ମାନ୍ଦ୍ରାଜ ନିବାସୀ ମୋଜାର୍ଟ୍ ଏ. ଆର୍. ରହମନ୍ଙ୍କ ପରେ ଯଦି ଦକ୍ଷିଣ ଭାରତରୁ କେହି ନିକଟ ଅତୀତରେ ଚଳଚ୍ଚିତ୍ର ଜଗତରେ ବେଶ୍ ଆଲୋଡ଼ନ ସୃଷ୍ଟି କରିପାରିଛନ୍ତି, ସିଏ ହେଲେ ରାଜାମୌଳି: ‘ବାହୁବଳୀ’ ଓ ‘ଆର୍ଆର୍ଆର୍’ ଖ୍ୟାତିସମ୍ପନ୍ନ ରାଜାେମୗଳି। ଏହାର ଅର୍ଥ ଏଇଆ ନୁହେଁ ଯେ ଅସାଧାରଣ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ପ୍ରତିଭା, ଦକ୍ଷତା ଓ କୌଶଳ କେବଳ ଏ ଦୁଇ ଜଣଙ୍କ ଭିତରେ ସୀମିତ। ଭାରତୀୟ ଚଳଚ୍ଚିତ୍ରର ମାନେ ଖାଲି ବଲିଉଡ୍ ନୁହେଁ- ଏହା ଆଗରୁ କେରଳର ପ୍ରମୁଖ ନିର୍ଦ୍ଦେଶକ ଜି. ଅରବିନ୍ଦନ୍ ଓ ଅଦୂର ଗୋପାଳକୃଷ୍ଣନ୍ (ସମାନ୍ତରାଳ) ସିନେମାକୁ ନିଜର ଅବଦାନ ଜରିଆରେ ଯଥେଷ୍ଟ ସାବ୍ୟସ୍ତ କରିଛନ୍ତି। ଅଭିନେତା ଭାବେ ଦକ୍ଷିଣର ମାମୋଟ୍ଟି, ମୋହନଲାଲ, କମଳ ହାସନ୍, ରଜନୀକାନ୍ତ, ଚିରଞ୍ଜିବୀ, ନାଗାର୍ଜୁନ ଏବଂ ସାଂପ୍ରତିକ ସମୟରେ ପ୍ରଭାସ, ରାମଚରଣ ଓ ଏନ୍. ଟି. ରାମାରାଓ ଜୁନିଅର ଆଦିଙ୍କ ଖ୍ୟାତି କାହିଁରେ କ’ଣ! ସେମିତି ବିଭିନ୍ନ ପର୍ଯ୍ୟାୟରେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଛନ୍ତି ଦକ୍ଷିଣର ଅଭିନେତ୍ରୀ ବୈଜୟନ୍ତୀମାଲା, ହେମା ମାଳିନୀ, ଜୟାପ୍ରଦା, ଶ୍ରୀଦେବୀ, ଜୟାଲଳିତା, ତବ୍ବୁ ଓ ବିଦ୍ୟା ବାଲନ୍ ପ୍ରମୁଖ। ରାଜନୀତିରେ ବେଶ୍ ପ୍ରତିଷ୍ଠା ଲାଭ କରିଥିବା ଏମ୍. ଜି. ରାମଚନ୍ଦ୍ରନ୍, ଏନ୍. ଟି. ରାମାରାଓ, କରୁଣାନିଧି ଓ ଜୟାଲଳିତାଙ୍କ ଚଳଚ୍ଚିତ୍ର ସଂପର୍କ ଅତି ଜଣାଶୁଣା। କିଛି ବର୍ଷ ଯାଏ ମଣିରତ୍ନମ୍ ତ ନିର୍ଦ୍ଦେଶକ ଭାବେ ଘୋଟି ଯାଇଥିଲେ, ଏବେ ଯେମିତି ରାଜାମୌଳି।
ସଂପ୍ରତି ଚଳଚ୍ଚିତ୍ର ଅନୁରାଗୀ ମହଲରେ ‘ଆର୍ଆର୍ଆର୍’ର ‘ନାଟୁ ନାଟୁ’ ଗୀତର ଚର୍ଚ୍ଚା। ଯେଉଁଥିରେ ଗୀତ, ସଙ୍ଗୀତ ଓ ନୃତ୍ୟର ବିରଳ ଏକାୟନ ଘଟିଛି ଏବଂ ଯେଉଁ ଗୀତଟି କହି ଦେଉଛି ଗୀତଟିଏ ଉଭୟ ପାଟି ଓ ପାଦେର ଗାଇ ହୁଏ। ‘ରଙ୍ଗବତୀ’ ଗୀତ ଭଳି ‘ନାଟୁ ନାଟୁ’ ଗୀତଟି ଜଣେ ଖାଲି ଗାଇ ଦେଇ ରହି ଯାଏନି, ଗାଇବା ସାଙ୍ଗକୁ ଜଣକର ପାଦ ସାଙ୍ଗେ ସାଙ୍ଗେ ଚାହେଁ ନାଚିବାକୁ। ନିକଟରେ ରାଜାମୌଳିଙ୍କ ଆଳାପ ହୋଇଥିଲା, ‘ସିଣ୍ଡଲର୍ସ ଲିଷ୍ଟ’, ‘ଜୁରାସିକ୍ ପାର୍କ’ ଓ ‘ଫେବଲମ୍ୟାନ୍ସ’ ଭଳି ଅତି ପ୍ରଭାବଶାଳୀ ଚଳଚ୍ଚିତ୍ରର ବିଖ୍ୟାତ ନିର୍ଦ୍ଦେଶକ ଷ୍ଟିଭେନ୍ ସ୍ପିଲ୍ବର୍ଗଙ୍କ ସହ। ରାଜାମୌଳି ଖୁବ୍ ମାନନ୍ତି ସ୍ପିଲ୍ବର୍ଗଙ୍କୁ। ଦୁହିଁଙ୍କ ଆଲୋଚନା କାଳରେ ସ୍ପିଲ୍ବର୍ଗ ‘ଆର୍ଅାର୍ଆର୍’ ବାବଦରେ କହିଥିଲେ- ଅଦ୍ଭୁତ; ଚମତ୍କାର। ଅତି ସୁନ୍ଦର ଭିଜୁଆଲ ଷ୍ଟାଇଲ୍। ମୋ ଆଖିକି ବିଶ୍ବାସ କରିପାରିଲିନି। କୃତଜ୍ଞତା ଜଣାଇ ରାଜାମୌଳି ପ୍ରକାଶ କରିଥିଲେ, ତାହା ଭଗବାନଙ୍କ ସହ ମୋର ଭେଟ ଭଳି ଥିଲା। ଆହୁରି କହିଥିଲେ (‘ନାଟୁ ନାଟୁ’ ପ୍ରଭାବରେ’)- ଚଉକିରୁ ଉଠି ନାଚିବାକୁ ଚାହୁଁଛି। ରାଜାମୌଳି ଆଉ ଜଣକୁ ବି ବେଶ୍ ମାନନ୍ତି- ‘ଟାଇଟାନିକ୍’ ଓ ‘ଅବ୍ତାର୍’ର ବିଶିଷ୍ଟ ନିର୍ଦ୍ଦେଶକ ଜେମ୍ସ୍ କାମେରୁନ୍ଙ୍କୁ। କାମେରୁନ୍ ମଧ୍ୟ ‘ଆର୍ଆର୍ଆର୍’ ଚଳଚ୍ଚିତ୍ରଟିକୁ ପ୍ରଶଂସା କରିଛନ୍ତି- ଚଳଚ୍ଚିତ୍ରଟିରେ ଗର୍ଭିତ ସମଗ୍ର ଓ ପୂର୍ଣ୍ଣାଙ୍ଗ ପ୍ରଦର୍ଶନ ତଥା ଭାବକୁ। ଆଉ ରାଜାମୌଳିଙ୍କୁ କହିଥିଲେ- ଆମର ଏଠି ହଲିଉଡ୍ରେ କାମ କରିବାକୁ ଚାହୁଁଥିଲେ ମୋ ସହ କଥା ହୋଇପାରିବେ।
