ଆମ ରାଜଧାନୀ ସହର ଭୁବନେଶ୍ୱର ଏବେ ସଜେଇ ହେଉଛି ହକି ବିଶ୍ୱ କପ୍ର ଭବ୍ୟ ସମାରୋହକୁ ସ୍ୱାଗତ କରିବା ପାଇଁ। ମନ୍ଦିରମାଳିନୀ ପୁରୁଣା ସହର ମଧ୍ୟ ପଛରେ ପଡ଼ିନାହିଁ। ସରକାରୀ ଅଟ୍ଟାଳିକାଗୁଡ଼ିକର ଆଲୋକୀକରଣ, ରାଜମାର୍ଗର ପ୍ରଶସ୍ତୀକରଣ ଏବଂ ପ୍ରାଚୀରଗୁଡ଼ିକରେ ମନୋହର ଚିତ୍ରାଙ୍କନ ଆଦି ମିଶିଯାଇ ଏକ ଅପୂର୍ବ ଦୃଶ୍ୟ ସୃଷ୍ଟି କରିଛି। ରାସ୍ତା କଡ଼ରୁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଛି, କାରଣ ସେମାନଙ୍କ ଉପସ୍ଥିତି ସମ୍ଭବତଃ ଏଭଳି ସୌନ୍ଦର୍ଯ୍ୟ ସହିତ ମେଳ ଖାଉ ନ ଥିଲା। ବିଶ୍ବ କପ୍ ହକି ସକାଶେ ଦେଶ-ବିଦେଶର ଖେଳାଳି, ଦର୍ଶକ, କେନ୍ଦ୍ରମନ୍ତ୍ରୀ ଏବଂ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀ ତଥା ପଦସ୍ଥ ଅଧିକାରୀଙ୍କ ଆଗମନକୁ ଦୃଷ୍ଟିରେ ରଖି ଏଭଳି ସାଜସଜ୍ଜା।
କିନ୍ତୁ ପ୍ରଶ୍ନ ଉଠେ ଯେ ଆମ ଭଳି ସାଧାରଣ ଲୋକଙ୍କ ଟିକସ ଅର୍ଥରେ ଏତେ ସବୁ କାର୍ଯ୍ୟ ଚାଲୁଥିବା ବେଳେ ଏ ପରିପ୍ରେକ୍ଷୀରେ ଆମ ଭଳି ସାଧାରଣ ନାଗରିକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ କ’ଣ? ମନେ ରଖିବାକୁ ହେବ ଯେ ରାଜଧାନୀକୁ ସୁନ୍ଦର ଓ ମନୋରମ କରିବା ଲାଗି ବିଶ୍ବକପ୍ ହକି ଏକ ସୁବର୍ଣ୍ଣ ସୁଯୋଗ। କିନ୍ତୁ, କେଉଁ କାମରେ କେତେ ପଇସା ଖର୍ଚ୍ଚ ହେଉଛି, ସେ ନେଇ ପ୍ରତ୍ୟେକ ସଚେତନ ନାଗରିକଙ୍କ ମନରେ ପ୍ରଶ୍ନ ଉଠିବା ଆବଶ୍ୟକ। ସେମିତି କାମର ମାନ ଉପରେ ମଧ୍ୟ ଆମ ସମସ୍ତଙ୍କର ଦୃଷ୍ଟି ରହିବା ନିତାନ୍ତ ଆବଶ୍ୟକ। ସବୁ କିଛି ସରିଯିବା ପରେ ‘ଏପରି ହୋଇଥିଲେ ଭଲ ହୋଇଥାନ୍ତା’ ଭଳି ମତ ଦେବାର ଅଭ୍ୟାସ ସ୍ଫୃହଣୀୟ ନୁହେଁ। ଗଲା ନବକଳେବର ସମୟେର ପୁରୀ ସହର ବିଭିନ୍ନ ପ୍ରକାର ଉନ୍ନତୀକରଣ ଏବଂ ସୁନ୍ଦରୀକରଣ କାର୍ଯ୍ୟ ଦେଖିଲା। କିନ୍ତୁ ବିଡ଼ମ୍ବନା, କାମ ସରିବା ପରେ ଅସନ୍ତୋଷ ପ୍ରକାଶ ପାଇଲା ବା ତଥା ସମାଲୋଚନାମାନ ଶୁଣିବାକୁ ମିଳିଲା। ଏଭଳି ଆଚରଣ ଓ ଆଭିମୁଖ୍ୟର କୌଣସି ମୂଲ୍ୟ ଅଛି କି? ତେଣୁ କେବଳ ନିର୍ଲିପ୍ତ ଦେଖଣାହାରି ନ ହୋଇ ତଦାରଖକାରୀ ରୂପେ ଏହି କାର୍ଯ୍ୟରେ ଆମେମାନେ ଅଂଶୀଦାର ହେବା ଉଚିତ। ଥରେ ଭାବନ୍ତୁ ତ ରାସ୍ତାରେ ରଙ୍ଗ ଲଗାଗଲା ବେଳେ ଆମମାନଙ୍କ ମଧ୍ୟରୁ କେହି ଜଣେ ହେଲେ ରଙ୍ଗର ଗୁଣମାନ ବା ରଙ୍ଗ ଲଗାଇବା ପୂର୍ବରୁ ସ୍ଥାନକୁ ସଫା କରାଯିବା ଭଳି ପ୍ରାକ୍-ପ୍ରସ୍ତୁତି ଇତ୍ୟାଦିକୁ ନେଇ ପ୍ରଶ୍ନ କରିଛୁ କି? ସେମିତି ରାସ୍ତା ମରାମତି ବେଳେ କେବେ କାମ କିପରି କରାଯାଉଛି ତା’ ଉପରେ ଦୃଷ୍ଟି ଦେଇଛୁ କି? କିନ୍ତୁ ଅଳ୍ପ ବର୍ଷାରେ ରାସ୍ତା ଧୋଇ ହୋଇଗଲେ ସରକାରୀ କାର୍ଯ୍ୟର ନିକୃଷ୍ଟତା ନେଇ ଟିପ୍ପଣୀ କରିଛୁ, ସମସ୍ତେ ସବୁ କିଛି ମାରି ଖାଇଗଲେ ବୋଲି ହତାଶା ପ୍ରକଟ କରିଛୁ। କେବେ ଭାବିଛନ୍ତି କି ଆମ ନିଜ ତିଆରି ଘର ବର୍ଷ ବର୍ଷ ଧରି ମଜଭୁତ ହୋଇ ରହୁଥିବା ବେଳେ ସରକାରୀ ଘରରେ ଅଳ୍ପ କେଇ ଦିନ ଭିତରେ ଫାଟ ପଡ଼ିଯାଏ କାହିଁକି? କାରଣ, ଆମ ନିଜ ଘର ଆମ ଭରପୂର ତଦାରଖରେ ହୋଇଥାଏ। ସରକାରୀ କାର୍ଯ୍ୟରେ ଖର୍ଚ୍ଚ ହେଉଥିବା ଅର୍ଥ ମଧ୍ୟ ଆମ ପଇସା। କିନ୍ତୁ ଆମେ ତାହା ଉପରେ ଧ୍ୟାନ ଦେଉନାହିଁ।
ସୁତରାଂ, ମୋ ମତରେ ଯେଉଁଠାରେ ସରକାରୀ କାମମାନ ଚାଲୁଛି, ସେଠାରେ ତିନି ବା ଚାରି ଜଣ ସକ୍ରିୟ ଓ ସଚେତନ ନାଗରିକ ଉପସ୍ଥିତ ରହନ୍ତୁ ଏବଂ କାର୍ଯ୍ୟ ସବୁର ତଦାରଖ କରନ୍ତୁ। ସେମିତି କାମ ସରିବା ପରେ ସଡ଼କର ରକ୍ଷଣାବେକ୍ଷଣ ବା ପରିଚ୍ଛନ୍ନତା ଅଥବା ଲାଗିଥିବା ଗଛର ଯତ୍ନ କିମ୍ବା ରୂପାନ୍ତରିତ ପ୍ରାଚୀର କାନ୍ଥରେ ମୂତ୍ର ତ୍ୟାଗ ବା ପାନ ପିକ କ୍ଷେପଣ କରିବାର ବଦ୍ ଅଭ୍ୟାସର ବାରଣ ଦିଗରେ ଦୃଷ୍ଟି ଦିଅନ୍ତୁ।
‘ଗାଁ ପରିମଳ ଧୋବା ତୁଠରୁ’। ତେଣୁ ଏଭଳି ସଫେଇ ଏବଂ ସୁନ୍ଦରୀକରଣ ଅତି ଆବଶ୍ୟକ। କିନ୍ତୁ ଏ ଅଭିଯାନରେ ସ୍ଥାନୀୟ ବାସିନ୍ଦା ଏବଂ ଜନ ପ୍ରତିନିଧି ଏକାଠି ହୋଇ ଶ୍ରମଦାନ କରିବାର ଏକ ନୂଆ ପରଂପରା ସୃଷ୍ଟି ହେବା ମଧ୍ୟ ଉଚିତ। ଏଭଳି ‘ଶ୍ରମଦାନ’ ଏକ ଆନ୍ଦୋଳନର ରୂପ ନେବା ମଧ୍ୟ ଆବଶ୍ୟକ। ଏଥିରେ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ସ୍ତରରେ ଏନ୍ସିସି ଏବଂ ସ୍କାଉଟ ଗାଇଡ଼୍ ସଂଗଠନ ଇତ୍ୟାଦି ସହଯୋଗ କରିପାରିବେ। ସହରରେ ବିଭିନ୍ନ ସ୍ଥାପତ୍ୟ କଳାର ସ୍ଥାପନ ଏବଂ କାନ୍ଥବାଡ଼ରେ ଚିତ୍ରାଙ୍କନ ଆଦି ପାଇଁ ଦିଗଦର୍ଶନ ଦେବା ସକାଶେ ଦିଲ୍ଳୀରେ ଥିବା ‘ଅର୍ବାନ୍ ଆର୍ଟ କମିସନ’ ପରି ଆମ ରାଜ୍ୟରେ ମଧ୍ୟ ଏକ ସଂଗଠନ ଗଢ଼ାଯିବାର ଆବଶ୍ୟକତା ରହିଛି, ଯହିଁରେ ଅଭିଜ୍ଞ ଚିତ୍ରକର, ଟାଉନ୍ ପ୍ଲାନର ଓ ସ୍ଥପତି ସ୍ଥାନ ପାଇବେ ଏବଂ ଉଚିତ ପରାମର୍ଶ ପ୍ରଦାନ କରିପାରିବେ।
ଗୋଟିଏ କଥା ମନେ ରଖିବାକୁ ହେବ ଯେ ସହର ହେଉଛି ଆମ ନିଜର। କିନ୍ତୁ ଆମମାନଙ୍କ ମଧ୍ୟରୁ ଅଧିକାଂଶ ଏହା ଭୁଲିଯାଉ। ସେଥି ଲାଗି ଘରର ଆବର୍ଜନା ରାସ୍ତାରେ ଗଦା କରୁ। ଏହି କାରଣରୁ ହିଁ ସରକାରୀ ନିର୍ମାଣ କାମରେ ଦୁର୍ନୀତି ହୁଏ, କାରଣ ଠିକାଦାର ବା ଯନ୍ତ୍ରୀ କେହି ହେଲେ ଭାବନ୍ତି ନାହିଁ ଯେ ଏହି ସଡ଼କକୁ ସେମାନେ ଏବଂ ସେମାନଙ୍କ ପିଲାମାନେ ମଧ୍ୟ ବ୍ୟବହାର କରନ୍ତି। ତେଣୁ ସରକାରୀ ନିର୍ମାଣମାନ ଭଲ ଭାବେ କରିବା ଯେମିତି ଏକ ସାମାଜିକ ଦାୟିତ୍ବ, ଜଣେ ସାଧାରଣ ନାଗରିକ ଭାବେ କାର୍ଯ୍ୟାନ୍ବୟନ ବେଳେ ତା’ର ତଦାରଖ କରିବା ମଧ୍ୟ ଏକ ସାମାଜିକ ଦାୟିତ୍ବ। ଏହି ସଚେତନତା ଆମ ସମସ୍ତଙ୍କ ଠାରେ ସୃଷ୍ଟି ହେବା ଅତ୍ୟନ୍ତ ଜରୁରୀ।
ମୋ: ୯୪୩୭୦ ୨୨୯୮୩
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/ed-j5.jpg)