ଭଦ୍ରଲୋକଙ୍କ ଖେଳ ଭାବେ ପରିଚିତ କ୍ରିକେଟ୍‌ ମୂଳରୁ ବର୍ଣ୍ଣବୈଷମ୍ୟବାଦ ଓ ପକ୍ଷପାତିତାର ଶିକାର ବୋଲି ଅଭିଯୋଗ ହୋଇଥାଏ। ଭାରତୀୟ କ୍ରିକେଟ୍‌ରେ ମଧ୍ୟ ପକ୍ଷପାତିତା ରହିଛି ବୋଲି ଅନେକଙ୍କ ଧାରଣା। ସ୍ୱାଧୀନତା ପୂର୍ବରୁ ଏହା ରାଜା, ମହାରାଜା ଓ ବିତ୍ତଶାଳୀ ଉଚ୍ଚ ବର୍ଗର ନିୟନ୍ତ୍ରଣରେ ରହି ଆସିଥିଲା ଓ ଏବେ ମଧ୍ୟ ତାହା ସେମାନଙ୍କ ପ୍ରଭାବରୁ ସଂପୂର୍ଣ୍ଣ ମୁକ୍ତ ହୋଇପାରିନାହିଁ। ଭାରତୀୟ କ୍ରିକେଟ୍‌ର ଖେଳାଳି ଚୟନରେ ପଛୁଆ ବର୍ଗ, ବିଶେଷ କରି ଦଳିତ ଓ ଆଦିବାସୀମାନଙ୍କୁ ଉପେକ୍ଷା କରାଯାଇଥାଏ ବୋଲି ଅଭିଯୋଗ ହୁଏ। ଭାରତର ସର୍ବାଧିକ ଲୋକପ୍ରିୟ କ୍ରୀଡ଼ାଟିର ଏହି ବିଭାବ ସଂପର୍କରେ ଏକ ବିଶଦ ଆଲୋଚନା କରାଯିବା ମଧ୍ୟ ଆବଶ୍ୟକ।

Advertisment

ଉଲ୍ଲେଖଯୋଗ୍ୟ ଯେ ୧୯୩୨ ମସିହାରୁ କ୍ରିକେଟ୍‌ ଟେଷ୍ଟ ମ୍ୟାଚ ଖେଳି ଆସୁଥିବା ଭାରତରେ ଗତ ୯୦ ବର୍ଷରେ ଖେଳିଥିବା ୩୦୨ ଜଣ ଟେଷ୍ଟ ଖେଳାଳିଙ୍କ ମଧ୍ୟରୁ ବ୍ରାହ୍ମଣଙ୍କ ସଂଖ୍ୟା ୫୦ ପ୍ରତିଶତରୁ ଅଧିକ। ଅବଶ୍ୟ ଏମାନଙ୍କ ମଧ୍ୟରେ କେତେକ ଅସାଧାରଣ ଭାବେ ପ୍ରତିଭାବାନ ଖେଳାଳି ଅଛନ୍ତି। ଅନ୍ୟ ପକ୍ଷରେ ଏକନାଥ ସୋଲକାର, କର୍ଷଣ ଘାବରି, ବିନୋଦ କାମ୍ୱଲିଙ୍କ ଭଳି ମାତ୍ର ୮ ଜଣ ଅନୁସୂଚିତ ଜାତିର ଖେଳାଳି ଟେଷ୍ଟ କ୍ରିକେଟ୍‌ ଖେଳିଥିବା ବେଳେ କୌଣସି ଆଦିବାସୀ ଖେଳାଳି ଏହା ଖେଳିବାର ସୁଯୋଗ ପାଇନାହାନ୍ତି। ଦଳ ଭିତ୍ତିରେ ଖେଳା ଯାଉଥିବା ପ୍ରାୟ ଅନ୍ୟ ସବୁ ଖେଳରେ ଦଳିତ, ଆଦିବାସୀ ଖେଳାଳି ଅଧିକ ସଂଖ୍ୟାରେ ଖେଳୁଥିଲା ବେଳେ କ୍ରିକେଟ୍‌ରେ ତାହା ନ ହେବା ଅନେକଙ୍କୁ ବିସ୍ମିତ କରିଥାଏ। ୨୦୦୮ରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଖେଳା ଯାଇଥିବା ସିଡନି ଟେଷ୍ଟର ୧୧ ଜଣିଆ ଟିମରେ ୭ ଜଣ ବ୍ରାହ୍ମଣ ଥିଲେ। ସେମାନେ ହେଲେ ଗାଙ୍ଗୁଲି, ତେନ୍ଦୁଲକର, ଦ୍ରାବିଡ଼, ଲକ୍ଷ୍ମଣ, କୁମ୍ୱଲେ, ଆର ପି ସିଂହ, ଈଶାନ୍ତ ଶର୍ମା। ସେତେବେଳେ ଅଷ୍ଟ୍ରେଲିଆ ଗଣମାଧ୍ୟମରେ ଏ ବିଷୟ ଚର୍ଚ୍ଚିତ ହୋଇଥିଲା। କେବଳ ଖେଳାଳି ନୁହନ୍ତି, କ୍ରିକେଟ୍‌ରେ ସଂଖ୍ୟାଧିକ କୋଚ୍‌, ମ୍ୟାନେଜର୍‌, ଚୟନକର୍ତ୍ତା, ଘୋଷକ ଓ ପ୍ରଶାସକ ମଧ୍ୟ ବ୍ରାହ୍ମଣ। ସେହିପରି ଅକ୍‌ଟୋବର ୨୦୨୨ ମସିହା ପର୍ଯ୍ୟନ୍ତ ଭାରତର ପ୍ରତିନିଧିତ୍ୱ କରୁଥିବା ମହିଳା ଖେଳାଳିମାନଙ୍କୁ ପୁରୁଷ ଖେଳାଳିଙ୍କ ତୁଳନାରେ ଯଥେଷ୍ଟ କମ୍‌ ପାରିଶ୍ରମିକ ମିଳୁଥିଲା; ଯେଉଁ ପକ୍ଷପାତିତାକୁ ଦୂର ହେବା ଏକ ସ୍ୱାଗତଯୋଗ୍ୟ ବିଷୟ।

ଓଡ଼ିଶା ରଣଜୀ ଦଳରେ ମଧ୍ୟ ଅନୁସୂଚିତ ଜାତିର ଖେଳାଳିଙ୍କ ସଂଖ୍ୟା ହାତଗଣତି। ଯେଉଁ ରାଜ୍ୟରେ ପ୍ରତି ଚାରି ଜଣରେ ଜଣେ ଆଦିବାସୀ ସଂପ୍ରଦାୟର, ସେଠାରୁ ମଧ୍ୟ ଆଜି ଯାଏଁ ଜଣେ ହେଲେ ବି ଆଦିବାସୀ ଖେଳାଳି ରଣଜୀ ଦଳରେ ସ୍ଥାନ ପାଇ ନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ ଇତି ମଧ୍ୟରେ ଉତ୍ତର-ପୂର୍ବ ଭାରତର ଆଦିବାସୀବହୁଳ ଅରୁଣାଚଳ ପ୍ରଦେଶ, ମଣିପୁର, ମିଜୋରାମ, ମେଘାଳୟ, ନାଗାଲାଣ୍ଡ ଓ ସିକ୍କିମ ଭଳି ୬ଟି ରାଜ୍ୟ ଆଦିବାସୀ ଖେଳାଳିଙ୍କୁ ନେଇ ନିଜ ନିଜର ରଣଜୀ ଦଳ ତିଆରି କରିପାରିଛନ୍ତି। ତେଣୁ ଓଡ଼ିଶାର ଆଦିବାସୀମାନଙ୍କୁ ମଧ୍ୟ କ୍ରିକେଟ୍‌ ସହ ଯୋଡ଼ିବା ଲାଗି ବିଶେଷ ପ୍ରୟାସ କରାଯିବା ଉଚିତ।

‘ପକ୍ଷପାତିତା’ ପ୍ରସଙ୍ଗ ଉଠିଲେ ତା’ର ଔଚିତ୍ୟ ପ୍ରତିପାଦନ କରିବା ପାଇଁ ‘ପ୍ରତିଭା’ କଥା କୁହାଯାଇଥାଏ। ତେବେ କେବଳ ଖେଳାଳିଙ୍କ ଜନ୍ମଜାତ ନୈପୁଣ୍ୟ ପ୍ରତିଭାର ମାପକାଠି ହୋଇ ନ ପାରେ। ଉନ୍ନତ ପ୍ରଶିକ୍ଷଣ ତଥା ନୈପୁଣ୍ୟ ପ୍ରଦର୍ଶନ ପାଇଁ ସୁଯୋଗ ପ୍ରଦାନ ମଧ୍ୟ ଜଣକୁ ଉନ୍ନତ ପ୍ରଦର୍ଶନ କରିବାରେ ସହାୟକ ହୋଇଥାଏ। ସମ୍ଭ୍ରାନ୍ତ ପରିବାରଗୁଡ଼ିକ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ଉନ୍ନତ ପ୍ରଶିକ୍ଷଣ ପାଇଁ ସେମାନଙ୍କ ପିଲାମାନଙ୍କୁ ନାମକରା କ୍ରିକେଟ୍‌ ଏକା‌େଡମିଗୁଡ଼ିକୁ ପଠାନ୍ତି। ଅପର ପକ୍ଷରେ ସ୍ଥଳ ବିଶେଷରେ ଅସାଧାରଣ ପ୍ରତିଭାସଂପନ୍ନ ବାଳକବାଳିକାମାନେ ଉପଯୁକ୍ତ ପ୍ରଶିକ୍ଷଣ ଅଭାବରୁ ପଛରେ ରହିଯାଆନ୍ତି ଏବଂ ସ୍ୱୀକୃତି ଓ ସୁଯୋଗ ପାଆନ୍ତି ନାହିଁ। ଉଦାହରଣ ସ୍ବରୂପ ପାଲବନକର ବଲୁ; ଯେ କି ଜଣେ ଅସାଧାରଣ ସ୍ପିନ୍‌ ବୋଲର ଥିଲେ। ଊନବିଂଶ ଶତାବ୍ଦୀର ଶେଷ ଦଶକରେ ତାଙ୍କ ପ୍ରତିଭା ପ୍ରଥମେ ପୁନେରେ ଥିବା ବ୍ରିଟିସ ଖେଳାଳିଙ୍କ ଦୃଷ୍ଟିରେ ପଡ଼ିଥିଲା। ତା’ ପରେ ତାଙ୍କୁ ଯଦିଓ ଖେଳିବାର ସୁଯୋଗ ମିଳିଥିଲା, ‘ହିନ୍ଦୁ କ୍ଲବ’ରେ ତାଙ୍କୁ ନିଆଯିବା କଥା ଉଠିବା ବେଳେ ଜାତିଗତ ଅସ୍ପୃଶ୍ୟତାକୁ ଦର୍ଶାଇ ବ୍ରାହ୍ମଣ ଖେଳାଳିମାନେ ତା’ର ବିରୋଧ କରିଥିଲେ। ତେବେ ଅସାମାନ୍ୟ ପ୍ରତିଭା ଯୋଗୁଁ ଶେଷରେ ତାଙ୍କୁ ଦଳରେ ନିଆଯାଇଥିଲା। ଏହା ସତ୍ତ୍ୱେ ଜାତିଗତ ବିଦ୍ୱେଷର ଶିକାର ହୋଇ ସେ ବିଭିନ୍ନ ଭାବେ ନିର୍ଯାତିତ ଓ ଅପମାନିତ ହେବାକୁ ଲାଗିଥିଲେ।

ତାଙ୍କ ପ୍ରତିଭା ଯୋଗୁଁ ପଟିଆଲା ମହାରାଜାଙ୍କ ନେତୃତ୍ୱରେ ୧୯୧୧ରେ ଇଂଲାଣ୍ଡ ଗସ୍ତରେ ଯାଇଥିବା ପ୍ରଥମ ଭାରତୀୟ କ୍ରିକେଟ୍‌ ଦଳରେ ସେ ସ୍ଥାନ ପାଇଥିଲେ। ସେଠାରେ ସେ ୨୩ଟି ମ୍ୟାଚରେ ୧୧୪ଟି ୱିକେଟ୍‌ ନେଇ ବ୍ରିଟିସ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚିତ ହୋଇଥିଲେ। ତାଙ୍କର ଏହି ଉପଲବ୍‌ଧି ପାଇଁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପରେ ତାଙ୍କୁ ଉଚ୍ଛ୍ୱସିତ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଆଶା କରାଯାଉଥିଲା ଯେ ତାଙ୍କୁ ବମ୍ୱେସ୍ଥିତ ‘ହିନ୍ଦୁ କ୍ଲବ’ର କ୍ୟାପଟେନ ଭାବେ ନିଯୁକ୍ତ କରାଯିବ। ୧୯୧୦ରୁ ୧୯୨୦ ମଧ୍ୟରେ ତାଙ୍କ ନାମ ବାରମ୍ୱାର କ୍ୟାପଟେନ ପଦ ପାଇଁ ଚର୍ଚ୍ଚାର ପରିସରକୁ ଆସିଥିଲେ ବି ତାଙ୍କୁ କ୍ୟାପଟେନ କରାଇ ଦିଆଯାଇ ନ ଥିଲା। ମୃତ୍ୟୁ ପରେ ବି ଏଭଳି ଜଣେ ପ୍ରତିଭାବାନ ଖେଳାଳିଙ୍କ ନାମରେ ଷ୍ଟାଡ଼ିଅମ, ଷ୍ଟାଣ୍ଡ ବା ଟୁର୍ଣ୍ଣାମେଣ୍ଟଟିଏ ରହିବା ତ ଦୂରର କଥା, ଗୋଟିଏ ବି ନାହିଁ। ତାଙ୍କ ପ୍ରତିଭା ପ୍ରତି ଆଜି ଯାଏଁ ଉଚିତ ସମ୍ମାନ ଦିଆଯାଇ ପାରିନାହିଁ। ସେହିପରି ୨୦୧୬ରେ ମୁମ୍ୱାଇ ସ୍କୁଲ କ୍ରିକେଟ୍‌ରେ ୧୫ ବର୍ଷ ବୟସ୍କ ପ୍ରଣବ ଧନୱାଡ଼େ ଗୋଟିଏ ମ୍ୟାଚ୍‌ରେ ୧୦୦୯ ରନ କରି ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ। ଉପଯୁକ୍ତ ପ୍ରଶିକ୍ଷଣ ଓ ସୁଯୋଗ ଅଭାବରୁ ଗରିବ ପରିବାରର ସେହି ପ୍ରତିଭାସମ୍ପନ୍ନ ଖେଳାଳି ଆଜି ବିସ୍ମରଣରେ।

କେବଳ ଯେ ଭାରତୀୟ କ୍ରିକେଟ୍‌, ତାହା ନୁହେଁ, ଇଂଲାଣ୍ଡ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଆଦି ଦେଶରେ ବି ଏଭଳି ଅଭିଯୋଗ ଶୁଣିବାକୁ ମିଳେ। ଇଂଲାଣ୍ଡରେ ଶ୍ୱେତାଙ୍ଗ କ୍ରିକେଟ୍‌ ଖେଳାଳିମାନେ ବିଶେଷାଧିକାର ଉପଭୋଗ କରୁଥିଲା ବେଳେ ଅନ୍ୟ ଖେଳାଳିଙ୍କ ପ୍ରତି ଭେଦଭାବ ରହୁଥିବାର ଦୃଷ୍ଟାନ୍ତ ରହିଛି। ଉଦାହରଣ ସ୍ବରୂପ ୟର୍କସାୟାର ପାଇଁ ଖେଳିଥିବା ଅଜିମ ତୌଫିକ ବର୍ଣ୍ଣବୈଷମ୍ୟର ଶିକାର ହୋଇଥିବାର ଗୁରୁତର ଅଭିଯୋଗ ଆଣିବା ପରେ ଏକ ସଂସଦୀୟ କମିଟି ଦ୍ୱାରା ତଦନ୍ତ କରାଯାଇ ସେହି ଘଟଣା ପାଇଁ ଇଂଲାଣ୍ଡ ଓ ୱେଲସ କ୍ରିକେଟ୍‌ ବୋର୍ଡକୁ କ୍ଷମା ପ୍ରାର୍ଥନା କରିବାକୁ କୁହାଯାଇଥିଲା, ଯାହାକୁ ସେମାନେ ମାନିଥିଲେ। ବର୍ମିଂହାମ ସିଟି ବିଶ୍ୱବିଦ୍ୟାଳୟ ଦ୍ୱାରା ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ ବ୍ରିଟେନରେ ଦକ୍ଷିଣ ଏସୀୟ ବ୍ରିଟିସ ଖେଳାଳିଙ୍କ ତୁଳନାରେ ଶ୍ୱେତାଙ୍ଗ ବ୍ରିଟିସ ଖେଳାଳି ପେସାଦାର କ୍ରିକେଟ୍‌ ଖେଳିବାର ସମ୍ଭାବନା ୩ ଗୁଣ ଅଧିକ। ସେହିପରି ସରକାରୀ ସ୍କୁଲରେ ପଢ଼ିଥିବା ଦକ୍ଷିଣ ଏସୀୟ ବ୍ରିଟିସ ଖେଳାଳିଙ୍କ ତୁଳନାରେ ଘରୋଇ ଶିକ୍ଷାନୁଷ୍ଠାନରେ ପଢ଼ିଥିବା ଶ୍ୱେତାଙ୍ଗ ବ୍ରିଟିସ ଖେଳାଳି ପେସାଦାର ଖେଳାଳିରେ ପରିଣତ ହେବାର ସମ୍ଭାବନା ୩୪ ଗୁଣ ଅଧିକ।

ବର୍ଣ୍ଣ ବୈଷମ୍ୟ ନୀତି ଯୋଗୁଁ ଦକ୍ଷିଣ ଆଫ୍ରିକାରେ ଦୀର୍ଘ କାଳ ଧରି କୃଷ୍ଣକାୟ ଓ ଅଣଶ୍ୱେତାଙ୍ଗ କ୍ରିକେଟ୍‌ ଖେଳାଳିଙ୍କୁ ଜାତୀୟ ଦଳରେ ଖେଳିବାର ସୁଯୋଗ ମିଳୁ ନ ଥିଲା। ସେଠାରେ ନୀତିରେ ପରିବର୍ତ୍ତନ ଯୋଗୁଁ ଦେଶ ପାଇଁ ପ୍ରଥମ କୃଷ୍ଣକାୟ ଭାବେ ମଖାୟା ଏନଟିନି ୧୯୯୮ରେ ଖେଳିଥିଲେ। ସେ ୧୧ ବର୍ଷ ଖେଳି ୩୯୦ଟି ଟେଷ୍ଟ ୱିକେଟ୍‌ ନେବା ସହ ଦେଶର ତୃତୀୟ ସଫଳତମ ବୋଲର ହୋଇ ପାରିଥିଲେ। ସେଠାରେ ଖେଳାଳି ଚୟନରେ ଆରକ୍ଷଣ ବ୍ୟବସ୍ଥାର ପ୍ରଚଳନ ହୋଇଛି। ତଦନୁଯାୟୀ କ୍ରିକେଟ୍‌ ବୋର୍ଡ ଆୟୋଜିତ ଟୁର୍ନାମେଣ୍ଟଗୁଡ଼ିକର ପ୍ରତି ଦଳରେ ଅନ୍ତତଃ ପକ୍ଷେ ୬ ଜଣ ଅଣଶ୍ୱେତାଙ୍ଗ ଖେଳାଳି ରହିବେ, ତନ୍ମଧ୍ୟରୁ ୨ ଜଣ କୃଷ୍ଣକାୟ ହେବା ବାଧ୍ୟତାମୂଳକ। ଖେଳରେ ଆରକ୍ଷଣ ବ୍ୟବସ୍ଥା ପ୍ରତିଭାକୁ ଉପେକ୍ଷା କରୁଥିବାରୁ ଏହା ଏକ ବିବଦମାନ ପ୍ରସଙ୍ଗ ହୋଇପାରେ। ତେବେ ସେଠାକାର କ୍ରିକେଟ୍‌ ବୋର୍ଡ ତରଫରୁ ସ୍କୁଲ ସ୍ତରରୁ ପ୍ରତିଭା ଚିହ୍ନଟ କରି ସେମାନଙ୍କ ବିକାଶ ପାଇଁ କରାଯାଉଥିବା ବିଶେଷ ପ୍ରୟାସ ଭାରତ ପାଇଁ ଅନୁକରଣୀୟ ହେବା ଉଚିତ।

ପାଲବନକର ବଲୁଙ୍କ ଅସାମାନ୍ୟ କୃତିତ୍ୱ ଯୋଗୁଁ ସେ ବାବାସାହେବ ଆମ୍ୱେଦକରଙ୍କ ନିକଟରେ ଜଣେ ‘ନାୟକ’ ହୋଇପାରିଥିଲେ। ଆମ୍ବେଦକରଙ୍କ ଅନୁସାରେ, ‘ବଲୁ ଏକ ସମ୍ଭାବନାମୟ ଭବିଷ୍ୟତର ପ୍ରତିନିଧିତ୍ୱ କରୁଥିଲେ ଯେଉଁଠି ଜାତିଗତ ଭେଦଭାବ ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ବାଧକ ସାଜିବ ନାହିଁ।’ ବଲୁଙ୍କ ସାନ ଭାଇ ବିଠଲ ପାଲବନକର ୧୯୨୮ରେ ‘ହିନ୍ଦୁ କ୍ଲବ’ର ପ୍ରଥମ ଦଳିତ କ୍ୟାପଟେନ ହୋଇ ଏକ ଚତୁର୍ଦଳୀୟ ଟୁର୍ନାମେଣ୍ଟରେ ତାଙ୍କ କ୍ଲବକୁ ବିଜୟୀ କରାଇ ଏକ ଅବିଶ୍ୱସନୀୟ ଉପଲବ୍‌ଧି ହାସଲ କରିପାରିଥିଲେ। ଜଣେ ଦଳିତ ଅଧିନାୟକ ଭାବେ ସ୍ବୀକୃତ ହେବା ଦ୍ୱାରା ଦେଶରେ ଜାତିଗତ ଭେଦଭାବକୁ ଦୂର କରିବାରେ କ୍ରିକେଟ୍‌ ଯେ ସହାୟକ ହୋଇପାରିବ, ଏ ବିଶ୍ୱାସ ଅନେକଙ୍କ ମନରେ ଜନ୍ମି ଥିଲା। ଉଲ୍ଲେଖଯୋଗ୍ୟ ଯେ ସେତେବେଳକୁ ଗାନ୍ଧୀଜୀ ତାଙ୍କର ଅସ୍ପୃଶ୍ୟତା ବିରୋଧୀ ଆନ୍ଦୋଳନ ଆରମ୍ଭ କରି ନଥିଲେ। କିନ୍ତୁ କ୍ରମେ କ୍ରିକେଟ୍‌ ପ୍ରଶାସକମାନେ ଜା‌ତିବାଦ ଦୂର କରିବା କଥାଟିକୁ ଯେପରି ଭୁଲିଗଲେ! ଦେଶରୁ ଜାତି ପ୍ରଥା ଉଚ୍ଛେଦ ହୋଇ ତାହା ବେଆଇନ ହୋଇଥିଲେ ବି ଉଚ୍ଚ ଜାତିଙ୍କ ମଧ୍ୟରେ ଥିବା ସ୍ୱଜାତି ପ୍ରୀତି ଦୁର୍ବଳ ହୋଇନାହିଁ।

‘ପିଉ’ ରିସର୍ଚ୍ଚ ଦ୍ୱାରା ୨୦୨୧ରେ ହୋଇଥିବା ଏକ ସର୍ଭେ ଅନୁଯାୟୀ ହାରାହାରି ୨୪ ପ୍ରତିଶତ ଭାରତୀୟଙ୍କର ଘନିଷ୍ଠ ବନ୍ଧୁମାନେ କେବଳ ସେମାନଙ୍କ ଜାତିର ହୋଇଥିଲା ବେଳେ ୪୬ ପ୍ରତିଶତ ଭାରତୀୟଙ୍କ ଅଧିକାଂଶ ଘନିଷ୍ଠ ବନ୍ଧୁମାନେ ନିଜ ଜାତିର ହୋଇଥାନ୍ତି। ଅର୍ଥାତ୍, ବିଭିନ୍ନ ଜାତିର ଲୋକଙ୍କ ମଧ୍ୟରେ ମିଳାମିଶା ବୃଦ୍ଧି ନ ପାଇଲେ ଜାତିପ୍ରଥା ଦୁର୍ବଳ ହୋଇନଥାଏ। ଏହାର ପରୀକ୍ଷା ପାଇଁ ୨୦୧୭ରେ ଉତ୍ତରପ୍ରଦେଶର ପଞ୍ଚାୟତ ସ୍ତରରେ ୮ଟି କ୍ରିକେଟ୍‌ ଟୁର୍ନାମେଣ୍ଟ ଆୟୋଜିତ ହୋଇ ୧୨୬୧ ଜଣ ଖେଳାଳିଙ୍କ ଆଚରଣକୁ ଅନୁଧ୍ୟାନ ଓ ଅଧ୍ୟୟନ କରାଯାଇଥିଲା। ଜଣାପଡ଼ିଲା ଯେ ଟୁର୍ନାମେଣ୍ଟ ସରିବା ପରେ ବିଭିନ୍ନ ଜାତିର ଖେଳାଳିଙ୍କୁ ନେଇ ଗଠିତ ଦଳଗୁଡ଼ିକର ଖେଳାଳିଙ୍କ ମଧ୍ୟରେ ମିଳାମିଶା ଜାରି ରହିଥିଲା ଓ ଜାତିଗତ ଭେଦଭାବ ଯଥେଷ୍ଟ ହ୍ରାସ ପାଇଥିଲା। ଅନ୍ୟ ପକ୍ଷରେ ଏକା ଜାତିର ଖେଳାଳିଙ୍କୁ ନେଇ ଗଠିତ ଦଳଗୁଡ଼ିକର ଖେଳାଳିମାନେ ଟୁର୍ନାମେଣ୍ଟ ସରିବା ପରେ ଅନ୍ୟ ଜାତିର ଖେଳାଳିଙ୍କ ସହ ସେଭଳି ମିଶି ପାରୁ ନଥିଲେ। ଭାରତୀୟଙ୍କ ମଧ୍ୟରେ କ୍ରିକେଟ୍‌ ଖେଳର ଲୋକପ୍ରିୟତା ଯଥେଷ୍ଟ ଅଧିକ ହୋଇଥିବାରୁ ଏହା ଜରିଆରେ ବିଭିନ୍ନ ଜାତିର ଲୋକଙ୍କ ମଧ୍ୟରେ ମିଳାମିଶା ବୃଦ୍ଧି କରାଯାଇ ଜାତିପ୍ରଥାର କୁପ୍ରଭାବକୁ ହ୍ରାସ କରାଯିବା ଦିଗରେ ଏହାକୁ ଏକ ଅସ୍ତ୍ର ରୂପେ ବ୍ୟବହାର କରାଯାଇପାରେ।

ଖେଳାଳି ଚୟନ ବେଳେ ଯେମିତି ଦକ୍ଷତା ଓ ନୈପୁଣ୍ୟ ଅଗ୍ରାଧିକାର ଲାଭ କରିବା ହେବା ବିଧେୟ, ଜାତି, ଧର୍ମ, ବର୍ଣ୍ଣ ଅଧାରରେ କୌଣସି ପ୍ରତିଭାବାନ ଖେଳାଳି ଚୟନରୁ ବଞ୍ଚିତ ହେବା ମଧ୍ୟ ଆଦୌ ଉଚିତ ନୁହେଁ। କେବଳ ଚୟନ ନୁହେଁ, ପ୍ରଶିକ୍ଷଣ ସଂଦର୍ଭରେ ମଧ୍ୟ ଏଥି ପ୍ରତି ଦୃଷ୍ଟି ରଖାଯିବା ଦରକାର, ଯେମିତି ଖେଳିବାକୁ ଚାହୁଁଥିବା ଦରିଦ୍ର ପରିବାରର ପିଲାଏ ମଧ୍ୟ ତାହାର ସୁଯୋଗ ଲାଭ କରନ୍ତି। ସଂପ୍ରତି କ୍ରିକେଟ୍‌ ଖେଳର ମୂଲ୍ୟ ଭାରତରେ ଆଶାତୀତ ଭାବେ ବୃଦ୍ଧି ପାଇଛି। ତେଣୁ ତରୁଣମାନଙ୍କ ମଧ୍ୟରେ କ୍ରିକେଟ୍‌ ଖେଳାଳି ହେବାର ଆଗ୍ରହ ଖୁବ୍‌ ଅଧିକ। ଏଭଳି ସ୍ଥଳେ ଜାତିବାଦ ବା ଆର୍ଥିକ ବୈଷମ୍ୟ କାରଣରୁ ପ୍ରତିଭାବନ ଏବଂ ଅଧ୍ୟବସାୟୀ ତରୁଣ ପେସାଦାର କ୍ରିକେଟ୍‌ ଖେଳାଳି ହେବାରୁ ବଞ୍ଚିତ ନ ହୁଅନ୍ତୁ।

ମୋ: ୯୪୩୭୦୩୮୦୧୫