ଦେଶର ସବୁ ରାଜନୈତିକ ଦଳ ମହିଳାମାନଙ୍କ ସଶକ୍ତୀକରଣ ବିଷୟ ଉପରେ ଗୁରୁତ୍ବ ଆରୋପ କରନ୍ତି। ମହିଳାମାନଙ୍କୁ ରାଜନୈତିକ ଓ ଆର୍ଥିକ ସ୍ତରରେ ସଶକ୍ତ କରିବା ଲାଗି ଅନେକ ସରକାରୀ ପଦକ୍ଷେପ ନିଆଯାଉଛି ଏବଂ ଆଗକୁ ନିଆଯିବ ମଧ୍ୟ। କିନ୍ତୁ, ବିଡ଼ମ୍ବନା ହେଲା, ସ୍ୱାଧୀନତାର ପଞ୍ଚସ୍ତରି ବର୍ଷ ପରେ ସୁଦ୍ଧା ମହିଳାଟିଏ ଦିନରେ ବି ନିର୍ଭୟରେ ଯାତାୟାତ କରିପାରୁନାହିଁ। ଏହାର ବଡ଼ କାରଣ ହେଲା ଦେଶରେ ମଦର ବନ୍ୟା। ଗଣଦୁଷ୍କର୍ମ ଓ ଦୁଷ୍କର୍ମ ପରେ ହତ୍ୟା କେବଳ ବିଚାରଶୂନ୍ୟ ମଦ୍ୟପ ହିଁ କରିଥାଏ।

Advertisment

ମଦ ଏଭଳି ବ୍ୟାପିଛି ଯେ ଆଜି ବୋଧହୁଏ ଏମିତି କେଉଁ ପରିବାର ନ ଥିବ ଯହିଁରେ ଏହା ପ୍ରବେଶ କରିନାହିଁ। ପରିବାରରେ ଜଣେ ମଦ୍ୟପ ଥିଲେ ସେ ପରିବାରରୁ ଲକ୍ଷ୍ମୀ ବିଦାୟ ନିଅନ୍ତି ଓ ମା’ମାନେ ରାତିଟିଏ ବି ଶାନ୍ତିରେ ଶୋଇପାରନ୍ତି ନାହିଁ। ସରକାରଙ୍କ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମରୁ ମହିଳାମାନେ ଯେଉଁ ଆର୍ଥିକ ସହାୟତା ପାଆନ୍ତି, ତହିଁରୁ ଅଧିକାଂଶ ମଦ୍ୟପ ସ୍ୱାମୀ ଆଦାୟ କରି ନେଇଥାଏ। ମହିଳାମାନଙ୍କ ରାଜନୈତିକ ପ୍ରତିନିଧିତ୍ବ ସେମାନେ ସଶକ୍ତ ହେବାର ମାପକାଠି ନୁହେଁ। ଏବେ ଯେଉଁ ଶିକ୍ଷିତ ମହିଳା ବିଭିନ୍ନ ପଦ ଓ ପଦବିରେ ଅଧିଷ୍ଠିତା, ସେମାନଙ୍କ ଠାରୁ ମଧ୍ୟ ମଦମୁକ୍ତ ରାଜ୍ୟ ସମ୍ପର୍କରେ ସ୍ୱର ଶୁଭୁନାହିଁ।

