ଦିନେ ନିଧିବୁଢ଼ା ବାଡ଼ିପଟେ ନିଜର ଶୁଣ୍ଢ ଦେଖାଇ “ଏଥିରେ ଆଣିବି ବାତ ମେଲେରିଆ ଜର/ ଛାଡ଼ିବି ତା ରକତରେ ହବ ହରବର” ବୋଲି ବାହାସ୍ଫୋଟ ମାରୁଥିବା ମଶା ସିନା ବୁଢ଼ାର ସମୟୋଚିତ ପଦକ୍ଷେପ ଯୋଗୁଁ ନିଜର ଅଭିପ୍ରାୟରେ ଫେଲ୍‌ ମାରିଲା, ହେଲେ ସେ କୀଟର ବଂଶଧର ମାନେ ଆଜି ମଣିଷ ଜାତି ପାଖରେ ହାର ମାନିବାକୁ ନାରାଜ। କୋଟି କୋଟି ଟଙ୍କାର ସରକାରୀ ଯୋଜନା ତଥା ଅତ୍ୟାଧୁନିକ ଜ୍ଞାନକୌଶଳକୁ ଫୁତ୍କାର କରି ସେମାନେ ଆତ୍ମରକ୍ଷା କରିବା ସହ ନିଜର ପ୍ରତିପତ୍ତି ବଢ଼ାଇ ଚାଲିଛନ୍ତି।

Advertisment

ଆମ ରାଜଧାନୀ ଭୁବନେଶ୍ୱରକୁ ହକି ବିଶ୍ୱକପ ପୂର୍ବରୁ ଅନିନ୍ଦ୍ୟ ସୁନ୍ଦରୀ ଓ ଅଧିକ ସ୍ମାର୍ଟ‌୍ କରି ଦୁନିଆକୁ ଦେଖାଇବାର ଚେଷ୍ଟା ଚାଲିଥିଲା ବେଳେ ଏହି ମଶା ପଲ ସବୁ କିଛି ଭଣ୍ଡୁର କରି ଦେବା ପାଇଁ ସତେ ଯେମିତି ବଦ୍ଧପରିକର। ମଶାର ପ୍ରକୃତି ମଣିଷ ଜାତିକୁ ବିରକ୍ତ ଓ ବ୍ୟତିବ୍ୟସ୍ତ କରିବା। ତେଣୁ ଏହା ସ୍ୱାଭାବିକ ଯେ ମଶାଙ୍କୁ ନେଇ ରାଜଧାନୀ ମେୟରଙ୍କ ବିରକ୍ତି ଚରମ ସୀମାରେ ପହଞ୍ଚି ଯାଇଛି। ସେ ତାଗିଦା କରୁଛନ୍ତି ଜାଣିବା ପାଇଁ ଯେ ସରକାର ଯୋଗାଉଥିବା ମଶାମରା ତେଲରେ ମଶା ମରୁନାହାନ୍ତି କାହିଁକି? ଏ ଭିତରେ ସେ ମଶା ତେଲ ରହସ୍ୟ ଭେଦ କରିବା ପାଇଁ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଚଢ଼ାଉ କରି ସାରିଲେଣି। ଭେଜାଲ ଖାଇବା ତେଲ ସହ ପରିଚିତ ଆମ ସମାଜରେ ଯେ ମଶା ତେଲ ଭେଜାଲ ନ ହେବ, ସେ ଗେରେଣ୍ଟି ଦେବ କିଏ? ମେୟରଙ୍କ ପ୍ରଶ୍ନ, ଡ୍ରୋନ୍‌ ଛିଞ୍ଚୁଥିବା ତେଲରେ ଯଦି ମଶା ମରୁଛନ୍ତି, ତେବେ ସରକାରଙ୍କ ତେଲକୁ ସେମାନେ ଖାତିର କରୁନାହାନ୍ତି କାହିଁକି? ଏଣେ ପ୍ରତିପକ୍ଷଙ୍କ ଯୁକ୍ତି ଯେ ଅଶୀ ପ୍ରଜାତିର ମାଶା ଗୋଟିଏ କିସମର ଡ୍ରୋନ୍‌ ତେଲରେ ମରିବା ଅସମ୍ଭବ। କୋଉଠି କିଛି ଘୋଟାଲା ରହିଛି ନିଶ୍ଚୟ।

