ଗୋଟିଏ ପ୍ରକାର ଜୀବନୀରେ ସମାନ କ୍ଷେତ୍ରରେ ଥିିବା ଜଣେ ପେସାଦାର ଅନ୍ୟ ଜଣଙ୍କ ପାଇଁ ଲେଖିଥା’ନ୍ତି। ଉଦାହରଣ ସ୍ବରୂପ (କେବଳ ମୁଁ ପଢ଼ିଥିବା ଲେଖାଗୁଡ଼ିକ ସୂଚିବଦ୍ଧ କରୁଛି), ରୟ ହାରୋଡଙ୍କ ଦ୍ବାରା ରଚିତ ଜନ୍ ମେନାର୍ଡ କିନ୍ସଙ୍କ ଜୀବନୀ, ଆସ୍ଲି ମାଲେଟ୍ଙ୍କ ଦ୍ବାରା କ୍ଲାରି ଗ୍ରିମେଟଙ୍କ ଜୀବନୀ, ରିଚାର୍ଡ ଇଭାନ୍ସଙ୍କ ଦ୍ବାରା ଏରିକ ହବ୍ସବୋମ୍ଙ୍କ ଜୀବନୀ ଏବଂ ପଲ୍ ଥେରାକ୍ସଙ୍କ ରଚିତ ଭି. ଏସ୍. ନାଇପଲଙ୍କ ପ୍ରଭାବଶାଳୀ ସ୍ମୃତି ଲେଖ।
ବିଶେଷ କରି ବିଷୟବସ୍ତୁ, କହିବାର ଶୈଳୀ ଓ ସାହିତ୍ୟିକ ଗୁଣବତ୍ତାରେ ଏହି ପୁସ୍ତକଗୁଡ଼ିକ ପରସ୍ପର ଠାରୁ ବେଶ୍ ଭିନ୍ନ। ତେବେ ଏଗୁଡ଼ିକ ଭିତରେ ତିନିଟି ବିଶେଷତ୍ବର ସାମଞ୍ଜସ୍ୟ ରହିଛି। ପ୍ରଥମତଃ, ପ୍ରତ୍ୟେକ କ୍ଷେତ୍ରରେ ଜୀବନୀକାର ନିଜ ଚରିତ୍ର ଠାରୁ ଯଥେଷ୍ଟ ସାନ; ଯେମିତି କି କିନ୍ସଙ୍କ ଠାରୁ ୧୮ ବର୍ଷ ସାନ ଥିଲେ ହାରୋଡ୍ ବା ଗ୍ରିମେଟ୍ଙ୍କ ଠାରୁ ମାଲେଟ୍ ୪୪ ବର୍ଷ ସାନ ଅଥବା ଇଭାନ୍ସ ହବ୍ସବୋମ୍ଙ୍କଠୁ ୩୦ ବର୍ଷ କନିଷ୍ଠ ହୋଇଥିବା ବେଳେ ଥୋରାକ୍ସ ହେଉଛନ୍ତି ନାଇପଲଙ୍କଠୁ ୯ ବର୍ଷର ଛୋଟ।
ଦ୍ବିତୀୟରେ, ପ୍ରତ୍ୟେକ କ୍ଷେତ୍ରରେ ଜୀବନୀକାରମାନେ ନିଜ ଚରିତ୍ରଙ୍କୁ ବ୍ୟକ୍ତିଗତ ଭାବେ ଜାଣିଥିଲେ। କିନ୍ସଙ୍କ ସହ ହାରୋଡଙ୍କର ଏବଂ ନାଇପଲଙ୍କ ସହ ଥେରାକ୍ସଙ୍କର ତ ଘନିଷ୍ଠ ସମ୍ପର୍କ ରହିଥିଲା; ଅନ୍ୟ ଦୁଇଟି ଉଦାହରଣରେ ଗ୍ରିମେଟଙ୍କ ସହ ମାଲେଟ୍ ଓ ହବ୍ସବୋମ୍ଙ୍କ ସହ ଇଭାନ୍ସଙ୍କ ସମ୍ପର୍କ ତିକ୍ତମଧୁର ଥିଲା।