ସେମିତି ତଫସିଲଭୁକ୍ତ ଜାତି ଓ ଜନଜାତିଙ୍କ ଅଭ୍ୟୁଦୟ ଲାଗି ମଧ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। କିନ୍ତୁ ସେମାନଙ୍କ ପାଖକୁ ଆସୁଥିବା ଟଙ୍କାରୁ ଅଧିକାଂଶ ମଦରେ ଯାଉଛି। କାରଣ ଏମାନଙ୍କ ମଧ୍ୟରୁ ଆଗରୁ ଯେଉଁମାନେ ହାଣ୍ଡିଆ, ତାଡ଼ି ଆଦି ପିଉଥିଲେ, ସେମାନେ ଏବେ ଅଧିକ ଦାମ ଦେଇ ବିଦେଶୀ ବ୍ରାଣ୍ଡ୍‌ର ମଦ ପିଉଛନ୍ତି। କୃଷକମାନଙ୍କ ଆୟ ଦୁଇଗୁଣ ହେବା ଲାଗି ସରକାର ତତ୍ପର ବୋଲି କହୁଛନ୍ତି। ପୂର୍ବେ ଶିଳ୍ପରେ ନିୟୋଜିତ ଶ୍ରମିକମାନେ ମଦ ପିଉଥିଲେ; କିନ୍ତୁ କୃଷି-ଶ୍ରମିକମାନେ ପଖାଳ ବା ମୁଢ଼ି ଅବା ଚୁଡ଼ା ଖାଇ ବିଲକୁ ଯାଉଥିଲେ। ଏବେ କୃଷି କ୍ଷେତ୍ରରେ ନିଯୁକ୍ତ ଶ୍ରମିକ ଓ ଚାଷୀ ଘରର ଯୁବକମାନେ ବି ବହୁ ସଂଖ୍ୟାରେ ମଦ ପିଉଛନ୍ତି। ଅଭିଯୋଗ ହେଉଛି ଯେ କାଳିଆ ବାବଦ ଟଙ୍କା ମିଳିବା ଦିନ ମଦ ଦୋକାନରେ ଭିଡ଼ ବଢୁଛି। ସେମିତି ଯୁବକମାନେ ସମାଜର ସବୁଠାରୁ ମୂଲ୍ୟବାନ ସମ୍ପଦ। ସେମାନେ ଏବେ ମଦ୍ୟାସକ୍ତ ହେଉଥିବା ଫଳରେ ଦେଶର ସବୁ ଦିଗର ବିକାଶ ବ୍ୟର୍ଥ ହେବାର ଆଶଙ୍କା ଉପୁଜୁଛି। କାଁଭାଁ କିଛି ଯୁବକ ଓ ଯୁବତୀମାନଙ୍କ କର୍ମ ନୈପୁଣ୍ୟର କାହାଣୀ ଶୁଣିବାକୁ ମିଳୁଥିଲେ ହେଁ ଯୁବ ବର୍ଗରୁ ଅଧିକାଂଶ ମଦ୍ୟାସକ୍ତ ହେଉଥିବା ଫଳରେ ଦେଶର ସାମୂହିକ ବିକାଶ ପ୍ରତିହତ ହେଉଛି। ପୁଣି ମଦରେ ମନ ନ ଭରିଲେ ଅନେକ ଧଳା ଜହର ଆଡ଼େ ମୁହାଁଉଛନ୍ତି, ଫଳରେ ଅବସ୍ଥା ଅଧିକ ସାଂଘାତିକ ହୋଇପଡ଼ିଛି।

ସୁତରାଂ, ବିଭିନ୍ନ ବର୍ଗଙ୍କ ସଶକ୍ତୀକରଣରେ ମଦ ଆଦିର ନିଶା ସର୍ବାଧିକ ବାଧକ ସାଜିଛି। ଏହି ସଙ୍କଟରୁ ମୁକ୍ତିର ଚାବିକାଠି ରହିଛି ଭାରତ ନିଶାମୁକ୍ତ ହେବାରେ। ଉଦ୍‌ବେଗର କଥା ଯେ ଅନ୍ୟାନ୍ୟ ନିଶା ବେଆଇନ ହୋଇଥିବା ବେଳେ ସରକାର ନିଜେ ମଦ ପ୍ରସାରଣ କରି ଚାଲିଛନ୍ତି। ଦେଶର ସର୍ବ ପୁରାତନ ଦଳ କଂଗ୍ରେସ, ପ୍ରାରମ୍ଭିକ ସାତ ବର୍ଷ ପରେ, ତାହାର ସବୁ ଅଧିବେଶନରେ ନିଶା ନିବାରଣ ପ୍ରସ୍ତାବ ଗ୍ରହଣ କରିଆସୁଥିଲା। ଗାନ୍ଧୀଜୀ ନିଶା ନିବାରଣକୁ ତାଙ୍କ ରଚନାତ୍ମକ କାର୍ଯ୍ୟାବଳୀରେ ଗୁରୁତ୍ୱ ଦେବା ପୂର୍ବରୁ ତିଳକ ଏ ଦିଗରେ ସ୍ୱର ଉତ୍ତୋଳନ କରିଥିଲେ। ୧୯୩୭ରେ କଂଗ୍ରେସ ଦଳ ପ୍ରାଦେଶିକ ଶାସନର ଦାୟିତ୍ୱ ନେବା ସଙ୍ଗେ ସଙ୍ଗେ କଂଗ୍ରେସ ମନ୍ତ୍ରିମଣ୍ଡଳ ନିଶା ନିବାରଣ ଦିଗରେ କାମ ଆରମ୍ଭ କରି ଦେଇଥିଲେ। କିନ୍ତୁ ସେ ସରକାର ଅଧିକ ଦିନ ରହି ନ ଥିଲା।

