ଡିସେମ୍ବର ୨୮, ‘ସମ୍ବାଦ’ ଦୈନିକ ସଂସ୍କରଣର ସମ୍ପାଦକୀୟ ପୃଷ୍ଠାରେ ‘ଆତ୍ମଜୀବନୀ ଲେଖା ଓ ପଢ଼ା’ ଶୀର୍ଷକ ଆଲେଖ୍ୟ ପଢ଼ିବା ପରେ ଏ ସଂକ୍ରାନ୍ତରେ କିଛି ଲେଖିବାକୁ ଇଚ୍ଛା ହେଲା। ଇଚ୍ଛାର କାରଣ ତହିଁରେ ଲେଖକ ଯେଉଁ କେତୋଟି ମତାମତ ଦେଇଛନ୍ତି ସେ ବିଷୟରେ ଟିକିଏ ବିସ୍ତୃତ ଆଲୋଚନା କରିବା।
ତହିଁରେ ସେ କହିଛନ୍ତି ଯେ ଯେଉଁଠି ଲେଖକ ସଚେତ ଭାବରେ ଆତ୍ମ ବିଜ୍ଞାପନ ଠାରୁ ଊର୍ଦ୍ଧ୍ବରେ ରହିପାରନ୍ତି ଓ ନିରାସକ୍ତ ଭାବରେ ସ୍ବଅନୁଭୂତିକୁ ବର୍ଣ୍ଣନା କରନ୍ତି ସେଇଠି ଆତ୍ମଜୀବନୀ ସୁଖପାଠ୍ୟ ହେବା ସହିତ କାଳଜୟୀ ହେବାର ସାମର୍ଥ୍ୟ ରଖେ। ଏଠାରେ ମୁଁ ଜୱାହରଲାଲ ନେହରୁଙ୍କ ‘ଏନ୍ ଅଟୋବାଇଗ୍ରାଫି’କୁ ନେବି। ୧୯୩୬ ମସିହାରେ ଏ ପୁସ୍ତକର ପ୍ରଥମ ସଂସ୍କରଣ ବିଲାତର ଏକ ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶ ପାଇଥିଲା। ଏ ଯାବତ୍ ଏ ପୁସ୍ତକଟିର ଦଶଟିରୁ ଅଧିକ ସଂସ୍କରଣ ବାହାରି ସାରିଲାଣି। କହିବା ବାହୁଲ୍ୟ ଏ ଆତ୍ମଜୀବନୀ ପୁସ୍ତକର ସାରା ବିଶ୍ବରେ ଅଗଣିତ ପାଠକ ଅଛନ୍ତି। ଏ ପୁସ୍ତକର ଗୋଟିଏ ସ୍ଥାନରେ ଜୱାହରଲାଲ କହିଛନ୍ତି ତାଙ୍କର ବିଲାତର ହେରୋ (Harrow) ବିଶ୍ବ ବିଦ୍ୟାଳୟରେ ଅଧ୍ୟୟନ ସମୟରେ ତାଙ୍କର ସାଧାରଣ ଜ୍ଞାନରେ ରୁଚି ଯୋଗୁଁ ଶ୍ରେଣୀରେ ଶିକ୍ଷକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିଲାତର ତତ୍କାଳୀନ କେମ୍ପବେଲ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟଙ୍କ ନାମ ଗୋଟି ଗୋଟି କହିଦେଇ ତାଙ୍କର ଗୋରା ସହପାଠୀମାନଙ୍କୁ ପଛରେ ପକାଇ ଦେଇଥିଲେ। ତେବେ ଏହି ଗୋଟିଏ ଘଟଣାର ବର୍ଣ୍ଣନାକୁ ଆମେ ଆତ୍ମବିଜ୍ଞାପନର ପର୍ଯ୍ୟାୟଭୁକ୍ତ କରିପାରିବା କି?
ଏହି ପରିପ୍ରେକ୍ଷୀରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ’ ପୁସ୍ତକକୁ ସ୍ମରଣ କରିବି; ଯଦିଓ ଏ ପୁସ୍ତକରେ କେତେକ ସ୍ଥାନରେ କିଛିଟା ଆତ୍ମପ୍ରଚାର ଅଛି ତେବେ ଘଟଣାମାନଙ୍କୁ ସବୁ ଦିଗରୁ ବର୍ଣ୍ଣନା କଲାବେଳେ ତା’ର ଆବଶ୍ୟକତା ଥିଲା ଭଳି ମୋର ମନେ ହୁଏ।
