ଯଦି ‘ଭାରତ ଯୋଡ଼ୋ ଯାତ୍ରା’ର ଲୋକପ୍ରିୟତା ନେଇ ପ୍ରମାଣ ଖୋଜାଯାଏ, ତେବେ ତାହା ଗତ ମାସରେ ମୋଦୀ ସରକାର ଦେଇଦେଇଛନ୍ତି। ରାହୁଳ ଗାନ୍ଧୀଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଚିଠି ଲେଖି ‘କୋଭିଡ୍‌ କଟକଣା’ ପାଳନ କରିବାକୁ ପରାମର୍ଶ କରିଛନ୍ତି ଏବଂ କୋଭିଡ୍‌ ମହାମାରୀରୁ ଦେଶକୁ ବଞ୍ଚାଇବା ଲାଗି ‘ଭାରତ ଯୋଡ଼ୋ ଯାତ୍ରା’କୁ ସ୍ଥଗିତ ରଖିବା ଲାଗି ଅନୁରୋଧ କରିଛନ୍ତି। ‘ଭାରତ ଯୋଡ଼ୋ ଯାତ୍ରା’କୁ ବନ୍ଦ କରିବା ଲାଗି ତରବର ହୋଇ ବିଚାରା ମନ୍ତ୍ରୀ ଭୁଲି ଯାଇଥିଲେ କି ସେ ଚିଠି ଲେଖିଲା ବେଳକୁ ଦେଶରେ କୌଣସି କୋଭିଡ୍‌ କଟକଣା ବଳବତ୍ତର ନଥିଲା। ସେ ଏକଥା ମଧ୍ୟ ଭୁଲି ଯାଇଥିଲେ କି ତାହାର ଦୁଇ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିପୁରାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ। ସେଇ ରାଜସ୍ଥାନରେ ହିଁ ଏହି ବାହାନାର ପର୍ଦ୍ଦାଫାସ ହେଲା ଯାହାର ଭରସାରେ ମନ୍ତ୍ରୀ ଚିଠି ଲେଖିଥିଲେ। ଡିସେମ୍ବର ୧ରେ ରାଜସ୍ଥାନ ବିଜେପି ପକ୍ଷରୁ ରାଜ୍ୟରେ ‘ଜନ ଆକ୍ରୋଶ ଯାତ୍ରା’ ବାହାରିଥିଲା। ତେବେ ମନ୍ତ୍ରୀଙ୍କ ଚିଠି ପରେ ପରେ ଦିଲ୍ଲୀରେ ବିଜେପି ଘୋଷଣା କଲା କି, ଦେଶହିତ ଦୃଷ୍ଟିରୁ ଦଳ ରାଜସ୍ଥାନରେ ଉକ୍ତ ‘ଜନ ଆକ୍ରୋଶ ଯାତ୍ରା’କୁ ସ୍ଥଗିତ ରଖିବାକୁ ଯାଉଛି। ମାତ୍ର ଏହାର କିଛି ଘଣ୍ଟା ପରେ ରାଜସ୍ଥାନ ବିଜେପି ପକ୍ଷରୁ କୁହାଗଲା କି, ଯେହେତୁ ଏ ବାବଦରେ ରାଜ୍ୟ କିମ୍ବା କେନ୍ଦ୍ର ସରକାର କୌଣସି ମାର୍ଗଦର୍ଶିକା ଜାରି କରିନାହାନ୍ତି, ତେଣୁ ଏହି ଯାତ୍ରା ରାଜ୍ୟରେ ନିର୍ବିରୋଧ ଜାରି ରହିବ। ଜନତାଙ୍କ ସାମନାକୁ ପୂରା ସତ ଆସିଗଲା- ‘ଭାରତ ଯୋଡ଼ୋ ଯାତ୍ରା’ରେ କୋଭିଡ୍‌ ହୁଏ, ମାତ୍ର ବିଜେପିର ଯାତ୍ରାରେ ହୁଏ ନାହିଁ।

Advertisment

ଲୋକଙ୍କର ପୁରୁଣା କଥା ବି ମନେ ପଡ଼ିଗଲା। ୨୦୨୦ ଫେବ୍ରୁଆରିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ପାଇଁ ବିଶାଳ ସମାବେଶ ଆୟୋଜନ ପାଇଁ କୌଣସି କୋଭିଡ୍‌ ଚିନ୍ତା ନଥିଲା, ଅଥଚ କିଛି ଦିନ ପରେ ସାହିନବାଗକୁ ବନ୍ଦ କରିବା ଲାଗି କୋଭିଡ୍‌ର ବାହାନା କରାଗଲା। ତହିଁ ପରବର୍ଷ ୨୦୨୧ରେ ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ଗାଏବ୍‌ ହୋଇଗଲା, ମାତ୍ର ସେ ସମୟରେ କିଷାନ ଆନ୍ଦୋଳନ ବନ୍ଦ କରିବା ଲାଗି କରୋନା ମହଜୁଦ ଥିଲା। ଲୋକଙ୍କର ବିଶ୍ବାସ ହୋଇଗଲାଣି କି, ‘ଭାରତ ଯୋଡ଼ୋ ଯାତ୍ରା’ ସଂପୂର୍ଣ୍ଣ ହେଉ କି ନହେଉ, ଏହା କିଷାନ ଆନ୍ଦୋଳନ ପରି ସରକାରଙ୍କ ପାଇଁ ବିରାଟ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଯେତେବେଳେ ସରକାର ଡରୁଛନ୍ତି, ସେତେବେଳେ କରୋନାକୁ ସାମନାକୁ ଆଣୁଛନ୍ତି।

ଯେବେଠୁ ‘ଭାରତ ଯୋଡ଼ୋ ଯାତ୍ରା’ ଆରମ୍ଭ ହେଲା, ସେଥିରୁ କିପରି ବର୍ତ୍ତିବାକୁ ହେବ, ତାହା ବିଜେପି ବୁଝିପାରିନଥିଲା। ପ୍ରାରମ୍ଭରେ ସେଥିରେ ବିଘ୍ନ ସୃଷ୍ଟି କରିବା ପାଇଁ ବିଜେପିର ଆଇଟି ସେଲ୍‌ ଚାରି ପାଞ୍ଚ ଥର ପ୍ରୟାସ କରିଛି। ପ୍ରଥମେ ପଞ୍ଚ ତାରକା କଣ୍ଟେନର୍‌ର କଥା ଉଠାଗଲା ବେଳେ କଂଗ୍ରେସ ତୁରନ୍ତ ପତ୍ରକାରମାନଙ୍କୁ ତାହା ଦେଖାଇ ପ୍ରମାଣିତ କରିଦେଲା କି ବିଜେପି ଆଇଟି ସେଲ୍‌ ଦେଖାଇଥିବା ଛବି ମିଛ ଥିଲା। ରାହୁଳ ଗାନ୍ଧୀଙ୍କ ଟି-ସାର୍ଟକୁ ନେଇ ଆକ୍ଷେପ କରାଗଲା ବେଳେ ଲୋକେ ମୋଦୀଙ୍କ ଦଶ ଲକ୍ଷ ଟଙ୍କା ମୂଲ୍ୟର ସୁଟ୍‌ କଥା ମନେ ପକାଇଦେଲେ। ମଝିରେ ସ୍ମୃତି ଇରାନୀ ରାହୁଳ ଗାନ୍ଧୀଙ୍କ ଉଜ୍ଜୟିନୀ ଆରତିକୁ ଓଲଟା ଦର୍ଶାଇ ତାହା ହିନ୍ଦୁ ଭାବାବେଗକୁ ଆଘାତ ଦେଇଛି ବୋଲି କହିଥିଲା ବେଳେ ପୁରୁଣା ଭିଡିଓରୁ ଜଣା ପଡ଼ିଥିଲା କି ମୋଦୀଜୀ ଓ ଶିବରାଜ ଚୌହାନ ମଧ୍ୟ ସମାନ ଶୈଳୀରେ ଆରତି କରିଥିଲେ। ଅର୍ଥାତ୍‌ ପ୍ରତି ଥର କାଦୁଅ ଫିଙ୍ଗୁଥିବା ଲୋକର ମୁଣ୍ଡ ଉପରେ ହିଁ ଛିଟା ପଡୁଛି।

