ପ୍ରତିଭାର ପରମାୟୁ
ଅଭିରାମ ବିଶ୍ବାଳ
ଏ କରୋନା କାଳରେ ଏବ˚ କର୍କଟରେ ଆଗପଛ ହୋଇ ଗୋଟିଏ ଦିନର ବ୍ୟବଧାନରେ ଚାଲିଗଲେ କଳାକାର-ଅଭିନେତା-ତାରକା ଇର୍ଫାନ୍ ଖାଁ ଏବ˚ ଲୋକପ୍ରିୟ ଓ ସଫଳ ତାରକା ଋଷି କାପୁର। ପୁଣି ନିଷ୍ଠୁରତମ ବୋଲି ତଥାକଥିତ ଅପଖ୍ୟାତିସମ୍ପନ୍ନ ଏପ୍ରିଲ ମାସରେ। କେହି କେହି କହନ୍ତି କରୋନା ସମୟ ହୋଇ ନ ଥିଲେ ସେ ଦୁହିଁଙ୍କୁ ଲଣ୍ତନ ଓ ନ୍ୟୁୟର୍କ ନିଆଯାଇ ପାରିଥାନ୍ତା। ଅନ୍ୟ କେତେକଙ୍କ ମତରେ ଯାହାର ଯେତେ ଆୟୁଷ! କିଛି କରି ହୋଇନଥାନ୍ତା। ପୁଣି ଅନେକ ଭାବୁକ ଓ ବୌଦ୍ଧିକ କାଟର ଲୋକେ ସେହି ବିଖ୍ୟାତ କବି ଜଣଙ୍କର ଲେଖାର କିଛି ଶବ୍ଦକୁ ସାମାନ୍ୟ ବଦଳେଇ ନିଜ ବାଗରେ ରଖନ୍ତି ଏଇଭଳି- କରୋନା ନାମକ ସାର୍ବଜନୀନ ସାର୍ବଭୌମ ଦୁଃଖ ସାଙ୍ଗକୁ ମଣିଷମାନଙ୍କର ଆହୁରି ଦୁଃଖ ବି ଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ଯେତେବେଳେ ୧୯୫୫ରେ ଋଷି କାପୁର ନିଜର ପ୍ରଥମ ଅଭିନୟ ଶ୍ରୀ୪୨୦ରେ କରିଥିଲେ ସେତେବେଳକୁ ଇର୍ଫାନ୍ଙ୍କର ଜନ୍ମ ହୋଇନଥାଏ। ପରେ ବି˚ଶ ଶତାବ୍ଦୀର ସତୁରି-ଅଶୀ ଦଶକରେ ଋଷି ବବି, ଅମର ଆକବର ଆନ୍ଥୋନୀ, ଲୈଲା ମଜ୍ନୁ, କଭି କଭି, ସରଗମ୍ ଓ କର୍ଜ ଆଦିରେ ଉଭା ହୋଇ ବେଶ୍ ଯଶ ଅର୍ଜନ କରିଥିଲେ। ସେସବୁ ଅବଶ୍ୟ ଥିଲା ନାଚ, ଗୀତ, ହସ, ହର୍ଷ, ପ୍ରେମ ଓ ରୋମାନ୍ସ ଭିତ୍ତିକ ଚଳଚ୍ଚିତ୍ର ଯାହାକି ମୋଟାମୋଟି ମୁଖ୍ୟସ୍ରୋତ ଧାରାର। ଆଉ ସେ ସମୟରେ ନିର୍ଦ୍ଦେଶକ ଭାବେ ବ୍ୟବସାୟିକ ସଫଳତା ଓ ବିଶୁଦ୍ଧ ମନୋରଞ୍ଜନ କଥା ଉଠିଲେ ଆସୁଥିଲା ମନମୋହନ ଦେଶାଇ, ସୁଭାଷ ଘାଇ ଓ ରମେଶ ସିପ୍ପୀମାନଙ୍କ ନାମ। ହଁ, ଋଷିଙ୍କ କ୍ଷେତ୍ରରେ ଦୁଇଟି ବଡ଼ ପୁଞ୍ଜି ଥିଲା ଚେହେରା ଓ ବ˚ଶ। ୟା’ର ମାନେ ନୁହେଁ ଯେ ସିଏ ପ୍ରତିଭା ଶୂନ୍ୟ ଥିଲେ। ତାଙ୍କ ଅଭିନୀତ ଏକବି˚ଶ ଶତାବ୍ଦୀର ଅଗ୍ନିପଥ, ୧୦୨ ନଟ୍ ଆଉଟ୍ ଓ କାପୁର ଏଣ୍ତ ସନ୍ସ୍ ଋଷିଙ୍କୁ ଭିନ୍ନ ପ୍ରତିଷ୍ଠା ଓ ପ୍ରସିଦ୍ଧି ଆଣିଦେଲା। ସମସ୍ତେ କହିଲେ ଯେ ଋଷିଙ୍କୁ ଖାଲି ଡିଆଁ ଡେଇଁ, ଗାନା ଓ ରୋମାନ୍ସ ଜଗତ୍ର ଅଭିନେତାଟିଏ ଭାବେ ଚିତ୍ରଣ କରିବା ନିଶ୍ଚୟ ଠିକ୍ ନ ଥିଲା। ସେତେବେଳକୁ ବଲିଉଡ୍ରେ କେତେ ନା କେତେ ତତ୍ତ୍ବ ଓ ପ୍ରୟୋଗଗତ ମୋଡ଼ (ପାରାଡାଇମ୍ ସିଫ୍ଟ) ସୃଷ୍ଟି ହୋଇ ସାରିଥିଲା। ଆଉ ସେଇ ସନ୍ଧିକ୍ଷଣରେ ହିଁ ଇର୍ଫାନ୍ଙ୍କର ଅଭ୍ୟୁଦୟ ସହିତ ଯାଦୁକରୀ ଚମକର ବିସ୍ତାର ଘଟି ସାରିଥିଲା। ଋଷି ଓ ଇରଫାନ୍ ମିଶି ଡି-ଡେ ନାମକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସେଥିରେ ଏକ ସୂର୍ଯ୍ୟୋଦୟ ଦୃଶ୍ୟର ସୁଟି˚ ହେବାର ଥିଲା ମରୁଭୂମି ଅଞ୍ଚଳରେ। ସେତିକି ବେଳେ ଋଷି ରହୁଥିଲେ ଏକ ହୋଟେଲ୍ରେ। ସେଠୁ ଆସିବା ପାଇଁ ଗାଡ଼ିରେ ଦୁଇ-ତିନି ଘଣ୍ଟା ଲାଗିଯାଏ। ତେଣୁ ରାତିରେ ସୁଟି˚ ପୀଠ ପାଖ ତମ୍ବୁରେ ରହିଯିବା ପାଇଁ ଋଷିଙ୍କୁ ପ୍ରବର୍ତ୍ତାଇ ଥିଲେ ଇର୍ଫାନ୍। ସେଥିପାଇଁ ତାଙ୍କୁ ଋଷିଙ୍କ ମନପସନ୍ଦର ଖାଦ୍ୟ ପାନୀୟ ବନ୍ଦୋବସ୍ତ କରିବାକୁ ପଡ଼ିଥିଲା। ଆଉ ଋଷି କୁଆଡ଼େ ପଚାରିଥିଲେ- ତମେ କେମିତି ଜାଣିଲ ମୋ ପସନ୍ଦ?
ଅନୁରାଗୀମାନେ ନିଜର ପ୍ରିୟ ତାରକାଙ୍କ ପାଇଁ ବାଢ଼ିଥିବା ଶ୍ରଦ୍ଧାଞ୍ଜଳିର ଗୋଟିଏ ବାକ୍ୟରେ ରିଷିଙ୍କ ବ୍ୟକ୍ତିତ୍ବ ଫୁଟି ବାହାରେ- ତାଙ୍କୁ ଲୁହ ଧାରରେ ନୁହେଁ, ଧାରେ ହସରେ ମନେ ରଖିବା ଅଧିକ ଠିକ୍ ହେବ।
