ଆମେରିକାର ରାଷ୍ଟ୍ରପତି ଜନ୍. ଏଫ୍. କେନେଡି ୧୯୬୧ ମସିହା ଏପ୍ରିଲ୍ ୧୭ ତାରିଖ ଦିନ କ୍ୟୁବାର ରାଷ୍ଟ୍ରପତି ଫିଡାଲ୍ କାଷ୍ଟ୍ରୋଙ୍କ କମ୍ୟୁନିଷ୍ଟ ସରକାରକୁ ଗାଦିଚ୍ୟୁତ କରିବା ପାଇଁ କ୍ୟୁବାର ଦକ୍ଷିଣ-ପଶ୍ଚିମ ସମୁଦ୍ର ଉପକୂଳରେ ଥିବା ‘ବେ ଅଫ୍ ଫିଗ୍’ ଠାରେ ଆକ୍ରମଣ କରିଥିଲେ। ଆଇଜେନ୍ହୱର ରାଷ୍ଟ୍ରପତି ଥିବା ସମୟରୁ ଏହି ଆକ୍ରମଣର ଯୋଜନା କରାଯାଇଥିଲେ ମଧ୍ୟ କେନେଡି ଯୋଗ ଦେବା ପରେ ଏହାକୁ କାର୍ଯ୍ୟକାରୀ କରିଥିଲେ। ଆକ୍ରମଣ କରିବାର ତୃତୀୟ ଦିବସରେ କ୍ୟୁବାର ସେନାବାହିନୀ ଦ୍ୱାରା ଆମେରିକାର ସୈନ୍ୟମାନେ ଦୟନୀୟ ଭାବରେ ପରାସ୍ତ ହୋଇ ଆତ୍ମସମର୍ପଣ କରିଥିଲେ। ଆମେରିକାର ଏହି ପଦକ୍ଷେପକୁ ତାହାର ସହଯୋଗୀ ରାଷ୍ଟ୍ରସମୂହ ନାପସନ୍ଦ କରିଥିଲେ। ଆନ୍ତର୍ଜାତିକ ସ୍ତରରେ ଆମେରିକା ତା’ର ବିଶ୍ୱସନୀୟତା ହରାଇବା ସହିତ ଲଜ୍ଜିତ ମଧ୍ୟ ହୋଇଥିଲା। ଯୁଦ୍ଧର ସଫଳତା କାଷ୍ଟ୍ରୋଙ୍କୁ ଅଧିକ ପ୍ରଭାବଶାଳୀ କରିଥିଲା ଏବଂ ସୋଭିଏତ୍ ରୁଷ ସହିତ ତାଙ୍କର ବନ୍ଧୁତା ନିବିଡ଼ ହୋଇଥିଲା।
ଆକ୍ରମଣ ପୂର୍ବରୁ କାଷ୍ଟ୍ରୋଙ୍କ ପ୍ରଶାସନ ଅତ୍ୟନ୍ତ ଦୁର୍ବଳ ବୋଲି ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (ସି.ଆଇ.ଏ.) ଦେଇଥିବା ତ୍ରୁଟିପୂର୍ଣ୍ଣ ଆକଳନକୁ ନେଇ ବିଶେଷ ତର୍ଜମା କରାଯାଇ ନଥିଲା। କେନେଡିଙ୍କ ପରି ଜଣେ ଅତ୍ୟନ୍ତ ବୁଦ୍ଧିମାନ ଓ ଦକ୍ଷ ରାଜନେତାଙ୍କର ଏଭଳି ଅପରିଣାମଦର୍ଶିତା ସମସ୍ତଙ୍କୁ ଚକିତ କରିଦେଇଥିଲା।
ଆମେରିକାର ହାୱାଇ ଦ୍ୱୀପପୁଞ୍ଜରେ ଥିବା ପର୍ଲ ହାର୍ବର ନୌସେନା କେନ୍ଦ୍ର ଉପରେ ୧୯୪୧ ମସିହା ଡିସେମ୍ବର ୭ ତାରିଖ ଦିନ ଜାପାନର ନୌସେନା ଆକ୍ରମଣ କରିଥିଲେ। ଜାପାନ ଆକ୍ରମଣ କରିବାର ସମ୍ଭାବନାକୁ ନେଇ ଆମେରିକା ପ୍ରଶାସନ ଅନେକ ସଙ୍କେତ ପାଇଥିଲେ ମଧ୍ୟ ନିଜ ଉପରେ ଥିବା ପ୍ରବଳ ଆତ୍ମବିଶ୍ୱାସ ଯୋଗୁଁ ଏହି ସୂଚନାକୁ ଗମ୍ଭୀରତାର ସହ ବିଚାର କରି ନଥିଲା। ଜାପାନ ଆମେରିକାକୁ ଆକ୍ରମଣ କରିବାକୁ ଆଦୌ ସାହସ କରିବ ନାହିଁ ବୋଲି ଦୃଢ଼ ଧାରଣା ଥିବାରୁ ୱାସିଂଟନ ଡି.