ନିକଟରେ ଓଡ଼ିଶାର ଜଣେ ଦିବଂଗତ ବିଧାୟକଙ୍କ କନ୍ୟା ଶାସକ ଦଳ ପକ୍ଷରୁ ଉପନିର୍ବାଚନ ପ୍ରାର୍ଥୀ ଭାବେ ମନୋନୀତ ହେବା ପରେ ଘୋଷଣା କଲେ ଯେ ତାଙ୍କର ମୁଖ୍ୟ ଲକ୍ଷ୍ୟ ହେଲା ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା। ଭଲ କଥା; ଏମିତି ଯଦି ରାଜନୀତିର ସବୁ ଦାୟାଦମାନେ ପୁରୁଣା ପିଢ଼ିର ସ୍ୱପ୍ନକୁ ପୂରଣ କରିବାରେ ଲାଗି ପଡ଼ିବେ, ତେବେ ଲୋକଙ୍କର କେତେ ଉନ୍ନତି ନ ହେବ ସତେ! ଏ ଦିଗରେ ଅବଶ୍ୟ ଶାସକ ଦଳ, ପ୍ରବାଦ ପୁରୁଷ ବିଜୁବାବୁଙ୍କ ସବୁ ଅଧୁରା ସ୍ୱପ୍ନ ପୂରଣ କରି ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇସାରିଲାଣି। ପଚିଶି ବର୍ଷ ଧରି ଏହି ସ୍ୱପ୍ନ ପୂରଣ କାର୍ଯ୍ୟ ଅବ୍ୟାହତ ରହିଥିବାରୁ ମନରେ ପ୍ରଶ୍ନ ଉଠେ ବିଜୁ ବାବୁ କଣ ଏତେ ସ୍ୱପ୍ନ ଦେଖୁଥିଲେ? ସମସ୍ତେ ଜାଣନ୍ତି ଯେ ସେ ଥିଲେ କର୍ମବୀର, ଯାହା ଠିକ୍ ବୋଲି ସେ ଭାବୁଥିଲେ ତୁରନ୍ତ କାର୍ଯ୍ୟକାରୀ କରି ପକାଉଥିଲେ। ସେ ଯାହା ବି ହେଉ ବିଜୁ ବାବୁଙ୍କ ହେଉ କି ଅନ୍ୟ କୌଣସି ଦିବଂଗତ ବିଧାୟକଙ୍କର ହେଉ; ଅଧୁରା ସ୍ୱପ୍ନ ଥିଲେ ଦେଶ ପାଇଁ ତାହା ହିତକର।
ସ୍ୱପ୍ନ ସହିତ ରାଜନୀତିର ସମ୍ପର୍କ ସବୁବେଳେ ନିବିଡ଼। ରାଜନୀତିରେ ସଫଳତା ପାଇଁ ଜନତାଙ୍କ ମନରେ ଏ କଥା ରୋପଣ ହେବା ଦରକାର ଯେ ତାଙ୍କ ନେତା ସେମାନଙ୍କ ପାଇଁ ସ୍ୱପ୍ନ ଦେଖୁଛନ୍ତି। ଆଉ ୟାଠୁ ବି ବେଶୀ ଜରୁରୀ ଖୋଦ ଜନତାଙ୍କୁ ସ୍ୱପ୍ନ ଦେଖାଇବା। ଯେଉଁ ନେତା ଏହି କଳାରେ ଯେତେ ନିପୁଣ, ତାଙ୍କର ଭବିଷ୍ୟତ ସେତିକି ସମ୍ଭାବନା-ପୂର୍ଣ୍ଣ। ଶୀଘ୍ର ଡାକ୍ତରଖାନା ଖୋଲିବ, ନଈରେ ପୋଲ ନିର୍ମାଣ ହେବ, ନୂଆ କିଛି ମାଗଣା ସ୍କିମ୍ ଆସିବ; ଏଇ ସବୁ ସ୍ୱପ୍ନ ଦେଖାଇ ତ ଜନତାଙ୍କୁ ଯୁଗ ଯୁଗ ଧରି ମନେଇ ରଖିପାରିଛନ୍ତି ନେତାମାନେ।
