ଏହାକୁ ପଢୁଥିବା ଅଧିକାଂଶ ପାଠକପାଠିକା ଜାଣିଥିବେ ଯେ ପ୍ରସିଦ୍ଧ ବୈଜ୍ଞାନିକ ଆଇଜାକ୍‌ ନିଉଟନ୍‌ ଗୋଟିଏ ଆପଲ ଗଛ ମୂଳରେ ବସି ଚିନ୍ତନରେ ଡୁବି ଯାଇଥିବା ବେଳେ ତାଙ୍କ ମୁଣ୍ଡ ଉପରେ ଆପଲଟିଏ ଖସି ପଡ଼ିବା ପରେ ହଠାତ୍‌ ଏକ ଅନବଦ୍ୟ ବୁଦ୍ଧି କଅଁଳି ଉଠିଲା, ଯହିଁରୁ ସେ ମାଧ୍ୟାକର୍ଷଣ ଜନିତ ତିନିଟି ନିୟମ ବାହାର କଲେ ଏବଂ ତାହା ବୈଜ୍ଞାନିକ ଚିନ୍ତନରେ ଏକ ମୋଡ଼ ପରିବର୍ତ୍ତନକାରୀ ଘଟଣା ଭା‌େବ ପରିଚିତ ହେଲା। ସେହି ନିୟମଗୁଡ଼ିକରେ କୌଣସି ବସ୍ତୁ, ସେହି ବସ୍ତୁତର ବସ୍ତୁତ୍ବ ବା ଇଂରେଜୀରେ ‘ମାସ୍‌’ ଏବଂ ତା’ ଉପରେ ବଳ ପ୍ରୟୋଗ ଭିତରେ ଥିବା ସଂପର୍କର ସୂତ୍ର ଦେଖିବାକୁ ମିଳିଥାଏ। ତେବେ, ଏ ଆଲୋଚନାରେ ଆମେ ସେ ସବୁ ଗୂଢ଼ ବୈଜ୍ଞାନିକ ତତ୍ତ୍ବ ଭିତରକୁ ପଶିବା ନାହିଁ; କେବଳ ତାଙ୍କର ପ୍ରଥମ ନିୟମକୁ ନେଇ ଦେଖିବା ଯେ କିଭଳି ଆମ ଜୀବନ ମଧ୍ୟ ନିଉଟନଙ୍କ ମାଧ୍ୟାକର୍ଷଣ ନିୟମକୁ ମାନି ଚାଲିଥାଏ।

Advertisment

ନିଉଟନଙ୍କ ପ୍ରଥମ ନିୟମଟି ହେଲା ‘ଇନର୍ସିଆ ଅଫ୍ ମୋସନ୍‌’ ବା ‘ଗତିର ଜଡ଼ତ୍ବ’ ବା କେବଳ ‘ଜଡ଼ତ୍ବ’ ନିୟମ। ତାହା କହିଥାଏ ଯେ ବାହ୍ୟ ବଳ ପ୍ରୟୋଗ ନ ହେବା ପର୍ଯ୍ୟନ୍ତ କୌଣସି ବସ୍ତୁର ସ୍ଥିରାବସ୍ଥା ବା ଗତିଶୀଳାବସ୍ଥାରେ ପରିବର୍ତ୍ତନ ଘଟି ନ ଥାଏ। ସହଜ ଭାବେ ବୁଝାଇ କହିଲେ ବଳ ନ ଲଗାଇଲା ପର୍ଯ୍ୟନ୍ତ ସ୍ଥିର ବସ୍ତୁଟିଏ ସ୍ଥିର ହୋଇ ରହେ ବା ଗତିଶୀଳ ବସ୍ତୁଟିଏ ଗତିଶୀଳ ହୋଇ ରହେ। ତା’ର ଅର୍ଥ ସ୍ଥିର ବସ୍ତୁକୁ ଗତିଶୀଳ ବା ଗତିଶୀଳ ବସ୍ତୁକୁ ସ୍ଥିର କରିବାକୁ ହେଲେ ବଳ ପ୍ରୟୋଗର ଆବଶ୍ୟକତା ରହିଛି।

