ଗତ ମାସରେ ବେଙ୍ଗାଲୁରୁର ଚର୍ଚ୍ଚ ଷ୍ଟ୍ରିଟ୍ ସ୍ଥିତ ଏକ ପୁସ୍ତକ ଭଣ୍ଡାରରେ ମୁଁ ଏକ ପୁସ୍ତକ ପାଇଲି, ଯାହାର ଲେଖକ ହେଉଛନ୍ତି ଭାରତର ଜଣେ ଫରାସୀ ବିଦ୍ବାନ୍। ଦୁଇ ଦଶନ୍ଧି ତଳେ ପ୍ରକାଶିତ ଏହି ବହିଟି ଆନୁଷ୍ଠାନିକ ପାଠ୍ୟକ୍ରମର ଅଂଶ ଥିଲା, ଯାହା ସିଧାସଳଖ ବର୍ତ୍ତମାନ ଉପରେ ମଧ୍ୟ ଆଲୋକପାତ କରୁଛି।
ପ୍ରଫେସର ଜାକି ଅସୟାଗଙ୍କ ଏହି ପୁସ୍ତକର ଶୀର୍ଷକ ‘ଆଟ୍ ଦି କନ୍ଫ୍ଳୁଏନ୍ସ ଅଫ୍ ଟୁ ରିଭର୍ସ: ମୁସଲିମ୍ସ ଆଣ୍ଡ୍ ହିନ୍ଦୁଜ୍ ଇନ୍ ସାଉଥ୍ ଇଣ୍ଡିଆ’, ଯାହା ଉତ୍ତର କର୍ଣ୍ଣାଟକରେ ହିନ୍ଦୁ ଓ ମୁସଲମାନ୍ଙ୍କ ଭିତରେ ଥିବା ସମ୍ପର୍କର ଏକ ସୂକ୍ଷ୍ମ ବିଭାବକୁ ଦର୍ଶାଇଥାଏ। ପ୍ରାକ୍-ଔପନିବେଶିକ ଭାରତରେ ଏକ ଇନ୍ଦ୍ରଧନୁ ତୁଲ୍ୟ ବହୁବର୍ଣ୍ଣୀ ସଂସ୍କୃତିର ସହାବସ୍ଥାନ ଦୁଇ ସମ୍ପ୍ରଦାୟକୁ ଶାନ୍ତି ଓ ସୌହାର୍ଦ୍ଦ୍ୟରେ ସର୍ବଦା ଏକ କରି ରଖିଥିଲା ବୋଲି ଯେଉଁମାନେ କହନ୍ତି, ସେମାନଙ୍କ ସହିତ ଅସୟାଗ ଏକମତ ନୁହନ୍ତି। ଏହା ସତ୍ତ୍ବେ ତାଙ୍କର ଯୁକ୍ତି ହେଲା, ଲିପିବଦ୍ଧ ଇତିହାସର ଅଧିକାଂଶ ଅଂଶରେ ହିନ୍ଦୁ ଓ ମୁସଲମାନମାନେ ଅଧିକ ସଂଘର୍ଷ ବିନା ଏକାଠି ରହି ଆସିଛନ୍ତି। ଦୈନନ୍ଦିନ ଜୀବନରେ ସଂଘର୍ଷ ତୁଳନାରେ ସହାବସ୍ଥାନ ଅଧିକ ପ୍ରକଟିତ ହୋଇଛି। ସେମାନଙ୍କ ଆର୍ଥିକ ଜୀବନ ପାରସ୍ପରିକ ନିର୍ଭରଶୀଳ ହୋଇଥିବାରୁ ହିନ୍ଦୁ ଦୋକାନୀମାନେ ମୁସଲମାନ ଗ୍ରାହକଙ୍କୁ ସେବା ଯୋଗାଉଥିବା ବେଳେ ମୁସଲମାନ ଦୋକାନୀମାନେ ମଧ୍ୟ ହିନ୍ଦୁମାନଙ୍କୁ ସେବା ଦେଉଥିଲେ। ସେମାନେ ଭିନ୍ନ ବାସଭବନରେ ରହୁଥିଲେ, ଅନ୍ତର୍ଜାତି ବିବାହ ବସ୍ତୁତଃ ଅଜ୍ଞାତ ଥିଲା, ଏପରିକି ଧାର୍ମିକ ସୀମା ବାହାରେ ଘନିଷ୍ଠ ମିତ୍ରତା ଦୁର୍ଲଭ ଥିଲା, କିନ୍ତୁ ଶତାବ୍ଦୀ ଶତାବ୍ଦୀ ଧରି ହିନ୍ଦୁ ଓ ମୁସଲମାନମାନେ ରାସ୍ତାଘାଟରେ ଓ ବଜାର ଛକରେ ଏବଂ କେବେ କେବେ ପବିତ୍ର ସ୍ଥଳୀମାନଙ୍କରେ ମିଳିତ ହେବାରେ ଅଭ୍ୟସ୍ତ ଥିଲେ।
ପୁସ୍ତକର ଗୋଟିଏ ଭାଗରେ ଉତ୍ତର କର୍ଣ୍ଣାଟକର ଏକ ଧର୍ମସ୍ଥଳୀ ସମ୍ପର୍କରେ ଲେଖାଯାଇଛି, ଯେଉଁଠାକୁ ଉଭୟ ହିନ୍ଦୁ ଓ ମୁସଲମାନ ଆସୁଥିଲେ। ତାହା ଜଣେ ମୁସଲମାନ ସନ୍ଥଙ୍କର ରାସ୍ତା କଡ଼ ଦରଘା ଥିଲା, ଯେଉଁଠି ସମସ୍ତ ଗ୍ରାମବାସୀ ପୀରଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିଲେ ଏବଂ ନିଜ ମୁସଲମାନ ଭାଇମାନଙ୍କ ଆଦର୍ଶ ପାଳନ ପୂର୍ବକ କୌଣସି ନୂଆ ଉଦ୍ୟୋଗ ଆରମ୍ଭ କରିବା ଆଗରୁ କିଛି ହିନ୍ଦୁ ତାଙ୍କ ଆଶୀର୍ବାଦ ନେବାକୁ ଭୁଲୁ ନ ଥିଲେ। କଥାକଳ୍ପ ଓ ଜନସ୍ମୃତିରେ ଜୀବିତ ଦ୍ବାଦଶ ଶତାବ୍ଦୀର ମହାନ୍ ସମାଜ ସଂସ୍କାରକ ବାସବନ୍ନାଙ୍କ ସ୍ମୃତିରେ ଆୟୋଜିତ ବାର୍ଷିକ ଉତ୍ସବ ବାବଦରେ ମଧ୍ୟ ଅସୟାଗ ଲେଖିଛନ୍ତି। ସେଇ ଉତ୍ସବ ଅବସରରେ ହିନ୍ଦୁମାନଙ୍କ ପରି ମୁସଲମାନମାନେ ମଧ୍ୟ ନିଜ ନିଜର ମଇଁଷିକୁ ବାସବନ୍ନାଙ୍କ ଅବତାର ଭାବେ ବିଚାରି ତଦନୁସାରେ ପୂଜା କରୁଥିଲେ। ଧାର୍ମିକ ସମନ୍ବୟ ସମ୍ପର୍କରେ ଅସୟାଗଙ୍କ ଦ୍ବାରା ଲିଖିତ ସବୁଠାରୁ ଅଧିକ ହୃଦୟଗ୍ରାହୀ କଥାଟି ରାଜବାଗ ସାବର ନାମକ ଲୋକନାୟକଙ୍କ ସମ୍ପର୍କରେ, ଯାହାଙ୍କୁ ହିନ୍ଦୁମାନେ ଗୁରୁ ବୋଲି ମାନୁଥିଲେ ଏବଂ ମୁସଲମାନମାନେ ସନ୍ଥ ବୋଲି ବିବେଚନା କରୁଥିଲେ। ସେହି ସବୁ ତୀର୍ଥସ୍ଥଳୀର ଅଧ୍ୟୟନ କରି ଅସୟାଗ ଅନୁଭବ କରିପାରିଥିଲେ ଯେ ବିଷ୍ଣୁଙ୍କର ଏକ ଅବତାର ଓ ଆଲ୍ଲାଙ୍କର ଏକ ମଧ୍ୟସ୍ଥ ସତେ ଯେମିତି ଜଣେ ସନ୍ନ୍ୟାସୀଙ୍କ ଠାରେ ଏକୀଭୂତ ହୋଇଥିଲେ। କର୍ଣ୍ଣାଟକର ଆଗାମୀ ବିଧାନସଭା ନିର୍ବାଚନ ପୃଷ୍ଠଭୂମିରେ ଅସୟାଗଙ୍କ ବହି ମୁଁ ପଢୁଥିଲି। ସଂପ୍ରତି ରାଜ୍ୟରେ ସତ୍ତାରୂଢ଼ ବିଜେପି ଉଦ୍ଦେଶ୍ୟମୂଳକ ଭାବେ ନିଜର ଅଭିଯାନକୁ ହିନ୍ଦୁ ବନାମ ମୁସଲମାନର ରୂପ ଦେବାକୁ ପସନ୍ଦ କରିଛି। ସେଥିପାଇଁ ତ ହିଜାବ ପରିଧାନ, ହଲାଲ ମାଂସ ବିକ୍ରି ଓ ହିନ୍ଦୁ-ମୁସଲମାନ ଭିତରେ ପ୍ରେମ ସମ୍ପର୍କ ଆଦି ବିବାଦ ମୁଣ୍ଡ ଟେକିଛି। ସଂଘ ପରିବାରର ‘ମୁଖ୍ୟସ୍ରୋତ’ ସମେତ ‘ପ୍ରାନ୍ତ’ ତତ୍ତ୍ବଗୁଡ଼ିକ ଦ୍ବାରା ଏହାକୁ ଅଧିକ ଉତ୍ତେଜିତ ଓ ସକ୍ରିୟ ରଖାଯାଇଛି।
କର୍ଣ୍ଣାଟକର ହିନ୍ଦୁମାନଙ୍କୁ କର୍ଣ୍ଣାଟକର ମୁସଲମାନମାନଙ୍କ ପ୍ରତି ଭୟଭୀତ ଓ ସନ୍ଦେହୀ କରି ରଖିବାକୁ ମୁଖ୍ୟ ନିର୍ବାଚନୀ ଆୟୁଧ ଭାବେ ରାଜ୍ୟ ବିଜେପି ଆପଣେଇଛି।
୨୦୧୯ ଜୁଲାଇରେ ତତ୍କାଳୀନ କଂଗ୍ରେସ-ଜେଡି (ଏସ୍) ମେଣ୍ଟ ସରକାରର ବିଧାୟକଙ୍କୁ ଦଳବଦଳ କରାଇ ବିଜେପି କର୍ଣ୍ଣାଟକରେ ଶାସନ କ୍ଷମତା ଅକ୍ତିଆର କଲା। ସେବେଠାରୁ ଦୀର୍ଘ ସାଢ଼େ ତିନି ବର୍ଷ ହେଲା ରାଜ୍ୟ ସରକାରଙ୍କ ପ୍ରଦର୍ଶନର ରେକର୍ଡ ସଂପୂର୍ଣ୍ଣ ଦୁର୍ବଳ ରହିଆସିଛି। ଦୁର୍ନୀତିର ଆରୋପ ବ୍ୟାପକ ଏବଂ ପ୍ରାଶାସନିକ ଅକ୍ଷମତାର ପ୍ରମାଣ ଲଗାତାର ପ୍ରାଞ୍ଜଳ ହୋଇ ଚାଲିଛି। ଗତ ବର୍ଷ ଅଗଷ୍ଟରେ ମନୁଷ୍ୟକୃତ ବନ୍ୟାରେ ରାଜ୍ୟର ରାଜଧାନୀ ତଥା ଦେଶର ସୂଚନା ପ୍ରଯୁକ୍ତି ଉଦ୍ୟୋଗର ଆକର୍ଷଣର କେନ୍ଦ୍ର ଉବୁଟୁବୁ ହୋଇଯିବା ହେଉଛି ଏକ ନମୁନା ମାତ୍ର।
କିଛି ଲୋକଙ୍କର ଯୁକ୍ତି ହେଉଛି, ସତ୍ତାରୂଢ଼ ଦଳ ଦ୍ବାରା ଏପରି ହିନ୍ଦୁ ବନାମ ମୁସଲମାନ ପରିସ୍ଥିତି ସୃଷ୍ଟି ରଚିବା ହେଉଛି ସରକାରଙ୍କ ଖରାପ ପ୍ରଦର୍ଶନ ଉପରେ ଏକ ଆବରଣ ଭଳି। ତେବେ ଏହା ସେହି ଦଳର ମତାଦର୍ଶର ମଧ୍ୟ ଏକ ଅଂଶ। କର୍ଣ୍ଣାଟକ ରାଜନୀତି ଉପରେ ଦୀର୍ଘ ଦିନ ଧରି ନଜର ରଖିଥିବା ପ୍ରଫେସର ଜେମ୍ସ ମାନୋରଙ୍କ ଦ୍ବାରା ଲିଖିତ ଏବଂ ‘ଦି ୱାୟାର’ରେ ପ୍ରକାଶିତ ଆଲେଖ୍ୟରେ ସାମ୍ପ୍ରଦାୟିକ ଧ୍ରୁବୀକରଣ ପାଇଁ ବିଜେପିର ପ୍ରୟାସ ସମ୍ପର୍କରେ ଦର୍ଶାଯାଇଛି କି ଏହାକୁ ଦଳ ବହୁ ମାସ ହେଲା ବଳ ପୂର୍ବକ ଓ ବ୍ୟବସ୍ଥିତ ଢଙ୍ଗରେ ବଜାୟ ରଖି ଆସିଛି। ମାନୋରଙ୍କ ଅନୁଧ୍ୟାନ ହେଲା, ‘କଠୋରପନ୍ଥୀ ହିନ୍ଦୁତ୍ବ’ର ଏହି ସୁଦୀର୍ଘ ପରଂପରାକୁ କାର୍ଯ୍ୟକର୍ତ୍ତାମାନେ ସଂଚାଳନ କରୁଛନ୍ତି। ଏହା ବିଜେପିର ରାଷ୍ଟ୍ରୀୟ ନେତାମାନଙ୍କ ଦ୍ବାରା ମଧ୍ୟ ସମର୍ଥିତ, ଯେଉଁମାନଙ୍କର ଉଦ୍ଦେଶ୍ୟ କେତେକ ରାଜନୈତିକ ନିଯୁକ୍ତିରୁ ସୁସ୍ପଷ୍ଟ; ଯେମିତି କି ଯେତେବେଳେ କର୍ଣ୍ଣାଟକର ଜଣେ ସାଂସଦଙ୍କ ପାଇଁ ଦିଲ୍ଲୀରେ ଏକ ମନ୍ତ୍ରୀ ପଦ ଖାଲି ରହିଲା, ସେତେବେଳେ ସେମାନେ ଲିଙ୍ଗାୟତ କି ବୋକ୍କାଲିଗା (ରାଜ୍ୟର ସଂଖ୍ୟାଗରିଷ୍ଠ ସମୁଦାୟ)ଙ୍କୁ ତାହା ନ ଦେଇ ଜଣେ କଠୋର ବ୍ରାହ୍ମଣବାଦୀ ଅନନ୍ତ କୁମାର ହେଗଡ଼େଙ୍କୁ ତାହା ଅର୍ପଣ କଲେ। ସେହିପରି ସେମାନେ ବେଙ୍ଗାଲୁରୁର ଆଉ ଜଣେ ଉତ୍ତେଜନା ସୃଷ୍ଟିକାରୀ ବ୍ରାହ୍ମଣ ସାଂସଦ ତେଜସ୍ବୀ ସୂର୍ଯ୍ୟଙ୍କୁ ବିଜେପିର ରାଷ୍ଟ୍ରୀୟ ଯୁବ ଶାଖାର ପ୍ରମୁଖ ଭାବେ ବାଛିଲେ। ମହତ୍ତ୍ବପୂର୍ଣ୍ଣ ପଦରେ ଆସୀନ ଏଭଳି ଉତ୍ତେଜନା ସୃଷ୍ଟିକାରୀଙ୍କ ତାଲିକାରେ ବିଜେପିର ମହାସଚିବ ତଥା ସାମାଜିକ ଗଣମାଧ୍ୟମରେ ହିନ୍ଦୁତ୍ବର ମହାକୁହାଳିଆ ବି. ଏଲ୍. ସନ୍ତୋଷ ଓ ରାଜ୍ୟ ବିଜେପିର ଅଧ୍ୟକ୍ଷ ନଳୀନ କୁମାର କାଟୀଲଙ୍କ ନାମ ଯୋଡ଼ା ଯାଇପାରେ।
ଏହି ସବୁ ନିଯୁକ୍ତି ପଛରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ହାତ ରହିଛି, ଯିଏ ଏହି ରାଜ୍ୟର ରାଜନୀତିରେ ଯଥଷ୍ଟ ଅଧିକ ଆଗ୍ରହ ଦେଖାଉଛନ୍ତି। ୨୦୨୨ ଶେଷ ସପ୍ତାହ ବେଳକୁ ଶାହ ହିଁ କର୍ଣ୍ଣାଟକରେ ଦଳର ପ୍ରଚାର ଅଭିଯାନ ଔପଚାରିକ ଭାବେ ଉଦ୍ଘାଟନ କରିଥିଲେ। ତେବେ ମାଣ୍ଡ୍ୟା ଠାରେ ଏକ କାର୍ଯ୍ୟକ୍ରମରେ ସେ ମତଦାତାମାନଙ୍କୁ ଆହ୍ବାନ କରି କହିଥିଲେ କି ସେମାନେ ‘ଟିପୁ ସୁଲତାନଙ୍କୁ ମହିମାନ୍ବିତ କରୁଥିବା ଲୋକ’ଙ୍କ ସହିତ ରହିବେ କି ‘ଦେଶଭକ୍ତ’ଙ୍କ ସାଙ୍ଗରେ ରହିବେ ତାହା ସ୍ଥିର କରନ୍ତୁ। ଏଠାରେ ‘ଟିପୁ ଅନୁଗାମୀ’ କହିଲେ ମୁସଲମାନମାନଙ୍କୁ ବୁଝାଏ। ଗୃହମନ୍ତ୍ରୀଙ୍କ ଆଦର୍ଶକୁ କର୍ଣ୍ଣାଟକ ବିଜେପି ପ୍ରମୁଖ ଉତ୍ସାହପୂର୍ବକ ଭାବେ ପାଳନ କଲେ। କିଛି ଦିନ ପରେ ମତଦାତାମାନଙ୍କୁ ସେ ପ୍ରଶ୍ନ କଲେ ଯେ ସେମାନେ ‘ଲଭ୍ ଜିହାଦ’ ଉପରେ ଅଧିକ ଗୁରୁତ୍ବ ଦେବେ ନା ସ୍ବେରେଜ୍ ବା ଅନ୍ୟା ଭିତ୍ତିଭୂମିଗତ ଦୁରବସ୍ଥା ଭଳି ମାମୁଲି ପ୍ରସଙ୍ଗ ଉପରେ ଅଧିକ ଗୁରୁତ୍ବ ଦେବେ? ଗତ ସପ୍ତାହରେ କାଟୀଲ ମହାଶୟ ମତଦାତାମାନଙ୍କୁ ପ୍ରଶ୍ନ କରିଛନ୍ତି ଯେ ଏହି ମାଟିରେ ଟିପୁଙ୍କ ଅନୁଗାମୀମାନେ ରହିବା ଉଚିତ ନା ରାମଙ୍କୁ ଭଜୁଥିବା ଲୋକେ ରହିବା ଉଚିତ?
