ଦ୍ୱନ୍ଦ୍ୱରେ ମଣିଷ

ଚିନ୍ମୟ ଚେତନା - ଚିନ୍ମୟ ହୋତା

ଜୀବନ ଅଛି ମାନେ ସମସ୍ୟା ଅଛି, ଆଉ ସମସ୍ୟା ରହିଛି ମାନେ ତା’ର ସମାଧାନ କରିବାର ଆବଶ୍ୟକତା ମଧ୍ୟ ରହିଛି। କଥାଟି ସାଧାରଣ ଲାଗୁଥିଲେ ବି ୟା ପଛରେ ଲୁଚି ରହିଛି ମଣିଷ ପାଇଁ ସବୁଠୁ ବଡ଼ ଚାପ। ସମସ୍ୟାଟି ସରଳ ହୋଇପାରେ ଅଥବା ଜଟିଳ, ମଣିଷକୁ ସେଥିରୁ ବର୍ତ୍ତିବା ପାଇଁ କିଛି ନିଷ୍ପତ୍ତି ନେବାକୁ ପଡ଼ିବ। ମଣିଷ ନିଷ୍ପତ୍ତି ନେଇପାରେ ବୋଲି ତ ସେ ଜଟିଳ ପରିସ୍ଥିତିଗୁଡ଼ିକରୁ ଅନେକ ସମୟରେ ଭଲରେ ମୁକୁଳି ଯାଇପାରେ ଏବଂ ନିଜର ବୁଦ୍ଧି ଓ ବିବେକ ଲଗାଇ ନିଜକୁ ସୁରକ୍ଷିତ ରଖିପାରେ। କିନ୍ତୁ ନିଷ୍ପତ୍ତି ନେବାଟା ଜମାରୁ ଏକ ସହଜ କାମ ନୁହେଁ।

ପଶୁପକ୍ଷୀଙ୍କ କଥା ଅଲଗା। ସହଜରେ ଖାଦ୍ୟ ଯୋଗାଡ଼ କରିପାରିଲେ ତାଙ୍କ ଜୀବନର ବଡ଼ ସମସ୍ୟାର ସମାଧାନ ହୋଇଯାଏ। ଆଉ ବିପଦ ପଡ଼ିଲେ ତାଙ୍କ ଆଗରେ କେବଳ ଦୁଇଟି ବାଟ -ଆକ୍ରମଣ କିମ୍ବା ପଳାୟନ- ଭିତରୁ ଗୋଟିଏକୁ ବାଛିବାକୁ ପଡ଼ିଥାଏ। ଅବଶ୍ୟ ବେଳେବେଳେ ଗୋଟିଏ ପନ୍ଥା ଗ୍ରହଣ କରିବା ପରେ ବି ପରିସ୍ଥିତି ଦେଖି ସେମାନଙ୍କୁ ନିଷ୍ପତ୍ତି ବଦଳେଇବାକୁ ପଡ଼ିଥାଏ, ଯେମିତି କି ଆକ୍ରମଣ ନିୟନ୍ତ୍ରଣରୁ ବାହାରିଗଲେ ଲଢ଼େଇ ମଝିରେ ଛତ୍ରଭଙ୍ଗ ଦେବାକୁ ପଡ଼େ।

ନିଜ ଆଗରେ ବିଛେଇ ହୋଇ ପଡ଼ିଥିବା ବିକଳ୍ପଗୁଡ଼ିକରୁ ଗୋଟିଏକୁ ବାଛିବାର ଆବଶ୍ୟକତା ମଣିଷ ମନରେ ସୃଷ୍ଟି କରିଥାଏ ଦ୍ୱନ୍ଦ୍ୱ। ମଣିଷ ଶିଶୁଟିଏ ମଧ୍ୟ ଏହି ଦ୍ୱନ୍ଦ୍ୱର ଚାପରୁ ମୁକ୍ତ ନୁହେଁ। ଶଯ୍ୟାରେ ଶୋଇ କାନ୍ଦୁଥିବା ଶିଶୁଟିକୁ ତା’ର ମା ହାତ ବଢ଼ାଇ କୋଳକୁ ନେବାକୁ ଯାଉଥିବା ବେଳେ ଅନ୍ୟ ପଟେ ଜଣେ ଯଦି ମୋବାଇଲରେ ଭିଡିଓଟିଏ ତା’ ଆଡ଼େ ଦେଖାଇଦିଏ ଶିଶୁଟି ଦ୍ବନ୍ଦ୍ୱରେ ପଡ଼ିଯାଏ: ମା କୋଳକୁ ଯିବି ନା ମୋବାଇଲଟି ନେବାକୁ ଚେଷ୍ଟା କରିବି। ଶିଶୁ ଅବସ୍ଥାରେ ଆରମ୍ଭ ହୋଇ ଯାଉଥିବା ଏହି ଦ୍ବନ୍ଦ୍ୱ ସାରା ଜୀବନ ମଣିଷର ପିଛା ଛାଡ଼େନି। କିଶୋର ଅବସ୍ଥାରେ ଭଲ ପାଉଥିବା ଝିଅଟିକୁ ନିଜ ମନର କଥା ପ୍ରକାଶ କରିବାକୁ ଅନେକ ଚେଷ୍ଟା କରି ସେ ବାରମ୍ବାର ବିଫଳ ହୋଇଥାଏ। ସେହି ଅକୁହା କଥାର ବୋଝ ହୁଏତ ତାକୁ ସାରା ଜୀବନ ବୋହିବାକୁ ପଡ଼ିପାରେ; କିନ୍ତୁ ଠିକ୍‌ ସମୟରେ ଦ୍ୱନ୍ଦ୍ୱର ପ୍ରାଚୀର ଡେଇଁ ସେ ସହଜରେ ଆଗକୁ ବଢ଼ିପାରେ ନାହିଁ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ବଢ଼ିଚାଲେ ଦ୍ୱନ୍ଦ୍ୱର ପ୍ରାଦୁର୍ଭାବ। ପାଠର ବିଷୟ ଚୟନ କରିବାରେ, ଚାକିରି ଜୀବନରେ, ସମ୍ପର୍କ ଗଢ଼ିବା ଆଉ ଭାଙ୍ଗିବାରେ, ଦାଂପତ୍ୟ ଜୀବନରେ, ପିଲାଙ୍କୁ ବଢ଼ାଇବା କ୍ଷେତ୍ରରେ ଓ ଜୀବନର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଦ୍ୱନ୍ଦ୍ୱ ମଣିଷର ସାଥିରେ ରହିଥାଏ। ବେଳେବେଳେ ଦ୍ୱନ୍ଦ୍ୱର ତୀବ୍ରତା ଏତେ ବଢ଼ିଯାଏ ଯେ ମଣିଷ କୌଣସି ନିଷ୍ପତ୍ତି ନ ନେଇ ପଶୁପକ୍ଷୀଙ୍କ ପରି ଯୁଦ୍ଧ କ୍ଷେତ୍ରରୁ ପଳାୟନ କରିବାକୁ ଚେଷ୍ଟା କରେ; ଠିକ୍‌ ଜଣେ ସ୍କୁଲ ପିଲା ପରୀକ୍ଷାରେ ଖରାପ କଲା ପରେ ଘରେ ଭର୍ତ୍ସନା ପାଇବା ଭୟରେ ଘର ଛାଡ଼ି ପଳାଇବା ଭଳି।

ଦୁନିଆରେ ସମସ୍ତେ ତ ଆଉ ପଳାୟନପନ୍ଥୀ ନୁହନ୍ତି! ତେଣୁ ବିଭିନ୍ନ ଉପାୟରେ ଦ୍ବନ୍ଦ୍ୱର ମୁକାବିଲା କରିବାର ଚେଷ୍ଟା କରିଥାଏ ମଣିଷ। ଏହି ଦ୍ୱନ୍ଦ୍ୱର ମୁକାବିଲା ପୁଣି ବିଭିନ୍ନ ପ୍ରକାରର: କେତେବେଳେ ‘ରାମାୟଣ’ର ଲକ୍ଷ୍ମଣଙ୍କ ପରି ତ କେତେବେଳେ ‘ମହାଭାରତ’ର ଅର୍ଜୁନଙ୍କ ଭଳି। କେତେବେଳେ ସେକ୍‌ସପିଅର୍‌ଙ୍କ ହାମଲେଟ ଭଳି ତ କେତେବେଳେ ଦାର୍ଶନିକ ବୁରିଦାନ୍‌ଙ୍କ ବର୍ଣ୍ଣିତ ଭୋକିଲା ଗଧଟିଏ ଭଳି।

