ଦଶ ବର୍ଷ ତଳେ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦିଲ୍ଲୀ ଓ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ଦେଖାଦେଇଥିବା ଲୋକଙ୍କ କ୍ଷୋଭ ପରେ ମହିଳାମାନେ କ’ଣ ଅଧିକ ସୁରକ୍ଷିତ ହୋଇ ପାରିଛନ୍ତି? କେବଳ ଦିଲ୍ଲୀକୁ ଏକ ଉଦାହରଣ ଭାବେ ଗ୍ରହଣ କରାଗଲେ, ନିର୍ଭୟାଙ୍କ ପ୍ରତି କ୍ରୂରତାର ବର୍ଷ ୨୦୧୨ରେ ୭୦୬ ଜଣ ମହିଳାଙ୍କୁ ବଳାତ୍କାର କରାଯାଇଥିଲା। ତାଙ୍କର ଚାରି ବଳାତ୍କାରୀ ଫାଶୀ ପାଇବାର ବର୍ଷକ ପରେ ୨୦୨୧ରେ ୧,୯୬୯ ଜଣ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଏଥିରୁ କ’ଣ ଦିଲ୍ଲୀରେ ମହିଳାମାନେ ବେଶୀ ସୁରକ୍ଷିତ ବୋଲି ମନେ ହେଉଛି? ନା ନିର୍ଭୟା ଘଟଣା ପରେ ମହିଳାଙ୍କ ସୁରକ୍ଷା ପାଇଁ ଦିଲ୍ଲୀ ପୁଲିସ ଦ୍ବାରା ଗୃହୀତ ପଦକ୍ଷେପର ଲମ୍ବା ତାଲିକା ବାସ୍ତବରେ ଏକ ନକଲି ରତ୍ନ ଖଚିତ ହାର ଛଡ଼ା ଆଉ କିଛି ନୁହେଁ?

Advertisment

୨୦୧୫ରେ ଦିଲ୍ଲୀ ପୁଲିସ ‘ହିମ୍ମତ’ ନାମରେ ଏକ ମୋବାଇଲ ଆପ୍‌ ଉପଲବ୍‌ଧ କରାଇଥିଲା ଯଦ୍ଦ୍ବାରା ଜଣେ ମହିଳା ବିପତ୍ତି ସମୟରେ ପୁଲିସକୁ ଫୋନ୍‌ କରି ଅଥବା ବାର୍ତ୍ତା ପଠେଇ ଘଟଣା ସମ୍ପର୍କରେ ଅବଗତ କରାଇ ପାରିବେ। ତାଙ୍କର ଅବସ୍ଥିତି ସମ୍ପର୍କରେ ପୁଲିସ ଜାଣିପାରି ତାଙ୍କୁ ଉଦ୍ଧାର କରିବା ଲାଗି ତତ୍କାଳ ସେଠାରେ ପହଞ୍ଚି ଯିବା କଥା। ଖୁବ୍ କମ୍ ମହିଳା ଏହି ଆପ୍‌ର ବ୍ୟବହାର କରିଥିଲେ, କାରଣ ତାହା ସେମାନଙ୍କୁ ଉଭୟ ମୂକ ଓ ବଧିର ମନେ ହୋଇଥିଲା। ପୁଲିସ ତାହାର ପୁନଃସଂସ୍କାର କରି ‘ହିମ୍ମତ ପ୍ଲସ୍‌’ ନାମରେ ପ୍ରକାଶ କଲା, ମାତ୍ର ତାହା ମଧ୍ୟ ମହିଳାଙ୍କୁ ଅଧିକ ସଂଖ୍ୟାରେ ଆକୃଷ୍ଟ କରିପାରିନଥିଲା।

