ଜାନୁଆରି ୩୦ ତାରିଖରେ ‘ଭାରତ ଯୋଡ଼ୋ’ ଯାତ୍ରା ଶେଷ ହେବା ଅବସରରେ ପାଞ୍ଚଟି ବିରାଟ ପ୍ରଶ୍ନର ଉତ୍ତର ଖୋଜା ପଡ଼ିବ। ପ୍ରଥମଟି ହେଲା, ରାହୁଳ ଗାନ୍ଧୀଙ୍କ ପ୍ରତି ଜନସାଧାରଣଙ୍କ ଧାରଣାରେ ପରିବର୍ତ୍ତନ ଆସିଛି କି? ଦ୍ବିତୀୟରେ, ଏହା କଂଗ୍ରେସକୁ ସୁଦୃଢ଼ କରିପାରିଛି କି? ତୃତୀୟତଃ, ଅପଡ଼ ବିରୋଧୀ ଦଳଙ୍କ ସହ ସମ୍ପର୍କର ସେତୁ ଗଢ଼ିବା ପାଇଁ କଂଗ୍ରେସକୁ ଇସ୍ପାତ ଓ ସିମେଣ୍ଟ ମିଳିଗଲା କି? ଚତୁର୍ଥରେ, ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିରେ ବ୍ୟାଘାତ ଦେବା ଲାଗି କଂଗ୍ରେସ ନେତୃତ୍ବ ନେଇପାରିବ କି? ଶେଷରେ ‘ଗଣତନ୍ତ୍ର ଓ ବିବିଧତାର ସୁରକ୍ଷା’ (ଯାହା ଭାରତ ଯୋଡ଼ୋ ଯାତ୍ରାର ଉଦ୍ଦେଶ୍ୟ) ର ଲଢ଼େଇ କ’ଣ ୨୦୨୪ ନିର୍ବାଚନରେ ଶେଷ ହୋଇଯିବ?
ପ୍ରଥମ ପ୍ରଶ୍ନରୁ ଆରମ୍ଭ କରିବା। ଅବଶ୍ୟ, ଜନସାଧାରଣଙ୍କ ନଜରରେ ରାହୁଳ ଗାନ୍ଧୀଙ୍କ ଛବି ବଦଳିଯାଇଛି। ଜନମତ ସର୍ବେକ୍ଷଣ ଅନୁସାରେ, ଯେଉଁ ରାଜ୍ୟଗୁଡ଼ିକ ଦେଇ ରାହୁଳ ଯାତ୍ରା କରିଛନ୍ତି, ସେଠାରେ ତାଙ୍କ ପ୍ରତି ସକାରାତ୍ମକ ମନୋଭାବ ରଖୁଥିବା ଲୋକଙ୍କ ପରିମାଣ ୩୦%ରୁ ୫୦%କୁ ବୃଦ୍ଧି ପାଇଛି। ଏହା ନିଃସନ୍ଦେହ ଯେ, ଆର୍ଏସ୍ଏସ୍-ବିଜେପି ଶିବିର ତାଙ୍କର ବ୍ୟଙ୍ଗଚିତ୍ର ଆଙ୍କିଚାଲିଛନ୍ତି, ମାତ୍ର ସେଇ ଶିବିରରୁ ମଧ୍ୟ ରାହୁଳଙ୍କ ପ୍ରତି ସମର୍ଥନର ସ୍ବର ଶୁଣାଯାଇଛି, ଯେପରିକି ରାମମନ୍ଦିର ସହ ଜଡ଼ିତ ଦୁଇ ଜଣ ମହନ୍ତ ରାହୁଳଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି।
ଏପରିକି, ଆଗରୁ ଯେଉଁ ଉଦାରବାଦୀମାନେ ଭାବୁଥିଲେ ଯେ ରାହୁଳ ନିଜର ସମସ୍ତ ସମୟ ରାଜନୀତିକୁ ଉତ୍ସର୍ଗ କରନ୍ତି ନାହିଁ ଏବଂ ବେଳେ ବେଳେ ଉତ୍କୃଷ୍ଟ ଉଚ୍ଚସ୍ତରୀୟ ବାକ୍ଯୁଦ୍ଧ ମଝିରେ ମୂର୍ଖତାପୂର୍ଣ୍ଣ ଦାବି ବା ଟିପ୍ପଣୀ ପେସ୍ କରୁଥିଲେ, ସେମାନେ ମଧ୍ୟ ଏବେ ତାଙ୍କୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ଦିନକୁ ୨୦ରୁ ୨୫ କି.