ବେସରକାରୀ ଚାକିରି ତୁଳନାରେ ସରକାରୀ ଚାକିରିର କେତେଗୁଡ଼ିଏ ଆକର୍ଷଣୀୟ ଦିଗ ଅଛି। ସେଥିରୁ ମୁଖ୍ୟତଃ ହେଲା କ୍ଷମତା, ଉପୁରି ଓ ପେନ୍‌ସନ୍‌। ଅବସର ସହିତ ପ୍ରଥମ ଦୁଇଟିର ବିଲୋପ ‌ଘଟେ ଓ ପେନ୍‌ସନ୍‌ର ଆରମ୍ଭ ହୁଏ। ପେନ୍‌ସନ୍‌ଟି ମୃତ୍ୟୁ ପରେ ମଧ୍ୟ ପରିବାର ପେନ୍‌ସନ୍‌ ହୋଇ ଆଉ କିଛିକାଳ ରହେ। ଘରୋଇ ସଂସ୍ଥାମାନଙ୍କରେ ପେନ୍‌ସନ୍‌ର ସୁବିଧା ନାହିଁ। ସେମାନେ ଏକକାଳୀନ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ଏକ ନିଷ୍ପତ୍ତି ଅନୁଯାୟୀ, ପେନ୍‌ସନ୍‌ କର୍ମଚାରୀଙ୍କର ପ୍ରତି ସରକାରଙ୍କ ଅନୁଦାନ ନୁହେଁ, ଏହା କର୍ମଚାରୀମାନଙ୍କର ପୂର୍ବ କାର୍ଯ୍ୟ ହେତୁ ଏକ ଅଧିକାର। ବିଚାରପତିମାନେ ମଧ୍ୟ ପେନ୍‌ସନ୍‌ ଭୋଗୀ ହୁଅନ୍ତି।

