ଜନବସତି ଅଞ୍ଚଳକୁ ଜଙ୍ଗଲୀ ହାତୀମାନଙ୍କର ଲଗାତାର ଅନୁପ୍ରବେଶ କାରଣରୁ ସୃଷ୍ଟ ସମସ୍ୟାର ସନ୍ତୋଷଜନକ, ସର୍ବୋତ୍ତମ ଓ ସ୍ଥାୟୀ ସମାଧାନ ନିମନ୍ତେ ସେମାନଙ୍କୁ ଜଙ୍ଗଲ ଭିତରେ ସ୍ୱଚ୍ଛନ୍ଦରେ ରଖିବା ପାଇଁ ପ୍ରଚେଷ୍ଟା ଏକ ପ୍ରକୃଷ୍ଟ ପଦକ୍ଷେପ। ଏଥି ପାଇଁ କରାଯାଉଥିବା ବିଭିନ୍ନ ପ୍ରୟାସ ମଧ୍ୟରେ ଆବାସ ସ୍ଥଳଗୁଡ଼ିକର ସଂଯୋଗୀକରଣ ହେଉଛି ପ୍ରମୁଖ, ଯାହା ସୁରକ୍ଷିତ ଓ ସୁଗମ ପଥ ଚିହ୍ନଟ ଓ ସେ ସବୁର ବିକାଶ ଆବଶ୍ୟକ କରିଥାଏ। କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧୀନସ୍ଥ ‘ହସ୍ତୀ ପ୍ରକଳ୍ପ’ ବିଭାଗ ଦ୍ୱାରା ୨୦୧୦ ମସିହାରେ ଆନୁଷ୍ଠାନିକ ଭାବେ ହାତୀ ବସବାସ ଭୂ-ଭାଗ ଓ ଚଲାପଥର ଏକ ତାଲିକା ‘ଗଜ’ ଶୀର୍ଷକ ଏକ ବିବରଣୀ ପୁସ୍ତିକାରେ ପ୍ରକାଶିତ ହେଲା। ଏଥିରେ ସମଗ୍ର ଦେଶରେ ୧୦ଟି ଲ୍ୟାଣ୍ଡ୍‌ସ୍କେପ୍ ଓ ସର୍ବନିମ୍ନ ୮୮ଟି ଯାତାୟାତ ପଥ ବିଷୟରେ ଉଲ୍ଲେଖ କରାଯାଇଥିଲା। ଝାଡ଼ଖଣ୍ଡ, ଓଡ଼ିଶା ଓ ଦକ୍ଷିଣ ପଶ୍ଚିମବଙ୍ଗକୁ ନେଇ ଗଠିତ ପୂର୍ବ-କେନ୍ଦ୍ରୀୟ ହାତୀ ଭୂଖଣ୍ଡର ଅର୍ଦ୍ଧେକରୁ ଅଧିକ ଅର୍ଥାତ୍ ୫୭ ପ୍ରତିଶତ ଆମ ରାଜ୍ୟରେ ରହିଛି ଯହିଁରେ ୯ଟି ହାତୀ ପଥ ଅନ୍ତର୍ଭୁକ୍ତ। ପରବର୍ତ୍ତୀ ସମୟରେ ଓଡ଼ିଶା ଜଙ୍ଗଲ ବିଭାଗ ଆଉ ୫ଟିକୁ ମିଶାଇ ମୋଟ ୧୪ଟି ହାତୀ ଚଲା ବାଟର ତାଲିକା ୨୦୧୧ ମସିହାରେ ପ୍ରସ୍ତୁତ କରିଥିଲେ। ଏହା ହେଉଛି ହାତୀ ଚଲାପଥ ବା ‘ଏଲିଫାଣ୍ଟ କରିଡୋର୍‌’ର ସଂକ୍ଷିପ୍ତ ଇତିହାସ।

