ମୁଣ୍ଡ ନୁଆଁଇବା ଆରମ୍ଭ କରିଛି ପାକିସ୍ତାନ!

ମହାମେଘବାହନ ଐର ଖାରବେଳ ସ୍ୱାଇଁ

ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହୱାଜ ସରିଫ ଗତ ସପ୍ତାହରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ଶାନ୍ତି ଆଲୋଚନା କରିବାକୁ ଚାହାନ୍ତି ବୋଲି କହି ଅନ୍ତତଃ ତାଙ୍କ ନିଜ ଦେଶବାସୀଙ୍କୁ ଚମକାଇ ଦେଇଛନ୍ତି। କିନ୍ତୁ ସ୍ୱାଧୀନତା ଓ ଦେଶ ବିଭାଜନ ହେବା ଦିନରୁ ହିଁ ପାକିସ୍ତାନର ମାନସିକତା ରହିଛି ଭାରତ ବର୍ଷକୁ ଧ୍ୱଂସ କରିବା। ପ୍ରଥମରୁ ହିଁ ପାକିସ୍ତାନର ସେନାପତିମାନେ ଧାରଣା ସୃଷ୍ଟି କରିଛନ୍ତି ଯେ ସେମାନେ ଭାରତୀୟ ସେନାଠାରୁ ଅଧିକ ଶକ୍ତିଶାଳୀ। ଏଣୁ ସେମାନେ ଭାରତର କିଛି ଅଞ୍ଚଳ ଓ ବିଶେଷ କରି କାଶ୍ମୀରକୁ ଦଖଲ କରି ନେଇପାରିବେ। ୧୯୪୭ର ସ୍ୱାଧୀନତା ବେଳେ ପାକିସ୍ତାନ କିଛି ଉଗ୍ରବାଦୀଙ୍କୁ ପଠାଇ କାଶ୍ମୀରର କିଛି ଅଂଶକୁ ଦଖଲ କରିନେଇଛି, ଯାହାକୁ ଏବେ ‘ପାକ୍ ଅଧିକୃତ କାଶ୍ମୀର’ ବୋଲି ଭାରତ କହୁଛି। ଏହାକୁ ପାକିସ୍ତାନ କହୁଛି ‘ଆଜାଦ କାଶ୍ମୀର’।

କିନ୍ତୁ ବାସ୍ତବରେ ପାକିସ୍ତାନ ଯେଉଁ ତିନିଟି ଯୁଦ୍ଧ ଭାରତ ସହ କରିଛି, ସେଥିରେ ସେ ଦେଶ ପରାସ୍ତ ହୋଇଛି ଓ ବିଶେଷ କରି ୧୯୭୧ରେ ପାକିସ୍ତାନ ବିଭାଜିତ ହୋଇ ବଙ୍ଗଳାଦେଶ ସୃଷ୍ଟି ହୋଇଛି, ଯାହାକୁ ସ୍ୱାଧୀନତା ବେଳେ ପୂର୍ବ ପାକିସ୍ତାନ ବୋଲି କୁହାଯାଉଥିଲା। ମୂଳରୁ ଗୋଟିଏ ଦେଶର ଦୁଇ ଖଣ୍ଡ ମଧ୍ୟରେ ୩ ହଜାର କିଲୋମିଟର ପାର୍ଥକ୍ୟ ଥିବା କୃତ୍ରିମ ରାଷ୍ଟ୍ର ପାକିସ୍ତାନ। ଭାରତୀୟ ସେନା ପାକିସ୍ତାନର ସେନାକୁ ପରାସ୍ତ କରି ପୂର୍ବ ପାକିସ୍ତାନକୁ ସ୍ୱାଧୀନ କରିଥିଲା, ଯାହାର ନାମ ହୋଇଥିଲା ବଙ୍ଗଳାଦେଶ। ପାକିସ୍ତାନୀ ସେନା ସେଠାରେ ୩୦ ଲକ୍ଷ ବଙ୍ଗାଳିଙ୍କୁ ହତ୍ୟା କରିଥିଲେ। ଭାରତ ସହ ଯୁଦ୍ଧରେ ପରାସ୍ତ ହୋଇ ପାକିସ୍ତାନର ୯୨,୦୦୦ ସେନା ଢାକାରେ ଭାରତର ସେନାପତି ଲେଫ୍‌ଟନାଣ୍ଟ ଜେନେରାଲ ଜଗଜିତ ସିଂହ ଆରୋରାଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ ଓ ଭାରତରେ ଗୋଟିଏ ବର୍ଷ କାଳ ବନ୍ଦୀ ହୋଇ ରହିଥିଲେ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହେବାର ବିବୃତି ଦେଲାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫ କହିଛନ୍ତି, ଭାରତ ସହିତ ୩ଟି ଯୁଦ୍ଧ କରି ତାଙ୍କ ଦେଶ ଜ୍ଞାନ ପାଇଛି। ସେ ଦେଶ ଆର୍ଥିକ ଦୃଷ୍ଟିରୁ କାଙ୍ଗାଳ ହୋଇଯାଇଛି। ଚୀନ, ସାଉଦି ଆରବ, ୟୁଏଇ ପରି ବନ୍ଧୁ ରାଷ୍ଟ୍ରମାନଙ୍କ ଠାରୁ ନିଜେ ବଞ୍ଚିବା ପାଇଁ ହାତ ପତାଉଛି, ଯାହା ଅତି ଅପମାନଜନକ କଥା। ଆନ୍ତର୍ଜାତିକ ମୁଦ୍ରାକୋଷ (ଆଇ.ଏମ୍.ଏଫ୍.)ରୁ ଋଣ ପାଇଁ ବିକଳ ପ୍ରଚେଷ୍ଟା କରୁଛି। ସେ ଋଣ ନ ମିଳିଲେ ପାକିସ୍ତାନ ଅଚଳ ହୋଇଯିବ।

