ନୂଆ ବର୍ଷ ଦିନ ମୁଁ ଜଣେ ବନ୍ଧୁଙ୍କୁ ଦେଖା କରିବା ପାଇଁ ଗାଡ଼ିରେ ଯାଉଥାଏ। ଦେଖିଲି, ମୁଖ୍ୟ ରାସ୍ତାରେ ଅସମ୍ଭବ ଟ୍ରାଫିକ୍ ଭିଡ଼। ଭିଡ଼ରୁ ବର୍ତ୍ତିବା ପାଇଁ ମୁଁ ଗାଡ଼ିରୁ ଓହ୍ଲାଇ ଅଟୋ ରିକ୍ସା କରିବି ବୋଲି ଭାବିଲି। ଅଟୋ ଡ୍ରାଇଭରଙ୍କୁ ଗଳିବାଟ ବତାଇବା ବେଳେ ମୁଣ୍ଡରେ ଗୋଟାଏ କଥା ଖେଳୁଥାଏ- ଭଡ଼ା ଦେବି କେମିତି। କାରଣ ମୋର ଧାରଣା ଥିଲା, ନଗଦ ଟଙ୍କା ଦେବାକୁ ପଡ଼ିବ। ଆଉ ମୋ ପାଖର ନଗଦ ଟଙ୍କା ନ ଥିଲା। ମୋଟ ୭୦ ଟଙ୍କାର ଭଡ଼ା ହେଉଥାଏ; ହଠାତ୍ ଅଟୋଚାଳକ ମୋତେ ପଚାରିଲେ, “ସାର୍! ଫୋନ୍ରେ ପେମେଣ୍ଟ କରିବେ”? ମୋ ସୁରକ୍ଷା ଅଧିକାରୀ ସଙ୍ଗେ ସଙ୍ଗେ ଅଟୋ ଚାଳକଙ୍କ ନମ୍ବର ନେଇ ଟଙ୍କା ପଠାଇଲେ। ମୋବାଇଲରେ ଅଟୋଚାଳକଙ୍କ ବ୍ୟାଙ୍କ ଖାତା ନାମ “ଶିବ ସୋନକର” ସହ ୧୦୦ ଟଙ୍କାର ସଫଳ ବ୍ୟାଙ୍କ ପେମେଣ୍ଟର ମେସେଜ ମଧ୍ୟ ଆସିଗଲା। ଅଟୋ ଚାଳକ ନିଜ ପାଉଣା ପାଇ କହିଲା “ଡିଜିଟାଲ ପେମେଣ୍ଟ ସବୁଠୁ ଭଲ, ଆପଣଙ୍କୁ ସୁବିଧା ଆଉ ମୋତେ ବି ସୁବିଧା।” ଏହି କଥା ପଦକରେ ମୁଁ ଯେତିକି ଆଶ୍ବସ୍ତ ହେଲି ତା’ ଠାରୁ ବେଶୀ ଆହ୍ଲାଦିତ ହେଲି।
ସମୟ ଯେତିକି ଆଗକୁ ଆଗକୁ ଯାଉଛି, ଆମ ବିଶ୍ୱ ସେତିକି ସେତିକି ଡିଜିଡାଇଜ୍ଡ ହେବାରେ ଲାଗିଛି। ଆଜି ଦିନରେ ଟଙ୍କା ପଇସା ନେଣଦେଣ ଯେଉଁ ହାରରେ ଡିଜିଟାଲ ହେବାରେ ଲାଗିଛି, ଆଗକୁ ହୁଏତ ଡିଜିଟାଲ ଅର୍ଥନୀତି ନ କହି, ବରଂ ଯାହା ଡିଜିଟାଲ ତାହା ହିଁ ଅର୍ଥନୀତି ବୋଲି ଧରିନିଆଯିବ। ୨ଜି, ୩ଜି, ୪ଜି ମାଧ୍ୟମରେ ଆମେ ନିକଟ ଅତୀତରେ ଟେଲିଯୋଗାଯୋଗର ବେଗ ବା ‘ସ୍ପିଡ୍’ରେ ଯେଉଁ ଅଭିବୃଦ୍ଧି ଦେଖିଆସିଛୁ, ତାହା ଆମର ‘ସ୍ପିଡ୍’ ଅଭିଳାଷକୁ ଆହୁରି ବଢ଼ାଇ ଚାଲିଛି। ବିଗତ ଶତାବ୍ଦୀ ଥିଲା ମେକାନିକାଲ ‘ସ୍ପିଡ୍’ର ଶତାବ୍ଦୀ। ଆଉ ଚଳିତ ଶତାବ୍ଦୀ ହେଉଛି ଭର୍ଚୁଆଲ ‘ସ୍ପିଡ୍’ର ଶତାବ୍ଦୀ। ମେକାନିକାଲରୁ ଭର୍ଚୁଆଲକୁ ଆସୁ ଆସୁ ଆମର ଏ ଯେଉଁ ଆଦର୍ଶଗତ ପରିବର୍ତ୍ତନ ହେଲା, ତାହା ଆମ ସମସ୍ତଙ୍କର କ୍ରିୟା ପ୍ରତିକ୍ରିୟା, ଆଚାର ବ୍ୟବହାରରେ ଏକ ଆମୂଳଚୂଳ ପରିବର୍ତ୍ତନ ଆଣିଛି, ଯାହାକୁ ଆମ ସମସ୍ତଙ୍କୁ ସ୍ୱୀକାର କରିବାକୁ ପଡ଼ିବ। ଏହି କ୍ରମରେ ୫ଜି କେବଳ ଏକ ବୈଷୟିକ ପରିବର୍ତ୍ତନ ନୁହେଁ, ୫ଜି ହେଉଛି ଡିଜିଟାଲ ବିଶ୍ୱର ଏକ ସୁଦୃଢ଼ ଭିତ୍ତିଭୂମି।
ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ- ଉତ୍କଳଘଣ୍ଟ ଯଦୁମଣି ମହାପାତ୍ରଙ୍କ ଏହି ଉକ୍ତି ଦଶନ୍ଧି ଦଶନ୍ଧି ଧରି ଓଡ଼ିଶାବାସୀଙ୍କ କପାଳ ଲିଖନ ପାଲଟି ଯାଇଥିଲା। କାଲି ପରି ଲାଗୁଛି, ଡିଡି ଓଡ଼ିଆର ୨୪ ଘଣ୍ଟିଆ ଚ୍ୟାନେଲର ଲୋକାର୍ପଣ ବେଳେ ତତ୍କାଳୀନ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଦିବଂଗତା ସୁଷମା ସ୍ୱରାଜ ମହୋଦୟା କ୍ଷୋଭର ସହ ଯାହା କହିଥିଲେ ତାହାର ମର୍ମ ଥିଲା, ଭାରତର ସବୁ ଭାଷାରେ ଦୂରଦର୍ଶନର ୨୪ ଘଣ୍ଟିଆ ଚ୍ୟାନେଲ ଆରମ୍ଭ ହୋଇ ସାରିଥିବା ବେଳେ ଡିଡି ଓଡ଼ିଆ କ୍ଷେତ୍ରରେ ଏହା ନ ହେବା ଏକ ବ୍ୟତିକ୍ରମ ନୁହେଁ, ବିଡ଼ମ୍ବନା ମଧ୍ୟ। ଭାତହାଣ୍ଡିରୁ ଭାତଟିଏ ଚିପିବା ଭଳି ଏ ଘଟଣା। ଅନେକ ଦଶନ୍ଧି ଧରି କେନ୍ଦ୍ରରେ ରାଜ୍ କରୁଥିବା ଶାସକ ଦଳମାନେ ଓଡ଼ିଶାକୁ ଏକ ‘ଟେକେନ୍ ଫର୍ ଗ୍ରାଣ୍ଟେଡ୍ ଷ୍ଟେଟ୍’ ଭାବେ ସତେ ଯେମିତି ଧରି ନେଇଥିଲେ। ଦଶନ୍ଧି ଦଶନ୍ଧିର ଉପେକ୍ଷା ଓ ଅବହେଳା ଯୋଗୁଁ ମୋବାଇଲ ସେବା କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ବହୁ ପଛରେ ପଡ଼ି ରହିଥିଲା, ଫଳତଃ ଓଡ଼ିଶାରେ ୬୦୯୯ ଗାଁ ଗତବର୍ଷ ଯାଏ ମୋବାଇଲ ସେବା ପାଇ ପାରୁନଥିଲେ। ସୁଖର କଥା ଆମ ରାଜ୍ୟ ପାଇଁ ସେ ଅବହେଳା ଓ ଅଣଦେଖାର ଯୁଗ ଆଉ ନାହିଁ। ଆମ ପ୍ରିୟ ପ୍ରଧାନମନ୍ତ୍ରୀ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇ ସାରିଛନ୍ତି। ଏହି କ୍ରମରେ ଭାରତର ଅନ୍ୟ ବହୁ ରାଜ୍ୟ ପୂର୍ବରୁ ଆଜି ଓଡ଼ିଶାରେ ଆରମ୍ଭ ହେଉଛି ୫-ଜି ସେବା।