ଏ ପ୍ରସଙ୍ଗରେ ମୁଁ ଆଉ ଏକ ବହୁ ଚର୍ଚ୍ଚିତ ଆତ୍ମଜୀବନୀ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ଙ୍କ ‘ମାଇ ଲାଇଫ୍’ ବିଷୟ ଅବତାରଣା କରିବି। କ୍ଲିଣ୍ଟନ୍ ରାଷ୍ଟ୍ରପତି ଥିବାବେଳେ ‘ହ୍ବାଇଟ୍ ହାଉସ୍’ରେ କାମ କରୁଥିବା ସୁନ୍ଦରୀ ତରୁଣୀ ମୋନିକା ଲେୱେନେସ୍କିଙ୍କ ସହିତ ତାଙ୍କର ଯୌନ ସମ୍ପର୍କକୁ ନେଇ ଚର୍ଚ୍ଚାରେ ସାରା ପୃଥିବୀ ହୁଲସ୍ତୁଲ ହୋଇଥିଲା। ଯେତେବେଳେ ‘ମାଇ ଲାଇଫ୍’ ବହିଟି ବାହାରିଲା ଏ ସମ୍ପର୍କରେ କ୍ଲିଣ୍ଟନ୍ କ’ଣ େଲଖିଛନ୍ତି ଜାଣିବା ପାଇଁ ଲୋକେ ଏତେ ବ୍ୟଗ୍ର େହଲେ ଯେ ବହିଟିର ପ୍ରଥମ ସଂସ୍କରଣ ରାତାରାତି ବିକ୍ରି ହୋଇଗଲା। ପ୍ରକାଶକଙ୍କୁ ତା’ର ଦ୍ବିତୀୟ ସଂସ୍କରଣ ମାସେ ଭିତରେ ବାହାର କରିବାକୁ ପଡ଼ିଲା। କିନ୍ତୁ କ୍ଲିଣ୍ଟନ୍ ଥିଲେ ଜଣେ ଚତୁର ରାଜନୀତିଜ୍ଞ। ଏଣୁ ଗୋଟିଏ ଛୋଟିଆ ପାରାଗ୍ରାଫ୍ରେ ସେ ଏ ପ୍ରସଙ୍ଗକୁ ଚତୁରତାର ସହ ଏଡ଼େଇଗଲେ। ଆମେରିକାବାସୀ ମଧ୍ୟ ଏହାକୁ ଏକ ସାଧାରଣ ଘଟଣା ବୋଲି ଗ୍ରହଣ କଲେ। ତେଣୁ ଆତ୍ମଜୀବନୀରେ ଯେ ଲେଖକ ନିଜ ବ୍ୟକ୍ତିତ୍ବର ସବୁ ଦିଗରୁ ବ୍ୟାଖ୍ୟା କରି ସବୁ ଘଟଣାର ନିରାସକ୍ତ ବର୍ଣ୍ଣନା କରିବେ, ଏ ଆଶା କରିବା ବୃଥା।
ନିଜର ବୈଶିଷ୍ଟ୍ୟକୁ ପ୍ରକାଶ କରିବାର ପ୍ରୟାସ ହୋଇ ନ ଥିବା ଅନ୍ୟତମ ଶ୍ରେଷ୍ଠ ଆତ୍ମଜୀବନୀ ମଧ୍ୟରେ ମହାତ୍ମା ଗାନ୍ଧୀଙ୍କର ଆତ୍ମକଥା ‘ମାଇ ଏକ୍ସପେରିମେଣ୍ଟସ୍ ୱିଥ୍ ଟ୍ରୁଥ୍’ ବା ‘ସତ୍ୟ ସହିତ ମୋର ପରୀକ୍ଷାନିରୀକ୍ଷା’ ଅନ୍ୟତମ। ଗାନ୍ଧୀଜୀ ତହିଁରେ ନିରାସକ୍ତ ଭାବରେ ତାଙ୍କର ଦୈନନ୍ଦିନ ଜୀବନର ସବୁ ଘଟଣାକୁ ବର୍ଣ୍ଣନା କରିଛନ୍ତି। ତାଙ୍କର ଅଠର ବର୍ଷର ନାତୁଣୀ ମନୁ ଯିଏ କି କସ୍ତୁରବାଙ୍କ ତିରୋଧାନ ପରେ ତାଙ୍କର ସବୁକଥା ବୁଝୁଥିଲେ; ସେ ମନୁଙ୍କ ସାଥିରେ କିପରି ଗୋଟିଏ ଖଟରେ ଶୋଉଥିଲେ ଏବଂ ତାକୁ ନେଇ ତାଙ୍କର ସହକର୍ମୀମାନଙ୍କ ମନରେ କିପରି ଅନେକ ସଂଶୟ ସୃଷ୍ଟି ହେଉଥିଲା ସେ ସମସ୍ତ ବିଷୟ ବର୍ଣ୍ଣନା କରିଛନ୍ତି। କିନ୍ତୁ ‘ବାପୁ’ଙ୍କୁ ଜଣେ ସାଧାରଣ ମଣିଷ ସହିତ ତୁଳନା କରାନଯିବାର ଅନେକ ତାତ୍ତ୍ବିକ ଏବଂ ବିଚାର ସମ୍ମତ କାରଣ ରହିଛି। ତେଣୁ ନିଜ ଆତ୍ମଜୀବନୀ ଲେଖୁଥିବା ପ୍ରତ୍ୟେକ ମଣିଷଙ୍କ ଠାରୁ ଗାନ୍ଧୀଙ୍କ ଭଳି ନିଜ ସମ୍ପର୍କରେ ନିରାସକ୍ତ ବର୍ଣ୍ଣନା ଆମେ ଆଶା କରିପାରିବା ନାହିଁ। ମନୀଷୀ ମାର୍କ ଟ୍ବେନ ଯଥାର୍ଥରେ କହିଥିଲେ ‘ପ୍ରତ୍ୟେକ ମଣିଷ ହେଉଛନ୍ତି ଗୋଟିଏ ଗୋଟିଏ ଚନ୍ଦ୍ର, ଯାହାର ଗୋଟିଏ ଅନ୍ଧକାର ପାର୍ଶ୍ବ ଥାଏ ଏବଂ ସେ ଏ ଅନ୍ଧକାର ପାର୍ଶ୍ବଟିକୁ କେବେ କାହାକୁ ଦେଖାନ୍ତି ନାହିଁ।’
ମୋ: ୯୪୩୭୧୪୯୧୩୩