ମୋଦୀ ଷ୍ଟାଡିଅମ୍‌ରେ ମୋଦୀ

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

୨୦୦୯ ନଭେମ୍ବରରେ ଅହମଦାବାଦର ସର୍ଦ୍ଦାର ପଟେଲ ଷ୍ଟାଡିଅମ୍‌ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏକ ଟେଷ୍ଟ ମ୍ୟାଚ୍‌ ଆୟୋଜିତ ହୋଇଥିଲା। ସଚିନ ତେନ୍ଦୁଲକର ଆନ୍ତର୍ଜାତିକ କ୍ରିକେଟ୍‌ରେ ସଦ୍ୟ କୋଡ଼ିଏ ବର୍ଷ ପୂରଣ କରିଥା’ନ୍ତି। ଉକ୍ତ ମ୍ୟାଚ୍‌ର ଠିକ୍‌ ଦୁଇ ମାସ ପୂର୍ବରୁ ଗୁଜରାଟ କ୍ରିକେଟ୍‌ ସଂଘର ଅଧ୍ୟକ୍ଷ ଭାବେ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚିତ ହୋଇଥା’ନ୍ତି। ତେଣୁ ତେନ୍ଦୁଲକରଙ୍କୁ ସମ୍ମାନିତ କରିବା ଲାଗି ମୋଦୀ ନିଷ୍ପତ୍ତି ନିଅନ୍ତି। ମୋର ମନେ ଅଛି ଯେ ଟିଭିରେ ଉକ୍ତ କାର୍ଯ୍ୟକ୍ରମ ମୁଁ ଦେଖିଥିଲି। ମ୍ୟାଚ୍‌ ଆରମ୍ଭ ପୂର୍ବରୁ ସେହି ମହାନ୍‌ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ଏକ ସ୍ମାରକୀ ପ୍ରଦାନ କରିଥିଲେ ଏବଂ ତାଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ।

୨୦୦୯ ବେଳକୁ ନରେନ୍ଦ୍ର ମୋଦୀଙ୍କ ତୁଳନାରେ ସଚିନ ତେନ୍ଦୁଲକର ହିଁ ଅଧିକ ପ୍ରସିଦ୍ଧ ଥିଲେ; ଏକ ‘ବ୍ରାଣ୍ଡ ନେମ୍‌’ ସହିତ ଏକ ପାରିବାରିକ ନାମରେ ପରିଣତ ହୋଇଥିଲେ। ସଚିନଙ୍କ ସହ ଏପରି ଯୋଡ଼ି ହେବା ମୋଦୀଙ୍କ ଲାଗି ଉତ୍ତମ ପ୍ରଚାର ଆଣିଥିଲା।

ତାହାର ଚାରି ବର୍ଷ ପରେ ୨୦୧୩, ଅକ୍‌ଟୋବର ବେଳକୁ ପ୍ରଧାନମନ୍ତ୍ରୀ ହେବା ପାଇଁ ମୋଦୀ ତାଙ୍କର ପ୍ରଚାର ଆରମ୍ଭ କରି ଦେଇଥିଲେ। ଏଥର କିନ୍ତୁ ତାଙ୍କର ଏହି ଅଭିଯାନରେ ସେ ନିଜକୁ ଜଣେ ମହାନ ଜୀବିତ କ୍ରିକେଟର୍‌ଙ୍କ ସହିତ ଯୋଡ଼ିବା ବଦଳରେ ଜଣେ ମହାନ ଦିବଂଗତ ରାଜନେତାଙ୍କ ସହ ଯୋଡ଼ିବାକୁ ପସନ୍ଦ କରିଥିଲେ। ତେଣୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ ସେ ନିଷ୍ପତ୍ତି ନେଇଥିଲେ। ଏହି ପ୍ରଚାର ଅଭିଯାନର ଭାଷଣମାନଙ୍କରେ ମୋଦୀ ଦାବି କରିଥିଲେ ଯେ ନେହରୁଙ୍କ ତୁଳନାରେ ପଟେଲ ଜଣେ ଉତ୍ତମ ପ୍ରଧାନମନ୍ତ୍ରୀ ହୋଇପାରିଥା’ନ୍ତେ। ପଟେଲ ଯଦି ସେଇ ଆସନରେ ଥାଆନ୍ତେ, ତେବେ ପ୍ରଥମରୁ ହିଁ ଭାରତ ଏକ ସୁରକ୍ଷିତ, ମଜଭୁତ ଓ ଅଧିକ ଆତ୍ମନିର୍ଭରଶୀଳ ରାଷ୍ଟ୍ର ହୋଇପାରିଥା’ନ୍ତା।

୨୦୦୯ରେ ନରେନ୍ଦ୍ର ମୋଦୀ କିଛି ସମୟ ପାଇଁ ସଚିନ ତେନ୍ଦୁଲକରଙ୍କ ସହିତ ପରିଚୟ ଯୋଡ଼ିବାକୁ ଜରୁରୀ ମନେ କରିଥିଲେ। ପୁଣି ୨୦୧୩-୧୪ରେ ଅଳ୍ପ କାଳ ପାଇଁ ତାଙ୍କୁ ସର୍ଦ୍ଦାର ପଟେଲଙ୍କ ସହିତ ପରିଚୟ ଯୋଡ଼ିବାକୁ ପଡ଼ିଥିଲା। ତାହାର ସାତ ବର୍ଷ ପରେ ୨୦୨୧ ମାର୍ଚ୍ଚକୁ ଆସିବା। ସେ ଭିତରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟି ଲଗାତାର ସାଧାରଣ ନିର୍ବାଚନରେ ବିଜୟୀ ହୋଇଛି। ଏବେ ସେ ଅନ୍ୟ କୌଣସି ଭାରତୀୟଙ୍କ ସହାୟତା ବିନା ନିଜର ସ୍ଥିତିକୁ ମଜଭୁତ କରିବା ପାଇଁ ସମର୍ଥ; ଏପରିକି ତାଙ୍କ ପରାମର୍ଶଦାତା ଲାଲକୃଷ୍ଣ ଆଡ଼ଭାନୀ କି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ବା ୨୦୧୩-୧୪ ବେଳକୁ ନିଜର ଆଦର୍ଶ ପୁରୁଷ ବୋଲି ବିଚାର କରୁଥିବା ସର୍ଦ୍ଦାର ପଟେଲ ମଧ୍ୟ ଏବେ ତାଙ୍କ ଭାବମୂର୍ତ୍ତିକୁ ସୁଦୃଢ଼ କରିବା ପାଇଁ ଅନାବଶ୍ୟକ।
ସଚିନ ତେନ୍ଦୁଲକରଙ୍କୁ ନରେନ୍ଦ୍ର ମୋଦୀ ଏକ ସ୍ମାରକୀ ପ୍ରଦାନ କରୁଥିବା ଦୃଶ୍ୟ ଦେଖିବାର ସାଢ଼େ ଏଗାର ବର୍ଷ ପରେ ଲକ୍ଷ ଲକ୍ଷ ଭାରତୀୟଙ୍କ ସହ ମୁଁ ମଧ୍ୟ ସର୍ଦ୍ଦାର ପଟେଲ ଷ୍ଟାଡିଅମ୍‌ରେ ଖେଳା ଯାଉଥିବା ଆଉ ଏକ ଟେଷ୍ଟ ମ୍ୟାଚ୍‌ର ଶୁଭାରମ୍ଭ ଦେଖିବା ଲାଗି ପୁଣି ଥରେ ଟେଲିଭିଜନ ଆଗରେ ବସିଥିଲି; ପ୍ରଭେଦ ଏତିକି ଥିଲା ଯେ ତାହା ଏବେ ଆଉ ସର୍ଦ୍ଦାର ପଟେଲ ଷ୍ଟାଡିଅମ୍‌ ନ ଥିଲା। ଇଂଲାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଭାରତର ରାଷ୍ଟ୍ରପତି, କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉପସ୍ଥିତିରେ ଏକ ଫଳକର ଅନାବରଣ କରିଥିଲେ, ଯେଉଁଥିରୁ ସୂଚନା ମିଳିଥିଲା କି ଯେଉଁ ଷ୍ଟାଡିଅମ୍‌ ଏକଦା ଜଣେ ମହାନ୍‌ ଭାରତୀୟଙ୍କ ନାମରେ ନାମିତ ହୋଇଥିଲା, ଯାହାଙ୍କୁ ନରେନ୍ଦ୍ର ମୋଦୀ ପ୍ରଶଂସା କରନ୍ତି ଏପରିକି ତାଙ୍କ ସ୍ତବ କରନ୍ତି ବୋଲି ଦାବି କରୁଥିଲେ, ଏବେ ତାହା ବଦଳି ଯାଇ ଖୋଦ ମୋଦୀଙ୍କ ନାମରେ ନାମିତ ହୋଇଯାଇଛି।

ଶାସନ କ୍ଷମତାରେ ରହିବା ଅବସରରେ ନିଜ ନାମରେ ଏକ ସ୍ପୋର୍ଟସ ଷ୍ଟାଡିଅମ୍‌ ନାମିତ କରିବାର ଉଦାହରଣ ଷ୍ଟାଲିନ୍‌, ହିଟଲର, ମୁସୋଲିନି, ସଦ୍ଦାମ ହୁସେନ ଓ ଗଦ୍ଦାଫି ରଖି ଯାଇଛନ୍ତି। ଲାଗୁଛି ଏକ ଗଣତନ୍ତ୍ରର ମୁଖ୍ୟ ଭାବେ ଏଭଳି କରି ମୋଦୀ କିନ୍ତୁ ସନ୍ତୁଷ୍ଟ ଅଛନ୍ତି। କାରଣ ଗତ ଗୁରୁବାର ସେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍‌ଙ୍କ ସହ ମିଶି ନିଜ ନାମରେ ନାମିତ ଷ୍ଟାଡିଅମ୍‌ରେ ମ୍ୟାଚ୍‌ ଦେଖି ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଅବଶ୍ୟ, ନିଜ ନାମରେ ନାମିତ ଟ୍ୟୁରିନ୍‌ ଷ୍ଟାଡିଅମ୍‌ରେ ମୁସୋଲିନି କେବେ ଫୁଟ୍‌ବଲ୍‌ ଖେଳ ଦେଖିଥିଲେ କି ନାଇଁ ଅଥବା ଷ୍ଟାଲିନ କେବେ ନିଜ ନାମ ଧାରଣ କରିଥିବା ମସ୍କୋ ଷ୍ଟାଡିଅମ୍‌ରେ କ୍ରୀଡ଼ା ପ୍ରତିଯୋଗିତା ଦେଖିଥିଲେ କି ନାଇଁ, ତାହା ମୁଁ ଜାଣିନି। ତେବେ ଏପରି ହୋଇପାରେ, ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିଅମ୍‌ରେ ଯେତେବେଳେ ନରେନ୍ଦ୍ର ମୋଦୀ ନିଜ ଢଙ୍ଗରେ ପହଞ୍ଚିଲେ, ତାହା କେବଳ ତାଙ୍କ ପାଇଁ ନୁହେଁ, ଭାରତ ଏବଂ ଦୁନିଆ ପାଇଁ ମଧ୍ୟ ଇତିହାସ ସୃଷ୍ଟି କରିଥିଲା।