ଖାଲି ରାଜନୀତି କାହିଁକି; ଏଇ ସ୍ୱପ୍ନ ଜିନିଷଟା ଅଛି ବୋଲି ସାରା ଦୁନିଆ ସୁରୁଖୁରୁରେ ଚାଲିଛି। ଧର୍ମ କଥାଟି ନିଅନ୍ତୁ। ଆମର ଅଧିକାଂଶ ମନ୍ଦିର ତିଆରି ହୋଇଥିଲା ରାଜାଙ୍କୁ ଦେବତା ସପନେଇବା କାରଣରୁ। କିଂବଦନ୍ତି କହେ ସ୍ୱପ୍ନ ନିର୍ଦ୍ଦେଶ ଅନୁସାରେ ଇନ୍ଦ୍ରଦ୍ୟୁମ୍ନ ମହୋଦଧିରେ ଭାସୁଥିବା କାଠ ଖଣ୍ଡକୁ ପାଇ ସେଥିରୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ବିଗ୍ରହ ଗଢ଼ିବାର ବ୍ୟବସ୍ଥା କରାଇଥିଲେ। ମୟୂରଭଞ୍ଜର ମହାରାଜାଙ୍କୁ ଯେତେବେଳେ ପଣ୍ଡା ପଢ଼ିଆରୀମାନେ ଅଠରନଳା ପାଖରେ ଅଟକାଇ ଶ୍ରୀମନ୍ଦିର ଦର୍ଶନରୁ ବାରଣ କଲେ, ସେହି ରାତିରେ ପ୍ରଭୁ ଜଗନ୍ନାଥ ତାଙ୍କୁ ସ୍ୱପ୍ନରେ ଆଶ୍ୱାସନା ଦେଲେ ଯେ ବାରିପଦାରେ ଶ୍ରୀମନ୍ଦିର ଢାଞ୍ଚାରେ ମନ୍ଦିର ନିର୍ମାଣ କଲେ ସେ ସେଠାକୁ ଯାଇ ତାଙ୍କୁ ଦର୍ଶନ ଦେବେ। ନବ କଳେବର ସମୟରେ ଦେବୀ ମଙ୍ଗଳା ସ୍ୱପ୍ନାଦେଶରେ ଦାରୁବ୍ରହ୍ମ ଥିବା ନିର୍ଦ୍ଦିଷ୍ଟ ସ୍ଥାନର ଠିକଣା ଦିଅନ୍ତି ବୋଲି କଥାଟା କାହାକୁ ବା ଅଜଣା?
ଏହି ସ୍ୱପ୍ନ ଜିନିଷଟିରୁ କବି ଓ ଲେଖକମାନଙ୍କୁ ମିଳିଯାଏ ସାହିତ୍ୟ ସୃଷ୍ଟିର ପ୍ରଚୁର ଖୋରାକ। ଭାସଙ୍କର ମହାନ କାବ୍ୟ ‘ସ୍ବପ୍ନବାସବଦତ୍ତା’ କୁହନ୍ତୁ କି ଇଂରେଜୀର ‘ଆଲିସ ଇନ ୱାଣ୍ଡରଲେଣ୍ଡ’ କୁହନ୍ତୁ; ସବୁ ସେହି ସ୍ୱପ୍ନ ଉପରେ ଆଧାରିତ। ଉପେନ୍ଦ୍ର ଭଞ୍ଜଙ୍କ ‘ଲାବଣ୍ୟବତୀ’ ଓ ସେକ୍ସପିଅରଙ୍କ ‘ମିଡ୍ ସମର ନାଇଟସ ଡ୍ରିମ’ରେ ମଧ୍ୟ ସ୍ୱପ୍ନର ବଡ଼ ଭୂମିକା ରହିଛି। ‘ରାମାୟଣ’ରେ ଭରତ, ଭ୍ରାତା ରାମଙ୍କର ନିର୍ବାସନ ଓ ନିଜର ଅଭିଷେକ ବିଷୟ ସ୍ୱପ୍ନରେ ଦେଖିଥିଲେ।
