ସାମାଜିକ ଗଣମାଧ୍ୟମରେ ଚଳପ୍ରଚଳ ହେଉଥିବା ଯେ କୌଣସି ସାଧାରଣ ବ୍ୟକ୍ତି ନିଶ୍ଚୟ ଲକ୍ଷ୍ୟ କରିଥିବ ଯେ ମାର୍କ ଜୁକରବର୍ଗଙ୍କ କମ୍ପାନି ‘ଫେସ୍ବୁକ୍’ର ନାମ ଏ ଭିତରେ ବଦଳି ହୋଇଯାଇଚି ‘ମେଟା’। ‘ମେଟା’ କାହିଁକି? ଏ ପ୍ରଶ୍ନର ଉତ୍ତରରେ ଜୁକରବର୍ଗ କହିଛନ୍ତି ଯେ ଗ୍ରୀକ୍ ଶବ୍ଦ ‘ମେଟା’ର ଅର୍ଥ ବିୟଣ୍ଡ ବା ସୀମାତିକ୍ରମ ବା ‘ଆଗକୁ’; ସୁତରାଂ ତାଙ୍କର ଅଭୀଷ୍ଟ ଏହି ଯେ ଏ କମ୍ପାନିର କର୍ମକ୍ଷେତ୍ର ସାମାଜିକ ଗଣମାଧ୍ୟମର ଆଗକୁ ଯାଇ ପ୍ରତୀୟମାନ ବାସ୍ତବତା (ଭର୍ଚୁଆଲ୍ ରିଅଲିଟି)ରେ ପରିବର୍ତ୍ତିତ ହେଉ। କଥା ଯେତେ ସହଜ ମନେ ହେଉଚି, ସେତେ ସହଜ ନୁହେଁ। ବସ୍ତୁତଃ ଏ ‘ମେଟା’ ଶବ୍ଦଟିର ପ୍ରୟୋଗ ବିଶ୍ବରେ ଜ୍ଞାନ ଓ ବିଚାରଧାରାକୁ ନିଜର ନିୟମ ଓ ସୀମିତତାରୁ ବାହାର କରି ଅଧିକ ସମ୍ଭାବନା-କ୍ଷମ, ବ୍ୟାପକ ଓ ସୀମାବଦ୍ଧତାରୁ ମୁକ୍ତ କରି ଦେବା ପାଇଁ ଉଦ୍ଦିଷ୍ଟ।
ଲୋକକ୍ଷେତ୍ରକୁ ଜ୍ଞାନକ୍ଷେତ୍ରରେ ପରିଣତ କରିବାର ପ୍ରୟାସରେ କାଳେ ଏ ‘ମେଟା’ ଶବ୍ଦଟି ଉପଯୋଗୀ ହେବ, ସେଇ ଚିନ୍ତନରୁ ଆଜିର ଏ ରଚନାଟିର ପରିକଳ୍ପନା। କିନ୍ତୁ ପ୍ରଥମେ ଆମେ ଓଡ଼ିଆମାନେ ‘ମେଟା’ର ଗୋଟିଏ ଓଡ଼ିଆ ସମାର୍ଥବାଚୀ ଶବ୍ଦ ସ୍ଥିର କରିବା ଆବଶ୍ୟକ। ତାହା ହେଉ ନ ଥିବାରୁ ଆମ ନିଜ ଶବ୍ଦକୁ ଜ୍ଞାନକ୍ଷେତ୍ରରେ ପ୍ରୟୋଗ ନ କରିପାରି ଆମେ ଗୁଡ଼ିଏ ଗ୍ରୀକ୍, ଲାଟିନ୍ ଓ ଇଂରେଜୀ ଶବ୍ଦକୁ ଆମର ବ୍ୟବହାର କ୍ଷେତ୍ରକୁ ଆଣି କାମ ସହଜ କରି ଦେଇଚେ। କିନ୍ତୁ ସାଧାରଣୀକରଣର ପ୍ରକ୍ରିୟାରେ ଆମ ଜ୍ଞାନକ୍ଷେତ୍ରର ଗୁଡ଼ିଏ ମୌଳିକ ବ୍ୟଞ୍ଜନା ବି ହରେଇଚେ; ଯେମିତି ଆମେ ଆମର ‘ସଂସ୍କୃତି’ ଶବ୍ଦଟିକୁ ‘କଲ୍ଚର୍’ ଓ ‘ସାହିତ୍ୟ’ ଶବ୍ଦଟିକୁ ‘ଲିଟେରେଚର୍’ ବୋଲି ଗ୍ରହଣ କରି ନେଇଚେ ଓ ତା’ର ସହଜ ବ୍ୟବହାରରେ ଅଭ୍ୟସ୍ତ ହୋଇଯାଇଚେ। ଆମେ ଚିନ୍ତା କରି ନାହେଁ ଯେ ଆମର ଏ ଦୁଇ ଶବ୍ଦ ‘ସାହିତ୍ୟ’ ଓ ‘ସଂସ୍କୃତି’, ଆମ ସଭ୍ୟତାର ପୃଷ୍ଠଭୂମିରେ ପାଶ୍ଚାତ୍ୟ ଶବ୍ଦ ‘କଲ୍ଚର୍’ ଓ ‘ଲିଟେରଚର୍’ ଠାରୁ ଅଧିକ ବ୍ୟାପକ ଓ ଭାବପ୍ରକାଶକ୍ଷମ। ଆମ ଅଜାଣତରେ ଆମେ ଯେ ସାମ୍ରାଜ୍ୟବାଦୀ ସଂକ୍ରମଣରେ ଏ ଯାବତ୍ ପାଶ୍ଚାତ୍ୟ ଜ୍ଞାନକ୍ଷେତ୍ରର ଉପନିେବଶରେ ପରିଣତ ହୋଇଯାଇଚେ, ଯାହା ସ୍ବୀକାର ନ କଲା ଯାଏଁ ଆମର ଅଦୃଶ୍ୟ ଅସ୍ତିତ୍ବ ସଂକଟ ଲାଗି ରହିବ।
‘ସାହିତ୍ୟ’ ଶବ୍ଦ ‘ସହିତ’ ମୂଳରୁ ଆସେ, ‘ହିତ’ରୁ ନୁହେଁ। ଅର୍ଥାତ୍ ଆମ ପାଇଁ ତାହା ‘ସାହିତ୍ୟ’ ଯାହା ଆମ ସହିତ ଥାଏ! ସହିତ ରହିବାର ଅର୍ଥ ଆମ ସାମନାରେ। ଯାହା ଆମ ସହିତ ଅଛି, ତାହା ଆମର ଅବବୋଧେର, ଅଭିବ୍ୟକ୍ତିରେ ଓ ଅନୁମାନରେ ଅଛି, ଅର୍ଥାତ୍ ଯାହା କିଛି ଆମର ଐନ୍ଦ୍ରୀୟ ଜଗତରେ ଓ ଚିନ୍ତାକ୍ଷେତ୍ରରେ ଆମ ସହିତ ଗତିଶୀଳ, ତାହା ସାହିତ୍ୟ। ଆମ ‘ସାହିତ୍ୟ’, ଇଂରେଜୀ ‘ଲିଟେରେଚର୍’କୁ କେବଳ ଅତିକ୍ରମ କରିନାହିଁ, ଏକ ଜୀବନଦର୍ଶନ ଓ ଜୀବନମୂଲ୍ୟ ହୋଇ ଆମ ନିକଟରେ ବିଦ୍ୟମାନ। ସ୍ମରଣରେ ରହୁ ଯେ ‘ଲିଟେରେଚର୍’ ଶବ୍ଦର ମୂଳ ସାକ୍ଷରତା, ଯେଉଁଠି କି ଆମର ‘ସାହିତ୍ୟ’ ଶବ୍ଦର ମୂଳ ‘ସହିତ’। ‘ସାହିତ୍ୟ’ ଏକ ବ୍ୟାପକ ଅର୍ଥବହନକାରୀ ଶବ୍ଦ, ଯାହା ତା ନିଜ ଭିତରେ ମଣିଷର ଗତି ସହିତ ବଦଳି ଚାଲିଚି। ଆମେ ସ୍ଥିର ହୋଇଗଲେ ସେ ସ୍ଥିର, ଆମେ ଆମର ସୀମିତତାକୁ ଅତିକ୍ରମ କରିଗଲେ ସେ ଅତିକ୍ରମୀ। ଆମର ଭାଷାନିର୍ମାତା ପିତୃପୁରୁଷ ଜାଣିଥିଲେ ଯେ ‘ବାକ୍’ କେବଳ ଅର୍ଥବାହୀ ନୁହେଁ, ଏହା ଅଭିବ୍ୟକ୍ତି ମାତ୍ର ନୁହେଁ, ଏହା ଭିତରେ ଅନୁମାନର ସହଜଜ୍ଞାନ ଓ ଅବବୋଧର ସୁଦୃଢ଼ କାୟା ବି ଅଛି। ‘ସାହିତ୍ୟ’କୁ ଲିଟେରେଚର୍ ଭାବରେ ଗ୍ରହଣ କରିବା ଫଳରେ ଆମେ ‘ସାହିତ୍ୟ’କୁ ସୀମିତ କରି କାବ୍ୟ କବିତା, ଗଳ୍ପ, ଉପନ୍ୟାସ ବା ପ୍ରବନ୍ଧ ରଚନାରେ ସ୍ଥିର କରିଦେଇଚେ। ‘ସାହିତ୍ୟ’ର ଅତିକ୍ରମଣକାରୀ ଶକ୍ତିକୁ ସ୍ବୀକାର ବି କରିନାହେଁ। ସେହିଭଳି ‘ସଂସ୍କୃତି’ ଶବ୍ଦ ‘ସଂସ୍କୃ’ ମୂଳରୁ ଆସେ, ଯାହାର ଅଭୀଷ୍ଟ ‘ଯୋଡ଼ିବା’। ଯାହା ଯୋଡ଼ି ନ ପାରେ ତାହା ‘ସଂସ୍କୃତି’ ନୁହେଁ। କିନ୍ତୁ ପାଶ୍ଚାତ୍ୟ ‘କଲ୍ଚର୍’ ଆସେ ‘କର୍ଷଣ’ରୁ। ଏଠି କର୍ଷଣ କ୍ରିୟା ଓ ଉତ୍ପାଦ ମୂଳ। ଯାହା ଉତ୍ପାଦିତ ହୁଏ ତାହା କର୍ଷଣର ପରିଣତି। ଆମ ‘ସଂସ୍କୃତି’ ଶବ୍ଦରେ କ’ଣ ଉତ୍ପାଦିତ ହୁଏ, ତା’ର ହିସାବ କରାଯାଏ ନାହିଁ। ବ୍ୟକ୍ତିକୁ ସମାଜରେ ଓ ସମାଜକୁ ବିଶ୍ବରେ ଯୋଡ଼ିବାର ପ୍ରକ୍ରିୟାରେ ଆମର ‘ସଂସ୍କୃତି’ ଶବ୍ଦର ବ୍ୟାପକତା।
ଏ ‘ସଂସ୍କୃତି’ ଶବ୍ଦ ଭିତରେ ଆମର ବାଙ୍ମୟର ଅତିକ୍ରମଣକାରୀ ସାମର୍ଥ୍ୟ ଉହ୍ୟ ହୋଇଅଛି। ଯୋଡ଼ିବାର ସୀମା ନାହିଁ। ମଣିଷ ନିଜକୁ ତିନିଟି ପୃଥିବୀ ସହିତ ଏକା ସାଙ୍ଗରେ ଯୋଡ଼ି ପାରିବାର ସାମର୍ଥ୍ୟ ଆମ ‘ସଂସ୍କୃତି’ରେ। ଗ୍ରହ-ପୃଥିବୀ, ବିଶ୍ବ-ପୃଥିବୀ ଓ ପ୍ରାକୃତିକ ପୃଥିବୀ। ମଣିଷ ସହିତ ଯୋଡ଼ି ହେବାର ପ୍ରକ୍ରିୟା ଆମର ‘ସଂସ୍କୃତି’, ଯାହା ପାଶ୍ଚାତ୍ୟ ‘କଲ୍ଚର୍’ରେ ନାହିଁ। ଏ ଯୋଡ଼ିଏ ମୌଳିକ ଶବ୍ଦର ଉଦାହରଣ ଦେଲି ଏଇଥି ପାଇଁ ଯେ ଆମ ସଭ୍ୟତାରେ ମଣିଷର ସ୍ଥିତି ସୀମିତ, ବସ୍ତୁ ଉତ୍ପାଦନକାରୀ, ପ୍ରମାଣସିଦ୍ଧ ଓ ପ୍ରକ୍ରିୟା-ପ୍ରଧାନ ନୁହେଁ। ଆମର ମୂଳ ଶବ୍ଦମାନଙ୍କରେ ମଣିଷକୁ ସୀମିତତା ଅତିକ୍ରମୀ ଶକ୍ତି ଭାବରେ କଳ୍ପନା କରାଯାଇଚି, ‘ପରାକ୍ରମୀ’ ଶକ୍ତି ଭାବରେ ନୁହଁ ବା କ୍ଷୁଦ୍ରତାରୁ ମୁକ୍ତି ପାଇବା ପାଇଁ ବ୍ୟାକୁଳ ମହତ୍ତ୍ବାକାଂକ୍ଷା ଭାବରେ ନୁହେଁ। ଯେଉଁ ‘ମେଟା’ ଶବ୍ଦଟିକୁ ଜୁକରବର୍ଗ ଫେସବୁକ୍ର ଅତିକ୍ରମୀ ସମ୍ଭାବନା ଅର୍ଥରେ ପ୍ରୟୋଗ କରୁଚନ୍ତି, ସେ ଶବ୍ଦଟି ଆମର ପ୍ରତି କାଳରେ। ଆମର ପ୍ରତି ଶବ୍ଦ ‘ଫିଜିକାଲ୍’, ପୁଣି ‘ମେଟାଫିଜିକାଲ୍’। ସେହି ଦୃଷ୍ଟିରୁ ମେଟା ଶବ୍ଦର ଯେଉଁ ଗୋଟିଏ ଉପଯୁକ୍ତ ସମାର୍ଥବାଚୀ ଓଡ଼ିଆ ଶବ୍ଦ ଗ୍ରହଣ କରିନେବା, ତାହା ହେଉଚି, ‘ଅତିକ୍ରମୀ’, ଅର୍ଥାତ୍ ଗ୍ରୀକ୍ ‘ମେଟା’।