ତୃତୀୟ ତଥା ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଶେଷତ୍ବ ହେଲା, ଜୀବନୀକାର ନିଜ କ୍ଷେତ୍ରରେ ଦକ୍ଷ ଥିଲେ ସତ, କିନ୍ତୁ ସେମାନଙ୍କ ପାତ୍ର ସେମାନଙ୍କ ତୁଳନାରେ ଅଧିକ ପ୍ରସିଦ୍ଧ ଥିଲେ। ଉଦାହରଣ ସ୍ବରୂପ ଅକ୍ସଫୋର୍ଡରେ ଅବସ୍ଥାପିତ ହାରୋଡ ଯଦିଓ ପ୍ରଖ୍ୟାତ ବ୍ରିଟିସ ଅର୍ଥନୀତିଜ୍ଞ ଥିଲେ, କେମ୍ବ୍ରିଜ୍ରେ ଅବସ୍ଥାପିତ କିନ୍ସଙ୍କୁ ବିଂଶ ଶତାବ୍ଦୀର ସର୍ବାଧିକ ପ୍ରଭାବଶାଳୀ ଅର୍ଥଶାସ୍ତ୍ରୀ ବୋଲି କୁହାଯାଏ। ଅଷ୍ଟ୍ରେଲୀୟ ଅଫ୍-ସ୍ପିନ ବୋଲର ମାଲେଟ୍ ମଧ୍ୟମ ଧରଣର ସଫଳତା ପାଇଥିବା ବେଳେ ଗ୍ରିମେଟ ହେଉଛନ୍ତି କ୍ରିକେଟ୍ ଇତିହାସର ପ୍ରଥମ ମହାନ୍ ରିଷ୍ଟ-ସ୍ପିନର, ଯାହାଙ୍କ ଦ୍ବାରା ଆରମ୍ଭ ହୋଇଥିବା ଧାରା ବିଲ ଓ’ରେଲି, ରିଚି ବେନୋଡ୍, ଏପରିକି ସେନ୍ ଵର୍ଣ୍ଣଙ୍କ ଯାଏ ବଜାୟ ରହିଥିଲା। ସେହିପରି ଇଭାନ୍ସ ହେଉଛନ୍ତି ଜଣେ ବହୁଳ ପ୍ରକାଶିତ ଐତିହାସିକ, ଯିଏ ବିଂଶ ଶତାବ୍ଦୀର ଜର୍ମାନୀ ଉପରେ ଅନେକ ପୁସ୍ତକ ଲେଖିଛନ୍ତି; ଅପର ପକ୍ଷେ, ହବ୍ସବୋମଙ୍କ ଲେଖା ବିଶ୍ବସ୍ତରୀୟ ଭାବେ ସ୍ବୀକୃତ, ଯାହା ସାରା ପୃଥିବୀରେ ଐତିହାସିକ ବିଦ୍ବତ୍ତା ବା ପାଣ୍ଡିତ୍ୟ କ୍ଷେତ୍ରକୁ ବଦଳାଇ ଦେଇଥିଲା। ସେମିତି ଥେରାକ୍ସ ଜଣେ ନାମକରା ଔପନ୍ୟାସିକ ତଥା ଭ୍ରମଣ କାହାଣୀ ଲେଖକ ଯିଏ ଯଥେଷ୍ଟ ପେସାଦାରୀ ଓ ଆର୍ଥିକ ସଫଳତା ହାସଲ କରିଥିବା ବେଳେ ନାଇପଲ ଥିଲେ ସାହିତ୍ୟରେ ନୋବେଲ ପୁରସ୍କାର ଜିଣିଥିବା ଜଣେ ଉଚ୍ଚକୋଟୀର