ଆମେରିକା ଗଣତନ୍ତ୍ରର କଳଙ୍କିତ ନାୟକ

ଆଲୋକର ସନ୍ଧାନେ - ଅଭୟ ଦ୍ୱିବେଦୀ

‘ଜାନୁଆରି ୬ ତାରିଖ ବିଦ୍ରୋହର ମୁଖ୍ୟ ହେଉଛନ୍ତି ଜଣେ ବ୍ୟକ୍ତି; ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ, ଯାହାଙ୍କୁ ଅନ୍ୟମାନେ ଅନୁସରଣ କରିଥିଲେ। ଜାନୁଆରି ୬ ତାରିଖରେ ଯାହା କିଛି ଘଟିଥିଲା, ତାଙ୍କ ପ୍ରୋତ୍ସାହନ ବିନା ସମ୍ଭବ ହୋଇ ନ ଥାନ୍ତା।’ ଏହା ହେଉଛି ୨୦୨୧ ଜାନୁଆରି ୬ ତାରିଖରେ ଆମେରିକା ସଂସଦ ଭବନ ଆକ୍ରମଣ ତଦନ୍ତ ରିପୋର୍ଟର ଅଂଶବିଶେଷ। ଆକ୍ରମଣର ତଦନ୍ତ ନିମନ୍ତେ ହାଉସ୍ ଅଫ୍ ରିପ୍ରେଜେନଟେଟିଭ୍ ତରଫରୁ ୯ ଜଣ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରାଯାଇଥିଲା। ୨୦୨୨ ମସିହା ଡିସେମ୍ବର ୨୨ ତାରିଖରେ କମିଟିର ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ ପାଇଛି। ଆମେରିକା ସଂସଦ ଭବନ ଆକ୍ରମଣର ଘଟଣାକ୍ରମ ଥିଲା ଏହିଭଳି: ୨୦୨୦ ନଭେମ୍ବର ୩ ତାରିଖ ନିର୍ବାଚନରେ ଜୋ ବାଇଡେନ ବିଧିବଦ୍ଧ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ ମଧ୍ୟ ଟ୍ରମ୍ପ ପରାଜୟ ସ୍ୱୀକାର କରି ନଥିଲେ, ବରଂ ନିର୍ବାଚନରେ ଜାଲିଆତି ଅଭିଯୋଗ ଆଣି ଅଦାଲତରେ ୬୦ରୁ ଅଧିକ ମାମଲା ଦାଏର କରି ପରିଶେଷରେ ସୁପ୍ରିମ୍‌ କୋର୍ଟରେ ପରାସ୍ତ ହୋଇଥିଲେ।

ଆମେରିକା ନିର୍ବାଚନୀ ଆଇନ ଅନୁଯାୟୀ, ଜାନୁଆରି ୬ ତାରିଖରେ କଂଗ୍ରେସର ଉଭୟ ସଦନ ମିଳିତ ଅଧିବେଶନରେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ନାମ ଘୋଷଣା କରନ୍ତି ଏବଂ ଉପରାଷ୍ଟ୍ରପତି ଏହି ଅଧିବେଶନରେ ଅଧ୍ୟକ୍ଷତା କରିଥାନ୍ତି। ଜାନୁଆରି ୨୦ ତାରିଖରେ ନବ ନିର୍ବାଚିତ ରାଷ୍ଟ୍ରପତି ଶପଥ ଗ୍ରହଣ କରନ୍ତି। ଜାନୁଆରି ୫ ତାରିଖ ଦିନ ରାଷ୍ଟ୍ରପତି ଟ୍ରମ୍ପ ଉପରାଷ୍ଟ୍ରପତି ମାଇକ୍ ପେନ୍‌ସଙ୍କୁ ସାକ୍ଷାତ କରି ସାଂବିଧାନିକ ବିଧିବ୍ୟବସ୍ଥାକୁ ହେୟଜ୍ଞାନ ପୂର୍ବକ ତାଙ୍କ ନାମ ରାଷ୍ଟ୍ରପତି ଭାବେ ଘୋଷଣା କରିବା ପାଇଁ ଅନୁରୋଧ କରିଥିଲେ। ଏହି ମର୍ମରେ ରାଷ୍ଟ୍ରପତି ଟ୍ରମ୍ପ ୫ ତାରିଖ ଦିନ ଟୁଇଟ୍ କରିଥିଲେ-‘ଜାଲିଆତିରେ ନିର୍ବାଚିତ ରାଷ୍ଟ୍ରପତିଙ୍କ ନାମ ନାକଚ କରିବା ପାଇଁ ଉପରାଷ୍ଟ୍ରପତିଙ୍କର କ୍ଷମତା ରହିଛି।’ ଉପରାଷ୍ଟ୍ରପତି ମାଇକ୍ ପେନ୍‌ସ ନିଜର ସାଂବିଧାନିକ କ୍ଷମତାର ସୀମା ସଂପର୍କରେ ଅବଗତ ଥିବାରୁ ଏହି ପ୍ରସ୍ତାବରେ ରାଜି ହୋଇ ନ ଥିଲେ। ଦୁହିଁଙ୍କ ସାକ୍ଷାତ ଆଲୋଚନା ଗଣମାଧ୍ୟମରୁ ଲୁଚି ରହିଲା ନାହିଁ। ନିଜର ସ୍ଥିତି ସଳଖ ରଖିବା ପାଇଁ ୬ ତାରିଖ ଦିନ ଉପରାଷ୍ଟ୍ରପତି ମାଇକ୍ ପେନ୍‌ସ ଆମେରିକାବାସୀଙ୍କ ଉଦ୍ଦେଶ୍ୟରେ ଏକ ଦୀର୍ଘ ପତ୍ର ଗଣମାଧ୍ୟମରେ ପ୍ରକାଶ କରିଥିଲେ। ସେ ଲେଖିଥିଲେ- ‘ଚାରି ବର୍ଷ ପୂର୍ବେ ଦେଶର ଉପରାଷ୍ଟ୍ରପତି ଭାବେ ସଂବିଧାନର ସମର୍ଥନ ଓ ସୁରକ୍ଷା ନିମନ୍ତେ ଶପଥ ନେଇଥିଲି। ମୁଁ ଆମେରିକାବାସୀଙ୍କୁ ଆଶ୍ୱାସନା ଦେଉଛି, ମୁଁ ଯେଉଁ ଶପଥ ନେଇଥିଲି, ତାହା ନିଶ୍ଚିତ ପାଳନ କରିବି। ଆଜି ମିଳିତ ଅଧିବେଶନରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ଉପରେ ବିଭିନ୍ନ ରାଜ୍ୟର ଭୋଟ ଗଣତିକୁ ନେଇ ଯେଉଁ ଆଲୋଚନା ହେବ ତାହାର କାର୍ଯ୍ୟଧାରା ସଂବିଧାନ, ଆଇନ ଓ ପରଂପରା ଆଧାରରେ ନିର୍ବାହ କରିବି।’

ଉପରାଷ୍ଟ୍ରପତି ମାଇକ୍ ପେନ୍‌ସ ନିରାଶ କରିବାରୁ ଟ୍ରମ୍ପ ବଳପୂର୍ବକ ରାଷ୍ଟ୍ରପତି ଆସନ ଅକ୍ତିଆର କରିବା ପାଇଁ ଯୋଜନା କରିଥିଲେ। ପାର୍ଲାମେଣ୍ଟ ଭବନ ଆକ୍ରମଣର ଦୁଇଟି ଉଦ୍ଦେଶ୍ୟ ଥିଲା। ପ୍ରଥମତଃ, କୌଣସି କାରଣରୁ ନୂତନ ରାଷ୍ଟ୍ରପତିଙ୍କ ନାମ ଘୋଷଣା ନ ହୋଇପାରିଲେ, ସେ ରାଷ୍ଟ୍ରପତି ଆସନରେ ରହିପାରିବେ। ଦ୍ୱିତୀୟତଃ, ଯାହା ସବୁଠାରୁ ଅଧିକ ସାଂଘାତିକ, ନିର୍ବାଚନୀ ଜାଲିଆତି ଅଭିଯୋଗରେ ଯଦି ହିଂସାତ୍ମକ ବିଦ୍ରୋହ ଆରମ୍ଭ ହୁଏ, ଅରାଜକତାର ଦ୍ୱାହି ଦେଇ ସେ ଦେଶରେ ‘ରାଜଦ୍ରୋହ ଆଇନ’ ଲାଗୁ କରି ପାରିବେ। ଏହି ଆଇନ ବଳରେ ରାଷ୍ଟ୍ରପତି ଦେଶରେ ସେନା ମୁତୟନ କରି ପୁନଶ୍ଚ ଶାସନ କ୍ଷମତା ନିଜ ହାତରେ ରଖି ପାରିବେ। ରାଷ୍ଟ୍ରପତି ଭବନରୁ ପାର୍ଲାମେଣ୍ଟ ଭବନର ଦୂରତା ମାତ୍ର ଦୁଇ ମାଇଲ। ଜାନୁଆରି ୬ ତାରିଖ ଦିନ ରାଷ୍ଟ୍ରପତି ଟ୍ରମ୍ପ, ରାଷ୍ଟ୍ରପତି ଭବନ ନିକଟବର୍ତ୍ତୀ ୫୨ ଏକର ପରିମିତ ଏଲିପ୍‌ସ ପାର୍କରେ ସମବେତ ପ୍ରାୟ ଦୁଇ ହଜାର ସମର୍ଥକଙ୍କୁ ୭୦ ମିନିଟର ଉଦ୍‌ବୋଧନରେ କାପିଟଲ୍ ହିଲ୍ ଅକ୍ତିଆର କରିବା ପାଇଁ ଉତ୍ତେଜିତ କରିଥିଲେ। ସେ କହିଥିଲେ- ‘ଏ ଜାଲିଆତି ନିର୍ବାଚନର ଫଳାଫଳ ବିରୋଧରେ ଆମକୁ କଠୋର ସଂଗ୍ରାମ କରିବାକୁ ପଡ଼ିବ। ଯଦି ମାଇକ୍ ପେନ୍‌ସ ସହଯୋଗ ନ କରନ୍ତି, ଦେଶ ପାଇଁ ଏହା ହେବ ଦୁଃଖଦ ଘଟଣା। ଏହି ନିର୍ବାଚନ ଫଳାଫଳ ଆମ ଗଣତନ୍ତ୍ର ଉପରେ ଶକ୍ତ ପ୍ରହାର ସଦୃଶ। ପ୍ରତିବାଦ ସ୍ୱରୂପ, ଆମେ ସଭିଏଁ କାପିଟଲ ହିଲ୍‌କୁ ଧସେଇ ପଶିବା।’ ଏହାପରେ ତାଙ୍କର ସମର୍ଥକମାନେ ହାତରେ ମାରଣାସ୍ତ୍ର ଧରି ସଂସଦ ଭବନ ଉପରେ ଆକ୍ରମଣ କରିଥିଲେ। ସେହି ସମୟରେ ଆମେରିକାର ମିଳିତ ସଦନ, ବିଭିନ୍ନ ରାଜ୍ୟର ଭୋଟ ଗଣତି ଆଧାରରେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ନାମ ଘୋଷଣାର ଅନ୍ତିମ ସୋପାନରେ ଉପନୀତ ଥିଲେ।

ଦୀର୍ଘ ଅଠର ମାସର ବିସ୍ତୃତ ତଦନ୍ତ, ଏକ ହଜାରରୁ ଅଧିକ ବ୍ୟକ୍ତିଙ୍କ ସାକ୍ଷାତକାର ଏବଂ ଏକ ଲକ୍ଷରୁ ଅଧିକ ଦସ୍ତାବିଜର ସମୀକ୍ଷା ପରେ ତଦନ୍ତ କମିସନ, ୮୪୫ ପୃଷ୍ଠା ସମ୍ବଳିତ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିଛନ୍ତି। ଆଠଟି ଅଧ୍ୟାୟରେ ପର୍ଯ୍ୟବସିତ ଏହି ରିପୋର୍ଟରେ ସଂସଦ ଭବନ ଉପରେ ହିଂସାତ୍ମକ ଆକ୍ରମଣର