ସୀତାଙ୍କର କଥାରେ ସୁନା ମିରିଗ ଆଣିବା ଲାଗି ରାମଚନ୍ଦ୍ର ବନ ଭିତରକୁ ଚାଲିଗଲା ବେଳେ ଭ୍ରାତା ଲକ୍ଷ୍ମଣଙ୍କୁ ସୀତାଙ୍କ ସୁରକ୍ଷାର ଦାୟିତ୍ୱ ଦେଇଯାଇଥିଲେ। ଏଣେ ମାରିଚ କଣ୍ଠରୁ ରାମଚନ୍ଦ୍ରଙ୍କ ସ୍ୱରରେ ଛଳନାପୂର୍ଣ୍ଣ ଆର୍ତ୍ତନାଦ ଶୁଣି ଭାଇଙ୍କୁ ବିପଦରୁ ରକ୍ଷା କରିବା ଆବଶ୍ୟକ ଅନୁଭବ କଲେ ଲକ୍ଷ୍ମଣ। ଉତ୍ପନ୍ନ ପରିସ୍ଥିତିର ଦ୍ୱନ୍ଦ୍ୱକୁ ସୁନ୍ଦର ଭାବରେ ସାମନା କରି ଲକ୍ଷ୍ମଣ ଆଶ୍ରମ ଚାରି ପାଖରେ ସୁରକ୍ଷାର ରେଖା କାଟି ଭାଇଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ବାହାରି ଯାଇଥିଲେ। ଅବଶ୍ୟ ଘଟଣା କ୍ରମେ ପରିସ୍ଥିତି ଅନ୍ୟ ଆଡ଼କୁ ଚାଲିଯାଇଥିଲା, କିନ୍ତୁ ଲକ୍ଷ୍ମଣ ନିଜ ଦ୍ୱନ୍ଦ୍ୱକୁ ନିଜର ଧୀଶକ୍ତି ଓ ଧୈର୍ଯ୍ୟ ବଳରେ ସମାଧାନ କରିବାର ପ୍ରୟାସ ସାଧାରଣ ମଣିଷ ପାଇଁ ଏକ ଉଦାହରଣ ହୋଇ ରହିଗଲା।

ଜଣେ ଦ୍ୱନ୍ଦ୍ୱଗ୍ରସ୍ତ ମଣିଷ ହୁଏତ ନିଜର ବିଚାର ଶକ୍ତି ଓ ଆତ୍ମ ବିଶ୍ୱାସ ଲଗାଇ ଦ୍ବନ୍ଦ୍ୱରୁ ମୁକୁଳିବାର ଅବସ୍ଥାରେ ଥାଇ ନ ପରେ; କିନ୍ତୁ ସେ ଯଦି କୌଣସି ଉପଯୁକ୍ତ ହିତାକାଂକ୍ଷୀର ଉପଦେଶକୁ ଖୋଲା ମନରେ ତଉଲି ପାରେ; ତେବେ ତା’ର ମାନସିକ ସଙ୍କଟ ଦୂର ହେବାର ସମ୍ଭାବନା ସୃଷ୍ଟି ହୁଏ। ରଣକ୍ଷେତ୍ରରେ ନିଜର ଗୁରୁ ଗୁରୁଜନ ଓ ବନ୍ଧୁ ପରିଜନମାନଙ୍କୁ ଶତ୍ରୁ ପକ୍ଷରେ ଦେଖି ଅର୍ଜୁନଙ୍କ ମନରେ ଯେଉଁ ଦ୍ବିିବିଧା ସୃଷ୍ଟି ହୋଇଥିଲା, ତାହାର ମୋଚନ ହୋଇଥିଲା ଭଗବାନ ଶ୍ରୀକୃଷ୍ଣଙ୍କ ଉପଦେଶ ଓ ପ୍ରରୋଚନାରେ। ଶ୍ରୀକୃଷ୍ଣଙ୍କର ନିଷ୍କାମ କର୍ମ ପାଇଁ ଉପଦେଶ କେବଳ ଅର୍ଜୁନ କାହିଁକି ପୂରା ମାନବ ସମାଜକୁ କାଳ କାଳ ପାଇଁ ଦ୍ୱନ୍ଦ୍ୱ ମୁକ୍ତ କରିବା ପାଇଁ ନିୟୋଜିତ ହେଉଛି।