ଗତ ବର୍ଷ ପାକିସ୍ତାନରେ ଯେଉଁ କଳ୍ପନାତୀତ ବନ୍ୟା ହୋଇଥିଲା, ସେଥିରେ ସେ ଦେଶର ଏକ ତୃତୀୟାଂଶ ଡୁବି ଯାଇଥିଲା। ଏହି ଶୋଚନୀୟ ଆର୍ଥିକ ଅବସ୍ଥାର ମୁକାବଲା ପାଇଁ ଜାତିସଂଘର ଆହ୍ୱାନରେ ଏକ ‘ପାକିସ୍ତାନ ସାହାଯ୍ୟ ସମ୍ମେଳନ’ ଅନୁଷ୍ଠିତ ହୋଇଥିଲା। ଏଥିରେ ଅବଶ୍ୟ ପାକିସ୍ତାନକୁ ଅନେକ କୋଟି ଡଲାର ସାହାଯ୍ୟ ଦିଆଯିବାର ପ୍ରତିଶ୍ରୁତି ମିଳିଛି। କିନ୍ତୁ ପ୍ରଧାନମନ୍ତ୍ରୀ ଶେହୱାଜ କହୁଛନ୍ତି ଯେ, ଯେତିକି ସାହାଯ୍ୟ ଦେବାର ପ୍ରତିଶ୍ରୁତି ମିଳିଛି ତା’ର ୯୦% ହେଉଛି ଋଣ, ମାତ୍ର ୧୦% ସାହାଯ୍ୟ। ଏହି ଋଣକୁ ପରିଶୋଧ କରିବାର ସାମର୍ଥ୍ୟ ପାକିସ୍ତାନର ନାହିଁ।

