ଖବରକାଗଜର ସ୍ତମ୍ଭକାରମାନଙ୍କ ଠାରେ ଲେଖାର ଶବ୍ଦ ବାଛିବାର ସ୍ବାଧୀତନା ଥାଏ, କିନ୍ତୁ ଯେଉଁ ଶୀର୍ଷକ ତଳେ ଲେଖାଟି ପ୍ରକାଶ ପାଏ, ତାହା ଲେଖିବାର ସ୍ବାଧୀନତା କ୍ବଚିତ୍ ସେମାନଙ୍କୁ ମିଳେ। ପ୍ରବନ୍ଧର ଶୀର୍ଷକ ଲେଖିବାର ଅଧିକାର ଲେଖାଟିର ସଂପାଦନା କରୁଥିବା କର୍ମଚାରୀଙ୍କ ପାଖରେ ନିହିତ ଥାଏ, ଯେଉଁମାନେ ଦାବି କରନ୍ତି ଯେ ପାଠକର ଧ୍ୟାନ ଆକର୍ଷଣ କରିବା ସେମାନଙ୍କୁ ଅଧିକ ଭଲଭାବେ ଜଣା। ବେଳେବେଳେ ଏହି ଦାବି ସତ ହୋଇଥାଏ। ଖବରକାଗଜ ଲାଗି ଚାଳିଶ ବର୍ଷ ଲେଖିବାର ଅଭିଜ୍ଞତା ଭିତରେ ମୁଁ ଯେଉଁ ଶୀର୍ଷକକୁ ସବୁଠାରୁ ଅଧିକ ପସନ୍ଦ କରିଥିଲି, ତାହାକୁ ଲେଖିଥିଲେ ଏବେ ବନ୍ଦ ହୋଇସାରିଥିବା ‘ସନ୍‌ଡେ ଅବ୍‌ଜର୍ଭର୍‌’ର ଜଣେ ସହ-ସଂପାଦକ। ସେ ଲେଖାଟି ଥିଲା ତ୍ରିନିଦାଦର ଲେଖକ ଓ ଅଧିକାର କର୍ମୀ ସି. ଏଲ୍‌. ଆର୍. ଜେମ୍‌ସଙ୍କ ସମ୍ପର୍କରେ। ସହ-ସମ୍ପାଦକଜଣକ ତାହାର ଶୀର୍ଷକ ଦେଇଥିଲେ ‘ବ୍ଲାକ୍‌ ଇଜ୍ ବାଉଣ୍ଟିଫୁଲ୍‌’ (ଶ୍ୟାମଳ ହିଁ ପ୍ରଚୁର)।

Advertisment

ଅଠାଅଶୀ ବର୍ଷ ବୟସରେ ଲଣ୍ଡନ୍‌ଠାରେ ସି. ଏଲ୍‌. ଆର୍. ଜେମ୍‌ସଙ୍କ ମୃତ୍ୟୁ ଘଟିବା ପରେ ଉକ୍ତ ଲେଖାଟି ୧୯୮୯ ଜୁନ୍‌ରେ ପ୍ରକାଶ ପାଇଥିଲା। ଆମେରିକୀୟ ଐତିହାସିକ ପଲ୍ ବହ୍‌ଲଙ୍କ ଦ୍ବାରା ରଚିତ ତାଙ୍କ ଜୀବନୀ ଏବଂ ତାଙ୍କ କୃତି ସମୂହର ବ୍ୟକ୍ତିଗତ ସମୀକ୍ଷା ମୁଁ ସେହି ସ୍ତମ୍ଭରେ ଅବତାରଣା କରିଥିଲି। ଜେମ୍‌ସଙ୍କ ଲେଖାର ଅଧିକାଂଶ ମୁଗ୍‌ଧ ଭାରତୀୟ ପ୍ରଶଂସକଙ୍କ ପରି ମୁଁ ‘ବିୟଣ୍ଡ୍ ଏ ବାଉଣ୍ଡାରି’ ପୁସ୍ତକ ଜରିଆରେ ତାଙ୍କୁ ପ୍ରଥମେ ଜାଣିଥିଲି। କ୍ରିକେଟ୍‌ର