ଜଣେ ଯୋଦ୍ଧା ଓ ଶାସକ ଭାବରେ ଟିପୁ ସୁଲତାନ ବିବାଦୀୟ ରହି ଆସିଛନ୍ତି। ସେ ଉଭୟ ହିନ୍ଦୁ ମନ୍ଦିରଗୁଡ଼ିକର ବନ୍ଦୋବସ୍ତ କରିଥିଲେ ଏବଂ ଇସଲାମ ଉପରେ ମଧ୍ୟ ଆସ୍ଥା ରଖିଥିଲେ। ହିନ୍ଦୁତ୍ବ ଇତିହାସକାରଙ୍କ ଅଭିଯୋଗ ଯେ ଅଷ୍ଟାଦଶ ଶତାବ୍ଦୀର ଏହି ବ୍ୟକ୍ତି ଜଣକ ଯାବତୀୟ ଭୟାନକ ଅପରାଧ ପାଇଁ ଦାୟୀ। ସେ ଅଭିଯୋଗ ସତ ହେଲେ ବି ଏକବିଂଶ ଶତାବ୍ଦୀର ଆଇନ ଅନୁଗାମୀ ମୁସଲମାନମାନେ ତାହାର ଦଣ୍ଡ କାହିଁକି ଭୋଗିବେ? ନିର୍ଦ୍ଦୋଷ ନାଗରିକଙ୍କୁ ଦଣ୍ଡ ଦେବା ଲାଗି ଇତିହାସର ଏଭଳି ବ୍ୟବହାର ସମସ୍ତ ସଭ୍ୟ ମାନଦଣ୍ଡର ବିପରୀତ।
ଅସୟାଗ ନିଜ ପୁସ୍ତକର ଇଂରେଜୀ ସଂସ୍କରଣର ମୁଖବନ୍ଧରେ ଲେଖିଛନ୍ତି: ତାଙ୍କ ଅନ୍ବେଷଣ ପ୍ରମାଣ କରୁଛି କି ହିନ୍ଦୁ ଓ ମୁସଲମାନମାନଙ୍କ ଭିତରେ ତଥାକଥିତ ‘ଯୁଦ୍ଧ’ ବା ‘ସଂଘର୍ଷ’ ଏକ ନିୟମ ନୁହେଁ, ବରଂ ଏହା ଏକ ଐତିହାସିକ ମିଥ୍ୟା, ଯାହା ବିଦେଶୀ ବା ଅପରିଚିତଙ୍କ ପ୍ରତି ଭୟ ତଥା ଜାତିଭିତ୍ତିକ ରାଷ୍ଟ୍ରବାଦରୁ ସୃଷ୍ଟ। ଦୁଃଖର କଥା, ଉକ୍ତ ପୁସ୍ତକ ଲେଖାଯିବାର ବର୍ଷ ବର୍ଷ ପରେ ମଧ୍ୟ ଐତିହାସିକ ମିଥ୍ୟାର ସର୍ଜନା ଚାଲିଛି ଏବଂ ତାହା ଅଧିକ ଅନୁରାଗୀଙ୍କ ମନ ଜିଣିବାରେ ଲାଗିଛି। ରାଜନୀତି ସ୍ତରରେ ଏକ ‘ହିନ୍ଦୁ’ ଭୋଟ ବ୍ୟାଙ୍କ ନିର୍ମାଣ ଦ୍ବାରା ବିଜେପିକୁ ଦ୍ରୁତ ନିର୍ବାଚନୀ ଲାଭ ପ୍ରାପ୍ତ ହୋଇଛି। ଲୌକିକ ସ୍ତରରେ ଏହା ବିବିଧ ଆସ୍ଥା ପରମ୍ପରାରେ ବିଶ୍ବାସୀ ଭାରତୀୟଙ୍କ ଭିତରେ ଶତ୍ରୁତା ସୃଷ୍ଟି କରି ଆହୁରି ଅଧିକ ଗଭୀର କରିଦେଇଛି।