ଏବେ ଆମ ଦୈନନ୍ଦିନ ଜୀବନରେ ଏହି ନିୟମକୁ ଆବିଷ୍କାର କରନ୍ତୁ। ସାଧାରଣ କଥାଟିଏ। ଆପଣ ନିଜ ଘରର ମାସିକିଆ ସଉଦା ତାଲିକାକୁ ଲକ୍ଷ୍ୟ କରନ୍ତୁ। ପ୍ରତି ମାସ ସେହି ସମାନ ବରାଦ, ସେହି ସମାନ କ୍ରମ, ସେଇ ଜଡ଼ତ୍ବ। ସେଥି ଲାଗି ତ ଅନେକ ଲୋକ ଆଜିକାଲି ସେମାନଙ୍କ ସଉଦା ତାଲିକାକୁ କଂପ୍ୟୁଟରରେ ସାଇତି ରଖୁଛନ୍ତି; ପ୍ରତି ମାସରେ କେବଳ ପ୍ରିଣ୍ଟ ବାହାର କରିଦେଲେ ଯଥେଷ୍ଟ। ତା’ ପରେ ‌ସେହି ସମାନ ତାଲିକା ସେହି ସମାନ ତେଜରାତି ଦୋକାନରେ ପଂହଞ୍ଚେ ଓ ସେହି ସମାନ ଦୋକାନୀ ସମାନ ହସ ସହିତ ସମାନ ଢଙ୍ଗରେ ଜିନିଷ ଦିଅନ୍ତି। ଏବେ ହଠାତ୍‌ ବାହ୍ୟ ବଳ ବା ଚାପ ପଡ଼ିଲା। ଆପଣଙ୍କ ଘରକୁ କେହି ମହତ୍ତ୍ବପୂର୍ଣ୍ଣ କୁଣିଆ ଆସିବାର ହେଲା। ଆପଣଙ୍କ ସଉଦା ତାଲିକା ଏବେ ବଦଳିଲା, ଗତି ପାଇଲା ଏବଂ ଚିହ୍ନା ଦୋକାନୀ ମହାଶୟ ତାହା ଚଟ୍‌ କିନା ଠଉରାଇ ନେଇ ପଚାରିଲେ- ସାର୍‌ ଭୋଜିଭାତ ହେବ କି? ବା କେହି କୁଣିଆ ଆସୁଛନ୍ତି କି?

ଏମିତି ଉଦାହରଣ ଆମ ଜୀବନରେ ଭରପୂର। ଆପଣ ସକାଳୁ ଉଠି କେମିତି ଦିନ କାଟନ୍ତି ବୋଲି ନିଜକୁ ପଚାରନ୍ତୁ। ସେହି ସମାନ ରୁଟିନ୍‌। ନିଉଟନଙ୍କ ସେହି ନିୟମ ‘ଜଡ଼ତ୍ବ’। ହଠାତ୍‌ ସଂଧ୍ୟାରେ ଘୋଷଣା ହେଲା ଯେ ପର ଦିନ ସକାଳ ସାତଟାରୁ ସଂଧ୍ୟା ପାଞ୍ଚଟା ଯାଏ ବିଜୁଳି ଯିବ। ଏବେ ଆପଣଙ୍କ ଚାଞ୍ଚଲ୍ୟହୀନ ଜଡ଼ ଜୀବନ ଉପରେ ବାହ୍ୟ ବଳ ଲାଗିଲା। ଜୀବନ ଭିତରକୁ ନିଉଟନ ପଶି ଆସିଲେ। ସେହି ଦିନ ଲାଗି ଆପଣଙ୍କ ରୁଟିନ୍‌ ବଦଳିଗଲା।

