ ତା’ ସାଙ୍ଗକୁ କହିଲା, ‘ସହରୀ ଲୋକଟା ମୋତେ ଠକି ଦେବ ବୋଲି ଭାବି ଥିଲା! ହେଲେ ମୁଁ ଅଠର ମହଲା ଗଣି ତାକୁ ଆଠ ବୋଲି କହି ବୋକା ବନେଇ ଦେଲି।’ ଏସବୁ କଥାରୁ ଜଣା ପଡ଼େ ଯେ ଗଣତିରୁ ଯେଉଁ ଫଳଟି ବାହାରେ ତାହାକୁ ବେଦର ଗାର ବୋଲି ଧରି ନେବା ନିର୍ବୋଧତା ହେବ।
ଆମ ଭାରତରେ ଦଶ ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ଜନଗଣନାର ମହୋତ୍ସବ ଶେଷରେ ଜନସଂଖ୍ୟାର ଯେଉଁ ବିରାଟ ଅଙ୍କଟି ବାହାରେ, ତାହାକୁ ଦେଖିଲେ ଆଖି ଖୋସି ହୋଇଯାଏ। ଆଗରୁ ଜନସଂଖ୍ୟାର ଦ୍ରୁତ ବୃଦ୍ଧିକୁ ଦେଶର ସମୃଦ୍ଧିର ପ୍ରତିରୋଧକ ବୋଲି ଧରାଯାଉଥିଲା, ହେଲେ ପରେ ଚିନ୍ତାଧାରାର ପରିବର୍ତ୍ତନ ଫଳରେ ବଢ଼ନ୍ତା ଲୋକସଂଖ୍ୟା ଦେଶର ଅର୍ଥନୀତି ପାଇଁ ଅନୁକୂଳ ବୋଲି ବିଚାର କରାଗଲା। ଭୁବନେଶ୍ୱରର କୁକୁର ଗଣତି ସରିବା ପରେ ମଧ୍ୟ ଫଳାଫଳକୁ ନେଇ ଅନେକ ତର୍ଜମା କରାଯିବ ନିଶ୍ଚୟ।
ଓଡ଼ିଶାରେ କୁକୁର ଗଣତି ନୂଆ କଥା ସିନା, ହେଲେ ଜଙ୍ଗଲୀ ପଶୁଙ୍କ ଗଣତି ବହୁତ ଦିନରୁ ଚାଲି ଆସୁଛି। ଦେଶରେ ବାଘ ଗଣତି ପରେ ସେମାନଙ୍କର ସଂଖ୍ୟା ଆଶାତୀତ ଭାବରେ କମିଯାଇଛି ବୋଲି ଜଣା ପଡ଼ିଲା। ପର ବର୍ଷଗୁଡ଼ିକରେ ସଂଖ୍ୟା ବଢ଼ିଛି ବୋଲି ଗଣତି କହିଲା, ହେଲେ ଏହା ମଧ୍ୟ ଜଣା ପଡ଼ିଲା ଯେ କୌଣସି ନିର୍ଦ୍ଦିଷ୍ଟ ବ୍ୟାଘ୍ର ପ୍ରକଳ୍ପ ଇଲାକାରେ ଗୋଟିଏ ବି ବାଘ ନାହାନ୍ତି। ଏଣୁ ବ୍ୟାଘ୍ର ଗଣନା ପ୍ରକ୍ରିୟା ଆଜି ମଧ୍ୟ ସନ୍ଦେହ ଘେରରେ।
