ଏଇ ଭାରତରେ

ଆମରି କଥା - ନାରାୟଣ ମିଶ୍ର

ସମ୍ରାଟ୍‌ ଶାହାଜାହାନ୍‌ଙ୍କ ଜଣେ ବେଗମ୍‌ ଧନୁ, ତୀର ଚଳାଇବା ଶିଖୁଥିବା ଅବସ୍ଥାରେ ହଠାତ୍‌ ତୀରଟି ବଗିଚାର ମାଳୀ ଦେହରେ ବାଜିବାରୁ ମାଳୀଟି ସେଇଠି ମରିଗଲା। ମାଳୀର ସ୍ତ୍ରୀ ତା’ ପରଦିନ ସମ୍ରାଟ୍‌ଙ୍କ ଦରବାରରେ ନ୍ୟାୟ ଭିକ୍ଷା କଲା। ସମ୍ରାଟ୍‌ ଶାହାଜାହାନ୍‌ ବେଗମ୍‌ଙ୍କୁ ନିଜ ପକ୍ଷ ରଖିବାକୁ ସମନ ଜାରି କଲେ। ଉପସ୍ଥିତ ମନ୍ତ୍ରୀ, ସେନାପତି ଓ ଉପସ୍ଥିତ ଅନ୍ୟ ସଭାସଦବୃନ୍ଦ ମାଳୀର ସ୍ତ୍ରୀକୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେଇ କେସ୍‌ଟିକୁ ବନ୍ଦ କରି ଦେବାକୁ ପରାମର୍ଶ ଦେଲେ ଏବ˚ କହିଲେ- ‘‘ଯେହେତୁ ଜାଣିଶୁଣି ବେଗମ୍‌ ମାଳୀକୁ ମାରିନାହାନ୍ତି, ରାଣୀହ˚ସପୁରରୁ ବେଗମ୍‌ଙ୍କୁ ରାଜସଭାକୁ ଡକାଇବା ଉଚିତ ହେବ ନାହିଁ।’’ ସମ୍ରାଟ୍‌ କିନ୍ତୁ ସେମାନଙ୍କ ଉପଦେଶକୁ ପ୍ରତ୍ୟାଖ୍ୟାନ କରି ସମନ ଜାରି କରିବାକୁ ନିର୍ଦ୍ଦେଶ ଦେଲେ। ତା’ ପରଦିନ ସମ୍ରାଟ୍‌ ବେଗମ୍‌ଙ୍କୁ ରାଜସଭାରେ କାହିଁକି ହାଜର କରାଗଲା ନାହିଁ ବୋଲି ଜାଣିବାକୁ ଚାହିଁବାରୁ ସମସ୍ତେ ଏକସ୍ବରରେ କହିଲେ ଯେ ସମନ ଆଦୌ ଜାରି କରାଯାଇ ନାହିଁ। ବ୍ୟଥିତ ସମ୍ରାଟ୍‌ ସଙ୍ଗେ ସଙ୍ଗେ ସି˚ହାସନରୁ ଓହ୍ଲାଇ ଆସି ମାଳୀର ସ୍ତ୍ରୀ ନିକଟରେ ଆଣ୍ଠେଇ ନିଜ ତରବାରିକୁ ଥୋଇ ଦେଇ କହିଲେ- ‘‘ହେ, ମୋର ଅଭିଯୋଗକାରିଣୀ ମାତା, ଯେ ତୁମକୁ ବିଧବା କରିଛି, ଏହି ତରବାରି ସାହାଯ୍ୟରେ ତୁମେ ତାକୁ ବିଧବା କରିଦିଅ।’’ ସମ୍ପୂର୍ଣ୍ଣ ରାଜସଭା ସ୍ତବ୍‌ଧ ହୋଇଗଲା ଏବ˚ ମାଳୀର ସ୍ତ୍ରୀ କାନ୍ଦି କାନ୍ଦି ସମ୍ରାଟ୍‌ଙ୍କୁ ଉଠାଇ ତାଙ୍କ ପାଦ ତଳେ ପଡ଼ି କ୍ଷମା ମାଗିଲା ଏବ˚ କହିଲା- ‘‘ଏଭଳି ନ୍ୟାୟବନ୍ତ ସମ୍ରାଟ୍‌ଙ୍କୁ ଭଗବାନ ଶତାୟୁ କରନ୍ତୁ। ମୁଁ ନ୍ୟାୟ ପାଇଗଲି ଏବ˚ ଏହି ମୁହୂର୍ତ୍ତରେ ମୁଁ ମୋର ଅଭିଯୋଗ ଫେରାଇ ନେଉଛି।’’ – ଏତିକି କହି ମାଳୀର ସ୍ତ୍ରୀ ସମ୍ରାଟ୍‌ଙ୍କ ଦରବାରରୁ ବାହାରି ଚାଲିଗଲା। ଏଇ ଭାରତରେ ଯେ ଏଭଳି ସମ୍ରାଟ୍‌ ଥିଲେ ଏବକା ଶାସନ ଦେଖି ସତରେ ବିଶ୍ବାସ ଆସୁନାହିଁ!!