ଏବେ ଗତ କେତେ ସପ୍ତାହରେ ପାକିସ୍ତାନର ବିଦ୍ୟୁତ ଗ୍ରିଡ୍‌ଗୁଡ଼ିକ ଅଚଳ ହୋଇପଡ଼ିଥିବାରୁ ସାରା ପାକିସ୍ତାନ ଦିନ ଦିନ ଧରି ଅନ୍ଧାର କବଳରେ ପଡ଼ି ରହୁଛି। ପାକିସ୍ତାନରେ ଯେଉଁ ବିଦ୍ୟୁତ ଉତ୍ପାଦନ କାରଖାନାମାନ ତିଆରି ହୋଇଛି ସେଗୁଡ଼ିକର ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ କାରଖାନାଗୁଡ଼ିକ ଅଚଳ ହୋଇପଡ଼ିଛି। ସେହି ବିଜୁଳି ଉତ୍ପାଦନ କାରଖାନାଗୁଡ଼ିକ ତେଲ ଓ ଗ୍ୟାସ୍ ଦ୍ୱାରା ପରିଚାଳିତ ହେଉଥିବାରୁ ସେହି କଞ୍ଚାମାଲ୍ କିଣିବା ପାଇଁ ସେଠାକାର ସରକାରଙ୍କ ପାଖରେ ଅର୍ଥ ନାହିଁ। ଏହି ଆର୍ଥିକ ସଂକଟ ହେତୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହେବା ପାଇଁ କହିବାର ମାତ୍ର ୧୪ ଘଣ୍ଟା ନ ପୂରୁଣୁ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫ ପୁଣି କହିଥିଲେ ଯେ, ଭାରତ ସହ କଥାବାର୍ତ୍ତା କେବଳ ସେତେବେଳେ ହେବ, ଯେତେବେଳେ କାଶ୍ମୀର ସମସ୍ୟାର ସମାଧାନ ହେବ। ଅର୍ଥାତ, ମୋଦୀଙ୍କ ସରକାର ଯେଉଁ ଧାରା ୩୭୦କୁ ପ୍ରତ୍ୟାହାର କରିନେଇଛନ୍ତି ଓ କାଶ୍ମୀରକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି, ତାହାକୁ ପୁନଃସ୍ଥାପନ କରନ୍ତୁ।

ଏହାର କାରଣ ହେଲା, ପାକିସ୍ତାନର ଅସଲ ଶକ୍ତି ଓ ଏ ଦେଶର ବାସ୍ତବ ସର୍ବଶକ୍ତିମାନ ରାଜନୈତିକ ଦଳ ହେଉଛି ସେ ଦେଶର ସେନାବାହିନୀ। ଏଣେ, ପାକ୍ ସେନା କାଶ୍ମୀରକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସ୍ୱୀକାର କରିବାକୁ ରାଜି ନୁହେଁ। ଉଲ୍ଲେଖଯୋଗ୍ୟ ଯେ, ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସିଫ୍ ଅଲ୍ଲୀ ଜର୍ଦ୍ଦାରୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ପୁଅ ତଥା ପାକିସ୍ତାନର ଏକ ପ୍ରମୁଖ ରାଜନୈତିକ ଦଳ ପାକିସ୍ତାନ ପିପୁଲ୍‌ସ ପାର୍ଟିର ସଭାପତି ତଥା ବର୍ତ୍ତମାନର ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଗତ ଅକ୍‌ଟୋବରରେ ଭାରତ ଆଗେ କାଶ୍ମୀରରେ ୩୭୦ ଧାରାକୁ ପୁନଃ କାର୍ଯ୍ୟକାରୀ କରୁ ବୋଲି ଦାବି କରିଥିଲେ। ଗତ ଡିସେମ୍ବର ମାସରେ ଜାତିସଂଘର ଅଧିବେଶନରେ ବିଲାୱଲ ଭୁଟ୍ଟୋ ମୋଦୀଙ୍କୁ ମୁସଲମାନ ବିରୋଧୀ ବୋଲି କହି ନାନା ପ୍ରକାରର ଆକ୍ଷେପ କରିଥିଲେ। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାଁଙ୍କର ବୈଦେଶିକ ମନ୍ତ୍ରୀ ଥିବା ଶାହା ମାହମୁଦ କ୍ୟୁରେସି ମଧ୍ୟ କାଶ୍ମୀର ସମସ୍ୟାର ସମାଧାନ ନ ହେଲା ଯାଏ ଭାରତ ସହ କୌଣସି କଥାବାର୍ତ୍ତା ହୋଇପାରିବ ନାହିଁ ବୋଲି କହିଛନ୍ତି। ୩୭୦ ଧାରାକୁ ଗତ ଅଗଷ୍ଟ ୫, ୨୦୧୯ରେ ଉଠାଇ ନିଆଗଲା ପରେ ତଦାନୀନ୍ତନ ଇମରାନଙ୍କର ପାକ୍ ସରକାର ଏହି ପ୍ରସଙ୍ଗକୁ ବିଶ୍ୱର ସବୁ ଆନ୍ତର୍ଜାତିକ ମଞ୍ଚରେ ଓ ବିଶେଷ କରି ୫୭ ସଦସ୍ୟ ବିଶିଷ୍ଟ ଓ.ଆଇ.ସି. (ଇସଲାମୀ ରାଷ୍ଟ୍ରଙ୍କ ସଂଗଠନ)ରେ ଜୋର୍ କରି ଉଠାଇଥିଲେ। ଅବଶ୍ୟ ସାଉଦି ଆରବ ପରି ପ୍ରମୁଖ ଇସଲାମୀ ରାଷ୍ଟ୍ରମାନେ ଏହା କହି ଏହି କଥାକୁ ଆଡ଼େଇ ଦେଇଥିଲେ ଯେ, ଏହା ହେଉଛି ଭାରତର ଆଭ୍ୟନ୍ତରୀଣ ବ୍ୟାପାର।