ସ˚ଘର୍ଷ, ପରିଶ୍ରମ, ପ୍ରତିଭା, ଦକ୍ଷତା, ପ୍ରତୀକ୍ଷା, ଅଭିଳାଷ, ଆସ୍ପର୍ଦ୍ଧା, ଉତ୍କର୍ଷ ଓ ନୈପୁଣ୍ୟ- ଏସବୁ ମିଶିଲେ ଯେଉଁ ଭଳିଆ ଜିନିୟସ୍ ସମ୍ଭବ ହୁଅନ୍ତି ସେଇ ଭଳିଆ ଜିନିୟସ୍ ଥିଲେ ଇର୍ଫାନ୍। ଆଉ ସେ ଭଳି ଜିନିୟସ୍ଟିଏ ଉଭୟ ପ୍ରତୀକ ଓ ପରିଭାଷା ପାଲଟିବା ସ୍ବାଭାବିକ। ଏମିତିରେ ତ ଆରମ୍ଭରୁ ଆରମ୍ଭରୁ କେତେକ ନିର୍ଦ୍ଦେଶକ ଓ ନିର୍ମାତା ଇର୍ଫାନ୍ଙ୍କୁ ଉପେକ୍ଷା କରି କହିଥିଲେ- ଏ ପତଳା, ଶ୍ୟାମଳ ତଥା ଲାଜୁଆ ମଣିଷଟିକୁ ନେଇ ଲାଭ କ’ଣ? ଚଳଚ୍ଚିତ୍ରରେ ସୁଯୋଗ ପାଇବା ପାଇଁ ଇର୍ଫାନ୍ଙ୍କୁ ସମୟ ଲାଗିଥିଲା। ତା’ ଆଗରୁ ସିଏ ରଙ୍ଗମଞ୍ଚ ଓ ଟେଲିଭିଜନରେ କାମ କରିଥିଲେ। ବଲିଉଡ୍ ସାଙ୍ଗକୁ ହଲିଉଡ୍ରେ ମଧୢ ଅଭିନୟ କରିଛନ୍ତି। ମଝିରେ ମଝିରେ ବିଜ୍ଞାପନରେ ବାହାରିଛନ୍ତି। ଭିନ୍ନ ଭିନ୍ନ ମାଧୢମରେ ଭୂମିକା ତାଙ୍କୁ ବିବିଧ ବିଶ୍ବର ଅନୁଭବ ଓ ଅନ୍ତର୍ଦୃଷ୍ଟି ଯୋଗାଇ ଅଧିକ ଶାଣିତ, ସମୃଦ୍ଧ, ପ୍ରସ୍ତୁତ ଓ ପରିପକ୍ବ କରି ଦେଇଥିଲା। ସେଥିପାଇଁ ସିଏ ଚଳଚ୍ଚିତ୍ରମାନଙ୍କରେ ଡହଡହ, ଆତ୍ମନିଷ୍ଠ, ଚଳଚଞ୍ଚଳ, ସତେଜ, ଉଷ୍ଣ ଓ ଉଦ୍ଭାବନଧର୍ମୀ ଲାଗୁଥିଲେ। ସେ ଚଳଚ୍ଚିତ୍ର ହିନ୍ଦୀର ମକ୍ବୁଲ୍, ଦି ଲଞ୍ଚ୍ ବକ୍ସ, ପାନ୍ ସି˚ ତୋମାର, ପିକୁ, ହିନ୍ଦୀ ମିଡିୟମ୍ ଓ ଅ˚ଗ୍ରେଜୀ ମିଡିୟମ ହେଉ କି ଇ˚େରଜୀର ଦି ନେମ୍ସେକ୍, ସ୍ଲମ୍ ଡଗ୍ ମିଲନେୟାର, ଦି ଲାଇଫ ଅପ୍ ପାଏ, ଜୁରାସିକ୍ ଵାର୍ଲଡ, ଦି ଆମେଜି˚ ସ୍ପାଇଡରମ୍ୟାନ୍ ଓ ଇନ୍ଫର୍ଣ୍ଣୋ ହେଉ। ଶରୀରର ନନ୍ଦନ ସାବ୍ୟସ୍ତ କରିପାରିଥିବା ସିଏ ଥିଲେ ଜଣେ ଜୁଡୁବୁଡୁ ଅଭିନେତା (ଅର୍ଗାନିକ୍ ଆକ୍ଟର୍)। ଚରିତ୍ରମାନଙ୍କର ନୈତିକ ପ୍ରାଣକେନ୍ଦ୍ରକୁ ଠାବ କରି ସେଥିରେ ସିଏ ଏମିତି ଏକାତ୍ମ ହୋଇଯାଉଥିଲେ ଯେ ଦର୍ଶକମାନଙ୍କ କାହାଣୀ ଓ ଚରିତ୍ର ଅତି ସମସାମୟିକ, ବିଶ୍ବାସଯୋଗ୍ୟ ଓ ସେମାନଙ୍କ କଥା ପ୍ରାୟ ଲାଗୁଥିଲା। ତାଙ୍କ କଥାକୁହା ଆଖି, ଅନୁପସ୍ଥିତିରେ ଉପସ୍ଥିତି ଓ ନିରବତାର ପ୍ରଗଳ୍ଭପଣିଆ ଆଦି ବିରଳ କଳା କୌଶଳ ତାଙ୍କ ଅଭିନୟକୁ ଉତ୍ତୀର୍ଣ୍ଣ ସୋପାନକୁ ନେଇ ଯାଉଥିଲା ଯାହା କି ମସଲାଧର୍ମୀ ଫର୍ମୁଲା ଚଳଚ୍ଚିତ୍ର ମାନଙ୍କରେ ସେତେଟା ଦେଖିବାକୁ ମିଳୁନଥିଲା। ଆଉ ସିଏ ପ୍ରମାଣିତ କରୁଥିଲେ ଯେ ଅସଲ, ଜୀବନ୍ତ ଓ ନିଖୁଣ ଅଭିନୟ କ୍ଷେତ୍ରରେ ଅଳ୍ପ ହିଁ ଅଧିକ; କମ୍ ହିଁ କାମ୍ୟ, କମନୀୟ ଓ ବେଶୀ।
ଇର୍ଫାନ୍ଙ୍କ ପାଇଁ ସ˚ଯୋଗ ଓ ସୌଭାଗ୍ୟ ଏଇଆ ଥିଲା ଯେ ସେ ବଲିଉଡ୍ରେ ବିଶାଳ ଭରଦ୍ବାଜ, ସୁଜିତ୍ ସରକାର, ତିଗମା˚ଶୁ ଧୂଲିଆ, ରିତେଶ୍ ବାତ୍ରା, ସାକେତ୍ ଚୌଧୁରୀ ଓ ହୋମି ଆଦାଜାନିଆଙ୍କ ଭଳି ନିର୍ଦ୍ଦେଶକ ପାଇଥିଲା ବେଳେ ସେପଟେ ହଲିଉଡ୍ରେ ମୀରା ନାୟାର୍, ଡାନି ବଏଲ୍, ଆ˚ଗ୍ଲି, କଲିନ୍ ଟ୍ରେଭୋରା, ରନ୍ ହାଵାର୍ଡ ଓ ମାର୍କ େଵବ୍ ପ୍ରଭୃତିଙ୍କ ନିର୍ଦ୍ଦେଶନାରେ କାମ କରିଥିଲେ ଯେଉଁମାନେ କି କାହାଣୀର ଆବଶ୍ୟକତା ଓ ଅଭିନେତା- ଅଭିନେତ୍ରୀଙ୍କ ପ୍ରତିଭା- ସାମର୍ଥ୍ୟ ମୁତାବକ ଚୟନ ନିଷ୍ପତ୍ତି ନେଇଥାନ୍ତି। ତାଙ୍କ ବେଳକୁ ଖାଲି ଆଗର ଛାର ପୋକମୟ ଓ ବାଦାମ ଚୋପା ଭର୍ତ୍ତି ପ୍ରେକ୍ଷାଳୟ ନ ଥିଲା; ମଲ୍ଟିପ୍ଲେକ୍ସ, ନେଟ୍ଫ୍ଲିକ୍ସ, ଏଚ୍ବିଓ ଓ େଵବ୍ ସିରିଜ୍ ସୁବିଧା ମାନ ଆସିଯାଇଥିଲା। ମଲ୍ଟିପ୍ଲେକ୍ସରେ ସେଇ ଏକା ସମୟରେ ବିଭିନ୍ନ ମହଲାରେ ଭିନ୍ନ ଭିନ୍ନ ଭାଷାର ବହି ଖେଳୁଥିଲା। ଆଉ ସହରର କାନ୍ଥମାନଙ୍କରେ ଦିଶୁ ନ ଥିଲା ସେସବୁ ପୋଷ୍ଟର ଯେଉଁଥିରେ ଲେଖାଥିଲା- ସଗର୍ବ ତୃତୀୟ ସପ୍ତାହ ଚାଲୁଛି ଏଇ ଚଳଚ୍ଚିତ୍ର ଏଇ ହଲ୍ରେ। ଇର୍ଫାନ୍ ଯେମିତି ବଲିଉଡ଼୍ ଓ ହଲିଉଡ୍ ଭିତରେ ସେତୁ ସ୍ଥାପନ କରିଥିଲେ ସେମିତି ସମାନ୍ତରାଳ ଓ ମୁଖ୍ୟସ୍ରୋତ ଚଳଚ୍ଚିତ୍ରର ସମାଗମ ସମ୍ଭବ କରାଇ ପାରୁଥିଲେ। ଫଳରେ କଳାତ୍ମକ କଳ୍ପନା ମାଡ଼ ଖାଉନଥିଲା କିମ୍ବା ଦର୍ଶକ ମରୁଡ଼ି