ଅବଶ୍ୟ ମାନସିକ ଦ୍ୱିବିଧାରେ ପଡ଼ିଥିବା ସବୁ ମଣିଷଙ୍କ ପାଖରେ ନ ଥାଏ ଲକ୍ଷ୍ମଣଙ୍କ ପ୍ରତ୍ୟୁତ୍ପନ୍ନମତି କିମ୍ବା ଶ୍ରୀକୃଷ୍ଣଙ୍କ ଉପଦେଶ ପାଇବାର ସୌଭାଗ୍ୟ। ତେଣୁ ସେମାନେ ଚତୁର୍ଦ୍ଦଶ ଶତାବ୍ଦୀର ଫରାସୀ ଦାର୍ଶନିକ ଜଁ ବୁରିଦାନ୍ ବର୍ଣ୍ଣିତ ଗଧଟିଏ ବା ବିଶିଷ୍ଟ ନାଟ୍ୟକାର ସେକ୍‌ସପିଅର୍‌ଙ୍କ ସୃଷ୍ଟ ଚରିତ୍ର ହାମଲେଟର ଦୁର୍ଦ୍ଦଶା ଭୋଗନ୍ତି। ପ୍ରଥମେ ଦୁର୍ଭାଗା ଗଧଟିର କଥା। ଗଧଟି ଭୋକରେ ଆଉଟୁ ପାଉଟୁ ହେଉଥିବା ବେଳେ ତା’ର ମୁନିବ, ପଶୁଟିର ଦୁଇ ପାର୍ଶ୍ୱରେ ସମ ଦୂରତାରେ ଦୁଇଟି ପାଳ ବିଡ଼ା ରଖି ଦେଇଗଲେ। ଗଧଟି କେଉଁ ବିଡ଼ାଟି ପ୍ରଥମ ଖାଇବ, ତାହା ଠିକଣା କରି ନ ପାରି ଉଭୟ ପଟେ ଅନେକ ସମୟ ଧରି ଏପାଖ ସେପାଖ ହେଲା, ଯାହା ତା’ ପାଇଁ କାଳ ସାଜିଲା। ଶେଷରେ ଅସମାହିତ ଦ୍ୱନ୍ଦ୍ୱ ଯୋଗୁଁ ଭୋକିଲା ଗଧଟିର ପ୍ରାଣ ଚାଲିଗଲା।

ମଣିଷମାନେ ତାଙ୍କ ଦ୍ୱିବିଧାରେ ଗଧଟି ଭଳି ଭୋକିଲା ପେଟରେ ପ୍ରାଣ ବିସର୍ଜନ କରନ୍ତି ନାହିଁ ସିନା, ହେଲେ ରାଜପୁତ୍ର ହାମଲେଟ ଭଳି ସନ୍ଦେହ, କାଳକ୍ଷେପଣ, ଅତିଶୟ ଚିନ୍ତା ଓ ଭାବାବେଗ ଭିତରେ, ‘ରହିବି କି ରହିବିନି, ତାହା ହିଁ ପ୍ରଶ୍ନ’ (To be, or not to be, that is the question)ର ଉତ୍ତର ଖୋଜୁଖୋଜୁ ନିଜର ଦୁଃଖଦ ଅନ୍ତ ଆଡ଼କୁ ଠେଲି ହୋଇଯାନ୍ତି।

ମୋ: ୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର