ପାର୍ବତୀ ଗିରି (୧୯୨୬-୧୯୯୫) ଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ। ୧୯୪୨ର ‘ଭାରତ ଛାଡ଼’ ସମୟରେ ସେ ମାତ୍ର ୧୬ ବର୍ଷ ବୟସରେ ବିରଞ୍ଚି ପ୍ରଧାନ ଏବଂ ପୂର୍ଣ୍ଣ ପ୍ରଧାନଙ୍କ ଭଳି ଦୁଇ ତରୁଣଙ୍କୁ ସାଙ୍ଗରେ ନେଇ ବରଗଡ଼ ଏସ୍ଡିଓ କଚେରିକୁ କବ୍ଜା କରିବା ପାଇଁ ଉଦ୍ୟମ କରିଥିଲେ; ଯେଉଁ ‘ଗାନ୍ଧୀ ରାଜ’ ପାଇଁ ତାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ମିଳିଥିଲା। ପାର୍ବତୀ ଥିଲେ ବିଜେପୁର (ବରଗଡ଼ ଜିଲ୍ଲା) ନିକଟସ୍ଥ ସମଲାଇପଦର ଗ୍ରାମର। ତାଙ୍କ କାକା ରାମଚନ୍ଦ୍ର ପୁରୀଙ୍କ ନେତୃତ୍ବରେ ଗ୍ରାମର ନଅ ଜଣ ସତ୍ୟାଗ୍ରହୀ ‘ଭାରତ ଛାଡ଼’ରେ ସାମିଲ ହୋଇ ଗିରଫ ହୋଇଥିଲେ। ପାର୍ବତୀଙ୍କୁ ‘ଅପ୍ରାପ୍ତ ବୟସ୍କ’ କହି ପୁଲିସ େସତେବେଳେ ଗିରଫ ନ କରିବାରୁ ସେ କଚେରି ଦଖଲ ଭଳି ଏକ ଅଧିକ ବଡ଼ ବିପ୍ଳବୀ କାର୍ଯ୍ୟର ଯୋଜନା କରି ଗିରଫ ହୋଇଥିଲେ। ଏଥିରୁ ଯାହା ସ୍ପଷ୍ଟ, ତାହା ହେଲା ୧୯୪୨ ମସିହା ବେଳକୁ ଜାତୀୟତାବାଦ ଦେଶର ଖୁବ୍ ଅଭ୍ୟନ୍ତରକୁ ଆନ୍ଦୋଳିତ କରିସାରିଥିଲା ଏବଂ ସେହି କାରଣରୁ ସାମାନ୍ୟ ଲେକେ ଇଂରେଜ ସରକାର ଏବଂ ଜେଲ୍କୁ ଡରୁ ନ ଥିଲେ।
ସ୍ବାଧୀନତା ପରେ ପାର୍ବତୀ ଗିରି ଦଳୀୟ ଓ କ୍ଷମତା ରାଜନୀତି ଆଡ଼କୁ ମୁହାଁଇ ନ ଥିଲେ। ରମାଦେବୀ ଏବଂ ମାଳତୀ ଚୌଧୁରୀଙ୍କ ତାଲିମ ଓ ପ୍ରେରଣାରେ ସାମାଜିକ କାମରେ ମନ ଦେଇଥିଲେ। ବାଲ୍ୟ କାଳରେ ଔପଚାରିକ ଶିକ୍ଷାରୁ ବଞ୍ଚିତ ଥିବାରୁ ତା’ର ଭରଣା ପାଇଁ ୧୯୫୦ରେ ତତ୍କାଳୀନ ଆହ୍ଲାବାଦସ୍ଥିତ ପ୍ରୟାଗ ମହିଳା ବିଦ୍ୟାପୀଠରେ ଅଧ୍ୟୟନ କରିଥିଲେ; ସେଠାରୁ ଫେରି ଆସି ସେ ବରି ଆଶ୍ରମରେ ରହି କାର୍ଯ୍ୟ କରିଥିଲେ। ପୁଣି, ୧୯୫୫ରେ ଯୁଯୋମୁରାରେ (ସମ୍ବଲପୁର