ଭଗବାନ କେଉଁଠି ଅଛନ୍ତି ବୋଲି ଆଲୋଚନା ଚାଲିଥିବା ବେଳେ ଜଣେ ସାଧୁ କଥାଟିଏ କହିଲେ। ତାହା ଥିଲା ତାଙ୍କ ନିଜ ଅନୁଭୂତିର କଥା।
ସେ କହିଲେ- ମୁଁ ଯେତେବେଳେ ଗୁରୁଙ୍କ ନିକଟକୁ ଶିକ୍ଷା ଲାଭ କରିବା ଲାଗି ଯାଇଥିଲି ସେତିକି ବେଳକୁ ମୁଁ ଆଦ୍ୟ ତାରୁଣ୍ୟରେ। ତେଣୁ ମୋ ମନରେ ଈଶ୍ବରଙ୍କୁ ନେଇ ଅନେକ ପ୍ରଶ୍ନ ଉଠୁଥିଲା। ମୁଁ ଥରେ ମୋ ଗୁରୁଙ୍କୁ କହିଲି- ମୁଁ ଭଗବାନଙ୍କୁ କେଉଁଠି ପାଇବି?
ଗୁରୁ ମୋତେ ନେଇ ନିକଟସ୍ଥ ଏକ ମନ୍ଦିରକୁ ଗଲେ। ସେ ଦିନ ମନ୍ଦିରରେ କୌଣସି ଏକ ଉତ୍ସବ ଥାଏ। ଅନେକ ଲୋକ ସମବେତ ହୋଇଥାଆନ୍ତି। ଘଣ୍ଟ ଓ ଶଙ୍ଖ ବାଜୁଥାଏ। ଅନେକ ଲୋକ ଆଖି ବୁଜି ମନ୍ଦିରର ପ୍ରାଙ୍ଗଣରେ ବସିଥାଆନ୍ତି। ଗୁରୁ ଏବ˚ ମୁଁ ସେଇଠାରେ ବସିଲୁ। ମୁଁ ଆଖି ବୁଜି ଭଗବାନଙ୍କୁ ପ୍ରାର୍ଥନା କଲି।
ହଠାତ୍ ଗୁରୁ ପ୍ରଶ୍ନ କଲେ- ତୁମେ ଆଖି ବୁଜିଛ କାହିଁକି?
ମୁଁ କିଛି ବୁଝି ନ ପାରି ଉତ୍ତର ଦେଲି- ଭଗବାନଙ୍କୁ ଦୁଃଖ ଜଣାଇବା ଲାଗି ପ୍ରାର୍ଥନା କରୁଛି।
ଗୁରୁ ପୁଣି ପ୍ରଶ୍ନ କଲେ- ଭଗବାନ କେଉଁଠି ଅଛନ୍ତି?
ମୁଁ ଉତ୍ତର ଦେଲି- ମନ୍ଦିର ଭିତରେ।
ଗୁରୁ ପଚାରିଲେ- ତେବେ ଭଗବାନଙ୍କ ସହିତ କଥା ହେଲା ବେଳେ ଆଖି ବୁଜିଛ କାହିଁକି? ତୁମେ କାହାକୁ କିଛି ଅନୁରୋଧ କଲା ବେଳେ ଆଖି ବୁଜ କି?
ମୁଁ କହିଲି - ନା।
ଗୁରୁ ପଚାରିଲେ- ତେବେ ଏଠାରେ କାହିଁକି ଆଖି ବୁଜିଛ? ମୁଁ ନିରୁତ୍ତର ରହିଲି।
ଗୁରୁ କହିଲେ- ଅସଲ କଥା ହେଲା, ଭଗବାନ ପ୍ରକୃତରେ ଆମ ଭିତରେ ହିଁ ଅଛନ୍ତି। ଆମକୁ ଆମ ଭିତରେ ଭଗବାନଙ୍କୁ ଖୋଜିବାକୁ ପଡୁଥିବାରୁ ଆମେ ପ୍ରାର୍ଥନା କଲା ବେଳେ ଆଖି ବନ୍ଦ କରୁ। ତେଣୁ ଭଗବାନଙ୍କୁ ବାହାରେ ନ ଖୋଜି ନିଜ ହୃଦୟ ଭିତରେ ଖୋଜ। କାରଣ ସେ ସେଠାରେ ବିଦ୍ୟମାନ।