ଜଣେ ଗଣତାନ୍ତ୍ରିକ ଭାରତୀୟ ଭାବରେ ମୁଁ ମୋଦୀଙ୍କର ବ୍ୟକ୍ତିତ୍ବର ବୃଦ୍ଧିକୁ ହତାଶାର ସହ ଦେଖିଛି। ତେବେ ସେ ଦିନ ଯାହା ଘଟିଲା ତାହା ମୋ’ ପରି ଜଣେ କ୍ରିକେଟ୍‌ ପ୍ରଶଂସକର ସମ୍ବେଦନାକୁ ଗଭୀର ଭାବରେ ଆହତ କରିଛି। ନରେନ୍ଦ୍ର ମୋଦୀ ଷ୍ଟାଡିଅମ୍‌ରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ଲାଗି ତା’ର ପୂର୍ବ ଦିନ ଗୁଜରାଟ କ୍ରିକେଟ୍‌ ସଂଘ ପ୍ରଥମ ଦିନ ଖେଳର ବହୁ ସଂଖ୍ୟକ ଟିକେଟ୍‌ ବିକ୍ରି କରିବାକୁ ଦେଲା ନାହିଁ; ଯାହାର ଉଦ୍ଦେଶ୍ୟ ଥିଲା ସେଗୁଡ଼ିକୁ ରାଜନୈତିକ ଚ୍ୟାନେଲ ମାଧ୍ୟମରେ ବିତରଣ କରିବା। ଏ ପ୍ରକାର ଅନୀତି ସମ୍ପର୍କରେ ମୋତେ ଜଣେ ବନ୍ଧୁ ପ୍ରଥମେ ଜଣାଇଥିଲେ, ଯିଏ ମ୍ୟାଚ୍‌ ଦେଖିବା ଲାଗି ଅହମଦାବାଦ ଯିବାକୁ ମନ କରିଥିବା ବେଳେ ସାଧାରଣ ଲୋକଙ୍କ ପାଇଁ କେବଳ ଦ୍ବିତୀୟ ଦିନ ଠାରୁ ଟିକେଟ୍‌ ମିଳୁଥିବା କଥା ଜାଣିବାକୁ ପାଇଥିଲେ। ପ୍ରଥମ ଦିନ ପାଇଁ ଟିକେଟ୍‌ ଉପଲବ୍‌ଧ ନାହିଁ ବୋଲି ଟିକେଟ୍‌ ‘ୱେବ୍‌ସାଇଟ୍‌’ଗୁଡ଼ିକରୁ ସ୍ପଷ୍ଟ ହୋଇଥିଲା। ତେବେ ମୋ ବନ୍ଧୁଙ୍କ ପାଇଁ ଜଣେ ଚିହ୍ନା ପରିଚିତ ବ୍ୟକ୍ତି ତଥାକଥିତ ‘ଭକ୍ତ କୋଟା’ ମାଧ୍ୟମରେ ଏକ ଟିକେଟ୍‌ ଯୋଗାଡ଼ କରିଦେଇଥିଲେ। ଏମିତି ତ ଅଷ୍ଟ୍ରେଲିଆ ପ୍ରଶଂସକମାନଙ୍କ ପାଇଁ ବି ପ୍ରଥମ ଦିନର ଟିକେଟ୍‌ ମିଳି ନ ଥିଲା। ଏହା ଜାଣିଲା ପରେ ଅଷ୍ଟ୍ରେଲୀୟ ଖବରକାଗଜରେ ପିଟର ଲାଲୋର ଏକ ରିପୋର୍ଟ ଲେଖିଥିଲେ, ଯେଉଁଥିରେ ଟିକେଟ୍‌ର ଅନୁପଲବ୍‌ଧତା ସମ୍ପର୍କରେ ସେ ଟିପ୍ପଣୀ କରିଥିଲେ ଯେ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍‌ ଭିତରୁ କେଉଁଟି ବି ପୂରା ତିନି ଦିନ ଯାଏ ଚାଲି ନ ଥିଲା ବେଳେ ବୋର୍ଡର ଗାଭାସ୍କର ଟ୍ରଫି ପାଇଁ ଭାରତ ଆସିଥିବା ଶହ ଶହ ଅଷ୍ଟ୍ରେଲୀୟମାନଙ୍କ ପାଇଁ ଟିକେଟ୍‌ ନ ମିଳିବା ଏକ ବଡ଼ ହତାଶା। ଲାଲୋରଙ୍କ ରିପୋର୍ଟ ପ୍ରକାଶ ପରେ ଅଷ୍ଟ୍ରେଲୀୟ କୂଟନୀତିଜ୍ଞମାନେ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ ସହ କଥାବାର୍ତ୍ତା କରିଥିଲେ। ଫଳରେ ଅଷ୍ଟ୍ରେଲିଆରୁ ଭାରତ ଆସିଥିବା କ୍ରିକେଟପ୍ରେମୀଙ୍କ ପାଇଁ ଏକ ସ୍ବତନ୍ତ୍ର ଟିକେଟ୍‌ ବୁଥ୍‌ ଖୋଲାଗଲା। କିନ୍ତୁ ଏ ନେଇ ଜଣେ ଅଷ୍ଟ୍ରେଲୀୟ ଲେଖକ ଏହା ବି ଲେଖିଲେ ଯେ ହଜାର ହଜାର ଘରୋଇ ପ୍ରଶଂସକମାନଙ୍କ ସକା‌େଶ କହିବା ପାଇଁ କେହି ନାହାନ୍ତି। ଭାରତରେ କ୍ରିକେଟ୍‌ ଗଣମାଧ୍ୟମ ଅନ୍ୟ ଗଣମାଧ୍ୟମ ପରି ମଧ୍ୟ ‘ଗୋଦି’, ଯାହା ‘ବିସିସିଆଇ’କୁ ଅସନ୍ତୁଷ୍ଟ କରିବାକୁ ଚାହେଁ ନାହିଁ। ଏବଂ ‘ବିସିସିଆଇ’ ବର୍ତ୍ତମାନ ଶାସକ ଦଳର ଏକ ଶାଖା ଭଳି କାମ କରୁଛି। ତେବେ ‘ଗୋଦି’ କ୍ରିକେଟ୍‌ ଗଣମାଧ୍ୟମ ଏ ପ୍ରସଙ୍ଗ ନେଇ ନିରବ ରହିଥିବା ବେଳେ ଟ୍ବିଟର୍‌ରେ ଭାରତୀୟ କ୍ରିକେଟପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପରେ ତରବରିଆ ଭାବେ ଆଉ କିଛି ଟିକେଟ୍‌ ବିକ୍ରି ପାଇଁ ରଖାଯାଇଥିଲା। ମାତ୍ର ଅନିର୍ଦ୍ଦିଷ୍ଟ ଅତିଥିମାନଙ୍କ ପାଇଁ ତଥାପି ବହୁ ସଂଖ୍ୟାରେ ଟିକେଟ୍‌ ‘ସଂରକ୍ଷିତ’ ହୋଇ ରହିଥିଲା। ଶେଷରେ କେତେ ଟିକେଟ୍‌ ଏଭଳି ବିତରଣ ପାଇଁ ରଖାଯାଇଥିଲା ତାହା କେବେହେଲେ ସାର୍ବଜନୀନ ବା ସ୍ପଷ୍ଟ ହେବନାହିଁ।

ଅହମଦାବାଦ ଷ୍ଟାଡିଅମ୍‌ରେ ୧,୩୦,୦୦୦ ଦର୍ଶକ ବସିବା ପାଇଁ ବ୍ୟବସ୍ଥା ରହିଛି। ଭାରତରେ କ୍ବଚିତ୍‌ ଟେଷ୍ଟ ମ୍ୟାଚ୍‌ ୩୦ ହଜାରରୁ ୪୦ ହଜାର ଦର୍ଶକଙ୍କୁ ଆକର୍ଷିତ କରିଥାଏ। ରିପୋର୍ଟ ଅନୁଯାୟୀ, ମୋଦୀଙ୍କୁ ପୂଜା କରୁଥିବା ଦର୍ଶକଙ୍କ ବ୍ୟତୀତ ଆୟୋଜକମାନେ ଟେଷ୍ଟ୍‌ ମ୍ୟାଚରେ ଏକ ବଡ଼ ଜନ ସମାଗମ ପାଇଁ ବିଶ୍ବ ରେକର୍ଡ ସ୍ଥାପନ କରିବାକୁ ଚାହୁଁଥିଲେ, ଯେଉଁ କୀର୍ତ୍ତିମାନ ବର୍ତ୍ତମାନ ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡ୍‌ (ଏମ୍‌ସିଜି) ନାମରେ ରହିଛି। ବର୍ତ୍ତମାନର ସରକାର ଦାବି କରୁଥିବା ଅନ୍ୟ କେତେକ ‘ବିଶ୍ବ ରେକର୍ଡ’ ଭଳି ଏହା ମଧ୍ୟ ନିର୍ଦ୍ଦିଷ୍ଟ ଉପାୟରେ ହାସଲ କରାଯିବାର ଥିଲା। ଅବଶ୍ୟ ‘ବିସିସିଆଇ’ ଯେଭଳି ଶାସକ ଦଳ ରାଜନେତାଙ୍କ ହାତ ମୁଠାରେ, କ୍ରିକେଟ୍‌ ଅଷ୍ଟ୍ରେଲିଆ ସେପରି ନୁହେଁ। ‘ଏମ୍‌ସିଜି’ରେ ଟେଷ୍ଟ୍‌ ମ୍ୟାଚ୍‌ ଦେଖୁଥିବା ପ୍ରତିଟି ଦର୍ଶକ ଜଣେ ଜଣେ କ୍ରିକେଟ୍‌ ପ୍ରଶଂସକ; କେହି ବି ରାଜନେତାଙ୍କ ଶୋଭାଯାତ୍ରାରେ ଯୋଗ ଦେବାକୁ ସେଠାକୁ ଆସିନାହାନ୍ତି। ଉଲ୍ଲେଖଯୋଗ୍ୟ, ଅହମଦାବାଦରେ ମୋଦୀ ପଡ଼ିଆ ଛାଡ଼ିବାର ଘଣ୍ଟାକ ଭିତରେ ସମବେତ ଭିଡ଼ ଦ୍ରୁତ ବେଗରେ ପତଳା ହୋଇଗଲା।

ଷ୍ଟାଡିଅମ୍‌ରେ ଅନେକ ଦିନ ଆଗରୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ବଡ଼ ବଡ଼ ପୋଷ୍ଟର ଲଗା ଯାଇଥିଲା; ମ୍ୟାଚର କିଛି ସମୟ ପୂର୍ବରୁ ମୋଦୀ ଓ ତାଙ୍କ ଅଷ୍ଟ୍ରେଲୀୟ ପ୍ରତିପକ୍ଷ ଏକ ସୁନାପାତ ଛାଉଣି ବଗିରେ ପଡ଼ିଆ ସାରା ବୁଲି ବୁଲି ଭିଡ଼କୁ ହାତ ହଲାଇଥିଲେ। ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ଜଣେ ନିକଟତମ ରାଜନେତାଙ୍କ ପୁଅ ଏକ ଉପହାର ଦେଇଥିଲେ; କ୍ୟାମେରା ଜୁମ୍‌ କଲାରୁ ତାହା ନରେନ୍ଦ୍ର ମୋଦୀଙ୍କୁ ନରେନ୍ଦ୍ର ମୋଦୀ ଷ୍ଟାଡିଅମ୍‌ରେ ନରେନ୍ଦ୍ର ମୋଦୀଙ୍କ ଫଟୋ ପ୍ରଦାନ କରାଯାଉଛି ବୋଲି ଜଣାପଡ଼ିଥିଲା।

ସେଠାରେ ଗୋଟିଏ ବୋର୍ଡ ଦେଖିବାକୁ ମିଳିଲା, ଯହିଁରେ ପ୍ରଧାନମନ୍ତ୍ରୀଦ୍ବୟଙ୍କ ଫଟୋ ଏକାଠି ଥିଲା; ଆଗକୁ ଥିବାରୁ ମୋଦୀ ବଡ଼ ଦିଶୁଥିଲେ, ଯଦିଓ ପ୍ରକୃତରେ ସେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀଙ୍କ ଠାରୁ ଉଚ୍ଚତାରେ ତିନି ଇଞ୍ଚ କମ୍‌। ଏ ନେଇ ଆନ୍ଥୋନି ଆଲବାନିଜ୍‌ଙ୍କର ବ୍ୟକ୍ତିଗତ ଭାବନା କ’ଣ ଥିବ, ତାହା ଭାବି ମୁଁ ଆଶ୍ଚର୍ଯ୍ୟ ହେଉଛି; ନାର୍ସିସିଜମ୍‌ ବା ଆତ୍ମ-ରତିର ଏ ପ୍ରକାର ପ୍ରଦର୍ଶନରେ ସେ କ’ଣ ଖୁସି ହୋଇଥିବେ?

