୨୦୨୨ ବର୍ଷ ଶେଷ ହେବା ପରେ ପଛକୁ ଫେରି ଚାହିଁଲା ବେଳେ ଦେଶକୁ ଗ୍ରାସ କରିଥିବା ସବୁଠାରୁ ଚିନ୍ତାଜନକ ସମସ୍ୟା ତାଲିକାରେ ଆତଙ୍କବାଦ ନାହିଁ ବୋଲି ମନରେ ଏକ ଆଶ୍ବସ୍ତକର ଧାରଣ ସୃଷ୍ଟି ହୋଇଥିଲା। କିନ୍ତୁ ବାସ୍ତବରେ ଜାତୀୟ ଅନୁସନ୍ଧାନ ସଂସ୍ଥା ‘ଏନ୍ଆଇଏ’ ୨୦୨୨ରେ ସମୁଦାୟ ୭୩ଟି ଆତଙ୍କବାଦର ମାମଲା ରୁଜୁ କରିଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି ଏବଂ ଏହି ସଂଖ୍ୟା ସର୍ବକାଳୀନ ସର୍ବୋଚ୍ଚ ବୋଲି କୁହାଯାଉଛି। ୨୦୨୧ ମସିହାରେ ଦାଖଲ ହୋଇଥିବା ୬୧ ମାମଲାରୁ ଏହା ୧୯.୬୭% ଅଧିକ। ଏହି ଜାତୀୟ ଆତଙ୍କବାଦ-ନିରୋଧୀ ତଦନ୍ତକାରୀ ସଂସ୍ଥା ବେଆଇନ କାର୍ଯ୍ୟକଳାପ ନିରୋଧକ ଆଇନ ‘ୟୁଏପିଏ’ ସମେତ ବିଭିନ୍ନ ଆଇପିସି ଧାରା ବଳରେ ଏହି ସବୁ ମାମଲା ଦାଖଲ କରିଛି। ଜିହାଦୀ ଆତଙ୍କବାଦରୁ ଆରମ୍ଭ କରି ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ଭଳି ବିବିଧ ଅପରାଧ ଏଥିରେ ଅନ୍ତର୍ଭୁକ୍ତ।
ଏଥିରୁ ସର୍ବୋଚ୍ଚ ୩୫ଟି ମାମଲା ଜିହାଦୀ ଆତଙ୍କବାଦ ସମ୍ପର୍କିତ ହୋଇଥିବା ବେଳେ, ୧୦ଟି ବାମପନ୍ଥୀ ଉଗ୍ରବାଦ ସହ ସଂଶ୍ଳିଷ୍ଟ। ସେହିପରି ଉତ୍ତର-ପୂର୍ବରେ ବିଦ୍ରୋହ ନେଇ ୫ଟି ମାମଲା, ବେଆଇନ ଘୋଷିତ ପିଏଫ୍ଆଇ ସଂଗଠନ ବିରୋଧରେ ୭ଟି ଏବଂ ଗ୍ୟାଙ୍ଗଷ୍ଟର୍-ଆତଙ୍କବାଦ-ଡ୍ରଗ୍ ଚାଲାଣକାରୀ ଗୋଷ୍ଠୀ ବିରୋଧରେ ୩ଟି ଏବଂ ନକଲି ଭାରତୀୟ ନୋଟ୍ ସମ୍ପର୍କିତ ୨ଟି ଏବଂ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ପାଇଁ ଗୋଟିଏ ମାମଲା ଦାଖଲ ହୋଇଛି। ଏ ବର୍ଷକ ମଧ୍ୟରେ ଏନ୍ଆଇଏ ୩୬୮ ଜଣଙ୍କ ବିରୋଧରେ ୫୯ଟି ଚାର୍ଜସିଟ୍ ଦାଖଲ କରିଛି। ୩୮ଟି ମାମଲାରେ ୧୦୯ ଜଣଙ୍କୁ କୋର୍ଟ ଦଣ୍ଡାଦେଶ କରିଛନ୍ତି। ବର୍ତ୍ତମାନ ସମୟରେ ଏନ୍ଆଇଏର ଦୋଷ ସାବ୍ୟସ୍ତ ହାର ୯୪.୩୯% ରହିଥିବାର ଜଣାପଡ଼ିଛି।