ବୋଧହୁଏ, ଏଥିରୁ ଶିକ୍ଷା ପାଇ ବିଜେପି ନିରବତାର ରଣନୀତି ଆପଣେଇଛି। ଏଭଳି ଯାତ୍ରା ଟିପ୍ପଣୀ ପାଇବାର ଯୋଗ୍ୟ ନୁହେଁ ବୋଲି ମଧ୍ୟ ଇସାରା କରିବା ସେମାନେ ଆରମ୍ଭ କରିଦେଲେ। ଭାବିଥିଲେ କି, ଗୁଜରାଟ ଓ ହିମାଚଳ ନିର୍ବାଚନ ଫଳାଫଳ ଆସିଲା ପରେ ଏହି ଯାତ୍ରା ମନକୁ ମନ ଫୁସ୍‌କିଯିବ, ରାଜସ୍ଥାନରେ ଅନ୍ତର୍ବିରୋଧ ଯୋଗୁଁ କଂଗ୍ରେସ ଭୁଶୁଡ଼ିପଡ଼ିବ। ମାତ୍ର ଏହି ରଣନୀତି ବି କାମ କଲାନି। ଗୁଜରାଟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ବି ରାଜସ୍ଥାନରେ ଯାତ୍ରା ଉତ୍ସାହର ସହ ଜାରି ରହିଲା, ପୁଣି ହରିୟାଣା ଓ ଦିଲ୍ଲୀରେ ମଧ୍ୟ ଯାତ୍ରାକୁ ଆଶାତୀତ ଜନସମର୍ଥନ ମିଳିଲା। ସେଥିପାଇଁ ଏବେ ନିରବତାର ରଣନୀତି ଛାଡ଼ି ବିଜେପି ନେତାମାନେ ଯାତ୍ରା ପ୍ରତି ସିଧାସଳଖ ଆକ୍ରମଣାତ୍ମକ ହୋଇ ପଡ଼ିଛନ୍ତି। ଖ୍ରୀଷ୍ଟମାସ ପାଇଁ ଯାତ୍ରାରେ ଛୁଟି କାହିଁକି ହେଲା ବୋଲି ପୁଣି ଆକ୍ଷେପ କରିଛନ୍ତି। ମହୀଶୂରର ପ୍ରସିଦ୍ଧ ଦଶହରା ପର୍ବ ବେଳେ ଯାତ୍ରାର ବିରତି ପାଇଁ ତ ବିଜେପି କିଛି କହିନଥିଲା। ଦୀପାବଳି ବେଳେ ଯାତ୍ରାର ତିନି ଦିନ ଛୁଟି ବେଳେ ତ ସବୁ ଠିକ୍‌ ଥିଲା। ଖ୍ରୀଷ୍ଟମାସ ଦିନ ପ୍ରଧାନମନ୍ତ୍ରୀ ଦେଶ ତଥା ବିଶ୍ବକୁ ବାର୍ତ୍ତା ଦେଇ ଯୀଶୁଖ୍ରୀଷ୍ଟଙ୍କର ଗୁଣଗାନ କରିବା ଠିକ୍‌, ଅଥଚ ସେଦିନ ଯାତ୍ରାର ଛୁଟି ଘୋଷଣା କଲା ବେଳେ ବିଜେପି ନେତାଙ୍କର ଆପତ୍ତି ଉଠୁଛି। ଏହାର ଅର୍ଥ ହେଲା, ଏହି ଯାତ୍ରା ଦ୍ବାରା ଉଦ୍‌ବିଗ୍ନ ତଥା ଅସ୍ଥିର ହୋଇପଡ଼ିଥିବା ବିଜେପି ଏବେ ନିମ୍ନ ସ୍ତରର ବୟାନବାଜି ଆରମ୍ଭ କରିଛି।

