ଗାନ୍ଧୀଙ୍କ ପ୍ରାସଙ୍ଗିକତା- ଦଶ କାରଣ

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

ଏହି ସପ୍ତାହରେ ଗାନ୍ଧୀଜୀଙ୍କ ସହିଦତ୍ବର ପଞ୍ଚସ୍ତରିତମ ବାର୍ଷିକୀ ଆମେ ପାଳନ କରିବା। ତାଙ୍କ ମୃତ୍ୟୁର ଦୀର୍ଘ ଦିନ ପରେ ସେ ଏବେ ପ୍ରାସଙ୍ଗିକ କି? ସେ ପ୍ରାସଙ୍ଗିକ ହେବା ଉଚିତ କି? ତେବେ ଏକବିଂଶ ଶତାବ୍ଦୀର ତୃତୀୟ ଦଶକରେ ଗାନ୍ଧୀ, ତାଙ୍କ ଜୀବନ ଓ ତାଙ୍କ ବିଚାରଧାରା କାହିଁକି ତଥାପି ପ୍ରାସଙ୍ଗିକ ହୋଇ ରହିଛି, ସେ ସମ୍ପର୍କରେ ଦଶଟି ଓଜନଦାର କାରଣ ଏଇ ସ୍ତମ୍ଭରେ ଅବତାରଣା କରୁଛି।

ଗାନ୍ଧୀ ପ୍ରାସଙ୍ଗିକ ହେବାର ପ୍ରଥମ କାରଣ ହେଲା, କୌଣସି ବଳ ପ୍ରୟୋଗ ବିନା ଅନ୍ୟାୟପୂର୍ଣ୍ଣ ଶାସନକୁ ବିରୋଧ କରିବାର ବାଟ ସେ ଭାରତ ସମେତ ସାରା ଦୁନିଆକୁ ବତାଇଥିଲେ। କୌତୂହଳବଶତଃ, ୧୯୦୬ ସେପ୍‌ଟେମ୍ବର ୧୧ରେ ଜୋହାନ୍‌ସବର୍ଗସ୍ଥିତ ଏମ୍ପାୟାର ଥିଏଟରରେ ଆୟୋଜିତ ଏକ ବୈଠକରେ ‘ସତ୍ୟାଗ୍ରହ’ ଚିନ୍ତାଧାରା ଜନ୍ମ ନେଇଥିଲା, ଯେତେବେଳେ ଗାନ୍ଧୀଙ୍କ ନେତୃତ୍ବରେ ଭାରତୀୟମାନେ ବର୍ଣ୍ଣବୈଷମ୍ୟ ଭେଦଭାବ ଆଧାରିତ ଆଇନକୁ ବିରୋଧ କରି ଗିରଫ ହେବା ପାଇଁ ସଂକଳ୍ପ ନେଇଥିଲେ। ତାହାର ୯୫ ବର୍ଷ ପରେ ଆତଙ୍କବାଦୀମାନେ ବିଶ୍ବ ବାଣିଜ୍ୟ କେନ୍ଦ୍ରକୁ ଉଡ଼ାଇଦେଲେ। ଦୁଇଟି ୯/୧୧: ଗୋଟିଏ ଅହିଂସ ସଂଘର୍ଷ ଓ ବ୍ୟକ୍ତିଗତ ବଳିଦାନ ମାଧ୍ୟମରେ ନ୍ୟାୟ ଭିକ୍ଷା କରୁଛି; ଦ୍ବିତୀୟଟି ଆତଙ୍କ ଓ ବଳ ମାଧ୍ୟମରେ ଶତ୍ରୁକୁ ଡରାଇବାର ପ୍ରୟାସ କରୁଛି। ଇତିହାସର ପ୍ରଦର୍ଶନ ଅନୁସାରେ, ଅନ୍ୟାୟ ବିରୋଧରେ ପ୍ରତିବାଦ କରୁଥିବା ସତ୍ୟାଗ୍ରହୀମାନେ ସେମାନଙ୍କ ଅନ୍ୟ ବିକଳ୍ପ ତୁଳନାରେ ଅଧିକ ନୈତିକ ତଥା ଯୌକ୍ତିକତଃ ଅଧିକ ପ୍ରଭାବଶାଳୀ। ବ୍ରିଟିସ ଶାସନାଧୀନ ଦକ୍ଷିଣ ଆଫ୍ରିକା ଓ ଭାରତରେ ଗାନ୍ଧୀଙ୍କ ପଦ୍ଧତିର କିଛି ଉଲ୍ଲେଖନୀୟ ଅନୁସରଣକାରୀ ରହିଥିଲେ: ପରେ ଆମେରିକାରେ ନାଗରିକ ଅଧିକାର ସଂଘର୍ଷରେ ଏହିଭଳି ବ୍ୟକ୍ତିତ୍ବଙ୍କୁ ଦେଖିବାକୁ ମିଳିଥିଲା।