ଜିଲ୍ଲା) କୁଷ୍ଠ ନିରାକରଣ ଅଭିଯାନରେ ସାମିଲ ହୋଇଥିଲେ; ୧୯୭୪ରେ ବରଗଡ଼ ଜିଲ୍ଲାର ପାଇକମାଳ ଠାରେ ‘କସ୍ତୁରବା’ ଗାନ୍ଧୀ ମାତୃ ନିକେତନ ନାମରେ ଏକ ଅନାଥାଳୟର ସ୍ଥାପନା କଲେ। ତେଣିକି ମୃତ୍ୟୁ ପର୍ଯ୍ୟନ୍ତ ଏହି ଅନାଥାଳୟ ଥିଲା ତାଙ୍କର ସ୍ଥାୟୀ ଠିକଣା। କସ୍ତୁରବା ଗାନ୍ଧୀ ମାତୃ ନିକେତନ କିନ୍ତୁ ଲୋକମୁଖରେ ପରିଚିତି ପାଇଲା ‘ପାର୍ବତୀ ଗିରି ଆଶ୍ରମ’ ଭାବେ। ଆଞ୍ଚଳିକ ସ୍ତରରେ ପାର୍ବତୀ ଗିରି ହୋଇଗଲେ କସ୍ତୁରବା’ ଗାନ୍ଧୀଙ୍କର ଏକ ପ୍ରତିଶବ୍ଦ ମାତ୍ର; ସମାଜ ପାଇଁ ଉତ୍ସର୍ଗୀକୃତ ବ୍ୟକ୍ତିତ୍ବ!
‘ପାର୍ବତୀ ଗିରି ଆଶ୍ରମ’ ଆମ ଗାଁଠାରୁ ବେଶୀ ଦୂର ନୁହେଁ। ମାତ୍ର ଅବସୋସର କଥା ଯେ ପାର୍ବତୀ ଗିରିଙ୍କୁ ତାଙ୍କ ଜୀବଦ୍ଦଶାରେ ମୁଁ କେବେ ଭେଟିବାର ଅବସର ପାଇନାହିଁ। ସ୍ବାଧୀନତା ସଂଗ୍ରାମରେ ତାଙ୍କ ଭୂମିକା ତୁଳନାରେ ଏହି ଆଶ୍ରମ ହିଁ ପାର୍ବତୀ ଗିରିଙ୍କୁ ଆମ ଅଞ୍ଚଳରେ ଅଧିକ ଲୋକାଦୃତ କରେ। ଅନେକ ଅନାଥ ଓ ନିରାଶ୍ରୟ ଶିଶୁ ସେଠି ଲାଳିତ ପାଳିତ ହୋଇଛନ୍ତି; ଜୀବନ ସାଙ୍ଗରେ ଶିକ୍ଷା ବି ପାଇଛନ୍ତି। ଜଣେ ମା’ର ସ୍ନେହ ଓ ସୁରକ୍ଷା ଦେଇ ପାର୍ବତୀ ତାଙ୍କ ଆଶ୍ରମର ଅନ୍ତେବାସୀମାନଙ୍କୁ ବଡ଼ କରିଛନ୍ତି। ତାଙ୍କ ସକାଶେ କୌଣସି ସରକାରୀ ପଦପଦବି ନିରର୍ଥକ ଥିଲା; ଏହା ଥିଲା ସର୍ବାଧିକ ବଡ଼ କାମ।
ଏ ନେଇ ମୋର ବିଶ୍ବାସ ଦୃଢ଼ତର ହେଲା ପ୍ରାୟ ଦେଢ଼ ଦଶନ୍ଧି ତଳେ, ଯେତେବେଳେ ମୋର ଜଣେ ଛାତ୍ରୀ ମୁହଁରୁ ତା’ ଜୀବନ ସଂଘର୍ଷ କଥା ଶୁଣିଲି। ପିଲାଦିନେ ଛାତ୍ରୀଟି ‘ପାର୍ବତୀ ଗିରି ଆଶ୍ରମ’ରେ ବଡ଼ ହୋଇଥିଲା। ଝିଅଟି ଥିଲା ଦଳିତ ଜାତିର ଏବଂ ଅନାଥ। ବାପା ତା’ର ଜନ୍ମ ବେଳକୁ ନ ଥିଲେ। ଉଚ୍ଚ ଜାତିର ହୋଇଥିବାରୁ ନିଜ ପ୍ରେମିକାକୁ (ଝିଅଟିର