ଅପରପକ୍ଷେ, ଏହି ଯାତ୍ରାର ପ୍ରଭାବକୁ ପ୍ରଶମିତ କରିବା ଲାଗି ମୋଦୀ ସରକାର କିଛି ନୀତିଗତ ଘୋଷଣା ମଧ୍ୟ ଆରମ୍ଭ କରି ଦେଇଛନ୍ତି। ‘ଭାରତ ଯୋଡ଼ୋ ଯାତ୍ରା’ରେ ପ୍ରତ୍ୟହ ଦରଦାମ ବୃଦ୍ଧିର ପ୍ରଶ୍ନ ଉଠୁଛି। ଏହାର ପ୍ରଭାବ ହ୍ରାସ କରିବାକୁ ସରକାର ବର୍ଷକ ପାଇଁ ମାଗଣା ରାସନ୍‌ ସାମଗ୍ରୀ ଯୋଗାଇବା ନେଇ ଘୋଷଣା କରିଛନ୍ତି। ବେକାରି ଘାଆରେ ମଲମ ଲଗାଇବା ଉଦ୍ଦେଶ୍ୟରେ ମନରେଗା ବଜେଟ୍‌କୁ ବଢ଼ାଇ ଦିଆଯାଇଛି। ଏପରିକି ଆଗାମୀ ବଜେଟ୍‌ରେ ସରକାର କିଛି ବଡ଼ ଘୋଷଣା କରି ଚାଷୀ, ଶ୍ରମିକ ଓ ଗରିବମାନଙ୍କ ଘାଆରେ ମଲମ ଲଗାଇବାକୁ ଚେଷ୍ଟା କରିବାର ସମ୍ଭାବନା ରହିଛି। ଅଥବା ଏ ସବୁ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ସରକାର କୌଣସି ବଡ଼ ମିଛର ସାହାରା ନେବେ କି? ‘ବିଭାଜନ ଓ ଶାସନ’ ପରି ପୁରୁଣା ନୀତିର କୌଣସି ନୂଆ ଅଧ୍ୟାୟ ଆରମ୍ଭ କି?

ଏଇଠି ପ୍ରଶ୍ନ ହେଲା, ‘ଭାରତ ଯୋଡ଼ୋ ଯାତ୍ରା’ ପ୍ରତି ବିଜେପି ଓ ମୋଦୀ ସରକାରଙ୍କର ଏତେ ଭୟ କାହିଁକି? ଯଦି ଏଇ ଯାତ୍ରାକୁ ଜନସମର୍ଥନ ମିଳୁନାହିଁ, ତେବେ ଏହାକୁ ରୋକିବା ଲାଗି ଏତେ ପ୍ରୟାସ କାହିଁକି କରାଯାଉଛି? ଯଦି କଂଗ୍ରେସ ଏତେ ଅପ୍ରାସଙ୍ଗିକ ହୋଇପଡ଼ିଛି, ତାହାକୁ ଏତେ ଗୁରୁତ୍ବ କାହିଁକି ଦିଆଯାଉଛି? ଯଦି ରାହୁଳ ଗାନ୍ଧୀ ଜଣେ ଅଗମ୍ଭୀର ନେତା, ତାଙ୍କୁ ଏତେ ଆକ୍ରମଣ କାହିଁକି କରାଯାଉଛି? ଲୋକଙ୍କ ସ୍ପନ୍ଦନ ଉପରେ ବିଜେପି ଓ ମୋଦୀ ସରକାର ହାତ ରଖିଛନ୍ତି। ପ୍ରତି ସପ୍ତାହରେ ଦେଶ ତମାମ ଏକ ଜନମତ ସର୍ବେକ୍ଷଣ ନିଆଯାଉଛି, ଯାହାର ଗୁପ୍ତ ରିପୋର୍ଟ ସେମାନଙ୍କୁ ପ୍ରଦାନ କରାଯାଉଛି। ଯାହା ଜଣାପଡୁଛି, ସେହି ସବୁ ରିପୋର୍ଟରେ ଏମିତି କିଛି ରହିଛି ଯାହା ପ୍ରଧାନମନ୍ତ୍ରୀଙ୍କ ଚିନ୍ତା ବଢ଼ାଇ ଦେଉଛି। ଏହି