ହାଇକୋର୍ଟ ଓ ସୁପ୍ରିମ୍‌ କୋର୍ଟର ବିଚାରପତିମାନଙ୍କ ଚୟନ କରିବ କିଏ? ଏହି ପ୍ରସଙ୍ଗଟି ବିବଦମାନ ଥିଲା ଓ ଏବେ ମଧ୍ୟ ତାହା ସେମିତି ରହିଛି। ସମ୍ବିଧାନର ଧାରା ୧୨୪ ଅନୁସାରେ ସୁପ୍ରିମ୍‌ କୋର୍ଟ ଓ ହାଇକୋର୍ଟର ବିଚାରପତିମାନଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେବେ। ନିଯୁକ୍ତି ଦେବା ପାଇଁ ରାଷ୍ଟ୍ରପତି ଯେଉଁ ସମନ ପଠାଇବେ ସେଥିରେ ସେ ନିଜେ ସ୍ୱାକ୍ଷର କରିବେ ଓ ସେଥିରେ ତାଙ୍କର ମୋହର ରହିବ। ଯେଉଁ ବିଚାରପତିମାନଙ୍କୁ ହାଇକୋର୍ଟ ବା ସୁପ୍ରିମ୍‌ କୋର୍ଟରେ ନିଯୁକ୍ତି ଦିଆଯିବ ସେମାନେ ୬୫ ବର୍ଷ ପର୍ଯ୍ୟନ୍ତ ନିଜ ପଦରେ ରହିପାରିବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଷ୍ଟ୍ରପତି ନିଜ ଇଚ୍ଛା ମୁତାବକ ନିଷ୍ପତ୍ତି ନିଅନ୍ତି ନାହିଁ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ମନ୍ତ୍ରୀ ପରିଷଦ ତାଙ୍କୁ ଯେଉଁ ପରାମର୍ଶ ଦେଇଥାନ୍ତି ସେହି ଅନୁସାରେ ସେ କାର୍ଯ୍ୟ କରନ୍ତି। ବିଚାରପତି ଚୟନ ଓ ନିଯୁକ୍ତି ସମ୍ପର୍କରେ ଧାରା ୧୨୪ର ଅର୍ଥ ହେଲା କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟ ଓ ହାଇକୋର୍ଟର ବିଚାରପତିମାନଙ୍କ ନାମ ରାଷ୍ଟ୍ରପତିଙ୍କ ପାଖକୁ ସୁପାରିସ କରିଥାନ୍ତି। ଏବଂ ଏହି ସୁପାରିସ କାଳରେ ଧାରା ୧୨୪ ଅନୁସାରେ କେନ୍ଦ୍ର ସରକାରଙ୍କୁ ମୁଖ୍ୟ ବିଚାରପତିଙ୍କ ସହ ପରାମର୍ଶ କରିବାକୁ ପଡ଼ିଥାଏ।

Advertisment

ଅନ୍ତତଃ, ୧୯୯୩ ପର୍ଯ୍ୟନ୍ତ ଏହି ଧାରା ଚାଲି ଆସିଥିଲା। କିନ୍ତୁ ସେହି ବର୍ଷ ସୁପ୍ରିମ୍‌ କୋର୍ଟ ନିଷ୍ପତ୍ତି କଲେ ଯେ କେନ୍ଦ୍ର ସରକାର ଯେଉଁ ଓକିଲମାନଙ୍କ ନାମ ଉଚ୍ଚ ଅଦାଲତର ବିଚାରପତିଙ୍କ ପାଇଁ ସୁପାରିସ କରୁଛନ୍ତି, ସେମାନେ ବିଚାରପତି ହେବାକୁ ଅଯୋଗ୍ୟ। ଅର୍ଥାତ, ବିଚାରପତି ମନୋନୟନ ବେଳେ ଅନେକ ତ୍ରୁଟି ପରିଲକ୍ଷିତ ହେଉଛି। କାରଣ, ରାଜନୈତିକ ବ୍ୟକ୍ତିମାନେ ଏହି ମନୋନୟନ କରୁଛନ୍ତି। ଏଣୁ ସୁପ୍ରିମ୍‌ କୋର୍ଟ ନିଷ୍ପତ୍ତି କଲେ, କେଉଁମାନଙ୍କୁ ଉଚ୍ଚ ଅଦାଲତରେ ନିଯୁକ୍ତି ଦିଆଯିବ ସେ ନିର୍ଣ୍ଣୟ ସରକାର ନ କରି ସୁପ୍ରିମ୍‌ କୋର୍ଟ ନିଜେ କରିବେ। ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଓ ତାଙ୍କ ପରେ ଆଉ ୪ ଜଣ ବରିଷ୍ଠତମ ବିଚାରପତିଙ୍କୁ ମିଶାଇ ଗୋଟିଏ ପାଞ୍ଚ ଜଣିଆ କଲେଜିଅମ ଗଠିତ ହେବ, ଯେଉଁମାନେ ନିର୍ଣ୍ଣୟ କରିବେ ବିଚାରପତି କିଏ ହେବ!

