ସୈନ୍ୟ ଦଳରେ ଭର୍ତ୍ତି ହେବା ଲାଗି ଡାକରା ଆସିବାରୁ ମୁଲ୍ଲା ନସିରୁଦ୍ଦିନ ଲୁଚିଲେ। କିନ୍ତୁ କିଛି ଲାଭ ହେଲା ନାହିଁ। ତାଙ୍କୁ ଟେକି କରି ନିଆଗଲା।
ମୁଲ୍ଲା ଭାବିଲେ, କିଛି କଥା ନାହିଁ। ସୈନ୍ୟ ବାଛିବା ଲାଗି ଯେଉଁ ତିନିଟି ପରୀକ୍ଷା ହେବ ସବୁଥିରେ ଜାଣିଶୁଣି ଖରାପ କରିବି। ଦେଖିବା ମୋତେ କେମିତି ବାଛିବେ?
ସୁତରାଂ, ପ୍ରଥମ ଦୁଇଟି ପରୀକ୍ଷାରେ ସେ ଅବାଗିଆ ଭଳି ହେଲେ। ଖଣ୍ଡା ଯୁଦ୍ଧରେ ଓଲଟା ବାଗରେ ଖଣ୍ଡା ଧରି ବୁଲାଉଥିବା ସତ୍ତ୍ବେ ତାଙ୍କୁ ବଛାଗଲା। ତା’ ପର ପରୀକ୍ଷାରେ ବି ସେମିତି କିଛି ହେଲା। ସତେ ଯେମିତି ମୁଲ୍ଲା ନସିରୁଦ୍ଦିନଙ୍କୁ ସେନା ଦଳରେ ପୂରାଇବା ଲାଗି ଭାଗ୍ୟ ପ୍ରତିଜ୍ଞା କରିଥିଲା। ସୁତରାଂ, ମୁଲ୍ଲାଙ୍କ ଅକଲଗୁଡ଼ୁମ ହୋଇଗଲା।
ଶେଷ ପରୀକ୍ଷା ଥିଲା ଦୃଷ୍ଟି ଶକ୍ତି ପରଖିବାର। ମୁଲ୍ଲା ନିଶ୍ଚୟ କଲେ ଯେ ଯାହା ହୋଇଯାଉ ପଛକେ ମୁଁ ଏଥିରେ ଫେଲ ହେବ ହିଁ ହେବି। ଦେଖିବି ମୋତେ କିଏ ପାସ୍ କରିବ?
ମୁଲ୍ଲାଙ୍କୁ ବିଭିନ୍ନ ଆକାରର ଅକ୍ଷର ଲେଖା ବୋର୍ଡ ଦେଖାଇ ପଢ଼ିବାକୁ କୁହାଗଲା।
ମୁଲ୍ଲା କହିଲେ- କିଛି ଦିଶୁ ନାହିଁ।
ଏହା ଦେଖି ପରୀକ୍ଷକ କହିଲେ- ଦିଶୁନି ନା ତୁମେ ମୂର୍ଖ? ଶୁଣ ଏହି ଲୋକକୁ ‘ଚିହ୍ନ’ ବାଲା ବୋର୍ଡ ଦେଖାଅ।
ଏତକ ଶୁଣିବା କ୍ଷଣି ମୁଲ୍ଲାଙ୍କ ପାଟିରୁ ବାହାରିଗଲା- ହଜୁର, ମୁଁ ମୂର୍ଖ ନୁହେଁ। ଏ ବୋର୍ଡରେ ‘କ’, ‘ଇ’, ‘ମ’ ଆଦି ଲେଖା ହୋଇଛି ଓ ମୁଁ ପଢ଼ି ପାରୁଛି। କିନ୍ତୁ ମୋ ଆଖି ଖରାପ ବୋଲି ସେ ସବୁ ମୋତେ ଦିଶୁ ନାହିଁ।
ଏବେ ପରୀକ୍ଷକ ଚିତ୍କାର କଲେ- ୟେ ପାସ୍ କଲା। ଯା’ର ନାଁ ଲେଖ।
ମୁଲ୍ଲା ପ୍ରାୟ କାନ୍ଦି ପକାଇ ଭାବିଲେ- ହାୟରେ କ’ଣ କଲି? ଟିକିଏ ଅହଂକାରର ଫଳ। ସେଥି ଲାଗି ପାସ୍ ହୋଇଗଲି।