ଗାନ୍ଧୀ ପ୍ରାସଙ୍ଗିକ ରହିବାର ଦ୍ବିତୀୟ କାରଣଟି ହେଉଛି- ସେ ତାଙ୍କ ଦେଶ ଓ ସଂସ୍କୃତିକୁ ଶ୍ରଦ୍ଧା କରୁଥିଲେ, ତାହାର ବିକୃତ ଗୁଣକୁ ଚିହ୍ନୁଥିଲେ ଓ ତାହାକୁ ଠିକ୍‌ କରିବାକୁ ଚେଷ୍ଟା କରୁଥିଲେ। ଏକଦା ଇତିହାସକାର ସୁନୀଲ ଖିଲନାନି ଟିପ୍ପଣୀ କରିଥିଲେ କି, ଗାନ୍ଧୀ କେବଳ ବ୍ରିଟିସଙ୍କ ସହ ଲଢୁ ନ ଥିଲେ, ସେ ଭାରତ ସହ ମଧ୍ୟ ଯୁଝୁଥିଲେ। ତହିଁରୁ ଅସ୍ପୃଶ୍ୟତା ବିରୋଧୀ ସଂଘର୍ଷ ଜନ୍ମ ନେଇଥିଲା, ଯାହା ଭାରତୀୟମାନଙ୍କୁ ବାସ୍ତବ ସ୍ବତନ୍ତ୍ରତା ପାଇଁ ଅଧିକ ଯୋଗ୍ୟ କରିଥିଲା। ଏବଂ ନାରୀବାଦୀ ହୋଇ ନ ଥିଲେ ମଧ୍ୟ ସେ ମହିଳାମାନଙ୍କୁ ସାର୍ବଜନୀନ ଜୀବନକୁ ଆଣିବା ଲାଗି ବହୁତ କିଛି କରିଥିଲେ।

ତାଙ୍କ ପ୍ରାସଙ୍ଗିକତାର ତୃତୀୟ କାରଣଟି ହେଲା, ଚାଲିଚଳଣରେ ହିନ୍ଦୁ ହୋଇଥିଲେ ମଧ୍ୟ ସେ ଆସ୍ଥା ଆଧାରରେ ପରିଚୟକୁ ସ୍ବୀକାର କରିବାକୁ ମନା କରିଦେଉଥିଲେ। ସେ ବୁଝିଥିଲେ ଯେ ଜାତିବାଦ ହିନ୍ଦୁମାନଙ୍କୁ ଭୂ-ସମାନ୍ତରାଳ ବା ଓସାରିଆ ଭାବେ ବିଭାଜନ କରୁଥିବା ବେଳେ ଧର୍ମ ଭାରତକୁ ଲମ୍ବ ଭାବରେ ବିଭାଜିତ କରି ଦେବ। ଏହି ବିଭାଜିତ ଅଂଶ ମଧ୍ୟରେ ସେତୁ ଗଢ଼ିବାକୁ ଗାନ୍ଧୀ ସଂଘର୍ଷ ଓ ଉଦ୍ୟମ କରିଥିଲେ।

ସେହିପରି ଚତୁର୍ଥ କାରଣଟି ହେଉଛି- ଗୁଜରାଟୀ ସଂସ୍କୃତିରେ ବୁଡ଼ି ରହି ଏବଂ ଗୁଜରାଟୀ ଗଦ୍ୟର ଜଣେ ସ୍ବୀକୃତ ବିଦ୍ବାନ ହୋଇ ସୁଦ୍ଧା ସେ କେବେ ସଂକୀର୍ଣ୍ଣମନା ଆଞ୍ଚଳିକତାବାଦୀ ନଥିଲେ। ତାଙ୍କ ପାଖରେ ଯେପରି ନିଜ ଧର୍ମ ବ୍ୟତୀତ ଅନ୍ୟ ଧର୍ମ ପାଇଁ ସ୍ଥାନ ଓ ପ୍ରେମ ଥିଲା, ସେହିପରି ନିଜ ଭାଷା ଛଡ଼ା ଅନ୍ୟ ଭାଷା ପାଇଁ ମଧ୍ୟ ଶ୍ରଦ୍ଧା ରହିଥିଲା। ତାଙ୍କର ନିବିଡ଼ ବନ୍ଧୁମାନଙ୍କ ଭିତରେ ହିନ୍ଦୁମାନଙ୍କ ଭଳି ମୁସଲମାନ ଓ ପାର୍ସୀମାନେ ମଧ୍ୟ ରହିଥିଲେ ଏବଂ ଗୁଜରାଟୀଙ୍କ ଭଳି ତାମିଲ ଭାଷାଭାଷୀ ମଧ୍ୟ ରହିଥିଲେ।

ଗାନ୍ଧୀଙ୍କ ପ୍ରାସଙ୍ଗିକତାର ପଞ୍ଚମ କାରଣ- ସେ ଉଭୟ ଦେଶଭକ୍ତ ଏବଂ ଅନ୍ତଃରାଷ୍ଟ୍ରୀୟତାବାଦୀ ଥିଲେ। ସେ ଭାରତୀୟ ସଭ୍ୟତାର ସମୃଦ୍ଧି ଓ ଐତିହ୍ୟକୁ ପସନ୍ଦ କରୁଥିଲେ, କିନ୍ତୁ ବୁଝିଥିଲେ ଯେ ବିଂଶ ଶତାବ୍ଦୀରେ କୌଣସି ଦେଶ କୂପମଣ୍ଡୁକ ହୋଇ ରହି ପାରିବନି। ତାଙ୍କ ଠାରେ ଯେତିକି ଭାରତୀୟତା ରହିଥିଲା, ସେତିକି ମଧ୍ୟ ପାଶ୍ଚାତ୍ୟ ବୋଧ ରହିଥିଲା। ତାଙ୍କର ଦାର୍ଶନିକ ଓ ରାଜନୈତିକ ଦୃଷ୍ଟିକୋଣ ଯେତିକି ଗୋଖଲେ ଓ ରାୟଚନ୍ଦଭାଇଙ୍କୁ ଅନୁସରଣ କରୁଥିଲା, ସେତିକି ଟଲଷ୍ଟୟ ଓ ରସ୍କିନ୍‌ଙ୍କୁ ବି ଧରି ରଖିଥିଲା। ସେ ବୈଷମ୍ୟର ବିଭାଜନ ମଧ୍ୟରେ ମିତ୍ରତା ସ୍ଥାପନ କରିପାରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହେନରି ଓ ମିଲ୍ଲି ପୋଲକ, ହର୍ମାନ୍‌ କାଲେନ୍‌ବ୍ୟାକ୍‌ ଓ ସି. ଏଫ୍‌. ଆଣ୍ଡ୍ର୍ୟୁସ୍‌ଙ୍କ ଭଳି ତାଙ୍କର ବନ୍ଧୁ ରହିଥିଲେ, ଯେଉଁମାନେ ତାଙ୍କ ବ୍ୟକ୍ତିଗତ ଓ ସାର୍ବଜନୀନ ଜୀବନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