କିନ୍ତୁ ଏହି ପଦ୍ଧତି ମଧ୍ୟ ସ୍ପଷ୍ଟ ବୋଲି କେହି କହୁନାହାନ୍ତି। ଏହା ମଧ୍ୟ ପାରଦର୍ଶିତା ଓ ଉତ୍ତରଦାୟିତ୍ୱକୁ ଆଡ଼େଇ ଯାଉଛି; ଅର୍ଥାତ, ସୁପ୍ରିମ୍‌ କୋର୍ଟର ବିଚାରପତିମାନେ ଯେଉଁ ପଦ୍ଧତିରେ ବିଚାରପତି ଚୟନ କରୁଛନ୍ତି, ସେଥିରେ କିଛି ସ୍ପଷ୍ଟତା ନାହିଁ। ଅଭିଯୋଗ ହେଲା, କଲେଜିଅମରେ ଥିବା ବିଚାରପତିମାନେ ସେମାନଙ୍କ ପାଖ ଲୋକ ଅବା ସେମାନଙ୍କୁ ଧରାଧରି କରୁଥିବା ଓକିଲମାନଙ୍କୁ ବିଚାରପତି ହିସାବରେ ନିଯୁକ୍ତି ପାଇଁ ସୁପାରିସ କରୁଛନ୍ତି।

ଏଥି ପାଇଁ ୨୦୧୫ରେ ସଂସଦର ଦୁଇ ଗୃହରେ ସର୍ବ-ସମ୍ମତ କ୍ରମେ ଗୋଟିଏ ‘ଏନ୍.ଜେ.ଏ.ସି.’ (ରାଷ୍ଟ୍ରୀୟ ବିଚାରପତି ନିଯୁକ୍ତି କମିସନ) ବିଲ୍ ଗୃହୀତ ହେଲା। ଏହି ନୂଆ ଆଇନ ବଳରେ ବିଚାରପତି ଚୟନ ପାଇଁ ଗୋଟିଏ କମିସନ ଗଠିତ ହେବ, ଯାହାର ମୁଖ୍ୟ ସୁପ୍ରିମ୍‌ କୋର୍ଟର ବିଚାରପତି ହେବେ। ଏହା ଛଡ଼ା ସୁପ୍ରିମ୍‌ କୋର୍ଟର ଆଉ ଦୁଇ ଜଣ ସର୍ବୋଚ୍ଚ ବିଚାରପତି ଏହି କମିସନର ସଦସ୍ୟ ରହିବେ। ଏମାନଙ୍କ ବ୍ୟତୀତ ସେହି କମିସନରେ ଦେଶର ଆଇନ ମନ୍ତ୍ରୀ ଜଣେ ସଦସ୍ୟ ଭାବରେ ରହିବେ। ଏମାନଙ୍କ ବ୍ୟତୀତ ଏହି କମିସନରେ ଆଉ ଦୁଇ ଜଣ ଦେଶର ବିଶିଷ୍ଟ ବ୍ୟକ୍ତି ସଦସ୍ୟ ଭାବେ ରହିବେ, ଯେଉଁମାନଙ୍କୁ ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚାରପତି, ପ୍ରଧାନମନ୍ତ୍ରୀ ଓ ବିରୋଧୀ ଦଳର ନେତାଙ୍କୁ ନେଇ ଗଠିତ ଗୋଟିଏ କମିଟି ମନୋନୀତ କରିବେ।

କିନ୍ତୁ ବିଚାର ବିଭାଗ ପକ୍ଷରୁ ଏହି ‘ଏନ୍.ଜେ.ଏ.ସି.’ରେ ଆଇନ ମନ୍ତ୍ରୀଙ୍କ ସଦସ୍ୟତାକୁ ବିରୋଧ କରାଗଲା। କୁହାଗଲା ଯେ, ବିଚାରପତି ଚୟନ କମିଟିରେ କୌଣସି ରାଜନୈତିକ ବ୍ୟକ୍ତି ରହିପାରିବେ ନାହିଁ। ଏହା ଛଡ଼ା ଯେଉଁ ଦୁଇ ଜଣ ବିଶିଷ୍ଟ ବ୍ୟକ୍ତି ଏହି କମିସନର ସଦସ୍ୟ ରହିବେ, ସେମାନଙ୍କୁ ମୁଖ୍ୟ ବିଚାରପତି, ପ୍ରଧାନମନ୍ତ୍ରୀ, ବିରୋଧୀ ଦଳର ନେତା ବାଛିଲେ ମଧ୍ୟ ରାଜନୈତିକ ଲୋକମାନେ ସେହି ମନୋନୟନ କମିଟିରେ ଥିବାରୁ ସେମାନେ ରାଜନୈତିକ ବ୍ୟକ୍ତିମାନଙ୍କୁ ଏହି ସଦସ୍ୟ ପଦ ପାଇଁ ବାଛି ପାରନ୍ତି ବୋଲି କୁହାଗଲା। ଏହି ଯୁକ୍ତିରୁ ଲାଗିଲା ସତେ ଯେପରି ରାଜନୈତିକ ବ୍ୟକ୍ତିମାନେ ଅସ୍ପୃଶ୍ୟ ଓ ସେମାନଙ୍କୁ ବିଚାରପତି ଚୟନ ପ୍ରକ୍ରିୟାରେ ବିଶ୍ୱାସ କରାଯାଇନପାରେ।

‘ଏନ୍.ଜେ.ଏ.ସି.’ ଆଇନଟିକୁ କେତେକ ବରିଷ୍ଠ ଓକିଲମାନେ ସୁପ୍ରିମ୍‌ କୋର୍ଟକୁ ଟାଣିଲେ। ବିଚାରପତି ଜେ.ଏସ୍. ଖେହରଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କଲେ। ବିଚାରପତି ଜେ.ଏସ୍. ଖେହର ପରବର୍ତ୍ତୀ କାଳରେ ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ।

