ଟାର୍ଜନ, ମୋଗଲି ଓ ଅନ୍ୟମାନେ

ମିହିର ପ୍ରତାପ ଦାସ

ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିବା ନୋବେଲ ପୁରସ୍କାର ବିଜେତା ବ୍ରିଟିସ ଲେଖକ ରୁଡୟାର୍ଡ କିପଲିଙ୍ଗ ତାଙ୍କ ‘ଜଙ୍ଗଲ ବୁକ୍’ ଗଳ୍ପ ସଂକଳନରେ ବର୍ଣ୍ଣନା କରିଥିଲେ କିଭଳି ଗୋଟିଏ ମଣିଷ ଶିଶୁ ଗଧିଆ ଦଳ ମଧ୍ୟରେ ବଡ଼ ହେବା ସହିତ ଜଙ୍ଗଲର ପଶୁ ସମାଜର ଏକ ଅଂଶ ‌େହାଇଯାଇଛି। ଆମ ଟେଲିଭିଜନରେ ‘ଜଙ୍ଗଲ ବୁକ୍‌’ ପିଲାମାନଙ୍କ ଭିତରେ ଅତ୍ୟନ୍ତ ଲୋକପ୍ରିୟତା ହାସଲ କରିଥିବାରୁ ତା’ର କାହାଣୀ ଏବଂ ସେହି ମଣିଷ ଚରିତ୍ର ମୋଗଲି ସହିତ ପ୍ରାୟ ସମସ୍ତେ ପରିଚିତ। କିନ୍ତୁ ଅନେକ ଜାଣନ୍ତି ନାହିଁ ଯେ କାହାଣୀରେ କୁହାଯାଇଥିବା ଭଳି ଅସଲ ମୋଗଲି ଏକ ନିରୀହ ଶିଶୁ ନ ଥିଲା। ଲୋକକଥା ଅନୁସାରେ ସେ ଥିଲା ଜଙ୍ଗଲରେ ବଢ଼ିଥିବା ଏକ ଅତି ହିଂସ୍ର ମଣିଷ ଯିଏ ବର୍ତ୍ତମାନ ମଧ୍ୟ ପ୍ରଦେଶର ‘ସାନ ବାୱାଡ଼ା’ ଗାଁ ପାଖାପାଖି ବିଚରଣ କରି ୩୦ ଜଣ ଲୋକଙ୍କୁ ମାରି ଖାଇଥିଲା।