ନିର୍ଭୟା ଅଘଟଣ ପରେ ନିଶ୍ଚିତ ଭାବରେ ଦିଲ୍ଲୀ ପୁଲିସର ସାଂଗଠନିକ ପରିବର୍ତ୍ତନ ଘଟିଛି। ଏବେ ଏକ ଅଲଗା ଭବନରେ ମହିଳା ଓ ଶିଶୁମାନଙ୍କ ପାଇଁ ଏକ ସ୍ବତନ୍ତ୍ର ପୁଲିସ ୟୁନିଟ୍‌ କାମ କରୁଛି। ଥାନାମାନଙ୍କରେ ମହିଳାଙ୍କ ପ୍ରତି ଅପରାଧ (ସିଏଡବ୍‌ଲ୍ୟୁ) ପ୍ରକୋଷ୍ଠ ଗଠିତ ହୋଇଛି। ପ୍ରତି ଥାନାରେ ମହିଳାଙ୍କ ପାଇଁ ହେଲ୍‌ପ ଡେସ୍କ ରହିଛି। ସେଥିରେ ଏକ ବିଶେଷ ମହିଳା ହେଲ୍‌ପଲାଇନ୍‌ ଓ ଏକ ‘ଆଣ୍ଟି-ଷ୍ଟକିଂ’ ହେଲ୍‌ପଲାଇନ୍‌ ରହିଛି। ଏହି ସବୁ ସାଂଗଠନିକ ପରିବର୍ତ୍ତନ ଦ୍ବାରା ମହିଳାମାନଙ୍କ ପକ୍ଷେ ପୁଲିସର ସହାୟତା ପାଇବା ସହଜ ହୋଇଛି। ମାତ୍ର ତାହା ମହିଳାଙ୍କ ବିରୋଧରେ ଅପରାଧ ହ୍ରାସ କରିବାରେ ଫଳପ୍ରଦ ହୋଇନାହିଁ। ଦିଲ୍ଲୀରେ ମହିଳାଙ୍କ ବିରୋଧରେ ୨୦୨୦ରେ ୧୦,୦୯୩ଟି ଆପରାଧିକ ମାମଲା ହୋଇଥିବା ବେଳେ ୨୦୨୧ରେ ସେଥିରେ ୪୧ ପ୍ରତିଶତ ବୃଦ୍ଧି ଘଟି ମାମଲା ସଂଖ୍ୟା ୧୪,୨୭୭ରେ ପହଞ୍ଚିଛି।

ଦିଲ୍ଲୀ ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ମହିଳାଙ୍କ ବିରୋଧରେ ଏପରି ନିରନ୍ତର ଅପରାଧ ବୃଦ୍ଧିର ଏକ ପ୍ରମୁଖ କାରଣ ହେଉଛି ପୁଲିସ ବିଭାଗରେ ସଚ୍ଚୋଟ ପେସାଦାରଙ୍କ ଅଭାବ। ପ୍ରଥମତଃ ଏହାର ମୁଖ୍ୟ ହେଉଛନ୍ତି ରାଜନୈତିକ କଳ ଦ୍ବାରା ନିଯୁକ୍ତ ବ୍ୟକ୍ତି। ସୁପ୍ରିମ୍‌ କୋର୍ଟଙ୍କ ଆଦେଶ ସତ୍ତ୍ବେ କୌଣସି ରାଜ୍ୟ ସରକାର କି କେନ୍ଦ୍ର ସରକାର ପୁଲିସ ମହାନିର୍ଦ୍ଦେଶକ ନିଯୁକ୍ତିକୁ ଲୋକ ସେବା ଆୟୋଗ ପରି ସ୍ବାୟତ୍ତ ସଂଗଠନ ଦ୍ବାରା ନିୟନ୍ତ୍ରଣ କରିବାକୁ ରାଜି ହେଉନାହାନ୍ତି। ଏପରିକି ନିର୍ଭୟା ମାମଲା ପରେ ଗଠିତ ଜେ. ଏସ୍‌. ବର୍ମା କମିଟି ମଧ୍ୟ ପୁଲିସ ମୁଖ୍ୟଙ୍କ ଚୟନକୁ କୌଣସି ପକ୍ଷପାତ ବିନା କରିବା ଉପରେ ଗୁରୁତ୍ବାରୋପ କରିଥିଲେ।

ବଛାଯାଇଥିବା ପୁଲିସ ମୁଖ୍ୟ ହେଉଛନ୍ତି ଏକ ରୋବଟ୍‌, ଯାହାର ରିମୋଟ୍‌ ଗୃହମନ୍ତ୍ରୀଙ୍କ ହାତରେ ରହିଥାଏ। ୨୦୨୦ ସେପ୍‌ଟେମ୍ବରରେ ଉତ୍ତରପ୍ରଦେଶର ହାଥରସ ଜିଲ୍ଲା ଅନ୍ତର୍ଗତ ବୁଲଗାଡ଼ି ଗାଁରେ ଯାହା ଘଟିଲା, ଆମେ ଜାଣିଛନ୍ତି। ଜଣେ ୧୯ ବର୍ଷୀୟା ଦଳିତ କିଶୋରୀ ଗାଈଗୋରୁଙ୍କ ଲାଗି ଘାସ ଆଣିବା ପାଇଁ କ୍ଷେତକୁ ଯାଇଥିଲା ବେଳେ ତାଙ୍କୁ ଚାରି ଜଣ ଉଚ୍ଚ ଜାତିର ଯୁବକ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ। ପୁଲିସ ପ୍ରଥମେ ଏଫ୍‌ଆଇଆର୍‌ ଦାଖଲ କରିବାକୁ ମନା କରିଥିଲା। ପନ୍ଦର ଦିନ ପରେ ଦିଲ୍ଲୀର ଏକ ଡାକ୍ତରଖାନାରେ ପୀଡ଼ିତାଙ୍କର ମୃତ୍ୟୁ ଘଟିଲା। ତାଙ୍କ ପରିବାର ଲୋକଙ୍କ ମତାମତ ନ ନେଇ, ଏପରିକି ସେମାନଙ୍କ ଅନୁପସ୍ଥିତିରେ, ପୁଲିସ ଶବ ଦାହ କରିଦେଇଥିଲା।

ଦୁଇ ବର୍ଷ ପରେ ଉତ୍ତରାଖଣ୍ଡରେ ଜଣେ ବିଜେପି ନେତାଙ୍କ ପୁଅ ହତ୍ୟା କରିଥିବା ଜଣେ ୧୯ ବର୍ଷୀୟା କିଶୋରୀଙ୍କ ଶବକୁ ପୁଲିସ ତାଙ୍କ ପରିବାର ଲୋକଙ୍କ ଅନୁପସ୍ଥିତିରେ ଦାହ କରିଥିଲା। ଯେଉଁ ବଙ୍ଗଳାରେ ଅଭିଯୁକ୍ତ ଜଣକ ‘ଭିଆଇପି’ ଅତିଥିମାନଙ୍କୁ ମହିଳା ଯୋଗାଉଥିଲା, ତାହାକୁ ପୁଲିସ ଧ୍ବଂସ କରିଦେଇ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ନଷ୍ଟ କରିଦେବା ସହ ସଂପୃକ୍ତ ପୀଡ଼ିତାଙ୍କୁ ସେମାନଙ୍କ ଭିତରୁ ଜଣେ ବୋଲି ଦର୍ଶାଇଥିଲା।