ଲେଖକ। ଏହି ଚାରିଟି ଜୀବନୀ ହେଉଛି ଚାରି ଅସମାନ୍ୟ ପ୍ରତିଭାଙ୍କୁ ସେମାନଙ୍କ ନିଜ ନିଜ କ୍ଷେତ୍ରର ପ୍ରଥମ ଦର୍ଜାରେ ଥିବା ଚାରି ପ୍ରତିଭାବାନ ବ୍ୟକ୍ତିତ୍ବଙ୍କ ଦ୍ବାରା ପ୍ରଦତ୍ତ ଶ୍ରଦ୍ଧାଞ୍ଜଳି।
ତେବେ, ମୁଁ ଆନନ୍ଦିତ ଯେ ଏହି ତାଲିକାରେ ଏବେ ଜଣେ ସମ୍ମାନନୀୟ ଭାରତୀୟ ଯୋଡ଼ି ହୋଇ ଯାଇଛନ୍ତି: ସେ ହେଉଛନ୍ତି ଆର୍.କେ. ଲକ୍ଷ୍ମଣଙ୍କ ଉପରେ ପ୍ରବନ୍ଧ ଲେଖିଥିବା ଇ.ପି. ଉନ୍ନି; ପ୍ରକାଶ ଥାଉ କି ଲକ୍ଷ୍ମଣଙ୍କ ଜନ୍ମର ତେତିଶ ବର୍ଷ ପରେ ଜନ୍ମ ଲାଭ କରିଥିବା ଉନ୍ନି ନିେଜ ଜଣେ ଦକ୍ଷ ଓ ସଫଳ କାର୍ଟୁନିଷ୍ଟ ବା ବ୍ୟଙ୍ଗ ଚିତ୍ରକର। ସେମାନେ ପରସ୍ପରଙ୍କୁ କେବେ ଭେଟିଥିଲେ କି ନାହିଁ ତାହା ମୁଁ ଜାଣିନାହିଁ; ମାତ୍ର ପୁସ୍ତକଟି ବୟୋଜ୍ୟେଷ୍ଠ ଗୁରୁଙ୍କୁ ଜଣେ ଯୁବା କଳାକାରଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ଚମତ୍କାର ଶ୍ରଦ୍ଧାଞ୍ଜଳିର ନିଦର୍ଶନ।
ଆର୍.କେ. ଲକ୍ଷ୍ମଣ ମହୀଶୂର ସହରରେ ଜନ୍ମି ବଡ଼ ହୋଇଛନ୍ତି ମଧ୍ୟ। ତାଙ୍କର ପ୍ରଥମ ଜଣାଶୁଣା ଚିତ୍ରଟି ହେଉଛି ତାଙ୍କ ସ୍କୁଲ ଶିକ୍ଷକ ପିତାଙ୍କର, ଯାହାକୁ ସେ ତାଙ୍କ ଘର ଚଟାଣରେ ଆଙ୍କିଥିଲେ। ସେ ବମ୍ବେର ପ୍ରଖ୍ୟାତ ‘ଜେ. ଜେ. ସ୍କୁଲ ଅଫ୍ ଆର୍ଟ୍ସ’ରେ ଚାରୁକଳା ପଢ଼ିବା ପାଇଁ ଚାହିଁଥିଲେ; ମାତ୍ର ସେଠାରେ ନାମ ଲେଖାଇବାରେ ବିଫଳ ହେଲେ। ତେଣୁ ସେ ମହୀଶୂରରେ କଳାରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ଅବସର ସମୟରେ ସେ ସହରର ବିଭିନ୍ନ ସ୍ଥାନର ରେଖାଚିତ୍ର ଅଙ୍କନ କରି ରଙ୍ଗାଉ ଥିଲେ। ତାଙ୍କ ଘରକୁ ଆସୁଥିବା ବିଭିନ୍ନ ଖବରକାଗଜ ଓ ପତ୍ରିକାରେ ପ୍ରକାଶିତ ହେଉଥିବା ସେହିଭଳି ଚିତ୍ରକୁ ଅନୁଧ୍ୟାନ କରୁଥିଲେ। ‘ଲଣ୍ଡନ ଇଭିନିଂ ଷ୍ଟାଣ୍ଡାର୍ଡ’ରେ ପ୍ରଥମେ ପ୍ରକାଶିତ ହୋଇ ପରେ ସନ୍ଧ୍ୟାରେ ‘ଦି ହିନ୍ଦୁ ଅଫ୍ ମାଡ୍ରାସ୍’ ଖବରକାଗଜରେ ପୁନଃ ପ୍ରକାଶିତ ହେଉଥିବା ନ୍ୟୁଜିଲାଣ୍ଡର କାର୍ଟୁନିଷ୍ଟ ଡେଭିଡ୍ ଲୋ’ଙ୍କ ବ୍ୟଙ୍ଗ ଚିତ୍ର ତାଙ୍କୁ ଖୁବ୍ ଆକୃଷ୍ଟ କରିଥିଲା। କିଛି ଦଶନ୍ଧି ପରେ ଜେ. ଜେ. ସ୍କୁଲର ଏକ ଉତ୍ସବରେ ମୁଖ୍ୟ ଅତିଥି ହେବା ଅବସରରେ ଲକ୍ଷ୍ମଣ କହିଥିଲେ ଯେ ଯଦି ସେ ସେଠାରେ ପଢ଼ିଥା’ନ୍ତେ, ତେବେ ସେ ସେଠାକାର ଅନ୍ୟ ଡିଗ୍ରିଧାରୀଙ୍କ ପରି କୌଣସି ବିଜ୍ଞାପନ ସଂସ୍ଥାରେ ଉଚ୍ଚ ବେତନଭୋଗୀ କଳା ନିର୍ଦ୍ଦେଶକ ହୁଏ’ତ ହୋଇଥା’ନ୍ତେ। ଜେ. ଜେ. ସ୍କୁଲର ନିର୍ଣ୍ଣୟ ଲାଗି ଆମେ ସେହି ପରୀକ୍ଷକମାନଙ୍କୁ ଧନ୍ୟବାଦ ଦେବା ଉଚିତ କାରଣ ସେମାନଙ୍କ ନିଷ୍ପତ୍ତି ଲକ୍ଷ୍ମଣଙ୍କୁ ସେଠାରେ ପଢ଼ିବାକୁ ଅଯୋଗ୍ୟ କଲା ବୋଲି ଆମେ ପ୍ରକୃତ ଲକ୍ଷ୍ମଣଙ୍କୁ ପାଇଲୁ।
ଦେଶ ସ୍ବାଧୀନ ହେବା ଠିକ୍ ପୂର୍ବରୁ ୧୯୪୭ରେ ବମ୍ବେର ‘ଫ୍ରି ପ୍ରେସ ଜର୍ଣ୍ଣାଲ’ରେ ଲକ୍ଷ୍ମଣ ପ୍ରଥମ ଚାକିରି କରିଥିଲେ। ତା’ପରେ ସେ ‘ଟାଇମ୍ସ ଅଫ୍ ଇଣ୍ଡିଆ’କୁ ଯାଇଥିଲେ, ଯେଉଁଠି ତାଙ୍କର ବାକି କର୍ମ ଜୀବନ ବିତିଥିଲା। ଲକ୍ଷ୍ମଣଙ୍କର ଦକ୍ଷତାକୁ ଉନ୍ନି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ସେ ଲେଖିଛନ୍ତି ଯେ ଛପା ପାଇଁ ଯିବା ବେଳକୁ ଲକ୍ଷ୍ମଣଙ୍କ କୁଶଳୀ ତୂଳି ସ୍ପର୍ଶ କୌଣସି ଗୋଟାଏ ହେଲେ ବି ରେଖାକୁ ଅସ୍ପଷ୍ଟ କରି ଛାଡୁନଥିଲା। ଉନ୍ନିଙ୍କର ଏହି ଜୀବନୀରେ ଲକ୍ଷ୍ମଣଙ୍କ ବ୍ୟତୀତ ଅନ୍ୟତମ ସର୍ବାଧିକ ମହତ୍ତ୍ବପୂର୍ଣ୍ଣ ଚରିତ୍ର ହେଉଛି ‘ସାଧାରଣ ମଣିଷ’ ବା ‘କମନ୍ ମ୍ୟାନ୍’ ନାମ ବହନକାରୀ ଧୋତି ଓ ଛକି ପକା ଫତେଇ ପିନ୍ଧା ଓ ସର୍ବତ୍ର ଉପସ୍ଥିତ ଥାଇ ସବୁ କିଛି ଦେଖୁଥିବା ସତ୍ତ୍ବେ କଦାପି ମୁହଁ ଖୋଲୁ ନ ଥିବା ସେହି ମନୁଷ୍ୟ, ଯାହାକୁ ଲକ୍ଷ୍ମଣ ସୃଷ୍ଟି କରିଥିଲେ।
ଆର୍. କେ. ଲକ୍ଷ୍ମଣଙ୍କ ସହିତ ତାଙ୍କ ପୂର୍ବ ପିଢ଼ିର ପ୍ରତିଷ୍ଠିତ ଭାରତୀୟ ବ୍ୟଙ୍ଗ ଚିତ୍ରଶିଳ୍ପୀ କେ. ଶଙ୍କର ପିଲାଇଙ୍କ ଏକ ମନମୁଗ୍ଧକର ତୁଳନା ଉନ୍ନି ପ୍ରସ୍ତୁତ କରିଛନ୍ତି। ଉଭୟ ପ୍ରଗତିଶୀଳ ଦେଶୀୟ ରାଜ୍ୟରେ ଜନ୍ମ ଗ୍ରହଣ କରିଥିଲେ ଓ ବଡ଼ ହୋଇଥିଲେ। ଉଭୟ ମଧ୍ୟ ଉଚ୍ଚ ଜାତିର ହିନ୍ଦୁ ଥିଲେ ଏବଂ ଇଂରେଜୀ ଶିକ୍ଷା ଓ ଭବ୍ୟ ପାଠାଗାରର ସାନ୍ନିଧ୍ୟ ଲାଭ କରିଥିଲେ। ଉନ୍ନିଙ୍କର ଯୁକ୍ତି ହେଲା, ଏହି ବିଦ୍ବାନ ଦ୍ବୟ ଦୁଇଟି ଭିନ୍ନ ଭିନ୍ନ ବ୍ୟଙ୍ଗ ଚିତ୍ର ଅନୁଷ୍ଠାନକୁ ପ୍ରଭାବିତ କରିଥିଲେ; ଅପ୍ରତିମ ଲକ୍ଷ୍ମଣଙ୍କ କୋମଳ ଆକର୍ଷକ ହାସ୍ୟ ଓ ଶଙ୍କରଙ୍କର ପ୍ରତ୍ୟକ୍ଷ ଅଗ୍ନିବର୍ଷୀ ଶୈଳୀ। ତେବେ ଉଭୟଙ୍କ ବ୍ୟଙ୍ଗ ଚିତ୍ରର ରସଗ୍ରାହୀ ଭାବେ ମୁଁ ଏହି ବ୍ୟାଖ୍ୟାନ ସହ ପୂର୍ଣ୍ଣତଃ ଏକମତ ନୁହେଁ। ସର୍ବ ପ୍ରଥମ କଥା ହେଲା ଲକ୍ଷ୍ମଣଙ୍କ କାମରେ ଶାଣିତ ରାଜନୈତିକ ଧାର