ସି.ରୁ ସୂଚନା ପାଇଥିଲେ ମଧ୍ୟ ପର୍ଲ ହାର୍ବରରେ ଥିବା ଅଧିକାରୀମାନେ ତା’ ଉପରେ କୌଣସି ଗୁରୁତ୍ୱ ଦେଇ ନ ଥିଲେ। ଜାପାନର ଅତର୍କିତ ଆକ୍ରମଣ ଫଳରେ ଆମେରିକୀୟ ବାୟୁ ଓ ନୌସେନା ବାହିନୀର ବହୁ ସଂଖ୍ୟକ ସୈନିକ ନିହତ ହୋଇଥିଲେ।
‘ପର୍ଲ ହାର୍ବର’ ଏବଂ ‘ବେ ଅଫ୍ ପିଗ୍’ରେ ଘଟିଥିବା ଘଟଣା ଦ୍ବୟରେ ପ୍ରଶାସନିକ ନିଷ୍ପତ୍ତି କିପରି ତ୍ରୁଟିପୂର୍ଣ୍ଣ ଥିଲା, ତାହା ଅନୁଧ୍ୟାନ କରି ଆମେରିକାସ୍ଥିତ ୟେଲ୍ ବିଶ୍ୱବିଦ୍ୟାଳୟର ସାମାଜିକ ମନୋବିଜ୍ଞାନୀ ଇରଭିଙ୍ଗ ଜାନିସ୍ (୧୯୭୨) ପ୍ରକାଶ କରିଥିଲେ ତାଙ୍କର ଗବେଷଣାମୂଳକ ସଂଦର୍ଭ ‘ଭିକ୍ଟିମସ୍ ଅଫ୍ ଗ୍ରୁପ୍ ଥିଙ୍କ୍: ଏ ସାଇକୋଲୋଜିକାଲ୍ ଷ୍ଟଡି ଅଫ୍ ଫରେନ୍ ପଲିସି ଡିସିସନ୍ସ ଆଣ୍ଡ ଫିଆସ୍କସ୍’ (ଦଳଗତ ଚିନ୍ତନର ଶିକାର: ବିଦେଶ ନୀତି ସଂପର୍କିତ ନିଷ୍ପତ୍ତି ଏବଂ ବିଫଳତା)। ଜାନିସ୍ ପ୍ରକାଶ କରିଥିବା ‘ସାମୂହିକ ବିଚାର’ (ଗ୍ରୁପ୍ ଥିଙ୍କ) ଏକ ମନୋବୈଜ୍ଞାନିକ ସିଦ୍ଧାନ୍ତ ଯାହା ଉପରେ ପରବର୍ତ୍ତୀ କାଳରେ ଅଧିକ ଗବେଷଣା ହୋଇଥିଲା। ଆମେରିକା କରିଥିବା ଦୁଇଟି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଉପରେ ଗବେଷଣା କରି ଜାନିସ୍ ଉପରୋକ୍ତ ସିଦ୍ଧାନ୍ତଟି ଉପସ୍ଥାପନା କରିଥିଲେ ମଧ୍ୟ ଏହିପରି ତ୍ରୁଟିପୂର୍ଣ୍ଣ ‘ସାମୂହିକ ବିଚାର’ର ଉଦାହରଣ ଆନ୍ତର୍ଜାତିକ କ୍ଷେତ୍ରରେ ଅନେକ ସଂଖ୍ୟାରେ ଦେଖିବାକୁ ମିଳେ। ଭିଏତ୍ନାମ ଯୁଦ୍ଧ, ଇରାକ୍ର କୁଏତ୍ ଉପରେ ଆକ୍ରମଣ ଏବଂ ଦୀର୍ଘ ଆଠ ବର୍ଷର ଯୁଦ୍ଧ, ଗଣ ବିଧ୍ବଂସୀ ଅସ୍ତ୍ର ରଖିଥିବା