ନିର୍ଭୟା ଘଟଣା ପରେ ମହିଳା ବିରୋଧୀ ଅପରାଧ ସମ୍ପର୍କିତ ଆଇନରେ କିଛିଟା ପରିବର୍ତ୍ତନ କରାଯାଇଥିଲା। ଜଣେ ମହିଳାଙ୍କୁ ପିଛା କରିବା ଅପରାଧ (ଆଇପିସି ଧାରା ୩୫୪)ରେ ଜଣେ ପୁରୁଷକୁ ତିନିରୁ ପାଞ୍ଚ ବର୍ଷ ଯାଏ ଜେଲ୍‌ ଦଣ୍ଡର ବ୍ୟବସ୍ଥା ହେଲା। ଧର୍ଷଣ ସଂକ୍ରାନ୍ତ ଆଇନ (ଆଇପିସି ଧାରା ୩୭୫)ରେ ଯୌନାଙ୍ଗ ସମେତ କୌଣସି ବସ୍ତୁ ବା ଶରୀରର କୌଣସି ଅଙ୍ଗକୁ ମହିଳାଙ୍କ ଯୋନି, ପାଟି, ମୂତ୍ରନଳୀ ବା ମଳଦ୍ବାରରେ ପ୍ରବେଶ କରାଇବା ଭଳି ଅଶାଳୀନ କାର୍ଯ୍ୟକୁ ସାମିଲ କରିବା ପାଇଁ ସେଥିରେ ସଂଶୋଧନ ଅଣାଗଲା। ଖିଲାପକାରୀକୁ ମୃତ୍ୟୁଦଣ୍ଡ ପ୍ରଦାନର ବ୍ୟବସ୍ଥା ହେଲା, ଯେପରିକି ନିର୍ଭୟାଙ୍କୁ ଅତ୍ୟାଚାର କରିଥିବା ବର୍ବର ଅପରାଧୀଙ୍କୁ ଭୋଗିବାକୁ ପଡ଼ିଥିଲା। ଫାଷ୍ଟ-ଟ୍ରାକ୍‌ ଅଦାଲତରେ ଧର୍ଷଣ ମାମଲାର ଶୁଣାଣି କରିବାର ବ୍ୟବସ୍ଥା ହେଲା।

ଏ ସବୁ ସଂଶୋଧନ ସତ୍ତ୍ବେ ମହିଳାଙ୍କ ବିରୋଧରେ ଅପରାଧ କେବଳ ଦିଲ୍ଲୀ ନୁହେଁ, ସମଗ୍ର ଦେଶରେ ବଢ଼ିଚାଲିଛି। ଏପରି କାହିଁକି ହେଉଛି? ଏହାର କାରଣ ହେଉଛି ଏସବୁ ସଂଶୋଧନର ଉଦ୍ଦେଶ୍ୟ ଥିଲା ନିର୍ଭୟାଙ୍କ ପ୍ରତି ହୋଇଥିବା ବୀଭତ୍ସତାରେ ତାତି ଉଠିଥିବା ଜନସାଧାରଣଙ୍କ ରୋଷର ନିଆଁକୁ ପ୍ରଶମିତ କରିବା। ସେଗୁଡ଼ିକ ପିଶାଚଙ୍କୁ ଦଣ୍ଡିତ କରିବା ଅଥବା ଭୟଭୀତ କରିବା ପାଇଁ ଅନ୍ତିମ ଅସ୍ତ୍ର ରୂପେ ଉପସ୍ଥାପିତ କରାଯାଇନଥିଲା। ପୁରୁଣା ଆଇନ ପରି ଏହି ନୂଆ ଆଇନଗୁଡ଼ିକ ମଧ୍ୟ ଆଇନ ପୁସ୍ତକରେ ହିଁ ରହିଯାଇଛି। ଏ ଆଇନଗୁଡ଼ିକର ଅବସ୍ଥା ଥାନା କାନ୍ଥର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଝୁଲାଯାଇଥିବା ଖୋଳଦିଆ ତରବାରି ସଦୃଶ। ପୁଲିସ ଯଦି ଉକ୍ତ ଖଣ୍ଡାକୁ ଖୋଳରୁ ବାହାର କରି ହାତରେ ଧରି ରାସ୍ତାରେ ନ ବୁଲିଛି, ତେବେ ହିଂସ୍ର ପିଶାଚଙ୍କ ଦ୍ବାରା ମହିଳାମାନେ ଶିକାର ହେବାରୁ ବର୍ତ୍ତିବେ କେମିତି?