ସତ କହିବାକୁ ଗଲେ, ଅହମଦାବାଦରେ ଏହି ଟେଷ୍ଟ ଖେଳା ଯିବାର ନ ଥିଲା। କୋଲକାତା ତୁଳନାରେ ଏହି ସହର ଏକ କ୍ରିକେଟ୍‌ ପଛୁଆ ଭୂମି ହୋଇଥିବା ବେଳେ ଗତ ତିନି ବର୍ଷ ଭିତରେ ଏହାକୁ ଟେଷ୍ଟ ମ୍ୟାଚଟିଏ ମିଳିନାହିଁ। ଭାରତ ବନାମ ଅଷ୍ଟ୍ରେଲିଆ ଭଳି ଦର୍ଶନୀୟ ଶୃଙ୍ଖଳା ପାଇଁ ଅହମଦାବାଦ ତୁଳନାରେ ଚେନ୍ନାଇ, ବେଙ୍ଗାଲୁରୁ ଓ ମୁମ୍ବାଇ ହେଉଛନ୍ତି ଅଧିକ ଦାବିଦାର। ମାତ୍ର ଏହି ଶୃଙ୍ଖଳାର ଶେଷ ଟେଷ୍ଟ ମ୍ୟାଚ୍‌ ଯଦି ‘ଟିଏମ୍‌ସି’ ଶାସିତ କୋଲକାତା କିମ୍ବା ‘ଡିଏମ୍‌କେ’ ଶାସିତ ଚେନ୍ନାଇରେ ଖେଳାଯାଇଥା’ନ୍ତା, ତେବେ ମୋଦୀଙ୍କୁ ଅହମଦାବାଦରେ ଯେପରି ସ୍ବାଗତ କରାଯାଇଥିଲା, ତାହା ବିଜେପି କରି ପାରିନଥା’ନ୍ତା। ଏପରିକି ବର୍ତ୍ତମାନ ବିଜେପି ଶାସିତ ବେଙ୍ଗାଲୁରୁ କିମ୍ବା ମୁମ୍ବାଇରେ ମଧ୍ୟ ପ୍ରକୃତ କ୍ରିକେଟ୍‌ ପ୍ରେମୀମାନଙ୍କୁ ଠୁଳ କରାଇବା ମୋଦୀ ଭକ୍ତଙ୍କ ପକ୍ଷେ ଅସମ୍ଭବ ହୋଇଥା’ନ୍ତା। କେବଳ ଗୁଜରାଟରେ ହିଁ ଏପରି ବ୍ୟକ୍ତିତ୍ବ ପୂଜାର ଦାବିକୁ ପୂରଣ କରାଯାଇପାରିବ। ଏକଦା ମହାନ୍‌ ଥିବା କ୍ରିକେଟ୍‌ ଖେଳ ଏବେ ଦୁର୍ନୀତିର ବାହନ ପାଲଟିଛି।

ସମ୍ବନ୍ଧିତ ଖବର