ଏବେ ଘରୁ ବାହାରି ଚାଲନ୍ତୁ ଦପ୍ତରକୁ ଯିବା। ସରକାରୀ ଦପ୍ତରମାନଙ୍କରେ ‘ଜଡ଼ତ୍ବ’ ତ ଉଦାହରଣୀୟ ସ୍ତରର! ସରକାରୀ ଦପ୍ତରରେ ବାବୁମାନେ ବଦଳନ୍ତି; କିଏ ଅବସର ନିଅନ୍ତି ତ କାହାର ବଦଳି ହୁଏ। କିନ୍ତୁ ସ୍ଥାଣୁତା ବା ‘ଜଡ଼ତ୍ବ’ ବଦଳେ ନାହିଁ। ଆପଣ ନିଜ ଫାଇଲ ବିଷୟରେ ବୁଝିବାକୁ ଯାଇ ପାଇଲେ ଯେ ତାହା ବର୍ଷେ ଧରି ସେହି ସମାନ ଟେବୁଲରେ ପଡ଼ିଛି, ଟିକିଏ ବି ଘୁଞ୍ଚିନାହିଁ। ଆପଣ ବୁଝି ପାରିଲେ ଯେ ଏବେ ବାହ୍ୟ ବଳ ଲୋଡ଼ା। ତେଣୁ, ଆପଣ ନିଜ ସକ୍ଷମତା ଅନୁଯାୟୀ ହୁଏ’ତ କିଛି ହାତ ଗୁଂଜା ଦେବାକୁ ସ୍ଥିର କଲେ ବା ଚିହ୍ନା ପରିଚୟ ଖୋଜି ଉପର ହାକିମଙ୍କୁ ତାହା ଜଣାଇବାର ବ୍ୟବସ୍ଥା କଲେ। ବାହ୍ୟ ବଳ ଯାହା ବି ହେଉ କାମ କରିବ। ଆପଣଙ୍କ ଫାଇଲ କିଛି ବାଟ ଆଗେଇ ଯିବ।

କିନ୍ତୁ, ଏହି ଲେଖକକୁ ଦିନେ ମନେ ହେଲା ଯେ ନିଉଟନ ମହାଶୟଙ୍କ ମଥା ଉପରେ ଆପଲ ପତନ ତାଙ୍କୁ ଯେଉଁ ଗଭୀର ତତ୍ତ୍ବ ଆବିଷ୍କାର କରିବାକୁ ସମର୍ଥ କଲା, ତାକୁ ନେଇ ବହୁତ ତମ୍ବିତୋଫାନ ହୋଇଆସିଛି। ଆରେ ବାବୁ, ଜୀବନକୁ ଟିକିଏ ଦେଖି ନେଇଥିଲେ ସେ ଏହି ତତ୍ତ୍ବ କେବେ ଠାରୁ ପାଇ ସାରିଥାଆନ୍ତେ! ସେଇ କଥା ଏ‌େବ ପ୍ରମାଣିତ ମଧ୍ୟ ହୋଇଗଲା। କାରଣ ଦିନେ ଅଚାନକ ଆମ ସାହିର ନିପଟ ଅପାଠୁଆ ବ୍ରଜ ଓରଫ ବରଜୁ କଥା ପ୍ରସଙ୍ଗରେ ମୋତେ କହିଲା- ଜାଣିଚ, ବାବୁ କେତେ ଦିନ ଧରି କାମଟା ଅଫିସରେ ପଡ଼ି ରହିଥିଲା ହେଉ ନ ଥିଲା, ଏବେ ହେଲା। ତାହା କେମିତି ହେଲା ବୋଲି ମୁଁ ପଚାରନ୍ତେ ବରଜୁ ଉତ୍ତର ଦେଲା- କାରସାଦି କରିବାକୁ ହେଲା। ଆଜି କାଲି ନ ପେଲିଲେ ସରକାରୀ ଗାଡ଼ି କୋଉ ଗଡୁଛି?

ମୁଁ ବୁଝି ପାରିଲି ଯେ ସେ କିଛି ହାତଗୁଂଜା ଦେଇ କାମ କରାଇଛି। କିନ୍ତୁ ସେ ତ ନିଉଟନଙ୍କୁ ନ ପଢ଼ି ତାଙ୍କ ବିଷୟରେ କିଛି ନ ଜାଣି ତାଙ୍କ ‘ଜଡ଼ତ୍ବ’ ନିୟମକୁ ଆଣି ମୋ ଆଗରେ ଥୋଇ ଦେଲା!

ମୋ: ୯୪୩୮୧ ୪୯୭୬୧