ଏବେ ଆସନ୍ତୁ, ଆଉ ଜଣେ ରାଜାଙ୍କ କଥା ଜାଣିବା- ଛତ୍ରପତି ଶିବାଜୀ। ଦିନେ ଜହ୍ନ ରାତିରେ କୋଠା ଉପରେ ବୁଲୁଥିବା ଅବସ୍ଥାରେ ଛତ୍ରପତି ରାଜା ଶିବାଜୀ ଦେଖିଲେ ଯେ ଜଣେ ଅନିନ୍ଦ୍ୟ ସୁନ୍ଦରୀ ଯୁବତୀ ରାଜମହଲ ନିକଟରେ ଏପଟ ସେପଟ ହେଉଛି। ଜାଣିବାକୁ ପାଇଲେ ଯେ ଯୁବତୀଟି ଛତ୍ରପତି ରାଜାଙ୍କୁ ଏକାନ୍ତରେ ଭେଟିବାକୁ ଚାହୁଁଛି। ଶିବାଜୀ ସଙ୍ଗେ ସଙ୍ଗେ ତଳକୁ ଓହ୍ଲାଇ ଆସିଲେ ଏବ˚ ଯୁବତୀକୁ ଆସିବାର ଅଭିପ୍ରାୟ ପଚାରିଲେ। ଯୁବତୀଟି କହିଲା- ‘‘ମହାରାଜ, ଆପଣଙ୍କ ସୌନ୍ଦର୍ଯ୍ୟ, ଗୁଣ ଏବ˚ ପରାକ୍ରମରେ ଆକୃଷ୍ଟ ହୋଇ ମୁଁ ଆପଣଙ୍କ ଔରସ ଓ ମୋ ଗର୍ଭରୁ ଆପଣଙ୍କ ଭଳି ଏକ ସନ୍ତାନ ଇଚ୍ଛା କରି ଆସିଛି, ଦୟାପୂର୍ବକ ମୋ ଅଭିଳାଷ ଚରିତାର୍ଥ କରନ୍ତୁ। ଶିବାଜୀ ସଙ୍ଗେ ସଙ୍ଗେ ଯୁବତୀକୁ ନମସ୍କାର କରି କହିଲେ- ‘‘ହେ, ଦେବୀ, ଆପଣଙ୍କ ପରି ଅପସରାଙ୍କ ଭଳି ସୁନ୍ଦରୀ ମା’ ପାଇଁ ମୁଁ ଗର୍ବିତ।’’ ଏତିକିରେ ଯୁବତୀଟିର ଯୌବନର ଅହଙ୍କାର ଉଭେଇଗଲା ଓ କ୍ଷମା ମାଗି ଛତ୍ରପତିଙ୍କ ସାମନାରୁ ଚାଲିଗଲା। ଏ ଯୁଗରେ କ’ଣ ଏଭଳି କିଛି ଦେଖିବାକୁ ମିଳିଥାଆନ୍ତା?

