ଗତ ବର୍ଷ ଭାରତର ବିଭିନ୍ନ ଟ୍ରାଏଲ୍ କୋର୍ଟ ସମୁଦାୟ ୧୬୫ଟି ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି, ଯାହା ହେଉଛି ୨୦୦୦ ମସିହା ପରଠାରୁ ଗୋଟିଏ ବର୍ଷରେ ଦିଆଯାଇଥିବା ସର୍ବାଧିକ ସଂଖ୍ୟକ ମୃତ୍ୟୁ ଦଣ୍ଡାଦେଶ। ଏହା ସହିତ ମୃତ୍ୟୁ ଦଣ୍ଡ ମିଳିବା ପରେ ଦଣ୍ଡ କାର୍ଯ୍ୟକାରୀ ହେବା ଅପେକ୍ଷାରେ ଥିବା ଅପରାଧୀଙ୍କ ସଂଖ୍ୟା ୨୦୦୪ ପରେ ସର୍ବାଧିକ ସ୍ତରରେ ପହଞ୍ଚିଛି। ‘ପ୍ରୋଜେକ୍ଟ ୩୯ଏ’ ନାମକ ଏକ ଅପରାଧୀ ସଂସ୍କାର ସମର୍ଥକ ଗୋଷ୍ଠୀ ନିକଟରେ ଫାଶୀ ଦଣ୍ଡର ଏକ ତଥ୍ୟପୂର୍ଣ୍ଣ ରିପୋର୍ଟ ପ୍ରକାଶ କରିଛି। ‘ଡେଥ୍ ପେନାଲ୍ଟି ଇନ୍ ଇଣ୍ଡିଆ’ ଶୀର୍ଷକ ସହିତ ପ୍ରକାଶିତ ୨୦୨୨ର ବାର୍ଷିକ ପରିସଂଖ୍ୟାନ ରିପୋର୍ଟ ଅନୁସାରେ ଗତ ବର୍ଷ ଶେଷ ସୁଦ୍ଧା ଦେଶରେ ସମୁଦାୟ ୫୩୯ ଜଣ ମୃତ୍ୟୁ ଦଣ୍ଡ ଅପେକ୍ଷାରେ ଅଛନ୍ତି। ଏଥି ମଧ୍ୟରୁ ସର୍ବାଧିକ ୧୦୦ ଜଣ ଉତ୍ତର ପ୍ରଦେଶ ଜେଲରେ ଥିବା ବେଳେ ଗୁଜରାଟ, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ଯଥାକ୍ରମେ ୬୧, ୪୬ ଓ ୩୯ ଜଣ ଅଛନ୍ତି। ସେହିପରି ଓଡ଼ିଶାରେ ୧୩ ଜଣଙ୍କ ମୃତ୍ୟୁ ଦଣ୍ଡ କାର୍ଯ୍ୟକାରୀ ହେବା ବାକୀ ରହିଛି। ୨୦୨୨ରେ ପ୍ରଦାନ କରାଯାଇଥିବା ୧୬୫ଟି ମୃତ୍ୟୁ ଦଣ୍ଡାଦେଶ ମଧ୍ୟରେ ରହିଛି ଗୁଜରାଟରେ କେବଳ ଗୋଟିଏ ମାମଲାରେ ଅପ୍ରତ୍ୟାଶିତ ଭାବେ ୩୮ ଜଣଙ୍କୁ ପ୍ରଦାନ କରାଯାଇଥିବା ମୃତ୍ୟୁ ଦଣ୍ଡ। ୨୦୦୮ ମସିହାର ଅହମ୍ମଦାବାଦ ସିରିଆଲ ବୋମା ବିସ୍ଫୋରଣ ମାମଲାରେ ଏମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଅପରାଧୀଙ୍କ ମଧ୍ୟରୁ ୫୧.୨% ବଳାତ୍କାର ଓ ୩୩.୩୩% ହତ୍ୟା ଅଭିଯୋଗରେ ଦୋଷୀ। ‘ପ୍ରୋଜେକ୍ଟ ୩୯ଏ’ ପକ୍ଷରୁ କୁହାଯାଇଛି ଯେ ଟ୍ରାଏଲ୍ କୋର୍ଟମାନଙ୍କରେ ମୃତ୍ୟୁ ଦଣ୍ଡାଦେଶ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଉଚ୍ଚତର କୋର୍ଟମାନଙ୍କରେ ପୁନର୍ବିଚାର ନେଇ କମ୍ ସଂଖ୍ୟକ ମାମଲା ଯାଉଛି। କିନ୍ତୁ ଟ୍ରାଏଲ୍ କୋର୍ଟ ଦ୍ବାରା ପ୍ରଦତ୍ତ ମୃତ୍ୟୁ ଦଣ୍ଡାଦେଶରୁ ଖୁବ୍ କମ୍ ଉଚ୍ଚତର କୋର୍ଟରେ କାଏମ ରହିପାରୁଛି। ୨୦୨୨ ମସିହାରେ ଏଭଳି ୬୮ଟି ମାମଲାର ଶୁଣାଣି ପରେ ମାତ୍ର ୪ ଜଣଙ୍କ ମୃତ୍ୟୁ ଦଣ୍ଡାଦେଶ କାଏମ ରହିଥିବା ବେଳେ ୧୯ଟି ମାମଲରେ ୪୦ ଜଣ ଅଭିଯୁକ୍ତ ଦୋଷମୁକ୍ତ ହୋଇଛନ୍ତି ଏବଂ ୩୯ଟି ମାମାଲରେ ଦଣ୍ଡ କୋହଳ କରାଯାଇଛି। ଛଅଟି ମାମଲାର ପୁନଃଶୁଣାଣି ପାଇଁ ଟ୍ରାଏଲ୍ କୋର୍ଟ ଗୁଡ଼ିକୁ ଆଦେଶ ଦିଆଯାଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା, ମୃତ୍ୟୁ ଦଣ୍ଡ ପାଇଁ ଆଦେଶ ପାଇ ବର୍ଷ ବର୍ଷ ଧରି ଶତାଧିକ ଅପରାଧୀ ଜେଲ୍ରେ ଥିବା ବେଳେ ମୃତ୍ୟୁ ଦଣ୍ଡ କାର୍ଯ୍ୟକାରୀ ହେବାର ହାର ଖୁବ୍ ମନ୍ଥର ରହିଆସିଛି। ଶେଷ ଥର ୨୦୨୦ ମାର୍ଚ୍ଚରେ ୨୦୧୨ ମସିହାର ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଚାରିଜଣ ଦୋଷୀଙ୍କୁ ତିହାର ଜେଲରେ ଫାଶୀ ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/darpana-fff.jpg)