ବୈଜ୍ଞାନିକମାନେ ବି ସ୍ୱପ୍ନରୁ ପ୍ରେରଣା ପାଇଥାନ୍ତି। ପରସ୍ପରକୁ ଛନ୍ଦି ହୋଇଥିବା ଦୁଇଟି ସାପକୁ ସ୍ୱପ୍ନରେ ଦେଖି ଗବେଷକ ୱାଟ୍ସନ ମଣିଷର ବଂଶଗତ ଗୁଣର ବାହକ ଡି.ଏନ୍.ଏ.ର ଗଠନ ବିଷୟରେ ଧାରଣା କରିପାରିଥିଲେ।
ସ୍ୱପ୍ନ ଆମ ଜୀବନର ଗୋଟିଏ ଏତେ ବଡ଼ ଭାଗ ଦାଖଲ କରି ରହିଛି ଯେ ସ୍ୱପ୍ନ ବିନା ବାସ୍ତବତାକୁ ମୁକାବିଲା କରିବା ଦୁର୍ବିଷହ ହୋଇପଡ଼ନ୍ତା। ଆମ ନିଜର ଜୀବନ ଟିକିଏ ଦୁଃସହ ହୋଇ ପଡ଼ିଲେ, ସତେ ଯେମିତି କିଏ ଆମର ହାତ ଧରି ଡାକିନିଏ ସ୍ୱପ୍ନର ଦୁନିଆକୁ, ଯେଉଁଠି କିଛି ନିୟମ କାନୁନ ନ ଥାଏ, ବାଛବିଚାର ନ ଥାଏ, ଆଉ ସବୁ ଆମ ଇଚ୍ଛାନୁସାରେ ଚାଲେ। ମିଠା ସ୍ୱପ୍ନ ଭାଙ୍ଗିଗଲେ ମନ ବି ଭାଙ୍ଗି ଯାଏ, ମନ ହୁଏ କିଏ ସେହି ସ୍ୱପ୍ନକୁ ଯୋଡ଼ି ଦେଇ ପୁଣି ଲମ୍ବେଇ ଦିଅନ୍ତାନି? ମଣିଷ ସ୍ୱପ୍ନକୁ ନେଇ ଅନେକ ପରୀକ୍ଷାନିରୀକ୍ଷା କଲାଣି, ଆଉ ସ୍ୱପ୍ନର ପ୍ରବାହକୁ ବଦଳେଇବାର ଚେଷ୍ଟାରେ ମଧ୍ୟ କିଛିଟା ସଫଳ ହେଲାଣି। ଏହା ମଧ୍ୟ ଦିନେ ସମ୍ଭବ ହୋଇପାରେ ଯେ ବୈଜ୍ଞାନିକମାନେ ମଣିଷର ଇଚ୍ଛା ମୁତାବକ ସ୍ୱପ୍ନ ସୃଷ୍ଟି କରି ପାରିବେ। ଏମିତି ହେଲେ ସ୍ୱପ୍ନ ଗୋଟେ ପଣ୍ୟ ବସ୍ତୁରେ ପରିଣତ ହୋଇଯିବ, ଗ୍ରାହକ କ’ଣ ସ୍ୱପ୍ନ ଦେଖିବାକୁ ଚାହୁଁଛି ବିକ୍ରେତାକୁ ଅର୍ଡର କରିବ ଓ ମୂଲ୍ୟ ଦେଇ ସ୍ୱପ୍ନ ସବୁ ଚଳଚ୍ଚିତ୍ର ଭଳି ଉପଭୋଗ କରିବ। କିନ୍ତୁ ସବୁ ସ୍ୱପ୍ନ ତ ଆଉ ଆହ୍ଲାଦଦାୟକ ନୁହେଁ! ବେଳେବେଳେ ପ୍ରଚଣ୍ଡ ଭୀତିପୂର୍ଣ୍ଣ ଦୁଃସ୍ୱପ୍ନ ଜଣକର ମାନସିକ ଅବସ୍ଥାକୁ ଦୋହଲାଇ ଦେଇପାରେ। କେତେବେଳେ ସ୍ୱପ୍ନର ତାଡ଼ନାରେ ସୁପ୍ତ ମଣିଷ ଶଯ୍ୟା ଛାଡ଼ି ଚାଲିବା ଆରମ୍ଭ କରିଦିଏ। ପୁଣି ରହିଛି ଦିବା ସ୍ବପ୍ନ, ଯାହାକୁ ଦେଖୁଥିବା ମଣିଷ ମନପବନ ଘୋଡ଼ାରେ ଚଢ଼ି ଘୂରିବୁଲେ ତ୍ରିଭୁବନ, ଅନ୍ୟର ଭର୍ତ୍ସନାକୁ ଖାତିର ନ କରି।
କିଏ କିଏ କହନ୍ତି ଯେ ଆମ ଜୀବନଟା କୁଆଡ଼େ ଗୋଟିଏ ସୁଦୀର୍ଘ ସ୍ୱପ୍ନ, ଯାହା ମଣିଷ ବଞ୍ଚିଥିବା ଯାଏଁ ଦେଖି ଚାଲିଥାଏ। ସ୍ୱପ୍ନ ଅଛି ତ ଜୀବନ ଅଛି। କିନ୍ତୁ ସମସ୍ତଙ୍କୁ କ’ଣ ସପନ ବିଳାସୀ ହେବାର ସୁଯୋଗ ମିଳେ? ପେଟ ପାଟଣାର ଚିନ୍ତା ବେଳେ ବେଳେ ସ୍ୱପ୍ନ ଦେଖାଳି ପାଇଁ ବିକଳ ଅବସ୍ଥା ସୃଷ୍ଟି କରେ, ଯେଉଁ ସ୍ଥିତି ଜଣେ ରାତ୍ରି ଜଗୁଆଳି ଆଗରେ ଉଭା ହୋଇଥିଲା। ଜଗୁଆଳିଟି ରାତିରେ ଭୟଙ୍କର ସ୍ୱପ୍ନଟିଏ ଦେଖିଲା ଯେ ତା’ର ମୁନିବ ବସିଥିବା ବିମାନଟି ଦୁର୍ଘଟଣାଗ୍ରସ୍ତ ହେଉଛି। ତହିଁ ଆରଦିନ ମୁନିବ ଯାତ୍ରା କରିବା କଥା; ହେଲେ ଏହି ଅଶୁଭ ସ୍ୱପ୍ନ କଥା ଶୁଣି ସେ ଯାତ୍ରା ବାତିଲ କଲେ। ସତକୁ ସତ ସେ ଯାତ୍ରା କରିବାକୁ ଥିବା ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା। ଏହି ଖବର ପାଇ ମୁନିବ ଜାଗୁଆଳିକୁ ପାଖକୁ ଡାକିଲେ। ଉଚ୍ଚ ରାଶିର ପୁରସ୍କାର ସହ ତାକୁ ଚାକିରିରୁ ବରଖାସ୍ତ କରାହେବାର ନିଷ୍ପତ୍ତିଟି ମଧ୍ୟ ଶୁଣାଇଦେଲେ। ଜଗୁଆଳି ହତଭମ୍ବ ହୋଇ କାରଣ ପଚାରିବାରୁ ମୁନିବ କହିଲେ, ‘ସ୍ୱପ୍ନ ଦେଖି ମୋ ଜୀବନ ବଞ୍ଚାଇ ଥିବାରୁ ପୁରସ୍କାର, ଆଉ ଜଗୁଆଳି ହୋଇ ମଧ୍ୟ ରାତିରେ ଶୋଇ ସ୍ୱପ୍ନ ଦେଖିଥିବାରୁ ଚାକିରିରୁ ବହିଷ୍କାର।’
ମୋ: ୯୪୩୭୦୮୯୬୫୫