ରହିଥାଏ, ଯାହା ଉନ୍ନିଙ୍କ ନିଜସ୍ବ ବର୍ଣ୍ଣନାରେ ଅନେକ ସ୍ଥାନରେ ଜଣାପଡ଼ିଥାଏ। ବାସ୍ତବରେ ଫରକ ଏଇଆ କି, ଶଙ୍କର ଜଣେ ଉପନିବେଶବାଦ ବିରୋଧୀ ରାଷ୍ଟ୍ରବାଦୀ ଥିଲେ, ଯିଏ ହୃଦୟଙ୍ଗମ କରିଥିଲେ ଯେ ସ୍ବାଧୀନତା ପରବର୍ତ୍ତୀ କାଳରେ କଂଗ୍ରେସକୁ ସ୍ବତନ୍ତ୍ରତା ସଂଗ୍ରାମର ଆଦର୍ଶକୁ ଅତିକ୍ରମ କରି ଆହୁରି ଅଧିକ କିଛି କରି ଦେଖାଇବାକୁ ପଡ଼ିବ। ଅପର ପକ୍ଷେ, ଲକ୍ଷ୍ମଣ ଚିର କାଳ ଅଣରାଜନୈତିକ ଥିଲେ ସୁଦ୍ଧା ସ୍ପଷ୍ଟ ରୂପେ କୌଣସି ପକ୍ଷପାତର ବିରୋଧୀ ଥିଲେ। ଯଦି କୌଣସି କାରଣ ଦେଖୁଥିଲେ, ତେବେ ସେ ସବୁ ବିଚାରଧାରା ଓ ସବୁ ଦଳର ରାଜନେତାଙ୍କୁ କଟାକ୍ଷ କରୁଥିଲେ।
ଦ୍ବିତୀୟରେ, ଶଙ୍କରଙ୍କ ଧାରାକୁ ଅନୁକରଣ କରୁଥିବା ଏକ ବ୍ୟଙ୍ଗ ଚିତ୍ରଶିଳ୍ପୀ ଗୋଷ୍ଠୀ ହୁଏତ ଥିଲା, କିନ୍ତୁ ଲକ୍ଷ୍ମଣଙ୍କର କୌଣସି ଶିଷ୍ୟ କି ଅନୁଗାମୀ ନ ଥିଲେ। ସେ କୌଣସି ଘରାନା ସୃଷ୍ଟି କରି ନଥିଲେ। ସେ ଅଦ୍ବିତୀୟ ଥିଲେ। ତାଙ୍କର କୌଣସି ସମସାମୟିକ ଶିଳ୍ପୀ ତାଙ୍କ ପରି ଆଙ୍କି ପାରୁ ନ ଥିଲେ। କେହି ମଧ୍ୟ ତାଙ୍କ ପରି ବିଚକ୍ଷଣ ଧାଡ଼ିକିଆ ବକ୍ତବ୍ୟ ସୃଷ୍ଟିର କ୍ଷମତା ରଖିନଥିଲେ। ତାଙ୍କର କିମ୍ବା ତାଙ୍କ କଳାର ନକଲ କରାଯିବା ମଧ୍ୟ ସମ୍ଭବ ନ ଥିଲା। ଯେମିତି ଏକଦା କେବଳ ଜଣେ ମାତ୍ର ଗ୍ୟାରି ସୋବର୍ସ ଥିଲେ, ସେମିତି ଏକଦା ଜଣେ ହିଁ ଆର୍. କେ. ଲକ୍ଷ୍ମଣ ସମ୍ଭବ ହୋଇଥିଲେ।
