ଗାନ୍ଧୀ ପୋଷାକ

ଗାନ୍ଧୀ ଦୃଷ୍ଟି - ଗୌରାଙ୍ଗ ଚରଣ ପରିଡ଼ା

ପୋଷାକରେ ଯେ ଏକ ବଳିଷ୍ଠ କ୍ଷମତା ଥାଇପାରେ, ଭାରତର ପ୍ରଥମ ଜନନେତା ଭାବେ ଏ ଉପଲବ୍‌ଧି ଗାନ୍ଧୀଜୀ ହିଁ କରିଥିଲେ। ସେଇଥିପାଇଁ, ଆଣ୍ଠୁ ଲୁଚୁନଥିବା ଖଦଡ଼ ଲୁଗାଟି ପିନ୍ଧି ସେ ଯେତେବେଳେ ଭାରତରେ ବଡ଼ଲାଟଙ୍କ ଅଫିସ କିମ୍ବା ଲଣ୍ଡନ୍‌ରେ ସମ୍ରାଟଙ୍କ ଉଆସକୁ ଚାଲି ଯାଉଥିଲେ, ଚର୍ଚ୍ଚିଲଙ୍କ ପରି ରକ୍ଷଣଶୀଳ ଇଂରେଜ ରାଜନେତାମାନେ ଚିହିଁକି ଉଠୁଥିଲେ। ଏ ଏକ ଫକୀରର ଆସ୍ପର୍ଦ୍ଧା କହି ତାଚ୍ଛଲ୍ୟ କରିଥିଲେ। ଗାନ୍ଧୀଙ୍କ ପୋଷାକ ବାସ୍ତବରେ ଭାରତୀୟ ପରିଚୟର ପ୍ରତୀକ ଥିଲା। ସତ୍ୟ, ଦୟା, ସଂଗ୍ରାମର ଅନ୍ବେଷଣରେ ଥିବା ଗାନ୍ଧୀ ଆଦର୍ଶ ଏଥିରେ ପ୍ରତିଫଳିତ ହୋଇଥିଲା। ଗାନ୍ଧୀଙ୍କ ଅବର୍ତ୍ତମାନର ପଞ୍ଚସ୍ତରୀ ବର୍ଷ ପରେ ବି ଗାନ୍ଧୀ ପୋଷାକ ତେଣୁ ଏକ ସ୍ୱତନ୍ତ୍ର ବ୍ରାଣ୍ଡ ହୋଇଯାଇଛି। ଦେହରେ ବାର୍ଣ୍ଣିସ ରଙ୍ଗ ବୋଳି, ଗାନ୍ଧୀ ଚଷମା ପିନ୍ଧି ଓ ବାଡ଼ି ଧରି ଜଣେ କିଏ ବାହାରି ଆସିଲେ ଆମେ ତାକୁ ଗାନ୍ଧୀ କହି ସମ୍ମାନ ଦେଖାଉଛୁ, ‘ସିଲଭର ଗାନ୍ଧୀ’ର ଆଖ୍ୟା ଦେଉଛୁ।

ଗାନ୍ଧୀ ପୋଷାକରେ ଯେ ଗାନ୍ଧୀ ବିଚାରର ସନ୍ଦେଶ ଥାଏ, ଏ ଧାରଣା କେବଳ ଏବର ଧାରଣା ନୁହେଁ। ୧୯୩୧ ମସିହାରେ ଗାନ୍ଧୀ ଯେତେବେଳେ ଗୋଲ ଟେବୁଲ ବୈଠକ ନିମନ୍ତେ ଲଣ୍ଡନ୍‌ରେ ଥିଲେ, ଗାନ୍ଧୀଙ୍କ ପୋଷାକ ନେଇ ସେଠି ବେଶୀ ଚର୍ଚ୍ଚା ହୋଇଥିଲା। ଅନେକ ମନଗଢ଼ା କାହାଣୀ ଲେଖାଯାଇଥିଲା। ଇଂଲଣ୍ଡ୍‌ର କଡ଼ା ଶୀତରେ ପ୍ରାତଃଭ୍ରମଣ କଲାବେଳେ ଗାନ୍ଧୀଙ୍କୁ ଦେଖିବା ପାଇଁ ଅନେକ ପୁରୁଷ, ମହିଳା, ଛୋଟ ପିଲା ରାସ୍ତା କଡ଼ରେ ଛିଡ଼ା ହୋଇ ରହୁଥିଲେ। କୌତୂହଳ ବଶତଃ ପିଲାଏ ପଚାରି ଦେଉଥିଲେ, “ହେ ‘ଗାନ୍ଧୀ’, ତୁମର ଟ୍ରାଉଜର କାହିଁ?’’