ତେବେ, କେବଳ ମୋଗଲି ନୁହେଁ, ଏମିତି ଅନେକ ଉଦାହରଣ ରହିଛି। ୧୮୭୨ ମସିହାରେ ଉତ୍ତର ପ୍ରଦେଶରେ ଗୋଟିଏ ଛଅ ବର୍ଷର ପିଲାକୁ ଆଗ୍ରା ନିକଟସ୍ଥ ସିକନ୍ଦରା ଜଙ୍ଗଲ ଗୁମ୍ଫାରୁ ଉଦ୍ଧାର କରାଯାଇଥିଲା, ଯିଏ କି ଗୋଟିଏ ଗଧିଆ ପଲ ସହିତ ବଢ଼ିଥିଲା। ଉଦ୍ଧାର କରାଯିବା ପରେ ସେ ମଣିଷଙ୍କ ଗହଣରେ ୨୦ ବର୍ଷରୁ ଅଧିକ କାଳ ବିତାଇଥିଲା। ତା’ର ନାମ ରଖାଯାଇଥିଲା ଦୀନା ଶନିଚର। ଅନେକ ଚେଷ୍ଟା କରାଯାଇଥିଲେ ବି ସେ ମଣିଷ ଭଳି କଥା କହିବା ଶିଖି ପାରି ନ ଥିଲା। ସେମିତି ଚତୁର୍ଦ୍ଦଶ ଶତାବ୍ଦୀରେ ଜର୍ମାନିର ହେସିଆନ ଜଙ୍ଗଲରେ କିଛି ମଣିଷ ଶିଶୁ ଗଧିଆମାନଙ୍କର ଦ୍ୱାରା ଲାଳିତପାଳିତ ହୋଇଥିବାର ତଥ୍ୟ ପ୍ରମାଣ ରହିଛି। ସେମିତି ୟୁକ୍ରେନରେ ବାଳିକାଟିଏ ଛଅ ବର୍ଷ କାଳ ‘ବ୍ଲାକ ରସିଆନ ଟେରିଅର’ କୁକୁର ପଲ ଭିତରେ ବଢ଼ିଥିଲା। ୧୯୯୧ ମସିହାରେ ତାକୁ ଉଦ୍ଧାର କରାଗଲା ବେଳକୁ ତାକୁ ହୋଇଥିଲା ଆଠ ବର୍ଷ ବୟସ। ତା’ ବାପା ଓ ମାଆ ଉଭୟ ମଦ୍ୟପ ଥିବାରୁ ତା’ ଉପରେ ନିଘା ରଖି ନ ଥିଲେ। ତେଣୁ ସେ ଗୁରୁଣ୍ଡି ଗୁରୁଣ୍ଡି ଯାଇ କେତେବେଳେ କୁକୁର ମେଳରେ ସାମିଲ ହୋଇଯାଇଥିଲା। ଝିଅଟି କୁକୁରଙ୍କ ଭଳି ଭୁକୁଥିଲା ଏବଂ ଦାନ୍ତ ଦେଖାଉଥିଲା। ତା’ର ନାମ ରଖାଗଲା ଅକସା ମାଲୟା। ତେବେ, ବହୁତ ଚେଷ୍ଟା ପରେ ଅକସାକୁ ମଣିଷ ଆଚରଣ ଓ ଭାଷା ଶିଖାଯାଇ ପାରିଛି। ସେ ଯଦିଓ ତୁଳନାତ୍ମକ ଭାବେ କମ୍‌ ବୁଦ୍ଧି ସଂପନ୍ନ ବୋଲି ମନେ ହୋଇଥାଏ, ତେବେ ସେ ସ୍ବାଧୀନ ଭାବେ ଜୀବନ ନିର୍ବାହ କରିବାର ବାଗ ଶିଖିଯାଇଛି। ସେମିତି ଆଉ ଜଣେ ହେଲେ ଇଭାନ ମସକୋଭ। ଦୁଇ ବର୍ଷ ବୟସରୁ ଏକ କୁକୁର ଦଳ ସହିତ ପ୍ରାୟ ଦୁଇ ବର୍ଷ ବିତାଇବା ପରେ ତାକୁ ଉଦ୍ଧାର କରାଯାଇଥିଲା। ସାବତ ମା’ ଦ୍ବାରା ପରିତ୍ୟକ୍ତ ଏହି ଶିଶୁଟି କୁକୁରମାନଙ୍କ ସାହଚର୍ଯ୍ୟରେ ବଞ୍ଚି ରହିଥିଲା। ଉଦ୍ଧାର କରାଯିବା ପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇ ତାକୁ ଯୋଗ୍ୟ କରାଯାଇଛି ଏବଂ ସେ ଏବେ ରୁଷ ସେନାବାହିନୀରେ କାର୍ଯ୍ୟରତ। ରୁଷିଆରେ ସେ ଏବେ ବି କୁକୁର ବାଳକ ଭାବେ ପରିଚିତ। ଜଙ୍ଗଲରେ ହେଟା ପଲ ବା ସହରରେ କୁକୁର ପଲ ଭିତରେ ବଢ଼ିଥିବା ଶିଶୁମାନଙ୍କ ଆହୁରି କିଛି ଉଦାହରଣ ମଧ୍ୟ ରହିଛି।

କଲମ୍ବିଆର ମାରିନା ଚାପମାନ ନାମକ ଜଣେ ବାଳିକାକୁ କେତେକ ଅପହରଣକାରୀ ଜଙ୍ଗଲରେ ଛାଡ଼ି ପଳାଇ ଯାଇଥିଲେ। ସେମାନେ ଭାବି ନେଇଥିଲେ ଯେ ଝିଅଟି ମରିଯିବ। କିନ୍ତୁ ଜଙ୍ଗଲ ଭିତରେ ଚାରି ବର୍ଷ କାଳ ତାକୁ କପୁଚିନ ଜାତିର ମାଙ୍କଡ଼ମାନେ ପାଳିଥିଲେ। ତାକୁ ଉଦ୍ଧାର କରାଯିବା ପରେ କାଳକ୍ରମେ ସେ ମଣିଷ ସମାଜ ଭିତରେ ସ୍ବାଭାବିକ ଭାବେ ଚଳିବା ଲାଗି ସମର୍ଥ ହୋଇପାରିଲା। କେତେକ ଆଫ୍ରିକୀୟ ଦେଶରେ ମାଙ୍କଡ଼ ପଲ ଦ୍ବାରା ଲାଳିତପାଳିତ ହୋଇଥିବା ମଣିଷ ଶିଶୁଙ୍କ ଉଦାହରଣ ରହିଛି। କିନ୍ତୁ ଏଭଳି ଉଦାହରଣ ଭିତରେ ଯାହା ଆଶ୍ଚର୍ଯ୍ୟ କରିଥାଏ, ତାହା ହେଲା ୧୬୦୦ ଖ୍ରୀଷ୍ଟାବ୍ଦରେ ଲିଥୁଆନିଆ ଠାରେ ଭାଲୁଙ୍କ ମେଳିରେ ତିନି ଜଣ ବାଳକଙ୍କୁ ଠାବ କରାଯିବା। ମାଈ ଭାଲୁଟି ସେମାନଙ୍କୁ ନିଜ ଶାବକ ଭଳି ପାଳିଥିଲା। ଏ ସଂପର୍କିତ ବିଶେଷ ବିବରଣୀ ପୋଲାଣ୍ଡ ରାଣୀଙ୍କର ସଂଗ୍ରହାଳୟରେ ମହଜୁଦ ରହିଛି। ନିକୋଲାସ ଡଲପ ନାମକ ଜଣେ ଗବେଷକ ‘ଅବଜରଭେସନ ମେଡିକା’ ଶୀର୍ଷକ ତାଙ୍କ ପୁସ୍ତକ (୧୬୭୨ ମସିହା)ରେ ଏକ ଆଇରିସ୍‌ ବାଳକ ବିଷୟରେ ଉଲ୍ଲେଖ କରିଛନ୍ତି, ଯିଏ ଏକ ମେଣ୍ଢା ପଲରେ ରହି ବଢ଼ିଥିଲା।