ମା’)କୁ ସେ ସ୍ବୀକାର କରି ନ ଥିଲେ। ଝିଅଟିର ଜନ୍ମର ଦୁଇ-ତିନି ବର୍ଷ ଉତ୍ତାରୁ ମା’ଙ୍କ ମୃତ୍ୟୁ ହେଲା। କୁନି ଝିଅଟିର ଲାଳନ-ପାଳନର ଦାୟିତ୍ବ ଆସି ପଡ଼ିଲା ବୁଢ଼ୀ ମା’ ଉପରେ, ଯିଏ ବୟସାଧିକ୍ୟ ଯୋଗୁଁ ବିଲ ମଜୁରି ପାଇଁ ମଧ୍ୟ କ୍ବଚିତ ଡକରା ପାଉଥିଲେ। ସୁତରାଂ, ଘୋର ଅନଟନ ଭିତରେ ଜୀବନ କଟିବା ଆରମ୍ଭ ହୋଇଥିଲା। ଏହି ସମୟରେ କୌଣସି କାମରେ ଦିେନ ‘ପାର୍ବତୀ ଗିରି ଆଶ୍ରମ’ର ଦୀପଟି ତାଙ୍କ ଗାଁକୁ ଆସିଥାଏ ଓ ପିଲାଏ ଦୀପ ପଛରେ ଗୋଡ଼ାଇଥାନ୍ତି। ସେହି ଅବସରରେ କେତେବେଳେ ଆଠ-ନଅ ବର୍ଷର ଏହି ଝିଅ ଛୁଆଟି ଦୀପ ପଛ ପଟେ ଚଢ଼ିଗଲାଣି, କାହାର ନିଘା ନାହିଁ। ଝିଅଟିର ଦୀପରେ ଉପସ୍ଥିତି କଥା ଶେଷରେ ଆବିଷ୍କୃତ ହେଲା ବେଳକୁ କାହିଁ କେତେ ଦୂରରେ ରହି ଗଲାଣି ତା’ର ଗାଁ; ଆଶ୍ରମ ପହଞ୍ଚିବାକୁ ଆଉ ବେଶୀ ଦୂର ନାହିଁ। ଝିଅଟି କହିଲା େଯ ସେ ତା’ ବୁଢ଼ୀ ମା’ ପାଖକୁ ଆଉ ଫେରିବନି। କୁନି ଝିଅଟି ଆଶ୍ରମରେ ଆସି ରହିଲା। ବୁଢ଼ୀ ମା’ର ବି ଆଉ ବଳ-ବୟସ ନ ଥିଲା, ନାତୁଣୀ ଛୁଆଟିକୁ ଖୋଜିବାକୁ। ତଳ ବର୍ଗ, ଦଳିତ ଜାତି, ଅସହାୟତା ଏବଂ ପରିଶେଷରେ ବାର୍ଦ୍ଧକ୍ୟ; ବୁଢ଼ୀକୁ ସମ୍ଭବତଃ ଭାଗ୍ୟ ଆଦରି ସବୁ କିଛି ସହିଯିବାକୁ ବାଧ୍ୟ କରିଥିବ! ଝିଅଟି ଏଣିକି ପାର୍ବତୀ ଗିରି ଆଶ୍ରମରେ ବଢ଼ିଲା; ପଢ଼ିଲା; ଏବଂ ବଡ଼ ହେଲେ ଶିକ୍ଷକତା କରିବା ପାଇଁ ଇଚ୍ଛା ପୋଷଣ କଲା। ଝିଅଟି ମୁହଁରୁ ତା’ ଜୀବନ ସଂଘର୍ଷ କଥା ଶୁଣିଲା ପରେ ପାଠରେ ଊଣା ରହିବା, କିମ୍ବା ଶ୍ରେଣୀରେ ଅନ୍ୟମନସ୍କ ହେବା, ଅଥବା ନିଜ ବ୍ୟକ୍ତିତ୍ବରେ ସେ ଖୁବ୍ ଆଚରଣ-ସିଦ୍ଧ ନ ହେବା ବିଷୟ ମୋତେ ଆଉ ଦୋଷାବହ ମନେ ହେଲା ନାହିଁ। ପୁଣି, ପାର୍ବତୀ ଗିରିଙ୍କ ପ୍ରତି ମଧ୍ୟ ମୁଣ୍ଡ ନଇଁଗଲା।