ଲଣ୍ଡନର ୱାରଉଇକ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ଐତିହାସିକ ‘ଡାଭିଡ୍ ହାର୍ଡିମାନ’ ତାଙ୍କର ‘ଗାନ୍ଧୀ ଇନ୍ ହିଜ୍ ଟାଇମ୍‌ ଆଣ୍ଡ ଆୱାର୍ସ’ ପୁସ୍ତକରେ ଗାନ୍ଧୀଙ୍କ ପୋଷାକକୁ ନେଇ ଏକ ସୁନ୍ଦର ଘଟଣାର ବର୍ଣ୍ଣନା ଦେଇଛନ୍ତି। ଘଟଣାଟି ଥିଲା ଠିକ୍ ଏମିତି- ୧୯୩୧ ମସିହାରେ ପୂର୍ବ ଲଣ୍ଡନ୍‌ର ଏକ ସାଂସ୍କୃତିକ ଅନୁଷ୍ଠାନ ତା’ର ବାର୍ଷିକୋତ୍ସବ (କାର୍ଣ୍ଣିଭାଲ) ପାଳନ କରିଥିଲା। ସେଥିରେ ଏକ ଫ୍ୟାନ୍‌ସି ଡ୍ରେସ୍ ପ୍ରତିଯୋଗିତାର ପ୍ରଥମ ବିଜେତାକୁ ପାଞ୍ଚ ସିଲିଙ୍ଗ ପୁରସ୍କାର ମିଳିବ ବୋଲି ଘୋଷଣା ହୋଇଥିଲା। ଏଇ ପ୍ରତିଯୋଗିତାରେ ଏକ ଯୁବକ ସଂଘ ଭାଗ ନେଇଥିଲା। ଖବର କାଗଜରେ ବାହାରିଥିବା ଗାନ୍ଧୀଙ୍କ ଫଟୋ ଦେଖି ‘ଜିଓର୍ଡି’ ନାମକ ଏକ ବାଳକକୁ ସେମାନେ ଗାନ୍ଧୀ ବେଶରେ ସଜେଇ ଦେଇଥିଲେ। ଜିଓର୍ଡି ପତଳା ଟାଉଲଟିଏ ପିନ୍ଧିଥିଲା। ଆଖିରେ ତା’ର ଜେଜେ ବାପାଙ୍କ ଚଷମା ଥିଲା।

ବାଦାମୀ ରଙ୍ଗ ମିଶା କୋକା ଦେହ ସାରା ବୋଳି ହୋଇଥିଲା ଏବଂ ଛୋଟ ଏକ ବାଡ଼ିରେ ପ୍ଲାକାର୍ଡଟିଏ ଧରିଥିଲା। ପ୍ଲାକାର୍ଡରେ ଲେଖାଥିଲା, ‘ଗାନ୍ଧୀ ଅନ୍ ହୋମ୍ ରୁଲ୍’। ଏମିତି ଏକ ଗାନ୍ଧୀ ବେଶରେ ଜିଓର୍ଡିକୁ ଦେଖି ପ୍ରତିଯୋଗିତାର ମୁଖ୍ୟ ବିଚାରକ ଥିବା ଲଣ୍ଡନ୍‌ର ମହିଳା ମେୟର ଖୁସି ହୋଇ ଯାଇଥିଲେ। ଏହା ଏକ ଚମତ୍କାର ଓ ଅଭିନବ ପରିକଳ୍ପନା କହି ମେୟର ମହୋଦୟା ଜିଓର୍ଡିକୁ ବିଜେତା ଘୋଷଣା କରିଦେଇଥିଲେ।

ଅସଲ କଥା ହେଲା, ଗାନ୍ଧୀ ତାଙ୍କ ପୋଷାକରେ ପରିବର୍ତ୍ତନ ବୁଝି ବିଚାରି ହିଁ କରୁଥିଲେ। ଏଥିରେ କୌଣସି ଖିଆଲପଣ ନଥିଲା। ୧୯୨୧ ମସିହା ମାର୍ଚ୍ଚ ମାସରେ ଗାନ୍ଧୀଜୀ ଓଡ଼ିଶାକୁ ପ୍ରଥମ ପରିଦର୍ଶନରେ ଆସିଥିବା ବେଳେ ଲମ୍ବା ଧୋତି ଓ କୁର୍ତ୍ତା ପିନ୍ଧିଥିଲେ। ମୁଣ୍ଡରେ ଟୋପି ଥିଲା। ଓଡ଼ିଶାର ଦାରୁଣ ଦାରିଦ୍ର୍ୟ ଏବଂ ଏକ ତିନିହାତିଆ ଗାମୁଛାଟି ପିନ୍ଧି ଓଡ଼ିଶାର ଜଣେ ମହିଳା ନିଜ ଦେହକୁ ଲୁଚାଇବାର ଦୃଶ୍ୟ ଗାନ୍ଧୀଙ୍କୁ ପ୍ରଭାବିତ କରିଥିଲା। ୧୯୨୧ ମସିହା ସେପ୍ଟେମ୍ବର ୨୨ ତାରିଖରେ ମଦୁରାଇରେ ଗାନ୍ଧୀ ତାଙ୍କ ପୋଷାକରେ ପରିବର୍ତ୍ତନ କଲେ- ଆଣ୍ଠୁ ଲୁଚୁ ନ ଥିବା ହାତବୁଣା ଖଦି ଲୁଗା ସେ ପିନ୍ଧିଲେ। ଦେହରେ ପତଳା ଖଦଡ଼ ଚାଦରଟି ଘୋଡ଼ିହେଲେ ଏବଂ ଘୋଷଣା କଲେ ଯେ ତାଙ୍କର ଏ ପୋଷାକ କୌଣସି ଧର୍ମ ସହ ସମ୍ପୃକ୍ତ ନୁହେଁ। ଏଥିରେ ଆତ୍ମନିର୍ଭରଶୀଳତାର କଥା ଅଛି।

ଏମିତି ଏକ ସାଧାରଣ ପୋଷାକରେ ଗୋଲ ଟେବୁଲ ବୈଠକ ସମୟରେ ଗାନ୍ଧୀଜୀ ଲଣ୍ଡନର ବଂକିଙ୍ଗହାମ୍ ରାଜପ୍ରାସାଦରେ ମହାମହିମ ସମ୍ରାଟଙ୍କୁ ସାକ୍ଷାତ କରିଥିଲେ ଯଦିଓ ରାଜପ୍ରାସାଦରୁ ସୂଚନା ଆସିଥିଲା, ‘ମିଷ୍ଟର ଗାନ୍ଧୀ ଆପଣ ରାଜପ୍ରସାଦକୁ ରାଜପ୍ରାସାଦର ସ୍ଥିରୀକୃତ ଡ୍ରେସ କୋଡ୍‌ ମାନି ଆସିବେ। କୋଟସୁଟ୍ ଓ ବୁଟ ପିନ୍ଧିଥିବେ।’ ଗାନ୍ଧୀ କିନ୍ତୁ ସ୍ପଷ୍ଟ କରିଦେଇଥିଲେ, ସେ ଯଦି ଚା’ ଭୋଜିରେ ଯୋଗ ଦେବାକୁ ରାଜପ୍ରାସାଦକୁ ଯିବେ ଏବଂ ସମ୍ରାଟଙ୍କୁ ସକ୍ଷାତ କରିବେ ସେ କେବଳ ସେ ପିନ୍ଧୁଥିବା ଭାରତୀୟ ପୋଷାକରେ ହିଁ ଯିବେ। ସେ ଲଣ୍ଡନ୍‌କୁ ଭାରତୀୟଙ୍କ ପ୍ରତିନିଧି ହୋଇଆସିଛନ୍ତି। ଗାନ୍ଧୀଙ୍କ ପାଇଁ ବଂକିମହାମ୍ ପାଲେସର ସମସ୍ତ ଡ୍ରେସକୋଡ୍‌ କଟକଣା ସେଦିନ କୋହଳ ହୋଇଯାଇଥିଲା। କାରଣ ସମ୍ରାଟ କେବଳ ଭାରତୀୟ ପ୍ରତିନିଧିଙ୍କ ମଧ୍ୟରୁ ଗାନ୍ଧୀଙ୍କ ସହ କଥା ହେବାକୁ ଚାହିଁଥିଲେ। ଅଳ୍ପ ବସ୍ତ୍ର ଏବଂ ଖାଲି ପାଦରେ ଗାନ୍ଧୀଙ୍କୁ ଦେଖି ସମ୍ରାଟ ପଞ୍ଚମ ଜର୍ଜ ଗାନ୍ଧୀଜୀଙ୍କୁ ପ୍ରଶ୍ନ କରିଥିଲେ, ‘ମିଷ୍ଟର ଗାନ୍ଧୀ, ମୁଁ ଆପଣଙ୍କୁ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଦେଖିଥିଲି। ଏହା ଭିତରେ ଆପଣଙ୍କର ବହୁତ ପରିବର୍ତ୍ତନ ହୋଇଛି। ଆପଣ ଏତେ କମ୍‌ ପୋଷାକ କାହିଁକି ପିନ୍ଧିଛନ୍ତି?’ ଗାନ୍ଧୀ ନମ୍ରତାର ସହ ଉତ୍ତର ଦେଇଥିଲେ, ‘ମହାମାନ୍ୟ ସମ୍ରାଟ୍‌ ଆମ ଦୁଇ ଜଣଙ୍କର ପୋଷାକ ପିନ୍ଧିଦେଇଛନ୍ତି।’ ବ୍ରିଟିସ୍‌ ରାଜପ୍ରାସାଦରେ ଛିଡ଼ା ହୋଇ ବ୍ରିଟିସ୍‌ ସାମ୍ରାଜ୍ୟର ସମ୍ରାଟଙ୍କୁ ନିର୍ଭୟରେ ଗାନ୍ଧୀଙ୍କ ଏପରି ଉତ୍ତର ଥିଲା ପ୍ରକୃତରେ ଅନନ୍ୟ।

୧୮୮୮ ମସିହାରେ କିନ୍ତୁ ଲଣ୍ଡନ୍‌ରେ ଓକିଲାତି ପଢ଼ାବେଳେ ଗାନ୍ଧୀ କୋଟ୍‌ ସୁଟ୍ ପିନ୍ଧୁଥିଲେ। ମୁଣ୍ଡରେ ଟୋପି ଲଗାଉଥିଲେ। ପାଶ୍ଚାତ୍ୟ ସଂଗୀତ ପ୍ରତି ରୁଚି ବି ରଖିଥିଲେ ଏବଂ ‘ଗାଇଡ୍ ଟୁ ଲଣ୍ଡନ’ ନାମକ ଏକ ବହି ଲେଖି ଭାରତୀୟ ଛାତ୍ରମାନଙ୍କୁ ବ୍ରିଟିଶ ସଂସ୍କୃତି ଓ ଚଳଣି ସହ ଅଭ୍ୟସ୍ତ ହୋଇ ‘ଇଂରେଜୀ ଭଦ୍ରଲୋକ’ (ଇଂଲିସ୍‌ ଜେଣ୍ଟେଲମ୍ୟାନ) ହେବାକୁ ଗାନ୍ଧୀ ପରାମର୍ଶ ଦେଇଥିଲେ। ଅଥଚ ଭାରତରୁ ଲଣ୍ଡନ୍‌ ଆସିଲା ବେଳେ ମା’ ପୁତୁଳିବାଈ ବେକରେ ପିନ୍ଧାଇ ଦେଇଥିବା ତୁଳସୀ ମାଳାକୁ ସେ କେବେ ଛିଣ୍ଡାଇ ଦେଇ ନ ଥିଲେ। ଏଇ ତୁଳସୀ ମାଳରେ ବିଦେଶରେ ମଦ ଆଉ ମାଂସ ନ ଖାଇବାକୁ ମା’ ଶପଥ ଦେଇଥିଲେ।
ଦକ୍ଷିଣ ଆଫ୍ରିକାରେ ବି କିଛି ବର୍ଷ ପର୍ଯ୍ୟନ୍ତ ଏଇ ବିଦେଶୀ ପୋଷାକ ପିନ୍ଧା ଅଭ୍ୟାସ ଥିଲା ଗାନ୍ଧୀଙ୍କର। ଲମ୍ବା କୋଟ, ଚିପା ଟ୍ରାଉଜର ଏବଂ କାଥିଆୱାଡ଼ା ପଗଡ଼ି ଥିଲା ତାଙ୍କର ପୋଷାକ।

ସମୟର ଆହ୍ୱାନ କିନ୍ତୁ ରୁଚି ବଦଳାଇ ଦେଇଥାଏ। ଭାରତରେ ସାଧାରଣ ଭାରତୀୟଙ୍କ ସହ ସାମିଲ ହେବାକୁ ଗାନ୍ଧୀ ତାଙ୍କ ପୋଷାକ ବଦଳାଇ ଦେଇଥିଲେ। ଦେହକୁ ଅଧା ଲୁଚାଉଥିବା ଖଦି ବସ୍ତ୍ର ଥିଲା ଗାନ୍ଧୀଙ୍କ ପାଇଁ ଏକ ତ୍ୟାଗୀ, ଅହିଂସ କ୍ରାନ୍ତିକାରୀର ପୋଷାକ। ୧୯୨୧ ମସିହା ସେପ୍‌ଟେମ୍ବରରେ ମାତ୍ର ମାସକ ପାଇଁ ଗାନ୍ଧୀ ବଦଳାଇଥିବା ପୋଷାକ ଜୀବନର ଶେଷ ପର୍ଯ୍ୟନ୍ତ ତାଙ୍କର ସ୍ଥାୟୀ ପୋଷାକ ହୋଇ ଯାଇଥିଲା।

ତେଣୁ ସାମାନ୍ୟ ଗାନ୍ଧୀ ବେଶ ହୋଇ ଗାନ୍ଧୀଙ୍କୁ ଅନୁକରଣ କରିବା ସେତେ ସହଜ ନୁହେଁ। ଗାନ୍ଧୀ ଏକ ପୂର୍ଣ୍ଣ ବିଚାର।

ମୋ- ୯୮୬୧୪୬୯୩୨୮

ସମ୍ବନ୍ଧିତ ଖବର