ପ୍ରଫେସର ଅସୟାଗ ୧୯୮୦ ଦଶକ ଓ ୧୯୯୦ ଦଶକର ପ୍ରାରମ୍ଭରେ ଏହି କ୍ଷେତ୍ର-ଅନୁଧ୍ୟାନ କାର୍ଯ୍ୟ କରିଥିଲେ। ସେତେବେଳେ ଉତ୍ତର ଓ ପଶ୍ଚିମ ଭାରତରେ ହିନ୍ଦୁ-ମୁସଲମାନ ଦଙ୍ଗାର ଲହର ଚାଲିଥିଲା, ଦକ୍ଷିଣୀ ରାଜ୍ୟ କର୍ଣ୍ଣାଟକ ଉପରେ ଯାହାର ପ୍ରଭୂତ ପ୍ରଭାବ ପଡ଼ିଥିଲା। ରାମ ଜନ୍ମଭୂମି ଅଭିଯାନ ଦ୍ବାରା ପ୍ରେରିତ ବିଜେପି ଏକ ରାଜନୈତିକ ଶକ୍ତି ରୂପେ ଦ୍ରୁତ ବେଗରେ ମୁଣ୍ଡ ଟେକୁଥିଲା। ହିନ୍ଦୁତ୍ବ ଆଦର୍ଶବାଦୀମାନେ ଭାରତର ମାନଚିତ୍ରକୁ ପୁଣି ଥରେ ଆଙ୍କିବାକୁ ଚାହୁଁଥିଲେ। ହିନ୍ଦୁ ରାଷ୍ଟ୍ରର ସମର୍ଥକମାନେ ଏହି ବିଚାରଧାରାକୁ ପ୍ରତିଷ୍ଠିତ କରିବାକୁ ଚାହିଁଥିଲେ ଯେ ମୁସଲମାନମାନଙ୍କୁ ସେମାନଙ୍କ ସହିତ ମିଶିବାକୁ ପଡ଼ିବ ନଚେତ ବିତାଡ଼ିତ ଅଥବା ବିଲୁପ୍ତ ହେବାକୁ ପଡ଼ିବ।
ନବମ ଦଶକର ଶେଷ ଭାଗ ଆଡ଼କୁ କର୍ଣ୍ଣାଟକରେ ସାଂପ୍ରଦାୟିକ ବିଦ୍ବେଷ ଓ ସଂଘର୍ଷ କୌଣସିମତେ କମି ଆସିଥିଲା। ଚଳିତ ଶତାବ୍ଦୀର ପ୍ରଥମ ଦୁଇ ଦଶନ୍ଧିରେ ଅପେକ୍ଷାକୃତ ଅଧିକ ସାମାଜିକ ଶାନ୍ତି ଦେଖିବାକୁ ମିଳିଥିଲା। ମାତ୍ର ଏବେ ପୁଣି ଥରେ ଉତ୍ତେଜନା ବଢ଼ି ଚାଲିଛି। ଯଦିଓ ଇସଲାମୀୟ କଠୋରପନ୍ଥୀ ମଧ୍ୟ ଅନୁପସ୍ଥିତ ନୁହନ୍ତି, ତେବେ ସଂଖ୍ୟା, ଆର୍ଥିକ ଶକ୍ତି ଓ କେନ୍ଦ୍ରରେ ରାଜନୈତିକ ପ୍ରଭୁତ୍ବ କାରଣରୁ ସଂଖ୍ୟାଗରିଷ୍ଠଙ୍କ ସାମ୍ପ୍ରଦାୟିକତାବାଦ ରାଜ୍ୟ ପାଇଁ ଅଧିକ ବିପଦର କାରଣ ହୋଇଛି।
ମୁସଲମାନମାନଙ୍କ ମନକୁ ଛୁଇଁବା ଭଳି କଥା ପ୍ରଧାନମନ୍ତ୍ରୀ ଓ ଆର୍.ଏସ୍.ଏସ୍. ମୁଖ୍ୟ ବେଳେ ବେଳେ କହିଥା’ନ୍ତି। ମାତ୍ର ଗୃହମନ୍ତ୍ରୀ, କର୍ଣ୍ଣାଟକ ବିଜେପି ଅଧ୍ୟକ୍ଷ ଓ ଅନ୍ୟ ପ୍ରମୁଖ ରାଜନେତାମାନେ ସେମାନଙ୍କ ବୟାନବାଜିରେ ସ୍ପଷ୍ଟ କରିବା ଦରକାର କି କର୍ଣ୍ଣାଟକରେ ଦଳର ରଣନୀତି କ’ଣ? କାରଣ ହିନ୍ଦୁ ପ୍ରଭୁତ୍ବ ପ୍ରତି ନିଷ୍ଠା ଏବଂ ମୁସଲମାନମାନଙ୍କୁ କଳଙ୍କିତ ଓ ରାକ୍ଷସ ଭାବେ ବର୍ଣ୍ଣନା କରିବାର ଇଚ୍ଛା ହିନ୍ଦୁତ୍ବ ବିଚାରଧାରାର ମୂଳରେ ରହିଛି।
ପୂର୍ବରୁ ଉତ୍ତରପ୍ରଦେଶ ଓ ଆସାମରେ ଘଟିଲା ଭଳି କର୍ଣ୍ଣାଟକରେ ମଧ୍ୟ ଧାର୍ମିକ ଧ୍ରୁବୀକରଣ ମାଧ୍ୟମରେ ବିଜେପି ଏକ ମହତ୍ତ୍ବପୂର୍ଣ୍ଣ ରାଜ୍ୟ ବିଧାନସଭା ନିର୍ବାଚନ ଜିତିବାର ଆଶା ରଖିଛି। ସେମାନଙ୍କର ଆକଳନ ହେଲା ଉକ୍ତ ରାଜ୍ୟର ବିଶେଷତ୍ବ ଭାବେ ବିବେଚିତ ତ୍ରିକୋଣୀୟ ମୁକାବିଲାରେ ଯଦି ଅଧା ବା ଅର୍ଦ୍ଧାଧିକ ହିନ୍ଦୁ ବିଶେଷ କରି ହିନ୍ଦୁ ଭାବରେ ମତଦାନ କରନ୍ତି, ତେବେ ଦଳ ବାଜି ମାରିନେବ। ଏହି ରଣନୀତି ଯଦି ସଫଳ ହୁଏ, ତେବେ ତାହା କର୍ଣ୍ଣାଟକରେ ଶାନ୍ତି ଓ ସମୃଦ୍ଧିର ସମ୍ଭାବନାକୁ ଆହୁରି ଦୁର୍ବଳ କରିଦେବ।