Advertisment

ଓଡ଼ିଶାରେ ଅର୍ଦ୍ଧାଧିକ ହାତୀ ଅଭୟାରଣ୍ୟ ଓ ହାତୀ ସଂରକ୍ଷଣ କ୍ଷେତ୍ରର ପରିସୀମା ବାହାରେ ଅନ୍ୟାନ୍ୟ ଜଙ୍ଗଲ ଓ ବୃକ୍ଷରାଜି ପୂର୍ଣ୍ଣ ଇଲାକାରେ ବସବାସ କରୁଛନ୍ତି। ସେହି ଦୃଷ୍ଟିରୁ ସାମଗ୍ରିକ ଭାବେ ରାଜ୍ୟରେ ୪ଟି ମୁଖ୍ୟ ହାତୀ ଅଂଚଳ ଅଛି, ଯଥା: ଶିମିଳପାଳ-ହଦଗଡ଼-କୁଲଡ଼ିହା, ସାତକୋଶିଆ-ବାଇଶିପାଲୀ, ଦକ୍ଷିଣ କେନ୍ଦୁଝର ମାଳ ସମତଳ ଭୂଇଁ, ମଦନପୁର, ରାମପୁର- କୋଟଗଡ଼-ଚନ୍ଦ୍ରପୁର। ପ୍ରତ୍ୟେକ ଅଂଚଳରେ ଥିବା ଅନେକ ବୃହତ୍‌, ମଧ୍ୟମ, କ୍ଷୁଦ୍ର ଆବାସ ସ୍ଥଳକୁ ଯୋଡୁଥିବା ଚଳାଚଳ ପଥରୁ ୩ଟିକୁ ଛାଡ଼ି ଦେଲେ ଅନ୍ୟ ୧୧ଟିର ଅବସ୍ଥା ଶୋଚନୀୟ। ଶିମିଳପାଳ, ହଦଗଡ଼ ଓ କୁଲଡ଼ିହା ଅଭୟାରଣ୍ୟ ମଧ୍ୟରେ ନିୟମିତ ହାତୀ ଗମନାଗମନ ରାସ୍ତା ସକ୍ରିୟ ଓ ଉତ୍ତମ। ସେହିପରି ସାତକୋଶିଆ ଅଭୟାରଣ୍ୟ ଓ ଆଠମଲ୍ଲିକ ବନଖଣ୍ଡ ଅର୍ନ୍ତଗତ ସଂରକ୍ଷିତ ଜଙ୍ଗଲକୁ ସଂଯୋଗ କରୁଥିବା ନୂଆଗାଁ-ବାରୁଣୀ ଚଲାପଥ ମୋଟାମୋଟି ଭାବରେ ଭଲ। ନୟାଗଡ଼ ବନଖଣ୍ଡ ମଧ୍ୟରେ ରହିଥିବା ବୁଗୁଡ଼ା-କେନ୍ଦ୍ରାଞ୍ଚଳ ସଂରକ୍ଷିତ ଜଙ୍ଗଲ ହାତୀ ପଥର ସ୍ଥିତି ସ୍ୱାଭାବିକ ଅଛି। କିନ୍ତୁ, କାରୋ-କରମପଦା, ବାଦମପାହାଡ଼-ଧୋବାଧୋବଣୀ ଓ ବାଦାମପାହାଡ଼-କରିଡ଼ା ପୂର୍ବ ଚଲାପଥ ଖଣି ଖାଦାନ ଯୋଗୁଁ ଧ୍ୱସ୍ତ ବିଧ୍ୱସ୍ତ ହୋଇ ମୃତପ୍ରାୟ।