ସ୍ୱାଧୀନତା ପରେ କଂଗ୍ରେସ ଦଳ ଅଧୀନସ୍ଥ ବିଭିନ୍ନ ରାଜ୍ୟରେ ନିଶା ନିବାରଣ ଆଇନ ପାରିତ ହୋଇଥିଲା। କିନ୍ତୁ ୧୯୫୭ ମସିହାରୁ ସେହି ଦଳର କାର୍ଯ୍ୟକ୍ରମରେ ମଧ୍ୟ ନିଶା ନିବାରଣ କଥା ରହିଲା ନାହିଁ। କେବଳ ମୋରାରଜୀଙ୍କ ଆଗ୍ରହ ଯୋଗୁଁ ଗୁଜୁରାଟରେ ମଦ ଆରମ୍ଭରୁ ନିଷେଧ ହୋଇ ଆଜି ପର୍ଯ୍ୟନ୍ତ ରହିଛି। କିନ୍ତୁ ପାର୍ଶ୍ବବର୍ତ୍ତୀ ରାଜ୍ୟରୁ ସେଠାକୁ ବେଆଇନ ମଦ ପ୍ରବେଶ କରୁଛି। ଏହାର ଅର୍ଦ୍ଧ ଶତାବ୍ଦୀ ପରେ କେରଳରେ କଂଗ୍ରେସ ନେତୃତ୍ୱରେ ଗଠିତ ମିଳିତ ସରକାର ନିଶା ନିବାରଣ ଆଇନ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପରେ ସାମ୍ୟବାଦୀଙ୍କ ନେତୃତ୍ୱରେ ଗଢ଼ା ସରକାରଙ୍କ ବିଚାରରେ ନିଶା ଏକ ମାମୁଲି ଦୋଷ ହୋଇଥିବାରୁ ଏବେ ମଦ୍ୟପାନ ସଂଦର୍ଭରେ କେରଳ ଦେଶର ସବୁଠାରୁ ଆଗରେ।

କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ଭାରତ ପରିକ୍ରମା କାଳରେ ନିଶା ନିବାରଣ କଥା କେଉଁଠି କେହି ଉଠାଇ ନାହାଁନ୍ତି। ପ୍ରାୟ ପାଞ୍ଚ ବର୍ଷ ତଳେ ସେ ଭୁବନେଶ୍ୱର ଆସିଥିବା ସମୟରେ ଅନୁରୋଧ କରିଥିଲି ଯେ ନିଶା ନିବାରଣକୁ ତାଙ୍କ ଦଳର କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରନ୍ତୁ। କିନ୍ତୁ ସେ ଏହାକୁ ଏଡ଼ାଇ ଯାଇ ରାଜ୍ୟ କଂଗ୍ରେସ ତାହା ହାତକୁ ନେଇପାରିବ ବୋଲି କହିଥିଲେ। ମୋ ମତରେ କଂଗ୍ରେସ ଏହାକୁ ହାତକୁ ନେଲେ, ତାହା ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରନ୍ତା। ତେବେ ଖାଲି କଂଗ୍ରେସ ନୁହେଁ, ଅନ୍ୟାନ୍ୟ ରାଜନୈତିକ ଦଳ ବି ଏହାକୁ ଏକ ମୁଖ୍ୟ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରିବା ଦରକାର। କିନ୍ତୁ କୌଣସି ରାଜନୈତିକ ଦଳ ଏହାକୁ କାହିଁକି ଗୁରୁତ୍ବ ଦେଉ ନାହାନ୍ତି, ତାହା ବୁଝି ହେଉ ନାହିଁ।

ମୋ: ୯୯୩୮୮୯୩୪୪୫