ସାମାଜିକ ଇତିହାସ ଉପରେ ରଚିତ ଏହି ଚମତ୍କାର ପୁସ୍ତକକୁ ମୁଁ କଲେଜ ଲାଇବ୍ରେରିରେ ପଢ଼ିଥିଲି। ତା’ ପରେ ୧୯୭୮ରେ ଦିଲ୍ଲୀରେ ଅନୁଷ୍ଠିତ ଦ୍ବିତୀୟ ବିଶ୍ବ ପୁସ୍ତକ ମେଳାରୁ ମୁଁ ଚାରି ଟଙ୍କାରେ ଏହି ବହିରୁ ଖଣ୍ଡେ କିଣିଥିଲି। ସେବେଠାରୁ ସେ ବହି ମୋ ପାଖରେ ଅଛି। ଏହା ତାହାର ପ୍ରଥମ ସଂସ୍କରଣ ହୋଇ ନ ଥିଲେ ବି ତାକୁ ମୁଁ ମୋ ବହି ଥାକରେ ଥିବା ଅଧିକାଂଶ ବହିରୁ ଅଧିକ ଆଦର କରେ।

ତେବେ ଜେମ୍‌ସଙ୍କ ପରିଚୟ କ୍ରିକେଟ୍ ଲେଖକ ଠାରୁ ବହୁତ ଅଧିକ ଥିଲା। ସେ ଜଣେ ଅଗ୍ରଣୀ ସାମାଜିକ ଐତିହାସିକ ଥିଲେ। ଫରାସୀ ବିପ୍ଳବ ପରେ ପରେ ହାଇତିରେ ହୋଇଥିବା କ୍ରୀତଦାସ ବିଦ୍ରୋହ ନେଇ ସେ ଏକ ପୁସ୍ତକ ଲେଖିଥିଲେ। ତ୍ରିନିଦାଦରେ ଜନ୍ମି ବଡ଼ ହେବା ପରେ ସେ ଅନେକ ବର୍ଷ ଯୁକ୍ତରାଷ୍ଟ୍ର ଆମେରିକାର ମାର୍କସ୍‌ବାଦୀ ରାଜନୀତିରେ ସକ୍ରିୟ ଥିଲେ। ସେ ବ୍ରିଟେନ୍‌ରେ ବହୁ କାଳ ରହି ଆଫ୍ରିକୀୟ ସ୍ବାଧୀନତା ସଂଗ୍ରାମ ଉପରେ ନଜର ରଖିଥିଲେ।
ମୁଁ ସି. ଏଲ୍‌. ଆର୍. ଜେମ୍‌ସଙ୍କ ଲେଖା ଓ ତାଙ୍କ ସମ୍ପର୍କରେ ପାଖାପାଖି ପାଞ୍ଚ ଦଶନ୍ଧି ହେଲା ଅବିରତ ଭାବେ ପଢ଼ି ଆସୁଛି। ପୂର୍ବରୁ ଦର୍ଶାଇଥିବା ପଲ୍ ବହ୍‌ଲଙ୍କ ଜୀବନୀ ଜେମ୍‌ସଙ୍କ ଆମେରିକୀୟ ପର୍ଯ୍ୟାୟ ନେଇ ଅତ୍ୟନ୍ତ ସାରଗର୍ଭକ ହୋଇଥିବା ବେଳେ ତାଙ୍କର କ୍ରିକେଟ୍ ରଚନା ନେଇ (ଲେଖକଙ୍କ ଜାତୀୟତା ଯୋଗୁଁ) ଦୁର୍ବଳ ଥିଲା। ‘ଉତ୍ତର-ଉପନିବେଶବାଦୀ ସମାଲୋଚକ’ ଭାବେ ଜେମ୍‌ସଙ୍କ ରଚନାବଳୀ ସମ୍ପର୍କରେ ମୁଁ ଅନେକ ପୁସ୍ତକ ଓ ପ୍ରବନ୍ଧ ମିଶ୍ରିତ ଭାବନା ସହିତ ପଢ଼ିଛି। ସେଗୁଡ଼ିକ କଠିନ ଶବ୍ଦରେ ପରିପୂର୍ଣ୍ଣ କିନ୍ତୁ ତାଙ୍କର ଜୀବନୀ ବା ଐତିହାସିକ ତଥ୍ୟ ଦୃଷ୍ଟିରୁ ସେଗୁଡ଼ିକ ତ୍ରୁଟିପୂର୍ଣ୍ଣ ବୋଲି ମନେ ହୁଏ। ଫାରୁଖ ଧୋଣ୍ଡି ଏକମାତ୍ର ଭାରତୀୟ ଯିଏ ତାଙ୍କ ଉପରେ ଲେଖିଛନ୍ତି। ସେ ଲେଖିଥିବା ପୁସ୍ତକଟିକୁ ସ୍ବୟଂସମ୍ପୂର୍ଣ୍ଣ ଜୀବନୀ ରୂପେ ପ୍ରକାଶ କରାଯାଇଥିଲେ ହେଁ ତାହା ପ୍ରକୃତରେ ଜେମ୍‌ସଙ୍କ ବୃଦ୍ଧ ବୟସର କେତେକ ଅସଂଲଗ୍ନ ସ୍ମୃତିଚାରଣ ପରି ମନେ ହୋଇଥାଏ। ତାହା ମଧ୍ୟ ନୈରାଶ୍ୟଜନକ।

ଜେମ୍‌ସଙ୍କର ସମୃଦ୍ଧ ବ୍ୟକ୍ତିଗତ ଜୀବନ ଓ ତାଙ୍କର ସାର୍ବଜନୀନ କାର୍ଯ୍ୟକଳାପର ବ୍ୟାପକତାକୁ ସଂପୂର୍ଣ୍ଣ ନ୍ୟାୟ ଦେବା ଭଳି ଜଣେ ଜୀବନୀ ଲେଖକଙ୍କ ଆବଶ୍ୟକତା ରହିଥିଲା। ଶେଷରେ କାର୍ଡିଫ୍‌ରେ ଅବସ୍ଥାପିତ ଲେଖକ ଜନ୍‌ ଵିଲିଅମ୍‌ସଙ୍କ ରୂପରେ ତାହା ପୂରଣ ହୋଇଛି। ତାଙ୍କର ସଦ୍ୟ ପ୍ରକାଶିତ ପୁସ୍ତକ ‘ସି. ଏଲ୍‌. ଆର୍ ଜେମ୍‌ସ: ଏ ଲାଇଫ୍ ବିୟଣ୍ଡ୍‌ ଦି ବାଉଣ୍ଡାରିଜ୍’ ଲାଗି ଵିଲିଅମ୍‌ସ ଇଂଲାଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକାର ଅଭିଲେଖାଗାରରେ ବ୍ୟାପକ ଅନ୍ବେଷଣ କରିଛନ୍ତି। ଜେମ୍‌ସଙ୍କୁ ଜାଣିଥିବା ଅନେକ ବ୍ୟକ୍ତିବିଶେଷଙ୍କ ସାକ୍ଷାତକାର ନେବା ସହିତ ସେ ତାଙ୍କର ବିଶାଳ ଓ ବ୍ୟାପକ ରଚନା ସମୂହକୁ ତନ୍ନ ତନ୍ନ କରି ପଢ଼ିଛନ୍ତି।

ସ୍ବାଭାବିକ ଭାବେ ଜେମ୍‌ସ ସେହି ପୁସ୍ତକର କେନ୍ଦ୍ରରେ ଅଛନ୍ତି, କିନ୍ତୁ ଵିଲିଅମ୍‌ସ ତାଙ୍କ କାହାଣୀର ଅନ୍ୟ ଚରିତ୍ରମାନଙ୍କ ଗୁରୁତ୍ବ ପ୍ରତି ମଧ୍ୟ ସଚେତନ ରହିଛନ୍ତି। ଯୁବାବସ୍ଥାରେ ତ୍ରିନିଦାଦର ବନ୍ଧୁ, ପ୍ରେମିକା ଓ ପତ୍ନୀଙ୍କ ସମେତ ଇଂଲାଣ୍ଡ, ଯୁକ୍ତରାଷ୍ଟ୍ର ଆମେରିକା, ଆଫ୍ରିକା ଓ ୱେଷ୍ଟଇଣ୍ଡିଜର ରାଜନୈତିକ ବନ୍ଧୁ ଓ ପ୍ରତିଦ୍ବନ୍ଦ୍ବୀମାନଙ୍କର ସୂକ୍ଷ୍ମ ଚିତ୍ରଣ ଏଥିରେ ସ୍ଥାନ ପାଇଛି। ଯାହାଙ୍କ ସହିତ ଜେମ୍‌ସଙ୍କର ଜୀବନର ଘଟଣାବହୁଳ ସମ୍ପର୍କ ଥିଲା, ସେମାନେ ହେଉଛନ୍ତି କ୍ରିକେଟର୍ ଲିଏରି କୋନ୍‌ଷ୍ଟାନ୍‌ଟିନ୍, ଭବଘୂରା ବିପ୍ଳବୀ ଲିଓନ୍ ଟ୍ରଟ୍‌ସ୍କି ଓ ତ୍ରିନିଦାଦର ରାଜନେତା ଏରିକ୍ ଵିଲିଅମ୍‌ସ। ପୁସ୍ତକରେ ଏସବୁର ସମ୍ବେଦନଶୀଳ ଓ ବିଶ୍ବସନୀୟ ବ୍ୟାଖ୍ୟା କରାଯାଇଛି।

ପୁସ୍ତକଟି ଏହାର ମୁଖ୍ୟ ଚରିତ୍ର ପ୍ରତି ସହାନୁଭୂତିଶୀଳ ହୋଇଥିଲେ ବି ତାହା କଦାପି ଖୋସାମତିଆ ହୋଇନାହିଁ। ଯୁକ୍ତରାଷ୍ଟ୍ର ଆମେରିକା ରହଣି କାଳରେ ଯେଉଁ ବାମପନ୍ଥୀ ଗୋଷ୍ଠୀରେ ଜେମ୍‌ସ ବିଚରଣ କରୁଥିଲେ, ତା’ର ବିଦ୍ବେଷୀ ମନୋଭାବ ନେଇ ଵିଲିଅମ୍‌ସ ଅସ୍ଥିରତା ପ୍ରକାଶ କରିଛନ୍ତି। ସେହିପରି ସୁନ୍ଦରୀ ଯୁବତୀଙ୍କ ପ୍ରତି ଜେମ୍‌ସଙ୍କ କାମାତୁର ଆକର୍ଷଣ ଥିବା କଥାକୁ ସେ ସ୍ପଷ୍ଟ ରୂପେ ପ୍ରକାଶ କରିଛନ୍ତି।

ବର୍ଣ୍ଣନା ମଧ୍ୟରେ ଲେଖକ ଜେମ୍‌ସଙ୍କର ତଥା ତାଙ୍କ ସମ୍ପର୍କିତ ବିଭିନ୍ନ ପ୍ରଭାବଶାଳୀ ଉଦ୍ଧୃତି ଉଲ୍ଲେଖ କରିଛନ୍ତି। ଜେମ୍‌ସ ଜଣେ ସୁଲେଖକ ଥିଲେ, କିନ୍ତୁ ବାକ୍‌ପଟୁ ଭାବେ ଥିଲେ ତା’ ଠାରୁ ଅଧିକ ଭଲ। ଏ ସମ୍ପର୍କରେ ଜଣେ ବ୍ରିଟିସ୍‌ ମହିଳା (ତାଙ୍କର ଅନେକ ପ୍ରେମିକାଙ୍କ ଭିତରୁ ଜଣେ) ଲଣ୍ଡନର ଏକ କମୁନିଷ୍ଟ ଗୋଷ୍ଠୀର ଉଦାହରଣ ଦେଇ ଲେଖିଥିଲେ: ‘ସାଧାରଣତଃ ଆମ ଗୋଷ୍ଠୀର ଆଲୋଚନାରେ ଜଣେ ବ୍ୟକ୍ତି କେବେ ଏକଚାଟିଆ ଭାବେ କହିଚାଲନ୍ତି ନାହିଁ, କେହି ଏଭଳି କରିବାକୁ ଚେଷ୍ଟା କଲେ ଅନ୍ୟମାନେ ବିରକ୍ତି ପ୍ରକାଶ କରୁଥିଲେ। କିନ୍ତୁ ଜେମ୍‌ସଙ୍କ ବକ୍ତବ୍ୟର ସମସ୍ତେ ଥିଲେ ମୁଗ୍‌ଧ ଶ୍ରୋତା। ଅନ୍ୟମାନେ ତାଙ୍କୁ ପ୍ରଶ୍ନ ପଚାରୁଥିଲେ; ସମସ୍ତେ ତାଙ୍କୁ ଶୁଣିବା ଲାଗି ଉତ୍ସାହିତ ଥିଲେ।’