ଯଦିଓ ଏଭଳି ଘଟଣାମାନ ଘଟିଛି, କିନ୍ତୁ ଅନେକ କାଳ୍ପନିକ କାହାଣୀ ମଧ୍ୟ ଏହାର ସୁଯୋଗରେ ମୁଣ୍ଡ ଟେକିଛି। ବିଖ୍ୟାତ ଭ୍ରମଣ ବୃତ୍ତାନ୍ତ ଲେଖକ ବ୍ରୁସ ଚାଟୱିନ ଲେଖିଛନ୍ତି ଯେ ଏଭଳି ଖବର ଆଧାରରେ ସେ ବିଭିନ୍ନ ସ୍ଥାନ ଯାଇ ଅନୁଧ୍ୟାନ କରି ଅଧିକାଂଶ ଘଟଣା କ‌େପାଳକଳ୍ପିତ ବୋଲି ଜାଣି ପାରିଥିଲେ। ତେବେ ଏଭଳି କିଛି ଦୃଷ୍ଟାନ୍ତକୁ ନେଇ ରଚିତ ପୁସ୍ତକ ‘ଟୁ ଟ୍ରିଟିଜ’, ‘ଟୁ ପେରିନିଆନ ବଏଜ’, ‘ପିଟର ଦି ୱାଇଲ୍‌ଡ’ ଭଳି ପୁସ୍ତକ ଲୋକପ୍ରିୟ ହୋଇଛି।

ପ୍ରବାଦ ଅଛି ଯେ ରୋମ ନଗରର ପ୍ରତିଷ୍ଠାତା ରେମୁଲସ ଓ ରୋମସଙ୍କୁ ଗୋଟିଏ ମାଆ ଗଧିଆ ସ୍ତନ୍ୟପାନ କରାଇ ଜୀବନ୍ତ ରଖିଥିଲା। ତେବେ, ଏଭଳି ଆଲୋଚନା ବେଳେ ସବୁଠାରୁ ଲୋକପ୍ରିୟ ଚରିତ୍ର ଭାବେ ଉଭା ହୁଏ ଟାର୍ଜନ, ଯିଏ ହାତୀ ଓ ଭାଲୁମାନଙ୍କ ଗହଣରେ ବଢ଼ିଥିଲା, ଓହଳରୁ ଓହଳ ଧରି ପଶୁମାନଙ୍କ ଭଳି ଶବ୍ଦ କରି ଜଙ୍ଗଲରେ ବିଚରଣ କରୁଥିଲା। ଟାର୍ଜନ ମଧ୍ୟ ଏକ ବାସ୍ତବ କାହାଣୀ ଉପରେ ଆଧାରିତ। ୧୮୦୮ ମସିହାରେ ସଂଭ୍ରାନ୍ତ ପରିବାରର ୱିଲିୟମ ମିଲିଡିନ, ଷ୍ଟଥହାମର ଚତୁର୍ଦ୍ଦଶ ଅର୍ଲ, ଏକ ଜାହାଜ ଦୁର୍ଘଟଣା କାରଣରୁ ପଶ୍ଚିମ-ଆଫ୍ରିକାରେ ଏକ ଜଙ୍ଗଲରେ ପନ୍ଦର ବର୍ଷ କାଳ କାଟିଥିଲେ। ଦୁର୍ଘଟଣା ବେଳକୁ ତାଙ୍କ ବୟସ ହୋଇଥିଲା ୧୧ ବର୍ଷ। ତାଙ୍କ ଜୀବନ ଉପରେ ଆଧାରିତ ଅସୁମାରି ଟାର୍ଜନ ସିନେମା ଓ କାହାଣୀ ତିଆରି ହୋଇ ଏବେ ସୁଦ୍ଧା ଲୋକଙ୍କ ମନୋରଂଜନ କରି ଚାଲିଛି।

ମୋ: ୯୯୩୭୮୬୩୫୨୮

ସମ୍ବନ୍ଧିତ ଖବର