ଘଟୁନଥିଲା। ତାଙ୍କ ସୁଖ୍ୟାତି ଓ ଜନପ୍ରିୟତାର ମୁଖ୍ୟାଧାର ଥିଲେ ପ୍ରାୟ ଅଠରରୁ ଚାଳିଶ ବର୍ଷ ଭିତରର ଲୋକେ ଯେଉଁମାନଙ୍କୁ ଗୋଟିଏ ଦୃଷ୍ଟିରୁ ‘‘ମିଲେନିଆଲ୍ସ୍’ କୁହାଯାଏ। ସିଏ ଏମିତି ଏକ ଧାରାର ଥିଲେ ଯେଉଁଥିରେ ସାମିଲ୍ ନସିରୁଦ୍ଦିନ୍ ଶାହ, ଓଁପୁରୀ, ନାନା ପାଟେକର୍, ମନୋଜ ବାଜପେୟୀ ଓ ନଵାଜୁଦ୍ଦିନ୍ ସିଦ୍ଦିକି ପ୍ରମୁଖ। ଏମିତିରେ ତ ସିଏ କୈଶୋର-ଯୌବନରେ ଦିଲ୍ଲୀପ କୁମାର, ନସିରୁଦ୍ଦିନ୍ ଓ ଓଁଙ୍କ ଚଳଚ୍ଚିତ୍ର ଦେଖିବାକୁ ଯେମିତି ହେଲେ ସମୟ କାଢ଼ୁଥିଲେ।
ନସିରୁଦ୍ଦିନ୍ ନିକଟରେ ଇର୍ଫାନ୍ଙ୍କ ପ୍ରତି ନିଜର ଶ୍ରଦ୍ଧାସମ୍ମାନ ଜଣାଇ ଏକ ଚମତ୍କାର ପ୍ରସଙ୍ଗ ଯୋଡ଼ିଥିଲେ ଯେ, ଇର୍ଫାନ୍ ହିନ୍ଦୀ ସିନେମା ଦ୍ବାରା ନୁହେଁ, ବର˚ ଜୀବନ ଦ୍ବାରା ଅନୁକୂଳିତ ହୋଇଥିଲେ। ମୂଳ ଘର ତାଙ୍କର ରାଜସ୍ଥାନର ଟଙ୍କ୍ ଜିଲ୍ଲାର ଖଜୁରିଆ ଗାଁରେ। ତାଙ୍କ ଟାୟାର ବ୍ୟବସାୟୀ ବାପାଙ୍କର ଶିକାରରେ ମଧୢ ଗଭୀର ରୁଚିଥିଲା। ବାପା ଶିକାରରେ ବାହାରୁଥିଲା ବେଳେ ତାଙ୍କ ସହ ଇର୍ଫାନ୍ ମଧୢ ବେଳେ ବେଳେ ଯାଉଥିଲେ। ହେଲେ ବନ୍ଧୁକର ଲକ୍ଷ୍ୟଭେଦ ଅପେକ୍ଷା ତାଙ୍କର ଆଗ୍ରହ ଆକର୍ଷିତ ହେଉଥିଲା ବନ୍ୟପ୍ରାଣୀଙ୍କ ଠାଣି, ଝରଣାର କୁଳୁକୁଳୁ, ପକ୍ଷୀଙ୍କ କଳରବ ଓ ଜଙ୍ଗଲର ନିରବତା ର˚ଜିତ ଆଧୢାତ୍ମିକତା ଆଡ଼େ। ଥରେ ସିଏ ତାଙ୍କ ମା’ଙ୍କୁ ‘ଶୋଲେ’ ଚଳଚ୍ଚିତ୍ର ଦେଖେଇ ହଲ୍ରୁ ବାହାରିଲା ବେଳେ ମା’ ତାଙ୍କୁ କହିଥିଲେ- ଘରେ ବନ୍ଧୁକ ଦେଖି ଦେଖି ମନ ପୂରିଲାନି ଯେ ମତେ ପୁଣି ଆଣି ସିନେମାରେ ବନ୍ଧୁକ ଦେଖେଇଲୁ? ଆଉ ଯେତେବେଳେ ପାନ୍ ସି˚ ତୋମାର୍ରେ କ୍ରୀଡ଼ାବିତ୍ରୁ ବିଦ୍ରୋହୀ ଡାକୁ ଭୂମିକାରେ ଇର୍ଫାନ୍ ଅବତୀର୍ଣ୍ଣ ହେଲେ ସେତେବେଳେ ତାଙ୍କର (ଓ ତାଙ୍କ ମା’ଙ୍କର) ସବୁଠୁ ଅଧିକ ମନେ ପଡ଼ିଥିଲା