ଏବେ ବୁଝିବା, ଗାନ୍ଧୀଙ୍କ ଏହି ପାଞ୍ଚଟି ଉପାଦାନ ବିନା ସ୍ବାଧୀନ ଭାରତ ବାସ୍ତବରେ ଏକ ବିଲକୁଲ ଅଲଗା ରାସ୍ତା କାହିଁକି ବାଛି ନେଇଥା’ନ୍ତା। କାରଣ ଗାନ୍ଧୀ ଆଲୋଚନା (କଥାବାର୍ତ୍ତା) ସପକ୍ଷରେ ରହି ହିଂସାକୁ ବର୍ଜନ କରିଥିଲେ, ଯାହା ଆମକୁ ଏକ ଦଳୀୟ ଅଧିନାୟକତ୍ବବାଦୀ ରାଷ୍ଟ୍ର ହେବା ଅପେକ୍ଷା ଏକ ବହୁଦଳୀୟ ଗଣତନ୍ତ୍ର ଭାବେ ଉଭା ହେବାକୁ ସାହାଯ୍ୟ କରିଥିଲା (ଅଧିକାଂଶ ଏସୀୟ ଓ ଆଫ୍ରିକୀୟ ଦେଶ ସ୍ବାଧୀନତା ପାଇଁ ହିଂସକ ରାସ୍ତା ବାଛିଥିଲେ)। କାରଣ ଗାନ୍ଧୀ ଓ ବି. ଆର୍‌. ଆମ୍ବେଦକରଙ୍କ ଭଳି ବ୍ୟକ୍ତି ଲିଙ୍ଗଗତ ଓ ଜାତିଗତ ସମାନତା ଉପରେ ଜୋର୍‌ ଦେଇଥିଲେ, ଯେଉଁ ସିଦ୍ଧାନ୍ତଗୁଡ଼ିକ ଆମ ସମ୍ବିଧାନରେ ଶବ୍ଦରେ ରୂପାନ୍ତରିତ ହୋଇଛି। କାରଣ ଗାନ୍ଧୀ ଓ ଜବାହରଲାଲ ନେହରୁଙ୍କ ପରି ବ୍ୟକ୍ତି ଧର୍ମ ଓ ଭାଷାଗତ ସ୍ବତନ୍ତ୍ରତା ଉପରେ ଜୋର୍‌ ଦେଇଥିଲେ।

ଏକଲା ଗାନ୍ଧୀ ଯେ ଏକ ଲୋକତାନ୍ତ୍ରିକ ଓ ସମାବେଶୀ ରାଜନୀତିକ ଲୋକାଚାର ସହିତ ଏକ ସ୍ବତନ୍ତ୍ର ଭାରତ ନିର୍ମାଣର କାରକ ହୋଇଥିଲେ; ଏଭଳି ଦାବି ମୁଁ କଦାପି କରିବି ନାହିଁ। ତଥାପି ସେ ନିଜର ନେତୃତ୍ବ ମାଧ୍ୟମରେ ଲୋକତନ୍ତ୍ର, ସାଂସ୍କୃତିକ ବହୁଳତାବାଦ ଓ ସାମାଜିକ ସାମ୍ୟ ପ୍ରତିଷ୍ଠା ଦିଗରେ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