ଦୁଇଟି କଥା କହେଁ। ଗୋଟିଏ ଦର୍ଶନର କଥା, ଆଉ ଗୋଟିଏ ଅନୁଭୂତିର କଥା। ଫରାସୀ ଦାର୍ଶନିକ ବର୍ଗସଁ ‘ବିଜ୍ଞାନ’କୁ ଉପହାସ କରି କହିଥିଲେ: ବିଜ୍ଞାନ ଅପରିପକ୍ବ, କାରଣ ଇଏ ଏଯାଏଁ ତା’ର ‘ମେଟାଫିଜିକ୍ସ’ ପାଇନାହିଁ। ବିଜ୍ଞାନର ମେଟାଫିଜିକ୍ସ? ସେ ପୁଣି କ’ଣ? ମୁଁ ଦର୍ଶନର ଛାତ୍ର ନୁହେଁ, ପୁଣି ବର୍ଗସଁଙ୍କ ଭଳି ଜଣେ ଅତି ଦୂରଦୃଷ୍ଟିସଂପନ୍ନ ଦାର୍ଶନିକଙ୍କୁ ବୁଝିବାର ସାମର୍ଥ୍ୟ ମୋର ନ ଥିଲା। ଏବେ ସୌଭାଗ୍ୟ କ୍ରମେ ବର୍ଗସଁଙ୍କ ଦର୍ଶନ ଉପରେ ବିଂଶ ଶତାବ୍ଦୀର ଶେଷ ପାଦର ସବୁଠୁ ମହତ୍ତ୍ବପୂର୍ଣ୍ଣ ଫରାସୀ ଦାର୍ଶନିକ ଜାଇଲ୍ସ୍ ଡେଲ୍ୟୁଜ୍ ଯେଉଁ ଭାଷ୍ୟ ପ୍ରସ୍ତୁତ କରିଚନ୍ତି ତହିଁରୁ ମର୍ମ ସ୍ପଷ୍ଟ ହେଲା। ମର୍ମ ଏଇଆ ଯେ ଜ୍ଞାନ ହେଉ ବା ବିଜ୍ଞାନ, ଯାହା ବି ହେଉ, ତାହା ଅସଂପୂର୍ଣ୍ଣ, ଅକ୍ଷମ ଓ ଦୁର୍ବଳ ଯଦି ତା’ର ଅତିକ୍ରମୀ ଶକ୍ତି (ମେଟା) ନ ଥାଏ। ଅତିକ୍ରମୀ ଶକ୍ତି ନ ଥିଲେ ଜ୍ଞାନ ଓ ବିଜ୍ଞାନ ନିଜ ନିଜର ସୀମିତତାରେ ବନ୍ଦୀ। ଜ୍ଞାନ ଓ ବିଜ୍ଞାନକୁ, ଏପରିକି ସମାଜରେ ମଣିଷର କର୍ମକ୍ଷେତ୍ରକୁ ବିଭିନ୍ନ ବିଷୟରେ ବାଣ୍ଟି ଦେଇ ଆମେ ସେଗୁଡ଼ିକୁ ଆମ ଶକ୍ତିରେ ଆୟତ୍ତ କରିଚେ ତଥା ତାକୁ ସୀମାବଦ୍ଧ କରି ସତେ ଅବା ଗୋଟିଏ ଆବର୍ତ୍ତ ଭିତରେ ଘୂରିବା ପାଇଁ ବାଧ୍ୟ କରିଚେ। ଉତ୍ତରଣ ବା ‘ଟ୍ରାନ୍ସେଡେନ୍ସ’ ବୋଲି ଗୋଟିଏ ଶବ୍ଦର ନିର୍ମାଣ କରି ଊର୍ଦ୍ଧ୍ବମୁଖୀ ହେବାର କଳ୍ପନାକୁ ଇହ ଜଗତରୁ ସୁଦୂର ଏକ ଦୁର୍ଲଭ କଳ୍ପନାରେ ପରିଣତ କରିଚେ। ପ୍ରକୃତରେ ଅତିକ୍ରମ କରିବାର ସାମର୍ଥ୍ୟ ନାହିଁ ବୋଲି ଆମେ ଜ୍ଞାନ ଓ ବିଜ୍ଞାନର ଅସମାହିତ ବଳକା ଅଂଶକୁ ହାୱା କରି ଉେଡ଼ଇ ଦେଇଚେ। ଉତ୍ତରଣ ନୁହେଁ ଅତିକ୍ରମଣ ଲୋଡ଼ା। ତେବେ ବିଜ୍ଞାନର ଅତିକ୍ରମଣ କ’ଣ?
