‘ବୋଉ’, ‘ମା’, ‘ମାମା’, ‘ମମି’, ‘ମମ୍‌’ ଏସବୁ ଗୋଟିଏ ଶବ୍ଦ, ଗୋଟିଏ ଭାବ। ଭିନ୍ନ ଭିନ୍ନ ଉଚ୍ଚାରଣର ମତଲବ ସେଇ ଗୋଟିଏ। ଏମିତି ମଣିଷ ସଂସାରରେ କିଏ ଅଛି ଯିଏ ଏ ଉଚ୍ଚାରଣ ସହ ଅପରିଚିତ? ଏପରିକି କୌଣସି କାରଣରୁ ଜନ୍ମ ପରଠାରୁ ମାଆକୁ ଦେଖି ନ ଥିବା ବ୍ୟକ୍ତିଟିଏ ବିପଦରେ ପଡ଼ିଲେ ତା’ଙ୍କ ପାଟିରୁ ଅବଲୀଳା କ୍ରମେ ବାହାରିପଡ଼େ ‘ମାଆ ଲୋ’, ‘ଏ ମାଆ’, ‘ଏ ବୋଉ’! ସାରା ଭାରତରେ ଏବେ ଟେଲିଭିଜନ୍‌ରେ ଚାଲିଥିବା ଏକ ଧାରାବାହିକର ନାଁ ହେଉଛି ‘‘ଭାବିଜୀ ଘର୍‌ ପର୍‌ ହେଁ।’’ ସେଥିରେ ‘‘ବିଭୂତି ନାରାୟଣ ମିଶ୍ର’’ ଏକ ପ୍ରମୁଖ ଚରିତ୍ର। ଯେବେ ଯେବେ ସେ ଚରିତ୍ର ଅସହାୟତାକୁ ସାମ୍‌ନା କରେ, ସ୍ବାଭାବିକ ଭାବେ, ପାଟିରୁ ବାହାରେ, ‘‘ମମି’’!

Advertisment

‘ବୋଉ’ ବା ‘ମା’କୁ ନେଇ କେତେ ଯେ ଗୀତ ଲେଖାଯାଇଛି ତା’ର ଇୟତ୍ତା ନାହିଁ। ବିଶେଷ କରି ପିଲାମାନଙ୍କୁ କବିତା ଲେଖିବା କଥା କହିଲେ ତା’ଙ୍କର ରଚନାତ୍ମକ କାନ୍‌ଭାସରେ ପହିଲେ ଉକୁଟି ଉଠେ ସେଇ, ଜନ୍ମଦାତ୍ରୀ। ‘‘ସବୁଠୁ ମଧୁର ତା’ର ନାଆଁ।’’ ଶିଶୁ-କିଶୋରଙ୍କ ପାଇଁ ପତ୍ରିକା ସମ୍ପାଦନା କରୁଥିବା ପ୍ରତିଟି ସମ୍ପାଦକ ଯେତେ କବିତା ପାଆନ୍ତି ତା’ ଭିତରୁ ଅଧିକ କବିତା ମା’କୁ ନେଇ, ବୋଉକୁ ଆଧାର କରି।

ଜନ୍ମଦାତ୍ରୀର ଉପନାମ ଭାବରେ ‘ମା’ ଶବ୍ଦଟି ବୋଧହୁଏ ସାରା ବିଶ୍ବରେ ପରିଚିତ। ହେଲେ ଓଡ଼ିଶା ମାଟିରେ ଅନେକ ଘରେ ଏ ‘ବୋଉ’ ଡାକଟି ଏତେ ମଧୁରତାରେ ଭରା ଯେ ତାହା ଉଚ୍ଚାରଣ କଲେ, ସେ ସମ୍ପର୍କରେ ପଢ଼ିଲେ ଅଥବା କାହା ତୁଣ୍ଡରୁ ତାହା ଶୁଣିଲେ ମନ ପୁଲକରେ ଭରିଯାଏ। ହଠାତ୍‌ ଦିଶିଯାଏ ମୁହଁଟି। ଅତି ବୃଦ୍ଧ ଅବସ୍ଥାରେ ସୁଦ୍ଧା ବ୍ୟକ୍ତିଟିଏ ଶେଷରେ ବିଶ୍ରାମ ପାଇଁ ଗଡ଼ି ପଡ଼ିଲା ବେଳେ ପାଟିରୁ ବାହାରିପଡ଼େ, ‘‘ଏ ବୋଉ’’। କେତେ ମହନୀୟ ଏ କଥାଟି! ବୃଦ୍ଧ ବା ବୃଦ୍ଧାଙ୍କର ବୟସ ହୋଇଥିବ ପଞ୍ଚାଅଶୀ। ତା’ଙ୍କ ବୋଉ କେଉଁକାଳୁ ଯିବେଣି। ଅଥଚ ଶୟନେ, ସପନେ, ବିପତ୍ତେ, ଆର୍ତ୍ତେ ପାଟିରୁ ବାହାରେ ‘‘ଏ ବୋଉ’’, ‘‘ଏ ମାଆ’’।

ଏ ମାଆମାନେ ନ ଥିଲେ କ’ଣ ସଂସାର ବୋଲି କଥାଟି ଥାଆନ୍ତା? କାହାର ଝିଅ ହୋଇ, ପ୍ରାଣପିଣ୍ଡ ହୋଇ ଜନ୍ମ ‌େହାଇଥିଲା ସେ। ବାପା, ମାଆ, ଭାଇ, ବିରାଦର, ପଡ଼ୋଶୀଙ୍କର କେତେ ପ୍ରିୟ ହୋଇଥିଲା! ଆମ ଘର, ଆମ ବାରଣ୍ଡା, ଆମ ଅଗଣା, ଆମ ବାପା, ଆମ ଆମ ହେଉଥିବା ଫୁଲ ପରି ମଣିଷଟି ଆଉ କାହାର ହାତ ଧରେ। ସେ ପୁଣି ଅନେକ ସ୍ଥଳରେ ଅଜଣା, ଅଶୁଣା। ସେଇଠୁ ସେ ପାଲଟେ ସ୍ତ୍ରୀ, ବୋହୂ, ଭାଉଜ, ନୂଆବୋଉ, ଘରଣୀ। ତା’ପରେ ହୁଏ ‘ମାଆ’ ବା ‌‘ବୋଉ’। ସେଥିପାଇଁ କେତେ ଯେ ତ୍ୟାଗ, କେତେ ସଂଘର୍ଷ, କେତେ ସମର୍ପଣ ସେ କଥା ବର୍ଣ୍ଣନା କରିବା ଅସମ୍ଭବ।

ମାଆ ନ ଥିଲେ ସୃଷ୍ଟି କାଇଁ? କାଇଁ କେଉଁ ସଂସାର ନା ଘର? ସେଇଥିପାଇଁ ବୋଉମାନେ ଘରଣୀ ଆଖ୍ୟା ପାଆନ୍ତି। ସମ୍ଭାଳନ୍ତି ଘର, ସମ୍ପର୍କ, ସଂସାର। ଗୋଟିଏ ଉଦ୍ଧୃତି ମନେ ପକାଇଦିଏ ଏ ମାଆମାନଙ୍କର ମହନୀୟତା। ‘‘ଈଶ୍ବର କୁଆଡ଼େ ସବୁଠାରେ ଉପସ୍ଥିତ ରହିପାରିବେନି ବୋଲି ତା’ଙ୍କର ପ୍ରତିନିଧି ଭାବରେ ଏ ମାଆ ଜାତିଟିକୁ ସୃଷ୍ଟି କରିଛନ୍ତି।’’

ମାଆ, ମାଟି। ବାପା, ଆକାଶ। ଆକାଶ କ’ଣ ଗଛ ସୃଷ୍ଟି କରେ ନା ‌େଚର ପାଇଁ ଛାତି ପତାଏ? ଜନନୀ ସେଥିଲାଗି ସ୍ବର୍ଗସମା। କେଉଁ ଅତୀତ କାଳରୁ ଆମର ଆଦିକାବ୍ୟ ରାମାୟଣରେ ମହର୍ଷି ବାଲ୍ମୀକି ପ୍ରଭୁ ଶ୍ରୀରାମଙ୍କ ମୁଖରେ ଝରେଇଛନ୍ତି- ‘‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’’। ଜନ୍ମମାଟି, ଜନ୍ମ କଲା ମାଆ ସ୍ବର୍ଗଠାରୁ ବଡ଼।