‘ଆର୍ଆର୍ଆର୍’ର ଏଭଳି ନାମକରଣ କାହିଁକି ଓ ତାହା କ’ଣ ପ୍ରକୃତରେ କୁହ? ନାମକରଣର ଉତ୍ପତ୍ତି ରୁଦ୍ରମ୍, ରଣମ୍, ରୁଧିରମ୍ରୁ; ଚଳଚ୍ଚିତ୍ରଟି ଅନେକାଂଶରେ ରୋଷ, ରଣ ଓ ରକ୍ତର କାହାଣୀ। ଛବିର ନାଁ ପୁଣି ‘ରୋର୍, ରାଇଜ୍ ଓ ରିଭୋଲ୍ଟ’- ଗର୍ଜିବା, ଉଠିବା ଓ ଲଢ଼ିବାକୁ ମଧ୍ୟ ସୂଚେଇଥାଏ। ରାଜାମୌଳି, ରାମଚରଣ ଓ ରାମାରାଓ- ଏ ତିନି ଜଣଙ୍କ ନାଁର ମୂଳ ଅକ୍ଷରକୁ ଧରି ଚଳଚ୍ଚିତ୍ରର ନାମକରଣ। ତେଣୁ ମହାନାୟକ ପ୍ରୀତି ଚଳଚ୍ଚିତ୍ରଟିର କଥାବସ୍ତୁର ପ୍ରମୁଖ ଭାଗ। ଫାଣ୍ଟାସି, ରୋମାଞ୍ଚ, ଗୀତ, ଦୁଃସାହସ, ଆକ୍ସନ, ଇତିହାସ, ଅତିକଥା, ପୁରାଣ, କି˚ବଦନ୍ତି, ଚିତ୍ରୋତ୍ତଳନ ଓ ଲୋକକାହାଣୀର ସମ୍ମିଶ୍ରିତ ଚମତ୍କାରିତା ଚଳଚ୍ଚିତ୍ରର ସଫଳତା ତଥା ଲୋକପ୍ରିୟତାକୁ ସୁନିଶ୍ଚିତ କରିପାରିଛି। ଆକଳନ କହେ ଏକ ଭାରତୀୟ ଚଳଚ୍ଚିତ୍ର ଭାବେ ଏହା ସବୁଠାରୁ ଅଧିକ ବ୍ୟୟବହୁଳ ଚଳଚ୍ଚିତ୍ର। ସୁଟିଂ କରାଯାଇଛି ଦେଶବିଦେଶର ଅନେକ ସ୍ଥାନରେ- ଆରାକୁ ଉପତ୍ୟକା, ଗୁଜୁରାଟ, ମହାରାଷ୍ଟ୍ର, ୟୁକ୍ରେନ୍, ବୁଲ୍ଗେରିଆ, ଦିଲ୍ଲୀ, ମହାବଳେଶ୍ବର, ହାଇଦ୍ରାବାଦ, ହାଥରସ୍ ଓ ହଲାଣ୍ଡ ଆଦିର ବିଭିନ୍ନ ଜାଗାେର। ଫଳରେ ବିଶାଳ ଓ ପରିବ୍ୟାପ୍ତ ଦୃଶ୍ୟପଟ ଦର୍ଶକଙ୍କୁ ଆଚ୍ଛନ୍ନ କରିପାରିଥିଲା ଓ କରୁଛି ମଧ୍ୟ।