ଗାନ୍ଧୀଜୀଙ୍କ ପ୍ରାସଙ୍ଗିକତାର ଷଷ୍ଠ କାରଣ ହେଲା, ସେ ଜଣେ ପର୍ଯ୍ୟାବରଣବିତ୍‌ ମଧ୍ୟ ଥିଲେ, ଯିଏ ଅନୁମାନ କରି ପାରିଥିଲେ କି ଅବାଧ ବିକାଶ ଓ ଉପଭୋକ୍ତାବାଦ ଆମ ଗ୍ରହ ପ୍ରତି ବିପର୍ଯ୍ୟୟ ଆଣିବ। ୧୯୨୮ ଡିସେମ୍ବରରେ ତାଙ୍କର ଏକ ଲେଖାରେ ସେ ଉଲ୍ଲେଖ କରିଥିଲେ, ‘ଈଶ୍ବର ନ କରନ୍ତୁ, ପାଶ୍ଚାତ୍ୟ ରାଷ୍ଟ୍ର ପରି ଭାରତ ଔଦ୍ୟୋଗୀକରଣକୁ ଆଦରି ନେଉ। ଇଂଲାଣ୍ଡ ପରି ଏକ ଛୋଟ ଦ୍ବୀପର ଆର୍ଥିକ ସାମ୍ରାଜ୍ୟବାଦ ଆଜି ଦୁନିଆକୁ ବେଡ଼ିରେ ବାନ୍ଧି ରଖିଛି। ଆଉ ଯଦି ଭାରତ ଭଳି ୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଏକ ଦେଶ ସେହିଭଳି ଆର୍ଥିକ ଶୋଷଣ କରେ, ତେବେ ତାହା ପଙ୍ଗପାଳ ପରି ଦୁନିଆକୁ ଲଣ୍ଡା କରିଦେବ। ଏହା ଥିଲା ତାଙ୍କର ଅସାଧାରଣ ଦୂରଦର୍ଶିତାର ନିଦର୍ଶନ।

ଗାନ୍ଧୀଙ୍କ ପ୍ରାସଙ୍ଗିକତା ପଛର ସପ୍ତମ କାରଣଟି ହେଉଛି- ଆଗକୁ ବଢ଼ିବା ଓ ବିକଶିତ ହେବା ଲାଗି ସେ ବହନ କରୁଥିବା ବିଚାର। ୧୯୩୪ରେ ଗାନ୍ଧୀ କହିଥିଲେ ଯେ ଯଦି ସେ ପ୍ରତି ମୁହୂର୍ତ୍ତରେ ନିଜ ପ୍ରତି ସଚ୍ଚୋଟ ରହନ୍ତି, ତେବେ ତାଙ୍କର ଆଉ କୌଣସି ଆରୋପ ବା ଅଭିଯୋଗ ପ୍ରତି ଭୟ ନାହିଁ। ନିଜ ଜୀବନ କାଳ ଭିତରେ, ଗାନ୍ଧୀଜୀ ନିର୍ଦ୍ଦିଷ୍ଟ ଭାବରେ ତିନିଟି ପ୍ରସଙ୍ଗରେ ନିଜ ବିଚାରଧାରା ବଦଳାଇଥିଲେ। ସେଗୁଡ଼ିକ ହେଲା, ବର୍ଣ୍ଣ, ଜାତି ଓ ଲିଙ୍ଗ- ଏହି ସବୁ ବାବଦରେ ସେ ନିଜର ଯୁବସୁଲଭ ପୂର୍ବାଗ୍ରହଗୁଡ଼ିକୁ ବଦଳାଇ ଅଧିକ ପ୍ରଗତିଶୀଳ କରିଥିଲେ। ଏକ ତର୍କହୀନ ବର୍ଣ୍ଣବାଦୀ ହେବା ଅପେକ୍ଷା ସେ ଜଣେ ସୈଦ୍ଧାନ୍ତିକ ବର୍ଣ୍ଣବିରୋଧୀ ପାଲଟିବାକୁ ପସନ୍ଦ କରିଥିଲେ, ଜାତି ପ୍ରଥାକୁ କୁଣ୍ଠିତ ତଥା ଆଶଙ୍କାଗ୍ରସ୍ତ ଭାବରେ ସାମନା ନ କରି ସେ ସିଧାସଳଖ ତଥା ବିନା ଦ୍ବିଧାରେ ତାହାର ମୁକାବିଲା କରିଥିଲେ ଏବଂ ମହିଳାଙ୍କୁ ଅଣରାଜନୈତିକ ଭୂମିକା ସମର୍ପିବା ଠାରୁ ଆରମ୍ଭ କରି ସାର୍ବଜନୀନ କ୍ଷେତ୍ର ଓ ସ୍ବାଧୀନତା ସଂଗ୍ରାମରେ ସେମାନଙ୍କ ଭାଗୀଦାରିକୁ ସେ ପୂର୍ଣ୍ଣ ପ୍ରାଣରେ ପ୍ରୋତ୍ସାହନ ଜଣାଇଥିଲେ।