ଭୁବନେଶ୍ୱର କୁକୁର ଗଣତିର ଫଳାଫଳଟିକୁ କର୍ତ୍ତୃପକ୍ଷ ଯେତେ ନିର୍ଭୁଲ୍ ବା ଗୁରୁତ୍ୱପୂର୍ଣ୍ଣ ଭାବନ୍ତୁ ନା କାହିଁକି, ସାଧାରଣ ଲୋକେ ସଂଖ୍ୟାଟିକୁ ନିମ୍ନୋକ୍ତ ଲଘୁ କଥାର ବିଦୂଷକଙ୍କ ବିଚାର ଅନୁସାରେ ବିବେଚନା କରିବେ। ଥରେ ରାଜା ବିଦୂଷକଙ୍କୁ କହିଲେ, ‘ଆମ ରାଜ୍ୟରେ କୁଆଙ୍କ ସଂଖ୍ୟା ସଠିକ୍ ନିରୂପଣ ହେବା ଦରକାର। ଏ କ୍ଷେତ୍ରରେ ପଡ଼ୋଶୀ ଦେଶ ତୁଳନାରେ ଆମ ସ୍ଥିତି ଜଣାପଡ଼ିବ। ସାତ ଦିନ ଭିତରେ ନିର୍ଭୁଲ୍ ଗଣତି ହେବା ଚାହି।’ ବିଦୂଷକ ସ୍ମିତ ହସି ଉତ୍ତର ଦେଲେ, ‘ମହାଭାଗ! ଏଥି ପାଇଁ ସାତ ଦିନ କ’ଣ ହେବ? କାଲି ହିଁ ନିର୍ଭୁଲ ସଂଖ୍ୟା ମୁଁ ଜଣାଇ ଦେବି।’ ତହିଁ ପର ଦିନ ରାଜସଭାରେ ବିଦୂଷକ ସଂଖ୍ୟାଟି ପଢ଼ି ଶୁଣାଇ ଦେଲେ। ବିସ୍ମିତ ହୋଇ ରାଜା ବିଦୂଷକଙ୍କୁ କହିଲେ, ‘ଏତେ ଜଟିଳ କାମ ତୁମେ କେମିତି ଏତେ ଶୀଘ୍ର ସମ୍ପୂର୍ଣ୍ଣ କଲ? ମୋର ଜମା ବିଶ୍ୱାସ ହେଉନାହିଁ।
ଯଦି ତୁମର ସଂଖ୍ୟା ଅସଲି ସଂଖ୍ୟା ଠାରୁ କମ୍ ବା ବେଶୀ ହୁଏ, ତେବେ ତୁମର ମୁଣ୍ଡ କାଟ ହେବ।’ ବିଦୂଷକ ହାତ ଯୋଡ଼ି ହସ ହସ ମୁହଁରେ ଉତ୍ତର ଦେଲେ, ‘ମଣିମା, ପୁନର୍ଗଣନା କଲେ କୁଆଙ୍କ ସଂଖ୍ୟା ବଦଳି ଯିବା ସ୍ୱାଭାବିକ। ମୁଁ ଦେଇଥିବା ସଂଖ୍ୟା ଯଦି କମ୍ ହୁଏ ତେବେ ଧରି ନେବାକୁ ପଡ଼ିବ ଯେ ଆମ ଦେଶର କିଛି କୁଆ ପଡ଼ୋଶୀ ରାଜ୍ୟରେ ଥିବା ତାଙ୍କ ବନ୍ଧୁବାନ୍ଧବମାନଙ୍କ ଘରକୁ ବୁଲି ଯାଇଛନ୍ତି ଓ ଯଦି ମୋ ସଂଖ୍ୟା ଅଧିକ ହୁଏ ତା’ ହେଲେ ଜାଣିବେ ଯେ ଅନ୍ୟ ରାଜ୍ୟରୁ କୁଆମାନେ ଆମ ରାଜ୍ୟକୁ ବୁଲି ଆସିଛନ୍ତି।’ ଏହି ଉତ୍ତର ଶୁଣିବା ପରେ ରାଜା ନିଜ ରାଜ୍ୟରେ ଆଉ କେବେ ଗଣନା କରିବା ପ୍ରସଙ୍ଗ ଉଠାଇ ନଥିଲେ।
ମୋ: ୯୪୩୭୦୮୯୬୫୫