ଡଜନେ ପ୍ରଧାନମନ୍ତ୍ରୀଙ୍କ ଶାସନ କାଳକୁ ଲକ୍ଷ୍ମଣ ଦେଖିଥିଲେ ଏବଂ ସେମାନଙ୍କୁ ନେଇ ସେ ଅପୂର୍ବ ବ୍ୟଙ୍ଗମାନ ସୃଷ୍ଟି କରିଥିଲେ। ତାଙ୍କ ଲେଖନୀ ଓ ତୂଳି କ୍ବଚିତ୍ ରାଜନେତାଙ୍କୁ ଛାଡ଼ୁଥିଲା; ଯେମିତି ଜଣେ ମୃଦୁଭାଷୀ ସ୍ପଷ୍ଟବାଦୀରୁ ଜଣେ ଅଗ୍ନିବର୍ଷୀ ରାଜନେତା ଯାଏ ଏଲ୍. କେ. ଆଡ଼ଭାନିଙ୍କ ରୂପାନ୍ତରଣ, ଲକ୍ଷ୍ମଣଙ୍କ ବ୍ୟଙ୍ଗଚିତ୍ରରେ ସୁନ୍ଦର ଭାବରେ ପ୍ରଦର୍ଶିତ। ଲକ୍ଷ୍ମଣଙ୍କର ତ ଅନେକ କୃତି କାଳଜୟୀ ହୋଇ ରହିଛି, ତଥାପି ଉନ୍ନିଙ୍କ କହିବାନୁସାରେ, ଇନ୍ଦିରା ଗାନ୍ଧୀଙ୍କ ସମ୍ପର୍କରେ ଶବ୍ଦ ଅଥବା ଚିତ୍ର ରୂପରେ ଟିପ୍ପଣୀରେ ଲକ୍ଷ୍ମଣ ବୋଧହୁଏ ତାଙ୍କର ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଛନ୍ତି। ଶ୍ରୀମତୀ ଗାନ୍ଧୀଙ୍କ ଉପରେ ଲକ୍ଷ୍ମଣଙ୍କ ବ୍ୟଙ୍ଗ ଚିତ୍ରଗୁଡ଼ିକର ଯଦି ସଂକଳନ କରାଯାଏ, ତେବେ ତାହା ଏକ ଅମୂର୍ତ୍ତ ରାଜନୈତିକ ଜୀବନୀ ଗଢ଼ି ତୋଳିବ।
ଲକ୍ଷ୍ମଣ ଯେଉଁ ସହରକୁ ନିଜର କର୍ମ ଭୂମି କରିଥିଲେ, ତାହା ସହ ତାଙ୍କର ସମ୍ପର୍କ ବିଷୟରେ ମଧ୍ୟ ଉନ୍ନି ଲେଖିଛନ୍ତି। ଦୈନନ୍ଦିନ ପ୍ରସଙ୍ଗ ସହ ଲଢ଼େଇ କରୁଥିବା ଖବରକାଗଜ ପାଠକଙ୍କ ଭିତରେ ଏକ ରସଗ୍ରାହୀ ଦଳଙ୍କୁ ଖୋଜିବା ଲାଗି ଲକ୍ଷ୍ମଣ ପାଦ କାଢ଼ିଥିଲେ। ତାଙ୍କର ବ୍ୟଙ୍ଗଚିତ୍ର ଜଣାଉଥିଲା କି ତାହା ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ; ସେଥିରେ କିଛି ବି ବ୍ୟକ୍ତିଗତ ନଥିଲା। ଲକ୍ଷ୍ମଣଙ୍କ ପାଠକ ସାଧାରଣ ମଣିଷ (ତାଙ୍କ ବ୍ୟଙ୍ଗଚିତ୍ରର ‘କମନ୍ ମ୍ୟାନ୍’)ଠାରେ ନିଜର କିଛି ଦେଖି ପାରୁଥିଲେ।
