ଗାୟନ ନାମକ ଅଦୃଶ୍ୟ-ଆଧ୍ୟାତ୍ମିକ ତାର

ଆଳାପ ଓ ଆଲୋଚନା - ଅଭିରାମ ବିଶ୍ବାଳ

ଦୁଇ ଦିନ ତଳେ ଲତା ମଙ୍ଗେଶକରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆମ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ଲତା ନାଇଟ୍‌ରେ ଲତାଙ୍କୁ ଗୀତ ତଥା କଥାରେ ସମ୍ମାନ-ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସାଙ୍ଗକୁ ପରଲୋକଗତା ବାଣୀ ଜୟରାମଙ୍କ ସ୍ମୃତିଚାରଣ ପୂର୍ବକ ବାଣୀଙ୍କୁ ପୁଷ୍ପ ଓ ଶବ୍ଦ ଅଞ୍ଜଳି ନିବେଦନ କରାଯାଇଥିଲା। ବାଣୀ ଜୟରାମ ଆମ ସମସ୍ତଙ୍କ ଗହଣରୁ ଚଳିତ ମାସ ଚାରି ତାରିଖରେ ପ୍ରାୟ ୭୮ ବର୍ଷ ବୟସରେ ଚାଲିଗଲେ। ହିନ୍ଦୀ ଚଳଚ୍ଚିତ୍ର ପାଇଁ ପ୍ରଚ୍ଛଦପଟ ଗାୟିକା ଭାବେ ଅସାଧାରଣ ପ୍ରତିଭା, ପ୍ରସିଦ୍ଧି ଓ ଲୋକପ୍ରିୟତା କାରଣରୁ ଲତାଙ୍କ ପ୍ରଚଣ୍ଡ ଉପସ୍ଥିତି ଓ ପ୍ରଭାବ କାଳରେ ଅାଉ ଯେଉଁ କେତେ ଜଣ ଅତି ପ୍ରତିଭାବତୀ ଗାୟିକାଙ୍କ ଅବଦାନ ସର୍ବତ୍ର ଅସ୍ବୀକାର କରି ହେଉ ନଥିଲା, ସେମାନଙ୍କ ଭିତରେ ପ୍ରତିନିଧି ସ୍ଥାନୀୟ ଥିଲେ ଦକ୍ଷିଣ ଓ ପୂର୍ବ ଭାରତର ସୁମନ୍‌ କଲ୍ୟାଣପୁର, ସନ୍ଧ୍ୟା ମୁଖାର୍ଜୀ, ପି. ସୁଶୀଳା, ଏସ୍‌. ଜାନକୀ ଏବଂ ବାଣୀ ଜୟରାମ। ବାଣୀ ଜୟରାମଙ୍କ ବିଶେଷତ୍ବ ହେଲା ଗାୟନର ଉଚ୍ଚତା, ଗଭୀରତା ଓ ବ୍ୟାପ୍ତି ଅାଢୁଆଳେ ବିଦ୍ୟମାନ ଥିଲା ଉଭୟ କର୍ଣ୍ଣାଟକୀ ଓ ହିନ୍ଦୁସ୍ଥାନୀ ସଙ୍ଗୀତରେ ତାଙ୍କର ଦଖଲ।

କେବଳ ତାମିଲ ଓ ହିନ୍ଦୀ ଗୀତ ଗାଇବାରେ ସୀମିତ ନଥିଲା ବାଣୀ ଜୟରାମଙ୍କ ଗାୟନ ଜୀବନ। ସିଏ ଓଡ଼ିଆରେ ମଧ୍ୟ ଅନେକ ଗୀତ ଗାଇଛନ୍ତି। ଯେଉଁ ଯେଉଁ ଚଳଚ୍ଚିତ୍ର ପାଇଁ ସିଏ ଗାଇଥିଲେ ସେ ସବୁ ଭିତରୁ କେତୋଟି ହେଲା: କୃଷ୍ଣ ସୁଦାମା, ସିନ୍ଦୁର ବିନ୍ଦୁ, ଶେଷ ଶ୍ରାବଣ, ମୁକ୍ତି, ସତୀ ଅନସୂୟା, ଶଙ୍ଖମହୁରୀ, ବଳିଦାନ, ହୀରା ମୋତି ମାଣିକ, ଜୟ ମା’ ମଙ୍ଗଳା, ଗୌରୀ ଓ ଦେବଯାନୀ ଆଦି। ତାମିଲ, ହିନ୍ଦୀ ଓ ଓଡ଼ିଆ ସମେତ ୧୯ଟି ଭାଷାର ୧୦୦୦ଟି ଚଳଚ୍ଚିତ୍ର ପାଇଁ ପ୍ରାୟ ୧୦,୦୦୦ ଗୀତ ବାଣୀ ଗାଇଛନ୍ତି। ଉତ୍କର୍ଷ ଓ ନୈପୁଣ୍ୟର ଅର୍ଥ ସାଧାରଣତଃ ସାବ୍ୟସ୍ତ ହୋଇଥାଏ ସେତିକିବେଳେ ଯେତେବେଳେ ଗୀତ ପରେ ଗୀତ ଗାଇ ଚାଲିଥିବା ଜଣେ ଶିଳ୍ପୀଙ୍କ ଗୀତରୁ ବିବିଧ ପ୍ରକାରର ଗୀତ ଗାଇ ପାରୁଥିବାର ପୋଖତ ପଣର ପ୍ରମାଣ ମିଳି ଚାଲିଥାଏ ଏବଂ ପ୍ରକ୍ରିୟାଟି ସେହି କଳାକାରଙ୍କ ଗାୟନକୁ ଅଧିକରୁ ଅଧିକ ପ୍ରଗାଢ଼ କରୁଥାଏ। ସେମିତି ଜଣେ ଗାୟିକା ଥିଲେ ବାଣୀ ଜୟରାମ ଯାହାଙ୍କ ଗୀତର ସଂଖ୍ୟାଗତ ପରିମାଣ ସମେତ ସେଗୁଡ଼ିକର ପ୍ରଗାଢ଼ ମାନ ଓ ଭିନ୍ନ ଭିନ୍ନ ଧରଣ ତାଙ୍କୁ ଉଭୟ ଶ୍ରୋତା ତଥା ରସିକ ମହଲରେ ସ୍ମରଣୀୟ କରି ରଖିବ। ଗୀତ ସଙ୍ଗୀତ ବିଦ୍ବାନ ଓ ବିଦୁଷୀଙ୍କ ମତରେ ବାଣୀ ଜୟରାମ ଶାସ୍ତ୍ରୀୟ ସହିତ ସୁଗମ, ବିଦଗ୍‌ଧ ସାଥିରେ ଚପଳ ଗୀତମାନ ସମ ଦକ୍ଷତା ସହ ପରିବେଷଣ କରି ମନ ଜିଣି ପାରିଥିଲେ। ଏଇ ଯେମିତି ‘ସିନ୍ଦୁର ବିନ୍ଦୁ’ ଚଳଚ୍ଚିତ୍ର ପାଇଁ ‘କେଉଁ ନାମ ଧରି/ ଡାକିବୁ ତୁମକୁ/ ତୁମେ ଯେ ସର୍ବନାମ’ ଗାଇଥିବା ବାଣୀ ଜୟରାମ ସେଇ ଏକା ଚଳଚ୍ଚିତ୍ର ସକାଶେ ପୁଣି ସମୂହ ନାରୀ ସ୍ବରରେ ‘ପଡ଼ିବନି ବନ୍ଧୁ ପଡ଼ିବନି/ ଥରେ ପଡ଼ିଲେ ସେ ଗଣ୍ଠି ଫିଟିବନି’ ଗାଇଥି‌ଲେ। ଆହୁରି ‘କୃଷ୍ଣ ସୁଦାମା’ ଛବିରେ ‘ଛୋଟ ମୋର ଏ ଘର/ ଛୋଟ ମୋ ସଂସାର’ ଗୀତ ପାଇଁ ଜଣାଶୁଣା ବାଣୀ ଜୟରାମ ‘ଶେଷ ଶ୍ରାବଣ’ ଚିତ୍ର ନିମନ୍ତେ ‘ମେଘ ବରଷିଲା ଟୁପୁରୁ ଟୁପୁରୁ/ କେଶୁର ମାଇଲା ଗଜା’ ଗୀତଟି ଗାଇଥିଲେ।

ଏସବୁ ଗୀତ ପାଇଁ ସେ ବେଶ୍‌ ଆଦୃତ, ବେଶ୍‌ ଜନପ୍ରିୟ। ଆଉ ଏ ସବୁ ଗୀତ ଥିଲା ମୋଟାମୋଟି ଭିନ୍ନ ଭିନ୍ନ ପ୍ରକାରର। ଓଡ଼ିଆ ଚଳଚ୍ଚିତ୍ର ପାଇଁ ଗୋଟିଏ ସମୟ ଖଣ୍ଡରେ ବାଣୀ ଜୟରାମଙ୍କ ଛଡ଼ା ନିର୍ମଳା ମିଶ୍ର, ସୁମନ କଲ୍ୟାଣପୁର, ପି. ସୁଶୀଳା, ଏସ୍‌. ଜାନକୀ, ଉଷା ମଙ୍ଗେଶକର, ଲତା ମଙ୍ଗେଶକର ଓ ସନ୍ଧ୍ୟା ମୁଖାର୍ଜୀ ପ୍ରମୁଖ ଗାଇଥିଲେ, ଯାହା ଅନେକଙ୍କ ବିଚାରରେ ଥିଲା ଓଡ଼ିଆ ଚଳଚ୍ଚିତ୍ର ଗୀତ ସଙ୍ଗୀତର ଅତି ଗୌରବମୟ ସମୟ ଖଣ୍ଡ। ସେ ପ୍ରବାହଟି ପାଇଁ ଓଡ଼ିଆ ଗୀତ, ସଙ୍ଗୀତ, ଗୀତିକାର, ନିର୍ଦ୍ଦେଶକ, ଗାୟକ-ଗାୟିକା ଓ ଶିଳ୍ପୀଙ୍କ ଅବଦାନ କିଛି କମ୍‌ ନ ଥିଲା। ବାଣୀ ଜୟରାମଙ୍କ ମୂଳ ନାଁ ଥିଲା କଲାଇବାଣୀ। ଚେନ୍ନାଇର କୁଇନ୍‌ ମେରିସ୍‌ କଲେଜରୁ ସିଏ ଉଚ୍ଚ ଶିକ୍ଷା ଲାଭ କରିଥିଲେ, ଯାହା ଭାରତର ତିନିଟି ଅତି ପୁରୁଣା ମହିଳା ମହାବିଦ୍ୟାଳୟ ଭିତରେ ଅନ୍ୟତମ ଭାବେ ଖ୍ୟାତ ଏବଂ ଯେଉଁଠୁ ମଧ୍ୟ କମଳାଦେବୀ ଚଟ୍ଟୋପାଧ୍ୟାୟ ଓ ଲକ୍ଷ୍ମୀ ସେହଗଲ ଶିକ୍ଷା ଲାଭ କରିଥିଲେ।

ବାଣୀ ତାଙ୍କ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ବ୍ୟାଙ୍କ୍‌ ଚାକିରିରୁ। ଆଗରୁ ମାନ୍ଦ୍ରାଜ ଓ ହାଇଦ୍ରାବାଦରେ ଅବସ୍ଥାପିତ ହୋଇଥିବା ବାଣୀ ଜୟରାମଙ୍କୁ ବିବାହ ପରେ ବମ୍ବେ ଯିବାକୁ ପଡ଼ିଲା ଏବଂ ସେଠିକି ତାଙ୍କର ବଦଳି ମଧ୍ୟ ହେଲା। ତାଙ୍କ ସ୍ବାମୀ ଜୟରାମଙ୍କ ପ୍ରୋତ୍ସାହନ ବଳରେ ସିଏ ସଙ୍ଗୀତରେ ପୂର୍ଣ୍ଣକାଳୀନ ମନୋନିବେଶ କଲେ, ବ୍ୟାଙ୍କ୍‌ ଚାକିରି ଛାଡ଼ିଲେ ଓ ପାତିଆଲା ଘରାନାର ଉସ୍ତାଦ୍ ଅବଦୁଲ୍‌ ରହମନ୍‌ ଖାଁଙ୍କ ମାର୍ଗଦର୍ଶନରେ ତାଲିମ ନେଲେ ଏବଂ ଭଜନ, ଗଜଲ ଓ ଠୁମ୍‌ରିର ସୂକ୍ଷ୍ମାତିସୂକ୍ଷ୍ମ କଳାକୌଶଳ ଶିଖିବା ଆରମ୍ଭ କରିଦେଲେ। ବିଶିଷ୍ଟ ସଙ୍ଗୀତ ନ‌ିର୍ଦ୍ଦେଶକ ବସନ୍ତ ଦେଶାଇଙ୍କ ସହ ପରିଚୟ ବାଣୀଙ୍କ ଗାୟିକା ଜୀବନକୁ ଏକ ନୂଆ ମୋଡ଼ ଦେଲା। ତାଙ୍କରି ନିର୍ଦ୍ଦେଶନାରେ ସିଏ ‘ଗୁଡ୍‌ଡି’ (୧୯୭୧) ଚଳଚ୍ଚିତ୍ର ପାଇଁ ଗାଇଲେ ‘ବୋଲେରେ ପପିହାରା’ ଗୀତ। ସେହି ଗୀତ ଓ ଜୟା ବଚ୍ଚନଙ୍କ ଅଭିନୟ ସକାଶେ ଚଳଚ୍ଚିତ୍ରଟି ସବୁ ମହଲରେ ପ୍ରଶଂସା ଓ ସ୍ବୀକୃତି ଲାଭ କରିଥିଲା।

ସେମିତି ଉପରୋକ୍ତ ଚଳଚ୍ଚିତ୍ରଟି ପାଇଁ ବାଣୀ ଗାଇଥିବା ଆଉ ଦୁଇଟି ଅତି ବିଖ୍ୟାତ ଗୀତ ହେଲା- ‘ହରି ବିନ୍‌ କୈସେ ଜିଉଁ’ (ଏକକ) ଓ ‘ହମ୍‌ କୋ ମନ୍‌ କି ଶକ୍ତି ଦେନା’ (ସମବେତ)। ଚଳଚ୍ଚିତ୍ରଟିର ଗୀତିକାର ଥିଲେ ଗୁଲ୍‌ଜାର୍‌। ପୁଣି ହେମା ମାଳିନୀ ଅଭିନୀତ ବହୁଚର୍ଚ୍ଚିତ ‘ମୀରା’ (୧୯୭୯) ଚଳଚ୍ଚିତ୍ରର ତେରଟି ଗୀତରୁ ବାରଟି ଗାଇଥିଲେ ବାଣୀ ଜୟରାମ ପଣ୍ଡିତ ରବି ଶଙ୍କରଙ୍କ ନିର୍ଦ୍ଦେଶନାରେ ଏବଂ ସେ ଗୀତ ଭିତରୁ ଗୋଟିଏ ଅତି ଉଲ୍ଲେଖଯୋଗ୍ୟ ଗୀତି ହେଲା- ‘ମେରେ ତୋ ଗିରଧର ଗୋପାଲ’। ଆହୁରି ମୀନାକୁମାରୀଙ୍କ ଅଭିନୟାଦି କାରଣରୁ ଏ ଯାଏଁ ଚର୍ଚ୍ଚାରେ ଥବା ‘ପାକିଜା’ (୧୯୭୨) ଚଳଚ୍ଚିତ୍ରରେ ବାଣୀ ଜୟରାମ ଗାଇଥିବା ପ୍ରଭାବଶାଳୀ ଗୀତିଟି ଥିଲା- ‘ମୋରା ସାଜନ୍‌ ସୌତନ୍‌ ଘର୍‌ ଜାୟେ’। ଏସବୁ ବାହାରେ ସିଏ ପଣ୍ଡିତ ବିରଜୁ ମହାରାଜଙ୍କ ତତ୍ତ୍ବାବଧାନରେ ‘ହୋଲି ଗୀତ’ ଏବଂ ବସନ୍ତ ଦେଶାଇଙ୍କ ମାର୍ଗଦର୍ଶନରେ ଅଭଂଗ ଗାଇଥିଲେ। ପ୍ରଫୁଲ୍ଲ କର-କେଳୁଚରଣ ମହାପାତ୍ର-ବାଣୀ ଜୟରାମ ତ୍ରୟୀ ଯୋଗୁଁ ସମ୍ଭବ ହୋଇଥିବା ଅତି ଚମତ୍କାର ଗୀତ-ସଙ୍ଗୀତ ଗୀତ ଗୋବିନ୍ଦ ଭୁଲିବାର ନୁହେଁ।

ଏ. ଆର୍‌. ରେହମନଙ୍କୁ କିଏ ବା ନ ଜାଣେ? ପ୍ରାରମ୍ଭିକ କୈଶୋରରେ ୧୩ ବର୍ଷ ବୟସର ରେହମନ ଓ ତାଙ୍କ ବନ୍ଧୁମାନେ ଏକ ସଙ୍ଗୀତ ବ୍ୟାଣ୍ଡ କରିଥିଲେ ଏବଂ ସେ ବ୍ୟାଣ୍ଡର ଏକ ଉଦ୍‌ଘାଟନୀ ସମାରୋହ ପାଇଁ ଅତିଥି ଭାବେ ଆମନ୍ତ୍ରିତ ହୁଅନ୍ତେ ବାଣୀ ଜୟରାମ ଅତି ଆନନ୍ଦରେ ଓ ବିନା ଦ୍ବିଧାରେ ସମ୍ମତି ପ୍ରଦାନ କରିଥିଲେ। ନିର୍ଦ୍ଧାରିତ ସନ୍ଧ୍ୟାରେ ଠିକ୍‌ ସମୟରେ ପହଞ୍ଚି ଓ ପ୍ରଦୀପ ପ୍ରଜ୍ଜ୍ବଳନ କରି ବାଣୀ ଜୟରାମ ବ୍ୟାଣ୍ଡ ସଦସ୍ୟମାନଙ୍କ ମନୋବଳ ବୃଦ୍ଧି କରିଥିବା କଥା ଏବେ ବି ରେହମନ ମନେ ପକାନ୍ତି। ଏବଂ କହନ୍ତି- ସେ ଦିନ ସନ୍ଧ୍ୟା‌େ‌ର ସିଏ ପ୍ରଦୀପ ପ୍ରଜ୍ଜ୍ବଳନ କରିଥିଲେ ବୋଲି ଆଜି ଲମ୍ବା ରାସ୍ତା, ଦୂରତା ଅତିକ୍ରମ କରି ଆସିପାରିଛି; ‌େସ ସନ୍ଧ୍ୟାର ଆଲୁଅ ବାଟର ଅନେକ ଅନ୍ଧକାର ହଟେଇ ଦେବାରେ ବେଶ୍‌ ସହାୟକ ହୋଇଥିଲା। କହିବା ବାହୁଲ୍ୟ ବାଣୀ ଜୟରାମ ଅନେକ ଅତି ଚମତ୍କାର ତାମିଲ ଗୀତ ଗାଇଛନ୍ତି- ଅବିସ୍ମରଣୀୟ, କୋମଳ, ଉଜ୍ଜ୍ବଳ, ସୁମଧୁର ଓ ଚିତ୍ତ-ପ୍ରସାରକ। ବାଣୀ ଜୟରାମ ଗାଇଥିବା ଏକକ ଏବଂ ୟେସୁ ଦାସ ଓ ଏସ୍‌. ପି. ବାଳସୁବ୍ରମଣ୍ୟମ୍‌ ପ୍ରଭୃତିଙ୍କ ସହ ଗାଇଥିବା ଯୁଗଳ ତାମିଲ ଗୀତ ବିଷୟ ବିଶାରଦମାନେ ନନ୍ଦନ ତତ୍ତ୍ବ ବିମର୍ଶରେ ଉଲ୍ଲେଖ କରନ୍ତି; ତା’ ସହିତ ଇଲେୟାରାଜା ଓ ରେହମନ ଆଦିଙ୍କ ସହ ମିଶି ସିଏ କରିଥିବା‌ କାର୍ଯ୍ୟ ବିଷୟରେ। ଏକଦା ବିନାକା ‘ଗୀତ୍‌ମାଲା’ର ବଡ଼ ଅନୁରାଗୀ ଥିବା ବାଣୀ ଜୟରାମଙ୍କ ‘ବୋଲେରେ ପପିହାରା’ ଗୀତଟି ଶ୍ରେଷ୍ଠ ବିନାକା ଗୀତ୍‌ମାଲା ଗୀତମାନଙ୍କ ଭିତରେ ଅନେକ ସପ୍ତାହ ପାଇଁ ସ୍ଥାନ ପାଇଥିଲା। ବର୍ତ୍ତମା‌ନ ସମୟର, ସାଂପ୍ରତିକ ପ୍ରଜନ୍ମର ଗାୟିକାମାନଙ୍କ ବାବଦରେ ଥରେ ସିଏ କହିଥିଲେ- ଲକ୍ଷ୍ୟ କରିବାର କଥା ଅନେକ ଅଳ୍ପ ବୟସର ପିଲାମାନେ ଏବେ ରିଅଲିଟି ସୋ’ରେ ପୁରୁଣା ହିନ୍ଦୀ, ତାମିଲ ଓ ଅନ୍ୟାନ୍ୟ ଭାରତୀୟ ଭାଷାର ଗୀତ ଗାଇବାକୁ ପସନ୍ଦ କରୁଛନ୍ତି। ପାରଦର୍ଶିତା ବି ପ୍ରତିପାଦନ କରୁଛନ୍ତି।

ଅନବରତ ସାଧନା କରିବା ସହିତ ନିୟମିତ ଆତ୍ମମ‌ାର୍ଜନା କରି ଚାଲିଥିବା ଯେ କୌଣସି ଗାୟକ ବା ଗାୟିକାଙ୍କ କଣ୍ଠରେ ବାସ କରୁଥିବା କୋଇଲିର ଗୁଣ ଓ ଶକ୍ତି ଯୋଗୁଁ ତାଙ୍କ କଣ୍ଠସ୍ବର ପରିପ୍ରକାଶ ଲାଭ କରେ ଏମିତି ଗାୟନରେ, ଯେଉଁଥିରେ ଅନେକ ଅଦୃଶ୍ୟ-ଆଧ୍ୟାତ୍ମିକ ତାରର ଏକାୟନ ଘଟିଥାଏ। ଯାହାର ଅତି ଜଣାଶୁଣା ଉଦାହରଣ ଲତା ମଙ୍ଗେଶକର ଓ ବାଣୀ ଜୟରାମଙ୍କ ଅଦ୍ଭୁତ, ଚମକପ୍ରଦ, ବହୁଭାଷିକ ଗାୟନ। ଏମିତିରେ ‘ଆଧ୍ୟାତ୍ମିକ’ର ମା‌େନ କିଛି ଗୁପ୍ତ ଓ ରହସ୍ୟମୟ କଥା ନୁହେଁ; ‘ଆଧ୍ୟାତ୍ମିକ’ର ଅର୍ଥ ଜଡ଼ର ଜାଗରଣ, କୋମଳ ଶକ୍ତିର ଆତ୍ମପ୍ରକାଶ। ଭାରତୀୟ ଗୀତ ଓ ସଙ୍ଗୀତ ଭଳି କୋମଳ, ଆଧ୍ୟାତ୍ମିକ ଶକ୍ତି ଭାରତୀୟ ସାଂସ୍କୃତିକ ବୈଭବ ଓ ବୈଚିତ୍ର୍ୟର ବଳିଷ୍ଠ ବାହକ।

ମୋ: ୯୪୩୭୩୦୭୦୭୯

ସମ୍ବନ୍ଧିତ ଖବର