Advertisment

୧୮୫୭ରେ ସିପାହୀ ଆନ୍ଦୋଳନ ପରେ, ପଦଚ୍ୟୁତ ରାଜା ଓ ନବାନଙ୍କ ପରିବାରମାନଙ୍କୁ ଥଇଥାନ ନିମନ୍ତେ ବ୍ରିଟିସ୍‌ ସରକାର ପେନ୍‌ସନ୍‌ ଆରମ୍ଭ କରିଥିଲେ। ମୋଗଲ ବାଦଶାହା ଓ ଲକ୍ଷ୍ନୌର ନବାବଙ୍କ ଉତ୍ତରାଧିକାରୀମାନେ ଏବେ ମଧ୍ୟ କୋଲକାତାରେ ରହି ପେନ୍‌ସନ୍‌ ପାଉଛନ୍ତି। ଅବଶ୍ୟ ପେନ୍‌ସନ୍‌ ପରିମାଣ ବର୍ତ୍ତମାନ ଏତେ କମ୍‌ ଯେ, ସେମାନଙ୍କ ମଧ୍ୟରୁ କେହି କେହି ବଜାରରେ ଲଙ୍କାମରିଚ ବିକୁଚନ୍ତି। ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଇଂଲାଣ୍ଡ୍‌ ସରକାର ଦକ୍ଷିଣ ଆଫ୍ରିକାରେ ଯୁଦ୍ଧରତ ସେନାବାହିନୀ ନିମନ୍ତେ ପେନ୍‌ସନ୍‌ ଓ ଇଂଲାଣ୍ଡ୍‌ ଫେରିଲେ ସ୍ବଳ୍ପ ଭଡ଼ାରେ ବାସଗୃହର ବ୍ୟବସ୍ଥା କରିଥିଲେ। ସେଇ ବୋର୍ଡିଂ ହାଉସଗୁଡ଼ିକୁ ପେନ୍‌ସନ୍‌ କୁହାଯାଏ। କାଳକ୍ରମେ ଏହା ବେସାମରିକ ଚାକିରିରେ ଲାଗୁ ହେଲା ଓ ଭାରତ ସରକାର ମଧ୍ୟ ଅନୁରୂପ ପେନ୍‌ସନ୍‌ ଦେଲେ ଓ ପେନ୍‌ସନ୍‌ ହାଉସ କଲେ। କଟକରେ ଗୋଟିଏ ପେନ୍‌ସନ୍‌ ଲେନ୍‌ ଅଛି। ପେନ୍‌ସନ୍‌ର ପରିମାଣ କିନ୍ତୁ ସୀମିତ ଥିଲା। ଉଦାହରଣ ସ୍ବରୂପ ଜଣେ ଆଇ.ସି.ଏସ୍‌ ଅଫିସର୍‌ ୩୫୦୦ ଟଙ୍କାରେ ଅବସର ଗ୍ରହଣ କଲେ ମଧ୍ୟ ପେନ୍‌ସନ୍‌ ୭୫୦ ଟଙ୍କା ମାତ୍ର ଥିଲା। ଦ୍ବିତୀୟ ମହାଯୁଦ୍ଧ ପରେ ଇଂଲାଣ୍ଡ୍‌ରେ ଜନମଙ୍ଗଳ ରାଷ୍ଟ୍ରର ପରିକଳ୍ପନା ହେଲା ଓ ସରକାରୀ କର୍ମଚାରୀଙ୍କ ବ୍ୟତୀତ ଅନ୍ୟାନ୍ୟ ବର୍ଗର ବ୍ୟକ୍ତି ମଧ୍ୟ ପେନ୍‌ସନ୍‌ ପାଇଲେ। ଭାରତ‌ରେ ମଧ୍ୟ ଅନୁରୂପ ଅବସ୍ଥା। କେନ୍ଦ୍ର ଲେଜିସ୍‌ଲେଟିଭ୍‌ ଆସେମ୍ଲିର ସଦସ୍ୟମାନେ ଦରମା ପାଉନଥିଲେ, କେବଳ ସିଟିଂ ଫି ପାଉଥିଲେ। ଏବେ ‌ବିଧାୟକମାନେ ସରକାରୀ କର୍ମଚାରୀ ଭଳି ଦରମା ଓ ପେନ୍‌ସନ୍‌ ପାଉଛନ୍ତି। କାଳକ୍ରମେ ପେନ୍‌ସନ୍‌ର ପରିମାଣ ବୃଦ୍ଧି ପାଇବାକୁ ଲାଗିଲା। କିଛି ବର୍ଷ ଯେତିକି ବର୍ଷ ଚାକିରି (୩୩ରେ ସୀମିତ) ତାକୁ ଅଶୀରେ ଭାଗ କରି ପେନ୍‌ସନ୍‌ ଦିଆ ହେଉଥିଲା। ଅର୍ଥାତ୍‌ ଶେଷ ଦରମାର ପ୍ରାୟ ୪୦ ଭାଗ ପେନ୍‌ସନ୍‌ ମିଳୁଥିଲା। ଏବେ ଶେଷ ଦରମାର ଅଧେ ଭାଗ ପେନ୍‌ସନ୍‌ ମିଳୁଚି, ତା’ ଉପରେ ମହଙ୍ଗା ଭତ୍ତା। ପ୍ରତି ଛଅ ମାସରେ ମହଙ୍ଗା ଭତ୍ତା ବୃଦ୍ଧି ଓ ଅଶୀ ବର୍ଷ ପରେ ପେନ୍‌ସନ୍‌ ଭୋଗୀମାନଙ୍କର ପେନ୍‌ସନ୍‌ରେ ବୃଦ୍ଧି ଘଟୁଛି। ଜଣେ ପେନ୍‌ସନ୍‌ଭୋଗୀ ଯଦି ଶତାୟୁ ହୁଅନ୍ତି, ତେବେ ତାଙ୍କ ମୂଳ ପେନ୍‌ସନ୍‌ର ଦୁଇଗୁଣା ସେ ପାଇବେ। ପେନ୍‌ସନ୍‌ଭୋଗୀଙ୍କ ମୃତ୍ୟୁ ପରେ ପେନ୍‌ସନ୍‌ର ଶତକଡ଼ା ୬୦ ଭାଗ ତାଙ୍କ ସ୍ତ୍ରୀ ବଞ୍ଚିଥିବା ପର୍ଯ୍ୟନ୍ତ ପାଇବେ। ଏଇ ପେନ୍‌ସନ୍‌ ଭୋଗୀମାନେ ଆଉ ଆର୍ଥିକ ଦୁରବସ୍ଥା ଭୋଗ କରୁନାହାନ୍ତି ଓ କେତେକ ପରିବାର‌େର ପେନ୍‌ସନ୍‌ ହିଁ‌ ଏକମାତ୍ର ରୋଜଗାର, କାରଣ ଅନେକ ପରିବାରର ସଦସ୍ୟମାନେ ବେକାରିର ଶରବ୍ୟ।

ଏଇ ପେନ୍‌ସନ୍‌ ବ୍ୟବସ୍ଥାର ଜନହିତକର ଦିଗ ସହିତ ଅନ୍ୟ ଏକ ଦିଗ ‌େହଲା ଯେ ଏହା ବ୍ୟୟବହୁଳ ଏବଂ ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ବାର୍ଦ୍ଧକ୍ୟ ପେନ୍‌ସନ୍‌ ବ୍ୟୟ ବରାଦ ଦରମାଠାରୁ ଅଧିକ। ସାମରିକ ବିଭାଗରେ ୱାନ ରାଙ୍କ୍‌ ୱାନ ପେନ୍‌ସନ୍‌ର ପ୍ରଚଳନ ପରେ, ଏ ବ୍ୟୟବରାଦ ଅତ୍ୟଧିକ ବୃଦ୍ଧି ପାଇଛି। ସରକାର ଏ ବ୍ୟୟକୁ ହ୍ରାସ କରିବା ନିମନ୍ତେ ୨୦୦୪ ମସିହାରେ ଏକ ନୂତନ ପେନ୍‌ସନ୍‌ ବ୍ୟବସ୍ଥା ଆରମ୍ଭ କଲେ। ସେଥିରେ ଗୋଟିଏ ପେନ୍‌ସନ୍‌ ଫଣ୍ଡ୍‌ ସୃଷ୍ଟି ହେଲା। ପ୍ରତି କର୍ମଚାରୀ ସେ ଫଣ୍ଡକୁ ମାସିକ କିଛି ଅର୍ଥ ପ୍ରଦାନ କଲେ ଓ ସରକାର ମଧ୍ୟ ମ୍ୟାଚିଂ ଗ୍ରାଣ୍ଟ ଦେଲେ। ଏ ବ୍ୟବସ୍ଥା ଚାଲୁ ରହିଲେ ଆଉ ପ୍ରାୟ କୋଡ଼ିଏ ବର୍ଷ ପରେ ସରକାର ନିଜ ବଜେଟରୁ, ସେନା ‌ବିଭାଗ ପେନ୍‌ସନ୍‌ ଭୋଗୀଙ୍କ ବ୍ୟତୀତ ଅନ୍ୟ କାହା ନିମନ୍ତେ ବ୍ୟୟ ବରାଦ କରିବେ ନାହିଁ ଏବଂ ବିପୁଳ ଅର୍ଥ ରାଶିକୁ ଉନ୍ନୟନ କାର୍ଯ୍ୟରେ ବିନିଯୋଗ କରାଯାଇପାରିବ ବୋଲି କୁହାଗଲା। ଏ ନୂତନ ପେନ୍‌ସନ୍‌ ବ୍ୟବସ୍ଥାକୁ ସେତେବେଳେ ଊଣା ଅଧିକେ ସମସ୍ତ ରାଜନୈତିକ ଦଳ ସମର୍ଥନ କରିଥିଲେ।

ବର୍ତ୍ତମାନ ପୁଣି ପୁରୁଣା ପଦ୍ଧତିକୁ ଫେରିଯିବା ନିମନ୍ତେ ଦାବି ହେଉଛି। କେତେକ ରାଜ୍ୟ ଯଥା ରାଜସ୍ଥାନ, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଞ୍ଜାବ ସରକାରୀ କର୍ମଚାରୀଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଓ ସେମାନଙ୍କ ଭୋଟ ହା‌େତଇବା ନିମନ୍ତେ ପୂର୍ବ ବ୍ୟବସ୍ଥାକୁ ଫେରିଯିବା ଲାଗି ଉଦ୍ୟମ କରୁଛନ୍ତି। କଂଗ୍ରେସ ଓ ଆପ୍‌ ଦଳ ଏଥିରେ ଆଗୁଆ। ଗତ ଛଅ ବର୍ଷ ମଧ୍ୟରେ ରାଜ୍ୟମାନଙ୍କରେ ପେନ୍‌ସନ୍‌ ବ୍ୟୟ (୧୦୧୫-୨୦୨୧) ଜିଡିପିର ୧.୫୭%ରୁ ୨.୧୧%କୁ ବୃଦ୍ଧି ପାଇଚି। ରାଜ୍ୟ ସରକାରମାନଙ୍କର ସ୍ବକୀୟ ଟିକସ ଆୟର ଏହା ହାରାହାରି ୩୪ ଭାଗ। ଯଦି ରାଜନୈତିକ କାରଣରୁ ପୁରୁଣା ପେନ୍‌ସନ୍‌ ବ୍ୟବସ୍ଥାକୁ ଫେରିଯିବାକୁ ହୁଏ, ରାଜ୍ୟମାନଙ୍କର ବ୍ୟୟ ସେମାନଙ୍କର ଆୟ ଅପେକ୍ଷା ଯଥେଷ୍ଟ ଅଧିକ ହେବ ଓ ପ୍ରାୟ ୧୦-୧୨ ବର୍ଷ ପରେ ରାଜ୍ୟମାନେ ପେନ୍‌ସନ୍‌ଭୋଗୀ ମାନଙ୍କୁ ଠିକ୍‌ ଭାବରେ ପେନ୍‌ସନ୍‌ ଦେଇପାରିବେନି।