ସେଇ ଜୀବନୀ ପୁସ୍ତକ ପଢ଼ି ମୁଁ ସମୁଦ୍ର ତଟ ଓ ବ୍ୟଙ୍ଗ ଚିତ୍ରକରଙ୍କ ମଧ୍ୟରେ କିଛି ସମ୍ପର୍କ ଅଛି କି ବୋଲି ଅନୁମାନ ଲଗାଇବାକୁ ଚେଷ୍ଟା କରିଥିଲି। ଆଧୁନିକ ଭାରତରେ ଏହି କଳାର ସବୁଠୁ ପ୍ରଭାବଶାଳୀ ସାଧକ କେରଳ ରାଜ୍ୟରୁ ଆସିଥିଲେ; ସେମାନଙ୍କ ଭିତରେ ଶଙ୍କର, ଅବୁ ଆବ୍ରାହାମ୍, ଓ. ଭି. ବିଜୟନ୍, ମଞ୍ଜୁଳା ପଦ୍ମନାଭନ୍ ଓ ସ୍ବୟଂ ଉନ୍ନି ଅନ୍ତର୍ଭୁକ୍ତ। ସେମିତି ଗୋଆରୁ ମାରିଓ ମିରାଣ୍ଡା ବି ଥିଲେ। ଏବେ ସ୍ବତନ୍ତ୍ର ଛାପ ଛାଡୁଥିବା ଯୁବା ବ୍ୟଙ୍ଗ ଚିତ୍ରକରଙ୍କ ଭିତରେ ସତୀଶ ଆଚାର୍ଯ୍ୟ ରହିଛନ୍ତି, ଯିଏ କର୍ଣ୍ଣାଟକର ଉପକୂଳ ଅଞ୍ଚଳର। ଲକ୍ଷ୍ମଣଙ୍କ ଜନ୍ମ ସ୍ଥଳ ମହୀଶୂରର ଅଭ୍ୟନ୍ତରରେ। କିନ୍ତୁ ସୌଭାଗ୍ୟବଶତଃ ସେ ବମ୍ବେରେ ପ୍ରବାସୀ ସାଜି ସେଠାରେ କାମ କରିବାକୁ ସକ୍ଷମ ହୋଇଥିଲେ। ପ୍ରାରମ୍ଭିକ କାଳରେ ତାଙ୍କ ଉପରେ ଡେଭିଡ୍ ଲୋ’ଙ୍କ ପ୍ରଭାବର ଛାପ ରହିଥିଲା, ଯିଏ ନ୍ୟୁଜିଲାଣ୍ଡର ସୁଦୂର ତଥା ଅପେକ୍ଷାକୃତ ସ୍ଥାଣୁ ଭୂଖଣ୍ଡରୁ ସବୁଠୁ ମନମୁଗ୍ଧକର ସହର ଲଣ୍ଡନକୁ ଚାଲିଯାଇଥିଲେ। ସେହିଭଳି ମହୀଶୂରରୁ ବମ୍ବେ ଆସି ଲକ୍ଷ୍ମଣ ନିଜକୁ ଆବିଷ୍କାର କରିଥିଲେ। ସେମାନଙ୍କର ମୂଳ ସ୍ଥାନ ସେମାନଙ୍କୁ କେବେହେଲେ ସାମାଜିକ ଓ ଆର୍ଥିକ ବିବିଧତା ବାବଦରେ ସଚେତନ କରି ନ ଥାନ୍ତା କି ସେମାନେ ସେଠାରେ ରହି ସମଗ୍ର ପୃଥିବୀର ବୌଦ୍ଧିକ ଓ ସାଂସ୍କୃତିକ ସୃଜନଶୀଳତା ସଂସ୍ପର୍ଶରେ ଆସିପାରି ନ ଥାନ୍ତେ। ଉପକୂଳର ମହାନ୍ ସହରଗୁଡ଼ିକ ହିଁ ସେହିଭଳି ପ୍ରୋତ୍ସାହନ ଓ ପ୍ରଶ୍ରୟ ଦେଇପାରିବେ।