ଏ କଥା କେଉଁ କାଳର। ମଣିଷ ପାଇଁ ମଣିଷ ଗୋଷ୍ଠୀ ଲାଗି ମାଆ ହିଁ ଶ୍ରେଷ୍ଠ ଆଶ୍ରୟ। ସେଇଥିପାଇଁ କେଉଁ ପ୍ରାଚୀନ ଅତୀତରୁ ଗ୍ରାମେ ଗ୍ରାମେ ଗ୍ରାମ ଦେବତୀଙ୍କର ଆସ୍ଥାନ ପ୍ରତିଷ୍ଠିତ ହୋଇଥାଏ। ଆଦ୍ୟାଶକ୍ତି ମାଆ। ଧନ, ଜ୍ଞାନ, ଶକ୍ତି ଆଦି ସବୁକଥାର ମୂଳ ମାତୃଶକ୍ତି। ମାଆ କେବଳ ଶକ୍ତିର ମୂଳ ନୁହନ୍ତି। ମାଆ ମାତ୍ରେ କରୁଣାମୟୀ। ଭଗବାନ ବୁଦ୍ଧ ନିଜର ବାଣୀ ସମୂହରେ ସବୁଠାରୁ ଅଧିକ ଯଦି କେଉଁ କଥାର ଜୟଗାନ କରିଛନ୍ତି, ତାହା ହେଉଛି, ‘‘କରୁଣା’’। ଏ କଥାର ଜୀବନ୍ତ ପ୍ରମାଣ ପ୍ରତିଟି ମାଆ, ପ୍ରତିଟି ବୋଉ। ବେ‌େଳ ବେଳେ ଖବରକାଗଜରେ ଆମେ ଯେଉଁ ବିପରୀତ ମାଆପଣର ଖବର ପଢୁ ସେସବୁ ଅଲକ୍ଷଣ, ସାମାଜିକ ବ୍ୟାଧି।

ମନେ ନାଇଁ ସେ ଗପଟି? ଯେଉଁଠି ମାଆକୁ ମାରି ତା’ର ହୃତ୍‌ପିଣ୍ଡ ଧରି ଭେଣ୍ଡାପୁଅ ଧାଇଁଛି, ସର୍ତ୍ତ ଅନୁସାରେ ରାଜକୁମାରୀ ହାତରେ ତା’କୁ ଦେଇ ବିବାହ କରିବ ବୋଲି? କ’ଣ ହୋଇଛି ସେଥିରେ? ଝୁଣ୍ଟି-ପଡ଼ିଛି ପୁଅ। ହାତରୁ ଛିଟିକି ପଡ଼ିଛି, ମାଆର ହୃତ୍‌ପିଣ୍ଡ। ତା’କୁ ଗୋଟାଇବାକୁ ଗଲାବେଳେ ଦୁକୁଦୁକୁ ରକ୍ତାକ୍ତ ହୃତ୍‌ପିଣ୍ଡ ତଥାପି ନୃଶଂସ ପୁଅକୁ କହୁଛି- ‘‘ଧନରେ! ଆଘାତ ଲାଗିନି ତ?’’

ମାଆ ସବୁବେଳେ ମାଆ। ବର୍ଷାରେ ତିନ୍ତି ତିନ୍ତି ଘରକୁ ଫେରୁଥିବା ପୁଅଟିକୁ ସମସ୍ତେ ତାଗିଦ୍‌ ବା ଗାଳି କରୁଥିବାବେଳେ ମାଆ ହିଁ ଧାଇଁ ଆସି କୋଳେଇ ନିଏ ପୁଅକୁ। ନିଜ କାନିରେ ପୋଛି ପକାଏ, ଗାଳିଦିଏ ବର୍ଷାକୁ, ମେଘକୁ ‘‘ଏତିକିବେଳେ ଏ ଅଳପେଇଷା ମେଘକୁ ବର୍ଷିବାକୁ ଥିଲା! ମୋ ଧନ ଓଦା ହୋଇଗଲା।’’
ଆଜି ଜାନୁଆରି ୨ ତାରିଖ। ଓଡ଼ିଶାର କେତେକ ସଂସ୍ଥା ପାଳୁଛନ୍ତି ବୋଉ ଦିବସ। ବୋଉମାନେ ମନେ ପଡ଼ିବେ ଆଜି ଆହୁରି ଅଧିକ ନିବିଡ଼ ଭାବରେ। ବୋଉ ବା ମାଆକୁ ନେଇ ଯେତେ ଭାବ, ଯେତେ ଅନୁଭବ ଆଜି ଫୁଲ ପାଲଟିବ ପ୍ରତିଟି ସନ୍ତାନର ଛାତିରେ।

ସାରା ସଂସାରରେ ବୋଉମାନଙ୍କର ଜୟ ହେଉ।

(ଜାନୁଆରି ୨, ବୋଉ ଦିବସ ଅବସରରେ)

[email protected]