ତାଙ୍କ ବାପାଙ୍କ କଥା। ଯେଉଁ ବର୍ଷ ସିଏ ଜୟପୁରରୁ ଦିଲ୍ଲୀର ନ୍ୟାସ୍ନାଲ୍ ସ୍କୁଲ୍ ଅଫ୍ ଡ୍ରାମା (ସ୍କୁଲ୍)ରେ ଯୋଗ ଦେଲେ ସେଇ ବର୍ଷ ସିଏ ତାଙ୍କ ବାପାଙ୍କୁ ହରେଇଥିଲେ। ତାଙ୍କ ପାଇଁ ସ୍କୁଲ୍ ଥିଲା ଆଉ ଏକ ଜୀବନ ବିଦ୍ୟାଳୟ।
ସମୟ କ୍ରମେ ଚଳଚ୍ଚିତ୍ରରେ ଅଭିନୟ କରିବାର ସ୍ବପ୍ନରେ ବିଭୋର ଇର୍ଫାନ୍ ଆସି ପହଞ୍ଚିଲେ ମାୟାନଗରୀ ବମ୍ବେରେ। ପେଟ ପାଟଣା ପାଇଁ କେତେବେଳେ ଫ୍ୟାନ୍ ସଜାଡ଼ିଲେ। ଅନ୍ୟ କେତେବେଳେ ଏ.ସି. ମରାମତି କାମ କରୁଥିଲା ବେଳେ ଥରେ ଯାଇଥିଲେ ରାଜେଶ ଖାନ୍ନାଙ୍କ ଘରକୁ ମରାମତି କାମର ବରାଦ ପାଇ। ବଡ଼ ପରଦାରେ କାମ ମିଳିବା ପୂର୍ବରୁ ସିଏ ଛୋଟ ପରଦାରେ କାମ କରିଛନ୍ତି। ସେଇ ପର୍ଯ୍ୟାୟରେ ଦୂରଦର୍ଶନରେ ସିଏ ଲେନିନ୍ ଏବ˚ କବି ତଥା ମାର୍କ୍ସବାଦୀ ମଖଦୁମ୍ ମହିଉଦ୍ଦିନ୍ ଭୂମିକାରେ ଅଭିନୟ କରିଥିଲେ। ଟେଲିଭିଜନ୍ ଧାରାବାହିକରେ ତାଙ୍କୁ ଚାଣକ୍ୟ, ଚନ୍ଦ୍ରକାନ୍ତା ଓ ଭାରତ୍ ଏକ୍ ଖୋଜ୍ ପ୍ରଭୃତିରେ ଦେଖିବାକୁ ମିଳିଥିଲା। ହେଲେ ସେସବୁ ଅନୁଭବରୁ ତାଙ୍କୁ ଲାଗିଲା ସିଏ ବାକ୍ୟରେ ସୀମିତ ହୋଇଯାଉଛନ୍ତି; ବକ୍ତବ୍ୟ ଓ ଭାବଭଙ୍ଗୀ ପାଇଁ ସେତେଟା ଜାଗା ମିଳୁନାହିଁ। ପୁଣି ପୁନରାବୃତ୍ତିଭିତ୍ତିକ ଭୂମିକାମାନ ଯୋଗୁଁ ତାଙ୍କୁ ଚିଟା ଓ କ୍ଲାନ୍ତ ଲାଗିଲା। ସିଏ ତ ବମ୍ବେ ଆସି ନ ଥିଲେ ଟେଲିଭିଜନୀୟ ବ୍ୟକ୍ତିତ୍ବଟିଏ ହେବା ପାଇଁ। ୧୯୮୮ ମସିହାର କଥା। ମୀରା ନାୟାରଙ୍କ ସଲାମ୍ ବମ୍ବେରେ ତାଙ୍କୁ ସୁଯୋଗ ମିଳିଲା। ହେଲେ ସେ ଚଳଚ୍ଚିତ୍ରର ବସ୍ତି ପିଲାମାନଙ୍କ ଭୂମିକାରେ ଥିବା ପିଲାଙ୍କ ଠାରୁ ତାଙ୍କ ଶାରୀରିକ ଉଚ୍ଚତା ଥିଲା ଢେର୍ ଅଧିକା। ଶେଷରେ ଅତି ଛୋଟିଆ ଚିଠି ଲେଖାଳି ଭୂମିକା ତାଙ୍କୁ ମିଳିଲା। ସେଥିପାଇଁ କମ୍ କାନ୍ଦି ନ ଥିଲେ ସିଏ!