ମି. ଦ୍ରୁତ ବେଗରେ ଚାଲି ଚାଲି ଦୀର୍ଘ ୩,୫୦୦ କି.ମି. ଅତିକ୍ରମ କରିବା ଏବଂ ଅତି ଥଣ୍ଡାରେ ବି ଶୀତବସ୍ତ୍ର ପରିଧାନ କରୁ ନ ଥିବା ରାହୁଳଙ୍କ ପାଇଁ ସେମାନଙ୍କ ପାଖରେ ପ୍ରଶଂସା ଛଡ଼ା କିଛି ନାହିଁ। ସେ ନିଜ ପାଇଁ ଯେଉଁ ଆହ୍ବାନ ଆମନ୍ତ୍ରଣ କରିଥିଲେ, ତାହା ଜଣେ ହାରାହାରି ମାନସିକ ଓ ଶାରୀରିକ କ୍ଷମତାଯୁକ୍ତ ବ୍ୟକ୍ତିଠାରୁ ଯଥେଷ୍ଟ ଅଧିକ। ତାଙ୍କର ଏହି ପ୍ରଦର୍ଶନ ପାଇଁ କିଛି ଉଦାରବାଦୀ ତାଙ୍କୁ ‘ସନ୍ଥସୁଲଭ’ ଆଖ୍ୟା ଦେଇଛନ୍ତି ତ କେହି କେହି ‘ବୀର’ ଭାବେ ଚିତ୍ରଣ କରିଛନ୍ତି।
ତାଙ୍କ ପ୍ରତି ଲୋକଙ୍କର କ୍ରମବର୍ଦ୍ଧିଷ୍ଣୁ ଆଗ୍ରହରୁ ଏକଥା ମଧ୍ୟ ଜଣାପଡ଼ିଛି କି ତାଙ୍କର ବଂଶବାଦୀ ବିଶେଷାଧିକାର ଆଧାରରେ ତାଙ୍କୁ ଖାରଜ କରିବା ଲାଗି ଲୋକଙ୍କୁ ଲଗାତାର ପ୍ରବର୍ତ୍ତାଉଥିବା ବିଜେପି ଦଳର ଉଦ୍ୟମ ରାହୁଳଙ୍କ ସାର୍ବଜନୀନ ଛବି ଉପରେ ଆଉ ନକାରାତ୍ମକ ପ୍ରଭାବ ପକାଉନାହିଁ। ଏହା ଦର୍ଶାଉଛି ଯେ ରାଜନେତାଙ୍କର ମୂଲ୍ୟାଙ୍କନ ବେଳେ ଲୋକେ ତାଙ୍କ ବ୍ୟକ୍ତିଗତ ଚରିତ୍ର ଓ ବିଚାରଧାରାକୁ ଗୁରୁତ୍ବ ଦେଇଥାନ୍ତି, ପିତା-ମାତାଙ୍କୁ ନୁହେଁ।
ଏବେ ଦ୍ବିତୀୟ ପ୍ରଶ୍ନକୁ ଆସିବା। ଏ ଯାଏ ଏହି ଯାତ୍ରାରୁ କଂଗ୍ରେସ ସୁଦୃଢ଼ ହୋଇଥିବାର ପ୍ରମାଣ ମିଳିନାହିଁ। ଯଦିଓ ଲୋକମାନେ ଜଣେ ନୂତନ ରାହୁଳଙ୍କ କଥା କହୁଛନ୍ତି, କିନ୍ତୁ କେହି ନୂତନ କଂଗ୍ରେସ କଥା କହୁନାହାନ୍ତି। ଦଳର ବିଭାଜନ ପରି ପୁରୁଣା କ୍ଷତରୁ ରକ୍ତ ଝରିବା ଜାରି ରହିଛି। ବ୍ୟଥା ଯେତେ ଅଧିକ ହେଉଛି, ସେତିକି ଅଧିକ ପଳାୟନ ଘଟୁଛି। ଲୋକେ ଦଳ ଛାଡୁଛନ୍ତି, ଦଳର ନେତାମାନେ ପରସ୍ପରଙ୍କୁ ହତାଦର କରୁଛନ୍ତି ଓ ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ଦଳୀୟ ନେତୃତ୍ବ ପୁରସ୍କୃତ କରୁଛନ୍ତି। ସେନା-ସଦୃଶ ବିଜେପି ତୁଳନାରେ କଂଗ୍ରେସ ଏକ କ୍ଲବ୍ ପରି ମନେହେଉଛି। ଏ କଥା ନିଶ୍ଚିତ ଯେ ରାହୁଳଙ୍କ ଏହି ଯାତ୍ରା ଦ୍ବାରା କଂଗ୍ରେସ କର୍ମୀମାନେ ଉଦ୍ଦୀପନାର ସାଗରରେ ପହଁରୁଛନ୍ତି। ମାତ୍ର ସେନା ଭଳି ସୁଦୃଢ଼ ହେବା ଠାରୁ କଂଗ୍ରେସ ସଂଗଠନ ବହୁ ଦୂରରେ ଅଛି।
ତୃତୀୟ ପ୍ରଶ୍ନର ଉତ୍ତର ହେଉଛି, ଅପଡ଼ ବିରୋଧୀ ଦଳମାନଙ୍କୁ କଂଗ୍ରେସର ନିକଟତର କରିବାରେ ଏହି ଯାତ୍ରା ବିଫଳ ହୋଇଛି। ସେମାନଙ୍କୁ ନିମନ୍ତ୍ରଣ କରିବା ସତ୍ତ୍ବେ ସେମାନେ ଯାତ୍ରାରେ ସାମିଲ ହୋଇନାହାନ୍ତି। ଅବଶ୍ୟ ତାମିଲନାଡୁରେ ଡିଏମ୍କେ ଦଳ ଯୋଗଦେଇଥିଲା, କେରଳରେ ଆଇୟୁଏମ୍ଏଲ୍ ଓ କଂଗ୍ରେସର ଅନ୍ୟ ସହଯୋଗୀମାନେ ସାମିଲ ହୋଇଥିଲେ। ସେହିପରି ମହାରାଷ୍ଟ୍ରରେ ଏନ୍ସିପି ଓ ଶିବସେନା (ଉଦ୍ଧବ) ଏବଂ ଜାମ୍ମୁ କାଶ୍ମୀରରେ ନାସନାଲ୍ କନ୍ଫରେନ୍ସ ଓ ପିଡିପି ଯୋଗ ଦେଇଛନ୍ତି, ମାତ୍ର ଅନ୍ୟ ରାଜ୍ୟମାନଙ୍କୁ ଏହା କଂଗ୍ରେସର ଯାତ୍ରା ଭାବରେ ହିଁ ଅତିକ୍ରମ କରିଥିଲା।
କର୍ଣ୍ଣାଟକରେ ଜନତା ଦଳ (ଏସ୍) ଯାତ୍ରାଠାରୁ ଦୂରେଇ ରହିଥିଲା। ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଟିଡିପି ସାମିଲ ହେଲାନାହିଁ। ସେହିପରି ଉତ୍ତରପ୍ରଦେଶରେ ଏସ୍ପି, ବିଏସ୍ପି ଓ ଆର୍ଏଲ୍ଡି ମଧ୍ୟ ନିଜକୁ ଦୂରେଇ ରଖିଥିଲେ। ଶ୍ରୀନଗରରେ ହେବାକୁ ଥିବା ଚୂଡ଼ାନ୍ତ ସମାରୋହରେ ଉପସ୍ଥିତ ରହିବାକୁ ଯାତ୍ରାରେ ଯୋଗଦେଇନଥିବା ଦଳ ସମେତ ୨୧ଟି ସମଭାପାପନ୍ନ ଦଳଙ୍କୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ନିମନ୍ତ୍ରଣ ପଠାଇଛନ୍ତି। ତେବେ ଯାହା ଜଣାପଡୁଛି, ଯାତ୍ରାଠୁ ଦୂରେଇ ରହିଥିବା ଦଳଗୁଡ଼ିକ ଏଥିରେ ଯୋଗ ଦେବେନାହିଁ। ଏଥିରୁ କ’ଣ ଏହା ବୁଝିବାକୁ ପଡ଼ିବ ଯେ ୨୦୨୪ର ଲୋକସଭା ନିର୍ବାଚନ ରାସ୍ତାରେ କଂଗ୍ରେସ ଓ ସମଭାପାପନ୍ନ ଦଳଗୁଡ଼ିକ ମଧ୍ୟରେ ରହିଥିବା ହିମଖଣ୍ଡ ତରଳିବ ନାହିଁ? ଏହା ଆମକୁ ଚତୁର୍ଥ ପ୍ରଶ୍ନ ଆଡ଼କୁ ନେଇଯାଉଛି ଯାହା ସମ୍ଭାବ୍ୟ ଶାସନ ପରିବର୍ତ୍ତନ ଉପରେ ଆଧାରିତ।
