ଓଶୋଙ୍କୁ ଥରେ କେହି ଜଣେ ପ୍ରଶ୍ନ କଲେ- ଈଶ୍ବର ଯଦି ଅଛନ୍ତି, ତେବେ କହନ୍ତୁ କେଉଁ ରୂପରେ?
ଓଶୋ କହିଲେ- ଆମେମାନେ ଯଦି ଈଶ୍ବରଙ୍କୁ ଏକ ବ୍ୟକ୍ତି ସତ୍ତା ବୋଲି ଭାବି ନେବା ତେବେ ବିରାଟ ଭୁଲ୍ କରି ବସିବା। ଏମିତି ହେଲେ ତାଙ୍କୁ ପ୍ରମାଣ କରିବାକୁ ନାସ୍ତିକମାନଙ୍କ ସହିତ ଯୁକ୍ତି କରିବାକୁ ହେବ। ଏବଂ ଈଶ୍ବରଙ୍କ ଅସ୍ତିତ୍ବକୁ ନେଇ ଯୁକ୍ତିତର୍କରେ କୌଣସି ଆସ୍ତିକ କେବେ ହେଲେ ବି ବିଜୟୀ ହୋଇ ନାହାନ୍ତି। ତେଣୁ, ଏହା କେବଳ ଅନୁଭବର କଥା; ଯାହାକୁ ଶବ୍ଦ ଦ୍ବାରା ପରିଭାଷିତ କରାଯାଇ ପାରିବ ନାହିଁ ବା ଯୁକ୍ତି ଦ୍ବାରା ସାବ୍ୟସ୍ତ କରାଯାଇ ପାରିବ ନାହିଁ।
ତେବେ, ଈଶ୍ବର କ’ଣ? ସହଜ ଭାବରେ ଏତିକି ବୁଝି ହେବ ଯେ ଈଶ୍ବର ହେଉଛନ୍ତି ସେହି ଅସାମାନ୍ୟ ବୁଦ୍ଧିମତ୍ତା ଯାହା ବିଦ୍ୟମାନ ରହି ସମସ୍ତଙ୍କ ଅଲକ୍ଷ୍ୟରେ ତାରି ବାଟରେ ଏ ବିରାଟ ଜଗତ୍କୁ ଚଳାଇ ରଖିଛି। ଏହି ବୁଦ୍ଧିମତ୍ତାର ଛୋଟ ପ୍ରତିରୂପ ଭାବେ ଗୋଟିଏ କ୍ଷୁଦ୍ର ବୀଜକୁ ନିଅନ୍ତୁ। ମାଟିରେ ନ ପଡ଼ିଲା ଯାଏଁ ତାହା ନିର୍ଜୀବ ଭଳି ରହିଥାଏ, କିନ୍ତୁ ତା’ ଭିତରେ ଯେଉଁ ବୁଦ୍ଧିମତ୍ତା ନିହିତ ଥାଏ, ତାହା ମାଟିରେ ପଡ଼ିଲା ପରେ ଫୁଟି ବାହାରେ ଏବଂ ତାହା ଏକ ଅରଣ୍ୟ ସୃଷ୍ଟି କରି ଦେଇପାରେ।
କୌଣସି ଜ୍ଞାନ ବୀଜକୁ ଶିଖାଇ ନ ଥାଏ ଯେ ତାହା ମାଟି ତଳେ ଏତିକି ବାଟ ବିସ୍ତାର ଲାଭ କରିବ ବା ଏଇ ଦିଗରେ ଗଲେ ପାଣିର ଉତ୍ସ ମିଳିବ ବା ଗଛକୁ କେତେ ଉଚ୍ଚତା ଯାଏ ମେଲାଇବ ବା ଫଳ ବା ପୁଷ୍ପ କେଉଁଠି ଧାରଣ କରିବ! କିନ୍ତୁ ବୀଜ ତାହା ଅତି ଦକ୍ଷତାର ସହିତ କରେ।
ସେହି ବୁଦ୍ଧିମତ୍ତା ହିଁ ଈଶ୍ବର। ‘ବିରାଟ ବ୍ରହ୍ମାଣ୍ଡ’ର ପରିଚାଳନାରେ ଯେଉଁ ଅପୂର୍ବାନୁମେୟ ବୁଦ୍ଧିମତ୍ତା ରହିଛି, ତାହା ହିଁ ଈଶ୍ବର।