ଆଦ୍ୟ କୈଶୋରରେ ଏକଦା ଇର୍ଫାନ୍ ଚାହିଁଥିଲେ କ୍ରିକେଟ୍ରେ କ୍ୟାରିଅର୍ କରିବେ। ସି.କେ.ନାୟୁଡୁ ପାଇଁ ବଛା ହେଇଥିଲେ। ମାତ୍ର ଠିକଣା ସମୟରେ ଅର୍ଥ ଯୋଗାଡ଼ ହୋଇ ନ ପାରିବାରୁ ତାହା ସେମିତି ଇଚ୍ଛାରେ ରହିଗଲା। ଯେତେବେଳେ ସିଏ ଲଣ୍ତନରେ ଚିକିତ୍ସିତ ହେଉଥିଲେ ତାଙ୍କ ଡାକ୍ତରଖାନାଟି ଥିଲା ଠିକ୍ ଲର୍ଡସ୍ କ୍ରିକେଟ୍ ଷ୍ଟାଡିୟମ୍ ଆର ପଟେ। ମଝିରେ ରାସ୍ତାଟେ ଯାହା। ତାଙ୍କ ମନରେ ଚିନ୍ତା ଉଙ୍କି ମାରିଲା- ନାଁ ସେ ଲର୍ଡସ୍ର ହୋଇପାରିଲେ ନା ଡାକ୍ତରଖାନାର ହେବାକୁ ଚାହୁଁଛନ୍ତି। କିନ୍ତୁ ଲର୍ଡସ୍ ପ୍ୟାଭିଲିଅନ୍ରେ ଶୋଭା ପାଉଥିବା ଭିଭିଆନ୍ ରିଚାଡ଼ର୍ସଙ୍କ ହସ ହସ ମୁହଁର ପୋଷ୍ଟର ତାଙ୍କୁ ଦିଶୁଥିଲା ଓ ବୋଧ ହେଉଥିଲା। ଦିନେ ଜୁରାସିକ ପାର୍କ ସିନେମା ଦେଖିବାକୁ ଟିକେଟ୍ କାଟିବା ପାଇଁ ତାଙ୍କ ପକେଟ୍ରେ ପଇସା ନ ଥିଲା। ପରେ କିନ୍ତୁ ସିଏ ଜୁରାସିକ୍ ଵାର୍ଲଡ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଜୁରାସିକ୍ ପାର୍କର ମାଲିକ ଭୂମିକାରେ।
ମହାବିପତ୍ତି ସମୟରେ ଶ୍ରମିକ ଓ କୃଷକମାନେ ଯେ କି କଷଣର ସମ୍ମୁଖୀନ ହୁଅନ୍ତି, ତାହା ଏବେ ସଭିଏଁ ସ୍ବୀକାର କରୁଛନ୍ତି। ଇର୍ଫାନ୍ ଖାଲି ଆଉ ଜଣେ ଅଭିନେତା ନ ଥିଲେ। ତାଙ୍କର ଅନେକ ବକ୍ତବ୍ୟରୁ ତାଙ୍କ ସାମାଜିକ ସମ୍ବେଦନଶୀଳତା ଓ ଆନ୍ତରିକତା ବାରି ହେଉଥିଲା। ୨୦୧୪ ମସିହାରେ ଜୟପୁର ସାହିତ୍ୟ ଉତ୍ସବରେ ଭାଗ ନେଇ ସିଏ ଆବୃତ୍ତି କରିଥିଲେ ଓଁ ପ୍ରକାଶ ବାଲ୍ମିକିଙ୍କ କବିତା ‘‘ଠାକୁର କା କୂଆଁ’’। ତା’ର ମୋଟାମୋଟି ମର୍ମାନୁବାଦ ଏଇଭଳି- ଚୁଲି ମାଟି କାଦୁଅର/ ମାଟି କାଦୁଅ ପୋଖରୀର/ ପୋଖରୀ କିନ୍ତୁ ଠାକୁର୍ର। ରୁଟି ସକାଶେ ଭୋକ/ଗହମରେ ଗଢ଼ା ରୁଟି/ ଗହମ କ୍ଷେତର/ କ୍ଷେତ କିନ୍ତୁ ଠାକୁର୍ର। ବଳଦ ଠାକୁର୍ର/ ହଳ ବି ଠାକୁର୍ର/ ସେ ହଳର ମୁଠି କିନ୍ତୁ ଆମ ହାତରେ/ ହେଲେ ଫସଲ ଠାକୁର୍ର। କୂଅ ଠାକୁର୍ର/ ପାଣି ବି ଠାକୁର୍ର/ ଶସ୍ୟ ଓ କ୍ଷେତ ମଧୢ ଠାକୁର୍ର/ ତେବେ ଆମର କ’ଣ?/ ଗାଁ? ସହର? ଦେଶ?