ଆଉ ଜଣେ ଶାସକଙ୍କ କଥା ଜାଣିବା। ପଞ୍ଜାବ କେଶରୀ ରାଜା ରଣଜିତ୍‌ ସି˚ ଥରେ ଘୋଡ଼ା ଉପରେ ବସି ସୈନ୍ୟସାମନ୍ତଙ୍କ ସହ ଯାଉଥିବା ବେଳେ ହଠାତ୍‌ ଟେକାଟାଏ ଆସି ତାଙ୍କ ମୁଣ୍ତରେ ବାଜିଲା। ସେ ଘୋଡ଼ା ଅଟକାଇ ଦେଲେ। ମୁଣ୍ତରୁ ଧାର ଧାର ହୋଇ ରକ୍ତ ବହି ଯାଉଥାଏ। ସୈନ୍ୟମାନେ ଚତୁର୍ଦ୍ଦିଗକୁ ଘେରିଗଲେ ଏବ˚ ଅପରାଧ କରିଥିବା ଗୋଟିଏ ବୁଢ଼ୀକୁ ଧରି ଆଣିଲେ। ବୁଢ଼ୀକୁ ପଚାରିବା ମାତ୍ରେ ସେ କାନ୍ଦି କାନ୍ଦି କହିଲା- ‘‘ମହାଭାଗ, ମୋରି ଟେକା ହିଁ ଆପଣଙ୍କୁ ଏ କ୍ଷତ ପହଞ୍ଚାଇଛି, ହେଲେ ମୁଁ ଆପଣଙ୍କ ଉପରକୁ ଟେକା ମାରି ନାହିଁ। ଦୁଇଦିନ ହେଲା ମୋ ଛୁଆପିଲା ଉପାସ; ଆମ୍ବ କେଇଟି ତୋଳି ନେଇ ସେମାନଙ୍କର ଓ ମୋର କ୍ଷୁଧା ମେଣ୍ଟାଇବାକୁ ମୁଁ ଆମ୍ବଗଛକୁ ଟେକା ମାରୁଥିଲି। ଦେହରେ ତ ବଳ ନାହିଁ, ଆଉ ମୋର ବି କେବେ ଟେକା ମାରି ଆମ୍ବ ତୋଳିବା ଅଭ୍ୟାସ ନାହିଁ- ତେଣୁ ଏ ଅଘଟଣ। ଯାହା ଶାସ୍ତି ଦେବେ, ମୁଁ ମୁଣ୍ତପାତି ଗ୍ରହଣ କରିବାକୁ ସମ୍ମତ।’’ ରାଜା ରଣଜିତ ସି˚ କିଛି କହିବା ପୂର୍ବରୁ ତାଙ୍କ ଚତୁଃପାର୍ଶ୍ବରେ ଥିବା ଅଧସ୍ତନ କର୍ମଚାରୀମାନେ ଏକତ୍ର କହି ଉଠିଲେ- ‘‘ମୃତ୍ୟୁଦଣ୍ତ ହିଁ ଉଚିତ ନ୍ୟାୟ।’’ କିନ୍ତୁ ରାଜା ରଣଜିତ ସି˚ କହିଲେ ଯଦି ଚଳତ୍‌ ଶକ୍ତି ବିହୀନ ଏବ˚ ମୂକ ଗଛଟିଏ ଟେକାର ମାଡ଼ ଖାଇ ନିଜ ପାଖରୁ ସ୍ବାଦିଷ୍ଠ ଆମ୍ବ ଦେଇ ଜଣକର କ୍ଷୁଧାତୃଷା ମେଣ୍ଟାଉଛି, ମୁଁ ରାଜା ହୋଇ ମୋର ଜଣେ କ୍ଷୁଧାର୍ତ୍ତ ପ୍ରଜାର ଟେକା ବଦଳରେ କିଛି କରିପାରିବିନି? -ଏତିକି କହି ସେ ନିଜ ମନ୍ତ୍ରୀଙ୍କୁ ବୁଢ଼ୀ ପରିବାର ପାଇଁ ଆଜୀବନ ଭରଣପୋଷଣର ବ୍ୟବସ୍ଥା କରି ଦେଲେ। ଏଭଳି ନ୍ୟାୟ ଏବେ କେବଳ ସ୍ବପ୍ନ ମାତ୍ର!