ଏକ ଗତିଶୀଳ ଦେଶର ମୁଖ୍ୟସ୍ରୋତରେ ସମସ୍ତଙ୍କୁ ସମ୍ମିଳିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦୂରଦୃଷ୍ଟି ଏବଂ ସଂଚାର ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରଚେଷ୍ଟାରେ ୨୦୨୨ରେ ଓଡ଼ିଶାରେ ୩୨୧୯ କୋଟି ଟଙ୍କା ବ୍ୟୟରେ ୩୯୩୩ଟି ମୋବାଇଲ ଟାୱାର ପ୍ରତିଷ୍ଠା ଆରମ୍ଭ କରାଯାଇଥିଲା, ପରେ ଦ୍ବିତୀୟ ପର୍ଯ୍ୟାୟରେ ଅତିରିକ୍ତ ୪୮୩ଟି ଟାୱାର ଓଡ଼ିଶାର ମାଓ ପ୍ରବଣ ଜିଲ୍ଲା ଗୁଡ଼ିକରେ ମଧ୍ୟ ସ୍ଥାପନା କରାଯାଉଛି। ଏହି କ୍ରମରେ ଓଡ଼ିଶାର ୬୦୯୯ ଅଣସେବାପ୍ରାପ୍ତ ଗାଁରୁ ୪୪୧୩ ଗାଁରେ ମୋବାଇଲ ସେବା ପହଞ୍ଚାଇ ଦିଆଯାଇ ସାରିଲାଣି। ଆସନ୍ତା ଦିନ ମାନଙ୍କରେ ବିଏସଏନଏଲ ଦ୍ବାରା ସେବା ଆରମ୍ଭ କରାଯିବ ଏବଂ ଏହା ପରେ ଓଡ଼ିଶାର ସମସ୍ତ ଜନବସତି ମୋବାଇଲ ସେବା ପାଇପାରିବେ। ଦେଶର ସମସ୍ତ ୨.୬ ଲକ୍ଷ ଗ୍ରାମ ପଞ୍ଚାୟତକୁ ବ୍ରଡ୍ବ୍ୟାଣ୍ଡ୍ ସଂଯୋଗ ଯୋଗାଇବା ପାଇଁ ୨୨,୬୭୬ କୋଟି ବ୍ୟୟରେ ଭାରତନେଟ୍ ପ୍ରକଳ୍ପ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯାଉଛି। ଓଡ଼ିଶାରେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ମୋଟ ୬୭୫୬ ଗ୍ରାମ ପଞ୍ଚାୟତକୁ ବ୍ରଡ୍ବ୍ୟାଣ୍ଡ୍ ଯୋଗାଇ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଦ୍ବିତୀୟ ପର୍ଯ୍ୟାୟରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ୨,୫୧୧ଟି ଗ୍ରାମ ପଞ୍ଚାୟତରେ ୱାଇ-ଫାଇ ହଟସ୍ପଟ୍ ସ୍ଥାପନ କରାଯାଇ ସାରିଛି। କେନ୍ଦ୍ର କ୍ୟାବିନେଟ୍ ଓଡ଼ିଶା ସମେତ ଦେଶର ସମସ୍ତ ରାଜସ୍ୱ ଗ୍ରାମକୁ ସଂଯୋଗ କରିବା ପାଇଁ ଭାରତନେଟ୍ର ପରିସୀମାକୁ ବୃଦ୍ଧି କରିଛି।
ଦୂର ଓ ଦୁର୍ଗମ ଅଞ୍ଚଳଗୁଡ଼ିକରେ ୫/୪ଜି ସେବା କେବଳ ମୋବାଇଲ ସମ୍ପର୍କ ସୃଷ୍ଟି କରିବା ଲକ୍ଷ୍ୟ ନେଇ ନୁହେଁ ବରଂ ସେହି ଅଞ୍ଚଳଗୁଡ଼ିକରେ ପ୍ରଗତିର ପ୍ରଶସ୍ତ ପଥ ଉନ୍ମୋଚନ କରିବା ଲକ୍ଷ୍ୟ ନେଇ କରାଯାଉଛି। ଆମ ରାଜ୍ୟ ତଥା ଦେଶର ସମସ୍ତ ଗାଁ ଗଣ୍ଡା, ଜଙ୍ଗଲ, ଟାପୁ, ହ୍ରଦ, ଦ୍ବୀପ ଓ ସୀମାବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ସିଧାସଳଖ ଯୋଗସୂତ୍ର। ଗରିବ କଲ୍ୟାଣର ଲକ୍ଷ୍ୟ ନେଇ ଚାଲୁଥିବା ମୋଦୀ, ସମସ୍ତ ସରକାରୀ ଯୋଜନା ଗୁଡ଼ିକୁ ଇଣ୍ଟର୍ନେଟ୍ ମାଧ୍ୟମରେ ଲୋକପ୍ରିୟ ଓ ଲୋକାଦୃତ କରିପାରିଛନ୍ତି। ସମଗ୍ର ଶାସନ ବ୍ୟବସ୍ଥା ଓ ନାଗରିକ ସୁବିଧାକୁ ୫ଜି ପୂରାପୂରି ବଦଳାଇ ଦେବ। ଷ୍ଟାର୍ଟଅପ୍ ଗୁଡ଼ିକ ପାଇଁ ଏହା ସଞ୍ଜୀବନୀ ପାଲଟିବ। ଛାତ୍ରଛାତ୍ରୀ, ମହିଳା, ବିଶେଷକରି ଯୁବବର୍ଗଙ୍କୁ ସଶକ୍ତ କରିବାରେ ୫ଜି ହିଁ ସବୁଠୁ ବଡ଼ ଭୂମିକା ନେବ। ଓଡ଼ିଶାର ମାଛଚାଷ ହେଉ ବା ସ୍ଥାନୀୟ ଶିଳ୍ପ, ପର୍ଯ୍ୟଟନ ହେଉ ବା ଓଡ଼ିଆ ହାତତିଆରି ସାମଗ୍ରୀ ଅବା ଡ୍ରୋନ୍ ମାଧ୍ୟମରେ ରୋଗୀଙ୍କୁ ଔଷଧ ଯୋଗାଣ- ୫ଜିର ଡିଜିଟାଲ ମଞ୍ଚ ଯୋଗେ ଆମ ଉଦ୍ୟୋଗୀମାନେ ସ୍ପିଡ୍ ସାଙ୍ଗେ ସାଲିସ୍ ନ କରି ବିଶ୍ୱର କୋଣ ଅନୁକୋଣରେ ନିଜ ନିଜର ସେବା ଓ ଉତ୍ପାଦ ସବୁକୁ ଗୋଟିଏ କ୍ଲିକରେ ପହଞ୍ଚାଇ ଦେଇପାରିବେ।
୫ଜିର ବୈଶିଷ୍ଟ୍ୟ ଯଥା- ଦ୍ରୁତ ଇଣ୍ଟର୍ନେଟ୍, କମ୍ ଲାଟେନ୍ସି ଓ ଅଧିକ କନେକ୍ଟସନ ସାନ୍ଦ୍ରତା ଯୋଗୁଁ ସ୍ୱାସ୍ଥ୍ୟସେବାର ଅନେକ କ୍ଷେତ୍ରରେ ଏହା ମୂଲ୍ୟବାନ ସାବ୍ୟସ୍ତ ହେବ, ଯେଉଁଥିରେ ଟେଲିସ୍ବାସ୍ଥ୍ୟ, ରିମୋଟ୍ ସର୍ଜରି, ସୁବିଧାରେ ବଡ଼ ଡାକ୍ତରୀ ଫାଇଲ ସ୍ଥାନାନ୍ତରଣ, ରୋଗୀର ଗତିବିଧି ଟ୍ରାକିଂ, ସିଧାସଳଖ ମନିଟରିଂ ପାଇଁ ପରିଧାନ ଯୋଗ୍ୟ ଉପକରଣ ବ୍ୟବହାର, ରୋଗୀଙ୍କୁ ନିରନ୍ତର ଚିକିତ୍ସା ସୂଚନା ଏବଂ ସମର୍ଥନ ପ୍ରଦାନ କରିବା ଅନ୍ତର୍ଭୁକ୍ତ। ଏହା ସହ ସ୍ମାର୍ଟ ଆମ୍ବୁଲାନ୍ସ ସାଙ୍ଗକୁ ଦୁର୍ଗମ ଅଞ୍ଚଳରେ ଚିକିତ୍ସା ସୁବିଧା, ଭିଡିଓ ମାଧ୍ୟମରେ ଟେଲି-ସ୍ୱାସ୍ଥ୍ୟ ସେବା ଆଦି କ୍ଷେତ୍ରରେ ବ୍ୟାପକ ଉନ୍ନତି ଆଣିବ ୫ଜି। ସଂକ୍ଷେପରେ, ୫ଜି ଏକ ନୂତନ ସ୍ୱାସ୍ଥ୍ୟ ପରିସଂସ୍ଥାକୁ ସକ୍ଷମ କରିବା ପାଇଁ ଅତ୍ୟାବଶ୍ୟକ ସଂଯୋଗ ପ୍ରଦାନର ପ୍ରତିଶ୍ରୁତି ଦେଉଛି, ଯାହା ସ୍ଥାନ କାଳ ବିଶେଷରେ ରୋଗୀ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କୁ ସଠିକ୍, ଦକ୍ଷ, ସୁବିଧାଜନକ, ସୁଲଭ ତଥା ପ୍ରଭାବଶାଳୀ ଢଙ୍ଗରେ ସଂଯୋଗ କରିପାରିବ। ଏଣିକି ଏଆର/ଭିଆର ପ୍ରଯୁକ୍ତି ଜରିଆରେ ପୃଥିବୀର କୋଣଅନୁକୋଣରୁ ସମସ୍ତେ ମହାପ୍ରଭୁଙ୍କ ରଥଯାତ୍ରାର ପ୍ରତ୍ୟକ୍ଷ ଦର୍ଶନର ଅନୁଭବ ନେଇପାରିବେ। ସ୍ମାର୍ଟ ସିଟିଗୁଡ଼ିକୁ ଆହୁରି ସ୍ମାର୍ଟ କରିବ ୫ଜି। ସ୍ମାର୍ଟ ସିୱେଜ୍, ସ୍ମାର୍ଟ ୱାଟର ମ୍ୟାନେଜମେଣ୍ଟ, ସ୍ମାର୍ଟ ଭିତ୍ତିଭୂମି ଏ ସବୁକିଛି ସମ୍ଭବ ହେବାକୁ ଯାଉଛି ଖୁବ୍ ଶୀଘ୍ର।
ଆସନ୍ତା ୫ ବର୍ଷ ଆମ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ହେବ। କାରଣ ଏହି ଅବଧିରେ ହିଁ ୫ଜି ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେବ। ଓଡ଼ିଶା ପାଇଁ ଏହା ଆହୁରି ଗୁରୁତ୍ୱପୂର୍ଣ୍ଣ, କାରଣ ୫ଜି ଜରିଆରେ ହିଁ ଓଡ଼ିଶା ଡିଜିଟାଲ ତଥା ବୈଷୟିକ ଫାଙ୍କକୁ ଅତିକ୍ରମ କରି ଦେଶର ଅନ୍ୟ ଆଗୁଆ ରାଜ୍ୟଗୁଡ଼ିକ ସଙ୍ଗେ ସମକକ୍ଷ ହୋଇପାରିବ। ଶିକ୍ଷା ସାଙ୍ଗକୁ ଦକ୍ଷତା ବିକାଶ, ନିଯୁକ୍ତି, ଏପରିକି ଆତ୍ମନିର୍ଭରଶୀଳତାରେ ଓଡ଼ିଶା ଆଶାତୀତ ସଫଳତା ସାଉଁଟି ପାରିବ। ରାୟଗଡ଼ା ଜିଲ୍ଲାର ଅପହଞ୍ଚ ଇଲାକାର ଜଣେ ଜନଜାତି ଅଧିବାସୀଙ୍କୁ ମଧ୍ୟ ଗୋଟିଏ କ୍ଲିକ୍ରେ ସାରା ପୃଥିବୀର ଯେକୌଣସି ସ୍ଥାନର ଯେକୌଣସି ବ୍ୟକ୍ତି ଓ ସଂସ୍ଥା ସହ ସମ୍ପର୍କ ସ୍ଥାପନ କରିବାର ସୁଯୋଗ ମିଳିପାରିବ। ଏହା ହିଁ ହେବ ଓଡ଼ିଶା ବିକାଶର ପ୍ରକୃତ ମଡେଲ।
ପଶୁପାଳନକୁ ଦୃଷ୍ଟିରେ ରଖି ଭାରତର ଏକ ଅଗ୍ରଣୀ ଘରୋଇ କମ୍ପାନି ୫ଜିକୁ ‘କାମଧେନୁ’ ବୋଲି ଅଭିହିତ କରିବା ସୂଚାଉଛି ଯେ, ଏହି ନୂଆ ପ୍ରଯୁକ୍ତିର କେତେ ସୁଦୂରପ୍ରସାରୀ ଉପଯୋଗିତା ରହିଛି। ଦେଶର କୋଟି କୋଟି ପଶୁସମ୍ପଦ ଉପରେ ନିରନ୍ତର ଦୃଷ୍ଟି ରଖିବା ସାଙ୍ଗକୁ ଲମ୍ପି ଭଳି ପଶୁମାନଙ୍କର ବିଭିନ୍ନ ରୋଗ ନିରାକରଣ ତଥା ଗର୍ଭଧାରଣ, ପୋଷଣ ଆଦି ଉପରେ ନଜର ରଖିବା ଆଉ ଅସମ୍ଭବ ନୁହେଁ। ସେହିପରି ସିଧାସଳଖ ଚାଷବାସ ଓ ପାଣିପାଗ ସୂଚନା, ମୃତ୍ତିକାର ଯାଞ୍ଚ, ଡ୍ରୋନ୍ ଯୋଗେ ଫସଲର ରୋଗପୋକ ନିୟନ୍ତ୍ରଣ ଭଳି କାର୍ଯ୍ୟ ଆହୁରି ଉଚ୍ଚକୋଟୀର ହୋଇପାରିବ ୫ଜି ବଳରେ। ମୋଟାମୋଟି ଭାବେ କହିଲେ, ଗ୍ରାମୀଣ ଓଡ଼ିଶାରେ ‘ଇଜ୍ ଅଫ୍ ଲିଭିଂ’କୁ ସୁନିଶ୍ଚିତ କରିବା ପାଇଁ ସଶକ୍ତ ଅସ୍ତ୍ର ପାଲଟିବ ୫ଜି ପ୍ରଯୁକ୍ତି।
ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳର ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଉଚ୍ଚ ମାନର ସୁଲଭ ଶିକ୍ଷା ପ୍ରଦାନ କରିବା ନେଇ ମୋଦୀ ସରକାରଙ୍କର ଏକ ବିରାଟ ଲକ୍ଷ୍ୟ ରହିଛି। ୫ଜି ଏ ଦିଗରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ। ୫ଜି ଭର୍ଚୁଆଲ୍ ଶ୍ରେଣୀଗୃହ, ଲାଇବ୍ରେରି, ଭର୍ଚୁଆଲ୍ ଲ୍ୟାବ୍ (ସିମୁଲେସନ୍) ଏବଂ ରିମୋଟ୍ ନିୟନ୍ତ୍ରିତ ଲ୍ୟାବ୍ ଆମ ଦେଶର ଶିକ୍ଷା ବ୍ୟବସ୍ଥାକୁ ନୂଆ ଦିଗନ୍ତ ପ୍ରଦାନ କରିବ। ସେହିପରି ଡିଜିଟାଲ ପ୍ରଭେଦକୁ ଦୂର କରିବାରେ ୫ଜି ସହାୟକ ହେବ। ସୁଗମ ହେଉ କି ଦୁର୍ଗମ, ଓଡ଼ିଶାର କୌଣସି ଅଞ୍ଚଳର ଛାତ୍ରଛାତ୍ରୀ ଆଉ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହୋଇ ରହିବେ ନାହିଁ। ପ୍ରତ୍ୟେକ ବିଦ୍ୟାର୍ଥୀ ନିଜ ଘର/ଅନୁଷ୍ଠାନରେ ରହି ଦେଶ ତଥା ବିଶ୍ୱର ଶୀର୍ଷସ୍ତରୀୟ କମ୍ପାନିଗୁଡ଼ିକରେ ଭର୍ଚୁଆଲ୍ ଇଣ୍ଟର୍ନସିପ୍ କରିପାରିବେ, ଦୂରଦୂରାନ୍ତକୁ ଭର୍ଚୁଆଲ ଫିଲ୍ଡ ଟ୍ରିପ୍ରେ ବି ଯାଇପାରିବେ, ବିପୁଳ ଡେଟାକୁ ସିଧାସଳଖ ଭାବେ ବିଶ୍ଳେଷଣ କରି ଗବେଷଣାର ମାନକୁ ବଢ଼ାଇ ପାରିବେ ଏବଂ ‘ସ୍ବୟମ’ ପୋର୍ଟାଲରେ ମନମୁତାବକ ଆଡାଭାନ୍ସ୍ଡ କୋର୍ସ ମଧ୍ୟ କରିପାରିବେ। ଏତଦ୍ ବ୍ୟତୀତ ଉଭୟ ଆଧୁନିକ ଏବଂ ପାରମ୍ପାରିକ ଶିକ୍ଷା କ୍ଷେତ୍ରରେ ଭାରତର ପ୍ରଜ୍ଞା ଏଣିକି ସମଗ୍ର ବିଶ୍ୱରେ ପହଞ୍ଚି ପାରିବ।
ଶିକ୍ଷାର ପୂର୍ଣ୍ଣ ରୂପାୟନ ସାଙ୍ଗକୁ ମୋଦୀଜୀଙ୍କ ଗରିବ କଲ୍ୟାଣର ପରିକଳ୍ପନାକୁ ଆମେ ୫ଜି ବଳରେ ସାକାର କରିପାରିବା। କମନ ସର୍ଭିସ ସେଣ୍ଟର୍ର ଏକ ବିସ୍ତୃତ ନେଟ୍ୱର୍କ ଗରିବମାନଙ୍କ ଲାଗି, ବିଶେଷ କରି ଦୁର୍ଗମ ଅଞ୍ଚଳର ଅଧିବାସୀଙ୍କ ପାଇଁ ବରଦାନ ସଦୃଶ ହେବ। ଫସଲ ବୀମା ପଞ୍ଜୀକରଣ, ପିଏମଇଏ ନାମାଙ୍କନ, ପେନ୍ସନ୍ ପଞ୍ଜୀକରଣ, ଇ-ଶ୍ରମ ଏବଂ ଜାତୀୟ କ୍ୟାରିୟର ସେବା ପଞ୍ଜୀକରଣ ଭଳି ଲୋକାଭିମୁଖୀ କାର୍ଯ୍ୟ ଅଧିକ ସୁରୁଖୁରୁରେ ସମ୍ପାଦିତ ହେବ।
ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ପାଇଁ ୫ଜି ସେବାର ଶୁଭାରମ୍ଭ ସତରେ ଏକ ସ୍ମରଣୀୟ ମୁହୂର୍ତ୍ତ। ୫ଜିର ବେଗ ଓ ସଂଯୋଗ ଯେ ଭବିଷ୍ୟତରେ ସାରା ଓଡ଼ିଶାକୁ ଗୋଟିଏ ପରିବାରରେ ପରିଣତ କରିବ, ଏହା ନିଃସନ୍ଦେହ। ଡେଲିଭରି ନୁହେଁ, ଫାଷ୍ଟ୍ ଡେଲିଭରିର ଯୁଗରେ ଆମେ ପ୍ରବେଶ କରିସାରିଛେ। ଫାଷ୍ଟ ଡେଲିଭରିକୁ ସୁନିଶ୍ଚିତ କରିବ ବ୍ୟାପକ ଡିଜିଟାଲ କନେକ୍ଟିଭିଟି। ଲୋକେ ଯେତିକି ଅଧିକ ଯୋଡ଼ି ହେବେ, ସେତିକି ଅଧିକ ସଶକ୍ତ ଓ ଆତ୍ମନିର୍ଭର ହେବେ।
୨୦୧୪ରେ ଦେଶରେ ମାତ୍ର ୬ କୋଟି ବ୍ରଡ୍ବ୍ୟାଣ୍ଡ୍ ବ୍ୟବହାରକାରୀ ଥିଲେ, ଯାହା ଆଜି ବୃଦ୍ଧି ପାଇ ୮୦ କୋଟିରୁ ଅଧିକ ହୋଇସାରିଛି। ସେହିପରି ୨୦୧୪ରେ ଦେଶରେ ମାତ୍ର ୨୫ କୋଟି ଇଣ୍ଟର୍ନେଟ୍ ସଂଯୋଗ ଥିଲା, ଆଜି ଏହି ସଂଖ୍ୟା ପାଖାପାଖି ୮୫ କୋଟି ହୋଇସାରିଛି। ଉଲ୍ଲେଖଯୋଗ୍ୟ କଥା ହେଲା ସଂଖ୍ୟା ଦୃଷ୍ଟିରୁ ସହରୀ ଇଣ୍ଟର୍ନେଟ୍ ବ୍ୟବହାରକାରୀଙ୍କୁ ଗ୍ରାମୀଣ ବ୍ୟବହାରକାରୀ ଟପିବାକୁ ବସିଲେଣି। ୨ଜି, ୩ଜି, ୪ଜି ଉନ୍ମୋଚନ ସମୟରେ ଭାରତ ପ୍ରଯୁକ୍ତି ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ଥିଲା। କିନ୍ତୁ ୫ଜି କ୍ଷେତ୍ରରେ ଆମେ ଆତ୍ମନିର୍ଭରତାର ପ୍ରମାଣ ଦେଇ ନୂଆ ଇତିହାସ ରଚିଛୁ। ପ୍ରଥମ ଥର ପାଇଁ ଟେଲିକମ୍ ପ୍ରଯୁକ୍ତିରେ ବୈଶ୍ୱିକ ମାନ ବା ‘ଗ୍ଲୋବାଲ ଷ୍ଟାଣ୍ଡାର୍ଡ’ ନିର୍ଦ୍ଧାରଣ କରି ଆଜି ଭାରତ ବିଶ୍ୱର ନେତୃତ୍ୱ ନେଉଛି। ଭାରତ ସରକାର ଡିଜିଟାଲ ପେମେଣ୍ଟ୍ର ମାର୍ଗକୁ ସରଳ କରିବା ସାଙ୍ଗକୁ ଆପ୍ ମାଧ୍ୟମରେ ନାଗରିକ କୈନ୍ଦ୍ରୀକ ଡେଲିଭରି ବ୍ୟବସ୍ଥାର ପ୍ରସାର କରୁଛନ୍ତି। ପ୍ରଯୁକ୍ତି ଆଜି ଗଣତାନ୍ତ୍ରିକ ହୋଇଛି। ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରକୁ ୫ଜି ବଳରେ ଏକ ବିଶାଳ ଡିଜିଟାଲ ଗଣତନ୍ତ୍ରରେ ରୂପାନ୍ତରିତ କରିବାର ପ୍ରକ୍ରିୟା ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଆରମ୍ଭ ହୋଇ ସାରିଛି। କେବଳ ସୀମିତ ବର୍ଗଙ୍କ ପାଇଁ ନୁହେଁ, ୧୩୦ କୋଟି ଭାରତୀୟଙ୍କ ପାଇଁ ପ୍ରଯୁକ୍ତିର ଲାଭ ମିଳିବା ଆରମ୍ଭ ହୋଇଛି। ତାହା ନ ହୋଇଥିଲେ ମାରାତ୍ମକ କରୋନା ମହାମାରୀକୁ ଆମେ ଏତେ ଦୃଢ଼ ଭାବେ ଆୟତ୍ତ କରିପାରି ନ ଥାଆନ୍ତେ।
୫ଜି ବଳରେ ଶିଳ୍ପ ବିପ୍ଳବ ୪.୦ରୁ ଭାରତ, ବିଶେଷକରି ଓଡ଼ିଶା କେବଳ ଲାଭବାନ ହେବ ନାହିଁ, ବରଂ ଏହାର ନେତୃତ୍ୱ ମଧ୍ୟ ନେବ। କୁହାଯାଏ, ସପ୍ତଦଶ ଶତାବ୍ଦୀ ଡଚ୍ ମାନଙ୍କର ଥିଲା ତ ଅଷ୍ଟାଦଶ ଶତାବ୍ଦୀ କାଳେ ଫ୍ରେଞ୍ଚ ମାନଙ୍କର ଥିଲା। ପୁଣି ଊନବିଂଶ ଶତାବ୍ଦୀ ବ୍ରିଟିଶ ମାନଙ୍କର ଥିଲା ତ ବିଂଶ ଶତାବ୍ଦୀ ଆମେରିକୀୟ ମାନଙ୍କର ଥିଲା। ହେଲେ ଏକବିଂଶ ଶତାବ୍ଦୀ ଏସୀୟ, ବିଶେଷକରି ଭାରତୀୟଙ୍କର ହିଁ ହେବ। ନିଜକୁ ବିଶ୍ୱର ପଞ୍ଚମ ସର୍ବବୃହତ୍ ଅର୍ଥନୀତିରେ ପରିଣତ କରି ଭାରତ ଉପରୋକ୍ତ ଭବିଷ୍ୟତବାଣୀ ସତ ହେବା ନେଇ ସଙ୍କେତ ଦେଇଛି। ବିଭିନ୍ନ କ୍ଷେତ୍ରରେ ଭାରତର ଜନସାଧାରଣଙ୍କର ସ୍କିଲିଂ, ଅପ୍-ସ୍କିଲିଂ, ରି-ସ୍କିଲିଂ ଆଦି କରାଇ ଆମେ ନିଶ୍ଚୟ ବିଶ୍ୱଗୁରୁ ହୋଇପାରିବା। ୫ଜି ସଂଯୋଗ ଏକ ଜନଆନ୍ଦୋଳନରେ ପରିଣତ ହେବାକୁ ଯାଉଛି। ଏହା ସାଂପ୍ରତିକ ବିଶ୍ୱକୁ ମୋଦୀଜୀଙ୍କର ଏକ ବିରାଟ ଅବଦାନ କହିଲେ ଭୁଲ୍ ହେବ ନାହିଁ। ଗରିବ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ୫ଜି ଆଗକୁ ଦେଶରେ ଯେଉଁ ବିରାଟ ବିପ୍ଳବକୁ ଜନ୍ମ ଦେବାକୁ ଯାଉଛି, ତାହା ଆଗାମୀ ଶତାବ୍ଦୀର ଭାରତ ଇତିହାସରେ ଯେପରି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ, ଏହା ହିଁ ଆମର ସଂକଳ୍ପ ହେଉ। ଏହା ନିଶ୍ଚିତ ଯେ ଜନଧନ-ଆଧାର-ମୋବାଇଲ ଆଧାରିତ ଜୀବନଶୈଳୀ ୫-ଜି ଯୋଗୁଁ ଆହୁରି ସହଜ, ସୁଲଭ ଏବଂ ଦ୍ରୁତ ହେବାକୁ ଯାଉଛି।
ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ,
ଭାରତ ସରକାର