କେବଳ ଓଡ଼ିଶା କ’ଣ ମୋଟ ଭାରତର ବୌଦ୍ଧିକ ଜଗତ୍ରେ ସମାଜବାଦୀ ଚିନ୍ତକ କିଶନ ପଟ୍ଟନାୟକ (୧୯୨୯-୨୦୦୪) ହେଲେ ଏକ ପରିଚିତ ନାଁ। ଥରେ େସ ସମ୍ବଲପୁର ଆସନରୁ ଲୋକସଭାକୁ ନିର୍ବାଚିତ ମଧ୍ୟ ହୋଇଥିଲେ। ମାତ୍ର ତାଙ୍କର ଅଧିକ ପରିଚିତି ଥିଲା ଜଣେ ଚିନ୍ତକ, ନୀତିନିଷ୍ଠ ରାଜନେତା ଏବଂ ତେଜସ୍ବୀ ବକ୍ତା ଭାବରେ। ତାଙ୍କ ବକ୍ତବ୍ୟ ଶୁଣି ଅନେକ ଯୁବକ ସାମାଜିକ କାମ ତଥା ସମାଜବାଦୀ ଚିନ୍ତନ ପ୍ରତି ଆକୃଷ୍ଟ ହୋଇଥିଲେ। ଓଡ଼ିଆ, ହିନ୍ଦୀ ଓ ଇଂରେଜୀରେ ସେ ବକ୍ତବ୍ୟ ରଖୁଥିଲେ; ବୈଚାରିକ ପ୍ରବନ୍ଧ ଲେଖୁଥିେଲ। ମାତ୍ର ତାଙ୍କ ରଚନାର ସଂଖ୍ୟା କମ୍। ଏହା ଅନୁଭବ କରି ଥରେ ତାଙ୍କୁ ମୁଁ ଅନୁରୋଧ କଲି, ‘ଆପଣ ସାଂପ୍ରତିକ ଜାତୀୟ ଓ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକ ଉପରେ ଯଦି ଓଡ଼ିଆରେ ନିୟମିତ ଲେଖନ୍ତେ, ରଚନା ସଂଭାର ବଢ଼ନ୍ତା। ସମ୍ବାଦପତ୍ରରେ ସ୍ତମ୍ଭ ଆକାରରେ ତା’ର ପ୍ରକାଶନ ସମସ୍ୟା ହୁଅନ୍ତା ନାହିଁ।’
ଉତ୍ତରରେ ସେ କହିଲେ, ‘ମୋର ବି ଇଚ୍ଛା। କିନ୍ତୁ ହଜାରେ କିମ୍ବା ବାର ଶହ ଶବ୍ଦର ଲେଖାଟିଏ ପ୍ରସ୍ତୁତ କରିବା ସକାଶେ ମତେ ଅନ୍ତତଃ ତିନି ଥର ଲେଖିବାକୁ ପଡ଼ିଥାଏ। କେବେ କେବେ ତ ଚାରି ଥର। ସେହି ସମୟ ଭିତରେ କିଛି ଜରୁରୀ କାମ ଆସିଯାଏ; କେଉଁଠିକି ଗସ୍ତ କରିବାକୁ ପଡ଼େ। ଲେଖା ସରି ପାରେନା।’
ତାଙ୍କ କଥା ଶୁଣି ହୃଦ୍ବୋଧ ହେଲା କିଶନ ବାବୁଙ୍କ ଭଳି ଜଣେ ପରପକ୍ବ ଚିନ୍ତକ ପୁଣି ନିଜ ପ୍ରବନ୍ଧର ତିନି-ଚାରିଟି ‘ଡ୍ରାଫ୍ଟ’ କରନ୍ତି। ହଜାରେ ଶବ୍ଦକୁ ନିଜ ଆଡୁ ‘ଫାଇନାଲ’ କରିବା ଲାଗି ଅନ୍ୟୂନ ଚାରି ହଜାର ଶବ୍ଦ ଲେଖନ୍ତି! ସୁତରାଂ, ତାଙ୍କ ବକ୍ତବ୍ୟ ଶୁଣିଲେ ଲାଗେ, ତାଙ୍କ କାମ କେତେ ସୁସଂଗଠିତ ଏବଂ କେତେ ସୁସଂଯୋଜିତ! ଏକ ମହାନ ଗପ ବା ଉପନ୍ୟାସ ଭଳି ତାହା ଶବ୍ଦକୁ ଶବ୍ଦ ଓ ବାକ୍ୟକୁ ବାକ୍ୟ ଏଭଳି ଭାବେ ଗୁନ୍ଥି ହୋଇଥାଏ ଯେ ତହିଁରୁ ଶବ୍ଦଟିଏ ବା ବାକ୍ୟଟିଏ ବାଦ ପଡ଼ିଲେ, ତାନପୁରାର ତାରଟିଏ ଛିଣ୍ଡିଗଲା ପରି ବେସୁରା ହୋଇଯିବ! ଏଭଳି ଜଣେ ପୋଖତ ଲେଖକଙ୍କୁ ପୁଣି ନିଜ ମାତୃଭାଷାରେ ନିବନ୍ଧଟିଏ ଲେଖିବାକୁ ହେଲେ ଏେତ ମାତ୍ରାରେ ପ୍ରସ୍ତୁତି କରିବାକୁ ପଡ଼େ!