ଅଭିଯୋଗରେ ସଦ୍ଦାମ ହୁସେନଙ୍କ ଇରାକ ଉପରେ ଆମେରିକା (ବୁଶ ପ୍ରଶାସନ)ର ଆକ୍ରମଣ ଆଦି ବହୁ ଉଦାହରଣ ରହିଛି। କେବଳ ଯୁଦ୍ଧ ନୁହେଁ, ତ୍ରୁଟିପୂର୍ଣ୍ଣ ସାମୂହିକ ବିଚାର କାରଣରୁ ରାଜନୈତିକ ଦଳ ଏବଂ ବହୁରାଷ୍ଟ୍ରୀୟ କମ୍ପାନିଗୁଡ଼ିକ କ୍ଷତି ସହନ୍ତି ବା ସମସ୍ୟାରେ ଛନ୍ଦି ହୋଇ ଯାଆନ୍ତି। କହିଲେ ଭୁଲ୍ ହେବନାହିଁ ଯେ ପ୍ରାୟ ସବୁ କ୍ଷେତ୍ରରେ ‘ସାମୂହିକ ବିଚାର’ର ନକାରାତ୍ମକ ପରିଣତି ଦେଖିବାକୁ ମିଳେ।
‘ସାମୂହିକ ବିଚାର’ର ଅର୍ଥ ଗୋଟିଏ ଗୋଷ୍ଠୀ ବା ଦଳରେ ସାମିଲ ସଦସ୍ୟମାନେ ଦଳର ଐକ୍ୟ ପାଳନ କରିବାକୁ ଯାଇ ସହମତି ଭିତ୍ତିରେ କୌଣସି ନିଷ୍ପତ୍ତି ନେବା, ଯାହା ଅନେକ ସମୟରେ ତ୍ରୁଟିପୂର୍ଣ୍ଣ, ବିପଦପୂର୍ଣ୍ଣ, ନିକୃଷ୍ଟ ଏବଂ ଅଯୌକ୍ତିକ ବୋଲି ପ୍ରମାଣିତ ହୋଇଥାଏ। ବିସ୍ମୟକର ଲାଗୁଥିଲେ ମଧ୍ୟ ଏହା ସତ ଯେ ବହୁ ବ୍ୟକ୍ତି ମିଳିତ ଭାବରେ ନେଉଥିବା ନିଷ୍ପତ୍ତି ଉନ୍ନତ ମାନର ହେବାର ସମ୍ଭାବନା ଅଧିକ ବୋଲି ମନେ ହେଉଥିଲେ ମଧ୍ୟ ଗବେଷଣାମାନ ଏହାକୁ ଭୁଲ୍ ବୋଲି ପ୍ରମାଣିତ କରିଛି। ବହୁ ସଂଖାରେ ଜ୍ଞାନୀ ଓ ବୁଦ୍ଧିମାନ ବ୍ୟକ୍ତି ଉପସ୍ଥିତ ଥିବା ସତ୍ତ୍ୱେ ଦଳ କେବେ କେବେ ଅତ୍ୟନ୍ତ ନିର୍ବୋଧ ନିଷ୍ପତ୍ତିମାନ ନେଇଥାଏ। ବରଂ ବ୍ୟକ୍ତିଗତ ସ୍ତରରେ ଲୋକେ ଭାବିଚିନ୍ତି, ଭଲ-ମନ୍ଦ ବିଚାର କରି ଯଥାସାଧ୍ୟ ସତର୍କତା ଅବଲମ୍ବନ କରି ନିଷ୍ପତ୍ତି ନେଇଥାନ୍ତି। ଦେଖାଯାଇଛି, ଗୋଟିଏ ଗୋଷ୍ଠୀର ସଦସ୍ୟମାନଙ୍କ ସାମୂହିକ ରୂପ ଓ ବିଚାର ଠାରୁ ସେମାନଙ୍କ ବ୍ୟକ୍ତିଗତ ରୂପ ଓ ବିଚାର ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ। ଏହି ମୌଳିକ ବିରୋଧାଭାସକୁ ଲକ୍ଷ୍ୟ କରି ଜାନିସ୍ କେତେଗୁଡ଼ିଏ କାରଣ ଉପରେ ଆଲୋକପାତ କରିଛନ୍ତି।
ଗୋଟିଏ ଗୋଷ୍ଠୀ ବା ଦଳରେ ସାମିଲ ଥିବା ସଦସ୍ୟମାନେ ଅନେକ ସମୟରେ ନିଜକୁ ଖୁବ୍ ଶକ୍ତିଶାଳୀ ମନେ କରିଥାଆନ୍ତି ଏବଂ ଦଳର ସଫଳତାକୁ ନେଇ ମାତ୍ରାଧିକ ଭାବରେ ଆଶାବାଦୀ ହୋଇ ଉଠନ୍ତି। ଦଳର ଅନ୍ତର୍ନିହିତ ବୈଶିଷ୍ଟ୍ୟ ଏବଂ ନୈତିକତା ବିଷୟରେ ସେମାନଙ୍କର ପୂର୍ଣ୍ଣ ବିଶ୍ୱାସ ଥାଏ। ସେମାନଙ୍କର ଦଳ ଶ୍ରେଷ୍ଠ ବୋଲି ଏକ ଭ୍ରାନ୍ତି ପୋଷଣ କରିବା ସହିତ ପ୍ରତିପକ୍ଷକୁ ସେମାନେ ନ୍ୟୂନ ଦୃଷ୍ଟିରେ ଦେଖନ୍ତି ଏବଂ ତାକୁ ବୁଝିବାକୁ ସାମାନ୍ୟତମ ଚେଷ୍ଟା ମଧ୍ୟ କରନ୍ତି ନାହିଁ। ମନରେ ଘୃଣା ଓ ବିଦ୍ୱେଷ ରହିଥିବାରୁ ନକାରାତ୍ମକ ଧାରଣାର ବଶବର୍ତ୍ତୀ ହୋଇ ପ୍ରତିପକ୍ଷ ବିରୋଧରେ ଅତ୍ୟନ୍ତ ବିବେକହୀନ ଓ ଅମାନବୀୟ କାର୍ଯ୍ୟ କରିବାକୁ ସେମାନେ ପଛାନ୍ତି ନାହିଁ। ପ୍ରତିପକ୍ଷକୁ ଅତ୍ୟନ୍ତ ଦୁର୍ବଳ ଓ ନିର୍ବୋଧ ବୋଲି ମଧ୍ୟ ସେମାନେ ବିବେଚନା କରନ୍ତି। ବାରମ୍ବାର ନିଜ ପ୍ରତି ବିପଦର ସୂଚନା ପାଇଲେ ମଧ୍ୟ ସେଗୁଡ଼ିକୁ ଏଡ଼ାଇ ଯାଆନ୍ତି। ଆଇ.ବି.ଏମ୍ ପରି ବହୁରାଷ୍ଟ୍ରୀୟ କମ୍ପାନି ଏଭଳି ପ୍ରମାଦପୂର୍ଣ୍ଣ ବିଚାରର ଶିକାର ହୋଇ ବିପୁଳ କ୍ଷତି ସହିଥିଲା। ବଜାରରେ ଛୋଟ କମ୍ପ୍ୟୁଟରର ଚାହିଦା ବଢ଼ିବା ସତ୍ତ୍ୱେ ଆଇ.ବି.ଏମ୍. ଏହି ସୂଚନାକୁ ସମ୍ପୂର୍ଣ୍ଣ ନଜରଅନ୍ଦାଜ କରି ଚାଲିଲା। ବିପଣନ ବ୍ୟାପାରରେ ପ୍ରଭାବଶାଳୀ ରଣକୌଶଳ ପ୍ରୟୋଗର ଦାୟିତ୍ୱରେ ଥିବା ତଥା ବାଣିଜ୍ୟ ବିଶ୍ଳେଷକ ଗୋଷ୍ଠୀ ବଜାରର ଏହି ସୂଚନା ଓ ପରିସଂଖ୍ୟାନମୂଳକ ସନ୍ଦେଶକୁ ଗମ୍ଭୀରତାର ସହ ବିଚାରକୁ ନ ନେବାରୁ ଆଇ.ବି.ଏମ୍. କୋଟି କୋଟି ଟଙ୍କାର ରାଜସ୍ୱ ହରାଇଲା। ଫଳରେ ଏହା କମ୍ପ୍ୟୁଟର ଉଦ୍ୟୋଗର ସର୍ବୋଚ୍ଚ ସ୍ଥାନରେ ରହିପାରିଲା ନାହିଁ। ସେହିପରି ଗୋଟିଏ ଦେଶ, ଜାତି, ଧର୍ମ ଓ ସଂସ୍କୃତିର ଲୋକଙ୍କର ଅନ୍ୟ ଦେଶ, ଜାତି, ଧର୍ମ ଓ ସଂସ୍କୃତିର ଲୋକମାନଙ୍କ ବିଷୟରେ କୌଣସି ଜ୍ଞାନ ନ ଥିବା ସତ୍ତ୍ୱେ ସେମାନେ ଅନ୍ୟମାନଙ୍କୁ ନିମ୍ନ ଦୃଷ୍ଟିରେ ଦେଖିବା ସହିତ ବିଦ୍ୱେଷପୂର୍ଣ୍ଣ ମନୋଭାବ ପୋଷଣ କରନ୍ତି। ଅନ୍ୟ ଦଳକୁ ବୁଝିବାକୁ ଚେଷ୍ଟା ନ କରି ନିଜ ଦଳକୁ ଶ୍ରେଷ୍ଠ ବୋଲି ବିଚାର କରିବାର ମନୋବୃତ୍ତିକୁ ମନୋବିଜ୍ଞାନୀମାନେ ସଜ୍ଞାନତ୍ମକ ପକ୍ଷପାତ (କଗ୍ନିଟିଭ୍ ବାୟାସ୍) ବୋଲି କୁହନ୍ତି।
ଦଳ ଭିତରେ ଥିବା ମତାନ୍ତର ବା ମନୋମାଳିନ୍ୟକୁ ହ୍ରାସ କରିବା ପାଇଁ ଯଥାସାଧ୍ୟ ଉଦ୍ୟମ କରିବା ସହିତ ସହମତି ଲାଭ ଉପରେ ମାତ୍ରାଧିକ ଗୁରୁତ୍ୱ ଦିଆଯାଉଥିବାରୁ ଅନେକ ସମୟରେ ଦଳୀୟ ନିଷ୍ପତ୍ତିର ମୂଲ୍ୟାୟନ କରା ନ ଯାଇ ଆଖି ବୁଜି ମାନି ନିଆଯାଏ। ବହୁ ବିକଳ୍ପ ଉପଲବ୍ଧ ଥିଲେ ମଧ୍ୟ ଏହା ଉପରେ ଆଲୋଚନା ହୁଏ ନାହିଁ। ଦଳର ଅଳ୍ପ ସଂଖ୍ୟକ ସଦସ୍ୟ ନିଷ୍ପତ୍ତି ନେବାରେ ପ୍ରମୁଖ ଭୂମିକା ନିର୍ବାହ କରି ନିଜର ପ୍ରାଧାନ୍ୟ ବିସ୍ତାର କରନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଯେଉଁ ତ୍ରୁଟିପୂର୍ଣ୍ଣ ମତ ସେମାନେ ପୋଷଣ କରନ୍ତି, ଆଲୋଚନା କରିବା ପରେ ସେହି ମତ ଓ ବିଶ୍ୱାସ ଦୃଢ଼ୀଭୂତ ହୁଏ ଏବଂ ତାହା ସେମାନଙ୍କୁ ଅଧିକ ଯଥାର୍ଥ ଭଳି ମନେ ହୁଏ। ଦେଖାଯାଇଛି ଯେ ପୂର୍ବରୁ ପୋଷଣ କରାଯାଇଥିବା ମତାମତକୁ ସମର୍ଥନ କରି ଏହା ସପକ୍ଷରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଏ। ଏହାକୁ ‘ଦଳୀୟ ସ୍ଥାନାନ୍ତରଣ’ (ଗ୍ରୁପ୍ ସିଫ୍ଟ) ବୋଲି କୁହାଯାଏ।
କେତେକ ସଦସ୍ୟ ଦଳୀୟ ନିଷ୍ପତ୍ତିକୁ ବୈଧ ବା ସର୍ବୋତ୍ତମ ବୋଲି ବିବେଚନା କରୁ ନ ଥିଲେ ମଧ୍ୟ ସଂଖ୍ୟାବହୁଳ ପ୍ରମୁଖ ସଦସ୍ୟମାନଙ୍କ ମତ ବିରୋଧରେ ନିଜସ୍ୱ ସ୍ୱତନ୍ତ୍ର ମତ ପ୍ରକାଶ କରିବାକୁ ବା ଯୁକ୍ତିତର୍କ କରିବାକୁ କୁଣ୍ଠା ପ୍ରକାଶ କରନ୍ତି। ଦଳ ଉପରେ ନିର୍ଭରଶୀଳ ହୋଇଥିବାରୁ ଏହାର ସ୍ୱୀକୃତି ବା ସମର୍ଥନ ହରାଇବାକୁ ସେମାନେ ଚାହିଁ ନ ଥାଆନ୍ତି। ଦଳୀୟ ନିଷ୍ପତ୍ତି ବିରୋଧରେ ବହୁ ସୂଚନା ବା ତର୍କ ଥାଇପାରେ; କିନ୍ତୁ ତାହା ଉଜାଗର କରି ବିବାଦ ସୃଷ୍ଟି କରିବାକୁ ବା ବିଘଟନକାରୀର ଆଖ୍ୟା ପାଇବାକୁ ସେମାନେ ଚାହିଁ ନ ଥାନ୍ତି। ଦଳର ମତ ସହିତ ସାମିଲ ହେବାକୁ ଯାଇ ସେମାନେ ନିଜର ବିବେଚନାପୂର୍ଣ୍ଣ, ସ୍ୱତନ୍ତ୍ର, ଗମ୍ଭୀର, ଯୁକ୍ତିଯୁକ୍ତ ବିଚାରକୁ ଦମନ କରନ୍ତି। ଆଉ କେତେକଙ୍କ ଠାରେ ଦଳୀୟ ନିଷ୍ପତ୍ତି ନେଇ ଦ୍ୱନ୍ଦ୍ୱ ଥାଏ। କିନ୍ତୁ, ବହୁସଂଖ୍ୟକ ବ୍ୟକ୍ତି ନିଷ୍ପତ୍ତି ନେଇଥିବାରୁ ତାହା ହୁଏତ ପ୍ରକୃଷ୍ଟ ପଦକ୍ଷେପ ବୋଲି ସେମାନେ ଭାବି ନିଅନ୍ତି। ଏଭଳି ସଦସ୍ୟମାନଙ୍କର ନିରବତାକୁ ସମ୍ମତିର ଲକ୍ଷଣ ବୋଲି ଦଳ ଏକ ବିଭ୍ରାନ୍ତିକର ଉପସଂହାରରେ ପହେଞ୍ଚ। ଫଳରେ ନିଷ୍ପତ୍ତିର ପୁନର୍ବିଚାର ହୁଏ ନାହିଁ। ଅଦୃଶ୍ୟ ଦଳଗତ ଚାପ ଭୁଲ୍ ନିଷ୍ପତ୍ତିର କାରଣ ହୋଇଥାଏ।
ଜାନିସଙ୍କ ମତରେ ସଦସ୍ୟମାନଙ୍କ ଦଳଗତ ପରିଚିତି ବା ସାମୂହିକ ପରିଚିତି ଦୃଢ଼ ଥିଲେ, ପରସ୍ପର ମଧ୍ୟରେ ସ୍ନେହ, ସୌହାର୍ଦ୍ୟ, ସାମଞ୍ଜସ୍ୟ ଓ ସଂହତି ଅଧିକ ଥିଲେ, ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ନେବାର ସମ୍ଭାବନା ବଢ଼ିଯାଏ। ଏପରି ଦଳରେ ବ୍ୟକ୍ତିଗତ ସ୍ୱାଧୀନତା ଅପେକ୍ଷା ସଂହତିକୁ ଗୁରୁତ୍ୱ ଦିଆଯାଏ। ସଦସ୍ୟମାନେ ଯୁକ୍ତିତର୍କ ଅପେକ୍ଷା ବନ୍ଧୁତାରେ ବିଶ୍ୱାସ ରଖନ୍ତି। ବରଂ ଭିନ୍ନ ଭିନ୍ନ ପୃଷ୍ଠଭୂମିରୁ ଆସିଥିବା, ସାମଞ୍ଜସ୍ୟ ନଥିବା ସଦସ୍ୟଙ୍କୁ ନେଇ ଗଠିତ ଦଳ ଉତ୍ତମ ନିଷ୍ପତ୍ତି ନେଇଥାଏ। ଏଭଳି ସ୍ଥଳେ ନେତାଙ୍କ ଚରିତ୍ର ଓ ବ୍ୟକ୍ତିତ୍ୱ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ନେତା ଆକର୍ଷଣୀୟ ବ୍ୟକ୍ତିତ୍ୱସମ୍ପନ୍ନ, ଜ୍ଞାନୀ, ଗୁଣୀ ବା ଶକ୍ତିଶାଳୀ ହୋଇଥିଲେ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିର ସମ୍ଭାବନା ଅଧିକ ହୋଇଥାଏ। ତା’ ଛଡ଼ା ଅନେକ ନେତା ସେମାନେ ସମର୍ଥନ କରୁଥିବା ନିଷ୍ପତ୍ତି ଉପରେ ପ୍ରଶ୍ନ ବା ଭିନ୍ନମତକୁ ବିଶ୍ୱାସଘାତକତା ଓ ଅପମାନସୂଚକ ବୋଲି ଭାବନ୍ତି। ତା’ ଛଡ଼ା ଦେଖାଯାଇଛି ଯେ ଦଳ ଯଦି ଚାପଗ୍ରସ୍ତ ଥାଏ, ସଙ୍କଟମୟ ଅବସ୍ଥା ଦେଇ ଗତି କରୁଥାଏ, ନୈତିକ ସଂଶୟ ଓ ସମସ୍ୟା ଦ୍ବାରା ଜର୍ଜର ହୋଇଥାଏ; ତାହା ହେଲେ ତ୍ରୁଟିପୂର୍ଣ୍ଣ ବିଚାର କରିବାର ସମ୍ଭାବନା ବୃଦ୍ଧି ପାଏ।
ଏଭଳି ସ୍ଥିତିରୁ ଦୂରେଇ ରହିବା ପାଇଁ ଦଳ ପକ୍ଷରୁ କେତେଗୁଡ଼ିଏ ପଦକ୍ଷେପ ନିଆଯାଇପାରେ। ଦଳକୁ ଛୋଟ ଛୋଟ ଭାଗରେ ବିଭକ୍ତ କରି, ପ୍ରତ୍ୟେକ ଦଳକୁ ସମସ୍ୟାର ସମାଧାନ ପାଇଁ ପୃଥକ୍ ଭାବରେ ସ୍ୱାଧୀନ ମତ ଦେବାକୁ ପରାମର୍ଶ ଦିଆଯାଏ। ନଚେତ୍ ଦଳର ନେତା ସମ୍ପୂର୍ଣ୍ଣ ନିରପେକ୍ଷ ରହିବା ସହିତ ନିଜର ମତ ରଖିବା ପୂର୍ବରୁ ସଦସ୍ୟମାନଙ୍କୁ ସେମାନଙ୍କ ମତ ଉପସ୍ଥାପନ କରିବାକୁ ସୁଯୋଗ ଦେଲେ ସ୍ୱାଧୀନ ମତ ମିଳେ। ନିଷ୍ପତ୍ତି ନେଇ ସାରିବା ପରେ ଉତ୍ତମ ନେତା ଦ୍ୱିତୀୟ ଥର ପାଇଁ ଆଲୋଚନା କରିବାକୁ ସୁଯୋଗ ଦେବା ସହିତ ନିଷ୍ପତ୍ତିକୁ ନେଇ ପ୍ରତ୍ୟେକ ସଦସ୍ୟଙ୍କୁ ସ୍ୱତନ୍ତ୍ର ମତ ଦେବା ପାଇଁ ବା ଅନ୍ୟ ବିକଳ୍ପ ବିଷୟରେ ଆଲୋଚନା କରିବା ପାଇଁ ଉତ୍ସାହିତ କରନ୍ତି। କେତେକ ସ୍ଥାନରେ ନିଜ ନାମ ନ ଲେଖି ବେନାମୀ ଚିଠି ମାଧ୍ୟମରେ ସଦସ୍ୟମାନଙ୍କୁ ପରାମର୍ଶ ଦେବାକୁ କୁହାଯାଇଥାଏ। ପରିଶେଷରେ ଦଳୀୟ ମତକୁ ଦଳ ବାହାରେ ଥିବା ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିମାନଙ୍କ ବିବେଚନା ଏବଂ ଆକଳନ ସକାଶେ ଦେଇ ତା’ ପରେ ଏକ ଦୂରଦୃଷ୍ଟି ସଂପନ୍ନ ନିଷ୍ପତ୍ତି ନିଆଗଲେ ଏହାର ସୁଦୂରପ୍ରସାରୀ ଲାଭ ମିଳିଥାଏ।
ମୋ: ୯୪୩୭୫୭୭୨୧୧