ତେଲକୋଇ-ପାଲଲହଡ଼ା, ତାଲ-ଖୋଲାଗଡ଼, ଦେଉଳି-ଶୁଳିଆପଦା, ବାରପାହାଡ଼-ତରଭା-କଂଟାମାଳ, କର୍ଲାପାଟ-ଉର୍ଲାଦାନୀ ଓ କୋଟଗଡ଼-ଚନ୍ଦ୍ରପୁର ହାତୀ ରାସ୍ତାଟି ମଧ୍ୟ ମାନବୀୟ କାର୍ଯ୍ୟକଳାପ ଯୋଗୁଁ ଧ୍ୱଂସାଭିମୁଖୀ। ମଉଳାଭଣଜା-ଜିରିଡ଼ାମାଳି-ଅନନ୍ତପୁର ଓ କହ୍ନେଇଜେନା-ଅନନ୍ତପୁର ସଂଯୋଗ ପଥଟି କଳ କାରଖାନା, କୋଇଲା ଖନନ, ସହର ପ୍ରତିଷ୍ଠା ଓ ବିକାଶ, ରାଜପଥ, ରେଳପଥ ଓ କେନାଲ ଇତ୍ୟାଦିର ନିର୍ମାଣ ଦ୍ୱାରା ଛିନ୍ନବିଚ୍ଛିନ୍ନ। ଯାହା ଫଳରେ ଢେଙ୍କାନାଳର ମହାବିରୋଡ଼, ପୂର୍ବ କାମାକ୍ଷାନଗର ଓ ପଶ୍ଚିମ କାମାକ୍ଷାନଗର ବନାଞ୍ଚଳ ଏବଂ ଅନୁଗୁଳର ତାଳଚେର-କଣିହାଁ-ଛେଣ୍ଡିପଦା ଅଞ୍ଚଳରେ ହାତୀମାନେ ବସ୍ତୁତଃ ବନ୍ଦୀ ଭଳି ରହି କ୍ଷୁବ୍‌ଧ ଅବସ୍ଥାରେ ଅଛନ୍ତି ଓ ଉତ୍ପାତ କରୁଛନ୍ତି। ଏହା ବ୍ୟତୀତ ଆଠଗଡ଼, କେନ୍ଦୁଝର, ବାରିପଦା, ଖୋର୍ଦ୍ଧା, ବାଲେଶ୍ୱର, ଦେବଗଡ଼ ଓ ସୁନ୍ଦରଗଡ଼ ବନଖଣ୍ଡରେ ପ୍ରାୟ ବର୍ଷ ତମାମ ହାତୀ ତାଣ୍ଡବର ହାହାକାର ଶୁଣିବାକୁ ମିଳୁଛି। ବାକି ବନଖଣ୍ଡରେ ଅଳ୍ପ ଉପଦ୍ରବର ପ୍ରଭାବ ଅନୁଭୂତ ହେଉଛି। କୌଣସି ବନଖଣ୍ଡ ଏହି ପ୍ରାଦୁର୍ଭାବ ମୁକ୍ତ ହୋଇ ରହିନାହିଁ।

ଆଗରୁ ହାତୀମାନେ ନିଜର ଚାହିଦା ଜଙ୍ଗଲରେ ମେଣ୍ଟାଇ ପାରୁଥିଲେ। କେବଳ ଋତୁକାଳୀନ ଫସଲ ଭୋଜନର ଲାଳସାରେ ସନ୍ନିକଟ ଶସ୍ୟ କ୍ଷେତ୍ରକୁ ଅମଳ ସମୟରେ କଦାଚିତ୍ ସ୍ୱଳ୍ପ ସମୟ ପାଇଁ ପଶୁଥିଲେ। କିନ୍ତୁ ଏବେ ଜଙ୍ଗଲରେ ଖାଦ୍ୟାଭାବ ହେତୁ ଖାଦ୍ୟ ଅନ୍ୱେଷଣରେ ବାହାରୁଥିବା ହାତୀ ପଲ ବାରମ୍ବାର କ୍ଷେତରେ ଓ ଜନବସତିରେ ପ୍ରବେଶ କରୁଛନ୍ତି।