ତାଙ୍କ ଲେଖାକୁ ନେଇ ପ୍ରକାଶକ ଫ୍ରେଡରିକ ଵାରବର୍ଗଙ୍କ ମନ୍ତବ୍ୟ ଏହିପରି: ‘ମୁଁ ଜାଣିଥିବା ସବୁଠାରୁ ଅଧିକ ଖୁସିବାସିଆ ତଥା ମେଳାପୀ ବ୍ୟକ୍ତିତ୍ବଙ୍କ ମଧ୍ୟରୁ ଜେମ୍‌ସ ଜଣେ... ତାଙ୍କ ଛଅ ଫୁଟ୍ ତିନି ଇଞ୍ଚର ଶରୀର ଆଖିଦୃଶିିଆ ଭାବେ ଆକର୍ଷଣୀୟ ଥିଲା। ତାଙ୍କର ସ୍ମରଣ ଶକ୍ତି ଥିଲା ପ୍ରଖର। ସେ କେବଳ ମାର୍କସବାଦୀ କ୍ଲାସିକ୍‌ମାନଙ୍କ ଅନୁଚ୍ଛେଦଗୁଡ଼ିକୁ ଉଦ୍ଧାର କରିପାରୁଥିଲେ ତାହା ନୁହେଁ, ସେକ୍‌ସପିଅର୍‌ଙ୍କ ରଚନାର ଦୀର୍ଘ ଅଂଶ ମଧ୍ୟ କୋମଳ ଇଂରେଜୀ ଉଚ୍ଚାରଣ ମାଧ୍ୟମରେ ଆବୃତ୍ତି କରିପାରୁଥିଲେ, ଯାହା ଅତ୍ୟନ୍ତ ଶ୍ରୁତିମଧୁର ମଧ୍ୟ ହେଉଥିଲା। ସେ ଖୁବ୍‌ ଅମାୟିକ ଥିଲେ। ପୁଞ୍ଜିବାଦର ଉପଭୋଗ୍ୟ ବିଭାବ ଯେମିତି କି ଭଲ ବ୍ୟଞ୍ଜନ, ଭଲ ପୋଷାକ, ଆରାମଦାୟକ ଆସବାବପତ୍ର ଓ ସୁନ୍ଦରୀ ମହିଳାଙ୍କୁ ସେ ଖୁବ୍ ଭଲ ପାଉଥିଲେ, ଏବଂ ସେହି କାରଣରୁ ଶ୍ରେଣୀ ସଂଘର୍ଷର ଯୋଦ୍ଧା ଭାବେ ଯେଉଁ ପଶ୍ଚାତ୍ତାପ ଆଶା କରାଯାଏ, ତାହାର ଲେଶ ମାତ୍ର ତାଙ୍କ ଠାରେ ନ ଥିଲା।

୧୯୩୪ ମାର୍ଚ୍ଚରେ ଲାନକିସର୍ ଅନ୍ତର୍ଗତ ନେଲ୍‌ସନ ସହରରେ ଜେମ୍‌ସ ଏକ ବକ୍ତବ୍ୟ ଦେଇଥିଲେ, ଯାହାକୁ ତାଙ୍କର ଜୀବନୀ ଲେଖକ ଖୋଳି ବାହାର କରିଛନ୍ତି। ସେଥିରେ ସେ କୃଷ୍ଣକାୟ ଲୋକଙ୍କ ପ୍ରତି ଫରାସୀମାନଙ୍କ ଆଭିମୁଖ୍ୟକୁ ବ୍ରିଟିସ୍‌ମାନଙ୍କ ସହିତ ତୁଳନା କରିଛନ୍ତି। ଜେମ୍‌ସ ଦାବି କରିଥିଲେ ଯେ ବ୍ରିଟେନ୍‌ର ଜଣେ ସାଧାରଣ ବ୍ୟକ୍ତି ନିଗ୍ରୋଙ୍କୁ ବୁଝିବାରେ ଅକ୍ଷମ। ସେମାେନ ଜଣେ କୃଷ୍ଣକାୟକୁ ମନଇଚ୍ଛା ପାଦ ଛାଟୁଥିବା ଅର୍ଦ୍ଧପାଗଳ ନର୍ତ୍ତକ ଦୃଷ୍ଟିରେ ଦେଖନ୍ତି, ଯାହା ଅନ୍ୟାୟପୂର୍ଣ୍ଣ। ଅପରପକ୍ଷେ, ସେ ଯୁକ୍ତି କରିଥିଲେ ଯେ ଫ୍ରାନ୍‌ସର କ୍ୟାବିନେଟ୍‌ରେ ନିଗ୍ରୋଙ୍କୁ ଦେଖିବାକୁ ମିଳେ। ଫ୍ରାନ୍‌ସର ଅବସରପ୍ରାପ୍ତ ସେନା, ନୌବାହିନୀ ଅଧିକାରୀଙ୍କ ଗୋଷ୍ଠୀରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ଓ କଲେଜରେ ସେମାନଙ୍କ ଉପସ୍ଥିତି ଲକ୍ଷ୍ୟ କରି ହୁଏ। କୃଷ୍ଣକାୟମାନଙ୍କୁ ନେଇ ରହିଥିବା ଧାରଣାକୁ ଉପେକ୍ଷା କରି ଫ୍ରାନ୍‌ସ ନିଗ୍ରୋଙ୍କୁ ସମାନ ଦୃଷ୍ଟିରେ ଦେଖୁଥିଲା। ନଅ ଦଶନ୍ଧି ପରେ ଆଜି ଏହି ତୁଳନା ବ୍ରିଟେନ୍ ସପକ୍ଷରେ ଯିବ; ସେମାନେ ଆଫ୍ରିକୀୟ (ଓ ଏସୀୟ)ଙ୍କୁ ଗ୍ରହଣ କରିବାରେ ଫ୍ରାନ୍‌ସ ତୁଳନାରେ ଅଧିକ ଉତ୍ତମ ପ୍ରଦର୍ଶନ କରିଛନ୍ତି।

ଜେମ୍‌ସଙ୍କ ଦୁଇ ମହାନ ପୁସ୍ତକ ପ୍ରତି ଵିଲିଅମ୍ ଉପଯୁକ୍ତ ଧ୍ୟାନ ଦେଇଛନ୍ତି। ‘ବ୍ଲାକ୍ ଜାକୋବିନ୍‌ସ’ ପୁସ୍ତକ ସମ୍ପର୍କରେ ସେ ଲେଖିଛନ୍ତି, ‘ସିଏଲ୍‌ଆର୍ ଚାହୁଁଥିଲେ ଯେ ତାଙ୍କ ହାଇତି ବିପ୍ଳବର ଉଲ୍ଲେଖ ବେଳେ ଉଭୟ ଇତିହାସ ଏବଂ ଭବିଷ୍ୟତ୍‌ର ବିପ୍ଳବମାନଙ୍କ ନକ୍‌ସା ସ୍ଥାନ ପାଉ।’ ସେହିପରି ‘ବିୟଣ୍ଡ୍ ଏ ବାଉଣ୍ଡାରି’ ପୁସ୍ତକଟିର ପରିକଳ୍ପନା କିପରି ହୋଇଥିଲା, ତାହା କ’ଣ କହିବାକୁ ଚାହିଁଥିଲା ଏବଂ ତାକୁ କିପରି ଗ୍ରହଣ କରାଯାଇଥିଲା ସେ ନେଇ ଲେଖକ ଆମକୁ ଏକ ଯଥାର୍ଥ ତଥା ସୂକ୍ଷ୍ମ ଧାରଣା ଦେଇଛନ୍ତି। ଜେମ୍‌ସଙ୍କ ଦ୍ବାରା ୧୯୫୩ରେ ଵାରବର୍ଗଙ୍କୁ ଲେଖାଯାଇଥିବା ଏକ ଚିଠିରୁ ଉଦ୍ଧାର କରି ସେ ଦର୍ଶାଇଛନ୍ତି ଯେ ଜେମ୍‌ସ କିଭଳି ପୁସ୍ତକ ରଚନା କରିବାକୁ ଚାହୁଥିଲେ। ଇଂରେଜମାନେ ଉଦ୍ଭାବନ କରିଥିବା ତଥା କେବଳ ସେମାନେ ତାହା ବୁଝନ୍ତି ବୋଲି ବିଚାର କରୁଥିବା ଖେଳର ଉଗ୍ର ବିକେନ୍ଦ୍ରୀକରଣ ତାଙ୍କ ପୁସ୍ତକ ରଚନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ସେହି ଚିଠିରେ ଜେମ୍‌ସ ତାଙ୍କ ପୁସ୍ତକର ଉଦ୍ଦେଶ୍ୟକୁ ଏହିପରି ଭାବେ ବର୍ଣ୍ଣନା କରିଛନ୍ତି: ‘ଇଂରେଜ ଲେଖକ ଓ ସେମାନଙ୍କ ଏଗାର ଜଣିଆ କ୍ରିକେଟ୍ ଦଳ ଏବଂ ସ୍ବଭାବସୁଲଭ ଇଂରେଜପଣିଆ ଏସବୁକୁ ଡଷ୍ଟବିନ୍ ଭିତରକୁ ନିକ୍ଷେପ କରାଯିବ। ସେମାନଙ୍କୁ ସ୍ପଷ୍ଟ କରିବାକୁ ହେବ ଯେ ଭାରତ, ସିଲୋନ୍, େଵଷ୍ଟଇଣ୍ଡିଜ୍ ଓ ଅନ୍ୟାନ୍ୟ ସ୍ଥାନରେ ଇଂଲାଣ୍ଡ ଠାରୁ ଅଧିକ ମାଦକତା ସହିତ କ୍ରିକେଟ୍ ଖେଳାଯାଉଛି କାହିଁକି!’

ଦଶ ବର୍ଷ ପରେ ‘ବିୟଣ୍ଡ୍ ଏ ବାଉଣ୍ଡାରି’ ପୁସ୍ତକଟି ସେକର୍ ଆଣ୍ଡ ଵାରବର୍ଗ ପ୍ରକାଶନ ସଂସ୍ଥା ଛଡ଼ା ଅନ୍ୟ ଏକ ସଂସ୍ଥା ଦ୍ବାରା ପ୍ରକାଶିତ ହେଲା। ଵିଲିୟମ୍‌ସ ଉଲ୍ଲେଖ କରିଛନ୍ତି ଯେ ଏହି ପୁସ୍ତକରେ କେତେକ ଖୁଣ ରହିଛି। ଏହା ଅଚାନକ ଗୋଟିଏ ବିଷୟବସ୍ତୁରୁ ଅନ୍ୟଟିକୁ ଲମ୍ଫ ପ୍ରଦାନ କରିଥାଏ। କିଛି ଅଂଶ ସାହିତ୍ୟ କମ୍ ଏବଂ ସାମ୍ବାଦିକତା ଅଧିକ ଭଳି ମନେ ହୋଇଥାଏ। ତଥାପି ଵିଲିଅମ୍‌ସ ଲେଖିଛନ୍ତି ଯେ ପୁସ୍ତକର ପ୍ରଶଂସାର ଅନେକ କାରଣ ରହିଛି। ଅନ୍ୟ ଲେଖକ ଯେଉଁ ବିଚାରଗୁଡ଼ିକୁ ନେଇ ସଂପୂର୍ଣ୍ଣ ପୁସ୍ତକ ଲେଖିଦିଅନ୍ତେ, ସେଗୁଡ଼ିକ ସାହାଯ୍ୟରେ ସେ ପୁସ୍ତକଟିକୁ ଗୁନ୍ଥିଛନ୍ତି। ଭାବବିହ୍ବଳ କରିଦେବା ଅନୁରୂପ ଶକ୍ତି ଏଥିରେ ନିହିତ ଅଛି। ଏହି ଗୋଟିଏ ପୁସ୍ତକ ଲେଖକଙ୍କ ବହୁଆୟାମୀ ବିଚକ୍ଷଣତାକୁ ପ୍ରକାଶ କରିବା ସଙ୍ଗେ ସଙ୍ଗେ ତାଙ୍କ ଖୋଲା ହୃଦୟ ଓ ଆତ୍ମାକୁ ପ୍ରଦର୍ଶନ କରିଛି।

ଵିଲିଅମ୍‌ସ ଏହି ଜୀବନୀ ଲେଖିବାର ଶେଷ ପର୍ଯ୍ୟାୟରେ ଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକା ଓ ଅନ୍ୟାନ୍ୟ ଦେଶମାନଙ୍କରେ ‘ବ୍ଲାକ୍ ଲାଇଭ୍‌ସ ମ୍ୟାଟର’ ଆନ୍ଦୋଳନ ସଂଗଠିତ ହେଉଥିଲା। ଵିଲିଅମ୍‌ସଙ୍କୁ ମନେ ହୋଇଥିଲା ଯେ ଏହା ହେଉଛି ସେ ଲେଖୁଥିବା ବ୍ୟକ୍ତିତ୍ବଙ୍କ ଦୂରଦୃଷ୍ଟି ସଂପନ୍ନତାର ଏକ ପ୍ରମାଣ। ତେଣୁ ସେ ଲେଖିଛନ୍ତି ଯେ ଜେମ୍‌ସ ଯେଉଁ ବିଚାରଗୁଡ଼ିକୁ ତାଙ୍କ ସମୟରେ ସମ୍ମୁଖକୁ ଆଣିଥିଲେ- ଶ୍ରେଣୀ ବିଭାଜନରେ ପରିଚୟର ଗୁରୁତ୍ବ, ତୃଣମୂଳ ସ୍ତରରୁ ବିଦ୍ରୋହ ସଂଗଠିତ ହେବାର ଗୁରୁତ୍ବ, ରାଜନୈତିକ ସଂଘର୍ଷରେ କୃଷ୍ଣକାୟ, ମହିଳା ଓ ଯୁବପିଢ଼ିଙ୍କ ନେତୃତ୍ବର ଭୂମିକା- ସେଗୁଡ଼ିକ କ୍ରମେ ରାଜନୈତିକ ଚିନ୍ତନର ପୁରୋଭାଗକୁ ଆସିଛି।

ଜନ୍‌ ଏଲ୍‌ ଵିଲିଅମ୍‌ସଙ୍କ ଉତ୍କୃଷ୍ଟ ଗବେଷଣା ଓ ସୁନ୍ଦର ବିଚାରରୁ ନିଃସୃତ ପୁସ୍ତକଟି ସି. ଏଲ୍‌. ଆର୍. ଜେମ୍‌ସଙ୍କୁ ନେଇ ଲେଖାଯାଇଥିବା ଅନ୍ୟ ସବୁ ଲେଖାକୁ ଅତିକ୍ରମ କରିଯାଇଛି। ମୁଁ ଭାବୁନାହିଁ ଯେ ଏହା ପରେ ମୋତେ ତାଙ୍କର ଆଉ କୌଣସି ଜୀବନୀ ବା ସମାଲୋଚନାଧର୍ମୀ ଅଧ୍ୟୟନ ପଢ଼ିବାକୁ ପଡ଼ିବ। କିନ୍ତୁ ମୁଁ ‘ବିୟଣ୍ଡ୍‌ ଏ ବାଉଣ୍ଡାରି’ ପୁସ୍ତକଟିକୁ ଦୁଇ ବର୍ଷରେ ଥରେ ପଢ଼ିବା ଜାରି ରଖିବି, ଯେମିତି ମୁଁ ମୋ ତାରୁଣ୍ୟରୁ କରିଆସିଛି।