ମନରେ ପ୍ରଶ୍ନ ଉଠେ ଯେ ଆଲେକଜାଣ୍ଡରଙ୍କ ଉଦ୍ଧତ ଦିଗ୍‌ବିଜୟ ପୃଥିବୀକୁ କ’ଣ ଦେଲା?

ତାଙ୍କର କ୍ଷୁଦ୍ର ରାଜ୍ୟ ମାସିଡୋନିଆ ସତରେ ତାଙ୍କ ବଳରେ କେତେ ସ୍ଫୀତ ହୋଇଗଲା? ଜୁଲିଅସ୍‌ ସିଜରଙ୍କ ଦର୍ପ-ସ୍ଫୀତ ରୋମର ଦୁର୍ଜେୟ ରାଜଧାନୀ କ୍ୟାପିଟୋଲିନ୍‌ ଆଜି କେଉଁଠି, କିଭଳି ଦଶାରେ? ଉତ୍ତର ହେଲା, ସେସବୁ ଅାଜି ଧ୍ବଂସ ସ୍ତୂପରେ ପରିଣତ! କ୍ୟାପିଟୋଲିନ୍‌ର ଭଗ୍ନ ଦୁର୍ଗର ଅନ୍ଧକାରାଚ୍ଛନ୍ନ କୋଠରିମାନଙ୍କରେ ହୁଏ’ତ ବୁଢ଼ିଆଣିମାନେ ଆଜି ଜାଲ ବୁଣୁଥିବେ! ସେତେବେଳେ ଡାଇଓଜିନସ ଆଲେକଜାଣ୍ଡରଙ୍କୁ ଏହି କଥା କହିଥିଲେ: କାହିଁକି ଏ ଦିଗ୍‌ବିଜୟର ଲାଳସା ସିକନ୍ଦର? ତୁମେ କାହାକୁ ଜୟ କରିବାକୁ ବାହାରିଛ? ସତ‌େର କ’ଣ ତୁମ ବିଜୟକୁ ବିଜୟ କୁହାଯିବ? ତୁମେ ଜଣେ ସମ୍ରାଟ ନା ଭିକ୍ଷୁକ, ଯାହାର ଲାଳସା କେ‌ବେ ମେଣ୍ଟେ ନାହିଁ? ଆଲେକଜାଣ୍ଡର କେବଳ ତାଚ୍ଛଲ୍ୟ ଭାବେ ହସି ଦେଇ ତାଙ୍କ ପଟୁଆର ସହିତ ବାହାରି ଯାଇଥିଲେ।

Advertisment

କିନ୍ତୁ ଆଲେକଜାଣ୍ଡରଙ୍କ ଶହେ ବା ଦେଢ଼ ଶହ ବର୍ଷ ପୂର୍ବରୁ ଆଉ ଜଣେ ଦିଗ୍‌ବିଜୟୀ ଜନ୍ମ ନେଇଥିଲେ ଭାରତ ଭୂମିରେ, କପିଳବାସ୍ତୁରେ! ତାଙ୍କ ନାମ ଥିଲା ଗୌତମ। ସେ ମଧ୍ୟ ଥିଲେ ରାଜପରିବା‌ରର ଦାୟାଦ। ଚାହିଁଥିଲେ ସେ ମଧ୍ୟ କୃପାଣ ହସ୍ତରେ ସିକନ୍ଦରଙ୍କ ଭଳି ରକ୍ତରଂଜିତ ବିଜୟର ପଥ ସୃଷ୍ଟି କରି ପାରିଥାଆନ୍ତେ। କିନ୍ତୁ ସେ ସିକନ୍ଦରଙ୍କ ବିପରୀତ ମାର୍ଗକୁ ଆପଣାଇଥିଲେ। ଜୀବନର ଗଭୀର ଅର୍ଥ ଓ ମାନବ ଦୁଃଖର କାରଣ ବୁଝିବା ଉଦ୍ୟମରେ ସେ ସବୁ ଏଶ୍ବର୍ଯ୍ୟ ପରିତ୍ୟାଗ କଲେ ଏବଂ ସତରେ ଜଣେ ଭିକ୍ଷୁକରେ ପରିଣତ ହେଲେ। ଅଥଚ ତାଙ୍କ ଦିଗ୍‌ବିଜୟର ଗାଥା ଏବେ ବି ପୃଥିବୀର ଜନ ମନରେ ଅନୁରଣିତ ହୋଇ ଚାଲିଛି ଏବଂ ଅକଳନ୍ତି ହୃଦୟକୁ ତାହା ଆଲୋକିତ କରିଛି ଓ କରି ଚାଲିଛି! ଏହା ବାରମ୍ବାର ଓ ସର୍ବଦା ପ୍ରମାଣିତ ହୋଇ ଚାଲିଛି ଯେ ଦର୍ପ ନୁହେଁ, ବରଂ ବିନମ୍ରତା ହିଁ ସାହସର ଚିହ୍ନ! ଯୁଦ୍ଧ ଦ୍ବାରା ପ୍ରତିପକ୍ଷକୁ ହରାଇ ଦେଇ ହୁଏ ସିନା, ତାକୁ ଜିଣି ହୁଏ ନାହିଁ। ବରଂ ପ୍ରେମ ଓ ଶ୍ରଦ୍ଧା ଦ୍ବାରା ପ୍ରତିପକ୍ଷକୁ ପରାଜିତ ନ କରି ମଧ୍ୟ ଜିଣି ହୁଏ।

