ଚରମ ପାଣିପାଗ ସ୍ଥିତି ଯୋଗୁଁ ଭାରତରେ ହୋଇଥିବା ମୃତ୍ୟୁ ସଂଖ୍ୟା ୨୦୨୨ରେ ତିନି ବର୍ଷର ସର୍ବାଧିକ ସ୍ତରରେ ପହଞ୍ଚି ୨,୨୨୭ ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ବାର୍ଷିକ ରିପୋର୍ଟ-୨୦୨୨ ଅନୁଯାୟୀ ୨୦୨୧ରେ ମୃତ୍ୟୁ ସଂଖ୍ୟା ୧,୭୫୦ ଥିବା ବେଳେ ୨୦୨୦ରେ ତାହା ୧,୩୩୮ ଥିଲା। ୨୦୨୨ରେ ଚରମ ପାଣିପାଗ ସ୍ଥିତି ଯୋଗୁଁ ସର୍ବାଧିକ ମୃତ୍ୟୁ ଦେଖିଥିବା ରାଜ୍ୟ ହେଉଛି ବିହାର (୪୧୮ ମୃତ୍ୟୁ) ଏବଂ ଆସାମ (୨୫୭), ଉତ୍ତରପ୍ରଦେଶ (୨୦୧) ପଛକୁ ଓଡ଼ିଶା ଓ ମହାରାଷ୍ଟ୍ର ଯୁଗ୍ମ ଭାବେ ଚତୁର୍ଥ ସର୍ବାଧିକ ମୃତ୍ୟୁ ଦେଖିଛନ୍ତି (୧୯୪ ମୃତ୍ୟୁ)।
ଗତ ବର୍ଷ ସମୁଦାୟ ମୃତକଙ୍କ ୫୮% ବା ୧,୨୮୫ ଜଣ ବଜ୍ରପାତରେ ପ୍ରାଣ ହରାଇଥିଲେ, ଯେଉଁ ସଂଖ୍ୟା ୨୦୨୧ ଓ ୨୦୨୦ରେ ଯଥାକ୍ରମେ ୭୮୭ ଓ ୭୩୭ ଥିଲା। ବଜ୍ରପାତରେ ବିହାରର ୪୧୫ ଜଣ, ଓଡ଼ିଶାର ୧୬୮ ଜଣ, ଝାଡ଼ଖଣ୍ଡର ୧୨୨ ଜଣ, ମଧ୍ୟପ୍ରଦେଶର ୧୧୬ ଜଣ, ଉତ୍ତରପ୍ରଦେଶର ୮୧ ଜଣ, ରାଜସ୍ଥାନର ୭୮ ଜଣ, ଛତିଶଗଡ଼ର ୭୧ ଜଣ, ମହାରାଷ୍ଟ୍ରର ୬୪ ଜଣ ଓ ଆସାମର ୫୮ ଜଣ ମୃତ୍ୟୁବରଣ କରିଥିଲେ। ସେହିପରି ପ୍ରବଳ ବୃଷ୍ଟିପାତ, ବନ୍ୟା ଓ ଭୂସ୍ଖଳନ ଦ୍ବିତୀୟ ସର୍ବାଧିକ ମୃତ୍ୟୁର କାରଣ ସାଜିଥିଲେ। ଏଥିଯୋଗୁଁ ଗତ ବର୍ଷ ୮୩୫ ଜଣ (୩୭ ପ୍ରତିଶତ)ଙ୍କ ପ୍ରାଣହାନି ଘଟିଥିବା ବେଳେ ୨୦୨୧ ଓ ୨୦୨୦ରେ ଯଥାକ୍ରମେ ୭୫୯ ଓ ୪୧୪ ଜଣଙ୍କର ମୃତ୍ୟୁ ଘଟିଥିଲା। ତୁଷାରପାତରେ ୩୭ ଜଣ, ଗ୍ରୀଷ୍ଣ ପ୍ରବାହରେ ୩୦ ଜଣ, ଧୂଳି ଝଡ଼ରେ ୨୨ ଜଣ, ଓ ବାତ୍ୟା ଓ ଅନ୍ୟାନ୍ୟ କାରଣରୁ ୧୮ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଅବସରରେ ପ୍ରାକୃତିକ ବିପତ୍ତିର ପରିଚାଳନା ପ୍ରସ୍ତୁତି, ପାଣିପାଗ ନେଇ ସତର୍କ ସୂଚନା ପ୍ରସାରଣ ଓ ପରିବେଶ ଅନୁକୂଳ ଜୀବନଯାପନ ଉପରେ ଅଧିକ ଗୁରୁତ୍ବ ଦେବା ଲାଗି ବିଶେଷଜ୍ଞମାନେ ଉପଦେଶ ଦେଇଛନ୍ତି।