ଏବେ ଗୋଟିଏ ଅନୁଭୂତିର କଥା କହେଁ। ଜଣେ ସ୍ବଳ୍ପ ଶିକ୍ଷିତ କିନ୍ତୁ ଅନୁଭୂତିରେ ପ୍ରବୀଣ ରାଜନେତା ତଥା କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ମୋତେ ଗୋଟିଏ ଶିକ୍ଷା ଦେଇଥିଲେ ଯାହାର ତାତ୍ପର୍ଯ୍ୟ ମୁଁ ଅତିକ୍ରମଣର ଦାର୍ଶନିକ ଆଲୋକରେ ଅଧିକ ସ୍ପଷ୍ଟ ଦେଖିପାରୁଚି। ସେ ମନ୍ତ୍ରୀ ଜଣକ ଥିଲେ ଭାରତର ଶ୍ରମମନ୍ତ୍ରୀ ଟି. ଅଂଜାୟା। ଆମେ େଜନେଭାରେ ଆନ୍ତର୍ଜାତିକ ଶ୍ରମ ସଂସ୍ଥାର ବିରାଟ ଆନ୍ତର୍ଜାତିକ ଶ୍ରମ ସମ୍ମେଳନରେ ଥିଲୁ। କଥା ପ୍ରସଙ୍ଗରେ ରାଜନେତାଙ୍କ ସହିତ ଅମଲାତନ୍ତ୍ରର ସଂପର୍କ କଥା ଉଠିଲା। ସେ ବଡ଼ କ୍ଷୁବ୍ଧ ଥିଲେ ଯେ ଆମର କେତେକ ବରିଷ୍ଠ ଅଧିକାରୀ ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିନଥିଲେ। ଅଂଜାୟା ମହାଶୟ ରାଜନେତା ଓ ଅମଲାତନ୍ତ୍ର ମଧ୍ୟରେ ସମ୍ପର୍କକୁ ବୁଝାଇବାକୁ ଯାଇ କହିଲେ: ‘‘ହମାରେ ପାସ୍ ରାଜନୀତି ବହୁତ ହୈ, ହମେ ସାହିତ୍ୟ ଦୋ’, ୱହି କାମ ହୈ ବ୍ୟୁରୋକ୍ରାସି କା’’। ମୁଁ ଚମକିଲି, ରାଜନୀତିର ପୁଣି କି ସାହିତ୍ୟ ଲୋଡ଼ା? ଏବେ ବୁଝୁଚି ପ୍ରବୀଣ ରାଜନେତା କି ବଡ଼ ଦର୍ଶନର କଥା କେଡ଼େ ସହଜରେ କହୁଥିଲେ। ହଁ, ରାଜନୀତିର ଅତିକ୍ରମଣ ଲୋଡ଼ା। ସାହିତ୍ୟ କ’ଣ ସେ ଅତିକ୍ରମଣ?