ଗାନ୍ଧୀଜୀଙ୍କ ପ୍ରାସଙ୍ଗିକତାର ଅଷ୍ଟମ କାରଣ ହେଲା, ଅନୁଗାମୀମାନଙ୍କ ମଧ୍ୟରୁ ଯୋଗ୍ୟ ନେତା ଚୟନ କରିବାର ଦୁର୍ଲଭ କୌଶଳ ତାଙ୍କର ରହିଥିଲା। ସେ ପ୍ରତିଭାକୁ ଚିହ୍ନି ପାରୁଥିଲେ, ତାହାର ପୁଷ୍ଟିସାଧନ କରୁଥିଲେ ଏବଂ ତାହାକୁ ବିକଶିତ କରି ନିଜ ଦମ୍ଭରେ ଆଗକୁ ବଢ଼ିବା ଲାଗି ପ୍ରସ୍ତୁତ କରୁଥିଲେ। ତାଙ୍କ ପାଖକୁ ଆସୁଥିବା ଅନେକ ଶିଷ୍ୟ ନିଜ ବଳରେ ଇତିହାସର ପ୍ରମୁଖ ନିର୍ମାତା ପାଲଟିଥିଲେ। ଅନୁଗାମୀରୁ ନେତା ପାଲଟିଥିବା ସେହି ଉଲ୍ଲେଖନୀୟ ବ୍ୟକ୍ତିତ୍ବଙ୍କ ଭିତରେ ଜବାହରଲାଲ ନେହରୁ, ବଲ୍ଲଭଭାଇ ପଟେଲ, କମଳାଦେବୀ ଚଟ୍ଟୋପଧ୍ୟାୟ, ସି. ରାଜଗୋପାଳଚାରୀ, ଜାକିର ହୁସେନ୍‌, ଜେ. ବି. କୃପାଳିନୀ, ଜେ. ସି. କୁମାରପ୍ପା ଏବଂ ସରଳା ଦେବୀ (କ୍ୟାଥେରିନ୍‌ ମେରି ହିଲମ୍ୟାନ)ଙ୍କ ସମେତ ଆହୁରି ଅନେକ ରହିଛନ୍ତି।

ଭବିଷ୍ୟତର ନେତୃତ୍ବ ନେବା ଲାଗି ଆବଶ୍ୟକ ଉପାଦାନ ନେଇ ଗାନ୍ଧୀଙ୍କ ଯେଉଁ ଧାରଣା ଥିଲା, ତାହା ସ୍ବାଧୀନ ଭାରତର ତିନି ଜଣ ସବୁଠୁ ପ୍ରଭାବଶାଳୀ ପ୍ରଧାନମନ୍ତ୍ରୀଙ୍କ ଠାରେ ଦେଖାଯାଇନାହିଁ। ଚରିତ୍ର ଓ ରାଜନୈତିକ ବିଚାରଧାରା ବାବଦରେ ନେହରୁ, ଇନ୍ଦିରା ଓ ନରେନ୍ଦ୍ର ମୋଦୀ ପରସ୍ପର ଠାରୁ ବହୁତ ଭିନ୍ନ। ତେବେ ଗୋଟିଏ ପ୍ରସଙ୍ଗରେ ସେମାନେ ସମାନ- ସରକାର ଓ ଦେଶକୁ ନିଜ ସହିତ ପରିଚିତ କରାଇବା। କ୍ଷମତାର ଏହି ବ୍ୟକ୍ତୀକରଣକୁ ଇନ୍ଦିରା ଗାନ୍ଧୀ ନେହରୁଙ୍କ ତୁଳନାରେ ଯଥେଷ୍ଟ ଆଗକୁ ବଢ଼ାଇନେଇଥିଲେ ଏବଂ ମୋଦୀ ତ ତାହାକୁ ଭାରତ ଠୁ ବି ଆଗକୁ ନେଇଗଲେ। ସେମାନେ ସମସ୍ତେ ନିଜକୁ ଅପରିହାର୍ଯ୍ୟ ତଥା ଅପୂରଣୀୟ ରୂପରେ ଦେଖିଛନ୍ତି। ସେମାନେ ଆଗାମୀ ପିଢ଼ିର ନେତାଙ୍କୁ ଆଗକୁ ବଢ଼ିବା ଲାଗି ବହୁତ କମ୍‌ ପ୍ରେରଣା ବା ପ୍ରୋତ୍ସାହନ ଦେଇଛନ୍ତି।

