ଧାରଣା ପ୍ରଚଳିତ ଅଛି ଯେ, ବଜେଟ୍ ହେଉଛି ଆୟ-ବ୍ୟୟର ହିସାବ ଫର୍ଦ୍ଦ। ସାଧାରଣତଃ ବଜେଟ୍ ଆଗତ କରାଗଲା ବେଳେ କେଉଁ ଦ୍ରବ୍ୟର ମୂଲ୍ୟ କେମିତି କମିଲା ବା ବଢ଼ିଲା, କେତେ ଟିକସ ରିହାତି ମିଳିଲା ଇତ୍ୟାଦି ବିଷୟରେ ଅଧିକାଂଶ ଲୋକଙ୍କ ଦୃଷ୍ଟି ଥାଏ। କିନ୍ତୁ ବାସ୍ତବରେ ବଜେଟ୍‌ର ଉଦ୍ଦେଶ୍ୟ ଆହୁରି ଅଧିକ, ଯାହା ମାଧ୍ୟମରେ ସରକାର ଦେଶକୁ କେଉଁ ମାର୍ଗରେ ଚଳାଇ‌େବ ସେ ନେଇ ଜନସାଧାରଣଙ୍କୁ ବାର୍ତ୍ତା ଦେଇଥାନ୍ତି। ସେହି ଦୃଷ୍ଟିରୁ ଚଳିତ ୨୦୨୩-୨୪ କେନ୍ଦ୍ରୀୟ ବଜେଟ୍‌ର ମୂଳ ଉଦ୍ଦେଶ୍ୟମାନ କ’ଣ ତାହା ଦେଖାଯାଉ।

Advertisment

ପ୍ରଥମ କଥା ହେଲା, ଏହା ହେଉଛି ଏକ ଚତୁର ବଜେଟ୍। ଏଥିରେ ସରକାରଙ୍କ ରାଜନୈତିକ ଆତ୍ମବିଶ୍ୱାସ ପ୍ରତିଫଳିତ। ଏବଂ ଏହା ଏକ ବିଶ୍ୱାସଯୋଗ୍ୟ ବଜେଟ୍‌।

ସାଧାରଣତଃ ନିର୍ବାଚନ ପୂର୍ବରୁ ବଜେଟ୍ ଆଗତ କଲା ବେଳେ ସରକାରମାନେ ଏହାକୁ ଜନସନ୍ତୁଷ୍ଟି ହିସାବରେ ଉପସ୍ଥାପନ କରନ୍ତି; କେତେ ପଦାର୍ଥ ମାଗଣାରେ ଅବା ଶସ୍ତାରେ ଲୋକଙ୍କୁ ଦିଆଯିବ ଯଦ୍ଦ୍ବାରା ଲୋକେ ଖୁସି ହୋଇ ଭୋଟ ‌େଦବେ ତାହା ବିଚାର କରାଯାଇଥାଏ। କିନ୍ତୁ ଏଥର ତାହା ହୋଇନାହିଁ। ଏ ବଜେଟ୍‌ର ମୂଳ ଲକ୍ଷ୍ୟ ହେଲା ଆର୍ଥିକ ଅଭିବୃଦ୍ଧି ଓ କର୍ମ ନିଯୁକ୍ତି ସୃଷ୍ଟି। ଏହି ବଜେଟ୍‌ରେ ଲୋକଙ୍କୁ ବିଭିନ୍ନ ଦ୍ରବ୍ୟ ମାଗଣା ବା ଶସ୍ତାରେ ବାଣ୍ଟିବା ତ ଦୂରର କଥା, ‘ମନରେଗା’ ଅର୍ଥାତ୍ ୧୦୦ ଦିନିଆ ନିଶ୍ଚିତ କାମ ଯୋଜନାରେ ଅର୍ଥ ଆବଣ୍ଟନକୁ କମାଇ ଦିଆଯାଇଛି। ମଧ୍ୟାହ୍ନ ଭୋଜନ ମାଧ୍ୟମରେ ଯେତିକି ଅର୍ଥ ଆବଣ୍ଟନ କରାଯାଉଥିଲା, ତାହାକୁ ମଧ୍ୟ କମାଇ ଦିଆଯାଇଛି। ଏହା ଜନତା ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବ ବୋଲି ଆଶା କରାଯାଇପାରେ। କିନ୍ତୁ ଜନତାଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ଏହି ‘ବଣ୍ଟା’ ରାଜନୀତିକୁ ଗ୍ରହଣ ନ କରି ସରକାର ମୂଳଧନ ଖର୍ଚ୍ଚ (କାପେକ୍‌ସ) ବଢ଼ାଇ ଭିତ୍ତିଭୂମି ନିର୍ମାଣ (ରାସ୍ତା, ରେଳବାଇ, ବିମାନବନ୍ଦର, ବିଜୁଳି ଉତ୍ପାଦନ ଇତ୍ୟାଦି) ପାଇଁ ଗତ ବର୍ଷ ତୁଳନାରେ ୩୪.୧% ଅଧିକ ଖର୍ଚ୍ଚର ବ୍ୟବସ୍ଥା କରିଛନ୍ତି। ଗତ ବର୍ଷ ତା’ର ପୂର୍ବ ବର୍ଷ ଅର୍ଥାତ୍ ୨୦୨୧-୨୨ ଅପେକ୍ଷା ୩୧.୫% ଅଧିକ ଆବଣ୍ଟିତ ହୋଇଥିଲା, ଯାହାର ପରିମାଣ ଥିଲା ୧୦.୫ ଲକ୍ଷ ଟଙ୍କା। ଚଳିତ ବର୍ଷ ୧୩.୭ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଏଥରର ବଜେଟ୍‌ରେ ପ୍ରତିରକ୍ଷା ପାଇଁ ଯେତେ ଅର୍ଥ ବ୍ୟବସ୍ଥା ହୋଇଛି, ପରିବହନ ପାଇଁ ତା’ ଅପେକ୍ଷା ଅଧିକ ବ୍ୟବସ୍ଥା ହୋଇଛି। ସରକାର ଯଦି ଖର୍ଚ୍ଚ ନିଜେ କରିବେ ନାହିଁ, ଘରୋଇ ଉଦ୍ୟୋଗ କେମିତି ଏ ଧରଣର ପୁଞ୍ଜି ଲଗାଣ କରିବେ!, ସରକାରଙ୍କର ଉଦ୍ଦେଶ୍ୟ ସେଇଆ। ଏ ଧରଣର ଖର୍ଚ୍ଚ ହେଲେ କର୍ମନିଯୁକ୍ତି ବଢ଼ିବ।

ଅଧିକରୁ ଅଧିକ ଲୋକ କାମ ପାଇବେ। ଲୋକମାନେ କାମ ପାଇଲେ ଅର୍ଥ ରୋଜଗାର କରିବେ ଓ ତାହା ଖର୍ଚ୍ଚ କରିବେ। ଏହାଦ୍ୱାରା ଗ୍ରାମାଞ୍ଚଳରେ ଲୋକମାନଙ୍କ ହାତକୁ ଅର୍ଥ ଆସିବ ଓ ସେମାନେ ତାହା ଖର୍ଚ୍ଚ କରିବେ। ଫଳରେ ବଜାରରେ ଚାହିଦା ବଢ଼ିବ, ଯେଉଁଥି ଲାଗି ଶିଳ୍ପ ଉତ୍ପାଦନ ବଢ଼ିବା ଦରକାର ହେବ ଯେଉଁଥି ଲାଗି ଶିଳ୍ପଗୁଡ଼ିକ ଅଧିକ ଲୋକଙ୍କୁ ନିଯୁକ୍ତି ଦେବେ, ଯାହା ଫଳରେ ବେକାରି କମିବ। ଶସ୍ତା ବା ମାଗଣାରେ ପଦାର୍ଥ ବାଣ୍ଟିଲେ ଅବା ‘ମନରେଗା’ରେ ଲୋକମାନଙ୍କୁ କିଛି ପଇସା ଦେଇଦେଲେ ଏ ଧରଣର ବିକାଶ ଘଟିବ ନାହିଁ। କିନ୍ତୁ, ସରକାର ଯେଉଁ ପଦକ୍ଷେପ ନେବାକୁ ଯାଉଛନ୍ତି, ତାହା ଫଳରେ ସେମାନଙ୍କର ମୁଣ୍ଡପିଛା ଆୟ ବଢ଼ିବ। ଏବେ ଭାରତରେ ମୁଣ୍ଡପିଛା ବାର୍ଷିକ ଆୟ ହେଉଛି ଟ ୧.