ତେବେ, ଚଲାପଥ ନିର୍ଦ୍ଧାରଣ ଗୋଟିଏ ଏକକାଳୀନ କିମ୍ବା ସ୍ଥାୟୀ ପ୍ରକ୍ରିୟା ନୁହେଁ, ବରଂ ଏହା ପରିବର୍ତ୍ତନଶୀଳ। ଜଙ୍ଗଲ, ପଦର, ଚାଷଭୂଇଁ ଇତ୍ୟାଦିର ବ୍ୟବହାର ଉପରେ ହାତୀ ପଥର ଅସ୍ତିତ୍ୱ ଓ ଉପଯୋଗିତା ନିର୍ଭର କରେ। ନିୟମିତ ବ୍ୟବଧାନରେ ଅନ୍ତତଃ ପ୍ରତି ୧୦ ବର୍ଷରେ ଥରେ ଏ ସମ୍ବନ୍ଧରେ ସମୀକ୍ଷା କରି ପରିସ୍ଥିତିରେ ସୁଧାର ଅଣାଯିବା ଦରକାର। ସେମିତି କିଛି ନୂତନ ପଥର ସୃଷ୍ଟି ମଧ୍ୟ ନିହାତି ଆବଶ୍ୟକ।

ଆଗରୁ ଜଙ୍ଗଲଗୁଡ଼ିକ ଖଣ୍ଡବିଖଣ୍ଡିତ ଓ କ୍ଷତିଗ୍ରସ୍ତ ହେଉ ନ ଥିଲା। ହାତୀ ଚଲାପଥ ନିରଙ୍କୁଶ ରହୁଥିଲା। ଏବେ ଜଙ୍ଗଲ କ୍ଷୟ ହେବା ଫଳରେ ହାତୀ ଚଲାପଥ ତ ଆକ୍ରାନ୍ତ ହେଉଛି, ହାତୀମାନେ ଜଙ୍ଗଲ ପାଇବା ଲାଗି ବହୁ ଦୂର ସ୍ଥାନକୁ ମଧ୍ୟ ଗମନ କରୁଛନ୍ତି। ସେଥି ଲାଗି ଗତ କେତେ ବର୍ଷ ହେଲାଣି ଝାଡ଼ଖଣ୍ଡର ଦଲମା ଅଭୟାରଣ୍ୟରୁ ହାତୀ ପଶ୍ଚିମବଙ୍ଗ ପାର ହୋଇ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳକୁ ନିୟମିତ ଭାବରେ ଆସୁଛନ୍ତି। ହାତୀ ସୁରକ୍ଷା ପାଇଁ ସମର୍ପିତ ‘ସେଭ୍ ଏଲିଫାଣ୍ଟ ଫାଉଣ୍ଡେସନ୍‌ ଟ୍ରଷ୍ଟ’ ନାମକ ଏକ ବେସରକାରୀ ସଂସ୍ଥା ଶିମିଳିପାଳ ଠାରୁ ସାତକୋଶିଆ ପର୍ଯ୍ୟନ୍ତ କ୍ଷେତ୍ର ଅନୁଧ୍ୟାନ କରି ବୃହତ୍‌ ବନ୍ୟପ୍ରାଣୀ ପଥର ଉନ୍ନତୀକରଣ ନିମନ୍ତେ ତଥ୍ୟ ସମ୍ବଳିତ ଓ ବିଶ୍ଳେଷଣାତ୍ମକ ପୁସ୍ତକ ପ୍ରକାଶ କରିଛି, ଯାହା ବିଚାରଯୋଗ୍ୟ। ସେହିଭଳି ଭାରତ ସରକାର ମଧ୍ୟ ବନ୍ୟପ୍ରାଣୀ ରାଜମାର୍ଗର ପରିକଳ୍ପନା କରି ପଦକ୍ଷେପ ନେଉଛନ୍ତି। ସବୁ ଦିଗରୁ ବିଚାର କରି ଦୂରଦୃଷ୍ଟି ରଖି ହାତୀ ପାଇଁ ବାଟର ବ୍ୟବସ୍ଥା କଲେ ହାତୀ- ମଣିଷ ମୁହାଁମୁହିଁ ହେବା ସଙ୍କଟର ଅବସାନ ଘଟିବ।

ମୋ: ୯୪୩୭୦୮୦୨୩୩