ଚତୁର୍ଥ କଥାଟି ଗୌତମ ବୁଦ୍ଧ ମୃଗ ଜନ୍ମ ନେଇଥିବା ସମୟର। ସନ୍ଧ୍ୟା ହୋଇ ଆସୁଥାଏ, ବଣ ଛାଡ଼ି ନଦୀ ପାର ହୋଇ ଆର ପଟକୁ ଚାଲିଗଲେ ହ୍ରି˚ସଜନ୍ତୁଙ୍କ କବଳରୁ ରକ୍ଷା ମିଳିବ- ଏଇ ଚିନ୍ତା ଥାଏ ମୃଗ ରାଜଙ୍କର। ଗୌତମ ବୁଦ୍ଧ ହିଁ ମୃଗମାନଙ୍କର ରାଜା ହୋଇ ଜନ୍ମ ନେଇଥା’ନ୍ତି। ଜାତିସ୍ମର ହୋଇଥିବାରୁ ବୁଦ୍ଧଙ୍କ ବିଗତ ସମସ୍ତ ଜନ୍ମର ଜ୍ଞାନ ମନରେ ଥାଏ। ସେ ଦେଖିଲେ ନଦୀର ଓସାର ଯେଉଁଠି ସବୁଠୁଁ କମ୍, ତାହା ମୃଗ ଡେଇଁପାରିବା ଦୂରତାର ଦୁଇଗୁଣ। ତେଣୁ ସେ ନଈ ମଝିକୁ ଯାଇ ରହିଗଲେ ଏବ˚ କହିଲେ- ‘‘ଜଣ ଜଣ ହୋଇ ମୋ ପିଠି ଉପରକୁ ଆସି ସେଠାରୁ ଆରପଟକୁ କୁଦା ମାର।’’ ତାହା ହିଁ ହେଲା। ସମସ୍ତ ମୃଗ ଜଣକ ପରେ ଜଣେ ମୃଗରାଜଙ୍କ ପିଠିକୁ ମାଧୢମ କରି ଆରପଟକୁ ଡେଇଁ ପଳାଇଲେ ଓ ସି˚ହ, ବ୍ୟାଘ୍ର ଇତ୍ୟାଦି ବନ୍ୟଜନ୍ତୁଙ୍କ କବଳରୁ ରକ୍ଷା ପାଇଗଲେ। କିନ୍ତୁ ସେତେବେଳକୁ ମୃଗରାଜଙ୍କ ପିଠିର ମା˚ସ ତୁଳା ଭଳି ଭିଣି ହୋଇ ରକ୍ତାକ୍ତ ହୋଇ ଯାଇଥିଲା। ସେ ସେଇ ନଦୀରେ ହିଁ ତତ୍‌କ୍ଷଣାତ୍‌ ପ୍ରାଣତ୍ୟାଗ କରିଥିଲେ।

ଏଇ ଭାରତରେ ଏଭଳି ଶାସନକର୍ତ୍ତା ଥିଲେ ବୋଲି ଇତିହାସ କହେ। ଏବେ ବି କାଁ ଭାଁ ଭଲ ଶାସକ ଯେ ନ ଥିବେ କହି ହେବ ନାହିଁ। କିନ୍ତୁ ଅଧିକାଂଶ ପ୍ରଜାଙ୍କ ଅପେକ୍ଷା ନିଜ ସ୍ବାର୍ଥରକ୍ଷାରେ ମତ୍ତ। ଏହା ହିଁ ଏବେ ସେମାନଙ୍କ ପ୍ରଧାନ ଲକ୍ଷ୍ୟ। ଶାସକ କହିଲେ ମନ୍ତ୍ରୀ, ଏମ.ଏଲ.ଏ, ନେତା ବା ପ୍ରଶାସନିକ ଅଧିକାରୀଙ୍କୁ କେବଳ ବୁଝାଯାଏନି। ପରିବାରରେ ଗୃହକର୍ତ୍ତା, ଗାଁରେ ମୁଖିଆ, ସ˚ସ୍ଥାରେ ସକ୍ରେଟାରି, ରାଜ୍ୟରେ ମନ୍ତ୍ରୀ- ସମସ୍ତଙ୍କୁ ଶାସନକର୍ତ୍ତା ବୋଲି ବୁଝିବାକୁ ହେବ। ଏବକା ଶାସନକର୍ତ୍ତା ଯେ ଜାତିର ସ୍ବାର୍ଥ ପ୍ରତି ଧୢାନ ଦେବେନି ଏକଥା ବୁଝି ବହୁ ଆଗରୁ ସେଥିପାଇଁ ଦେଶପ୍ରାଣ ମଧୁସୂଦନ ଲେଖିଥିଲେ-
‘‘ଜାତିର ଉନ୍ନତି ସେ କାହିଁ କରିବ,
ସ୍ବାର୍ଥେ ଯାର ବ୍ୟସ୍ତ ମନ।
ଶାଗୁଣା ବିଲୁଆ ଚିକିତ୍ସକ ହେଲେ,
ଶବ କି ପାଇବ ପ୍ରାଣ?
ଜାତି-ନନ୍ଦିଘୋଷ ଚଳିବ କି ଭାଇ,
ସ୍ବାର୍ଥକୁ ସାରଥି କଲେ!
ଟାଣେ କିରେ ଗାଡ଼ି ଦାନାର ତୋବଡ଼ା,
ଘୋଡ଼ା ମୁହେଁ ବନ୍ଧା ଥିଲେ!

ଗୁରୁକୃପା, ୪୯/୬୦୦,
ଲକ୍ଷ୍ମୀବିହାର, ଭୁବନେଶ୍ବର
[email protected]

ସମ୍ବନ୍ଧିତ ଖବର