ବ୍ୟାଧି ଚିହ୍ନଟ ହେବା ପରେ ଇର୍ଫାନ୍ଙ୍କୁ ଲାଗୁଥିଲା ତାଙ୍କ ଭିତରେ ଏକ ଅଲୋଡ଼ା କୁଣିଆ ଆସ୍ଥାନ ଜମେଇଛି। ସିଏ ଏକ ପ୍ରକାରେ କାବ୍ୟିକ ଓ ଦାର୍ଶନିକ ହୋଇ ମନୋରମ-କରୁଣ କଥା ମାନ କହୁଥିଲେ- ଏ କ୍ଷଣ ଭଙ୍ଗୁର ଶରୀର କେମିତି ସମ୍ଭାଳି ପାରୁଛି ଏ ଭଳି ଅସହ୍ୟ ଯନ୍ତ୍ରଣା? ପୃଥିବୀ ମନ୍ତ୍ର ମୁଗ୍ଧ ହୋଇ କାହାଣୀ ପରେ କାହାଣୀ ଶୁଣୁଥିଲା ବେଳେ ସିଏ ଶୋଇପଡ଼ିଲେ। ହଠାତ୍ ଯେମିତି ଟ୍ରେନ୍ରେ ଟି.ଟି.ଇ. ଆସି ତାଙ୍କ ଡବାରୁ ତାଙ୍କୁ ଉଠେଇ କହିଲେ- ଆପଣଙ୍କ ଷ୍ଟେସନ୍ ଆସିଗଲା, ଓହ୍ଲାନ୍ତୁ। ନିଜର ପ୍ରିୟ କବି ରିଲ୍କେଙ୍କ ଛାୟାରେ ସିଏ ଲେଖି ଜଣାଇଲେ- ତମ ସହ ସବୁ କିଛି ଘଟିବାକୁ ଦେଇପାର। ସୌନ୍ଦର୍ଯ୍ୟ ଓ ଆତଙ୍କ। କେବେ ଅଟକିଯାଅନି। କୌଣସି ଅନୁଭବ ଅନ୍ତିମ ନୁହେଁ।
ଜୀବନର ଶେଷ ଭାଗରେ ଇର୍ଫାନ୍ ନିଜ ମାତା ଓ ପତ୍ନୀଙ୍କ ସଂପର୍କେର ଦୁଇଟି ଗୁରୁତ୍ବପୂର୍ଣ୍ଣ କଥା କହିଥିଲେ- ହେଇ ଦେଖ, ମା’ ଆସିଛନ୍ତି ମତେ ନେଇଯିବାକୁ। ମୁଁ ବଂଚିବାକୁ ଚାହେଁ ମୋ ପତ୍ନୀ ସୁତପାଙ୍କ ପାଇଁ ଯାହାଙ୍କୁ ମୁଁ ଭେଟିଥିଲି ସ୍କୁଲ୍ରେ। ଅନେକ ଚାହୁଁଥିଲେ ଇର୍ଫାନ୍ଙ୍କୁ ଗବର୍ ସି˚, ମୀର୍ଜା ଘାଲିବ ଓ ଆଇନ୍ଷ୍ଟାଇନ୍ ଭୂମିକାରେ ଦେଖିବାକୁ। ତାଙ୍କ ପାଇଁ ପ୍ରେରଣା ନସିରୁଦ୍ଦିନ ଥରେ ଭୁବନେଶ୍ବରର ରବୀନ୍ଦ୍ର ମଣ୍ତପ ଠାରେ ଅତି ଚମତ୍କାର ଆଇନ୍ଷ୍ଟାଇନ ଭୂମିକା ଅଭିନୟ କରିଥିଲେ। ଇର୍ଫାନ୍ଙ୍କ ପ୍ରତିଭା ଦୃଷ୍ଟିରୁ ସମସ୍ତେ ଭାବୁଥିଲେ ତାଙ୍କ ପାଇଁ ଓସ୍କାର ଥୁଆ। ରାତି ପାହି ଯାଏ, ନିଦ ଭାଙ୍ଗିଯାଏ, ସ୍ବପ୍ନ ସରେନି। କିନ୍ତୁ ଇର୍ଫାନ୍ଙ୍କର ଏକ ସ˚ଳାପକୁ ଉଦ୍ଧାର କରି ସମସ୍ତେ କହିବେ- ସିଏ ଥିଲେ, ଅଛନ୍ତି ଓ ଥିବେ। କାରଣ କେହି ଏ ସ˚ସାରକୁ ଆସେନି ସବୁ ଦିନ ରହିବା ପାଇଁ। ହେଲେ ଆଜିକୁ କୋଡ଼ିଏ ଦିନ ତଳେ ସିଏ ଯେମିତି ଓ ଯେଉଁ ସମୟରେ ମାତ୍ର ୫୩ ବର୍ଷ ବୟସରେ ଚାଲିଗଲେ, ସେମିତି କ’ଣ କିଏ ଯାଏ?
ବେହୁରିଆ ଭବନ, ଗୌରୀ ନଗର,
ଭୁବନେଶ୍ବର-୨
ମୋ: ୮୯୧୭୬୮୩୫୩୬