ଏବେ ସାହିତ୍ୟର ତାତ୍ପର୍ଯ୍ୟ ଅନୁମାନ କରନ୍ତୁ। ସାହିତ୍ୟ ଗଳ୍ପ-କବିତା-ନାଟକ-ପ୍ରବନ୍ଧ ନୁହେଁ, ସାହିତ୍ୟ ହିଁ ସମସ୍ତ ଜ୍ଞାନ ଓ ବିଜ୍ଞାନର ‘ମେଟା’ ବା ଅତିକ୍ରମୀ ଶକ୍ତି। ପ୍ରତି ବିଷୟର ବା ପ୍ରତି କର୍ମର ଗୋଟିଏ ସାହିତ୍ୟ ଅଛି, ଯାହା ତାକୁ ତା’ର ବିଷୟ-ବନ୍ଧନରୁ ମୁକ୍ତ କରେ ବା ନିଜକୁ ଅତିକ୍ରମ କରିବାର ସାମର୍ଥ୍ୟ ଦିଏ। ଇଏ ଦର୍ଶନ ନୁହେଁ, ସାହିତ୍ୟ ଏଇଥି ଯୋଗେ ଯେ ଏଥିରେ ଅବବୋଧ, ଅନୁମାନ ଓ ଅଭିବ୍ୟକ୍ତି ଥାଏ। ଏଗୁଡ଼ିକ ଥିଲେ ବିଷୟ ବନ୍ଧନ ଆପେ ଖୋଲିଯାଏ ଓ ବିଷୟର ଅତିକ୍ରମଣ ସମ୍ଭବ ହୁଏ। ଅବବୋଧରୁ ଆସେ ସନ୍ଦେହ ଓ ପ୍ରତ୍ୟାଖ୍ୟାନ। ଅନୁମାନରୁ ଆସେ ସ୍ବପ୍ନ ଓ ସମ୍ଭାବନା। ଅଭିବ୍ୟକ୍ତିରୁ ଆସେ ବ୍ୟାଖ୍ୟାନ, ବର୍ଣ୍ଣନା ବା ନେରେଟିଭ୍। ତେଣୁ ବର୍ଗସଁ ବିଜ୍ଞାନର ମେଟାଫିଜିକ୍ସ ନ ଥିବାର ଅର୍ଥ ଥିଲା ଏହି ଯେ ବିଜ୍ଞାନ ନିଜକୁ ଅତିକ୍ରମ କରିପାରୁନାହିଁ; ଅର୍ଥାତ୍ ୟାର ସାହିତ୍ୟ ନାହିଁ। ସାହିତ୍ୟ ଥିଲେ ଅବବୋଧ ଥା’ନ୍ତା, ଅନୁମାନ ଥା’ନ୍ତା ଓ ଅଭିବ୍ୟକ୍ତି ଥା’ନ୍ତା! ଏଗୁଡ଼ିକ ଥିଲେ ବିଜ୍ଞାନ ନିଜ ପରୀକ୍ଷାଗାରରେ ବନ୍ଦୀ ନ ହୋଇ ମଣିଷର ‘ସହିତ’ ରହନ୍ତା, ପ୍ରକୃତିକୁ ନଷ୍ଟ କରି ସୁଖ ଓ ସୁବିଧାର କ୍ଷଣସ୍ଥାୟୀ ତଥା ବ୍ୟାଖ୍ୟାନହୀନ ଜଡ଼ତା ସୃଷ୍ଟି କରନ୍ତା ନାହିଁ। ସାହିତ୍ୟର ଉପସ୍ଥିତି ବିଜ୍ଞାନକୁ ମଣିଷର ‘ଜୀବଦ୍ଦଶା’ (ଲିଭ୍ଡ ଟାଇମ୍) ସହିତ ଯୋଡ଼ନ୍ତା ଓ ମାନବୀୟ ଉତ୍କର୍ଷ, ଅନୁସନ୍ଧିତ୍ସା ଓ କୌତୂହଳକୁ ସମ୍ମାନ ଦିଅନ୍ତା। ବିଜ୍ଞାନର ଦାର୍ଶନିକମାନେ ବିଜ୍ଞାନର ଅମାନୁଷିକ ଅଗ୍ରଗତି ବିଷୟରେ ଯେଉଁ ଆଶଙ୍କା ବ୍ୟକ୍ତ କରିଚନ୍ତି, ତା’ର ତାତ୍ପର୍ଯ୍ୟ ବିଜ୍ଞାନର ‘ସାହିତ୍ୟହୀନତା’ରେ।
କେବଳ ଜ୍ଞାନବିଜ୍ଞାନ ନୁହେଁ, ମଣିଷର କର୍ମ ବିଭାଜନରେ ବି ସାହିତ୍ୟର ଅଭାବ। ରାଜନୀତି କ’ଣ କରିବାକୁ ଚାହେଁ? ଅର୍ଥନୀତି କ’ଣ କରିବାକୁ ଚାହେଁ? ମାର୍କ ଜୁକରବର୍ଗ ଯେତେବେଳେ କହିଲେ ଯେ ‘ଫେସ୍ବୁକ’କୁ ‘ମେଟା’ ନାମିତ କରି ସେ ସାମାଜିକ ଗଣମାଧ୍ୟମକୁ ଅକଳ୍ପନୀୟ ସମ୍ଭାବନାରେ ପହଞ୍ଚାଇଚନ୍ତି ଓ ପ୍ରତୀୟମାନତାକୁ ‘ଜୀବଦ୍ଦଶା’ର ଅଂଶ କରି ଜୀବନକୁ ତା’ର ରହସ୍ୟ ଫେରେଇ ଦେଇଚନ୍ତି, ସେତେବେଳେ ସେ ଏଇ ସାହିତ୍ୟର କଥା ଅନ୍ୟ ଭାଷାରେ କହୁଚନ୍ତି। କୁହାଯାଇପାରେ ଯେ ଆମର ରାଜନୀତି, ଅର୍ଥନୀତି ଓ ସମଗ୍ର ନୀତିକ୍ଷେତ୍ର ବି ଅତିକ୍ରମଣର ଅପେକ୍ଷାରେ।