ସେ ଯାହା ବି ହେଉ ଭୁବନେଶ୍ୱରରେ କର୍ତ୍ତୃପକ୍ଷଙ୍କ ଏହି ବାଦ-ପ୍ରତିବାଦ ଭିତରେ ଡ୍ରୋନ୍‌ ଲଢ଼େଇର ଭରପୂର ମଜା ଉଠାଉଛନ୍ତି ମଶା ଜାତି ତାଙ୍କର ସଂଖ୍ୟା ବଢ଼ାଇ। ମଣିଷ ମଶା ବିରୋଧରେ ଅନେକ ପ୍ରକାର ଉପାୟ ପ୍ରୟୋଗ କରି ସାରିଲାଣି, ହେଲେ କେଉଁଥିରୁ ମଧ୍ୟ ମଶାଙ୍କୁ ହଟାଇବାର ଚିରସ୍ଥାୟୀ ସମାଧାନର ସୂତ୍ର ପାଇ ପାରିନାହିଁ। ଅସଂଖ୍ୟ ପ୍ରଜାତିକୁ ମଣିଷ ଏହି ଧରା ବକ୍ଷରୁ ବିଦାୟ ଦେଲାଣି। ବିପନ୍ନ ପଶୁଙ୍କ ସଂରକ୍ଷଣ ବ୍ୟବସ୍ଥା ନ ଥିଲେ ଭୟଙ୍କର ହିଂସ୍ର ଜନ୍ତୁମାନଙ୍କୁ ବି ମଣିଷ ବିଲୋପ କରିଦେଇ ସାରନ୍ତାଣି। ଆଉ ମଣିଷକୁ ଯଦି କୌଣସି ପ୍ରଜାତିକୁ ସମୂଳେ ଧ୍ୱଂସ କରିବାର ସ୍ୱାଧୀନତା ଦିଆଯାଆନ୍ତା, ତେବେ ସେ ବିନା ଦ୍ବିିଧାରେ ବାଛିଥାନ୍ତା ଏହି ମଶାଜାତିକୁ, ଯେଉଁମାନେ ବିଲୁପ୍ତ ହେବା ବଦଳରେ ବଢ଼ି ଚାଲିଛନ୍ତି।