୯୭ ଲକ୍ଷ, ଯାହା ପୂର୍ବ ତୁଳନାରେ ସାଢ଼େ ତିନି ଗୁଣ ଅଧିକ। ଏଥର ଏ ଧରଣର ପୁଞ୍ଜି ଲଗାଣ ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ୧.୩ ଲକ୍ଷ କୋଟି ଟଙ୍କା‌ ୫୦ ବର୍ଷ ପାଇଁ ଦେଇଛନ୍ତି, ଯେଉଁ ସମୟରେ ସେମାନଙ୍କୁ ଏହା ଉପରେ ସୁଧ ଦେବାକୁ ପଡ଼ିବ ନାହିଁ।

ସରକାର ଏଥର ମଧ୍ୟମ ବର୍ଗକୁ ସାହାଯ୍ୟ କରିଛନ୍ତି, ଯାହା ଅତୀତରେ କେବେ ହୋଇନାହିଁ। ଅତୀତରେ ଦରିଦ୍ରମାନଙ୍କୁ ଅଧିକ ସାହାଯ୍ୟ ଦିଆଯିବା କଥା କୁହାଯାଇଛି, ଯାହା ଫଳରେ ସେମାନେ ସରକାରଙ୍କୁ ଭୋଟ ଦେବେ। ସେମାନଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ସରକାର ନିର୍ବାଚନ ଜିତିବେ। କିନ୍ତୁ ଏ ବର୍ଷ ସରକାର ବ୍ୟକ୍ତିଗତ ଆୟକର ସୀମା ୫ ଲକ୍ଷ ଟଙ୍କାରୁ ୭ ଲକ୍ଷ ଟଙ୍କାକୁ ବଢ଼ାଇଛନ୍ତି; ଯାହା ଅନେକ ବର୍ଷ ହେଲା ଘଟିନଥିଲା। ସରକାରଙ୍କ ଧାରଣା ଏହା ଦ୍ୱାରା ମଧ୍ୟମ ବର୍ଗ ଉପକୃତ ହେବ। ଏବେ ଭାରତରେ ମଧ୍ୟମ ବର୍ଗଙ୍କ ସଂଖ୍ୟା ୪୩ କୋଟି ୨୦ ଲକ୍ଷ। ମଧ୍ୟମ ବର୍ଗରେ ଲୋକମାନେ ବର୍ଷକୁ ୫ ଲକ୍ଷ ଟଙ୍କାରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି। ଅନ୍ୟ ପକ୍ଷରେ ଦେଶରେ ଧନୀ ଲୋକଙ୍କ ସଂଖ୍ୟା ହେଉଛ ୫ କୋଟି ୮୦ ଲକ୍ଷ, ଯେଉଁମାନଙ୍କର ବର୍ଷକୁ ଆୟ ୩୮,୨୩,୯୦୦ କୋଟି ଟଙ୍କା। ମଧ୍ୟମ ବର୍ଗର ବର୍ଷକୁ ମୋଟ ବ୍ୟୟ ୬୨,୨୨,୩୦୦ କୋଟି ଟଙ୍କା। ଗୋଟିଏ ଗୋଷ୍ଠୀ ହିସାବରେ ମଧ୍ୟମ ବର୍ଗର ଆୟ ଧନୀ ଲୋକଙ୍କ ଆୟର ପ୍ରାୟ ଦୁଇ ଗୁଣ। ଦେଶର ୫୦ ଭାଗ ଆୟ ଏହି ମଧ୍ୟମ ବର୍ଗ କରିଥାନ୍ତି। ଖର୍ଚ୍ଚ କରିବାରେ ମଧ୍ୟମ ବର୍ଗ, ଧନୀ ବର୍ଗଙ୍କ ଠାରୁ ତିନି ଗୁଣରୁ କିଛି କମ୍ କରନ୍ତି। ମଧ୍ୟମ ବର୍ଗର ଲୋକେ ଗରିବଙ୍କ ଅପେକ୍ଷା ବର୍ଷକୁ ଆଠ ଗୁଣ ଅଧିକ ଖର୍ଚ୍ଚ କରିଥାନ୍ତି। ୨୦୨୦-୨୧ ଆକଳନ ଅନୁସାରେ ମଧ୍ୟବିତ୍ତମାନେ ବର୍ଷକୁ ୧୧,୭୭,୦୦୦ ଟଙ୍କା ସଂଚୟ କରିଛନ୍ତି। କିନ୍ତୁ କୋଭିଡ୍‌ ମହାମାରୀ ପରେ ମଧ୍ୟମ ବର୍ଗର ୧୨% କହୁଛନ୍ତି ଯେ ସେମାନଙ୍କର ରୋଜଗାର ୫୦%ରୁ ୭୫% କମିଛି। ସେମାନଙ୍କ ଭିତରୁ ୬୧% କହୁଛନ୍ତି ଯେ ସେମାନଙ୍କ ଚାକିରିର ସୁରକ୍ଷା ନାହିଁ। ଆଗାମୀ ୨୦୩୦ ବେଳକୁ ଦେଶର ମଧ୍ୟମ ବର୍ଗଙ୍କ ସଂଖ୍ୟା ୭୧.୫ କୋଟି ହେବ। ସେମାନେ ଉନ୍ନତ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ଚାହିଁବେ; ଅଧିକ ଖାଉଟି ଦ୍ରବ୍ୟ କିଣିବେ; ପର୍ଯ୍ୟଟନରେ ଅଧିକ ଖର୍ଚ୍ଚ କରିବେ। ତେଣୁ ସରକାର ବୁଝିଛନ୍ତି ଯେ ମଧ୍ୟମ ବର୍ଗର ବିକାଶ ଅର୍ଥ ହେଲା ଦେଶର ବିକାଶ। ତେଣୁ ଏହି ବର୍ଗର କେମିତି ଅଧିକ ଉନ୍ନତି ହେବ ସରକାର ଚଳିତ ବଜେଟ୍‌ରେ ସେଥି ପ୍ରତି ଧ୍ୟାନ ଦେଇଛନ୍ତି।

ଏହି ବଜେଟ୍‌ରେ ସରକାରଙ୍କର ଆଉ ଏକ ବଡ଼ ଆଭିମୁଖ୍ୟ ହେଉଛି ମୁଦ୍ରାସ୍ଫୀତିକୁ କମାଇବା। କାରଣ ଦେଶର ଆର୍ଥିକ ଅଭିବୃଦ୍ଧି ହେଲେ ମଧ୍ୟ ତା’ ସାଙ୍ଗକୁ ମୁଦ୍ରାସ୍ଫୀତି ଘଟିଲେ ଆର୍ଥିକ ଅଭିବୃଦ୍ଧିର କିଛି ମୂଲ୍ୟ ରହିବ ନାହିଁ। କାରଣ ପୂର୍ବରୁ କମ୍ ଅର୍ଥରେ ଯେତେ ଦ୍ରବ୍ୟ ମିଳୁଥିଲା, ଏବେ ସେତିକି ପାଇଁ ଅଧିକ ଅର୍ଥ ଦେବାକୁ ପଡ଼ିବ। ମୁଦ୍ରାସ୍ଫୀତିର ଏକ ବଡ଼ କାରଣ ହେଲା ଦେଶର ନିଅଣ୍ଟ; ଯାହା ଦେଶର ଆୟ ଅପେକ୍ଷା ବ୍ୟୟ ଅଧିକ ହେଲେ ହୋଇଥାଏ। ଏହି ନିଅଣ୍ଟ ଭରଣା କରିବା ପାଇଁ ସରକାରଙ୍କୁ ଦେଶ ଭିତରୁ ଓ ବାହାରୁ ଋଣ କରିବାକୁ ପଡ଼ିଥାଏ। ଯେତେ ଅଧିକ ଋଣ, ତା’ ଉପରେ ସେତେ ଅଧିକ ସୁଧ ଦେବାକୁ ପଡ଼ିବ, ଯାହାର ଅର୍ଥ ଅଧିକ ସୁଧ ଦିଆଯିବା ପରେ ଭିତ୍ତିଭୂମି ନିର୍ମାଣ ଅବା ଜନମଙ୍ଗଳକାରୀ କାର୍ଯ୍ୟ ପାଇଁ କମ୍‌ ଅର୍ଥ ବଳିବ। ଅନେକ ସମୟରେ ଦେଶମାନେ ବା ରାଜ୍ୟମାନେ ଆଖିବୁଜା ବଣ୍ଟନ ଓ ଆଖିବୁଜା ଋଣ କରି ଦେବାଳିଆ ହୋଇଯାନ୍ତି। ପାକିସ୍ତାନ ଓ ଶ୍ରୀଲଙ୍କାର ଅବସ୍ଥା ସେଇଆ ହୋଇଛି। ବଙ୍ଗଳାଦେଶ ମଧ୍ୟ କିଛିଟା ସେହି ଅବସ୍ଥାରେ ଅଛି। ୟୁକେ, ଫ୍ରାନ୍‌ସ, ଜାପାନ ପରି ଅର୍ଥ ସମୃଦ୍ଧ ଦେଶମାନଙ୍କରେ ମୁଦ୍ରାସ୍ଫୀତି ଯେତେ ହୋଇଛି ଗତ ୪୦ ବର୍ଷ ମଧ୍ୟରେ ତାହା ହୋଇ ନଥିଲା। କିନ୍ତୁ ଚଳିତ ବର୍ଷର ବଜେଟ୍‌‌େର ବିତ୍ତୀୟ ନିଅଣ୍ଟକୁ କମାଇ ଦିଆଯାଇଛି। ଗତ ବର୍ଷର ବଜେଟ୍‌‌େର ବିତ୍ତୀୟ ନିଅଣ୍ଟ ଜି.ଡି.ପି. (ମୋଟ ଜାତୀୟ ଉତ୍ପାଦ)ର ୬.୪% ଥିବା ବେଳେ ଏଥର ତାହାକୁ ୫.୯%କୁ ଅର୍ଥାତ୍ ୦.୫% କମାଇ ଦିଆଯାଇଛି, ଯେମିତି ଦେଶର ଋଣ ଭାର କମିବ। ବ୍ୟୟ ଭାର ବଢ଼ିଲେ ଦେଶର ମୁଦ୍ରାସ୍ଫୀତି ହୋଇଥାଏ ଅର୍ଥାତ୍ ଦରଦାମ ବୃଦ୍ଧି ଘଟିଥାଏ।

ବର୍ତ୍ତମାନର ସରକାର ଉପରେ ଆଉ ଏକ ଆର୍ଥିକ ସଂକଟ ସୃଷ୍ଟି ହୋଇଛି, ଯାହା ହେଲା ପୂର୍ବ ସରକାର କରିଥିବା ଋଣକୁ ବର୍ତ୍ତମାନ ସରକାର ଶୁଝିବାକୁ ବାଧ୍ୟ ହେଉଛନ୍ତି। ପୂର୍ବ ସରକାର ବେଳେ ପେଟ୍ରୋଲ, ଡିଜେଲ୍‌କୁ ସବ୍‌ସିଡି ଦିଆଯାଇ କୃତ୍ରିମ ଉପାୟରେ କମ୍ ଦରରେ ବିକ୍ରି କରାଯାଉଥିଲା ଓ ଏହି କ୍ଷତି ପୂରଣ ପାଇଁ ତେଲ ବିକ୍ରି କଂପାନିମାନଙ୍କୁ ସରକାର ତୈଳ ବଣ୍ଡ୍୍‌ ଦେଉଥିଲେ ଯାହାକୁ ଦାଖଲ କରି ସେହି କଂପାନିଗୁଡ଼ିକ ବ୍ୟାଙ୍କ ଓ ଅନ୍ୟାନ୍ୟ ଅର୍ଥିକ ସଂସ୍ଥାରୁ ଋଣ ଆଣୁଥିଲେ। ସେହି ପୁରୁଣା ବଣ୍ଡ୍‌ର ଦେୟକୁ ବର୍ତ୍ତମାନର ସରକାର ଦେବାକୁ ବାଧ୍ୟ ହେଉଛନ୍ତି।