ରାଜନୀତିକୁ ସାହିତ୍ୟ ମିଳିବ କେମିତି? ମିଳିବ ଯଦି ରାଜନୀତି ତା’ର ସାମର୍ଥ୍ୟର ଅନୁମାନ କରେ, ଅବବୋଧ ନିର୍ମାଣ କରେ ଓ ଅଭିବ୍ୟକ୍ତି ପ୍ରସ୍ତୁତ କରେ। ଅର୍ଥାତ୍ ରାଜନୀତିକୁ ନିର୍ବାଚନୀ ଶକ୍ତି-କ୍ଷେତ୍ର ନ ଭାବି ରାଜନୀତିକୁ ଏକ ଲୋକାନୁଷ୍ଠାନ ବା ଗଣତନ୍ତ୍ରର ପରିଚାଳନା ମାଧ୍ୟମ ଭାବିବା ଜରୁରୀ। ୟାର ଅବବୋଧରେ ଶକ୍ତି ନୁହେଁ, ଉତ୍ତରଦାୟିତ୍ବ ସଂଚାରିତ ହେବା ଜରୁରୀ। ୟାର ଅଭିବ୍ୟକ୍ତି ପ୍ରତିଶ୍ରୁତିରେ ନୁହେଁ ସଂକଳ୍ପରେ, କ୍ରିୟାଶକ୍ତିରୁ ଅଧିକ ସମ୍ବେଦନାରେ। ସୁତରାଂ, ରାଜନୀତିର ଯେଉଁ ଗଣତାନ୍ତ୍ରିକ ମଡେଲ୍ ସହିତ ଆମେ ପରିଚିତ, ତାହା ତା’ର ନିଜ ସୀମିତତାରେ ବନ୍ଦୀ। ରାଜନୀତି ଯେ ଏକବିଂଶ ଶତାବ୍ଦୀର ଭାଷା ଏକଥା ରାଜନୀତି ବୁଝିବ କେମିତି ସାହିତ୍ୟ ବିନା? ରାଜନୀତି ଯେ ମାନବୀୟ ଜୀବଦ୍ଦଶାର ଗୋଟିଏ ନିର୍ଣ୍ଣାୟକ ଚରିତ୍ର, ଏକଥା ରାଜନୀତି ଜାଣିବ କେମିତି ସାହିତ୍ୟ ବିନା? ରାଜନୀତିକୁ କୂଟ, କପଟ, ଶଠାଚାର ଓ ଅନାଚାରରେ ପରିଣତ କଲା ସାହିତ୍ୟର ଅଭାବ। େସହିପରି ଅର୍ଥନୀତି ମଣିଷର ଆବଶ୍ୟକତା ବାହାରେ ମଣିଷର ଜୀବନାନୁଭୂତିରୁ ଜୀବନଧାରଣର ସୂତ୍ର ଆବିଷ୍କାର କରନ୍ତା ଓ ନିଜର ବିଷୟଗତ ସୀମିତତା ଆଗକୁ ଯା’ନ୍ତା! ପାଠ୍ୟ ବିଷୟମାନଙ୍କରେ ମଧ୍ୟ ସୀମାରେଖା ଲିଭେଇ ଦେଇ ଯଦି ବିଷୟମାନଙ୍କ ଭିତରେ ଥିବା ଅତିକ୍ରମୀ ତତ୍ତ୍ବମାନଙ୍କୁ ଆଗେଇ ନିଆଯାନ୍ତା, ତେବେ ସେମାନେ ପାଠ ବାହାରେ ମହାପାଠର ସମସ୍ତ ବିକାଶ କରିପାରନ୍ତେ। ୟା ବ୍ୟତୀତ ପ୍ରତି ପାଠର ଅତିକ୍ରମୀ ସ୍ବଭାବ ଆବିଷ୍କାର ପାଇଁ ବିଶେଷ ବିମର୍ଶ ନିର୍ମାଣ ହୁଅନ୍ତା ଓ ସବୁ କିଛି ଅଭିବ୍ୟକ୍ତିକ୍ଷମ ହୁଅନ୍ତା, ସବୁର ସାମର୍ଥ୍ୟ ଅନୁମାନ କରି ହୁଅନ୍ତା।