ବର୍ତ୍ତମାନ ପୃଥିବୀର ପ୍ରତ୍ୟେକ ଗଣତାନ୍ତ୍ରିକ ଦେଶ ଋଣଗ୍ରସ୍ତ। ଜନମଙ୍ଗଳ ରାଷ୍ଟ୍ରର ବ୍ୟୟବହୁଳତା ହେତୁ ପ୍ରତ୍ୟେକ ଗଣତାନ୍ତ୍ରିକ ଦେଶରେ ଅର୍ଥନୈତିକ କାରଣ ପ୍ରତି ଦୃଷ୍ଟି ଦିଆ ନ ଯାଇ ରାଜନୈତିକ କାରଣ ଅନୁଯାୟୀ ବଜେଟ ପ୍ରସ୍ତୁତ ହେଉଛି। ବର୍ତ୍ତମାନ ଧନୀ ପାଶ୍ଚାତ୍ୟ ଦେଶମ‌ାନେ ମଧ୍ୟ ପେନ୍‌ସନ୍‌ ବୋଝ ସହ୍ୟ କରିବାକୁ ସକ୍ଷମ ନୁହନ୍ତି।

ଦ୍ବିତୀୟତଃ ହାରାହାରି ଆୟୁ ବୃଦ୍ଧି ପାଇବା‌ରେ ଲାଗିଛି ଏବଂ ପ୍ରତ୍ୟେକ ପେନ୍‌ସନ୍‌ଭୋଗୀ ପରିବାର ପ୍ରାୟ ୨୫ ବର୍ଷ କାଳ ପେନ୍‌ସନ୍‌ ଭୋଗ କରୁଚି। ଏହା ଭବିଷ୍ୟତରେ ବୃଦ୍ଧି ପାଇବ ଓ ଅଶି ବର୍ଷରୁ ଅଧିକ ଯେତେ ପେନ୍‌ସନ୍‌ଭୋଗୀ ଓ ପରିବାର ବାହାରିବେ, ପେନ୍‌ସନ୍‌ ବୋଝ ସେତିକି ବୃଦ୍ଧି ପାଇବ। ନିଜର ଭବିଷ୍ୟତ ପିଢ଼ି ନିମନ୍ତେ ଋଣ ଭାର ଛାଡ଼ିଯିବା ନିଜ କର୍ତ୍ତବ୍ୟ ପାଳନର ଖିଲାପ। ପପୁଲିଷ୍ଟ ବଜେଟ ବଦଳରେ ସମତୁଲ ବଜେଟ ପ୍ରଣୟନ କରି ଆମେ ଭବିଷ୍ୟତ ବଂଶଧରଙ୍କ ନିମନ୍ତେ ଆମ କର୍ତ୍ତବ୍ୟ ପାଳନ କରିବା ଉଚିତ।

ପୁରୁଣା ପେନ୍‌ସନ୍‌ ବ୍ୟବସ୍ଥାକୁ ଫେରିଯିବାରେ ଏକ ଟେକ୍‌ନିକାଲ ସମସ୍ୟା ମଧ୍ୟ ଅଛି। ଗତ ୧୮ ବର୍ଷରେ ଯେଉଁ ଧନରାଶି କର୍ମଚାରୀମାନେ ପ୍ରଦାନ କରିଛନ୍ତି ଓ ତା’ ଉପରେ ସରକାର ଯେଉଁ ମ୍ୟାଚିଂ ଗ୍ରାଣ୍ଟ ପ୍ରଦାନ କରିଛନ୍ତି, ତାହା ବର୍ତ୍ତମାନ ବିନିଯୋଗ ହୋଇଛି। ତାହା ପୁଣି ରାଜ୍ୟ ସରକାରମାନଙ୍କ ପାଖକୁ ଫେରିବା ଦୁରୂହ ବ୍ୟାପାର। ବର୍ତ୍ତମାନର ନୂତନ ପେନ୍‌ସନ୍‌ ବ୍ୟବସ୍ଥା ଅର୍ଥନୈତିକ ଦୃଷ୍ଟିରୁ ଏକ ଉତ୍ତମ ବ୍ୟବସ୍ଥା। ରାଜନୈତିକ ଦୃଷ୍ଟିକୋଣରୁ ଏହାର ପରିବର୍ତ୍ତନ ଆତ୍ମଘାତୀ ହେବ।

ମୋ: ୯୯୩୭୪୨୨୫୨୧