କହିବା ବାହୁଲ୍ୟ ମହାମାରୀ ଓ ପ୍ରାକ୍-ମହାସମରର ସଂପର୍କ ମଧ୍ୟ ଚଳଚ୍ଚିତ୍ରଟି ସହ ରହିଛି; ଯେମିତି ବିଭାଜିତ ଆନ୍ଧ୍ରର ଅବିଭକ୍ତ ସାଂସ୍କୃତିକ ସ୍ମୃତି ସହ ସଂପର୍କ। ମଝିରେ ମଝିରେ କୋଭିଡ୍ କଟକଣା କୋହଳ ହେଉଥିଲା ବେଳେ ଚଳଚ୍ଚିତ୍ର, ସଂପର୍କିତ କାମ ପୁଣି ଆରମ୍ଭ ହେଉଥିଲା। ୟୁକ୍ରେନ୍ ଯୁଦ୍ଧ ପୂର୍ବରୁ ‘ନାଟୁ ନାଟୁ’ ଗୀତର ସୁଟିଂ ହୋଇଥିଲା ୟୁକ୍ରେନ୍ର ରାଜଧାନୀ ‘କିଭ’ର ‘ମାରିନ୍ସ୍କି ପ୍ରାସାଦ’ରେ ଯାହାକି ସେଠାକାର ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ। ଦୁଇ ଜଣ ସତ ଐତିହାସିକ ବିପ୍ଳବୀ ଏ ଚଳଚ୍ଚିତ୍ରରେ ପରିବର୍ତ୍ତିତ ରୂପ ଧାରଣ କରିଛନ୍ତି- ଜଣେ ହେଲେ ଆନ୍ଧ୍ରର ଆଲୁରି ସୀତାରାମା ରାଜୁ ଓ ଅନ୍ୟ ଜଣେ ତେଲେଙ୍ଗାନାର କୋମାରାମ ଭୀମ୍। ଯେଉଁ ଗୁଣଗ୍ରାହୀ ଦର୍ଶକମାନେ ବିସ୍ତାର ଓ ଗଭୀରତାକୁ ଭଲ ପାଆନ୍ତି, ସେମାନଙ୍କ ପାଇଁ ଛବିଟି ଅତି ଆଶ୍ବାସନାଦାୟକ। ଅତୀତର ଆବେଗ କେମିତି ଆଗାମୀର ପ୍ରଯୁକ୍ତିର ସହାୟତା ପାଇ ଗତିଶୀଳ ଓ ଉଜ୍ଜୀବିତ ହୁଏ, ତାହା ‘ଆର୍ଆର୍ଆର୍’ର ଏକ ବଡ଼ ଉପଲବ୍ଧି। ଘଟଣା, କାହାଣୀ, ଚରିତ୍ର ଓ ସଂଳାପ ତ ଏଥିରେ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ଅଧିକ ଗୁରୁତ୍ବପୂର୍ଣ୍ଣ ‘ଆର୍ଆର୍ଆର୍’ରେ ଦୃଶ୍ୟମୟତା। ଚଳଚ୍ଚିତ୍ର ଯୋଗ୍ୟ ଦୃଶ୍ୟ ଭଳି ପ୍ରଗଳ୍ଭ ଓ େଯାଗସୂତ୍ରକାରୀ ଜୈବିକ ସଂଶାଧନ ସହଜରେ ମିଳେନି; କିନ୍ତୁ ମିଳିଲେ ତା’ର ସମୁଚିତ ଉପଯୋଗ କରିବା ବଡ଼ ଆହ୍ବାନ, ଯାହା ସମ୍ଭବ କରାଇଛନ୍ତି ରାଜାମୌଳି। ବେଳେବେଳେ ତାଙ୍କ ମୌଳିକପଣିଆ ଅବଶ୍ୟ ବେଶ୍ ରାଜକୀୟ ହୋଇପଡ଼ିବାରେ ଲାଗିଛି। ଆକ୍ସନ୍-ଥ୍ରିଲ୍-ଏପିକ୍ ପ୍ରକରଣରେ ସାଧାରଣତଃ ସେଭଳି ଘଟିଥାଏ ବୋଲି କୁହାଯାଏ।