ଅବଶ୍ୟ ଜନ୍ମେଜୟ ସର୍ପ ବିନାଶ ଯଜ୍ଞ କଲା ଭଳି ମଣିଷ ଅବିରତ ମଶା ମାରଣ ଯଜ୍ଞ କରି ଚାଲିଛି; ନିଜ ମଗଜ ଖଟାଇ କେତେ କ’ଣ ଉପାୟ ଓ ଅସ୍ତ୍ର ଉଦ୍ଭାବନ କରିସାରିଛି। ନିଧିବୁଢ଼ା ଭଳି ରହିବା ସ୍ଥାନକୁ ସଫା ସୁତୁରା ରଖିବା ଠାରୁ ଆରମ୍ଭ କରି ମଶାଙ୍କୁ ଚକମା ଦେବା ପାଇଁ ସୁଉଚ୍ଚ ଅଟ୍ଟାଳିକାର ଉପର ମହଲାରେ ରହିଛି। ହେଲେ ମଶା ଜାତି ତଥାକଥିତ ସ୍ୱଚ୍ଛ ପରିବେଶରେ ବି ହୁ ହୁ ହୋଇ ବଢୁଛନ୍ତି ଓ ଉଚ୍ଚ କୋଠାକୁ ବି ଅନାୟାସରେ ଚଢ଼ି ଯାଉଛନ୍ତି। ମଣିଷ ମଶକୁଟି ଚାମର, ଝୁଣାର ଧୂଆଁ, ଝରକାରେ ଜାଲି ଛାଉଣି, ମଶାଙ୍କର ଯମରାଜ ବୋଲାଉଥିବା ନାନା ରାସାୟନିକ ମଶା ଧୂପ, ତେଲ, ମଲମ, ଏମିତିକି ମଶା ବିଷ ବୋଳା ମଶାରି ବି ବ୍ୟବହାର କରି ସାରିଲାଣି। ସରକାର ତାଙ୍କ ତରଫରୁ କେତେ ଧୂଆଁ ଛାଡ଼ିଲେଣି, କେତେ ତେଲ ଛିଞ୍ଚିଲେଣି ଓ ଶେଷକୁ ଡ୍ରୋନ୍‌ ବି ଉଡ଼େଇଲେଣି; ହେଲେ ସେ ସବୁର ରାସାୟନିକ ପ୍ରକ୍ରିୟା ମଣିଷକୁ କ୍ଷତି କରୁଥିବ ସିନା, ମଶାମାନେ କିନ୍ତୁ ଡେମ୍‌ କେୟାର୍‌। ମଶାଙ୍କ ପାରିବା ପଣିଆକୁ ନେଇ ଦଲାଇ ଲାମାଙ୍କ ଉଦ୍ଧୃତ ଆଫ୍ରିକୀୟ ଉକ୍ତିଟିଏ, “ଯଦି ପରିସ୍ଥିତିରେ କିଛି ପରିବର୍ତ୍ତନ ଆଣିପାରିବା ପାଇଁ ନିଜକୁ ଅତି କ୍ଷୁଦ୍ର ବୋଲି ଭାବୁଥାଅ ତେବେ ତୁମେ ମଶାଟିଏ ସହ ରାତି ବିତେଇ ନାହଁ।”

ଏବେ ଆସନ୍ତୁ ଦେଖିବା ମଶା-ମଣିଷ ସମ୍ପର୍କକୁ, ମଶାଙ୍କ ଦୃଷ୍ଟିକୋଣରୁ। ଯୁଗ ଯୁଗ ଧରି ତାଙ୍କ ଜାତି ବିପକ୍ଷରେ ମଣିଷ ଯେଉଁ ପ୍ରଭାବହୀନ ସଂଘର୍ଷ କରିଚାଲିଛି ତାହା ମଶାଙ୍କୁ ଅମୋଦିତ କରୁଥିବ ନିଶ୍ଚୟ। ନିଃସହାୟ ମଣିଷ! ଗାଈ, ଘୋଡ଼ାଙ୍କ ଭଳି ଲାଞ୍ଜଟିଏ ପାଇଥାନ୍ତା ଭଲା, କୌଣସି ମତେ ମଶାଙ୍କୁ ନିଜ ଶରୀରରୁ ଦୂରରେ ରଖିପାରନ୍ତା। କେବଳ ତାଳି ମାରି ସିଏ ବା କେତେ ମଶାଙ୍କୁ ମାରିବ? ତାଳି ମରା ଯେ ମଶା ପାଇଁ କେତେ ହାସ୍ୟାସ୍ପଦ, ତାହା ନିମ୍ନ ହସ କଥାରୁ ଅନୁମାନ କରନ୍ତୁ। ଗୋଟିଏ ମଶା ଶିଶୁ ତା ଜୀବନର ପ୍ରଥମ ଉଡ଼ାଣ ଭରି ଘରକୁ ଫେରିବା ପରେ ତା’ର ପରିବାର ବର୍ଗ ପଚାରିଲେ- ପ୍ରଥମ ସହର ବୁଲା କେମିତି ରହିଲା? ବାଳୁତ ମଶାଟି ଉତ୍ସାହର ସହ ଉତ୍ତର ଦେଲା- ବଢ଼ିଆ! ଯୁଆଡ଼େ ଗଲି ଲୋକେ ତାଳି ମାରି ମୋତେ ସ୍ୱାଗତ ଜଣାଇଲେ।