ବାହାରକୁ ଆଉ ଏକ ବିଚିତ୍ର ଦିଶୁଥିବା ଘଟଣା ଏହି ବଜେଟ୍‌‌େର ଘଟିଛି। ତାହା ହେଲା ଧନୀମାନଙ୍କ ଉପରୁ ଟିକସ ହ୍ରାସ କରିବା। ସାଧାରଣତଃ କୁହାଯାଇଥାଏ ଯେ, ଗରିବ ଲୋକ ଟିକସ ନ ଦିଅନ୍ତୁ, କିନ୍ତୁ ଧନୀ ଲୋକଙ୍କ ଠାରୁ ଅଧିକରୁ ଅଧିକ ଟିକସ ନିଆଯାଉ। କିନ୍ତୁ ବର୍ତ୍ତମାନର ସରକାର ଠିକ୍ ଓଲଟା କଥା କରିଛନ୍ତି। ପୃଥିବୀରେ ଟିକସ ହାର ସବୁଠାରୁ ବେଶି ହେଉଛି ଭାରତରେ। ଏଠାକାର ଧନୀମାନେ ବିଭିନ୍ନ ଟିକସ, କର ଆଦି ମିଶାଇ ଏ ଯାଏଁ ଆୟର ୪୩% ଦେଉଥିଲେ। ଏବେ ତାହାକୁ ୩୯%କୁ କମାଇ ଦିଆଯାଇଛି। ଏହାର କାରଣ ହେଲା, ଟିକସର ହାର ବହୁ ଅଧିକ ହେଲେ ଆୟକାରୀମାନେ ଅଧିକ ସଂଖ୍ୟାରେ ଟିକସ ଫାଙ୍କନ୍ତି। ସେମାନେ ଭାବନ୍ତି ଆମେ ଏତେ କଷ୍ଟ କରି ଯଦି ଉପାର୍ଜନ କରୁଛୁ, ସରକାରଙ୍କୁ ଏତେ ଟିକସ ଦେବୁ କାହିଁକି? ଏଥରର ସରକାର ଧନୀଙ୍କ ଟିକସ କମାଇ ଆଶା ରଖିଛନ୍ତି ଯେ ଧନୀ ଲୋକଙ୍କ ପାଖରେ ଅଧିକ ଅର୍ଥ ରହିଲେ ସେମାନେ ତାହାକୁ ପୁଞ୍ଜି ହିସାବରେ ବ୍ୟବସାୟରେ ଲଗାଇବେ ଓ ଉତ୍ପାଦନ ବଢ଼ିବ। ତା’ ଫଳରେ କର୍ମ ନିଯୁକ୍ତି ବଢ଼ିବ ତଥା ସଂଚୟ ବଢ଼ିବ।

ଏଥର ଆମଦାନି କର କମାଇ ଦିଆ‌ଯାଇଛି। ସାଧାରଣତଃ ଦାବି ହୋଇଥାଏ ଯେ, ବିଦେଶରୁ ଆସୁଥିବା ଦ୍ରବ୍ୟ ଉପରେ ଆମଦାନି କର (କଷ୍ଟମସ୍ ଡ୍ୟୁଟି) ବଢ଼ାଇ ଦିଆଯାଉ। ତାହା ହେଲେ ବାହାରୁ ଆସୁଥିବା ଦ୍ରବ୍ୟର ମୂଲ୍ୟ ଅଧିକ ରହିବ। ଏହା ଫଳରେ ଦେଶୀ ଜିନିଷର ମୂଲ୍ୟ କମ୍ ରହିବ ଓ ଅଧିକ ବିକ୍ରି ହେବ। କିନ୍ତୁ ବର୍ତ୍ତମାନର ଅବସ୍ଥାରେ ଭାରତ ଓ ପୃଥିବୀର ଅନେକ ଦେଶରେ ଯେଉଁ ଦ୍ରବ୍ୟମାନ ଉତ୍ପାଦିତ ହେଉଛି, ତା’ର ଯନ୍ତ୍ରାଂଶ (ପାର୍ଟସ୍‌ମାନ) ବିଦେଶରୁ ଆମଦାନି କରାଯାଉଛି। ଯଦି ବିଦେଶରୁ ଆସୁଥିବା ଯନ୍ତ୍ରାଂଶମାନଙ୍କ ଉପରେ ଅଧିକ ଆମଦାନି କର ଲଗାଯାଏ, ତେବେ ସେ ସବୁକୁ ନେଇ ଭାରତରେ ଉତ୍ପାଦିତ ହେଉଥିବା ଦ୍ରବ୍ୟର ମୂଲ୍ୟ ବଢ଼ିବ। ତାହା ହେଲେ ବିଶ୍ୱ ବଜାରରେ ଭାରତୀୟ ଦ୍ରବ୍ୟ ଅନ୍ୟ ଦେଶର ଦ୍ରବ୍ୟମାନଙ୍କ ସହ ଗୁଣ ଓ ମୂଲ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ଏହା ହେଲେ ଭାରତୀୟ ଦ୍ରବ୍ୟର ରପ୍ତାନି ହୋଇପାରିବ ନାହିଁ। ଚୀନ୍ ପରି ଦେଶମାନଙ୍କରେ ମୋଟ ଆୟର ୫୨%ରୁ ଅଧିକ ରପ୍ତାନିରୁ ଆସିଥାଏ।

ଭାରତ ସରକାର ଭିତ୍ତିଭୂମି ନିର୍ମାଣ ପାଇଁ ଅଧିକ ପୁଞ୍ଜି ନିବେଶ କଲେ ଘରୋଇ ଉଦ୍ୟୋଗୀମାନେ ମଧ୍ୟ ଉତ୍ସାହିତ ହୋଇ ଆହୁରି ଅଧିକ ପୁଞ୍ଜି ଲଗାଣ ପାଇଁ ଆଗେଇ ଆସିବେ। ଭାରତରେ ଆର୍ଥିକ ଅଭିବୃଦ୍ଧି ହେବ। ବିଦେଶୀ ନିବେଶକମାନେ ମଧ୍ୟ ଏ ଦେଶରେ ଆହୁରି ଅଧିକ ପୁଞ୍ଜି ନିବେଶ କରିବେ। ଏହା ଛଡ଼ା ଭାରତ ସରକାର ଏଥର ଦକ୍ଷତା ବୃଦ୍ଧି (ସ୍କିଲ୍) ପାଇଁ ତିନିଟି ଇଣ୍ଟରନ୍ୟାସନାଲ ସ୍କିଲ୍ ଇଣ୍ଡିଆ ସେଣ୍ଟର ଖୋଲିବେ, ଯେଉଁଥିରେ ପ୍ରଶିକ୍ଷିତ ହେଲେ ଭାରତୀୟ ଯୁବ ପିଢ଼ି ଉଭୟ ଦେଶ ଭିତରେ ଓ ବାହାରେ କର୍ମସଂସ୍ଥାନ ପାଇବେ। ବିଶ୍ୱର ଆର୍ଥିକ ମାନକ ନିର୍ଦ୍ଧାରଣକାରୀ ସଂସ୍ଥା ‘ଷ୍ଟାଣ୍ଡାର୍ଡ ଆଣ୍ଡ ପୁଅର୍ସ’, ‘ମୁଡିଜ୍’ ଓ ‘ଫିଚ୍‌’ ଆକଳନ କରିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷ ଭାରତର ଅଭିବୃଦ୍ଧି ୬%ରୁ ୭% ମଧ୍ୟରେ ରହିବ, ଯାହା ଭାରତର ରିଜର୍ଭ ବ୍ୟାଙ୍କ୍ ମଧ୍ୟ କହିଛି। ଏଣୁ ଏହା ଏକାଧାରରେ ଗୋଟିଏ ଚତୁର ଏବଂ ବିଶ୍ୱସନୀୟ ବଜେଟ୍।

ମୋ: ୯୪୩୭୦୨୦୨୯୦