ବାପୁଙ୍କ ବାଲ୍ୟ ବିବାହ ଓ ବ୍ରହ୍ମଚର୍ଯ୍ୟ

ଭଗବାନପ୍ରକାଶ

ପିତୃଭକ୍ତ ବାପୁଙ୍କ ପିତା ‘କବା ଗାନ୍ଧୀ’ ଗୋଟିକ ‌ପରେ ଗୋଟେ ଚାରିଥର ବିବାହ କରିଥିଲେ। ସେତେବେଳେ ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁ ହାର ଅତ୍ୟନ୍ତ ଅଧିକ ଥିଲା। ଡାକ୍ତରଖାନା ବି ଏତେ ନ ଥିଲା। ନିରକ୍ଷର, ଅକୁଶଳୀ ଧାଈମାନେ ପିଲା ଜନ୍ମ କରାଉଥିଲେ। ଚତୁର୍ଥ ପତ୍ନୀ ପୁତୁଳି ବାଈ ଓ କବା ଗାନ୍ଧୀ ଯେଉଁ ଚା‌ରିଟି ପିଲା ଜନ୍ମ ଦେଇଥିଲେ ସେମାନଙ୍କ ଭିତରେ ସବା ସାନ ଥିଲେ ମୋହନ ଦାସ। ତାଙ୍କ ପିଲାଦିନ ଥିଲା ବେଶ୍‌ ଘଟଣାବହୁଳ ଓ ତିକ୍ତ-ମଧୁର। ସେଥିରୁ ଗୋଟିଏ ଘଟଣା ଥିଲା ପ୍ରକୃତରେ ଦୁର୍ଘଟଣା। ମାତ୍ର ତେରବର୍ଷ ବୟସରେ ୧୮୮୩ ମସିହା‌ ମେ ମାସରେ ତାଙ୍କର ବାଲ୍ୟ ବିବାହ ତାଙ୍କଠୁ ବର୍ଷେ ବଡ଼ ୧୪ ବର୍ଷୀୟା କସ୍ତୁରବାଇ ମାଖନ୍‌ଜୀ କାପାଡ଼ିଆଙ୍କ ସହ। ପରବର୍ତ୍ତୀ କାଳରେ ଗାନ୍ଧୀଙ୍କୁ ଲେ‌ା‌କେ ଶ୍ରଦ୍ଧାରେ ବାପୁ ଓ କସ୍ତୁରୀବାଇଙ୍କୁ ବା’ ଡାକିଲେ।

ନିଜ ଆତ୍ମଜୀବନୀରେ ‘ବାଲ୍ୟବିବାହ’ ଶୀର୍ଷକ ଅଧ୍ୟାୟରେ ଲାଜକୁଳା ବାପୁ ଏହି ସମ୍ପର୍କରେ ଅଧିକ ଲେଖିବାକୁ ସଂକୋଚ କରିଛନ୍ତି। ଲେଖିଛନ୍ତି ଏହି ତିକ୍ତ ଘଟଣା ଦ୍ବାରା ସେ ଲଜ୍ଜିତ ଓ ଅପମାନିତ‌େବାଧ କରନ୍ତି। ‘‘କିନ୍ତୁ ଏ ସମ୍ପର୍କରେ ମତେ ଲେଖିବାକୁ ହେବ, କାରଣ- ସତ୍ୟର ପୂଜକ ବୋଲି ମୁଁ ଯେତେବେଳେ ଦାବି କରୁଚି, ସେତେବେଳେ ମୋର ଅନ୍ୟ ଚାରା ନାହିଁ।’’ ଏବଂ ସତକଥା ହେଲା ଯେ କେବଳ ୧୩ ବର୍ଷରେ ବିବାହ ନୁହେଁ, ତା’ର ଛଅ ବର୍ଷ ପୂର୍ବରୁ ମାତ୍ର ସାତ ବର୍ଷ ବୟସରେ ତାଙ୍କର ବିବାହ ପାଇଁ ନିର୍ବନ୍ଧ ବା ସଗାଇ ବି ହେଇ ସାରିଥିଲା। ନିର୍ବନ୍ଧ ମାନେ ଦୁଇ ପିଲାଙ୍କୁ ବାହା କରେଇବା ପାଇଁ ଦୁହିଁଙ୍କର ବାପ ମା’ ଓ ପରିବାର ମଧ୍ୟ‌ରେ ଚୁକ୍ତି। ଇଂରେଜୀରେ ଏହାକୁ କହନ୍ତି ଏନ୍‌‌େଗଜ୍‌‌େମଣ୍ଟ ସେରିମନି। ସବୁଠୁ ଦୁଃଖର କଥା ଯେ ଏପରି ସଗାଇ ବା ନିର୍ବନ୍ଧ ପରେ ପିଲା ବର ମରିଗଲେ କନ୍ୟା ବିଧବା ହୁଏ ନାହିଁ। କିନ୍ତୁ ବାଲ୍ୟ ବିବାହ ପରେ ପରେ ବରର ମୃତ୍ୟୁ ହେଲେ ପିଲା‌ କନିଆକୁ ବି ସାରା ଜୀବନ ବିଧବା ରହିବାକୁ ପଡ଼େ। କିନ୍ତୁ ଏହା ବର ପ୍ରତି ଲାଗୁ ହୋଇନଥାଏ। ଉଭୟ ନିର୍ବନ୍ଧ ଓ ବିବାହ ବିଷୟରେ ବର ଓ କନ୍ୟାଙ୍କର ସମ୍ମତି ବା ପଚରାଯାଏ ନାହିଁ। ‌େକହି କାହାକୁ ଦେଖିବା ବି ମନା। କଥା କହିବା ମନା।

କସ୍ତୁରବାଙ୍କ ସହ ସଗାଇ ପୂର୍ବରୁ ବାପୁଙ୍କର ଗୋଟିଏ ପରେ ଗୋଟିଏ ଏପରି ତିନିଥର ନିର୍ବନ୍ଧ ହୋଇଥିଲା ଏବଂ ଜଣକ ପରେ ଜଣେ-ତି‌ନିଟି ଯାକ କନ୍ୟାଙ୍କର ମୃତ୍ୟୁ ହୋଇଯାଇଥିଲା। ଏ ଖବର ବି ତାଙ୍କୁ ଦିଆଯାଇନଥିଲା। ଏ ସମ୍ପର୍କରେ ଗାନ୍ଧୀ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ଏପରି: ‘‘ଏ ବିଷୟରେ ଅଧିକ ଲେଖିବାକୁ ମୋ’ ମନରେ ଭାରି କଷ୍ଟ ହେଉଛି। ଏବେ ଦଶ, ବାର ବର୍ଷର ଛୋଟ ପିଲାଙ୍କ ଉପରେ ଦୃଷ୍ଟି ପଡ଼ିଗଲେ, ମୋ’ ନିଜ ବାଲ୍ୟବିବାହ କଥା ମନେ ପଡ଼ିଯାଏ ଏବଂ ମୋ’ ନିଜ ପ୍ରତି ଦୟା ଲାଗେ ଏବଂ ଏଇ ପିଲାମାନେ ବାଲ୍ୟବିବାହ ଭଳି କୁପ୍ରଥାରୁ ରକ୍ଷା ପାଇଥିବାରୁ ଖୁସି ଲାଗେ। ତେର ବର୍ଷ ବୟସରେ ମୋ ବାଲ୍ୟବିବାହ ସପକ୍ଷରେ ଗୋଟିଏ ହେଲେ ନୈତିକ, ସାମାଜିକ, ବୈଜ୍ଞାନିକ ଯୁକ୍ତି ମତେ ଦିଶୁନାହିଁ।’’ ଏବେ ବି ଆମ ଦେଶରେ ୨୫ ପ୍ରତିଶତ ପିଲା ବାଲ୍ୟବିବାହ କରୁଛନ୍ତି। ଗାନ୍ଧୀଙ୍କ ସମୟରେ ଏହା ଥିଲା ୫୦ ପ୍ରତିଶତରୁ ଅଧିକ। ଝାଡ଼ଖଣ୍ଡରେ ଏହି ସଂଖ୍ୟା ସବୁଠୁ ବେଶି। ସହର ଅପେକ୍ଷା ଗାଁମାନଙ୍କରେ ଏହା ୩ ଗୁଣ ଅଧିକ। ଏବେ ସରକାର ବିବାହର ସର୍ବନିମ୍ନ ବୟସକୁ ୨୧ ବର୍ଷ କରିଛନ୍ତି। ହିନ୍ଦୁ ସମାଜରେ ବିବାହକୁ ଜୀବନରେ ସବୁଠୁ ଶୀର୍ଷ ସ୍ଥାନ ଦିଆଯାଏ ଓ ସେଇଦିନ ଠାରୁ ଗୃହସ୍ଥାଶ୍ରମ ଆରମ୍ଭ ହୋଇଥାଏ। ଏଥିପାଇଁ କନ୍ୟା ଓ ବର ପିତା ପଇସା ସଞ୍ଚୟ ଓ ବଦଖର୍ଚ୍ଚ କରିଥା’ନ୍ତି। ମାସ ମାସ ଆଗରୁ ଆୟୋଜନ ଚାଲିଥାଏ। ଗହଣା ଗଢ଼ାହୁଏ, ଲୁଗାପଟା କିଣାଯାଏ, ବନ୍ଧୁବାନ୍ଧବ, ଅତିଥି ଚର୍ଚ୍ଚା ହୁଏ ଦିନ ଦିନ ଧରି। ପୁଣି ଗାନ୍ଧୀ ଲେଖିଛନ୍ତି- ଗୀତ ଗାଇ ଗାଇ ସ୍ତ୍ରୀ ଲୋକଙ୍କ ତଣ୍ଟି ବସିଯାଏ। ବିବାହ ଜ୍ବର ସମସ୍ତଙ୍କୁ ଗ୍ରାସିଥାଏ। ପାଟି ତୁଣ୍ଡରେ ସାଇ ପଡ଼ିଶା ବେମାର ପଡ଼ନ୍ତି। ସବୁ ଆଡ଼େ ଅଇଁଠା, ଶଙ୍ଖୁଡ଼ି, ଅସନା। ଭାର ବେଭାର ନେଣଦେଣ ଘର ବାହାରକୁ ତର ନ ଥାଏ। ତିନି ତିନିଟା ବାହାଘର- ମଝିଆଁ ଭାଇ, ଦାଦା ପୁଅ ଭାଇ ଓ ମୋହନ ଦାସ ନିଜେ- ଏମିତି ତିନିଟା ବାଲ୍ୟ ବାହାଘର। କିନ୍ତୁ ଆୟୋଜନ ଅଲଗା- ଫଳରେ ଖର୍ଚ୍ଚ ତିନିଗୁଣା। ଏପରି ନିର୍ବୋଧତା କାହିଁକି? ପ୍ରଶ୍ନ କରିଛନ୍ତି ବାପୁ।

କିନ୍ତୁ ପିଲାଦିନେ ବାହାଘର ତାଙ୍କୁ ବେଶ୍‌ ଉତ୍ସାହିତ କରିଥିଲା। ତାଙ୍କ ପାଇଁ ବିଭାଘର ମାନେ ଥିଲା ନୂଆ ଲୁଗା ପିନ୍ଧିବା, ଶଙ୍ଖ, ମହୁରୀ, ବାଜା ବାଜିବା, ପଗଡ଼ି ପିନ୍ଧି ପାଲିଙ୍କିରେ ବା ଘୋଡ଼ାରେ ବସି ବରଯାତ୍ରୀ ପଟୁଆରରେ ଯିବା, ଭୂରି ଓ ସୁଆଦିଆ ଭୋଜନ ଏବଂ ତା’ ସହ ମିଳନ ଏକ ଝିଅ ଖେଳ ସାଥୀ। ଇନ୍ଦ୍ରିୟ ଲାଳସା, ଜ୍ଞାନ ଓ ଅନୁଭବ ଆସିଲା ତା’ପରେ। ଗାନ୍ଧୀ ଲେଖିଛନ୍ତି- ‘‘ଏହା କେମିତି ଓ କିପରି ଆସିଲା ପାଠକମାନେ ତାହା ଜାଣିବାକୁ ଇଚ୍ଛା ନ କରନ୍ତୁ। ମୋର ଲଜ୍ଜାର ସେତିକି କାହାଣୀ ମୁଁ ଏଠି ଘୋଡ଼େଇ ରଖି ଦେଉଚି। ମ‌େତ ଏହା ଲାଗୁଥିଲା ଆଉ ଏକ ବୋହୂବୋହୂକା ଖେଳ। ବଡ଼ ମଜା ହେବ। ସାଙ୍ଗମାନେ ଥଟ୍ଟା, ତାମ୍‌ସା କରୁଥାନ୍ତି। କୋଳାହଳରେ ଘର ପଡୁଥାଏ ଉଠୁଥାଏ। ଚାରିଆଡ଼େ ଗହଳି। ସେତିକି ବେଳେ ବାପା ଏକ ଟାଙ୍ଗା ଦୁର୍ଘଟଣାରେ ବିଶେଷ ଆହତ ହୋଇଥିଲେ। କିନ୍ତୁ ମୁଁ ସାଂସାରିକ ଭୋଗ ବାସନାରେ ଏତେ ମଜ୍ଜି ଯାଇଥିଲି ଯେ ବାପାଙ୍କ କଥା ଭୁଲି ଯାଇଥିଲି। ମା’, ବାପାଙ୍କ ସେବା ଓ ଭକ୍ତି ଆଗରେ ସବୁ ତୁଚ୍ଛ- ସେ ଜ୍ଞାନ ମୋର ନ ଥିଲା। ଏହି ବାହାଘର ମୋ’ ପାଇଁ ଥିଲା ଏକ ସଉକ ଓ ପିଲାଖେଳ ଓ ବାପା, ମା’ ଓ ଗୁରୁଜନ ଏଥିପାଇଁ ସବା ଆଗରେ ଥିବାରୁ ମତେ ତାହା ଏକଦମ୍‌ ଠିକ୍‌ ଓ ଭଲ ଲାଗୁଥିଲା। ବା’ ଓ ମୁଁ ବେଦୀରେ ବସିଲୁ। ତା’ପରେ ମନ୍ତ୍ରପାଠ ଓ ସପ୍ତପିଢ଼ି ହେଲା, ଭୋଜି ଭାତ ହେଲା ଓ ସେଇଦିନଠୁ ଆମେ ଏକାଠି ରହିଲୁ। ଦୁଇଟି ନିର୍ଦ୍ଦୋଷ ବାଳକ, ବାଳିକା ଏକ ଅଜଣା, କୌତୂହଳଭରା ସଂସାର ଭିତରକୁ ଡେଇଁ ପଡ଼ିଥିଲୁ। ପହିଲା ରାତିରେ କେମିତି, କ’ଣ ଆଚରଣ କରିବାକୁ ହେବ ମୋ’ ଭାଉଜ ମତେ ଶିଖାଇ ଦେଇଥା’ନ୍ତି। ମୋ’ ସ୍ତ୍ରୀ କସ୍ତୁରବାଇକୁ କିଏ ଶିଖାଇଥିଲା କି ନାହିଁ ମୁଁ ଜାଣିନାହିଁ। … କିନ୍ତୁ ଯେଉଁଠି ସଂସ୍କାର ବଳବାନ ସେଠି ସବୁ ଶିକ୍ଷା ମିଛ। ଧୀରେ ଧୀରେ ଆମ ଡର ଛାଡ଼ିଲା, ପରିଚୟ ବଢ଼ିଲା, କଥାବାର୍ତ୍ତା ହେଲା। ତା’ପରେ ମୁଁ ସ୍ବାମୀ ପଣିଆ ଆରମ୍ଭ କରିଦେଇଥିଲି ଓ କସ୍ତୁରବା ତା’କୁ ସହିଥିଲେ।’’

ବୈବାହିକ ଜୀବନଯାପନ ସମ୍ପର୍କରେ ବାପୁଙ୍କର ସ୍ପଷ୍ଟ ଧାରଣା ନ ଥିଲା। ସେଥିପାଇଁ ସେ ଏକ ପଇସା-ପାହୁଲା ଦେଇ ଛୋଟ ଛୋଟ ବହି କିଣି ଦାମ୍ପତ୍ୟ ପ୍ରେମ ଓ ପତ୍ନୀବ୍ରତ, ଇନ୍ଦ୍ରିୟ ସଂଯମ, ଶୁଦ୍ଧ ଓ ପବିତ୍ର ଯୌନ ସମ୍ପର୍କ ବିଷୟରେ ପଢ଼ୁଥିଲେ। କାହିଁକି ଓ କ’ଣ ପାଇଁ ବାହା ହେଉଚୁ, ସେ ବିଷୟରେ କେହି କିଛି କହୁନଥିଲେ। ଶିକ୍ଷକ ଓ ପାଠ୍ୟ ପୁସ୍ତକ ବି ନିରବ। କସ୍ତୁରବା ନିରକ୍ଷର ଥିଲେ, କିନ୍ତୁ ସ୍ବାଧୀନଚେତା ଓ ପରିଶ୍ରମୀ ଥିଲେ ଓ ଅଳ୍ପ କଥା କହୁଥିଲେ। ତାଙ୍କୁ ପଢ଼ାଇବା ପାଇଁ ବାପୁଙ୍କ ଉଦ୍ୟମ ସଫଳ ହୋଇନଥିଲା। ବାପୁ ସ୍ବୀକାର କରିଛନ୍ତି ସେ ବା’ଙ୍କ ପ୍ରତି କାମାସକ୍ତ ଥିଲେ। ବିଦ୍ୟାଳୟରେ ବସି ଚିନ୍ତା କରୁଥିଲେ କେମିତି ରାତି ହେବ ଏବଂ ଦୁହେଁ ଏକାଠି ହେବେ। ବାପୁ ଆତ୍ମଜୀବନୀରେ ସ୍ବୀକାର କରିଛନ୍ତି ଯେ “ଯଦି ମୋର ପ୍ରେମ କାମାସକ୍ତି ଦ୍ବ‌ାରା କଳୁଷିତ ହୋଇନଥା’ନ୍ତା, ତେବେ କସ୍ତୁରବା ଜଣେ ବିଦୁଷୀ ମହିଳା ହୋଇଥାନ୍ତେ”। ପୁଣି ଲେଖିଛନ୍ତି: ‘‘ଶହ ଶହ ଅଭିଜ୍ଞତାରୁ ମୁଁ ଏ ସାର କାଢ଼ିଚି ଯେ ଯାହାର ନିଷ୍ଠା ସତ୍‌ ଥିବ ତା’କୁ ପ୍ରଭୁ ରକ୍ଷା କରି ନେବେ। ହିନ୍ଦୁ ସମାଜରେ ବାଲ୍ୟବିବାହ ଭଳି ସର୍ବନାଶୀ ପ୍ରଥା ଅଛି। ତା’ ସହ ସେଥିରୁ ରକ୍ଷା ପାଇଁ ପ୍ରଥା ବି ଅଛି। ମା’, ବାପା ଅଳ୍ପ ବୟସରେ ବିବାହିତ ପିଲାଙ୍କୁ ବେଶୀ ସମୟ ଏକାଠି ରହିବ‌ାକୁ ଦିଅନ୍ତି ନାହିଁ। ଏପରିକି ୧୩ରୁ ୧୯ ବର୍ଷ ବୟସ ପର୍ଯ୍ୟନ୍ତ ଆମ ବିବାହର ପ୍ରଥମ ଛ’ ବର୍ଷ ପର୍ଯ୍ୟନ୍ତ ଆମେ ୩ ବର୍ଷରୁ ଅଧିକ ଏକାଠି ରହିନାହୁଁ। ପରେ ମୁଁ ବିଲାତ ଓ ତା’ ପରେ ଦକ୍ଷିଣ ‌ଆଫ୍ରିକା ଯିବା ପରେ ଆମର ଦୀର୍ଘକାଳ ବ୍ୟାପୀ ବିଚ୍ଛେଦ ଘଟିଥିଲା’’।