ବିରୋଧୀ ଦଳମାନେ ଏକଜୁଟ ହେବା ରାସ୍ତାରେ କିଛି ପ୍ରମୁଖ ପ୍ରତିବନ୍ଧ ରହିଛି। ସେଗୁଡ଼ିକ ଭିତରେ ଗୋଟିଏ ହେଉଛି ବିରୋଧୀ ଦଳମାନଙ୍କର ଏକ ସାମୂହିକ ଅଟକଳ- ଯେପରିକି ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) ଓ ଆମ୍ ଆଦମୀ ପାର୍ଟି (ଆପ୍)ର ସର୍ବେସର୍ବା ଯଥାକ୍ରମେ କେ ସି ଚନ୍ଦ୍ରଶେଖର ରାଓ ଓ ଅରବିନ୍ଦ କେଜ୍ରିଵାଲ ନିଜକୁ ଅଣବିଜେପି ଓ ଅଣକଂଗ୍ରେସ ମେଣ୍ଟର ବିକଳ୍ପ ମୁଖ୍ୟ ଭାବେ ପରିଗଣନା କରୁଛନ୍ତି। ଜାନୁଆରି ୧୮ ତାରିଖରେ ତେଲେଙ୍ଗାନାର ଖମ୍ମାମ ଠାରେ କେଜ୍ରିଵାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଵନ୍ତ ସିଂହ ମାନ୍, ଏସ୍ପି ଅଧ୍ୟକ୍ଷ ଅଖିଳେଶ ଯାଦବ, କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ୍ ଓ ସିପିଆଇ ନେତା ଡି ରାଜାଙ୍କ ଉପସ୍ଥିତିରେ ଚନ୍ଦ୍ରଶେଖର ରାଓ ଏକ ସାଧାରଣ ସମାବେଶକୁ ଉଦ୍ବୋଧନ ଦେଇଥିଲେ। ଏହା ବିଜେପିର ଏକ ଜାତୀୟ ବିକଳ୍ପ ବୋଲି ସେମାନେ ବର୍ଣ୍ଣନା କରିଥିଲେ। ଏଥିରୁ ବୁଝାପଡୁଛି କି, ୨୦୨୪ରେ ବିଜେପି ବିରୋଧରେ ଅନ୍ୟ ଏକ ସାମ୍ମୁଖ୍ୟ ମୁଣ୍ଡ ଟେକୁଛି। ଅପରପକ୍ଷେ, ଶ୍ରୀନଗରରେ ହେବାକୁ ଥିବା ଭାରତ ଯୋଡ଼ୋ ଯାତ୍ରାର ଉଦ୍ଯାପନୀ ସମାରୋହକୁ ବିଆର୍ଏସ୍ ଓ ଆପ୍କୁ ନିମନ୍ତ୍ରଣ ନ କରି କଂଗ୍ରେସ ଏହି କଥାକୁ ଦି’ଗୁଣା ନିଶ୍ଚିତ କରିଦେଇଛି।
ଅନ୍ୟ ପ୍ରତିବନ୍ଧଟି ହେଉଛି କଂଗ୍ରେସକୁ ବିରୋଧୀ ମେଣ୍ଟର ନେତୃତ୍ବ ଭୂମିକାରେ ତୃଣମୂଳ କଂଗ୍ରେସ ଲଗାତାର ଭାବେ ଅସ୍ବୀକାର କରି ଆସିଛି। ସଂସଦ ବାହାରେ ଓ ଭିତରେ କଂଗ୍ରେସ ନେତୃତ୍ବରେ ସଂଘଟିତ କୌଣସି ପ୍ରକାର ବିକ୍ଷୋଭ, ପ୍ରଦର୍ଶନ କି ସମାବେଶ ଠାରୁ ଏହା ନିଜକୁ ଦୂରେଇ ରଖିଛି। ସେହିପରି ନିମନ୍ତ୍ରଣ ପାଇ ସୁଦ୍ଧା ତୃଣମୂଳ କଂଗ୍ରେସ ଏହି ଯାତ୍ରାରେ ଯୋଗ ଦେଇନାହିଁ।
ଏହା ବ୍ୟତୀତ ଅନ୍ୟତମ ପ୍ରତିବନ୍ଧଟି ହେଉଛି ୨୦୨୪ ନିର୍ବାଚନରେ ରାହୁଳଙ୍କ ଭୂମିକା ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିନାହିଁ। ଏହି ଯାତ୍ରା ମାଧ୍ୟମରେ ସେ ନିଜ ପାଇଁ ଏକ ମହାନ୍, ନିର୍ଲିପ୍ତ ତଥା ସନ୍ଥସୁଲଭ ଛବି ଗଢ଼ିପାରିଛନ୍ତି। ‘ରାହୁଳ ଗାନ୍ଧୀ କେବଳ ଲୋକଙ୍କ ମନରେ ରହିଛନ୍ତି ଏବଂ ମୁଁ ତାଙ୍କୁ ବହୁତ ଆଗରୁ ମାରିସାରିଛି’ ବୋଲି ସେ ଦେଇଥିବା ଭାବଗମ୍ଭୀର ଟିପ୍ପଣୀରୁ ଏହା ସ୍ପଷ୍ଟ ଯେ ରାଜନୈତିକ କ୍ଷମତା ଲାଳସାର ଊର୍ଦ୍ଧ୍ବକୁ ସେ ଚାଲିଯାଇଛନ୍ତି। ଠିକ୍ ଏହି ସମୟରେ ‘ଭାରତ ଯୋଡ଼ୋ ଯାତ୍ରା’ରେ ତାଙ୍କ ନେତୃତ୍ବର ଭୂମିକା ଏବଂ ମୋଦୀ ସରକାରଙ୍କ ବିଫଳତାଗୁଡ଼ିକୁ ଉଜାଗର କରିବା ଲାଗି ‘ହାଥ୍ ସେ ହାଥ୍ ଯୋଡ଼ୋ’ ଭଳି ଆଗାମୀ ଅଭିଯାନର ଯୋଜନା ଦର୍ଶାଉଛି ଯେ ଶାସକ ଦଳର ରାଜନୈତିକ ବିରୋଧର କେନ୍ଦ୍ରସ୍ଥଳରେ ସେ ଅଛନ୍ତି।
ଏକଛତ୍ରବାଦ ଓ ଧର୍ମାନ୍ଧ ଶକ୍ତି ଉପରେ ନିୟନ୍ତ୍ରଣର ଲଢ଼େଇ ୨୦୨୪ରେ କ’ଣ ଶେଷ ହୋଇଯିବ?- ଏଇ ଶେଷ ପ୍ରଶ୍ନର ଉତ୍ତର, ସତ୍ତାରୂଢ଼ ଦଳ ବିରୋଧରେ ରାହୁଳଙ୍କ ନିର୍ବାଚନୀ ଲଢ଼େଇ ଅଥବା ଏକାଧିକ ବିରୋଧୀ ମେଣ୍ଟ ଉପରେ ନିର୍ଭର କରେନାହିଁ। ୨୦୨୪ ନିର୍ବାଚନ ଯୁଦ୍ଧରେ ଗଣତନ୍ତ୍ର ଓ ବିବିଧତା ସପକ୍ଷରେ ଲଢ଼େଇର ଅନ୍ତ ଘଟିବନି। ଏକଛତ୍ରବାଦ ଓ ଧର୍ମାନ୍ଧ ଶକ୍ତିର ଚେର ସମାଜରେ ଅତି ଗଭୀରକୁ ମାଡ଼ି ସାରିଛି। ପ୍ରସ୍ତର ଭିତ୍ତିଭୂମି ଉପରେ ଗଣତନ୍ତ୍ର ଓ ବିବିଧତାର ପୁନର୍ନିର୍ମାଣ ପୂର୍ବରୁ ବିଷାକ୍ତ ସାମାଜିକ ମାନସିକତାର ଅବିଶ୍ରାନ୍ତ ଶୋଧନ ପ୍ରକ୍ରିୟା ଜରୁରୀ। ମାତ୍ର ତାହା ଜଣେ ରାହୁଳଙ୍କ ଦ୍ବାରା ସମ୍ଭବ ନୁହେଁ, ଭାରତ ପାଇଁ ଲକ୍ଷେ ରାହୁଳଙ୍କ ଆବଶ୍ୟକତା ରହିଛି।