ପୃଷ୍ଠଭୂମି, ୧୮୭ ମିନିଟ କାଳ ଆକ୍ରମଣର ରୂପରେଖ, ଆକ୍ରମଣର ଅନ୍ତିମ ପରିଣତି ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ବ୍ୟାପକ ସୂଚନା ପ୍ରଦାନ କରାଯାଇଛି। ଡୋନାଲ୍‌ଡ ଟ୍ରମ୍ପ ରାଷ୍ଟ୍ରପତି ଆସନ ଅକ୍ତିଆର କରିବା ନିମନ୍ତେ କିପରି ମିଥ୍ୟାର ସାହାରା ନେଇ, ନ୍ୟାୟ ବିଭାଗକୁ ପ୍ରଭାବିତ କରି ନିଜର ସାଂବିଧାନିକ ଦାୟିତ୍ୱକୁ ଅଣଦେଖା କରିଥିଲେ, ତାହାର ଚିତ୍ର ପ୍ରଦାନ କରାଯାଇଛି। ଦଣ୍ଡବିଧାନ କ୍ଷମତା ସିଲେକ୍ଟ କମିଟି ପରିସରଭୁକ୍ତ ନ ଥିବାରୁ, ସନ୍ଦିଗ୍‌ଧ ଅପରାଧ ନିମନ୍ତେ ଡୋନାଲ୍‌ଡ ଟ୍ରମ୍ପ ଏବଂ ତାଙ୍କର ଚାରି ସହଯୋଗୀଙ୍କ ଉପରେ ଚାରିଟି ପ୍ରମୁଖ କ୍ଷେତ୍ରରେ ମକଦ୍ଦମା ଚଳାଇବା ପାଇଁ ତଦନ୍ତ କମିଟି ନ୍ୟାୟ ବିଭାଗକୁ ସୁପାରିଶ କରିଛି। ସେଗୁଡ଼ିକ ହେଲା: ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା, ରାଷ୍ଟ୍ରବିରୋଧୀ କାର୍ଯ୍ୟରେ ଲିପ୍ତ ରହିବା, ମିଥ୍ୟାର ସାହାରା ନେବା, ରାଷ୍ଟ୍ର ବିରୋଧରେ ହିଂସାତ୍ମକ ବିଦ୍ରୋହକୁ ସହାୟତା ଓ ପ୍ରୋତ୍ସାହନ ପ୍ରଦାନ କରିବା।

ଡୋନାଲ୍‌ଡ ଟ୍ରମ୍ପଙ୍କ ଶାସନକାଳ ଆମେରିକା ଗଣତାନ୍ତ୍ରିକ ଇତିହାସର କଳଙ୍କିତ ଅଧ୍ୟାୟ। ୨୦୧୭ ମସିହା ଜାନୁଆରି ୨୦ ତାରିଖରେ ଶପଥ ଗ୍ରହଣର ସପ୍ତାହକ ପରେ ‘ସାତଟି ମୁସଲମାନବହୁଳ ରାଷ୍ଟ୍ରର ନାଗରିକ ଦେଶରେ ପ୍ରବେଶ କରିପାରିବେ ନାହିଁ’ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ। ଏଥିରେ ଆଇନଗତ ସମସ୍ୟା ଉପୁଜିବାରୁ ସେପ୍‌ଟେମ୍ବର ୨୪ ତାରିଖରେ ସେ ଜାତୀୟ ସୁରକ୍ଷା ଆଳରେ ‘ରାଷ୍ଟ୍ରପତି ଘୋଷଣାନାମା’ ଜାରି କଲେ। ପ୍ରସଙ୍ଗ ସୁପ୍ରିମ୍‌ କୋର୍ଟ ଆସିବା ପରେ ୨୦୧୮ ଜୁନ୍‌ ୨୬ ତାରିଖରେ ଉଚ୍ଚତମ ନ୍ୟାୟାଳୟ ‘ଜାତୀୟ ସୁରକ୍ଷା ଆଧାରରେ’ ଘୋଷଣାନାମା ସମର୍ଥନରେ ୫-୪ ଭୋଟରେ ରାୟ ଦେଇଥିଲେ ସତ, କିନ୍ତୁ ରାୟର ଅନ୍ତିମ ଭାଗରେ ବିଚାରପତି ସୋନିଆ ସେଟୋମେୟର ଯାହା ଉଲ୍ଲେଖ କରିଛନ୍ତି ତାହାର ପ୍ରଥମ କେତୋଟି ବାକ୍ୟ ପ୍ରଣିଧାନଯୋଗ୍ୟ- “ଯୁକ୍ତରାଷ୍ଟ୍ର ଆମେରିକା ଧାର୍ମିକ ସ୍ୱତନ୍ତ୍ରତାର ପ୍ରତିଭୂ ଉପରେ ପ୍ରତିଷ୍ଠିତ। ସଂବିଧାନର ପ୍ରଣେତାମାନେ ଏହାର ଗୁରୁତ୍ୱ ଅନୁଭବ କରି ଧର୍ମ ନିରପେକ୍ଷତାର ଆଦର୍ଶକୁ ପ୍ରଥମ ସଂଶୋଧନ (ଫାଷ୍ଟ୍ ଆମେଣ୍ଡମେଣ୍ଟ) ଅନ୍ତର୍ଭୁକ୍ତ କରିଥିଲେ। ଆଜି ନ୍ୟାୟାଳୟର ନିଷ୍ପତ୍ତି ସେହି ମୌଳିକ ଆଦର୍ଶକୁ ସୁରକ୍ଷା ଦେବାରେ ଅସମର୍ଥ ହୋଇଛି। ଯେଉଁ ବ୍ୟକ୍ତି ମୁସଲମାନଙ୍କୁ ରାଷ୍ଟ୍ରରେ ପ୍ରବେଶ ନିମନ୍ତେ ବାରଣ କରିବା ପାଇଁ ନିର୍ବାଚନୀ ପ୍ରଚାର ସମୟରେ ମୁକ୍ତ କଣ୍ଠରେ ଘୋଷଣା କରୁଥିଲେ ଆଜି ସେଥିରେ ଜାତୀୟ ସୁରକ୍ଷା ଆଳରେ ରାଷ୍ଟ୍ରପତିଙ୍କ ମୋହର ବସିଛି। ଅତୀତର ପ୍ରମାଣ ଆଧାରରେ କେହି ସମ୍ବେଦନଶୀଳ ପର୍ଯ୍ୟବେକ୍ଷକ ଅନ୍ତିମ ସିଦ୍ଧାନ୍ତରେ ଉପନୀତ ହେବେ ଯେ ଏହି ଉଦ୍‌ଘୋଷଣା ମୁସଲମାନ ବିରୋଧୀ ଚିନ୍ତାଧାରା ଦ୍ୱାରା ଅନୁପ୍ରେରିତ।”

ଡୋନାଲ୍‌ଡ ଟ୍ରମ୍ପ ହେଉଛନ୍ତି ଆମେରିକାର ପ୍ରଥମ ରାଷ୍ଟ୍ରପତି ଯାହାଙ୍କ ବିରୋଧରେ ଦୁଇ ଥର ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଇଥିଲା। ୨୦୧୮ ମାର୍ଚ୍ଚ ମାସରେ ଚୀନର କମ୍ୟୁନିଷ୍ଟ ପାର୍ଟି ଘୋଷଣା କରିଥିଲା- ‘ରାଷ୍ଟ୍ରପତି ଜିନ୍‌ପିଙ୍ଗ୍ ଦୁଇ ପାଳି ନୁହେଁ, ସାରା ଜୀବନ ରାଷ୍ଟ୍ରପତିି ପଦରେ ରହିପାରିବେ।’ ସେହି ସମୟରେ ଡୋନାଲ୍‌ଡ ଟ୍ରମ୍ପ ମନ୍ତବ୍ୟ ଦେଇଥିଲେ- ‘ଜିନ୍‌ପିଙ୍ଗ୍ ହେଉଛନ୍ତି ମହାନ ବ୍ୟକ୍ତି। ସେ ସାରା ଜୀବନ ରାଷ୍ଟ୍ରପତି ରହିପାରିବେ। ଆମକୁ ମଧ୍ୟ ସେହି ମାର୍ଗରେ ଚିନ୍ତା କରିବାକୁ ପଡ଼ିବ।’ ଏହି ପଦିଏ କଥା, ତାଙ୍କ ଏକଛତ୍ରବାଦୀ ଚିନ୍ତାଧାରାର ପ୍ରତିଫଳନ। ରାଷ୍ଟ୍ରପତି ଟ୍ରମ୍ପ ୨୦୧୮ ମସିହାରେ ଗଣମାଧ୍ୟମକୁ ‘ଗଣତନ୍ତ୍ରର ଶତ୍ରୁ’ ବୋଲି ଅଭିହିତ କରିଥିଲେ। ଏହାର ପ୍ରତିବାଦରେ ଦେଶର ୩୫୦ରୁ ଅଧିକ ସମ୍ବାଦପତ୍ର ସଂପାଦକୀୟ ସ୍ତମ୍ଭରେ ରାଷ୍ଟ୍ରପତିଙ୍କୁ ନିନ୍ଦା କରିଥିଲେ। ଖ୍ୟାତିସଂପନ୍ନ ଖବରକାଗଜ ନ୍ୟୁୟର୍କ ଟାଇମ୍‌ସ ଲେଖିଥିଲା- “‘ରାଷ୍ଟ୍ରପତିଙ୍କୁ ଯାହା ସୁହାଇବ ନାହିଁ, ତାହା ମିଥ୍ୟା ଖବର ଓ ସାମ୍ବାଦିକମାନେ ସାଧାରଣ ଜନତାଙ୍କର ଶତ୍ରୁ’- ଏ ମନ୍ତବ୍ୟ ଆମେରିକାର ରାଷ୍ଟ୍ରପତିଙ୍କ ଠାରୁ ଆଶା କରାଯାଏ ନାହିଁ। ଏହା ଗଣତନ୍ତ୍ର ଉପରେ ସମ୍ମୁଖ ଆକ୍ରମଣ।” ନିକଟରେ ଅଭିଯୋଗ ଆସିଛି, ସେ ଅନେକ ଗୁପ୍ତ ସରକାରୀ ଦସ୍ତାବିଜ ହ୍ୱାଇଟ୍ ହାଉସରୁ ତାଙ୍କ ବାସଭବନକୁ ସ୍ଥାନାନ୍ତର କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପଙ୍କ ନାମରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଥିଲା, ସେ କ୍ଷମତା ଅପବ୍ୟବହାର କରି ନିଜ ବ୍ୟବସାୟ ସାମ୍ରାଜ୍ୟର ଅଭିବୃଦ୍ଧି ସାଧନ କରୁଛନ୍ତି ଏବଂ ହ୍ୱାଇଟ ହାଉସର ସମ୍ବେଦନଶୀଳ କାର୍ଯ୍ୟଭାର ପରିବାର ସଦସ୍ୟଙ୍କ ଉପରେ ନ୍ୟସ୍ତ କରିଛନ୍ତି। ୨୦୧୭ ଜୁଲାଇରୁ ୨୦୧୯ ଜାନୁଆରି ପର୍ଯ୍ୟନ୍ତ ହ୍ୱାଇଟ୍ ହାଉସ୍‌ର ମୁଖ୍ୟ ଥିଲେ ଜନ୍ କେଲୀ।

ରାଷ୍ଟ୍ରପତିଙ୍କ କାର୍ଯ୍ୟରେ କନ୍ୟା ଇଭାଙ୍କା ଏବଂ ଜ୍ୱାଇଁ କସନର୍‌ଙ୍କ ଅନଧିକାର ହସ୍ତକ୍ଷେପକୁ ବିରୋଧ କରି ସେ ଇସ୍ତଫା ଦେଇଥିଲେ। ଅନେକ ସମୟରେ ରାଷ୍ଟ୍ରପତି ଟ୍ରମ୍ପ ପାଗଳଙ୍କ ପରି ପ୍ରଳାପ କରିଛନ୍ତି। ଭାରତ ତରଫରୁ ପ୍ରତ୍ୟାଖାନ ସତ୍ତ୍ୱେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ପାଇଁ ସେ ଅନେକ ଥର ପ୍ରସ୍ତାବ ଦେଇଥିଲେ। ୨୦୧୯ ସେପ୍‌ଟେମ୍ବର ମାସରେ ଡେନ୍‌ମାର୍କ ଗସ୍ତ ପୂର୍ବରୁ ଗ୍ରିନଲାଣ୍ଡ୍‌ ଦ୍ୱୀପପୁଞ୍ଜ କିଣିବା ପାଇଁ ସେ ଘୋଷଣା କଲେ। ଗ୍ରିନଲାଣ୍ଡ୍‌ ହେଉଛି ଡେନମାର୍କ ଅଧୀନସ୍ଥ ସ୍ୱୟଂଶାସିତ ଭୂଖଣ୍ଡ ଏବଂ ବିଶ୍ୱର ସର୍ବବୃହତ୍‌ ଦ୍ୱୀପପୁଞ୍ଜ। ଡେନମାର୍କ ପ୍ରଧାନମନ୍ତ୍ରୀ ଫ୍ରେଡରିକସନ୍ ଆଶ୍ଚର୍ଯ୍ୟ ହୋଇ ମନ୍ତବ୍ୟ ଦେଇଥିଲେ- ‘ଗ୍ରିନଲାଣ୍ଡ ବିକ୍ରି ପାଇଁ ଉଦ୍ଦିଷ୍ଟ ନୁହେଁ।’ ଏହାପରେ ରାଷ୍ଟ୍ରପତି ଟ୍ରମ୍ପ କ୍ରୋଧାନ୍ୱିତ ହୋଇ ଡେନମାର୍କ ଗସ୍ତ ବାତିଲ କରିଥିଲେ। ଡେନମାର୍କର ପୂର୍ବତନ ବୈଦେଶିକ ମନ୍ତ୍ରୀ ଭିଲି ସୋଣ୍ଡାଲ ବ୍ୟଙ୍ଗାତ୍ମକ ସ୍ୱରରେ କହିଥିଲେ- ‘ଯଦି ଟ୍ରମ୍ପ ଗୋଟିଏ ସର୍କସର ଜୋକର ହୋଇଥାନ୍ତେ, ଆମେ ତାଙ୍କ ମନ୍ତବ୍ୟରେ ଆମୋଦିତ ହୋଇଥାନ୍ତେ। ଦୁର୍ଭାଗ୍ୟ, ସେ ଗୋଟିଏ ଶକ୍ତିଶାଳୀ ରାଷ୍ଟ୍ରର ଶାସନମୁଖ୍ୟ।’

ବିଖ୍ୟାତ ଔପନ୍ୟାସିକ ଦସ୍ତୋୟଭ୍‌ସ୍କିଙ୍କ ‘କ୍ରାଇମ୍ ଆଣ୍ଡ୍‌ ପନିସ୍‌ମେଣ୍ଟ’ ଉପନ୍ୟାସର ମୁଖ୍ୟ ଚରିତ୍ର ରୋଡୋନ୍ ରସ୍‌କୋଲନିକଭ୍ ଏବଂ ଡୋନାଲ୍‌ଡ ଟ୍ରମ୍ପଙ୍କ ମଧ୍ୟରେ ଅପୂର୍ବ ସାମଞ୍ଜସ୍ୟ ରହିଛି। ନାୟକ ରୋଡୋନ୍ ଦୁଇ ଜଣ ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ସେହି ଅପରାଧକୁ ଅସାଧାରଣ ବ୍ୟକ୍ତିର ଶକ୍ତି ପ୍ରଦର୍ଶନ ଭାବେ ପ୍ରମାଣ କରିବା ପାଇଁ ପ୍ରୟାସ କରିଛି। ସେହିଭଳି ତଦନ୍ତ ରିପୋର୍ଟ ସଂପର୍କରେ ଡୋନାଲ୍‌ଡ ଟ୍ରମ୍ପ ମନ୍ତବ୍ୟ ଦେଇଛନ୍ତି- ‘ଆମେରିକା ସରକାର ନିର୍ବାଚନ ଫଳାଫଳକୁ ପରିବର୍ତ୍ତନ କରି ଦେଶ ଓ ବିଶ୍ୱର ଯେଉଁ କ୍ଷତି କରିଛନ୍ତି, ତାହାର ଆକଳନ ସହଜ ନୁହେଁ। ଏହା ପ୍ରମାଣ କରିଛି ଟ୍ରମ୍ପ ଜିତିଛନ୍ତି ଏବଂ ତାହା ହିଁ ସତ୍ୟ।’ ଉପନ୍ୟାସ ଆଉ ବାସ୍ତବତା ମଧ୍ୟରେ ପାର୍ଥକ୍ୟ ଏତିକି, ନାୟକ ରୋଡୋନ୍ ପରିଶେଷରେ ନିଜର ଦୋଷ ସ୍ୱୀକାର କରି ଜେଲ୍ ଦଣ୍ଡ ଭୋଗିଥିବା ବେଳେ, ଟ୍ରମ୍ପ୍ ପୁନଶ୍ଚ ୨୦୨୪ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିସାରିଛନ୍ତି।

ମୋ- ୯୪୩୭୧୯୧୩୫୦

ସମ୍ବନ୍ଧିତ ଖବର