ହାଥରସ ଘଟଣାରେ ପୁଲିସ ଏଫ୍‌ଆଇଆର୍‌ ପଞ୍ଜୀକରଣ କରିବାର ମୌଳିକ ଆଇନକୁ ପାଳନ କରିନଥିଲା। କ୍ଷତବିକ୍ଷତ ପୀଡ଼ିତା ଜଣକ ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ ଜାରି ରଖିଥିବା ସତ୍ତ୍ବେ ସେମାନେ ଅଭିଯୁକ୍ତକୁ ପଚରାଉଚରା ପାଇଁ ସୁଦ୍ଧା ଗିରଫ କରିନଥିଲେ। ଉତ୍ତରାଖଣ୍ଡ ମାମଲାରେ ମହିଳାଙ୍କ ଶବ ମିଳିବାର ଚାରି ଦିନ ପରେ ପୁଲିସ ମାମଲା ରୁଜୁ କରିଥିଲା, ମାତ୍ର ଗୁରୁତ୍ବପୂର୍ଣ୍ଣ ପ୍ରମାଣ ନଷ୍ଟ କରିବା ଲାଗି ଅଭିଯୁକ୍ତ ପାଇଁ ଏଇ ଚାରି ଦିନ ଯଥେଷ୍ଟ ଥିଲା। ପୁଲିସ ତା’ପରେ ଉକ୍ତ ବଙ୍ଗଳାକୁ ଧ୍ବଂସ କରିଦେଇଥିଲା ଯେଉଁଠି ପୀଡ଼ିତାଙ୍କ ମୃତ୍ୟୁ ପୂର୍ବର ଘଟଣା ସବୁ ଘଟିଥିଲା, ଅର୍ଥାତ୍‌ ବଳକା ପ୍ରମାଣକୁ ପୁଣି ନଷ୍ଟ କରିଦିଆଗଲା।

ଆମ ପାଖରେ ବିଲକିସ ବାନୋ ମାମଲା ରହିଛି। ତାଙ୍କ ସହ ଗଣଦୁଷ୍କର୍ମ କରିଥିବା ୧୧ ଜଣ ଅଭିଯୁକ୍ତଙ୍କୁ କେମିତି ଖଲାସ କରିଦିଆଯାଇପାରେ? ଗୋଟିଏ ପଟେ ବଳାତ୍କାରୀଙ୍କୁ ଦଣ୍ଡ ଦେବା ପାଇଁ ଦେଶରେ କଠୋର ଆଇନ ଲାଗୁ କରାଯାଉଛି, ଅନ୍ୟ ପଟେ ସେମାନଙ୍କୁ କ୍ଷମା କରିଦେବା ପାଇଁ ନିର୍ଦ୍ଦେଶ ଦିଆଯାଉଛି। ଏଭଳି ଘୋର ବିରୋଧାଭାସରୁ କ’ଣ ବୁଝାପଡୁଛି? ଦେଶ ଏଣେ ମହିଳାଙ୍କ ଜୀବନକୁ ସୁରକ୍ଷିତ ରଖିବା ପାଇଁ ନିଜର ପ୍ରତିବଦ୍ଧତାକୁ ପ୍ରସାରିତ କରୁଥିବା ବେଳେ ବଳାତ୍କାରୀଙ୍କ ଜୀବନକୁ ସୁରକ୍ଷିତ ରଖିବା ଲାଗି କାମ କରୁଛି। ସିଦ୍ଧାନ୍ତରେ ଦେଶ ନାରୀବାଦୀ ହୋଇଥିବା ବେଳେ ବ୍ୟବହାରରେ ନାରୀବିରୋଧୀ ମନେ ହେଉଛି।

