ଜଣେ ଇହୁଦୀ ଫକିର ନିଜ ଲିଖିତ ଏକ ପୁସ୍ତକ ଜଣେ ବିଦ୍ବାନଙ୍କ ନିକଟକୁ ପଠାଇଲେ, ଯେଉଁ ବିଦ୍ବାନ ଥିଲେ ଫକିରଙ୍କ ତୀବ୍ର ବିରୋଧୀ। ଫକିରଙ୍କ ଶିଷ୍ୟ ବିଦ୍ବାନଙ୍କୁ ବହିଟି ଦେଲେ। ବହିରେ ଫକିରଙ୍କ ନାମ ଦେଖି ବିଦ୍ବାନ ତାକୁ ଫୋପାଡ଼ି ଦେଲେ।
ଏହା ଦେଖି େସଠାରେ ଉପସ୍ଥିତ ତାଙ୍କ ପତ୍ନୀ କହିଲେ- ୟେ କ’ଣ? ନ ପଢ଼ିଲ ନାହିଁ; ରଖି ନ ଥାଆନ୍ତ! ତୁମର ହଜାର ହଜାର ବହି ଭିତରେ କୋଉ କୋଣରେ ପଡ଼ି ରହନ୍ତା! ଯଦି ବା ଫିଙ୍ଗିଲ, ତାହା ପୁଣି ତାକୁ ନେଇ ଆସିଥିବା ଲୋକଙ୍କ ସାମନାରେ!
ଶିଷ୍ୟ ଜଣକ ଫେରି ଆସି ଫକିରଙ୍କୁ ସବୁ କଥା କହି ମତ ଦେଲେ ଯେ ବିଦ୍ବାନଙ୍କ ଠାରୁ ତାଙ୍କ ପତ୍ନୀ ଅନ୍ତତଃ ବହୁତ ଭଲ।
ଫକିର କହିଲେ- ତାହା ମୁଁ ଜାଣିନି। କିନ୍ତୁ, ଏତକ ଜାଣେ ଯେ ବିଦ୍ବାନ କେବେ ନା କେବେ ମୋ ବହି ପଢ଼ି ପାରନ୍ତି, କିନ୍ତୁ ତାଙ୍କ ପତ୍ନୀ ଅାଦୌ ପଢ଼ନ୍ତେ ନାହିଁ; କାରଣ ପତ୍ନୀଙ୍କ ଠାରେ ତୁମେ ଯାହା ଦେଖିଲ, ତାହା ହେଉଛି ଉଦାସୀନତା ଓ ଉପେକ୍ଷା। ସେ କ’ଣ କହିଲେ? ସେ କହିଲେ, ରଖି ଦେଲନି, କୋଉ କୋଣରେ ପଡ଼ି ରହନ୍ତା ବା ଏହି ଲୋକଙ୍କ ଆଗରେ କାହିଁକି ଫିଙ୍ଗିଲ! ଅର୍ଥାତ୍ ସେ ଗଲା ପରେ ଫିଙ୍ଗିଥିଲେ, ଚଳନ୍ତା! ଏଭଳି ଉପେକ୍ଷା କେବେ ହେଲେ ବହି ଆଡ଼କୁ ଚାହିଁବ ନାହିଁ। କିନ୍ତୁ ବିଦ୍ବାନଙ୍କ ମନରେ ମୋ ପ୍ରତି ଏକ ନିର୍ଦ୍ଦିଷ୍ଟ ଓ ବଳିଷ୍ଠ ଭାବ ରହିଛି, ହୋଇଥାଉ ପଛକେ ଘୃଣା। ଏହି ଭାବ ସ୍ନେହକୁ ମଧ୍ୟ ବଦଳି ଯାଇପାରେ। କିନ୍ତୁ ଉପେକ୍ଷା ବା ଉଦାସୀନତା କଦାପି ବଦଳିବ ନାହିଁ।
ଫକିରଙ୍କ କଥା ଠିକ୍ ହେଲା। କିଛି ସମୟ ପରେ ବିଦ୍ବାନ ନିଜ ଆଚରଣ ଲାଗି ବ୍ୟଥିତ ହୋଇ ବହିଟିକୁ ଉଠାଇ ଆଣିଲେ ଏବଂ ପଢ଼ିଲେ। ସେଥିରୁ ଯାହା ପାଇଲେ ତହିଁରେ ଚମତ୍କୃତ ହେଲେ। ତାଙ୍କ ଘୃଣା ସ୍ନେହକୁ ରୂପାନ୍ତରିତ ହେବାକୁ ଲାଗିଲା।