ମାର୍କ ଜୁକରବର୍ଗ ‘ମେଟା’ ଦ୍ବାରା ‘ସୂଚନା’କୁ ଜ୍ଞାନର ପ୍ରତୀୟମାନତାରେ ମୁକ୍ତ କରି ଦେଲେ ବୋଲି କହିବା ଭିତରେ ଜାଣନ୍ତୁ ସେ ବିଶ୍ବକୁ ଏକ ବାର୍ତ୍ତା ଦେଇଦେଲେ। ସେ ବାର୍ତ୍ତା ଏହି ଯେ ପ୍ରତି ଅଗ୍ରଗାମୀ ପଦକ୍ଷେପ ପାଇଁ ଲୋଡ଼ା ଅତିକ୍ରମଣ। ବର୍ଗସଁ ବିଜ୍ଞାନର ମେଟାଫିଜିକ୍ସ ନ ପାଇ ହତାଶ ହୋଇଥିଲେ। ଏକଥା କ’ଣ ସତ ନୁହେଁ ଯେ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ବିଜ୍ଞାନ ନିଜ ଆବିଷ୍କାରରେ ଉଲ୍ଲସିତ ହୋଇ ସ୍ବୟଂ ସଂପୂର୍ଣ୍ଣତା ଘୋଷଣା କରିଥିଲା ଓ ତା’ର ପରିଣତି ହୋଇଥିଲା ନରସଂହାର? ଏକଥା କ’ଣ ସତ ନୁହେଁ ଯେ ବିଜ୍ଞାନର ପ୍ରଯୁକ୍ତି ବିଦ୍ୟାକୁ ଯାତ୍ରା କେବଳ ମୌଳିକତାର ଅବରୋଧ ନୁହେଁ, ନିଜକୁ ନ ବଦଳାଇ ମାନବିକତାକୁ ଅକ୍ତିଆର କରିବାର ଛଳ ନୁହେଁ କି? ଜ୍ଞାନକୁ ସୂଚନାରେ ଦ୍ରୁତ ଓ ସଂଚାରକ୍ଷମ କରି ଆମେ ସୂଚନା ସର୍ବସ୍ବତାର ଏକ ଭୟଙ୍କର ସମୟରେ ପହଞ୍ଚିନେ କି? ଜୀବନର ଆଧାରଭୂତ ସଂରଚନାକୁ ବିଚଳିତ କରି କେବଳ ଗତିଷ୍ମାନ ହେବାର ଦୃଶ୍ୟ ନିଜ ଅକ୍ଷ ଚାରିଆଡ଼େ ଘୂର୍ଣ୍ଣି ଭଳି ଘୂରି ଚାଲିବା ନୁହେଁ କି? ସେହିପରି ମାନବ ଶାସ୍ତ୍ରରେ ଅନ୍ତର୍ଦୃଷ୍ଟିହୀନ ତଥ୍ୟମୟତା ନିଜ ସପକ୍ଷରେ ତର୍କ ବା ପ୍ରମାଣ ଏକାଠି କରିବାର ସୀମିତତା ନୁହେଁ କି? ମଣିଷ ଜୀବନ ଗୋଟିଏ ବିଶେଷ ଜ୍ଞାନ, କୌଶଳ ବା ପ୍ରୟୋଗ ନୁହେଁ। ଇଏ ବିବିଧତାମୟ, ବହୁଳତାପୂର୍ଣ୍ଣ, କୋଳାହଳମୟ କିନ୍ତୁ ନିଜକୁ ଅତିକ୍ରମ କରିବାର ଶକ୍ତିରେ ବଳୀୟାନ ଏକ ଶକ୍ତି, ଏକ ବହୁ ଦୀପମୟ ସନ୍ଦୀପନ, ଏକ ବହୁତନ୍ତ୍ରୀୟ ଉଚ୍ଚାଟନ। ଜ୍ଞାନୀମାନେ ନିଜ ନିଜର ଜ୍ଞାନକ୍ଷେତ୍ରରେ ନିଜକୁ ସିଦ୍ଧ ପ୍ରମାଣିତ କରିବା ପାଇଁ ଏକ ଅସରନ୍ତି ବୃତ୍ତ ପଥରେ ବୁଲୁଚନ୍ତି ନା ନିଜକୁ ଅତିକ୍ରମ କରିବାର ସୂତ୍ର ପାଇଲେଣି, ପ୍ରଶ୍ନ ସେଇଠି। ଉତ୍ତର ସାହିତ୍ୟରେ। ରାଜନୀତିରେ କରୁଣା, ଅର୍ଥନୀତିରେ ହୃଦୟ, ନୃତତ୍ତ୍ବରେ ବିସ୍ମୟ ଓ ବିଜ୍ଞାନରେ ସ୍ପର୍ଶକାତରତା କେବେ ପ୍ରବେଶ କରିବ? ଜ୍ଞାନର ମାନବୀକରଣ ଯେ ଜ୍ଞାନର ଅତିକ୍ରମଣ, ୟାକୁ କେବେ ବୁଝିବେ ମହାଜ୍ଞାନୀ?
ମୋ: ୯୪୩୭୦୩୯୮୫୮