ଜଣେ ରାଜାମୌଳି ରାତାରାତି ସମ୍ଭବ ହୁଅନ୍ତିନି। ଏକ ଯୌଥ ପରିବାରରେ ସିଏ ବଢ଼ିଥିଲେ। ବହୁ ବିସ୍ଥାପନ ଓ ଅନେକ ଅନ୍ୟତ୍ର ଗମନର ସନ୍ତପ୍ତ ଅନୁଭବର ଅଧିକାରୀ ତାଙ୍କ ପରିବାର, ସେଭଳି ଅଭିଜ୍ଞତା ମିଳିଥିଲା ତାଙ୍କ ପରିବାରକୁ ଆନ୍ଧ୍ର ଛଡ଼ା କର୍ଣ୍ଣାଟକ ଓ ତାମିଲନାଡୁରୁ। ପିଲା ଦିନୁ ଗପ ଓ କାହାଣୀ ପ୍ରତି ତାଙ୍କର ପ୍ରବଳ ଆଗ୍ରହ ଥିଲା। ଅମର ଚିତ୍ର କଥା ଓ ଚନ୍ଦାମାମାର ସିଏ ନିୟମିତ ରସିକ ପାଠକ ଥିଲେ ଏବଂ ଏବେ ମନେ ପକାଇ କହନ୍ତି ସେ ତାଙ୍କ କୃତି ଉପରେ ଦୁଇଟି ଜ୍ଞାନପାଠ୍ୟର ଛାପ ବାବଦରେ। ତାଙ୍କ ମା’ ତାଙ୍କୁ ନେଇ ଯାଉଥିଲେ ପାଖ ସହରକୁ ଯେଉଁଠି କି ସିଏ ଇଂରେଜୀ ସିନେମାମାନ ଦେଖିପାରୁଥିଲେ। ସିନେମା ନିଶା ଘାରିଥିଲା ତାଙ୍କ ପରିବାରର ଅନେକଙ୍କୁ। ୩୬୦ ଏକର ପାଖାପାଖି ଜମି ଥିଲା ତାଙ୍କ ଜେଜେବାପାଙ୍କର। ସେସବୁ ପୈତୃକ ସମ୍ପତ୍ତି ହରେଇ ଥିଲେ ରାଜାମୌଳିଙ୍କ ବାପା ବିଜୟେନ୍ଦ୍ର ପ୍ରସାଦ ଓ ସଂପର୍କୀୟମାନେ ସିନେମା ତିଆରି କରିବା ମୋହରେ; ସିନେମାର ମହିମା ଦ୍ବାରା ବଶ ହୋଇ। ସିନେମାର ଅନ୍ୟ ନାଁ ମାୟାଦର୍ପଣ। କିଛି କମ୍ ନୁହେଁ ସେ ମାୟାଦର୍ପଣର ଆକର୍ଷଣ। ସେବେକାର ଆନ୍ଧ୍ରର କୋଭୁର୍ରେ ଜନ୍ମଲାଭ କରିଥିବା ରାଜାମୌଳି ନିଜ ମାମୁଁଘର ବିଶାଖାପାଟଣା ସହରରେ ବି ଅନେକ ବର୍ଷ କଟେଇଛନ୍ତି। ‘ଆର୍ଆର୍ଆର୍’ ତାଙ୍କ ପାଇଁ ଉଭୟ ବାପାଙ୍କ ଘର ଓ ମା’ଙ୍କ ଘରକୁ ଥରକୁ ଥର ପାଇଲା ଭଳି! ମା’ ଆହୁରି ତାଙ୍କୁ ନିର୍ଦ୍ଦିଷ୍ଟ ଭାବେ କମିକ୍ସ୍, ରାମାୟଣ, ମହାଭାରତ ଓ ଭାଗବତ ପଢ଼ିବା ପାଇଁ ପ୍ରବର୍ତ୍ତାଇ ଥିଲେ ଏବଂ ସେ ସବୁ ପ୍ରାରମ୍ଭିକ ପଠନର ପ୍ରତିଫଳନ ତାଙ୍କ ଚଳଚ୍ଚିତ୍ରମାନଙ୍କରେ ପରିଲକ୍ଷିତ ହୁଏ। କାରଣ ସେଥିରେ ଚରିତ୍ରମାନେ ମହାନାୟକତ୍ବରେ ଭରା ଓ ଅତିକାୟ, ଜୀବନ ଠାରୁ ଅଧିକ ବିଶାଳ। ତାଙ୍କ ଚଳଚ୍ଚିତ୍ର, ମୂଳ ତେଲୁଗୁ ଚଳଚ୍ଚିତ୍ର, ଏକ ମହତ୍ତ୍ବପୂର୍ଣ୍ଣ ସନ୍ଦେଶ ଦିଏ- ଆଞ୍ଚଳିକ ଅନେକ ସମୟରେ ଜାତୀୟ ଓ ବିଶ୍ବସ୍ତରୀୟ ମାନକୁ ଟପି ପାରେ। ସିନେମା ବ୍ୟତୀତ େଟଲିଭିଜନ୍ ଓ ବିଜ୍ଞାପନର ଶକ୍ତିକୁ ସେ ଭଲ ଭାବେ ବୁଝିଥିଲେ ଯେଉଁଥି ପାଇଁ ତାଙ୍କ ସିନେମାରେ ଛୋଟ ପରଦା ଓ ବିଜ୍ଞାପନର ଗ୍ରହଣୀୟ ପ୍ରାଣ ପ୍ରାଚୁର୍ଯ୍ୟ ଲେସି ହୋଇଥାଏ।
ରାଜ୍ୟ, ଦେଶ ଓ ବିଦେଶର ଅନେକ ପ୍ରଭାବ କଥା ରାଜାମୌଳି ଅନେକ ସମୟରେ ସ୍ବୀକାର କରିଛନ୍ତି। ଜଣେ ତ ହେଲେ ତାଙ୍କ ବାପା ଯାହାଙ୍କ ଠାରୁ ସିଏ ଚିତ୍ରନାଟ୍ୟ ଲିଖନ ଓ ଚଳଚ୍ଚିତ୍ର ନିର୍ଦ୍ଦେଶନାର ଆଦ୍ୟ ମାର୍ଗଦର୍ଶନ ପାଇଥିଲେ। ବିଶିଷ୍ଟ ନିର୍ଦ୍ଦେଶକ, ନିର୍ମାତା ଓ ଚିତ୍ରନାଟ୍ୟ ଲେଖକ କେ. ରାଘେବନ୍ଦ୍ର ରାଓଙ୍କୁ ରାଜାମୌଳି ନିଜର ଗୁରୁ ମାନ୍ୟ କରୁଥିଲେ। ତାଙ୍କ ଠୁଁ ରାଜା ଶିଖିଥିଲେ କଳା େକ୍ଷତ୍ରରେ କର୍ମସଂସ୍କୃତି ଓ ନିଖୁଣପଣର ବିଶେଷତ୍ବ ବିଷୟରେ। ରାଜାମୌଳିଙ୍କର ଅନେକ ପ୍ରିୟ ଚଳଚ୍ଚିତ୍ର ଭିତରୁ ତିନିଟି ହେଲା- କେ. ଭି. ରେଡ୍ଡୀଙ୍କ ‘ମାୟାବଜାର’ (୧୯୫୭), ଉଇଲିଅମ୍ ଉଇଲର୍ଙ୍କ ‘ବେନହୁର’ (୧୯୫୯) ଓ ମେଲ୍ ଗିବ୍ସନ୍ଙ୍କ ‘ବ୍ରେଭ୍ ହାର୍ଟ’ (୧୯୯୫)। ବଲିଉଡ୍ ଜଗତର ରାଜ କପୁର, ରାମଗୋପାଳ ବର୍ମା, ରାଜକୁମାର ହିରାନୀ ଓ ଅନୁରାଗ କାଶ୍ୟପ ପ୍ରଭୃତିଙ୍କ କାମ ତାଙ୍କୁ ଭଲ ଲାଗେ। ମେଲ୍ ଗିବ୍ସନ୍ଙ୍କ ସମ୍ବନ୍ଧେର ରାଜାମୌଳି ଥରେ କହିଥିଲେ- ମୁଁ ତାଙ୍କ ଆଗରେ ଏକଲବ୍ୟ ସମ।
ବ୍ୟକ୍ତିଗତ ଜୀବନରେ ଈଶ୍ବର ବିଶ୍ବାସୀ-ବିରୋଧୀ ନ ଥିବା ‘ଅାଗ୍ନୋଷ୍ଟିକ୍’ ରାଜାମୌଳି ଚଳଚ୍ଚିତ୍ର ବ୍ୟକ୍ତିତ୍ବ ଭାବେ ଧର୍ମ, ପୁରାଣ, ଇତିହାସ ଓ ଅତିକଥା ଭିତ୍ତିକ ବିଷୟବସ୍ତୁ ବାଛିବାରେ ଦ୍ବିଧା ପ୍ରକାଶ କରନ୍ତି ନାହିଁ। ‘ଆର୍ଆର୍ଆର୍’ର ଭୀମ ଚରିତ୍ର ମହାଭାରତ ଓ ରାମ ଚରିତ୍ର ରାମାୟଣ ପୃଷ୍ଠଭୂମି ମନେ ପକାଇ ଦିଅନ୍ତି ଏବଂ ଏକ ମହତ ଉଦ୍ଦେଶ୍ୟ ସାଧନ ନିମନ୍ତେ ଭୀମ-ରାମଙ୍କ ମିଳନ କଥା ଓ ବନ୍ଧୁତା ପ୍ରସଙ୍ଗ ବି। ଆଲୋଚ୍ୟ ଚଳଚ୍ଚିତ୍ରଟି ପାଇଁ ଅନ୍ୟତମ ପ୍ରେରଣା ଭାବେ କାମ କରିଛି ‘ଦି ମୋଟର ସାଇକେଲ୍ ଡାଏରିଜ୍’ (୨୦୦୪) ଚଳଚ୍ଚିତ୍ର ଯାହା ଆର୍ଜେଣ୍ଟିନୀୟ ମାର୍କସ୍ବାଦୀ ଓ କ୍ୟୁବା ବିପ୍ଳବର ପ୍ରତିନିଧି କର୍ମୀ-ପ୍ରବକ୍ତା ଚେ ଗ୍ବାଭେରାଙ୍କ ଜୀବନକୁ ନେଇ େମାଟାମୋଟି। ‘ଆର୍ଆର୍ଆର୍’ରେ ସୁଭାଷ ବୋଷ ଓ ଭଗତ ସିଂହଙ୍କୁ ଦର୍ଶାଯାଇଛି, ହେଲେ ସେମାନଙ୍କ ସାଙ୍ଗକୁ ଗାନ୍ଧୀଜୀ ଓ ଆମ୍ବେଦକର ବି ରହିବା ଉଚିତ ଥିଲା ବୋଲି କେତେକ ମହଲରୁ କୁହାଯାଉଛି। ଅନୁରାଗ କାଶ୍ୟପଙ୍କର ଆଶଙ୍କା ରାଜାମୌଳିଙ୍କୁ ହଲିଉଡ୍ ସବୁ ଦିନ ପାଇଁ ନେଇ ଚାଲିଯିବନି ତ? ଅନ୍ୟମାନେ ମନ୍ତବ୍ୟ ଦିଅନ୍ତି- ‘ନାଟୁ ନାଟୁ’ ପାଇଁ ଆନ୍ତର୍ଜାତିକ ସ୍ବୀକୃତି ପାଶ୍ଚାତ୍ୟ ଜଗତର ଅତି