ତେବେ ଏହା ସତ୍ୟ ଯେ, କେବଳ ସେନା ନୁହେଁ, ସେଠାକାର ରାଜନୈତିକ ଦଳମାନଙ୍କର ଲାଗି ଭାରତ ବିରୋଧୀ ମନୋଭାବ ପ୍ରଦର୍ଶନ କରିବା ହେଉଛି ଏକ ମୁଖ୍ୟ ରାଜନୈତିକ ଅସ୍ତ୍ର। ସପ୍ତମ ଦଶକରେ ଜୁଲଫିକର ଅଲ୍ଲୀ ଭୁଟ୍ଟୋ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିବା ବେଳେ କହିଥିଲେ ଯେ, ସେ ଭାରତ ସହ ୧,୦୦୦ ବର୍ଷ ଯୁଦ୍ଧ କରିବାକୁ ଚାହାନ୍ତି। କିନ୍ତୁ ସେ ଭାରତର ସିମଳାକୁ ଆସି, ସେଠାରେ ଇନ୍ଦିରା ଗାନ୍ଧୀଙ୍କ ସହ ଶାନ୍ତିଚୁକ୍ତି କରି ଏଠାରେ ବନ୍ଦୀ ଥିବା ୯୨,୦୦୦ ପାକିସ୍ତାନୀ ସୈନ୍ୟଙ୍କୁ ଫେରାଇ ନେଇଥିଲେ।