ଗାନ୍ଧୀଙ୍କ ପ୍ରାସଙ୍ଗିକତାର ନବମ କାରଣଟି ଏହିପରି- ବିରୋଧୀଙ୍କର ଦୃଷ୍ଟିକୋଣକୁ ଅବଲୋକନ କରିବାରେ ତାଙ୍କର ଆଗ୍ରହ ସହିତ ସେମାନଙ୍କ ପାଖରେ ପହଞ୍ଚି ଏକ ସମ୍ମାନଜନକ ବୁଝାମଣା ଆଣିବାରେ ତାଙ୍କ ତତ୍ପରତା। ଗାନ୍ଧୀଙ୍କର କୌଣସି ବ୍ୟକ୍ତିଗତ ନାପସନ୍ଦ କି ଘୃଣା ନ ଥିଲା, କେବଳ ବୌଦ୍ଧିକ କିମ୍ବା ରାଜନୈତିକ ମତଭେଦ ରହିଥିଲା। ଏହି ମତଭେଦର ସମାଧାନ ସମ୍ଭବ ବୋଲି ତାଙ୍କର ଆଶା ରହିଥିଲା।

ଗାନ୍ଧୀଙ୍କ ପ୍ରାସଙ୍ଗିକତାର ଦଶମ କାରଣ ହେଉଛି- ତାଙ୍କ ରାଜନୈତିକ ଜୀବନର ସ୍ବଚ୍ଛତା। ଯେ କେହି ବି ତାଙ୍କ ଆଶ୍ରମକୁ ଆସି ପାରୁଥିଲେ, କେହି ବି ତାଙ୍କ ସହ ବିତର୍କ କରିପାରୁଥିଲେ; ବସ୍ତୁତଃ କେହି ବି ତାଙ୍କ ପାଖକୁ ଯାଇ ତାଙ୍କୁ ହତ୍ୟା କରି ପାରିଥାଆନ୍ତା। ଆମ ସମୟର ହେଉ ବା ତାଙ୍କ ସମୟର, ଅନ୍ୟ ରାଜନେତାଙ୍କ ସୁରକ୍ଷିତ ଜୀବନ ଠାରୁ ଏହା ସତରେ କେତେ ଓଲଟା!

ଗାନ୍ଧୀଙ୍କ ଜୀବନରୁ ଯେଉଁ ଶିକ୍ଷାଗୁଡ଼ିକ ମୁଁ ଉଲ୍ଲେଖ କରିଛି, ସେ ସବୁ ଆଜିର ଆକ୍ରାମକ ଧାର୍ମିକ ବହୁସଂଖ୍ୟକବାଦ, ଅପଶବ୍ଦ ଓ ଗାଳିର ରାଜନୈତିକ ସଂସ୍କୃତି, ନେତା ଓ ସରକାରଙ୍କ ଦ୍ବାରା ମିଥ୍ୟା ତଥା ଅସତ୍ୟର ପ୍ରଚାର ଏବଂ ପ୍ରାକୃତିକ ପରିବେଶର ଧ୍ବଂସ ସାଧନ ଓ ବ୍ୟକ୍ତିତ୍ବବାଦର ନିର୍ମାଣ ପରିପ୍ରେକ୍ଷୀରେ ଆମ ଭାରତ ପାଇଁ ସର୍ବାଦୌ ପ୍ରାସଙ୍ଗିକ।

ସମ୍ବନ୍ଧିତ ଖବର