ଏହି ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ରାୟ ଦେଲା ଯେ, ‘ଏନ୍.ଜେ.ଏ.ସି.’ ଆଇନ ସମ୍ବିଧାନର ମୌଳିକ ଢାଞ୍ଚାକୁ ନଷ୍ଟ କରୁଛି। ଅର୍ଥାତ୍‌, ମୌଳିକ ଢାଞ୍ଚା ମଧ୍ୟରେ ଅଛି ବିଚାର ବିଭାଗର ସ୍ୱାଧୀନତା। ଏହି ଆଇନ ବିଚାର ବିଭାଗର ସ୍ୱାଧୀନତାରେ ହସ୍ତକ୍ଷେପ କରୁଛି। ମୋଟାମୋଟି ଭାବରେ ସେତେବେଳେ ସୁପ୍ରିମ୍‌ କୋର୍ଟଙ୍କ ପକ୍ଷରୁ କୁହାଗଲା ଯେ ବିଚାରପତିମାନେ ବିଚାରପତିଙ୍କୁ ନିଯୁକ୍ତି ଦେବା ହେଉଛି ସମ୍ବିଧାନର ମୌଳିକ ଢାଞ୍ଚା। ଅଥଚ ସପ୍ତମ ଦଶକରେ କେଶବାନନ୍ଦ ଭାରତୀ ମାମଲରେ ଯେଉଁ ସମ୍ବିଧାନକୁ ସଂସଦ ସଂଶୋଧନ କରିପାରିଲେ ମଧ୍ୟ ସମ୍ବିଧାନର ମୌଳିକ ଢାଞ୍ଚାକୁ ବଦଳାଇ ପାରିବ ନାହିଁ ବୋଲି ରାୟ ଆସିଲା, ସେହି ରାୟରେ ବିଚାରପତିମାନେ ବିଚାରପତିଙ୍କୁ ନିଯୁକ୍ତି ଦେବା ସମ୍ବିଧାନର ମୌଳିକ ଢାଞ୍ଚା ବୋଲି କୁହାଯାଇ ନ ଥିଲା। ବିଚାରପତି ଜେ.ଏସ୍. ଖେହରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଟି ସମ୍ବିଧାନର ମୌଳିକ ଢାଞ୍ଚାରେ ଏହି ନୂଆ କଥାକୁ ଯୋଡ଼ିଲା। ସଂସଦର ଉଭୟ ଗୃହ ସର୍ବସମ୍ମତ କ୍ରମେ ଯେଉଁ ଆଇନ ଗୃହୀତ କଲେ ତାହାକୁ ଖାରଜ କରି ସୁପ୍ରିମ୍‌ କୋର୍ଟ ଯେଉଁ ରାୟ ଦେଲେ ତାହା ସାଧାରଣ ଜନତାକୁ ଚକିତ କଲା। ସେତେବେଳେ ଭାରତର ଜଣେ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲିଙ୍କ ଭାଷା ଅନୁସାରେ ଏହି ରାୟ ହେଉଛି ଗଣତନ୍ତ୍ରରେ ଅଣ-ନିର୍ବାଚିତ ବ୍ୟକ୍ତିମାନଙ୍କର ଏକାଧିପତ୍ୟ।

ଏହା ପରେ ଦେଖାଗଲା, ବିଚାରପତି ଚୟନ ଓ ନିଯୁକ୍ତି କ୍ଷେତ୍ରରେ ସରକାର ଓ ବିଚାର ବିଭାଗ ମଧ୍ୟରେ ବ୍ୟାପକ ମତପାର୍ଥକ୍ୟ ରହିଲା। ଅନେକ କ୍ଷେତ୍ରରେ କଲେଜିଅମ ସରକାରଙ୍କୁ ବିଚାରପତି ନିଯୁକ୍ତି ପାଇଁ ଯେଉଁ ନାମମାନଙ୍କୁ ପଠାଇଲେ, ସରକାର ସେମାନଙ୍କୁ ନିଯୁକ୍ତି ନଦେଇ ଅନେକ ଦିନ ପର୍ଯ୍ୟନ୍ତ ବସି ରହିଲେ। ବିଚାରପତିମାନଙ୍କ ଅନ୍ତିମ ନିଯୁକ୍ତିର ଦାୟିତ୍ୱ ସରକାରଙ୍କର ହୋଇଥିବାରୁ କଲେଜିଅମ ଦ୍ୱାରା ସୁପାରିସକୃତ ବ୍ୟକ୍ତିମାନଙ୍କୁ ସରକାର ନିଯୁକ୍ତି ନଦେଲେ ମଧ୍ୟ ବିଚାର ବିଭାଗ ହଠାତ୍ କିଛି କରିପାରିଲେ ନାହିଁ। ତେଣୁ ଗଣତନ୍ତ୍ରର ଦୁଇଟି ମୁଖ୍ୟ ଅଙ୍ଗ ବିଚାର ବିଭାଗ ଓ ସରକାରଙ୍କ ମଧ୍ୟରେ ସଦାସର୍ବଦା ମତାନ୍ତର ରହିଲା। ଅନେକ ପ୍ରଶାସନିକ ନିଷ୍ପତ୍ତିମାନଙ୍କୁ ବିଚାର ବିଭାଗ ବିରୋଧ କରିବାରୁ ତାହା ସେମାନଙ୍କ କାର୍ଯ୍ୟ ନୁହେଁ ବୋଲି ଉପରାଷ୍ଟ୍ରପତି (ରାଜ୍ୟସଭାର ମୁଖ୍ୟ) ଓ ଲୋକସଭାର ବାଚସ୍ପତି ମଧ୍ୟ କହିଲେ।

ଏବେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଦେଇ ଲେଖିଛନ୍ତି ଯେ ସୁପ୍ରିମ୍‌ କୋର୍ଟର କଲେଜିଅମରେ ଜଣେ ସରକାରୀ ପ୍ରତିନିଧି ରହନ୍ତୁ। କିନ୍ତୁ ଏହି ପ୍ରସ୍ତାବକୁ ସୁପ୍ରିମ୍‌ କୋର୍ଟ ଏ ଯାଏ ଗ୍ରହଣ କରିବାକୁ ରାଜି ନୁହେଁ। ରାଜନୈତିକ ବ୍ୟକ୍ତିମାନେ ବା ସରକାରୀ ପ୍ରତିନିଧିମାନେ କଲେଜିଅମର ବିଚାରପତିମାନଙ୍କ ସହ ମିଶି ବିଚାରପତି ଚୟନ କରନ୍ତୁ, ଏ କଥାକୁ ସୁପ୍ରିମ୍‌ କୋର୍ଟ ଆଦୌ ଗ୍ରହଣ କରିପାରୁନାହିଁ।

ତେବେ ଏହି ସନ୍ଦର୍ଭରେ ସୁପ୍ରିମ୍‌ କୋର୍ଟର ଜଣେ ପୁରାତନ ବିଚାରପତି ରୁମା ପାଲ, ଯିଏ କି ଅତି ସମ୍ମାନାସ୍ପଦ ଥିଲେ, କଲେଜିଅମର କାର୍ଯ୍ୟପଦ୍ଧତି ସମ୍ପର୍କରେ ଯେଉଁ ମତାମତ ଦେଇଛନ୍ତି, ସେ ସମ୍ପର୍କରେ ଜାଣିବାର ବେଳ ଆସିଛି। ନଭେମ୍ବର ୧୦, ୨୦୧୧ରେ ବିଚାରପତି ରୁମା ପାଲ କହିଥିଲେ, “ମୁଁ ଯେମିତି ଅନ୍ୟତ୍ର କହିଛି, ଯେଉଁ ପଦ୍ଧତି ଦ୍ୱାରା ଜଣେ ବିଚାରପତି ଉଚ୍ଚ ଅଦାଲତରେ ନିଯୁକ୍ତି ପାଆନ୍ତି ତାହା ଦେଶର ଏକ ଅତି ଗୋପନ କଥା ଅଟେ। ନିଯୁକ୍ତି କ୍ଷେତ୍ରରେ ଏହି ଗୋପନୀୟତା ଯୋଗୁଁ ବିଚାରପତିର ଯୋଗ୍ୟତା ଓ କାର୍ଯ୍ୟଦକ୍ଷତା ଉପରେ ପୂରା ତଥ୍ୟ ବାହାରକୁ ଆସିନଥାଏ। ଅନେକ ସମୟରେ ବିଚାର ବିଭାଗରେ ଜଣେ ବିଚାରପତିର ନିଯୁକ୍ତି ସମ୍ବନ୍ଧରେ ସହମତି ମଧ୍ୟ ଅତି ବିଚିତ୍ର ପଦ୍ଧତିରେ ନିଆଯାଇଥାଏ। ତାହା ହେଲା ଦେବା-ନେବା ପଦ୍ଧତି। ଏହା ଏକ ଅତି କଦର୍ଯ୍ୟ ପଦ୍ଧତି। ଏହା ଫଳରେ ନ୍ୟାୟପାଳିକାର ବିଶ୍ୱସନୀୟତା ନଷ୍ଟ ହୋଇଥାଏ। ନ୍ୟାୟ ପାଇବା ପାଇଁ ଆସୁଥିବା ଲୋକମାନେ ଏହା ଫଳରେ ଭୀଷଣ କ୍ଷତିଗ୍ରସ୍ତ ହୋଇ ଫେରିଥାନ୍ତି। ସେମାନଙ୍କୁ ବାସ୍ତବ ନ୍ୟାୟ ମିଳେ ନାହିଁ। ସେମାନେ ବିଚାର ବିଭାଗକୁ ବିଶ୍ୱାସ କରନ୍ତି ନାହିଁ। ଏହା ଛଡ଼ା ଏହି ପଦ୍ଧତି ଦ୍ୱାରା ବିଚାର ବିଭାଗର ସ୍ୱାଧୀନତା ଓ ନିରପେକ୍ଷତା ମଧ୍ୟ ନଷ୍ଟ ହୋଇଥାଏ। କାରଣ ବିଚାରପତି ନିଯୁକ୍ତି କ୍ଷେତ୍ରରେ ଚାଟୁକାରିତା ଓ ଧରାଧରି ଏକ ବଡ଼ ଭୂମିକା ଗ୍ରହଣ କରିଥାଏ। କଲେଜିଅମ ପଦ୍ଧତିରେ ଯେଉଁ ଚୟନ ହୋଇଥାଏ, ତାହା ଯେଉଁ ପଦ୍ଧତି ଉପରେ ପର୍ଯ୍ୟବସିତ, ତାହା ହେଲା ‘ତୁ ମୋ ପିଠି କୁଣ୍ଡେଇବୁ ଓ ମୁଁ ତୋ ପିଠି କୁଣ୍ଡେଇବି’; ଅର୍ଥାତ, କଲେଜିଅମର ବିଚାରପତିମାନେ ପରସ୍ପରର ପ୍ରାର୍ଥୀଙ୍କୁ ଏକ ଅନ୍ୟର ସହାୟତାରେ ନିଯୁକ୍ତି ଦେଇଥାନ୍ତି।’’

ଏବେ କେଉଁ ପଦ୍ଧତିରେ ବିଚାରପତି ଚୟନ ହେବ, ସେଥି ପାଇଁ ପଦ୍ଧତି ନିର୍ଣ୍ଣୟ ହେବା କଥା। କେଉଁ ପଦ୍ଧତିରେ ବିଚାରପତି ଚୟନ ହେବ ସେ ନେଇ ସୁପ୍ରିମ୍‌ କୋର୍ଟ ଏ ଯାଏ ମନ ସ୍ଥିର କରି ପାରୁନାହାନ୍ତି। ଏହା ଯଥାଶୀଘ୍ର ସ୍ଥିରୀକୃତ ହେବା ଉଚିତ। କିନ୍ତୁ ବିଚାରପତି ନିଯୁକ୍ତି କ୍ଷେତ୍ରରେ କେବଳ ଅନ୍ୟ ବିଚାରପତିମାନେ ସମ୍ପୃକ୍ତ ହେବା ଦରକାର, ଏ ପ୍ରକାର ଆଭିମୁଖ୍ୟ ନିଜ ହାତରେ କ୍ଷମତାକୁ ବାନ୍ଧି ରଖିବାର ଏକ ବିଚିତ୍ର ଯୁକ୍ତି ଯାହା ସୁପ୍ରିମ୍‌ କୋର୍ଟ କରୁଛନ୍ତି। ଏହାକୁ ଜନସାଧାରଣ ମଧ୍ୟ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

ସୁତରାଂ, ରାଜନୈତିକ ଦଳମାନେ ସଂସଦ ଗୃହରେ ସୁପ୍ରିମ୍‌ କୋର୍ଟ ଦ୍ୱାରା ଖାରଜ ହୋଇଥିବା ‘ଏନ୍.ଜେ.ଏ.ସି.’ ଆଇନକୁ ଆଉ ଥରେ ଗୃହୀତ କରନ୍ତୁ। ଆମେରିକା ପରି ରାଷ୍ଟ୍ରରେ ବିଚାରପତି ଚୟନର ଦାୟିତ୍ୱ ସରକାର ବା ରାଷ୍ଟ୍ରପତିଙ୍କର। ସେଠାରେ ବିଚାରପତି ଆଉ ଜଣେ ବିଚାରପତିଙ୍କ ଚୟନ କରନ୍ତି ନାହିଁ। ବ୍ରିଟେନ୍‌ରେ ମଧ୍ୟ ପଦ୍ଧତି ସେଇଆ। ସୁପ୍ରିମ୍‌ କୋର୍ଟ ଭୁଲ୍ ବାର୍ତ୍ତା ନ ଦିଅନ୍ତୁ।

ମୋ: ୯୪୩୭୦୨୦୨୯୦