ପାକିସ୍ତାନର ୧୯୬୫ ଯୁଦ୍ଧ ବେଳେ କ୍ଷମତା ଦଖଲ କରିଥିବା ଜେନେରାଲ ଆୟୁବ ଖାଁ କହିଥିଲେ ଜଣେ ପାକ୍ ସେନା, ଭାରତର ଏକାଧିକ ସୈନ୍ୟଙ୍କ ସହ ସମାନ। ଅଷ୍ଟମ ଦଶକରେ ଜୁଲଫିକର ଅଲ୍ଲୀ ଭୁଟ୍ଟୋଙ୍କୁ ଫାଶୀ ଦେଇଥିବା ସାମରିକ ଶାସକ ଜେନେରାଲ ଜିଆଉଲ୍ ହକ୍ କହିଥିଲେ, ଭାରତ ଦେହରେ ସହସ୍ର କ୍ଷତ କରି ରକ୍ତ ଝରାଇ ଝରାଇ ଏ ଦେଶକୁ ଧ୍ୱଂସ କରିଦେବେ। ଅର୍ଥାତ୍‌, ଭାରତକୁ ଆତଙ୍କବାଦୀ ପଠାଇ, ବାରମ୍ବାର ବୋମା ବିସ୍ଫୋରଣ କରି, ଲୋକଙ୍କୁ ହତ୍ୟା କରି ପାକିସ୍ତାନ ଏ ଦେଶକୁ ଧ୍ୱଂସ କରିଦେବ। ପାକିସ୍ତାନର ୧୯୯୯ର ସେନା ମୁଖ୍ୟ ଓ ପରବର୍ତ୍ତୀ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁଶରଫ, ତଦାନୀନ୍ତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ନ ଜଣାଇ କାଶ୍ମୀରର କାର୍ଗିଲ୍ ମଧ୍ୟକୁ ପାକ୍ ସେନା ପଠାଇ ସେହି ଅଞ୍ଚଳକୁ କିଛି କାଳ ପାଇଁ ଦଖଲ କରିଥିଲେ। ତେବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋ ଓ ନୱାଜ ସରିଫ ଭାରତ ସହ ସୁସମ୍ପର୍କ ସ୍ଥାପନ ପାଇଁ କିଛିଟା ସଙ୍କେତ ଦେଇଥିଲେ। ୨୦୧୪ରେ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ସେନାବାହିନୀର ବିରୋଧ ସତ୍ତ୍ୱେ ନୱାଜ ସରିଫ ଦିଲ୍ଲୀ ଆସିଥିଲେ। ଏଠାରେ ସେ ଜାମା ମସଜିଦକୁ ଯାଇଥିଲେ ଓ ଚାନ୍ଦିନିଚୌକର ବଜାର ମଧ୍ୟ ବୁଲିଥିଲେ।

ଏହାର ପ୍ରତିଦାନରେ ତାସକନ୍ଦରୁ ଫେରିବା ବେଳେ ସେହି ବର୍ଷ ଡିସେମ୍ବରରେ ମୋଦୀ ତାଙ୍କ ରାସ୍ତା ବଦଳାଇ ପାକିସ୍ତାନର ଲାହୋରରେ ଓହ୍ଲାଇ ପଡ଼ିଥିଲେ ଓ ନୱାଜ ସରିଫଙ୍କ ଘରକୁ କିଛି ସମୟ ପାଇଁ ଯାଇଥିଲେ। ବେନଜିର ଭୁଟ୍ଟୋ ଓ ନୱାଜ ସରିଫଙ୍କ ଭାରତ ପ୍ରତି ଏହି ଅପେକ୍ଷାକୃତ ଉଦାର ମନୋବୃତ୍ତି ହେତୁ ହୁଏତ ସେମାନଙ୍କୁ କ୍ଷମତାଚ୍ୟୁତ ହେବାକୁ ପଡ଼ିଲା।

ତେବେ, ଏବେ ଏବେ ସେନାମୁଖ୍ୟ ପଦ ଛାଡ଼ିଥିବା ଜେନେରାଲ ବାଜୱା କ୍ଷମତା ଛାଡ଼ିବା ପୂର୍ବରୁ କହିଛନ୍ତି ଯେ, ସେନା ଏବେ ପାକିସ୍ତାନରେ ଅଣରାଜନୈତିକ ଭୂମିକା ଗ୍ରହଣ କରିବ। ବାଜୱା କ୍ଷମତାରୁ ଗଲା ପରେ ଗୋଟିଏ ଟି.ଭି. ଚ୍ୟାନେଲ୍‌କୁ କହିଛନ୍ତି ଯେ, ଭାରତ ସହ ପାକିସ୍ତାନର ଶାନ୍ତି ପାଇଁ ଗୋପନରେ କଥାବାର୍ତ୍ତା ଚାଲିଛି। ଏହି କଥାବାର୍ତ୍ତା ବେଳେ କାଶ୍ମୀର ପ୍ରସଙ୍ଗକୁ ଅନ୍ତତଃ ୨୦ ବର୍ଷ ପାଇଁ ଶୀତଳ ଭଣ୍ଡାରରେ ରଖିବାକୁ ଉଦ୍ୟମ ହେବ। ଏ କଥା କହିବାର ଉଦ୍ଦେଶ୍ୟ ହେଲା କାଶ୍ମୀରକୁ ପାକିସ୍ତାନ କେବେହେଲେ ନେଇ ପାରିବ ନାହିଁ। ଏ କଥା ବାଜୱା ଓ ତାଙ୍କ ସେନାବାହିନୀ ବୁଝିସାରିଛନ୍ତି। ଏବେ ଏବେ ପାକିସ୍ତାନର ସେନାମୁଖ୍ୟ ପଦ ଗ୍ରହଣ କରିଥିବା ଜେନେରାଲ ଅସିମ ମୁନୀର ଅବସରପ୍ରାପ୍ତ ଜେନେରାଲ ବାଜୱାଙ୍କ ଲୋକ ବୋଲି କୁହାଯାଉଛି। ସେ ହୁଏତ ବାଜୱାଙ୍କ ରାସ୍ତାରେ ଚାଲିପାରନ୍ତି।

ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏବେ ପାକିସ୍ତାନର ପୂର୍ବତନ ଆକାଶ ବାହିନୀ ମୁଖ୍ୟ ସାହଜାଜ ଚୌଧୁରୀ ଗଣମାଧ୍ୟମକୁ କହିଛନ୍ତି ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ ଅର୍ଥନୈତିକ ଓ କୂଟନୈତିକ ଫରକ ଏତେ ବେଶୀ ହୋଇଗଲାଣି ଯେ, ସେହି ଫରକର ଆଉ ଭରଣା କରିହେବନି। ତେଣୁ ଭାରତ ସମ୍ପର୍କରେ ପାକିସ୍ତାନର ଆଭିମୁଖ୍ୟ ବଦଳିବା ଦରକାର। ଅର୍ଥାତ୍, ଭାରତ ସହ ପାକିସ୍ତାନ ଯୁଦ୍ଧଖୋର ମନୋବୃତ୍ତି ନ ରଖି, ଶାନ୍ତିର ଦୃଷ୍ଟିଭଙ୍ଗୀ ଆପଣାଉ।
ଏହି ଅବସରରେ ବର୍ଷାଧିକ କାଳ ହେବ ଭାରତ ଓ ପାକିସ୍ତାନ ମଧ୍ୟରେ ଯେଉଁ ଯୁଦ୍ଧ ବିରତି ଘୋଷଣା ହୋଇଛି, ତଦ୍ଦ୍ୱାରା ପାକ୍-ଭାରତ ଏହି ଦୁଇ ଦେଶର ସୀମାରେ ଆଉ ନିୟମିତ ଗୁଳିଗୋଳା ଚାଲୁନାହିଁ। ଏହା ପାକିସ୍ତାନକୁ ମଧ୍ୟ ସୁହାଉଛି ବୋଲି ପାକିସ୍ତାନୀ ସେନା ମନେ କରୁଛି। ଏହି ଯୁଦ୍ଧ ବିରତି ଭଙ୍ଗ ହେଉ ବୋଲି ଏବେ ପାକିସ୍ତାନୀ ସେନା ମଧ୍ୟ ଚାହୁଁନାହିଁ।