ପୁଣି ମଶାଙ୍କୁ ଅମୋଦିତ କରୁଥିବ ମଣିଷଙ୍କ ନାରୀ ଜାତି ପ୍ରତି ଅବମାନନା ଓ ଯାବତୀୟ ଲିଙ୍ଗଗତ ବାଛବିଚାର। ମଶା କାମୁଡ଼ାରୁ ମ୍ୟାଲେରିଆ, ଡେଙ୍ଗୁ ଭଳି ରୋଗ ହୁଏ। କିନ୍ତୁ ଏ କଥା ସମସ୍ତେ ଜାଣନ୍ତି ଯେ କେବଳ ମାଈ ଏନୋଫିଲିସ ମଶା ମ୍ୟାଲେରିଆର ବାହକ। କେବଳ ମହିଳା ସଦସ୍ୟଙ୍କ ପାଇଁ ପୂରା ମଶା ଜାତି ଆପଦଗ୍ରସ୍ତ ହୋଇଥିଲେ ହେଁ ତାଙ୍କ ଜାତିରେ ଲିଙ୍ଗଗତ ବୈଷମ୍ୟ ବିଲକୁଲ ନାହିଁ। ସନ୍ଧ୍ୟା ବେଳେ ଘରକୁ ଫେରୁଥିଲା ବେଳେ ଯେଉଁ ମଶା ଦଳଟି ଆପଣଙ୍କ ମୁଣ୍ଡ ଉପରେ ଟୋପି ଭଳି ଚକ୍କର କାଟୁଥାନ୍ତି, ସେମାନଙ୍କର ମୁଖ୍ୟ ଆକର୍ଷଣ ଆପଣଙ୍କ ଶରୀରର ଅଙ୍ଗାରକାମ୍ଳର ଗନ୍ଧ ସାଙ୍ଗକୁ ଉଡୁଥିବା କିଛି ମହିଳା ସଦସ୍ୟଙ୍କ ସାହଚର୍ଯ୍ୟ।

ପୁଣି ମଶାମାନେ ଉପଭୋଗ କରୁଥିବେ ମଣିଷର “ଏକ୍ ମଚ୍ଛର (ମଶା)” ମଣିଷକୁ କ୍ଳୀବ କରିଦେବାର ଅହେତୁକ ଭୟକୁ। ମଣିଷର ଏହି ଅସହାୟତା ହୁଏତ ମଶାଙ୍କୁ ଶିଖାଇଛି ଘାତ ପ୍ରତିଘାତ ଏଡ଼ାଇ ବଞ୍ଚି ରହିବାର କଳା। ଯେଉଁ ମଣିଷ ମଶାରିଟିଏ ଟାଙ୍ଗି ମଶାରି ବାହାରେ ମଶାମାନଙ୍କର ସୁଲଳିତ ସଙ୍ଗୀତ ଉପଭୋଗ କରି ସୁଖ ନିଦ୍ରା ଯିବାକୁ ଅଯଥା ଝଞ୍ଜଟ ବୋଲି ଭାବେ, ତାକୁ ପୁଣି ଭୟ କ’ଣ? ମଣିଷ ଡ୍ରୋନ୍‌ ଓ ରାସାୟନିକ ଦ୍ରବ୍ୟକୁ ଅପରିହାର୍ଯ୍ୟ ବୋଲି ଭାବେ, ହେଲେ ସେଗୁଡ଼ିକର କାରବାରରେ ଆଘ୍ରାଣ କରିଥାଏ ଦୁର୍ନୀତିର ଗନ୍ଧ। ମଣିଷର କେଳେଙ୍କାରୀ, ମଶାଙ୍କର ଅଚ୍ଛେ ଦିନ।

ମୋ: ୯୪୩୭୦୮୯୬୫୫