ଯାତ୍ରାକୁ ବିଜେପି ନେତା ଓ ମୁଖପାତ୍ରମାନେ ବାରମ୍ବାର ‘ଭାରତ ତୋଡ଼ୋ’ ନାମରେ ଆକ୍ଷେପ କରିବାରୁ ଏ କଥା ମଧ୍ୟ ସ୍ପଷ୍ଟ ଯେ ‘ଭାରତ ଯୋଡ଼ୋ’ ସ୍ଲୋଗାନ ସେମାନଙ୍କୁ ଅସୁବିଧାରେ ପକାଉଛି। ବିଜେପି ପାଇଁ ସବୁଠୁ ଅଧିକ ପୀଡ଼ାର କାରଣ ହେଲା, ରାହୁଳ ଗାନ୍ଧୀଙ୍କ ଛବି (ଭାବମୂର୍ତ୍ତି)ରେ ନାଟକୀୟ ପରିବର୍ତ୍ତନ। ‘ଭାରତ ଯୋଡ଼ୋ ଯାତ୍ରା’ରେ ଆଉ କିଛି ହେଉ କି ନହେଉ, ରାହୁଳଙ୍କ ‘ପପ୍ପୁ’ ଛବି ଧୋଇ ହୋଇଯାଇଛି। ଏବେ ଆଉ ରାହୁଳ ଗାନ୍ଧୀଙ୍କୁ ଶୀତତାପ ନିୟନ୍ତ୍ରଣ କୋଠରିରୁ ବାହାରକୁ ବାହାରୁ ନ ଥିବା ‘ରାଜପୁତ୍ର’ ବୋଲି କହି ଲାଞ୍ଛିତ କରାଯାଇପାରିବ ନାହିଁ। ସେ ଏ ଦେଶର ଧୂଳି ବାଲିକୁ ସହି ପାରନ୍ତି ନାହିଁ, ସାଧାରଣ ଜନତାଙ୍କ ସହ ମିଶି ପାରନ୍ତି ନାହିଁ କି ସେମାନଙ୍କ ପୀଡ଼ା ବୁଝନ୍ତି ନାହିଁ ବୋଲି ଆଉ କେହି କହିବେ ନାହିଁ। ତାଙ୍କର ଏଭଳି ‘ପପ୍ପୁ’ ଛବି ହଟିଯିବା ଦ୍ବାରା ନରେନ୍ଦ୍ର ମୋଦୀଙ୍କ ହାତରୁ ବ୍ରହ୍ମାସ୍ତ୍ର ଖସିଯାଇଛି। ଏହି ଛବିର ଛଦ୍ମବେଶ ତଳେ ଲୁଚି ରହିଥିବା ପ୍ରଧାନମନ୍ତ୍ରୀଙ୍କର ସମସ୍ତ ଦୋଷ ଦୁର୍ବଳତା ଏବେ ସାମନାକୁ ଆସିବାରେ ଲାଗିଛି। ଲୋକ ଏବେ ପ୍ରଶ୍ନ କରିବେ କି ସେମାନଙ୍କ ଜମାଖାତାକୁ ଆସିବାକୁ ଥିବା ୧୫ ଲକ୍ଷ ଟଙ୍କା କୁଆଡ଼େ ଗଲା? ବର୍ଷକୁ ୨ କୋଟି ନିଯୁକ୍ତି କାହାକୁ ମିଳିଲା? ଚାଷୀଙ୍କର ଆୟ ଦି’ଗୁଣା କେବେ ହେବ? କରୋନାରେ କେତେ ଜଣ ଦେଶବାସୀଙ୍କର ପ୍ରାଣ ଯାଇଛି? ଆମର କେତେ ଅଞ୍ଚଳ ଚୀନ କବ୍‌ଜା କରିରଖିଛି? ଏହି ସବୁ ପ୍ରଶ୍ନର ଉତ୍ତର ଯାହା ପାଖରେ ନାହିଁ, ସେ ନିଶ୍ଚିତ ‘ଭାରତ ଯୋଡ଼ୋ ଯାତ୍ରା’ ଦ୍ବାରା ଭୟଭୀତ ହୋଇପଡ଼ିଥିବେ। ବୋଧହୁଏ, ‘ଡର ନାହିଁ’ ସ୍ଲୋଗାନ ସେମାନଙ୍କୁ ବହୁତ କଷ୍ଟ ଦେଉଛି। ସେମାନଙ୍କର ଡର ଏହା ଯେ ଲୋକେ ତାଙ୍କୁ ଡରିବା ବନ୍ଦ କରିଦେବେ।