ଆମ ଭୂଖଣ୍ଡର ଏହା ହିଁ ବୈଶିଷ୍ଟ୍ୟ। ପ୍ରାଚୀନ କାଳରେ ଏଠାରେ ଋଷିମାନଙ୍କ କଣ୍ଠରେ ପ୍ରଥମେ ଉଚ୍ଚାରିତ ହୋଇଥିଲା ଜୀବନର ବୈଦିକ ଅର୍ଥ। ସେମାନେ ସେମାନଙ୍କ ଯଜ୍ଞରେ ହବିର୍ଭାଗ ଦେଲା ବେଳେ ପ୍ରାର୍ଥନା କରୁଥିଲେ ‘କାଳେ ବର୍ଷ୍ୟନ୍ତୁ ପର୍ଜ୍ଜ୍ୟନା’- ମେଘମାନେ ଯଥା କାଳେ ବୃଷ୍ଟିଦାନ କରନ୍ତୁ। ପୃଥିବୀ ଶସ୍ୟଶାଳିନୀ ହେଉ। ଭାରତୀୟ ଋଷିମାନଙ୍କର ଯଜ୍ଞ ଆୟୋଜନ ଓ ଆବାହନ ଥିଲା ସମସ୍ତ ବିଶ୍ବ କଲ୍ୟାଣ ପାଇଁ ଉଦ୍ଦିଷ୍ଟ। ଏହି କାରଣରୁ ଆମ ଭୂମିରେ ଉଦୟ ହୋଇଥିଲେ ଗୌତମ ବୁଦ୍ଧ, ମହାବୀର ଜୈନ, ଶଙ୍କରାଚାର୍ଯ୍ୟ, ନାନକ, କବୀର, ମହାତ୍ମା ଗାନ୍ଧୀଙ୍କ ଭଳି ମହାପୁରୁଷ, ଯେଉଁମାନେ ଦିଗ୍‌ବିଜୟର ପ୍ରକୃତ ମର୍ମ ନିର୍ଦ୍ଧାରଣ କରିଥିଲେ। ଯେଉଁମାନେ ଦୟା ଓ କ୍ଷମାକୁ ଏକ ଅସ୍ତ୍ର ଭାବେ ପରିଭାଷିତ କରିଥିଲେ।

ଏବେ ଏହି ଭୂଖଣ୍ଡ‌େର ରାଜନୈତିକ କ୍ଷମତାର ଆସ୍ପର୍ଦ୍ଧା, ଅର୍ଥବଳର ବହପ, ବାହୁବଳର ଉଚ୍ଚାଟ ଦେଖିଲେ ମନରେ କ୍ଷୋଭ ଓ ଶଙ୍କା ଆସେ ଯେ ଭାରତୀୟତାର ମୂଳ ତତ୍ତ୍ବ ବୋଧହୁଏ ତା’ର ସତ୍ତା ହରାଇବାରେ ଲାଗିଛି! ମନ ବିଦ୍ରୋହ କରି ଉଠେ! କିନ୍ତୁ ପୁଣି ଏତିକି ବେଳେ ଗାନ୍ଧୀଜୀଙ୍କ ଦ୍ବାରା ବହୁଳ ଭାବେ ବ୍ୟବହୃତ ସେହି ଉପନିଷଦ୍‌ ବାଣୀ ମନେ ପଡ଼େ ଯେ ‘ଅନ୍ଧକାରକୁ ତିରସ୍କାର ନ କରି ବରଂ ପ୍ରଦୀପଟିଏ ଜଳାଇ ଦିଅ।’ ତେଣୁ ଯଦି ଆମ ସମାଜ ଉପରେ ଘୋଟି ଯାଉଥିବା କଳୁଷ ମନରେ ହତାଶା ସୃଷ୍ଟି କରୁଛି, ତେବେ ସେହି ଉପନିଷଦ୍‌ର ବାଣୀକୁ ହିଁ ଶୁଣିବା। ଅନ୍ଧକାରକୁ ନିନ୍ଦା ନ କରି ବରଂ ତା’ର ଦୂରୀକରଣ ଲାଗି ଉଦ୍ୟମ ଆରମ୍ଭ କରିବା।

ମୋ:୯୭୭୭୨୦୫୬୮୪