ବିଳମ୍ବିତ ପ୍ରାୟଶ୍ଚିତ୍ତ ଓ ଦୋଷୀ ମନୋଭାବର ପରିପ୍ରକାଶ ନୁହେଁ ତ? ‘ଆର୍ଆର୍ଆର୍’ ଚଳଚ୍ଚିତ୍ରଟି ବି ଜନଜାତି ଓ ଅରଣ୍ୟ କଥା ଉଠେଇଛି। କଳାକୌଶଳ ସଂପନ୍ନା ଗଣ୍ଡ ଜନଜାତିର ଅଳ୍ପ ବୟସର ଲଳନା ମାଲିକୁ ଅପହରଣ କରି ନେଇଯାଆନ୍ତି ବ୍ରିଟିସ ରାଜ କାଳରେ ପ୍ରଶାସକ ସ୍କଟ୍ ବକ୍ସଟନ୍ ଓ ତାଙ୍କ ପତ୍ନୀ କାଥେରିନ୍, ଏକଦା ଆଦିଲାବାଦ ଜଙ୍ଗଲ ଅଞ୍ଚଳକୁ ଆସିଥିଲା ବେଳେ। ସେ ଜନଜାତିର ମୁଖିଆ କୋମାରସ୍ ଭୀମକୁ ତାହା କ୍ଷୁବ୍ଧ କରେ ଏବଂ ମାଲିକୁ ଖୋଜି ଫେରେଇ ଆଣିବା ପ୍ରକ୍ରିୟାରେ ଭୀମ (ରାମାରାଓ)ଙ୍କର ଦେଖାହୁଏ ଆଲୁରି ସୀତାରାମ ରାଜୁ (ରାମଚରଣ)ଙ୍କ ସହ ଯିଏ ପୁଲିସ ଅଧିକାରୀ ଭାବେ କାମ କରୁଥାନ୍ତି। ଚଳଚ୍ଚିତ୍ରଟିର କେତେକ ଆଭିମୁଖ୍ୟ ମତାଦର୍ଶ ଓ ରାଜନୀତିକ ଔଚିତ୍ୟ ନେଇ ପ୍ରଶ୍ନ ଉଠାଉଛନ୍ତି ଭିନ୍ନ ଭିନ୍ନ ପକ୍ଷ।
ନିର୍ଦ୍ଦେଶକ ରାଜାମୌଳିଙ୍କ ଏ ଚଳଚ୍ଚିତ୍ରଟି କହେ ଯେ କୌଣସି ଉତ୍କୃଷ୍ଟ ଚଳଚ୍ଚିତ୍ର ପୃଥିବୀର ଯେ କୌଣସି ଦେଶରୁ, ଦେଶର ଯେ କୌଣସି ରାଜ୍ୟରୁ ସମ୍ଭବ ହୋଇପାରେ। ଛବିଟିଏ ସେତିକିବେଳେ ଅଧିକ ଛୁଏଁ, ଯେତେବେଳେ ତାହା ଗଣ ଭାବାବେଗ ସହ ଯୋଡ଼ି ହୋଇଯାଏ, ଚିତ୍ତ ବିେନାଦନ ସାଙ୍ଗକୁ ଚିତ୍ତ ପ୍ରସାରଣ କରେ, ମଣିଷର ଅବଚେତନ ପାଖରେ ପହଞ୍ଚିଯାଏ। ଜଣକୁ ଲାଗେ ଭିନ୍ନ ଏକ କାହାଣୀ ଆଢୁଆଳେ ତାଙ୍କ କଥା ବି କୁହାଯାଉଛି। ଯେଉଁଠି ସମୟର ପଶ୍ଚାତ୍ଗମନ ଓ ଅଗ୍ରସର ହେବା ଭିତରେ ଫାଙ୍କ ବାରି ହୁଏନି। ମାୟାଦର୍ପଣର ମହାକର୍ଷଣର ସେଇ ସବୁ ନିଶ୍ଚୟ ନିର୍ଣ୍ଣାୟକ କାହାଣୀ।
ମୋ: ୯୪୩୭୩୦୭୦୭୯