ଏହି ଅବସରରେ ଭାରତ କ’ଣ କରିବ ତାହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ କଥା। ପାକିସ୍ତାନର ପ୍ରଧାନମନ୍ତ୍ରୀ ଯେଉଁ ଆଗ୍ରହ ପ୍ରକାଶ କଲେ, ସେ ସମ୍ପର୍କରେ ଭାରତ ଅତି ଶୀଘ୍ର ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରତିକ୍ରିୟା ପ୍ରକାଶ କରିବାର କୌଣସି ଆବଶ୍ୟକତା ନାହିଁ। ବରଂ ଭାରତର ପ୍ରଥମ ଲକ୍ଷ୍ୟ ହେଉଛି ଯେଉଁ ଯୁଦ୍ଧ ବିରତି ବର୍ତ୍ତମାନ ଘୋଷଣା ହୋଇଛି, ତା’ର ଲାଭ କେମିତି ଭାରତକୁ ମିଳିପାରିବ, ସେ କଥା ଦେଖିବା। ଏହା ଦ୍ୱାରା ଯେମିତି ପାକିସ୍ତାନରୁ ଅଧିକରୁ ଅଧିକ ସଂଖ୍ୟକ ଆତଙ୍କବାଦୀ ଭାରତକୁ ଅନୁପ୍ରବେଶ ନ କରିବେ ତାହା ମଧ୍ୟ ଭାରତର ଆଉ ଏକ ବଡ଼ ଲକ୍ଷ୍ୟ ହେବା ଉଚିତ। ଏଣୁ ଆପାତତଃ ବର୍ତ୍ତମାନ ଯେଉଁ ଶାନ୍ତି ସୀମାନ୍ତ ଅଞ୍ଚଳରେ ପ୍ରତିଷ୍ଠିତ ହୋଇଛି, ତାହା କେମିତି ବଳବତ୍ତର ରହିବ ତାହା ଭାରତ ପାଇଁ ଅତ୍ୟନ୍ତ ମହତ୍ତ୍ବ ବହନ କରେ। ଭାରତ ଯେ କେବେ ହେଲେ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଆଗ୍ରହୀ ନୁହେଁ, ତାହା ଏ ଦେଶ ସାରା ବିଶ୍ୱ ଓ ପାକିସ୍ତାନକୁ ସଂକେତ ଦେଇସାରିଛି। ଭାରତ ପକ୍ଷରୁ ଅତର୍କିତ ଆକ୍ରମଣର ଆଶଙ୍କା ହେତୁ କେତେ ଦଶନ୍ଧି ପୂର୍ବରୁ ପାକିସ୍ତାନ ତା’ର ଅଧିକାଂଶ ସେନାବାହିନୀକୁ ଭାରତ ସୀମାରେ ମୁତୟନ କରି ରଖିଥିଲା। ଏବେ ପାକିସ୍ତାନ ତା’ର ସେନାର ଅନେକାଂଶକୁ ଆଫଗାନିସ୍ତାନ ସୀମାରେ ମୁତୟନ କରିଛି। କାରଣ ବର୍ତ୍ତମାନ ପାକିସ୍ତାନର ତାଲିବାନ ଗୋଷ୍ଠୀ ସୀମା ପାର ହୋଇ ଆଫଗାନିସ୍ତାନର ତାଲିବାନ ସରକାରର ଛତ୍ରଛାୟା ତଳେ ପାକିସ୍ତାନୀ ସେନା ଉପରେ ନିରନ୍ତର ଆକ୍ରମଣ କରୁଛନ୍ତି। ଏହି ଅବକାଶରେ ପାକିସ୍ତାନ ସହ ଭାରତର ଶାନ୍ତି ପ୍ରକ୍ରିୟାର ସୁଦୃଢ଼ୀକରଣ ଏକ ବଡ଼ ଆବଶ୍ୟକତା ଅଟେ। ପାକିସ୍ତାନର ପୂର୍ବତନ ସେନାମୁଖ୍ୟ ଜେନେରାଲ କ୍ୱମର ବାଜୱା, ଭାରତ ସହ ଯେଉଁ ନିରବ କଥାବାର୍ତ୍ତାର ସୂଚନା ଦେଇଛନ୍ତି, ତାହା ହିଁ ଚାଲୁ ରହିବା ଦରକାର। କାରଣ ଭାରତ ହୁଏତ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ କଥାରେ ଉତ୍ସାହିତ ହୋଇ ପ୍ରକାଶ୍ୟରେ ସେ ଦେଶ ସହିତ ଶାନ୍ତି ବାର୍ତ୍ତା ଆରମ୍ଭ କରିଦେଇପାରେ, କିନ୍ତୁ ସେ ଦେଶରେ ରାଜନୈତିକ ଦଳଗୁଡ଼ିକ ଅତି ମାତ୍ରାରେ ପରସ୍ପର ବିରୋଧୀ ହୋଇଥିବାରୁ ଏହି ଶାନ୍ତି ବାର୍ତ୍ତା ଯେ କୌଣସି ସମୟରେ ଭାଙ୍ଗି ମଧ୍ୟ ଯାଇପାରେ।

ମୋ: ୯୪୩୭୦୨୦୨୯୦

ସମ୍ବନ୍ଧିତ ଖବର