ତେଣୁ ଭାରତର ମହିଳାଙ୍କୁ ସତର୍କ କରିଦିଆଯାଉ କି, ସେମାନଙ୍କ ବିରୋଧରେ ହେଉଥିବା ହିଂସାକୁ ଶେଷ କରିବାର ଲଢ଼େଇ ଅତ୍ୟନ୍ତ ଦୀର୍ଘ ହେବାକୁ ଯାଉଛି। ଏହାର କାରଣ ହେଲା ରାଜନେତା ଓ ପୁଲିସବାଲାଙ୍କ ମେଣ୍ଟରେ ଚାଲିଥିବା ସରକାର ସେହି କାମ କରିଥାନ୍ତି ଯେଉଁଥିରେ ରାଜନୈତିକ ତଥା ବ୍ୟକ୍ତିଗତ ସ୍ବାର୍ଥ ଥାଏ; ଯେଉଁଥିରୁ ସାମାଜିକ ଲାଭ ମିଳିବ, ତାହାକୁ ଗୁରୁତ୍ବ ଦିଅନ୍ତି ନାହିଁ। ଉତ୍ତରାଖଣ୍ଡ ମାମଲା ଭଳି ସବୁବେଳେ ଅତ୍ୟାଚାରୀ ଜଣକ ନେତାଙ୍କ ସମ୍ପର୍କୀୟ ହେବା ଜରୁରୀ ନୁହେଁ। ସେମାନେ ବିଲକିସ ବାନୋ ମାମଲାର ବଳାତ୍କାରୀ ଭଳି ସାଧାରଣ ଜନତା ବି ହୋଇପାରନ୍ତି, ଯିଏ ଭୋଟକୁ ପ୍ରଭାବିତ କରିପାରିବେ। ସେମାନେ ହାଥରସ ମାମଲା ପରି ଉଚ୍ଚ ଜାତିର ଅପରାଧୀ ହୋଇପାରନ୍ତି ଯିଏ ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦିଅନ୍ତି।

ଯେଉଁ ବ୍ୟବସ୍ଥାରେ ପୁଲିସ ସ୍ବତନ୍ତ୍ର ତଥା ପେସାଦାର ନୁହେଁ, ସେଠି ମହିଳାଙ୍କୁ ଅତ୍ୟାଚାର ଓ ଦୁର୍ବ୍ୟବହାର କରୁଥିବା ଅଭିଯୁକ୍ତଙ୍କୁ ରକ୍ଷକ ରୂପରେ ଜଣେ ରାଜନେତା ସହଜରେ ମିଳିଯିବେ। ସେ ଜଣେ ସରପଞ୍ଚ, ମେୟର, ବିଧାୟକ, ସାଂସଦ ବା ମନ୍ତ୍ରୀ ହୋଇପାରନ୍ତି ଯିଏ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିପାରିବେ ଏବଂ ମାମଲାକୁ ଦୁର୍ବଳ କରିଦେବେ। ସେମାନଙ୍କୁ ସାମାଜିକ ପରିବେଶରୁ ମଧ୍ୟ ସହାୟତା ମିଳୁଛି। ଯାହା ହେଲେ ବି ଭାରତ ଏକ ପୁରୁଷଙ୍କ ଦୁନିଆ ହୋଇ ରହିଛି। ପରିବାର, ସମାଜ, କାର୍ଯ୍ୟାଳୟ, ଚିକିତ୍ସା କ୍ଷେତ୍ର, ରାଜନୈତିକ ଦଳ, ଥାନା- ଯେଉଁ ସ୍ଥାନ ହେଉ ନା କାହିଁକି, ପୁରୁଷଟିଏ ସବୁଠି ଅନ୍ୟ ପୁରୁଷଙ୍କ ସହାନୁଭୂତି ଓ ସମର୍ଥନ ପାଇପାରୁଛି।

[email protected]