କସ୍ତୁରବାଙ୍କ ସହ ବାପୁଙ୍କ ବୈବାହିକ ଜୀବନ କାଳ ଥିଲା ୬୨ ବର୍ଷ। ଜନ୍ମ ନେଇଥିଲେ ଚାରିଟି ସନ୍ତାନ- ହରିଲାଲ୍‌, ମଣିଲାଲ୍‌, ରାମଦାସ ଓ ଦେବଦାସ। ଏହାପରେ ୩୮ ବର୍ଷ ବୟସରେ ବାପୁ ତାଙ୍କ ଜୀବନର ଆଉ ଏକ କଠିନ ନିଷ୍ପତ୍ତି ନେଇ ସ୍ତ୍ରୀ କସ୍ତୁରବାଙ୍କ ସହ ମିଶି ବ୍ରହ୍ମଚର୍ଯ୍ୟ ବ୍ରତ ଗ୍ରହଣ କରିଥିଲେ। ଏ ବିଷୟରେ ସେ ଭାରତୀୟ ବର୍ଣ୍ଣାଶ୍ରମ ପରଂପରା, ଜୈନଧର୍ମ ଓ ରୁଷିଆନ୍‌ ଲେଖକ ଲିଓ ଟଲଷ୍ଟୟଙ୍କ ଦ୍ବାରା ପ୍ରଭାବିତ ହୋଇଥିଲେ ଏବଂ ବିଶ୍ବାସ କରୁଥିଲେ ଯେ ଯୌନ ସମ୍ପର୍କକୁ ଇନ୍ଦ୍ରିୟ ଲାଳସା ପାଇଁ ବ୍ୟବହାର ନ କରି ବଂଶରକ୍ଷା ପାଇଁ ପ୍ରୟୋଗ ଆବଶ୍ୟକ। ବାପୁଙ୍କ ବିଚାରରେ ଏହାଦ୍ବାରା ଏକ ପତି-ପତ୍ନୀ ବ୍ରତୀ ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ଆହୁରି ଶୁଦ୍ଧ ଓ ପବିତ୍ର ହୋଇଥାଏ ଓ ଉଭୟେ ଆଧ୍ୟାତ୍ମିକ ଜଗତରେ ପ୍ରବେଶ କରିଥା’ନ୍ତି। ଏହି କାରଣରୁ ଗାନ୍ଧୀ ମହିଳାଙ୍କ ଫେସନ, ବେଶଭୂଷା ଓ ବୁର୍ଖା ପସନ୍ଦ କରୁନଥିଲେ। କହୁଥିଲେ ଏହା ଦ୍ବାରା ମହିଳାଙ୍କ ସ୍ବାସ୍ଥ୍ୟ ଖରାପ ହେବ। ଗାନ୍ଧୀ ଓ କସ୍ତୁରବାଙ୍କ ସମ୍ପର୍କ ଖଟା ମିଠା ଥିଲା‌। ବାପୁଙ୍କ ଆଶ୍ରମରେ ଓ ଆନ୍ଦୋଳନରେ ଅନେକ ମହିଳା ସକ୍ରିୟ ଥିଲେ ଏବଂ ଏକଥା ବା’ଙ୍କୁ ପସନ୍ଦ ନ ଥିଲା ବୋଲି ଗବେଷକ ବିଏମ୍‌ ଭଲ୍ଲା ଲେଖିଛନ୍ତି। ପିଲାଙ୍କ ପାଠପଢ଼ା‌ ବିଷୟରେ ମଧ୍ୟ ସ୍ବାମୀଙ୍କ ନିଷ୍ପତ୍ତିରେ ସେ ସହମତ ନ ଥିଲେ। ସ୍କୁଲ ନ ପଠାଇ ସେମାନଙ୍କୁ ନିଜେ ପଢ଼ାଇବାକୁ ବାପୁ ନିଷ୍ପତ୍ତି ନେଇଥିଲେ। ୨୨ ଫେବ୍ରୁଆରି ୧୯୪୪ରେ ‘କସ୍ତୁରବା’ଙ୍କ ଜୀବନ ଦୀପ ଲିଭିଗଲା। ଯିବା ପୂର୍ବରୁ କହିଗଲେ ମୋ’ ପାଇଁ ଦୁଃଖ କରିବ ନାହିଁ। ବାପୁ କହିଲେ ମୋ’ ଶକ୍ତି ଚାଲିଗଲା ସବୁଦିନ ପାଇଁ।

ମୋ: ୯୯୩୭୦୨୭୦୧୭
[email protected]

ସମ୍ବନ୍ଧିତ ଖବର