ପ୍ରସିଦ୍ଧ ଐତିହାସିକ ବିପନ ଚନ୍ଦ୍ର (୧୯୨୮-୨୦୧୪) ଥିଲେ ମୋର ଶିକ୍ଷାଗୁରୁ। ଛାତ୍ରଙ୍କୁ ଗବେଷଣା ସମ୍ବନ୍ଧୀୟ ଆଲୋଚନା ପାଇଁ ସେ ପ୍ରାୟତଃ ବଡ଼ି ଭୋରରୁ ବସାକୁ ଡାକନ୍ତି। ଥରେ ତାଙ୍କ ବସାକୁ ଯିବା ଲାଗି ପୂର୍ବ ଦିନରୁ ସମୟ ସ୍ଥିର କଲି। କିନ୍ତୁ, କିଛି ଘଣ୍ଟା ଅନ୍ତରରେ ଶୁଣିଲି ଯେ ସେ ମତେ ଛାନିଅା ହୋଇ ଖୋଜୁଛନ୍ତି। ତାହା ମୋବାଇଲ ଫୋନର ଯୁଗ ନ ଥିଲା। ଭେଟିଲା ପରେ କହିଲେ ‘କାଲି ସକାଳେ ମୁଁ ବ୍ୟସ୍ତ ଅଛି। ତୁ ପଅରଦିନ ଆସ।’ ବ୍ୟସ୍ତତାର ଯେଉଁ କାରଣ ସେ ଦର୍ଶାଇଲେ, ତାହା ଥିଲା ମୋ ପାଇଁ ଅଧିକ ଆଶ୍ଚର୍ଯ୍ୟକର। ଦିନ ବେଳା ତାଙ୍କର ଏମ.ଏ ଶ୍ରେଣୀରେ କ୍ଲାସ ଥିବାରୁ ସେ ସକାଳୁ ପ୍ରସ୍ତୁତି କରିବେ। ଦୀର୍ଘ ତିନି ଦଶନ୍ଧିରୁ ଅଧିକ ଅବଧି ଧରି ଶିକ୍ଷକତା କରି ସାରିଥିବା ନାଁ କରା ଅଧ୍ୟାପକ ସେ! ଏମ.ଏ ‘କ୍ଲାସ’ ନେବେ ବୋଲି ଏତେ ସୁଦୀର୍ଘ ପ୍ରସ୍ତୁତି କରନ୍ତି? ସେତେବେଳେ ଅଧ୍ୟାପନାକୁ ନେଇ ମୋର ବିଶେଷ ଧାରଣା ନ ଥିଲା। ଜଣେ ଅଭିଜ୍ଞ ଶିକ୍ଷକ ସିଧା ଆସି ‘କ୍ଲାସ’ ନେଉଥିବେ ବୋଲି ଭାବୁଥିଲି। କିନ୍ତୁ ଦେଖିଲି ଯେ ଶିକ୍ଷକ ଯେତେ ନାଁ କରା, ପ୍ରସ୍ତୁତି ତାଙ୍କର ସେତିକି ସୁଦୀର୍ଘ ମଧ୍ୟ! ମୁଁ ହୃଦୟଙ୍ଗମ କରି ପାରିଲି ଯେ ଅଧ୍ୟାପନା କାର୍ଯ୍ୟଟିକୁ ଗତାନୁଗତିକତାରୁ ଊର୍ଦ୍ଧ୍ବକୁ ନେଇ ସେ ତାକୁ ଏକ ସର୍ଜନାତ୍ମକ କାର୍ଯ୍ୟରେ ପରିଣତ କରିଛନ୍ତି। ସେଥିପାଇଁ, ଶ୍ରେଣୀରେ ତାଙ୍କ ଦୀର୍ଘ ଲେକ୍ଚର ତଥ୍ୟପୂର୍ଣ୍ଣ ଓ ତର୍କସମ୍ମତ ହେବା ସହିତ ସର୍ବଦା ସରସ, ଚୁମ୍ବକୀୟ ଓ ମଜାଳିଆ ମଧ୍ୟ ହେଉଥିଲା।
ଏହି ଦୁଇଟି କେବଳ ଉଦାହରଣ ମାତ୍ର। ଆମେ ଯଦି କୌଣସି କୃତବିଦ୍ୟ କଳାକାର କିମ୍ବା ଚିତ୍ରକରଙ୍କୁ ପାଖରୁ ଭେଟିବା, ତେବେ ଏହି ଧରଣର ପ୍ରକ୍ରିୟା ସଂବନ୍ଧିତ ଉଦାହରଣର ସଂଖ୍ୟା ଅସୁମାରି ହେବ। ଜଣେ ସାଧାରଣ ବାଉଁଶ-ରାଣୀ ଯେଉଁ ଆତ୍ମବିଶ୍ବାସର ସହିତ ଶୂନ୍ୟରେ ରଶି ଉପରେ ପାଦ ଥାପି ଆଗକୁ ବଢ଼େ, ତାହା କ’ଣ ବିନା ଦୀର୍ଘ ପ୍ରସ୍ତୁତିରେ ସମ୍ଭବ ହୋଇପାରେ? ଏ’ତ ଗଲା ଯେ କୌଣସି ସର୍ଜନା ପଛର ପ୍ରକ୍ରିୟା କଥା। ପୁଣି, ସେହି ସର୍ଜନାକାରର ଗଠନ ଓ ପରିପୋଷଣ ପଛରେ ଆଉ କେତେ ଯେ ବ୍ୟକ୍ତି ଓ ତତ୍ତ୍ବ ରହିଥିବେ, ସେସବୁକୁ ଖୋଜି ବସିଲେ ଗୋଟାଏ ଗୋଟାଏ ‘ପୋଥି’ ହେବ। ଆମେ ପ୍ରାୟତଃ କୌଣସି ଏକ ଭବ୍ୟ ମନ୍ଦିରର କେବଳ ସୁନ୍ଦର ଗଢ଼ଣ ବା ସ୍ଥାପତ୍ୟ ଓ ଶିଖରର ଧ୍ବଜାକୁ ଦେଖନ୍ତି; ତା’ର ମାଟି ତଳେ ଢାଙ୍କି ହୋଇ ରହିଥିବା ନିଅଁ ଆମ ନଜରକୁ ଆସେନା! ତାହା ହିଁ ମୂଳଦୁଆ।
ଏସବୁ ଆଲୋଚନା କ’ଣ ଜଣକୁ କୌଣସି ସର୍ଜନାତ୍ମକ କାର୍ଯ୍ୟରୁ ନିରୁତ୍ସାହିତ କରିବାକୁ ଉଦ୍ଦିଷ୍ଟ? ନା, ଆବଶ୍ୟକ ପ୍ରସ୍ତୁତି ଏବଂ ଆନ୍ତରିକ ପ୍ରୟାସ ହିଁ ସଫଳ ସର୍ଜନାର ମୂଳ ବୋଲି ହୃଦ୍ବୋଧ କରାଇବା ଏହାର ଲକ୍ଷ୍ୟ।
ସର୍ଜନାର ପ୍ରକ୍ରିୟା ବିଷୟ ପ୍ରଖ୍ୟାତ ନାଟ୍ୟକାର ଜର୍ଜ ବର୍ନାର୍ଡ ସ’ଙ୍କ ଏକ ଉଦାହରଣରୁ ଚିହ୍ନି ହୁଏ। ବର୍ନାର୍ଡ ସ’ (୧୮୫୬-୧୯୫୦) ମୁହଁର ଏକ କ୍ଷତକୁ ଢାଙ୍କିବାକୁ ଦାଢ଼ି ରଖିବାକୁ ନିଷ୍ପତ୍ତି ନେଇଥିଲେ। ସେହିଭଳି ମାଂସାହାର ଅଧିକ ବ୍ୟୟସାପେକ୍ଷ ବୋଲି ଖର୍ଚ୍ଚ ବଂଚାଇବାକୁ କୈଶୋରାବସ୍ଥାରେ ନିରାମିଷାଶୀ ହେବାକୁ ସ୍ଥିର କରିଥିଲେ। ଚଳିବା ପାଇଁ ଉପାର୍ଜନ କରିବା ଏବଂ ଉପାର୍ଜନ ପାଇଁ ନିୟମିତ ଲେଖିବା ତାଙ୍କ ଲାଗି ଜରୁରୀ ଥିଲା। ସେଥିପାଇଁ ପ୍ରତିଦିନ ଅନ୍ୟୂନ ପାଞ୍ଚ ପୃଷ୍ଠା ସେ ଲେଖୁଥିଲେ, ତେଣିକି ଲେଖା ଯେତେ ବାଜେ ହେଉ ପଛକେ। ମାତ୍ର ଏହି ‘ବାଜେ’ ଲେଖାକୁ ପ୍ରକାଶନ ଉଦ୍ଦେଶ୍ୟରେ ତତ୍କ୍ଷଣାତ ପଠାଉ ନ ଥିଲେ, ବରଂ ତାକୁ ଥର ଥର କରି ଅନେକ ଥର ମାଠୁଥିଲେ; ନିଜେ ପାଠକ ହୋଇ ତାକୁ ତନଖୁ ଥିଲେ। ସେହି ବାରମ୍ବାର ମାଠିବା ପ୍ରକ୍ରିୟାରେ ତାଙ୍କ ନଜରରେ ଲେଖା ନିଖୁଣ ହେଉଥିଲା। ଅନ୍ୟ ଶବ୍ଦରେ, ଧୈର୍ଯ୍ୟ ହିଁ ଥିଲା ବର୍ନାର୍ଡ ସ’ଙ୍କ ସର୍ଜନା କ୍ରିୟାର ନିଅଁ। ଯେଉଁ ସ୍ରଷ୍ଟା ନିର୍ମୋହୀ ବା ନିରାସକ୍ତ ଭାବ ନେଇ ନିଜ କୃତିକୁ ନିର୍ମମ ହୋଇ ପରଖି ପାରନ୍ତି, ସେ ତାକୁ ସଳଖିବାରେ ସେତେ ଅଧିକ ସମର୍ଥ ହୁଅନ୍ତି। ତା’ଠାରୁ ବଡ଼ କଥା, ସେହି ପ୍ରାକ-ପ୍ରକାଶନ ସର୍ଜନା କ୍ରିୟା ଓ ପ୍ରକ୍ରିୟାରେ ଅବଗାହନ କରିବାର ନିଃସର୍ତ୍ତ ମଜା ହିଁ ସଂପୂର୍ଣ୍ଣ ପ୍ରକରଣକୁ ଜୀବନ୍ତ ଓ ଆମୋଦଦାୟୀ କରେ। ଏହି ନୈସର୍ଗିକ ଆନନ୍ଦ ପୁରସ୍କାର, ପ୍ରସିଦ୍ଧି ବା ଯଶ ତୁଳନାରେ ଅଧିକ ପରିପୂର୍ଣ୍ଣତା ପ୍ରଦାନ କରିଥାଏ।