ପାର୍ବତୀ ଗିରି, ରମାଦେବୀ, ମାଳତୀ ଚୌଧୁରୀ, ଅନ୍ନପୂର୍ଣ୍ଣା ମହାରଣା ଆଦି ଥିଲେ ମୂଳତଃ ସ୍ବାଧୀନତା ସଂଗ୍ରାମୀ। ସେମାନଙ୍କ ଭଳି ନାରୀମାନଙ୍କର ସମ୍ପୃକ୍ତି ବିନା ଜାତୀୟତା ଆନ୍ଦୋଳନ କେବେ ଦୃଢ଼ମୂଳ ହୋଇ ପାରିନଥାନ୍ତା। ଭାରତରେ ମଣିଷମାନଙ୍କ ଭିତରୁ ଅଧା ଯେତେବେଳେ ମହିଳା, କୌଣସି ଆେନ୍ଦାଳନ କ’ଣ ସେମାନଙ୍କୁ ବାଦ ଦେଇ ଏକ ପ୍ରକୃତ ଗଣ ସଂଗ୍ରାମ ବୋଲାଇ ପାରିବ? ମାତ୍ର ତା’ ଠାରୁ ଅଧିକ ବଡ଼ କଥା, ଏହି ମହିୟସୀ ମହିଳାମାନେ ଯଦି ସ୍ବାଧୀନତା ଉତ୍ତାରୁ ସାମାଜିକ କାମରୁ ନିବୃତ୍ତ ହୋଇ ପଦ-ପଦବିର ରାଜନୀତି ଆଡ଼କୁ ମୁହାଁଇଥାନ୍ତେ, ଆଜି କ’ଣ ସେମାନେ ଜନ-ମାନସରେ ସମ୍ମାନନୀୟା ହୋଇ ଜୀବିତ ଥାଆନ୍ତେ? ଏହି କାରଣରୁ ପାର୍ବତୀ ଗିରି ସ୍ଥାନୀୟ ଲୋକଙ୍କ ନଜରରେ ମଦର େଟରେସା ଓ କସ୍ତୁରବାଙ୍କ ଭଳି ଦିଶନ୍ତି। ତାଙ୍କ ଆଶ୍ରମର ପ୍ରତ୍ୟେକ ଅନ୍ତେବାସୀ, ଏବର ବା ପୁରୁଣା, କାହାରି ଜୀବନ ସଂଘର୍ଷର କଥା ଉଲ୍ଲଖିତ ଛାତ୍ରୀ ଠାରୁ ଭିନ୍ନ ନୁହେଁ। ପାର୍ବତୀ ଗିରି ଏହାକୁ ହୃଦ୍ବୋଧ କରିଥିଲେ ବୋଲି ଅନାଥାଳୟ ସ୍ଥାପନ କରିଥିଲେ ଏବଂ ଏହି କାର୍ଯ୍ୟ ତାଙ୍କ ପାଇଁ ସ୍ବାଧୀନତା ସଂଗ୍ରାମ ଠାରୁ କୌଣସି ଗୁଣରେ କମ୍ ମହତ୍ତ୍ବପୂର୍ଣ୍ଣ ନ ଥିଲା। ଉଭୟେ ଯେମିତି ଗୋଟିଏ ଅଭିପ୍ରାୟର ଦୁଇଟି ଅଭିବ୍ୟକ୍ତି!
ପାର୍ବତୀ ଗିରି ଆଜି ନାହାନ୍ତି। ତାଙ୍କ ଦେହାବସାନକୁ ତିନି ଦଶନ୍ଧି ପୂରିବାକୁ ବସିଲାଣି। ତାଙ୍କୁ ଆଗାମୀ ପିଢ଼ି ପାଇଁ ସ୍ମୃତି-ଯୋଗ୍ୟ କରିବାକୁ ହେଲେ କ’ଣ ତାଙ୍କ ନାମରେ କିଛି ରାସ୍ତାଘାଟ ଆଦିର ନାମକରଣ କରାଯିବା ଯଥେଷ୍ଟ? ନା, ନିଜ ନିଜ ସ୍ତରରେ ସମାଜ-ନିଷ୍ଠ ହେବା; ‘ପରାର୍ଥେ ଜୀବନ’ର ଅଭିଳାଷ ପାଳିବା ପାର୍ବତୀ ଗିରିଙ୍କ ପ୍ରଦୀପକୁ ଜଳାଇ ରଖିବ!